Unknown

 

 

 

 

 

 

 

 

 

୧୭୩ତମ ସଂଖ୍ୟା କୋଣାର୍କ ୨୦୧୪

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ଵତ ମୁଖପତ୍ର

 

ଉପଦେଷ୍ଟା

ଶ୍ରୀ ସାତକଡ଼ି ହୋତା

 

ସମ୍ପାଦକମଣ୍ଡଳୀ

ଶ୍ରୀ ଗିରି ଦଣ୍ଡସେନା

ଶ୍ରୀ ବିଜୟ କୁମାର ନାୟକ

 

ସୌଜନ୍ୟ ସମ୍ପାଦକ

ରାଜକିଶୋର ମିଶ୍ର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ଏକାଡେମୀକର୍ତ୍ତୃକ ସର୍ବସ୍ଵତ୍ଵାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ଵ

 

 

 

ପ୍ରଚ୍ଛଦ

ସଂସ୍କୃତି ବିଭାଗ ଓ ଲଳିତକଳା ଏକାଡେମୀ ଆନୁକୂଲ୍ୟରେ ପୁରୀଠାରେ ତା.୭,୮ ଓ ୯ ରିଖ ଜୁନ୍ ୨୦୧୪ରେ ଆୟୋଜିତ ଜାତୀୟ ଶିଳ୍ପୀ ଶିବିର ‘ନୀଳକନ୍ଦର’ କାର୍ଯ୍ୟକ୍ରମରେ ପଦ୍ମଭୂଷଣ ଡକ୍ଟର ଯତୀନ୍ ଦାସଙ୍କ ପ୍ରସ୍ତୁତ କଳାକୃତି ।

 

***

 

ସୂଚୀ

ସମ୍ପାଦକୀୟ

୧.

ଶ୍ରୀଜଗନ୍ନାଥ – ଏକ ଦ୍ରୁତ ପରିବର୍ତ୍ତନଶୀଳ ଦେବତା

 

ଡକ୍ଟର ଚନ୍ଦ୍ରଭାନୁ ଶତପଥୀ

୨.

ଶ୍ରୀଜଗନ୍ନାଥ କିମ୍ୱଦନ୍ତୀ : ଏକ ଭବିଷ୍ୟଦ୍ଧର୍ମୀ ପରମ୍ପରା

 

ଶ୍ରୀ ମନୋଜ ଦାସ

୩.

ବିଦେଶୀଙ୍କ ଦୃଷ୍ଟିରେ ରଥ ଓ ଶ୍ରୀଜଗନ୍ନାଥ

 

ଅସିତ ମହାନ୍ତି

୪.

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିରେ

ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା

 

ପଣ୍ତିତ ଶ୍ରୀନିବାସ ରଥ

୫.

ପାତାଳୀ ଶ୍ରୀକ୍ଷେତ୍ରର ଇତିହାସ ଓ ସଂସ୍କୃତି

 

ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର

୬.

ଓଡ଼ିଶାର ଧର୍ମଧାରଣା, ଲୋକାଚାରରେ

ଶ୍ରୀଜଗନ୍ନାଥ

 

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

୭.

ପୁରୁଷୋତ୍ତମ ଜଗନ୍ନାଥଙ୍କ ମୌଳିକତା

 

ପଣ୍ତିତ ଅନ୍ତର୍ଯ୍ୟାମୀ ମିଶ୍ର

୮.

ଓଡ଼ିଶାର ଜନଶ୍ରୁତିରେ କାଞ୍ଚିକାବେରୀ

 

ଜ୍ଞାନରଞ୍ଜନ ପଣ୍ଡା

୯.

ଓଡ଼ିଶାର ଜନଶ୍ରୁତି ଓ ଚଳଣିରେ ଶ୍ରୀଜଗନ୍ନାଥ

 

ଡକ୍ଟର ଦେବାଶିଷ ପାତ୍ର

୧୦.

କିମ୍ଵଦନ୍ତୀ, ଜନଶ୍ରୁତି ଓ ଲୋକକଥାରେ

ଶ୍ରୀକ୍ଷେତ୍ରର ଦେଉଳତୋଳା

 

ଡକ୍ଟର ଅନିରାଧା ରଥ

୧୧.

ଶ୍ରୀକ୍ଷେତ୍ରର ମଠ ସଂସ୍କୃତି

 

ଡକ୍ଟର ଭାସ୍କର ମିଶ୍ର

୧୨.

ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ

 

ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର

୧୩.

ପ୍ରାଚୀନ ଓଡ଼ିଆ କାବ୍ୟ-ପରମ୍ପରାରେ ଶ୍ରୀଜଗନ୍ନାଥ.

 

ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ

୧୪.

ମଧ୍ୟଯୁଗୀୟ କାବ୍ୟ- ପରମ୍ପରା ଓ ଶ୍ରୀଜଗନ୍ନାଥ

 

ଡକ୍ଟର ତୁଳସୀ ଓଝା

୧୫.

ଆଧୁନିକ କବିତାରେ ଶ୍ରୀଜଗନ୍ନାଥଚେତନା

 

ହରିହର ମିଶ୍ର

୧୬.

କବି ଲେଖନୀରେ ଶ୍ରୀଜଗନ୍ନାଥ

 

ମନମୋହନ ଆଚାର୍ଯ୍ୟ

୧୭.

ଭକ୍ତ, ଭକ୍ତି ଓ ଜଗନ୍ନାଥ-ଗୀତି.

 

ଡକ୍ଟର ସଂଘମିତ୍ରା ମିଶ୍ର

୧୮.

ଶ୍ରୀଜଗନ୍ନାଥ ଉପାସନାରେ ନୃତ୍ୟ,

ବାଦ୍ୟ ଓ ସଙ୍ଗୀତର ମଧୁର ସମନ୍ଵୟ

 

ଦଇତାପତି ଶ୍ରୀ ରାମଚନ୍ଦ୍ର ଦାସମହାପାତ୍ର

୧୯.

ଶାବର ଶ୍ରୀକ୍ଷେତ୍ର କୋରାପୁଟ : ଏକ ଅଭିନବ

ଐତିହ୍ୟର ଉପହାର

 

ପଣ୍ତିତ ସଂଗ୍ରାମ ଆଚାର୍ଯ୍ୟ

୨୦.

ରଥବିଧାନ ଅଭିଧାନ

 

ଡକ୍ଟର ଅଜୟ କୁମାର ମିଶ୍ର

୨୧.

ସକଳ ଧର୍ମର ସମାବେଶରେ ଶ୍ରୀଜଗନ୍ନାଥ

 

ରାଜକିଶୋର ମିଶ୍ର

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟ କୁମାର ନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ଶ୍ରୀ ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

***

 

ସମ୍ପାଦକୀୟ

ନମ୍ର ମେଘମାଳାରେ ଆଚ୍ଛାଦିତ ହେଲେ ଆକାଶ, ବର୍ଷାର ରୁଣୁଝୁଣୁ ନୂପୁର ନିକ୍ଵଣରେ ପୁଲକିତ ହେଲେ ମାଟି, ସବୁଜ ସ୍ଵପ୍ନରେ ବିଭୋର ହେଲେ ଦୂର ଅଦୂର ଦିଗ୍‍ବଳୟ ମନେହେବ ରଥଯାତ୍ରା ଆଉ ଡେରି ନାହିଁ । ପ୍ରାବୃଟ୍ ପରା ବାରି ପ୍ରିୟ ମହାପ୍ରଭୃଙ୍କର । ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଓହ୍ଲାଇ ଆସୁଥିବ ଭୂମାରୁ ଭୂମିକୁ । ମହାପ୍ରଭୁ ରତ୍ନବେଦୀ ତିଆଗି ଆସିବେ, ବଡ଼ଦାଣ୍ଡକୁ । ସଜ ହୋଇଥିବ ନନ୍ଦିଘୋଷ ରଥ । ମାନବ-ମହୋଦଧି ଲହଡ଼ି ଭାଙ୍ଗୁଥିବ । ଚକାଆଖିରେ ଲାଖି ରହିଥିବ ଶତସହସ୍ର ନୟନ । ନବଦିନ ବ୍ୟାପୀ ଏହି ଘୋଷଯାତ୍ରା । ଜଗତରେ କାହାନ୍ତି ଏପରି ଠାକୁର ଯିଏ ମନ୍ଦିର ଛାଡ଼ି ଦାଣ୍ଡରେ ଉଭା ହେବେ, ଭକତ ‘ଭାବ’ରେ ବନ୍ଧା ହେବେ । ଭେଦାଭେଦକୁ ଲଙ୍ଘିବେ । ଚରାଚର ହିତପାଇଁ ବାହୁ ପ୍ରସାରିବେ ।

 

ମହାପ୍ରଭୁଙ୍କର ଏ ଲୀଳା ଅପୂର୍ବ, ଅବର୍ଣ୍ଣନନୀୟ । ମହାପ୍ରଭୁ ତ କାଳେକାଳେ ଏମିତି ବିପୁଳ ବିସ୍ମୟ, ରହସ୍ୟର ରତ୍ନାକର । ସେ ଜଗତର ଠାକୁର, ବିଶ୍ଵବନ୍ଦ୍ୟ, ପୁଣି ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ । ସେ ରାଜାଧିରାଜ । କ୍ଷେତ୍ରମାନଙ୍କ ମଧ୍ୟରେ ରାଜା ପୁରୁଷୋତ୍ତମ, ଦେବତାମାନଙ୍କ ମଧ୍ୟରେ ରାଜା ପୁରୁଷୋତ୍ତମ । ରାଜାଧିରାଜ ପୁଣି ସାଧାରଣ ସୈନିକ ସାଜି ଅବତୀର୍ଣ୍ଣ ହୁଅନ୍ତି ରଣକ୍ଷେତ୍ରରେ, ତାଙ୍କ ସେବକ (ଗଜପତି ମହାରାଜା)ଙ୍କ ମାନରକ୍ଷା ପାଇଁ । ସେ ପରଂବ୍ରହ୍ମ, ପୁଣି ପରମ ପ୍ରେମିକ । ସେ ଅସମ୍ପୂର୍ଣ୍ଣ, ପୁଣି ପରିପୂର୍ଣ୍ଣତାର ପ୍ରତିଶ୍ରୁତି ।

 

ସେ କାହାର କାହାର ବା ନୁହଁନ୍ତି ! ସେ ଶବରର କାଷ୍ଠ ପ୍ରତିମା । ଜୈନ, ବୌଦ୍ଧର ଆରାଧ୍ୟ, ହିନ୍ଦୁର ମହାବିଷ୍ଣୁ । ସେ ଅଖିଳ ବ୍ରହ୍ମାଣ୍ଡପତି, ମହାଭାରତୀୟତାର ପ୍ରତିଭୂ, ଓଡ଼ିଆ ଅସ୍ମିତାର ପ୍ରମୂର୍ତ୍ତ ପ୍ରତୀକ ।

 

ଗୋଟିଏ ଜାତିର ଅସ୍ମିତା ସହିତ ଜଡ଼ିତ କୌଣସି ଦ୍ଵିତୀୟ ଦେବତା ଅଛନ୍ତି କି ମହୀମଣ୍ଡଳରେ ଗୋଟିଏ ଜାତିର ସଂସ୍କୃତି, ସାହିତ୍ୟ, ନୃତ୍ୟ, ସଙ୍ଗୀତ, କଳା, କାରିଗରୀ, ଜୀବନ ଓ ଜୀବନାନ୍ତରକୁ ଆଚ୍ଛନ୍ନ କରିରଖିଥିବା କୌଣସି ଦେବତା ଅଛନ୍ତି କି ଆଉ କେଉଁଠି ଏହାର ଉତ୍ତର ଖୁବ୍ ସମ୍ଭବତଃ ନକାରାତ୍ମକ । କିନ୍ତୁ ଓଡ଼ିଶାର ବିଶ୍ଵାସରେ, ପ୍ରଶ୍ଵାସରେ, କୃଷିରେ, ହର୍ଷରେ, ବିଷାଦରେ ଦୈନ୍ୟରେ, ପ୍ରାଚୁର୍ଯ୍ୟରେ ଜଗନ୍ନାଥ ହିଁ ଜଗନ୍ନାଥ । ବିପଦ ଆପଦରେ ପଡ଼ିଲେ ଓଡ଼ିଆ ଗାଏ, ‘ଭୁଜତଳେ ମୋତେ ରଖ ମହାବାହୁ, ବାହୁତଳେ ମୋତେ ରଖ’ । ଅଭିମାନରେ କହେ ‘କିଛି ମାଗୁନାହିଁ ତୋତେ’ । ଏ ଅଭିମାନ ତୀବ୍ର ହେଲେ , ‘କାଳସର୍ପ ଆପଣ’ ବୋଲି କହି ସେ ମହାପ୍ରଭୁଙ୍କୁ ଗାଳିଦିଏ । ପୃଥିବୀର ଯେଉଁ କୋଣରେ ଥିଲେ ବି ସେ ଭଜି ହୁଏ କ୍ଷେତ୍ର ଯିବି, ମୁଁ କ୍ଷେତ୍ର ଯିବି । କ୍ଷେତ୍ରକୁ ଥରେ ଗଲେ ସେ ବାହୁଡ଼ିବାକୁ ଚାହେଁନା । ତା କଣ୍ଠରୁ ସ୍ଵତଃ ଝରିପଡ଼େ ତୋତେ ଛାଡ଼ିଯିବାକୁ ମୋ ମନ ବଳୁନାହିଁରେ ।

 

ଓଡ଼ିଆ ସାହିତ୍ୟର ଅଙ୍ଗେ ଅଙ୍ଗେ ଶ୍ରୀଜଗନ୍ନାଥଙ୍କର ଅଙ୍ଗଲାଗି । ମାଟିର ମହାକବି ସାରଳାଙ୍କଠାରୁ ସମକାଳ ପର୍ଯ୍ୟନ୍ତ ଓଡ଼ିଆ କାବ୍ୟଧାରାର ଛତ୍ରେଛତ୍ରେ କାଳିଆସାଆନ୍ତଙ୍କ କୀର୍ତ୍ତିକୀର୍ତ୍ତନ । ସାରଳାଙ୍କ ଲେଖନୀରେ ସେ ‘ନୀଳ ସୁନ୍ଦର ପୁରୁଷ ଉତ୍ତମ’ ତ ଅତିବଡ଼ୀଙ୍କ ଶବ୍ଦର ନିରାଜନାରେ ‘ଅନାଥ ଲୋକଙ୍କର ନାଥ’ । ଭକ୍ତ ସାଲବେଗଙ୍କର ସେ ‘ନୀଳ ଶଇଳ ପ୍ରବଳ ମତ୍ତବାରଣ’ ତ କବି ସମ୍ରାଟଙ୍କର ‘ମାନ ଉଦ୍ଧାରଣ’ । ସେ ପୁଣି ଦୀନକୃଷ୍ଣଙ୍କ ସାମନ୍ତ ବୀରକେଶରୀ ଦେବଙ୍କ ‘ଦୁଃଖନାଶନ’ କବିସୂର୍ଯ୍ୟଙ୍କ ‘କ୍ଷୀରମୟ-ସିନ୍ଧୁ-ଜେମା-ଜୀବ-ବନ୍ଧୁ’ । ଏମିତି ଅନେକ ଗୀତ, ସଙ୍ଗୀତ-ପ୍ରାଚୀନ କାଳରୁ ମଧ୍ୟଯୁଗ ପୁଣି ମଧ୍ୟ ଯୁଗରୁ ଏଯାବତ୍ ପ୍ରଲମ୍ବିତ ।

 

କେବଳ କାବ୍ୟ କବିତାରେ ନୁହେଁ, ଅନେକ ଗଳ୍ପ ଉପନ୍ୟାସ ଓ ନାଟକାଦିରେ ଜଗନ୍ନାଥ କେନ୍ଦ୍ରବିନ୍ଦୁ । ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’, ଓ ‘ନୀଳାଦ୍ରି ବିଜୟ’ରେ ମୁଖ୍ୟ ନାୟକ ଶ୍ରୀଜଗନ୍ନାଥ । ଗୋପୀନାଥ ମହାନ୍ତିଙ୍କ ‘ଲୟ ବିଲୟ’ ଏବଂ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଶକୁନ୍ତଳା’ରେ ଜଗନ୍ନାଥ ଚେତନାର ପ୍ରତିଫଳନ । ସେହିପରି ରାମଶଙ୍କରଙ୍କ ‘କାଞ୍ଚି-କାବେରୀ’, ଗୋଦାବରୀଶ ମିଶ୍ରଙ୍କ ପୁରୁଷୋତ୍ତମ ଦେବ ଅଶ୍ଵିନୀକୁମାରଙ୍କ ରଘୁ ଅରକ୍ଷିତ ଦାସିଆ ବାଉରୀ ବନ୍ଧୁ ମହାନ୍ତି, କାଳୀଚରଣଙ୍କ ଅଭିଯାନ ତଥା ବୈଷ୍ଣବ ପାଣିଙ୍କ ଅନେକ ନାଟକରେ ଶ୍ରୀଜଗନ୍ନାଥଙ୍କ କଥା ଓ ଗାଥା ପ୍ରତିବିମ୍ବିତ । ଏସବୁ ସଂକ୍ଷିପ୍ତ ସୂଚନା ମାତ୍ର, ସାମଗ୍ରିକ ଆକଳନ ନୁହେଁ ।

 

ପୁନଶ୍ଚ ଜଗନ୍ନାଥଙ୍କ ପର୍ବପର୍ବାଣୀ ଓଡ଼ିଶାର ପର୍ବପର୍ବାଣୀ । ତାଙ୍କର ଭୋଗରାଗ, ଯାନିଯାତରା, ନୀତିକାନ୍ତି, କାହାଣୀ କିମ୍ବଦନ୍ତୀ ଓଡ଼ିଆ ଜନଜୀବନର ଆଧାରଶିଳା । ଶ୍ରୀକ୍ଷେତ୍ରରେ ବାରମାସରେ ତେର ପର୍ବ । କାର୍ତ୍ତିକବ୍ରତ, ପାର୍ବଣ, ପୁଷ୍ୟାସ୍ନାନ, ମକର ସଂକ୍ରାନ୍ତି, ଦୋଳଯାତ୍ରା, ଅକ୍ଷୟତୃତୀୟା, ଚନ୍ଦନ ଯାତ୍ରା, ସ୍ନାନଯାତ୍ରା, ଶୟନଯାତ୍ରା, ରଥଯାତ୍ରା ଏସବୁର ସୂଚୀ ସୁଦୀର୍ଘ । ତେବେ ରଥଯାତ୍ରାର ଚମକ ନିଆରା, ମାହାତ୍ମ୍ୟ ଅନନ୍ୟ, ପୁଣି ତାର ପ୍ରସିଦ୍ଧି ବିଶ୍ଵବ୍ୟାପୀ ।

 

ମହାପ୍ରଭୁଙ୍କର ଏହି ବିଶେଷ ଯାତ୍ରା ବା ସ୍ଵୟଂଲୀଳା ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାରସ୍ଵତ ମୁଖପାତ୍ର କୋଣାର୍କର ବିଶେଷ ସଂଖ୍ୟା ପ୍ରକାଶନ ଏକ ପ୍ରାସଙ୍ଗିକ ପଦକ୍ଷେପ । ତେବେ ଏହି ମହତ୍ ପ୍ରୟାସର ମୂଳରେ ରହିଛି ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ପ୍ରେରଣା ଓ ପରାମର୍ଶ । ସେଥିପାଇଁ ଡକ୍ଟର ପାଢ଼ୀଙ୍କ ନିକଟରେ ଓଡ଼ିଆ ସାହିତ୍ୟ ଏକାଡେମୀ ପରିବାର କୃତଜ୍ଞ । କୃତଜ୍ଞ ମଧ୍ୟ କୃତବିଦ୍ୟ ଲେଖକ/ଲେଖିକାମାନଙ୍କ ନିକଟରେ ଯେଉଁମାନଙ୍କ ତଥ୍ୟ ଓ ତତ୍ତ୍ଵଭିତ୍ତିକ ଆଲେଖ୍ୟରେ କୋଣାର୍କର କଳେବର ଶ୍ରୀମଣ୍ଡିତ । ସଂପାଦକମଣ୍ଡଳୀର ସମ୍ମତି ଓ ସହଯୋଗ ତଥା ମୋର ସତୀର୍ଥମାନଙ୍କର ଅଙ୍ଗୀକାର ଓ କର୍ମକୁଶଳତା ବିନା ଏହି କାର୍ଯ୍ୟ ହୁଏତ ସମ୍ଭବ ହୋଇପାରି ନ ଥାନ୍ତା । ସେମାନଙ୍କ ନିକଟରେ ମୁଁ ବ୍ୟକ୍ତିଗତ ଭାବରେ ଋଣୀ । ସେହିପରି ସୌଜନ୍ୟ ସମ୍ପାଦକ ପ୍ରଫେସର ରାଜକିଶୋର ମିଶ୍ର ସୀମିତ ସମୟ ମଧ୍ୟରେ ଏହାର ସୁସମ୍ପାଦନା କରିଥିବାରୁ ମୁଁ ତାଙ୍କ ନିକଟରେ ଋଣୀ ।

 

ଗଙ୍ଗାଜଳରେ ଗଙ୍ଗାପୂଜନ କଲାପରି ଜଗନ୍ନାଥତତ୍ତ୍ୱସମ୍ୱଳିତ ଏହି ବିଶେଷ ସଂଖ୍ୟାଟି ମୁଁ ମହାପ୍ରଭୁଙ୍କ ପଦାରବିନ୍ଦରେ ସମର୍ପଣ କରି ନିଜକୁ ଧନ୍ୟ ମନେକରୁଛି ।

 

 

ସମ୍ପାଦକମଣ୍ଡଳୀ ତରଫରୁ

 

(ଶ୍ରୀ ବିଜୟ କୁମାର ନାୟକ)

ସଚିବ

ଓଡ଼ିଆ ସାହିତ୍ୟ ଏକାଡେମୀ

 

***

 

ଶ୍ରୀଜଗନ୍ନାଥ – ଏକ ଦ୍ରୁତ ପରିବର୍ଦ୍ଧନଶୀଳ ଦେବତା

ଡକ୍ଟର ଚନ୍ଦ୍ରଭାନୁ ଶତପଥୀ

 

ବିଭିନ୍ନ ଦୃଷ୍ଟିକୋଣରୁ ଅନୁଶୀଳନ କରିବାପରେ ମୋର ଉପଲବ୍ଧି ହେଉଛି ପ୍ରତ୍ୟେକ ଓଡ଼ିଆ ଜନ୍ମତଃ ଶ୍ରାଜଗନ୍ନାଥଙ୍କ ସହ ସମ୍ବଦ୍ଧିତ । ସେ ଚାହୁଁବା ନ’ଚାହୁଁ, ଓଡ଼ିଶାର ଜନଜୀବନ, ଲୋକସଂସ୍କୃତି, ଶିକ୍ଷା, ଶିଳ୍ପ, ନୃତ୍ୟକଳା, ବୟନକଳା, କୃଷିକର୍ମ, ପର୍ବପର୍ବାଣି ଇତ୍ୟାଦି ମାଧ୍ୟମରେ ଶ୍ରୀଜଗନ୍ନାଥ ତାକୁ ଆଚ୍ଛନ୍ନ କରି ରଖନ୍ତି ।

 

ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜୀବନର ମୂଳବିନ୍ଦୁ । ସେ ହେଉଛନ୍ତି ଜୀବନର ଅକ୍ଷ, ଯାହାଙ୍କ ଚାରିପଟେ କେବଳ ଜୀବନ ବା ସଂସ୍କୃତି ନୁହେଁ ଏ ପୂର୍ଣ୍ଣ ସଂସାରର ଚକ ଘୂରୁଛି । କିନ୍ତୁ ଭକ୍ତି କାରଣରେ ହେଉ ବା ଭୟ କାରଣରେ ହେଉ ଭକ୍ତମାନେ ଅନାବଶ୍ୟକ ଭାବେ ତାଙ୍କ ପ୍ରଭୁଙ୍କୁ ମହିମା ମଣ୍ଡିତ କରିବାକୁ ଚେଷ୍ଟା କରୁଥିବାରୁ ପ୍ରଭୁ ଯେମିତି ମୂଳବିନ୍ଦୁରୁ ବିଚ୍ୟୁତ ହୋଇଯାଆନ୍ତି, ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ମଧ୍ୟ ତାହାହିଁ ହୋଇ ଚାଲିଛି ।

 

ପ୍ରଥମତଃ ଆମକୁ ବିଚାର କରିବାକୁ ପଡ଼ିବ ଶ୍ରୀଜଗନ୍ନାଥଙ୍କୁ ଆମେ କେଉଁ ଦୃଷ୍ଟିରୁ ଗ୍ରହଣ କରିବା । କାରଣ ଜଗନ୍ନାଥଙ୍କ ପ୍ରତି ଆଜି ମୋର ଦୃଷ୍ଟିଭଙ୍ଗୀ ଯାହା, ସାଧାରଣ ଶ୍ରୋତା ବା ପାଠକର ତାହା ହୁଏତ ହୋଇନପାରେ । ସେହିପରି ଭକ୍ତ ସାଲବେଗଙ୍କର ଦୃଷ୍ଟିଭଙ୍ଗୀ ଯାହା, ହୁଏତ ପଣ୍ଡା ପଢ଼ିହାରୀମାନଙ୍କର ତାହା ଭିନ୍ନ ହୋଇପାରେ । ତେଣୁ ପ୍ରଥମେ ଆମକୁ ଜଗନ୍ନାଥଙ୍କ ପ୍ରତି ଆମର ଦୃଷ୍ଟିକୋଣକୁ ସ୍ଥିର କରିବାକୁ ପଡ଼ିବ । ଆମେ ପୌରାଣିକ ଦୃଷ୍ଟିକୋଣରୁ ତାଙ୍କୁ ଗ୍ରହଣ କରିବା, ନା ନୃତାତ୍ତ୍ଵିକ ଦୃଷ୍ଟିକୋଣରୁ ଗ୍ରହଣ କରିବା, ଜ୍ୟୋତିଷଶାସ୍ତ୍ର ପ୍ରମାଣରେ ଗ୍ରହଣ କରିବା ନା ବୈଜ୍ଞାନିକ ପଦ୍ଧତିରେ ଗ୍ରହଣ କରିବା, ତାହା ପ୍ରଥମେ ସ୍ଥିର ହେବା ଆବଶ୍ୟକ ।

 

ଏହି ପ୍ରସଙ୍ଗରେ ଉଲ୍ଲେଖ କରାଯାଇପାରେ ଯେ, ବିଭିନ୍ନ ପୁରାଣରେ ଆମେ ପଢ଼ିଛୁ ବ୍ରହ୍ମାଙ୍କର ପଞ୍ଚମ ପୁରୁଷ ସ୍ଵଦେହରେ ଆସି ଶ୍ରୀବିଷ୍ଣୁଙ୍କୁ ଏଠାରେ ପ୍ରତିଷ୍ଠା କରିଥିଲେ । ସେହି ପ୍ରସଙ୍ଗରେ ଆମେ ଇନ୍ଦ୍ରଦ୍ୟୁମ୍ନ, ନୀଳମାଧବ ଓ ବିଶ୍ଵାବସୁଙ୍କ କଥା ମଧ୍ୟ ପଢ଼ିବାକୁ ପାଉ । ଏହି ଦୃଷ୍ଟିକୋଣରୁ ବିଚାର କଲେ ଏହା ସତ୍ୟଯୁଗର ଘଟଣା ବୋଲି ମନେହୁଏ । କିନ୍ତୁ ଇତିହାସ ଦୃଷ୍ଟିକୋଣରୁ ବିଚାର କଲେ, ଯଯାତିକେଶରୀ ଏକାଦଶ ଶତାବ୍ଦୀରେ ଓଡ଼ିଶା ଆସିବା ପରେ ପରବର୍ତ୍ତୀ ରାଜାଙ୍କ ଦ୍ଵାରା ଶ୍ରୀଜଗନ୍ନାଥଙ୍କୁ ଏଠାରେ ପ୍ରତିଷ୍ଠା କରାଯାଇଛି । ଅର୍ଥାତ୍ ଏହା କଳିଯୁଗର ପ୍ରସଙ୍ଗ । ଏଠାରେ ପୁରାଣ ଓ ଇତିହାସ ମଧ୍ୟରେ ବିରୋଧାଭାଷ ପରିଲକ୍ଷିତ ହୁଏ । ଏକଥା ମଧ୍ୟ ବିଚାରଯୋଗ୍ୟ ଯେ ପୁରାଣ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ସତ୍ୟଯୁଗର ରାଜା, କିନ୍ତୁ ଶ୍ରୀକୃଷ୍ଣ ଦ୍ଵାପରଯୁଗ ଅନ୍ତେ ଶରୀର ତ୍ୟାଗ କରିଥିଲେ । ତାହା ହେଲେ, କେଉଁ ସମୟରେ ସେ ଦାରୁବ୍ରହ୍ମ ଅବସ୍ଥା ପ୍ରାପ୍ତହେଲେ । ଏବେ କଳିଯୁଗର ୫୧୧୩ ବର୍ଷ ଚାଲିଛି । କଳିଯୁଗ ସଂପୂର୍ଣ୍ଣେ ୪ ଲକ୍ଷ ୩୨ ହଜାର ବର୍ଷ । ଦ୍ଵାପରଯୁଗ, ତ୍ରେତାଯୁଗ, ଏବଂ ସତ୍ୟଯୁଗ କ୍ରମଶଃ ଏହା ପୂର୍ବର । ଏହି ମାନଦଣ୍ଡକୁ ଧରିଲେ, ପୌରାଣିକ ଇନ୍ଦ୍ରଦ୍ୟୁମ୍ନ ଅନେକ ବର୍ଷ ପୂର୍ବର ବୋଲି ମନେହୁଏ । ଅର୍ଥାତ୍ ଏହା କଳିଯୁଗର ପ୍ରସଙ୍ଗ । ଭାରତୀୟ ଶାସ୍ତ୍ରରେ ସମୟର ବିଭିନ୍ନ ସ୍ତରକୁ ଚିହ୍ନାଇବା ପାଇଁ ମନ୍ଵନ୍ତର, କଳ୍ପ, ମହାଯୁଗ ଓ ଯୁଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହି ଅନୁସାରେ ଆର୍କିଓଜୋଇକ୍ ଏରା (ଯୁଗ) ୧୫୦୦ ନିୟୁତ ବର୍ଷ, ପ୍ରୋଟେରୋଜୋଇକ୍ ଏରା ପରବର୍ତ୍ତୀ ୧୦୦୦ ନିୟୁତ ବର୍ଷ, ପାଲିଓଜୋଇକ୍ ଏରା ତା’ ପରବର୍ତ୍ତୀ ୩୩୦ ନିୟୁତ ବର୍ଷ । ଏମିତି ଏମିତି ଶେଷ ଏକ ନିୟୁତ ବର୍ଷ, ଭିତରୁ ପ୍ଲିୟୋଷ୍ଟୋସିନ୍ କାଳ ୯ ଲକ୍ଷ ୮୯ ହଜାର ବର୍ଷ ଓ ହଲୋସିନ୍ କାଳ ୧୧ ହଜାର ବର୍ଷ । ତା’ ଭିତରେ ରହିଲା ତାମ୍ରଯୁଗ, ବ୍ରୋଞ୍ଚଯୁଗ, ଲୌହଯୁଗ ଇତ୍ୟାଦି ।

 

ଏସବୁ ଉଲ୍ଲେଖ କରିବା କାରଣ ହେଲା, ବୈଜ୍ଞାନିକ ପଦ୍ଧତିରେ ଏବଂ ଜ୍ୟୋତିଷଶାସ୍ତ୍ରର ଗଣନା ଅନୁସାରେ ଆମ ଅତୀତର ବହୁ ପୁରାତନ ଯୁଗର ଆୟୁଷ ମଧ୍ୟ ନିର୍ଦ୍ଧାରଣ କରିସାରିଲୁଣି । କିନ୍ତୁ ଆଜି ମଧ୍ୟ ଆମେ ଶ୍ରୀଜଗନ୍ନାଥଙ୍କ ଆଦିକାଳ ସମ୍ପର୍କରେ ବହୁଧା ବିଭକ୍ତ ମତ ପ୍ରଦାନ କରୁଅଛୁ-। ତେଣୁ ଜଗନ୍ନାଥଙ୍କୁ ବିଭିନ୍ନ ଯୁକ୍ତି ଓ ତଥ୍ୟ ଭିତ୍ତିରେ ଆମେ ଆଲୋଚନା ନ କରି ଏକ ନିର୍ଦ୍ଧିଷ୍ଟ ଦୃଷ୍ଟିଭଙ୍ଗୀ ନେଇ ବିଚାର କରିବା ଏକ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତ ବିଶ୍ଵବାସୀଙ୍କୁ ଜଣାଇବା ଆବଶ୍ୟକ । ପଣ୍ଡିତ ନୀଳକଣ୍ଠ ଦାସ ଉଲ୍ଲେଖ କରିଛନ୍ତି ଯେ ଶ୍ରାଜଗନ୍ନାଥ ବୈଦିକ ଦେବତା ନୁହଁନ୍ତି । ଏହି ‘ବୈଦିକ’ ଶବ୍ଦକୁ କେହି କେହି ବ୍ୟାଖ୍ୟା କରି ଶ୍ରୀଜଗନ୍ନାଥଙ୍କୁ ବେଦ ସମୟର ଦେବତା ବୋଲି ମଧ୍ୟ ଅଭିହିତ କରିଥାନ୍ତି । କିନ୍ତୁ ବୈଦିକ ଅର୍ଥ ଯେ କେବଳ ବେଦ ସମୟର, ତାହା ନୁହେଁ । ଯେଉଁଥିରେ ବୈଦିକ ସଂସ୍କୃତି ଅଛି ତାହା ବୈଦିକ । ତେଣୁ ଶ୍ରୀଜଗନ୍ନାଥ ବୈଦିକ ବା ଅବୈଦିକ ଏପରି ଯୁକ୍ତି କରିବା ଅପେକ୍ଷା, ଶ୍ରୀଜଗନ୍ନାଥ ସଂସ୍କୃତିରେ ବୈଦିକ ବିଚାର ଅଛି ନା ନାହିଁ ତାହା ଆମକୁ ବିଚାର କରିବାକୁ ପଡ଼ିବ । ତା’ ନହେଲେ ବୈଦିକ ବ୍ରାହ୍ମଣ କହିଲେ ଆମେ କେବଳ ବେଦକାଳରେ ଜନ୍ମଗ୍ରହଣ କରିଥିବା ବ୍ରାହ୍ମଣ ବୋଲି ଏକ ହାସ୍ୟାସ୍ପଦ ବ୍ୟାଖ୍ୟା କରିବା ।

 

ଏମିତି ନାନା ଦୃଷ୍ଟିକୋଣରୁ ବିଚାର କଲେ ଆମେ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ସମ୍ପର୍କରେ ଭିନ୍ନ ଭିନ୍ନ ମତର ସାମ୍ନା କରିଥାଉ । ଇତିହାସ ତା’ ଯୁକ୍ତିରେ ଗୋଟିଏ ତଥ୍ୟ ଦେବାବେଳେ ଜ୍ୟୋତିଷଶାସ୍ତ୍ର ତାଙ୍କ ଗଣନା ଅନୁସାରେ ଆଉ ଏକ ତଥ୍ୟ ପ୍ରଦାନ କରନ୍ତି । ଏଯାବତ୍ ଆମେ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତ୍ନତାତ୍ତ୍ଵିକ ବିଚାର ଅନୁସାରେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇନୁ କି ନୃତାତ୍ତ୍ଵିକ ଗବେଷଣା କରିନୁ । ଏହି ନୃତାତ୍ତ୍ଵିକ ଅଧ୍ୟୟନ ପରେ ଯୀଜସ୍ କ୍ରାଏଷ୍ଟଙ୍କର ଜନ୍ମଜାତକ ସିଦ୍ଧାନ୍ତ ହୋଇପାରିଛି । ଅଥଚ ତାଙ୍କର ଅଙ୍ଗବସ୍ତ୍ରକୁ ସ୍ଵୀକୃତି ଦିଆଯାଇନାହିଁ । କିନ୍ତୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଏ ଅଧ୍ୟୟନ କରିବ କିଏ ? ସେ ଅଧ୍ୟୟନ କେଉଁଠୁ ଆରମ୍ଭ ହେବ ଏବଂ ତା’ର ଶେଷ ପରିଣତି କ’ଣ ହେବ କିଏ ଜାଣେ ? କାରଣ ଶ୍ରୀଜଗନ୍ନାଥ ହେଇଛନ୍ତି ଦ୍ରୁତ ରୂପରେ ବର୍ଦ୍ଧନଶୀଳ ଏକ ଦେବତା । ବ୍ରହ୍ମ ଶବ୍ଦର ମୂଳଧାତୁ ହେଲା ‘ବୃ’ ବା ‘ବୃଂହି’ । ଏହାର ଅର୍ଥ ହେଲା ସ୍ଵତଃବର୍ଦ୍ଧନଶୀଳ । ସ୍ଥାନ, ବ୍ୟକ୍ତି ବା ଇଷ୍ଟ ହୁଅନ୍ତୁ ଯେଉଁଠାରେ ବ୍ରହ୍ମଶକ୍ତି ରହିଥିବ ସେଠାରେ ଏହି ବର୍ଦ୍ଧନଶୀଳତା ଲକ୍ଷ୍ୟ କରିହେବ । ଜଗନ୍ନାଥଙ୍କର ସୃଷ୍ଟି ଏକ କାଷ୍ଠରୁ ଏବଂ କ୍ରମେ ସେ ବିଭିନ୍ନ ଧର୍ମମତକୁ ଗ୍ରହଣ କରି ବର୍ଦ୍ଧନଶୀଳ ହୋଇଛନ୍ତି । ସେ ପ୍ରଥମେ ଥିଲେ ଶବର ଦେବତା । ପରେ ଜୈନ, ବୌଦ୍ଧ, ଶାକ୍ତ ଓ ବୈଷ୍ଣବ ଭଳି ଅନେକ ସମ୍ପ୍ରଦାୟ ଆସି ତାଙ୍କୁ ନିଜର ଆରାଧ୍ୟ ଭାବରେ ଉପାସନା କରିଛନ୍ତି । ତେଣୁ ଶ୍ରୀଜଗନ୍ନାଥ କେବଳ ଏକ ଦେବତା ନୁହଁନ୍ତି, ସେ ଏକ ବିରାଟ ସଂସ୍କୃତି ଓ ବିରାଟ ସଭ୍ୟତା । ସେ ଏକ ଚେତନା ଯାହା କ୍ରମବର୍ଦ୍ଧିଷ୍ଣୁ ଓ କ୍ରମପରିବର୍ତ୍ତନଶୀଳ । ଆମେ ଜାଣୁ ଯେ ବିଭିନ୍ନ ସଂସ୍କୃତିର ସମ୍ମିଶ୍ରଣ ହେଲେ ସଭ୍ୟତାର ବିକାଶ ହୁଏ । ସମୟ ସହ ପରିବର୍ତ୍ତିତ ରୂପରେ ଆସୁଥିବା ଚେତନା ଓ ଚିନ୍ତାକୁ ଗ୍ରହଣ କରିପାରିଲେ ସଭ୍ୟତାର ବିକାଶ ହୁଏ । ଜଗନ୍ନାଥ ସଂସ୍କୃତି ସେହିପରି ଅନେକ ସଭ୍ୟତାକୁ ସାଦର ଗ୍ରହଣ କରିଥିବା ଏକ ମହାସ୍ରୋତ । ଏଠାରେ ବହୁଳ ଭାବରେ ଯେଉଁ ‘କୋଇଲି’ ଶବ୍ଦ ପ୍ରଚଳିତ, ତାହା ଏକ ତେଲୁଗୁ ଶବ୍ଦ । ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀର ପ୍ରାୟ ତିନିଦଶକ ପର୍ଯ୍ୟନ୍ତ ଏଠାକାର ସବୁ ରାଜା ଥିଲେ ତେଲୁଗୁ । କିନ୍ତୁ କ୍ରମେ କ୍ରମେ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର କୁଳଦେବତା ହୋଇ ରହିଲେ କେମିତି ?

 

ବେଳେବେଳେ ମନରେ ପ୍ରଶ୍ନ ଉଠେ, ଜଗନ୍ନାଥଙ୍କ ଉତ୍ପତ୍ତି ଓ ପ୍ରତିଷ୍ଠା ନେଇ ଯେବେ ଏତେ ବିରୋଧାଭାଷ, ତେବେ ଜଗନ୍ନାଥ ଆମ ଓଡ଼ିଆ ଜାତିର ଆରାଧ୍ୟ ହେଲେ କେବେଠୁ ? ପ୍ରଥମ ଅବସ୍ଥାରେ ଯେଉଁମାନେ ଶ୍ରାଜଗନ୍ନାଥଙ୍କର ଭକ୍ତ ଥିଲେ ସେମାନେ ଉଡ୍ରବାସୀ ଥିଲେ ନା କଳିଙ୍ଗବାସୀ ଥିଲେ ବିଭିନ୍ନ ପ୍ରମାଣ ଆଧାରରେ ଏହା ପ୍ରତିଫଳିତ ହେଲାଣି ଯେ, ମହାଭାରତ ଯୁଦ୍ଧରେ ଏହି କଳିଙ୍ଗ ବା କ୍ଲିଙ୍ଗ୍ ଜାତି କୌରବଙ୍କ ପକ୍ଷରେ ଥାଇ ଯୁଦ୍ଧ କରିଥିଲେ ଏବଂ ଉଡ୍ର ଜାତି ପାଣ୍ଡବଙ୍କ ପକ୍ଷରେ ଯୁଦ୍ଧ କରିଥିଲେ । ତେବେ ଏହି ଉଡ୍ର ଜାତି ଓ କଳିଙ୍ଗ ଜାତି କେବେଠାରୁ ପୁଣି ଏକାଠି ହେଲେ । ଏହି ଦୁଇ ଜାତି ଭିନ୍ନ ଥିବାବେଳେ ଜଗନ୍ନାଥ ଥିଲେ କେଉଁଠି ଐତିହାସିକମାନେ ପୁଣି କହନ୍ତି, ବିଧର୍ମୀମାନଙ୍କ ଆକ୍ରମଣ ଯୋଗୁଁ ଜଗନ୍ନାଥଙ୍କୁ ଏକୋଇଶ ଥର ଏଠାରୁ ବିତାଡ଼ିତ ହେବାକୁ ପଡ଼ିଥିଲା । ଯଦି ଏହା ସତ ହୁଏ, ତେବେ ଏତେଥର ତାଙ୍କୁ ହଜେଇ ଦେବା ପରେ ଆମେ ପୁଣି ଗ୍ରହଣ କଲୁ କେମିତି ? ଏସବୁ ପ୍ରଶ୍ନର ଗୋଟିଏ ମାତ୍ର ଉତ୍ତର ହେଉଛି ‘ଭାବ’ । ସେ କୁଆଡ଼େ ଗଲେ ବା ନ ଗଲେ, ସେ ଆମର ଏକ ସ୍ଥିର ଚେତନା ଓ ତାଙ୍କ ସହିତ ଆମେ ପୁରୁଷ ପୁରୁଷ ଧରି ଏକ ଭାବର ବନ୍ଧନରେ ଆବଦ୍ଧ ହୋଇଥିବାରୁ, ଯେକୌଣସି ଯୁକ୍ତି ଓ ଯେକୌଣସି ପ୍ରଶ୍ନକୁ ଆମେ ସ୍ଵାଭାବିକ ଭାବେ ଏଡ଼ାଇ ଯାଇଥାନ୍ତା ।

 

କିନ୍ତୁ ସମୟର ପରିବର୍ତ୍ତନ ସହ ଆମକୁ ମଧ୍ୟ ପରିବର୍ତ୍ତିତ ହେବାକୁ ପଡ଼ିବ । ଯୁଗ ଯୁଗ ଧରି ଚଳିଆସୁଛି ବୋଲି ଆମେ ଧର୍ମ ନାମରେ ଆମ ସ୍ଵାର୍ଥର ପରିପୂର୍ତ୍ତି କରିପାରିବା ନାହିଁ । କାରଣ ଅଧର୍ମ କେବଳ ଆଚରଣରେ ନ ଥାଏ ଉପେକ୍ଷାରେ ମଧ୍ୟ ଥାଏ । ଧର୍ମର ସଂକୀର୍ଣ୍ଣ ବ୍ୟାଖ୍ୟା ଯେପରି ଅଧର୍ମ, ଅଧର୍ମ ଆଚରଣକୁ ଉପେକ୍ଷା କରିବା ମଧ୍ୟ ଅଧର୍ମ । ମହାଭାରତରେ ଦ୍ରୋଣ ବ୍ରାହ୍ମଣ ହୋଇ ମଧ୍ୟ କୌରବଙ୍କ ପ୍ରତି ଆନୁଗତ୍ୟ ଯୋଗୁ ଧନୁ ଧାରଣ କରିଛନ୍ତି । ଭୀଷ୍ମ ବିଚାରବନ୍ତ ଓ ନ୍ୟାୟବନ୍ତ ହୋଇ ମଧ୍ୟ କୁରୁସଭାରେ ଦ୍ରୌପଦୀ ବିବସନା ହେବାବେଳେ ପ୍ରତିବାଦ ନ କରି ନିରବ ରହିଛନ୍ତି । ତେଣୁ ମହାଭାରତରେ ପ୍ରତ୍ୟେକ ଚରିତ୍ର ହେଉଛନ୍ତି ଧର୍ମର ସଂକୀର୍ଣ୍ଣ ବ୍ୟାଖ୍ୟା । ‘ଧୃ’ ଧାତୁରୁ ଉତ୍ପନ୍ନ ଧର୍ମର ଅର୍ଥ ହେଉଛି ଧାରଣ କରିବା । ଏହା ବ୍ୟକ୍ତିଜୀବନରୁ ଗୋଷ୍ଠୀଜୀବନ ଓ ସମାଜ-ସଂସ୍କୃତି ପ୍ରତ୍ୟେକକୁ ଧାରଣ କରିଥାଏ । ଏହି ଧର୍ମ ସେତିକିବେଳେ ସମାଜର ହିତସାଧନ କରେ ଯେତେବେଳେ ଏହା ସମୟର ପରିବର୍ତ୍ତନକୁ ସ୍ଵୀକାର କରେ । ପରିବର୍ତ୍ତନକୁ ସ୍ଵୀକାର କରିବା ହେଉଛି ବର୍ଦ୍ଧନଶୀଳତାର ଲକ୍ଷଣ । ତେଣୁ ବ୍ରହ୍ମ ବର୍ଦ୍ଧନଶୀଳ-ବିଶ୍ଵ ବର୍ଦ୍ଧନଶୀଳ । ସେହି ଦୃଷ୍ଟିରୁ ବିଚାର କଲେ-ଜଗନ୍ନାଥ ବର୍ଦ୍ଧନଶୀଳ ଓ ପରିବର୍ତ୍ତନକୁ ଗ୍ରହଣ କରିପାରୁଥିବା ଏକ ମହାଚେତନା । ଆମେ ଏହି ଦେବତାଙ୍କୁ କେତେବେଳେ ମହାବାହୁ, ରାଜାଧିରାଜ, ପରମବ୍ରହ୍ମ କହି ଆମ ମାହାତ୍ମ୍ୟବୋଧର ପରିଚୟ ଦେଉ ତ, କେତେବେଳେ ନିଜର ଲୋକପରି ମୋ’ କାଳିଆରେ, ମୋ’ ଧନମାଳିଆ ବୋଲି କହୁଥାଉ । ମାହାତ୍ମ୍ୟବୋଧରେ ଭକ୍ତର ଯେଉଁ ଭକ୍ତି ଥାଏ ତାହା ପରାଭକ୍ତି । କିନ୍ତୁ ନିଜର ଲୋକପରି ବ୍ୟବହାରରେ ଯେଉଁ ଗୋପୀଭାବ ଥାଏ ତାହା ଅପରାଭକ୍ତି । ଶ୍ରୀଜଗନ୍ନାଥଙ୍କଠାରେ ଏହି ଯେଉଁ ସକଳ ଭାବ ଓ ସକଳ ଧର୍ମର ସମନ୍ଵୟ ରହିଛି, ତାହା ଗୋଟିଏ ଦିନରେ ବା କେତୋଟି ବର୍ଷରେ ସମ୍ଭବ ହୋଇନାହିଁ । ସମୟ ସହ ତାଳ ଦେଇ ଧୀରେ ଧୀରେ ଏହିସବୁ ପରିବର୍ତ୍ତନ ସମ୍ଭବ ହୋଇଛି । ପରିବର୍ତ୍ତନ ସମୟ ଅନୁସାରୀ ହେଲେ ତାହା ଗ୍ରହଣୀୟ ହୁଏ-। ତେବେ ଏଠାରେ ମନେରଖିବାକୁ ହେବ ନୂତନକୁ ଧରି ରଖିବା ପାଇଁ ପୁରାତନ ଆଧାର ସବୁବେଳେ ଆବଶ୍ୟକ । ନୂତନତା ବା ପରିବର୍ତ୍ତନ ନାମରେ ଆମେ ଏକାଦିନେ ଆମ ପରମ୍ପରାକୁ ପରିହାର କରିପାରିବା ନାହିଁ । ସୁତରାଂ ପୁରାତନକୁ ଆଧାର କରି ନୂତନର ଆବାହନ ହିଁ ପ୍ରଗତିର ଲକ୍ଷଣ । ଜଗନ୍ନାଥସଂସ୍କୃତି ସମୟ ଅନୁସାରେ ଧୀରେ ଧୀରେ ପରିବର୍ତ୍ତନକୁ ସ୍ଵୀକାର କରି ଆସିଥିବାରୁ ଏହା ସାର୍ବଜନୀନ ଓ ପରିବର୍ଦ୍ଧନଶୀଳ ହୋଇପାରିଛି ।

 

ସୁଖର କଥା, ଜଗନ୍ନାଥ ଚେତନା ଏବେ ବିଦେଶର ବହୁ ରାଷ୍ଟ୍ରରେ ପ୍ରସାରିତ ହେଲାଣି । ଆଦି କାଳରେ ଶ୍ରୀଜଗନ୍ନାଥ ଯେଉଁ ରୂପରେ ବା ରୀତିରେ ପୂଜା ପାଉଥିଲେ ସେଥିରେ ପରିବର୍ତ୍ତନ ମଧ୍ୟ ହେଲାଣି । ତେବେ ଆମେ ଆମର ଦୃଷ୍ଟିକୋଣକୁ ଏକ ନିର୍ଦ୍ଧିଷ୍ଟ ଦିଗରୁ କେନ୍ଦ୍ରୀଭୂତ କଲେ ଶ୍ରୀଜଗନ୍ନାଥ-ବିଜ୍ଞାନ ଅଧିକ ପ୍ରସାର ଲାଭ କରିପାରିବ । ଏଥିପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଅଧିକରୁ ଅଧିକ ଜଗନ୍ନାଥକୈନ୍ଦ୍ରିକ ରଚନାକୁ ପ୍ରୋତ୍ସାହନ ଦିଅନ୍ତୁ ଏବଂ ଓଡ଼ିଶାର କୌଣସି ଏକ ବିଶ୍ଵବିଦ୍ୟାଳୟରେ ‘ଶ୍ରୀଜଗନ୍ନାଥ ଚେୟାର୍’ ପ୍ରତିଷ୍ଠା କରି ସେହି ପଦବୀରେ ଶ୍ରୀଜଗନ୍ନାଥଙ୍କ ଉପରେ ଗବେଷଣା କରୁଥିବା ଉଚ୍ଚକୋଟୀର କୌଣସି ପ୍ରଫେସରଙ୍କୁ ଅବସ୍ଥାପିତ କରିବା ବିଷୟ ଚିନ୍ତା କରନ୍ତୁ । ଓଡ଼ିଶାର ସହରଠୁ ପଲ୍ଲୀଯାଏ ଜଗନ୍ନାଥଙ୍କ ବ୍ୟଞ୍ଜନ ପ୍ରସ୍ତୁତିର ପ୍ରତିଯୋଗୀତା ହେଉ, ସରକାରୀ ସ୍ତରରେ ଶ୍ରୀଜଗନ୍ନାଥ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେଉ, ଯାହା ଫଳରେ ଆମ ଅବଚେତନରେ ଆମ ପ୍ରାଣର ଦେବତା ହୋଇ ରହିଥିବା ପ୍ରଭୁ ଶ୍ରୀଜଗନ୍ନାଥ ଆମ ଚେତନାରେ ମଧ୍ୟ ଚିରକାଳ ଅଧିଷ୍ଠିତ ହୋଇ ରହିବେ ।

 

(ତା. ୧୭.୬.୨୦୧୪ରେ ପୁରୀଠାରେ ଓଡ଼ିଶା ସାହିତ୍ୟ ଏକାଡେମୀକର୍ତ୍ତୃକ ଆୟୋଜିତ “ଓଡ଼ିଆ ସଂସ୍କୃତିରେ ଶ୍ରୀଜଗନ୍ନାଥ” ଶୀର୍ଷକ ଆଲୋଚନାଚକ୍ରରେ ପ୍ରଦତ୍ତ ବକ୍ତବ୍ୟର ସମ୍ପାଦିତ ଅଂଶ)

 

***

 

ଶ୍ରୀଜଗନ୍ନାଥ କିମ୍ୱଦନ୍ତୀ ଏକ ଭବିଷ୍ୟଦ୍ଧର୍ମୀ ପରମ୍ପରା

ଶ୍ରୀ ମନୋଜ ଦାସ

 

ଅଧିକାଂଶ ବେଳେ ପ୍ରତିଷ୍ଠାନ ତରଫରୁ ଏ ଲେଖକଙ୍କୁ କୌଣସି ନିରୁପିତ ବିଷୟ ଉପରେ ତା’ର ବକ୍ତବ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥାଏ । ଯେତେବେଳେ ଏ ଲେଖକ ଉପରେ ବିଷୟ ନିର୍ବାଚନ ଛାଡ଼ିଦିଆଯାଏ, ସେତେବେଳେ ସେହି ମୁହୂର୍ତ୍ତରେ ଯେଉଁ ବିଷୟଟି ଭାବନାକୁ ଆନ୍ଦୋଳିତ କରୁଥାଏ, ସେ ତାହାରି ଉପରେ କିଛି କହିବାର ସିଦ୍ଧାନ୍ତ ନିଏ । ଆଜିର ଏ ଅନୁଷ୍ଠାନରେ ଓଡ଼ିଶାର ଐତିହ୍ୟ ସମ୍ପର୍କରେ ହିଁ ବକ୍ତାଟି କହିବା ଲୋଡ଼ା । ଅର୍ଥାତ୍ ବିଷୟର ଭିତ୍ତି ନିରୂପିତ । ତାକୁହିଁ ସ୍ମରଣରେ ରଖି ନିକଟ ଅତୀତରେ କେତେକ ଜିଜ୍ଞାସୁଙ୍କ ପ୍ରଶ୍ନ ଅବଲମ୍ବନରେ ମନୋନୀତ କଲି ଯେଉଁ ବିଷୟ-ଶିରୋନାମା, ତାହା ହେଲା: “ଶ୍ରୀଜଗନ୍ନାଥ କିମ୍ୱଦନ୍ତୀ: ଏକ ଭବିଷ୍ୟଦ୍ଧର୍ମୀ ପରମ୍ପରା ।’’

 

ଏ ଅନୁଷ୍ଠାନର ଆବାହକ “ଆମ ଓଡ଼ିଶା” । ଓଡ଼ିଶା ଶବ୍ଦଟି ଉପରେ ମନଧ୍ୟାନ ଏକାଗ୍ର କରିବାମାତ୍ରେ ଶବ୍ଦଟିର ବିଭୁତି ମହାକାଳର କାହିଁ କେଉଁ ସୁଦୂର ଦିଗ୍‍ବଳୟକୁ ନେଇଯାଏ । ରାମାୟଣ ଯୁଗର ଋଷି ଦୀର୍ଘତମା । ତାଙ୍କର ପାଞ୍ଚ ପୁତ୍ର: ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଏବଂ ସମହ । ପ୍ରତ୍ୟେକେ ଏକ ଏକ ବିଶାଳ ପରିସର ଉପରେ ପ୍ରଭୁତ୍ୱ ବିସ୍ତାର କରିଥିଲେ । କଳିଙ୍ଗ ଏଡ଼େ ବିଶାଳ ଥିଲା ଯେ ତାକୁ ସମ୍ଭବତଃ ତିନି ଭାଗରେ ବିଭକ୍ତ କରି ଶାସନ କରାଯାଉଥିଲା: ଉତ୍ତର କଳିଙ୍ଗ, ମଧ୍ୟ କଳିଙ୍ଗ ଓ ଦକ୍ଷିଣ କଳିଙ୍ଗ । ସମନ୍ଵିତ ତିନିଭୁଖଣ୍ଡକୁ କୁହାଯାଉଥିଲା ତ୍ରିକଳିଙ୍ଗ ।

 

ଉତ୍କଳ ନାମଟି କିନ୍ତୁ ଆହୁରି ପ୍ରାଚୀନ । ବୈବସ୍ଵତଙ୍କ ପୁତ୍ରବର୍ଗ ପୁରୁରବ ବିନତାସ୍ଵ ଇତ୍ୟାଦିଙ୍କ ମଧ୍ୟରେ ଅନ୍ୟତମ ଉତ୍କଳ । ଏମାନେ ବୈଦିକ ଚରିତ୍ର । ସେ ଯାହାହେଉ, କାଳକ୍ରମେ ଆଜିର ଏ ଓଡ଼ିଶାକୁ କେନ୍ଦ୍ରକରି ଏକଦା ଗଠିତ, ଖଣ୍ଡିତ, ପୁନର୍ଗଠିତ, କଦବା ପ୍ରସାରିତ କଦବା ସଙ୍କୁଚିତ ଭୂଖଣ୍ଡ ନାନା ନାମରେ ପରିଚିତ ହୋଇଛି ଉତ୍କଳ, କଳିଙ୍ଗ, ଉଡ୍ର, କୋଶଳ ଇତ୍ୟାଦି ଇତ୍ୟାଦି ।

 

କେତେ ଅତୀତକୁ ବ୍ୟାପ୍ତ ଏହାର ସଂସ୍କୃତି ? ଆମେ ସାରଳା ଦାସଙ୍କ ମହାଭାରତକୁ ଆମ ସାହିତ୍ୟ ପରମ୍ପରାର ପ୍ରାଥମିକ ଯୁଗର ବଳିଷ୍ଠ ଐଶ୍ଵର୍ଯ୍ୟ ରୂପେ ଦେଖୁ । ମୁଁ ଜାଣେନା, ବତ୍ସାଦାସଙ୍କ ‘କଳସା ଚଉତିଶା’ ବା ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’ ସାରଳାଙ୍କ ପୂର୍ବବର୍ତ୍ତୀ ରଚନା କି ନୁହେଁ । କିନ୍ତୁ ଏ ପର୍ଯ୍ୟାୟର ସାହିତ୍ୟରେ ଭାଷାର ଯେଉଁ ଲଳିତ ତଥା ଅର୍ଥପୂର୍ଣ୍ଣ ଏବଂ ଅପ୍ରତ୍ୟାଶିତ ଭାବଗର୍ଭକ ପ୍ରୟୋଗ ହୋଇଛି ସେ ସବୁ ଆକସ୍ମିକ ହୋଇ ନ ଥାଇପାରେ । ଏସବୁର ପୂର୍ବରୁ ବହୁ କବିତା ରଚିତ ହୋଇଥିବ । ସେସବୁ ଲିଖିତ ହୋଇଥାଇ ନ ପାରେ ; ହୋଇଥିଲେ ମଧ୍ୟ ବିଲୁପ୍ତ । କିନ୍ତୁ ସାରଳା ମହାଭାରତ ଭଳି ଏକ ପ୍ରସ୍ଫୁଟିତ, ପରିପକ୍ଵ ସାହିତ୍ୟ ବୃନ୍ତହୀନ ହୋଇନ ପାରେ ।

 

ତେବେ ଓଡ଼ିଶାର କୁଳୀନ ଭାଷା ଥିଲା ସଂସ୍କୃତ । ମୁଁ ଯଦି କହିବି ପ୍ରାଚୀନ କଳିଙ୍ଗର ଜଣେ ଅସାମାନ୍ୟ ପ୍ରତିଭା ସମଗ୍ର ସଭ୍ୟ ପୃଥିବୀର ସାହିତ୍ୟକୁ ପ୍ରଭାବିତ କରିଛନ୍ତି, ଆପଣମାନେ ହୁଏତ ଭାବିବେ ମୁଁ ଭାବପ୍ରବଣ ହୋଇ ଏପରି କହୁଛି । ତାହା ନୁହେଁ । ମୁଁ ମହାପଣ୍ଡିତ ବିଷ୍ଣୁଶର୍ମାଙ୍କ କଥା କହୁଛି, ସୁପ୍ରାଚୀନ ହୀବ୍ରୁ ସାହିତ୍ୟ ‘ଓଲଡ଼ ଟେଷ୍ଟାମେଣ୍ଟ୍ ‘ କଥା କୁହନ୍ତୁ । ଇସପଙ୍କ କାହାଣୀମାଳା କଥା କୁହନ୍ତୁ, ସଭ୍ୟ ଭୂଖଣ୍ଡ ସମୂହର ସବୁ କଥା – ସାହିତ୍ୟହିଁ ତାଙ୍କ ପାଖରେ ଋଣୀ-। ସେ କଳିଙ୍ଗର ଅଧିବାସୀ ଥିଲେ ବୋଲି ମୋର ବିଶ୍ଵାସ । ସେ ବିଶ୍ଵାସ ପ୍ରତିପାଦିତ କଲାଭଳି ଯେତିକି ସାମାନ୍ୟ ଯୁକ୍ତି ମୋ ଠାରେ ରହିଛି, ତାହା ଉପସ୍ଥାପନ କରିବାର ଅବସର ଏହା ନୁହେଁ । ମୋର ଅନୁରୋଧ, ଏହା ଉପରେ ଗବେଷଣା ହେଉ ।

 

ହଁ- ତାତ୍ପର୍ଯ୍ୟପୂର୍ଣ୍ଣ ଶବ୍ଦ-ସଂଯୋଗ “ଆମ ଓଡ଼ିଶା” । ଓଡ଼ିଶା ସମ୍ପର୍କରେ ଭୂମିକା ପରେ ମୁଁ ଇତିହାସକୁ ଚାଲିଯାଉଛି ଅନ୍ୟ ଏକ ସ୍ତରକୁ । କିଏ ଏହି ‘ଆମେ’ - ଯେଉଁମାନେ ଓଡ଼ିଶାକୁ ଆମର ବୋଲି କହୁଛୁ ? ସେ, ଆପଣ, ମୁଁ- ସମଷ୍ଟିଗତ ଭାବେ ଆମେ । କିନ୍ତୁ ମୁଁ କ’ଣ ଏକ ନିର୍ଦ୍ଧିଷ୍ଟ ସ୍ଥାନ ଓ କାଳରେ ସୀମିତ ? ମୁଁ ପୁନର୍ଜନ୍ମରେ ବିଶ୍ଵାସ କରେ । ଆମେ ଯେଉଁ ପରମାତ୍ମାରୁ ଏହି ଅଜ୍ଞାନ ତିମିର, ଏହି ପ୍ରକୃତିର ଲୀଳା କ୍ଷେତ୍ରକୁ ଅବତରିତ, ଜନ୍ମ ପରେ ଜନ୍ମ ନାନାବିଧ ଅଭିଜ୍ଞତାର ନିର୍ଯ୍ୟାସ ସଞ୍ଚୟ କରି, କ୍ରମାଗତ ଭାବରେ ଚେତନାର ପ୍ରଗତି ଦେଇ ସେହି ପରମାତ୍ମାଙ୍କୁ ପୁନର୍ବାର ଉପଲବ୍ଧି କରିବ ଆମର ଆତ୍ମା । ‘ମନୋଜ ଦାସ’ ନାମଧେୟ ଏ ସତ୍ତାଟିର ଦିନେ ଅବସାନ ହେବ । କଳେବରର ବିଲୟ ପରେ ଶିକ୍ଷା, ଦୀକ୍ଷା, ମାନ, ଅଭିମାନ, ସମ୍ଵଳିତ ପ୍ରାଣ ଏବଂ ମନ ମଧ୍ୟ ନିଶ୍ଚିହ୍ନ ହୋଇଯିବ । ରହିବ କେବଳ ଆତ୍ମା । ସେ ଭିନ୍ନ ଏକ ପରିଶେଷରେ, ଭିନ୍ନ ଏକ ପରିଚୟ ସମ୍ଵଳିତ ହୋଇ ଜନ୍ମ ଗ୍ରହଣ କରିବ । ଆତ୍ମାର ଜାତୀୟତା ନାହିଁ, ଭାଷା ନାହିଁ ।

 

ଯେଉଁ ପରିବେଶ ଏବଂ ସଂସ୍କୃତିରେ ମୁଁ ଏକ ନିର୍ଦ୍ଧିଷ୍ଟ ଜୀବନ-କାଳ ଅତିବାହିତ କରୁଛି, ସେହି ସଂସ୍କୃତିର ସର୍ବୋତ୍କୃଷ୍ଟ ନିର୍ଯ୍ୟାସ ଯଦି ମୁଁ ଆତ୍ମସ୍ଥ କରିନେଇ ପାରିବି, ତେବେ ସେ ଜନ୍ମଟି ସାର୍ଥକ ହେବ । ଚେତନାର ଏହି କ୍ରମାଗତ ଅଭିବୃଦ୍ଧିର ଗୋଟାଏ ସ୍ତରରେ ଉପନୀତ ହେଲେ ମୁଁ ମୋ ନିଜର ଏକ ନୂତନ ପରିଚୟ ପାଏ । ମୁଁ ମୋ ସ୍ଵଧର୍ମ ସମ୍ପର୍କରେ ଜାଗିଉଠେ । ଜନ୍ମ ଜନ୍ମ ଧରି ଅବ୍ୟାହତ ଥିବା ଜଣଙ୍କର ବ୍ୟକ୍ତିଗତ କ୍ରମ- ବିକାଶରେ ଏହି ଜାଗରଣ ଏକ ନୂତନ ପର୍ଯ୍ୟାୟ ଆନୟନ କରେ । ନିଜର ଚେତନାରେ ନିଜ ଆତ୍ମପରିଚୟ ଫୁଟିଉଠେ- ଅନ୍ତତଃ ସେ ଦିଗରେ ଭୂମିକା ପ୍ରସ୍ତୁତ ହୋଇଯାଏ ।

 

ସ୍ଵଧର୍ମ ସମ୍ପର୍କରେ ସାରଳା ମହାଭାରତରେ ରହିଛି ଏକ ତାତ୍ପର୍ଯ୍ୟପୂର୍ଣ୍ଣ କାହାଣୀ । ଜଣେ ଗ୍ରାମବାସୀ ବଣରୁ ଜାଳେଣୀକାଠ ସଂଗ୍ରହ କରି ଗ୍ରାମବାସୀମାନଙ୍କୁ ଯୋଗାଏ । ସେମାନେ ଯାହା ଦିଅନ୍ତି, ସେଥିରେ କଷ୍ଟେମଷ୍ଟେ ତା’ ପରିବାର ଚଳୁଥାଏ ।

 

ଥରେ କ୍ରମାଗତ ବର୍ଷା ହେଲା ଏକପକ୍ଷ କାଳ । ପ୍ରତିବେଶୀମାନଙ୍କୁ ସେ ଶୁଖିଲା କାଠ ଯୋଗାଇ ପାରିଲା ନାହିଁ । ଫଳରେ ନିଜ ଘରକୁ କିଛି ଆମଦାନୀ ହେଲାନାହିଁ । ପରିବାର ଭୋକ-ଉପାସରେ ରହିବା ଭଳି ଅବସ୍ଥା ହେଲା । ଚିନ୍ତିତ ଲୋକଟିର ମୁଣ୍ଡକୁ ଆସିଗଲା ଗୋଟାଏ ବୁଦ୍ଧି । ଗାଁ ପ୍ରାନ୍ତରେ ମନ୍ଦିର । ତହିଁ ପୂଜିତ ବିଶାଳ ବିଗ୍ରହଙ୍କ ଉପାଦାନ କାଠ ।

 

ନିଶାର୍ଦ୍ଧ । ନିଛାଟିଆ ମନ୍ଦିରରେ ସେ କୁଠାର ହସ୍ତେ କଲା ପ୍ରବେଶ । ବିଗ୍ରହକୁ ଆଠଦଶ ଫାଳ କଲେ ବହନ କରି ନେଇଯିବା ହେବ ସୁବିଧାଜନକ । ସେ କୁଠାର ଉଦ୍ୟତ କଲା ।

ହଠାତ୍ ସେ ଶୁଣିଲା ଏକ ବଳିଷ୍ଠ କଣ୍ଠ- ନିଃସୃତ ବାଣୀ : “ଥୟ ଧର ବାବୁ, ଥୟ ଧର ।“

 

ସେ ରହିଗଲା ।

 

ସେ ଶୁଣିଲା ପୁନର୍ବାର: “ତୋର ଲୋଡ଼ା ବିତ୍ତ । ବେଶ୍ । ସକାଳେ ନଦୀରେ ବୁଡ଼ ପକାଇ ଉଠିବା ବେଳକୁ ତୋ ହାତମୁଠାରେ ଖଣ୍ଡେ ସୁନା ଥିବ । ଯା’ ଏଥର ।’’

 

ବିଗ୍ରହକୁ ଅକ୍ଷତ ରଖି ସେ ଘରକୁ ଫେରିଲା ।

 

ସେ ଅଲୌକିକ ବାଣୀ ସତ୍ୟ ପ୍ରତିପାଦିତ ହେଲା । ନଈରେ ଡୁବ ଦେଇ ପ୍ରତ୍ୟହ ପ୍ରଭାତରେ କାଠ ବିକାଳି ଲାଭ କରେ ଖଣ୍ଡିଏ ସୁନା । ମାସ କେତୋଟିରେ ସେ ବନିଗଲା ସେ ମୂଲକର ସବୁଠୁଁ ଧନୀ ଲୋକ ।

 

ପ୍ରତିବେଶୀଟି ତା’ର ଗରିବ ପୂଜକଟିଏ । ବଡ଼ ଦୁଃଖରେ ହୁଏ ତା’ ପରିବାରର ଦିନାତିପାତ । ପୂଜକ-ପତ୍ନୀଜଣଙ୍କ କିନ୍ତୁ ବୁଦ୍ଧିମତୀ । ଧନୀ ପ୍ରତିବେଶୀର ପତ୍ନୀସହ ସୌଖ୍ୟ କରି ସେ ସେମାନଙ୍କ ସୌଭାଗ୍ୟର ରହସ୍ୟଟି ଜାଣିନେଲା । ବୁଝାଇଲା ସ୍ଵାମୀକୁ : ଯାଅ କୁଠାର ଧରି ମନ୍ଦିରକୁ ଧମକ ଦିଅ ଠାକୁରଙ୍କୁ ।

 

ବହୁ ପ୍ରକାରେ ଆପତ୍ତି କଲେ ପୂଜକ । କିନ୍ତୁ ଜିଦ୍‍ରେ ଅବିଚଳ ପତ୍ନୀ । ଅତଏବ କୁଠାର ଧରି ମଧ୍ୟରାତ୍ରିରେ ପ୍ରବିଷ୍ଟ ହେଲେ ପୂଜକ । ଗମ୍ ଗମ୍ ଝାଳ ବହିଯାଉଛି । ମୃଦୁ ପ୍ରଦୀପ ଆଲୋକରେ ବିଗ୍ରହ ଦେଖାଯାଉଛନ୍ତି ଜୀବନ୍ତ – ଯେମିତି ଅପଲକ ନେତ୍ରରେ ତାକୁ ଲକ୍ଷ୍ୟ କରୁଛନ୍ତି-! କୁଠାର ଉଦ୍ୟତ କରିବାକୁ ଯାଇ ପୂଜକ ଚେତା ହରାଇ ତଳେ ପଡ଼ିଗଲେ ।

 

ଶୁଣିଲେ ସେ ଦିବ୍ୟବାଣୀ: ମୂଢ଼ ! ତୁ ଏ କାମଟି କରିପାରିବୁ ବୋଲି ଭାବିଲୁ କେମିତି ? ତୋ’ ଚେତନା କ’ଣ ତୋତେ ତାହା କରାଇ ଦିଅନ୍ତା ? ତୋ ପ୍ରତିବେଶୀ ଏଡ଼େ ଅଜ୍ଞାନ ଯେ ଦୈବବାଣୀ ମଧ୍ୟ ତା’ ଭିତରେ କିଛି ଭାବାନ୍ତର ଆଣିଲା ନାହିଁ । ଅଜ୍ଞାନ ଜ୍ଞାନୀକୁ ଅନୁସରଣ କରିବ ନା ଜ୍ଞାନୀ ଅଜ୍ଞାନକୁ ଅନୁସରଣ କରିବ ? ଯା, ଦୁଃଖକଷ୍ଟରେ ଜୀବନଯାପନ ମାଧ୍ୟମରେ ହିଁ ତୋର ଚେତନାର ପ୍ରଗତି ହେବ ।

 

ଚେତା ଫେରିଯାଇ ପୂଜକ ଭୀତ କିନ୍ତୁ କୃତଜ୍ଞ ଚିତ୍ତରେ କଲେ ଗୃହ ପ୍ରତ୍ୟାବର୍ତ୍ତନ ।

 

କାହିଣୀଟି ଅବଶ୍ୟ ମୁଁ ଏଠାରେ ମୋ ନିଜ ରୀତିରେ ପରିବେଷଣ କଲି । କିନ୍ତୁ ତା’ର ଅନ୍ତର୍ନିହିତ ତାତ୍ପର୍ଯ୍ୟ ଅପରିବର୍ତ୍ତିତ ।

 

ଓଡ଼ିଶାର ସାମୂହିକ ଚିତ୍ତ ଉପରେ ଯେଉଁ ସଂସ୍କୃତିର ପ୍ରଭାବ ସର୍ବାଧିକ, ତାହା ଶ୍ରୀଜଗନ୍ନାଥ ସଂସ୍କୃତି । ସାଧାରଣ, ସାର୍ବଜନୀନ ମାନସରେ ଶ୍ରୀଜଗନ୍ନାଥ ଭଗବାନ ଏବଂ ଓଡ଼ିଶା ତଥା ଓଡ଼ିଶା ବାହାରର ଅଗଣିତ ନରନାରୀ ତାଙ୍କର ଭକ୍ତ । ରଥଯାତ୍ରା ଏବଂ ଦିଅଁଙ୍କୁ କେନ୍ଦ୍ର କରି ପାଳିତ ହେଉଥିବା ପର୍ବପର୍ବାଣୀରେ ଭାଗ ନେବାରେ ସେ ଭଗବାନ-ଭକ୍ତ ସମ୍ପର୍କ ସୀମାବଦ୍ଧ । ସେଥିରେ ଭକ୍ତି ଅଛି , ଆବେଗ ଅଛି, ଉତ୍ସାହ ଉଦ୍ଧୀପନା ଅଛି, କିନ୍ତୁ ସଂସ୍କୃତି ମାନସିକତା ନାହିଁ । ଶ୍ରୀଜଗନ୍ନାଥ-କୈନ୍ଦ୍ରିକ କିମ୍ୱଦନ୍ତୀ ଏବଂ ଇତିହାସରୁ ଆମ ଆନ୍ତର୍ସତ୍ତା କି ଶିକ୍ଷା ଲାଭ କରିପାରେ, ଆମେ ତହିଁଦ୍ଵାରା କେତେ ଅନୁପ୍ରାଣିତ, ଆଲୋକିତ ଅନୁଭବ କରିପାରିବା ସେତିକି ନିରୂପଣ କରିପାରିବନାହିଁ ହେବ ଆମ ସଂସ୍କୃତି-ସଚେତନାର ପ୍ରମାଣ ।

 

ପ୍ରଥମେ ଦେଖାଯାଉ ଶ୍ରୀଜଗନ୍ନାଥଙ୍କ ସ୍ଵାତନ୍ତ୍ର୍ୟ ବା ବୈଶିଷ୍ଟ୍ୟ । ଭରତବର୍ଷର ଚାରି ମୁଖ୍ୟ ଧାମ ହେଲେ ବଦ୍ରିନାଥ, ଦ୍ଵାରକା, ରାମେଶ୍ଵରମ୍ ଏବଂ ପୁରୀ । ପ୍ରଥମୋକ୍ତ ତିନି ଧାମର ଅଧିଷ୍ଠାତାଙ୍କ ପରିଚୟକୁ ନେଇ କୌଣସି ଦ୍ଵନ୍ଦ୍ଵ ବା ଯୁକ୍ତିତର୍କର ଅବସର ନାହିଁ । ବଦ୍ରିନାଥର ଦିଅଁ ବଦ୍ରିବିଷ୍ଣୁ, ଦ୍ଵାରକାର ଶ୍ରୀକୃଷ୍ଣ, ରାମେଶ୍ଵରମ୍‍ର ଶ୍ରୀରାମଚନ୍ଦ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ଶିବ । କିନ୍ତୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣଙ୍କର ସେ ଏକ ରୂପ ଆମେ ଗ୍ରହଣ କରୁଛୁ । କିନ୍ତୁ ଶ୍ରୀକୃଷ୍ଣଙ୍କର ସୁପରିଚିତ ବହୁ ରୂପ ଭିତରୁ ଏମନ୍ତ ରୂପର ଦ୍ଵିତୀୟ ଦୃଷ୍ଟାନ୍ତ ନାହିଁ । ଇତିହାସରେ କେବଳ ମାତ୍ର ପୁରୀଧାମରେ ଏ ରୂପ ପ୍ରକଟିତ । ପୁରୀର ଦୃଷ୍ଟାନ୍ତ ଅନୁସରଣ କରି ପରବର୍ତ୍ତୀ କାଳରେ ଭକ୍ତମାନେ ଏମନ୍ତ ମୂର୍ତ୍ତି ଅନ୍ୟାନ୍ୟ ସ୍ଥାନରେ ପ୍ରତିଷ୍ଠିତ କରିବା ଭିନ୍ନ କଥା ।

 

ଏହି ପୁରଧାରୀ ଶ୍ରୀଜଗନ୍ନାଥଙ୍କ ଉପରେ ନିଜ ନିଜର ଦାବି ସାବ୍ୟସ୍ତ କରିବାର ପ୍ରୟାସ କରିଛନ୍ତି ବିଭିନ୍ନ ମତର ଅନୁଧାବକମାନେ । ସେମାନଙ୍କ ଅନ୍ତର୍ଭୁକ୍ତ ଜୈନ, ବୌଦ୍ଧ, ଶୂନ୍ୟବାଦୀ ଏବଂ ତାନ୍ତ୍ରିକ । ଶ୍ରୀଜଗନ୍ନାଥଙ୍କ ଇତିହାସ- ଶତାବ୍ଦୀ ଶତାବ୍ଦୀର ଆକର୍ଷଣର ଇତିହାସ । ବିକର୍ଷଣର ଦୃଷ୍ଟାନ୍ତ ଦୁଇ | ଗୋଟିଏ ସର୍ବଜନବିଦିତ କଳାପାହାଡ଼ ଭାବରେ କୁଖ୍ୟାତ ଆକ୍ରମଣକାରୀର ଉତ୍ପାତ-। ଦ୍ଵିତୀୟଟି ଆକର୍ଷଣର ହିଁ ଏକ ବିକୃତ ପରିପ୍ରକାଶ । ସତ୍ୟ ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ କିଞ୍ଚିତ୍ ପ୍ରଭାବ ହେଲା ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ । ୧୮୨୬ରେ ପୁରୀଠାରୁ ହିଁ ସେ ତାଙ୍କ ଅଭିନବ ଧର୍ମର ପ୍ରଚାର ଆରମ୍ଭ କଲେ । ଓଡ଼ିଶାର ବହୁ ଅଞ୍ଚଳ ଭ୍ରମଣ କରିବା ସଙ୍ଗେ ସଙ୍ଗେ ବଙ୍ଗ, ଆସାମ, ବିହାର, ଆନ୍ଧ୍ର ଏବଂ ମଧ୍ୟପ୍ରଦେଶ ଯାଏ ସେ ତାଙ୍କ ମତପ୍ରଚାର କରିବା ଅନ୍ତେ ୧୮୭୬ରେ ଦେହତ୍ୟାଗ କଲେ । ୧୮୮୧ ମସିହା ମାର୍ଚ୍ଚ ପହିଲା ଦିନ ପୁରୀ ମନ୍ଦିର ପ୍ରାଙ୍ଗଣରେ ଘଟିଗଲା ଗୋଟିଏ ବିଚିତ୍ର କାଣ୍ଡ । ଦାସରାମ ନାମକ ଜଣେ ମହିମା ନେତା ବାରଜଣ ପୁରୁଷ ଏବଂ ଚାରିଜଣ ନାରୀ ଅଲେଖ ମତବାଦୀଙ୍କୁ ଧରି ମନ୍ଦିର ଭିତରକୁ ପ୍ରବେଶ କଲେ ଏମନ୍ତ ଉଦ୍ଦାମ ଉତ୍ସାହରେ ଯାହା ଆକ୍ରମଣ ବୋଲି ମନେହେଲା । ସେମାନଙ୍କ ମତରେ ଭଗବାନ୍ ଶୂନ୍ୟ ଅତଏବ ଏ ପ୍ରଭାବଶାଳୀ ଦିଅଁତ୍ରୟ ଶୂନ୍ୟରେ ପରିଣତ ହେବା ଲୋଡ଼ା ।

 

ମନ୍ଦିରର ବିସ୍ମିତ ସେବକମାନେ ସେମାନଙ୍କୁ ବାଧା ଦେଲେ । ହେଲା ସଂଘର୍ଷ ଦାସରାମଙ୍କର ପ୍ରାଣ ଗଲା ।

 

ବ୍ୟାପାରଟିର ବ୍ୟାଖ୍ୟା ଅଦ୍ୟାବଧି ରହସ୍ୟମୟ । ମହିମାବାଦୀମାନେ ଅହିଂସା; ଭାରସାମ୍ୟହୀନ ଏକ ଉଦ୍ଦାମ ଆହ୍ଵାନରେ ସେମାନେ ଭଗବାନଙ୍କୁ ଶୂନ୍ୟ ରୂପରେ ପରିଣତ କରିବାକୁ ବ୍ୟାକୁଳ ଥିଲେ । ସମ୍ଭବତଃ ଏକ ଆକର୍ଷଣ ବିକର୍ଷଣର ରୂପ ନେଲା ।

 

ସେ ଯାହାହେଉ, ଆକର୍ଷଣର ଇତିହାସ ଭିନ୍ନ ଭିନ୍ନ ଦର୍ଶନ ବା ମତବାଦର ଦାବିରେ ସୀମାବଦ୍ଧ ନୁହେଁ । ଯାହା ତାହାଠାରୁ ଅଧିକ ଜାଜ୍ଜ୍ଵଲ୍ୟମାନ ଭାବରେ ପ୍ରତିଭାତ ହୁଏ, ତାହା ହେଲା ପ୍ରତି ବ୍ୟକ୍ତିଗତ ଭକ୍ତର ବିଶ୍ଵାସ ଅନୁସାରେ ଶ୍ରୀଜଗନ୍ନାଥଙ୍କ ଭିତରେ ତା’ ନିଜ ଆରାଧ୍ୟର ଉପଲବ୍ଧି-। ଅସଂଖ୍ୟ ଦୃଷ୍ଟାନ୍ତ ଭିତରୁ କେତୋଟି ଉପରେ ଦୃଷ୍ଟିପାତ କରାଯାଉ । ଜ୍ଞାନତପସ୍ଵୀ ଶଙ୍କରାଚାର୍ଯ୍ୟ ତାଙ୍କ ରୂପରେ ଦେଖିଲେ କଦାଚିତ୍ କାଳନ୍ଦୀ ତଟ ବିପିନରେ ଲୀଳାରତ, ଭୁଜରେ ବେଣୁ, ଶିରରେ ଶିଖୀପୁଚ୍ଛ ସୁଶୋଭିତ କୃଷ୍ଣ ସେତିକି ନୁହେଁ, ଚକାଡୋଳାରେ ସେ ପୁଣି ଦେଖିଲେ କଟାକ୍ଷର ତଡ଼ିତ୍-!

 

ଅଭୁଲା ପୁଣି ସନ୍ଥ ତୁଳସୀ ଦାସଙ୍କ ଅଭିଜ୍ଞତା ।

 

ବାରାଣାସୀରୁ ସନ୍ଥ ଆସିଥିଲେ – ଜଗନ୍ନାଥ ଯେହେତୁ କୃଷ୍ଣଙ୍କର ଏକ ରୂପ, ତେଣୁ ସେ ଜଗନ୍ନାଥଙ୍କ ଭିତରେ ଶ୍ରୀରାମଙ୍କୁ ଅନୁଭବ କରିପାରିବେ । ଉଭୟ ରାମ ଏବଂ କୃଷ୍ଣ ତ ବିଷ୍ଣୁଙ୍କର ଅବତାର ! କିନ୍ତୁ ତ୍ରିମୂର୍ତ୍ତି ଉପରେ ଦୃଷ୍ଟିପାତ କରି ସେ ରାମଙ୍କ ଉପସ୍ଥିତିର ସ୍ପନ୍ଦନ ଥିଲେ ମଧ୍ୟ ଅନୁଭବ କରି ପାରିଲେ ନାହିଁ । ହତାଶ ହେଲେ ।

 

ଷୋଢ଼ଶ ଶତାବ୍ଦୀର ଏକ ସାଧାରଣ ଦିନ । ଶ୍ରୀମନ୍ଦିରରେ ଭିଡ଼ ନାହିଁ । ସନ୍ଧ୍ୟା ନଇଁ ଆସୁଛି, ସନ୍ଥ ମହାଶୟ ବାଇଶ ପାହାଚ ଦେଇ ଅବତରଣ କରୁଛନ୍ତି, ଅଚାନକେ ମାଙ୍କଡ଼ଟିଏ ଡେଇଁ ଡେଇଁ ଆସି ତାଙ୍କ ଉତ୍ତରୀୟ ଖଣ୍ଡିକ ଅପହରଣ କରିନେଇ ଚାଲିଗଲା । ବାରାଣାସୀର ନାଗରିକ ରୁପେ ମାଙ୍କଡ଼ର ଏ ଆଚରଣରେ ସନ୍ଥ ଅବଶ୍ୟ ବିସ୍ମିତ ହୋଇ ନ ଥିବେ- ଅସ୍ଵସ୍ତି ଅନଭବ କରିବା ସତ୍ତ୍ଵେ ।

 

କିନ୍ତୁ ସେ ବିସ୍ମିତ ହେଲେ ପରମୁହୂର୍ତ୍ତରେ । ବାଇଶ ପାହାଚର ଅନ୍ୟ ଦିଗରେ ଦେଖାଦେଲେ ଜଣେ ଜ୍ୟୋତିର୍ମୟ ପୁରୁଷ । ସେ ଦୃଷ୍ଟିର ଅନ୍ତରାଳକୁ ଚାଲିଯାଇଥିବା ବାନର ବାପୁଡ଼ାକୁ ଦେଲେ କୌଣସି ନିର୍ଦ୍ଦେଶ । ତତକ୍ଷଣାତ୍ ବାନରଟି ସନ୍ଥଙ୍କ ନିକଟକୁ ଆସି ଉତ୍ତରୀୟଟି ତାଙ୍କୁ ସବିନୟ ପ୍ରତ୍ୟାର୍ପଣ କରି ଅଦୃଶ୍ୟ ହୋଇଗଲେ ।

 

ରାତ୍ରିରେ ସ୍ଵପ୍ନରେ ସନ୍ଥଙ୍କୁ ଦେଖାଦେଲେ, ତାଙ୍କ ଇଷ୍ଟଦେବତା ଶ୍ରୀରାମ । ସେ କହିଲେ “ସ୍ଥୂଳରୂପର ଆବରଣ ଭେଦ କରି ବିଗ୍ରହ ଅଭ୍ୟନ୍ତରରେ ଅଭିନିବିଷ୍ଟ ହୋଇପାରିବା ଭଳି ଧୈର୍ଯ୍ୟ ହରାଇଲୁ ବତ୍ସ ?” ଯଥାର୍ଥ ପ୍ରସ୍ତୁତି ସହ ପରଦିନ ସନ୍ଥ ପ୍ରବେଶ କଲେ ଶ୍ରୀମନ୍ଦିରରେ । ଏକଗ୍ର ହେଲେ ତ୍ରିମୂର୍ତ୍ତି ଉପରେ । ଶ୍ରୀରାମ, ଲକ୍ଷ୍ମଣ ଏବଂ ମାତା ସୀତାଙ୍କ ଦିବ୍ୟରୂପ ତାଙ୍କୁ କଲା ଅଭିଭୂତ-। ସେ କୃତାର୍ଥ ହେଲେ ।

 

ଦକ୍ଷିଣ ଭାରତର ଜଣେ ଗଣେଶ ଭକ୍ତ, ନାମଟି ତାଙ୍କର ଗଣପତି ମିଶ୍ର, ଶ୍ରୀଜଗନ୍ନାଥଙ୍କ ରୂପରେ ସେ ଦେଖିଲେ ବକ୍ରତୁଣ୍ଡ ଦେବ କିଶୋର ।

 

ଅର୍ଥାତ୍ ଶ୍ରୀଜଗନ୍ନାଥଙ୍କର ରୂପ ଗତାନୁଗତିକ ଶ୍ରୀକୃଷ୍ଣ ବିଗ୍ରହମାନଙ୍କ ଭଳି ହୋଇଥିଲେ ଭିନ୍ନ ଭିନ୍ନ ଭକ୍ତଙ୍କ ବିଶ୍ଵାସ, ଆଶା ଓ ଶକ୍ତି ଅନୁସାରେ ସେ ଭିନ୍ନ ଭିନ୍ନ ପ୍ରକାରେ ପ୍ରତିଭାତ ହୁଅନ୍ତେ ନାହିଁ ହୁଏତ ।

 

ଶ୍ରୀଜଗନ୍ନାଥଙ୍କ ପ୍ରାଚୀନତା ସମ୍ପର୍କରେ ଶାସ୍ତ୍ରରେ ବହୁ ତଥ୍ୟ ରହିଛି ବୋଲି ପଣ୍ଡିତମାନେ କହନ୍ତି । ଏପରିକି ଋଗବେଦର ଦଶମ ମଣ୍ଡଳର ଏକ ସୂକ୍ତକୁ ପ୍ରଖ୍ୟାତ ବୈଦିକ ବ୍ୟାକରଣବିତ୍ ସାୟଣାଚାର୍ଯ୍ୟ ବ୍ୟାଖ୍ୟା କରିଛନ୍ତି ଏହି ପ୍ରକାର: “ସମୁଦ୍ର କୂଳରେ ଦାରୁନିର୍ମିତ ପୁରୁଷୋତ୍ତମ ବିଗ୍ରହ ବିଦ୍ୟମାନ” । ସେ ମୂଳ ସୂକ୍ତଟିରେ- ତାହା ଦଶମ ମଣ୍ଡଳର ୧୫୫ ସୂକ୍ତ- ‘ଅପୁରୁଷମ୍’ ଶବ୍ଦ ଦେଖୁଛି- ପୁରୁଷୋତ୍ତମ ପୁରାଣ ଇତ୍ୟାଦି- ସେ ସବୁର ଲେଖକବର୍ଗଙ୍କ ବ୍ୟକ୍ତିଗତ ଅବିଜ୍ଞତା, ବିଶ୍ଵାସ ସହିତ କିମ୍ଵଦନ୍ତୀ ସମୂହଁର ସମାବେଶ । ଏପରିକି ଅଷ୍ଟାଦଶ ମହାପୁରାଣର ବର୍ତ୍ତମାନ ମିଳୁଥିବା ସଂସ୍କରଣ ସବୁ ମୌଳିକ ନୁହେଁ ବୋଲି ବିଶ୍ଵାସ କରିବା ସପକ୍ଷରେ ବହୁ ପ୍ରମାଣ ରହିଛି ।

 

ଅତଏବ କେହି କେହି ପୁରାଣରେ ଯେଉଁ ସମସ୍ତ ବିବରଣୀ ରହିଛି, ଏସବୁ ଜନଶ୍ରୁତି ଏବଂ କିମ୍ୱଦନ୍ତୀ ତୁଳନାରେ ଅଧିକ ମୂଲ୍ୟବାନ ବୋଲି ଭାବିବାର କାରଣ ନାହିଁ । ଶ୍ରୀଜଗନ୍ନାଥଙ୍କ ଆଦି ପର୍ଯ୍ୟାୟ. ସମ୍ପର୍କିତ କିମ୍ୱଦନ୍ତୀ ଉପରେ ମୁଁ ଗୁରୁତ୍ଵ ଦେଉଛି । ସେ କିମ୍ଵଦନ୍ତୀର ମଧ୍ୟ ଅନେକ ପୃଥକ୍ ରୂପ ରହିଛି । ତେବେ ସେ ସବୁର ଭିତ୍ତି ରୂପଟିହିଁ ଗୁରୁତ୍ଵପୂର୍ଣ୍ଣ । ଏଠାରେ ଗୋଟାଏ ବିଷୟ ଉପରେ ମୁଁ ବିଶେଷ ଗୁରୁତ୍ଵ ଦେଉଛି- କିମ୍ୱଦନ୍ତୀ ପଛରେ ତଥ୍ୟଗତ ସତ୍ୟ କେତେ ରହିଛି ତାହା ଖୁବ୍ ବଡ଼ କଥା ନୁହେଁ । କିମ୍ୱଦନ୍ତୀଟିଏ ଯଦି ପୁରୁଷ ପୁରୁଷ ଧରି ଆମକୁ ପ୍ରଭାବିତ କରିଥିବ, ଆମ ବିଶ୍ଵାସ, ଧ୍ୟାନ-ଧାରଣାରେ ରେଖାପାତ କରିଥିବ, ତେବେ ତାହା ତଥ୍ୟ ଭାବରେ ଘଟିଥିବା ଯେକୌଣସି ଘଟଣା ତୁଳନାରେ ବହୁତ ଅଧିକ ଗୁରୁତ୍ଵପୂର୍ଣ୍ଣ ।

 

ଶ୍ରୀଜଗନ୍ନାଥ ସମ୍ପର୍କୀୟ କିମ୍ୱଦନ୍ତୀମାଳାର କେନ୍ଦ୍ର ବ୍ୟାଖ୍ୟାନ ଗୋଟିକ ଏହିପରି :

 

ଉଜ୍ଜୟିନୀର ରାଜା ଇନ୍ଦ୍ରଦ୍ୟୁମ୍ନ କୌଣସି ଦୈବୀ ପ୍ରେରଣାରେ ପରିଚାଳିତ ହୋଇ ସସ୍ତ୍ରୀକ, ସବାନ୍ଧବ ଉପନୀତ ହେଲେ ପୁରୀରେ । ପ୍ରାକ୍-ଜଗନ୍ନାଥ ପୁରୀର ହୁଏତ କୌଣସି ପବିତ୍ର ଐତିହ୍ୟ ରହିଥିଲା । ସେହିଠାରେ ସେ ଶିବିର ସ୍ଥାପନ କରି ଚାରିଜଣ ସୁନିର୍ବାଚିତ ଅମାତ୍ୟଙ୍କୁ ସେ ଚାରିଦିଗକୁ ପ୍ରେରଣ କଲେ ଏକ ଅସାଧାରଣ ସନ୍ଧାନର ଦାୟିତ୍ଵ ଅର୍ପଣ କରି । ରାଜାଙ୍କର ଅନ୍ତର୍ବୋଧ କହୁଥିଲା, ଅଦୂରରେ କେଉଁଠି ହେଲେ ଗୁପ୍ତଭାବେ ରହିଛି ଏକ ପ୍ରଚଣ୍ଡ ଦିବ୍ୟଶକ୍ତିର ପ୍ରତୀକ । ସେ ଶକ୍ତି ବର୍ତ୍ତମାନ ସର୍ବ-ସାଧାରଣରେ ପ୍ରକଟିତ ହେବାର ସମୟ ଉପସ୍ଥିତ । ତା’ର ଆବିଷ୍କାର, ରୁପାୟନ ଏବଂ ଅଧିଷ୍ଠାନ କରି ନ ପାରିଲେ ରାଜାଙ୍କ ଜୀବନ ବୃଥା ।

 

ଇନ୍ଦ୍ରଦ୍ୟୁମ୍ନ ଉଜ୍ଜୟିନୀରୁ ଆସିଥିଲେ ନା ସେ ଉଡ୍ଡୀୟାନର ରାଜା- ଅର୍ଥାତ୍ ପୁରୀହିଁ ଥିଲା ତାଙ୍କ ରାଜଧାନୀ- ସେକଥା କହିହେବନାହିଁ । ଯଦି ସେ ଥିଲେ ମାଳବରୁ ଆଗନ୍ତୁକ, ତେବେ କଳିଙ୍ଗର ରାଜା ତାଙ୍କୁ ଆତିଥ୍ୟ ଦେବା ସ୍ଵାଭାବିକ ହୋଇଥା’ନ୍ତା । କିନ୍ତୁ କିମ୍ୱଦନ୍ତୀରେ କଳିଙ୍ଗ ରାଜାଙ୍କର କୌଣସି ଭୂମିକା ନାହିଁ । ସମ୍ଭବତଃ ସେଯୁଗରେ- ଅନ୍ତତଃ ଅଶୋକ କଳିଙ୍ଗ ଆକ୍ରମଣ କରିବା ପର୍ଯ୍ୟନ୍ତ ଏ ଭୂଖଣ୍ଡ ଏକ ପ୍ରକାର ଅର୍ଦ୍ଧ-ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଭିନ୍ନ ‘ମଣ୍ଡଳ’ ଯୋଗେ ଶାସିତ ହେଉଥିଲା । କଳିଙ୍ଗ – ସମର ଯେଉଁ ବିଭ୍ରାଟ ସୃଜିଥିବ, ବାତାବରଣରେ ଯେଉଁ ପ୍ରଚଣ୍ଡ ହା’ ହୁତାଶ ଖେଳାଇ ଦେଇଥିବ, ସେହି ପଟ୍ଟଭୂମିରେ ରାଜ୍ୟକୁ ପୁନଃବିନ୍ୟସ୍ତ ଏବଂ ସୁସଂଗଠିତ କରିବା ନିମନ୍ତେ ପ୍ରକୃତି ଖାରବେଳଙ୍କ ଭଳି ଜଣେ ବଳିଷ୍ଠ ବ୍ୟକ୍ତିତ୍ଵର ଅଭ୍ୟୁଦୟ ସମ୍ଭବ କଲା ।

 

ଇନ୍ଦ୍ରଦ୍ୟୁମ୍ନଙ୍କ ଅନ୍ୟତମ ସାଧକ-ଦୂତ ବିଦ୍ୟାପତି ଯାଇ ଅରଣ୍ୟ ବସତିର ମୁଖ୍ୟ ବିଶ୍ଵାବସୁଙ୍କ ଅତିଥି ହୋଇଛନ୍ତି, ସୁକନ୍ୟା ଲଳିତା ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି, ବିଶ୍ଵାବସୁ କୌଣସି ଅଜ୍ଞାତ ଗୁମ୍ଫାରେ ପ୍ରତ୍ୟହ କୌଣସି ଅଜ୍ଞାତ ଦିବ୍ୟବସ୍ତୁକୁ ପୂଜାର୍ପଣ କରିବା ସମ୍ପର୍କରେ ଅବହିତ ହୋଇଛନ୍ତି, କୌଶଳକ୍ରମେ ତା’ର ସନ୍ଧାନ ନେଇଛନ୍ତି; ନିଜର ସାଧନା-ସିଦ୍ଧ ଅନ୍ତର୍ବୋଧ ଦ୍ଵାରା ବୁଝିଛନ୍ତି ଯେ ସେ ଆସିଥିଲେ ସେହି ବସ୍ତୁଟିର ସନ୍ଧାନରେ ; ତାକୁ ଧରି ପଳାଇ ଆସିଛନ୍ତି ପୁରୀ; ଇନ୍ଦ୍ରଦ୍ୟୁମ୍ନଙ୍କର ମଧ୍ୟ ହୃଦୟଙ୍ଗମ ହୋଇଛି ଯେ ବିଦ୍ୟାପତି-ଆନୀତ ବସ୍ତୁହିଁ ଥିଲା ତାଙ୍କ ଅଭୀପ୍ସିତ ଦିବ୍ୟ ଐଶ୍ଵର୍ଯ୍ୟ ।

 

ଭାସମାନ ଦାରୁ କୂଳସ୍ଥ ନ ହୁଅନ୍ତେ ଇନ୍ଦ୍ରଦ୍ୟୁମ୍ନ ଅରଣ୍ୟକୁ ଯାଇ ବିଶ୍ଵାବସୁଙ୍କ ସହଯୋଗପ୍ରାର୍ଥନା କରିବା, ଲୁକ୍କାୟିତ ଦିବ୍ୟସତ୍ତା ସର୍ବସମାଜରେ ପ୍ରକଟିତ ହେବା ଅନିବାର୍ଯ୍ୟ ଥିଲା ବୋଲି ବିଶ୍ଵାବସୁଙ୍କୁ ବୁଝାଇବା, ପ୍ରାଜ୍ଞ ବିଶ୍ଵାବସୁ ରାଜାଙ୍କୁ ସହାୟତା ଦେବା, ଦାରୁକୁ ଦିଅଁରେ ରୁପାୟିତ କରିବା ନିମନ୍ତେ ଜଣେ ବୃଦ୍ଧ ଶିଳ୍ପୀଙ୍କ ଆଗମନ, ମୂର୍ତ୍ତି ନିର୍ମାଣ ଶେଷ ହେବା ପୂର୍ବରୁ ତାଙ୍କ କୋଠରୀ ଭିତରକୁ କେହି ପ୍ରବେଶ କରିବେ ନାହିଁ ବୋଲି ତାଙ୍କର ସର୍ତ୍ତ, ମହାରାଣୀ ଗୁଣ୍ଡିଚା ଧୈର୍ଯ୍ୟ ହରାଇ କୋଠରୀ ଦ୍ଵାର ଖୋଲିଦେବା ଫଳରେ ମୂର୍ତ୍ତି ଅସମ୍ପୂର୍ଣ୍ଣ ରଖି ସେ ରହସ୍ୟମୟ ଶିଳ୍ପୀ ବିଶ୍ଵକର୍ମାଙ୍କର ଅନ୍ତର୍ହିତି- କିମ୍ବଦନ୍ତୀର ଏ ସମସ୍ତ ଦିଗ ଆମକୁ ଜଣା । ଜନଶ୍ରୁତି ବାହାରେ ଏ ସମ୍ପର୍କରେ ଯେତେ ବିବରଣୀ ପ୍ରଣୀତ ହୋଇଛି, ଶିଶୁ କୃଷ୍ଣଙ୍କର ‘ଦେଉଳ ତୋଳା’ ତହିଁ ଭିତରେ ସମ୍ଭବତଃ ସବୁଠାରୁ ଜନପ୍ରିୟ । ବର୍ତ୍ତମାନ ପ୍ରଶ୍ନ ହେଲା, କ’ଣ ଏ କିମ୍ବଦନ୍ତୀର ତାତ୍ପର୍ଯ୍ୟ ? ଏହା ଭିତରେ ପ୍ରଚ୍ଛନ୍ନ ରହିଛି କେଉଁ ପ୍ରଣିଧାନଯୋଗ୍ୟ ଇଙ୍ଗିତ ?

 

କାଳଜୟୀ କିମ୍ବଦନ୍ତୀଟିଏ ଭିତରେ ନିହିତ ଥାଏ ଏକ ବିଶେଷ ସତ୍ୟ । ମୋର ବିଶ୍ଵାସ, ବିଶ୍ଵାବସୁ ଆଉ କେହି ନୁହଁନ୍ତି, ଜରାଶବରଙ୍କ ବଂଶଧର । ପ୍ରଭାସ କ୍ଷେତ୍ରରେ ଜରାଶବର ଶ୍ରୀକୃଷ୍ଣଙ୍କ ଦେହାବସାନର ହେତୁ ହେବା ଅନ୍ତେ, ବିଷର୍ଣ୍ଣ ଚିତ୍ତରେ ସ୍ଵଗ୍ରାମ ତ୍ୟାଗ କରି ଉପକୂଳେ କୂଳେ ଆସି କଳିଙ୍ଗର ଏକ ଅରଣ୍ୟ ଭିତରେ ଆଶ୍ରୟ ନେଇଛନ୍ତି । ତାଙ୍କୁ ଅନୁସରଣ କରିଛନ୍ତି ତାଙ୍କ କୁଳ-କୁଟୁମ୍ବ; ସେମାନଙ୍କ ସହ ଯୋଗ ଦେଇଛନ୍ତି ତାଙ୍କ ଅନୁଗତ ବର୍ଗ । ବସତିଟିଏ ଗଢ଼ିଉଠିଛି । ଜରା ଶବର ନିଜ ସାଥିରେ ଆଣିଥିବା ଚିତାଲବ୍ଧ ଶ୍ରୀକୃଷ୍ଣଙ୍କ ଶ୍ରୀତନୁସ୍ମାରକୀ (Relics) ସାଇତି ରଖିଛନ୍ତି ଏକାନ୍ତ ଗୋପନରେ । ତାଙ୍କ ବଂଶଧରମାନେ-ବିଶ୍ଵାବସୁଙ୍କ ପର୍ଯ୍ୟନ୍ତ, ତାହାକୁ ଗୋପନରେ ହିଁ ପୂଜା କରିଛନ୍ତି ।

 

ଅବଶେଷରେ ତାକୁ ହସ୍ତଗତ କରିଛନ୍ତି ବିଦ୍ୟାପତି- ଉପସ୍ଥାପନ କରିଛନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କ ଛାମୁରେ ।

 

ଶ୍ରୀତନୁ- ସ୍ମାରକରୂପକ ବ୍ରହ୍ମ ଜୀବନ୍ୟାସ ଦେବ ଦାରୁ ବିଗ୍ରହକୁ । ଦାରୁହିଁ ଏକଦା ଥିଲା ଏ ନିର୍ଜୀବ ସ୍ଥୂଳ ପୃଥିବୀରେ ଚେତନାର ଆଦିମତମ ଆତ୍ମପ୍ରକାଶ । ତହିଁ ପରଠୁ ଅବ୍ୟାହତ ରହିଚି କ୍ରମବିକାଶ । ଦାରୁରୁ ପ୍ରାଣୀଜଗତ ତହିଁରୁ ସବୁଠାରୁ ପ୍ରଗତିଶୀଳ ପ୍ରାଣୀ ମଣିଷ । ବିଶ୍ଵକର୍ମା- ବିଶ୍ଵବ୍ୟାପ୍ତ କ୍ରମବିକାଶର ଶିଳ୍ପୀ, ଦାରୁକୁ ରୂପାୟିତ କରୁଛନ୍ତି- ତାଙ୍କ ଦୃଷ୍ଟିରେ ସମ୍ପୂର୍ଣ୍ଣ ଏକ ସତ୍ତାରେ-। କିନ୍ତୁ କର୍ମ ତାଙ୍କର ଅସମ୍ପୂର୍ଣ୍ଣ ରହିଗଲା –ମହାରାଣୀରୂପକ ପ୍ରକୃତି ନିହିତ ଅବିଶ୍ଵାସ ଓ ଅବସ୍ଥାର ହସ୍ତକ୍ଷେପ ଫଳରେ ।

 

ଏହା ଦୁର୍ଘଟଣା ଭଳି ମନେ ହୋଇପାରେ ଆମ ଧ୍ୟାନଧାରଣା ସ୍ତରରେ । କିନ୍ତୁ ଏହା ବାସ୍ତବତାର ଏକ ନିର୍ଭୁଲ ଚିତ୍ର । ଜଗନ୍ନାଥ ଏ ପୃଥିବୀରେ ବିକାଶଶୀଳ ପୂର୍ଣ୍ଣତାର ପ୍ରତୀକ ସେ ମଧ୍ୟ ମଣିଷ ଭିତରେ ଚାଲୁଥିବା ସେହି ବିକାଶ ପ୍ରକ୍ରିୟାର ପ୍ରତୀକ । ସେ ଭଗବାନ କିନ୍ତୁ ମଣିଷ ସହ ଏକୀଭୂତ । ସେ ଜ୍ଵରରେ ପୀଡ଼ିତ ହୁଅନ୍ତି ତାଙ୍କ ଚିକିତ୍ସାର ପ୍ରୟୋଜନ ହୁଏ ସେ କଳେବର ତ୍ୟାଗ କରନ୍ତି ଜ୍ଞାତି କୁଟୁମ୍ଵ ବର୍ଗ (ବିଦ୍ୟାପତି-ଲଳିତାଙ୍କ ବଂଶଧରଗଣ ମୁଖ୍ୟତଃ) କ୍ରନ୍ଦନ କରନ୍ତି ତାଙ୍କର ହୁଏ ନବକଳେବର ବା ପୁନର୍ଜନ୍ମ । ସେ ମଣିଷର ଅପୂର୍ଣ୍ଣତାର ପ୍ରତୀକ ସେ ପୁଣି ମଣିଷର ଭବିଷ୍ୟତ ପୂର୍ଣ୍ଣତାର ପ୍ରତିଶ୍ରୁତି ।

 

ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲା, ସେ ନିଦ୍ରା ଯିବା ପୂର୍ବରୁ ଶ୍ରବଣ କରନ୍ତି ଗୀତଗୋବିନ୍ଦ । ଏ ରଚନାର ଆରମ୍ଭ ଦଶାବତାର ଦେଇ । କିମ୍ୱଦନ୍ତୀ ମାତ୍ରେ ଅତୀତରେ ସମାପ୍ତ ଏକ ଘଟଣା । ସାରା ପୃଥିବୀରେ ଦଶାବତାର ହିଁ ଏକମାତ୍ର କିମ୍ୱଦନ୍ତୀ ଯାହା ଭବଷ୍ୟତରେ ସମାପ୍ତ ! ଅବତାର ଅର୍ଥ ମହାସୃଜନୀ ଓ ବିବର୍ତ୍ତନ ଶକ୍ତିର ଏକ ଏକ ମାତ୍ରାର ଅବତରଣ; ଜଳରେ ପ୍ରାଣଶକ୍ତିର ପ୍ରଥମ ଅବତରଣ- ପ୍ରତୀକ ଯା’ର ମତ୍ସ୍ୟାବତାର; ଜଳ ଓ ସ୍ଥଳ ଭିତରେ ସେ ଶକ୍ତିର ବିଚରଣ, କୂର୍ମାବତାର; ଜୀବନୀଶକ୍ତିର ଏକ ବଳିଷ୍ଠ ରୁପାୟନ ବରାହ ଅବତାର; ପ୍ରାକ୍-ମାନବିକ ପ୍ରାଣୀରୁ ମାନବ ସ୍ତରକୁ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ନୃସିଂହ ଅବତାର; ମାନବର ଆଦିମ ବିକାଶ ବାମନ ଅବତାର, ପୂର୍ଣ୍ଣାଙ୍ଗ ବିକାଶ ପରଶୁରାମ-ତେଜୋଦ୍ଦୀପ୍ତ ପୁଣି ପରିପାର୍ଶ୍ଵ ଉପରେ ଆଦିପତ୍ୟ ବିସ୍ତାରର ପ୍ରତୀକରୂପୀ କୁଠାର ଶୋଭିତ- ସେ ପ୍ରଚଣ୍ଡ ପରାକ୍ରମକୁ ନୈତିକ ଜ୍ଞାନଦ୍ଵାରା ନିୟନ୍ତ୍ରିତ କରିବାର ଶକ୍ତିଧାରୀ ଅବତାର ଶ୍ରୀରାମଚନ୍ଦ୍ର, ଆଧ୍ୟାତ୍ମିକ ପ୍ରଜ୍ଞାର ସର୍ବୋତ୍ତମ ପରିପ୍ରକାଶ ଶ୍ରୀକୃଷ୍ଣ ଅଦ୍ୟାବଧି ଧାରାବାହିକ ବିବର୍ତ୍ତନ ଧାରାରୁ ଖସିଯିବା ନିମନ୍ତେ ଅଧୀର ବ୍ୟକ୍ତିମାନଙ୍କୁ ନିର୍ବାଣର ପଥ ପ୍ରଦର୍ଶକ ବୁଦ୍ଧ - ଏମାନେ ସଭିଏଁ ଅତୀତ । କିନ୍ତୁ ନିର୍ବାଣହିଁ ସୃଷ୍ଟିର ଏକମାତ୍ର ଆଭିମୁଖ୍ୟ ହୋଇପାରେନା; ବସ୍ତୁତ୍ଵ ତାହା ଏକ ପଳାୟନ । ସୃଷ୍ଟିର ଆଭିମୁଖ୍ୟ ହେଲା ଅଜ୍ଞାନ, ଅବିଦ୍ୟା, ମୃତ୍ୟୁ ବିବର୍ଜିତ ଏକ ପର୍ଯ୍ୟାୟ । ଏହିସବୁ ନେତିବାଚକ ଗୁଣର ସମଷ୍ଟି ମ୍ଳେଚ୍ଛତ୍ଵ । ପରବର୍ତ୍ତୀ ଅବତାର ମ୍ଲେଚ୍ଛସଂହାର କରିବେ । ସେ କଳକୀ । କିନ୍ତୁ ମ୍ଲେଚ୍ଛସଂହାର ପ୍ରକ୍ରିୟାରୁ ପ୍ରାୟ କେହି ବର୍ତ୍ତିବେ ନାହିଁ । ଅତଏବ ମ୍ଲେଚ୍ଛ ସଂହାର ନୁହେଁ, ମ୍ଳେଚ୍ଛତ୍ଵର ଅନ୍ତ । ଶ୍ରୀଅରବିନ୍ଦଙ୍କ ଭାଷାରେ ରୂପାନ୍ତର । ତାହାହିଁ ମାନବତାର ଭବିଷ୍ୟତ ।

 

ଆଜିର ଅଜ୍ଞାନ-ଅଧ୍ୟୁଷିତ ଅପୂର୍ଣ୍ଣ ମଣିଷ ଦିନେ ପରିପୂର୍ଣ୍ଣତା ଲାଭ କରିବ; ମାନସୋତ୍ତର ଏକ ଦିବ୍ୟମାନବରେ ପରିଣତ ହେବ । ଭବଷ୍ୟଦ୍‍ବାଦୀ ‘ଦଶାବତାର’ ପ୍ରତି ନିଜର ଅନୁରକ୍ତି ପ୍ରକାଶ କରି ଶ୍ରୀଜଗନ୍ନାଥ ସତେ ଅବା ଆମକୁ ସେହି ଅନାଗତ ଦିନ ଉପରେ ଆସ୍ଥା ରଖିବାକୁ ଇଙ୍ଗିତ ଦେଉଛନ୍ତି; ଯେଉଁ ଆସ୍ଥାର ଅଭାବ ଯୋଗୁଁ ତାଙ୍କ କଳେବର ଅସମ୍ପୂର୍ଣ୍ଣ, ସେହି ଆସ୍ଥାରେ ସମୃଦ୍ଧି ହେଲେ ମଣିଷ ଦିନେ ପୂର୍ଣ୍ଣତାର ଦ୍ଵାରଦେଶରେ ହେବ ଉପନୀତ ।

 

ଶ୍ରୀଜଗନ୍ନାଥ ସମସ୍ତ ଆନୁଷ୍ଠାନିକ ଧର୍ମର ଉର୍ଦ୍ଧ୍ଵରେ । ଯେକୌଣସି ଭକ୍ତ- ସେ ଯେଉଁ ମତବାଦର ଆଶ୍ରୟ ନେଇଥାଉନା କାହିଁକି ତାଙ୍କ ସହ ସ୍ଥାପନ କରିପାରିବନିଜସ୍ଵ ଅନନ୍ୟ ସମ୍ପର୍କ ।

 

ଏକଦା ଓଡ଼ିଶାର ଆଧ୍ୟାତ୍ମିକ ବାତାବରଣରେ ଏହି ସତ୍ୟର ବିଶେଷ ଭୂମିକା ଥିଲା ବୋଲି ମନେ ହୁଏ । ସତ୍ୟଟିର ଏକ କାହାଣୀ ରୂପ ସାରଳା ମହାଭାରତ ପରିବେଷଣ କରିଛି । ଅବିକଳ ନ ହେଲେ ବି ବିଷୟସାରଟି ଏହିପରି :

 

ମହାଭାରତ ସମର ଅନ୍ତେ ଶ୍ରୀକୃଷ୍ଣ ଦ୍ଵାରକାରେ ଯାପନ କରୁଛନ୍ତି ଶାନ୍ତ ସ୍ଵାଭାବିକ ଜୀବନ-। ଦିନେ ତାଙ୍କ ରାଜସଭା ଭିତରକୁ ପଶିଆସିଲା ବାଳକଟିଏ । ଅଭିଯୋଗ ତା’ର- ତା’ ସହ ଖେଳୁଥିବା ଅନ୍ୟ ଏକ ବାଳକ ତାକୁ ମାରିଛି ପ୍ରଚଣ୍ଡ ଚାପୁଡ଼ା ।

 

ଶ୍ରୀକୃଷ୍ଣ ଦେଖିଲେ ବାଳକର ଚିବୁକରେ ତା’ର ଦାଗ । ସତେ ଅବା ସେ ପ୍ରବଳ ଉତ୍ତେଜିତ-! ସିଂହାସନରୁ ଉଠିପଡ଼ିଲେ । “କାହିଁ ଗଲା ସେ ଦୁଷ୍ଟ?” ଏ ପ୍ରଶ୍ନ କରି ସେ ରାଜପଥକୁ ନିଷ୍କ୍ରାନ୍ତ ହେଲେ । ସଭାସଦ୍‍ବର୍ଗ ତଟସ୍ଥ । ଯେଉଁ ଶ୍ରୀକୃଷ୍ଣ ଯୁଦ୍ଧକ୍ଷେତ୍ରରେ ମଧ୍ୟ ଧୀର ସ୍ଥିର, ସାମାନ୍ୟ ପିଲାଖେଳରେ ଗୋଟିଏ ବାଳକର ବିଚ୍ୟୁତି ତାଙ୍କୁ କ୍ରୁଦ୍ଧ କରିବା ପୁଣି ସମ୍ଭବ ହେଲା !

 

ଶ୍ରୀକୃଷ୍ଣ ରାଜପଥରେ ସେ ଦୁଷ୍ଟ ପିଲାର ଅଭିଭାବକର ସନ୍ଧାନରେ ବହିର୍ଭୂତ । ନିର୍ବାକ୍ ସଭାସଦ୍‍ମାନେ ତାଙ୍କୁ ଅନୁସରଣ କରୁଛନ୍ତି । କେହି ଜଣେ ଯାଇ, ସହର ଉପାନ୍ତରେ, ଶିବମନ୍ଦିର ନିକଟରେ ଥିବା କୁଟୀରରେ ପିଲାଟିର ପିତାମହକୁ ଖବର ଦେଇ ଦେଲାଣି: ହାୟ ବୃଦ୍ଧ ! ତୋର ସବୁ ସରିଲା । ରାଜା ସ୍ଵଂୟ ଆସୁଛନ୍ତି- ତୋତେ ଦେବେ ଦଣ୍ଡ ପ୍ରାଣଦଣ୍ଡ ନ ହେଲେ ହେଲା ।

 

ବୃଦ୍ଧଟି ଥରିଥରି କୁଟୀରରୁ ବାହାରି ଆସି କରଯୋଡ଼ି ଅପେକ୍ଷା କରୁଥାଏ । ଶ୍ରୀକୃଷ୍ଣ ଆସି ପହଞ୍ଚିଲେ । ସବୁ ନିସ୍ତବ୍ଧ । ବୃଦ୍ଧର ବଦନ ଉପରେ ଦୃଷ୍ଟି ନିବଦ୍ଧ କରି ଶ୍ରୀକୃଷ୍ଣ ଗମ୍ଭୀର କଣ୍ଠରେ ଶୁଣାଇଲେ ତାଙ୍କ ନିର୍ଦ୍ଦେଶ “ଦେଖ ବାବୁ ଦେଖ – ତୁମ ନାତି ଏ ପିଲାଟିର କ’ଣ କରିଛି । ଦେଖ !’’

 

ବାସ୍ । ତା’ ପରେ ସେ ଫେରିପଡ଼ିଲେ । ଚୁପଚାପ୍ ଚାଲି ଆସିଲେ ସଭାକକ୍ଷକୁ ।

 

ସଭାସଦବର୍ଗ ଆଚମ୍ବିତ । ଏତିକି କହିବା ସକାଶେ ସ୍ଵଂୟ ରାଜା ବରଣ କଲେ ଏ କ୍ଲେଶ-? ପ୍ରହେଳିକା !

 

ସଭିଙ୍କ ପାଇଁ ପ୍ରହେଳିକା ନିଶ୍ଚୟ- କେବଳ ଶ୍ରୀକୃଷ୍ଣ ଏବଂ ସେ ବୃଦ୍ଧଙ୍କୁ ବାଦ୍ ଦେଲେ । ବୃଦ୍ଧ ଏକାନ୍ତ କୃଷ୍ଣଭକ୍ତ । ଦୂର ଗାଁରୁ ଆସି ଦ୍ଵାରକା ଉପାନ୍ତରେ ରହିଛି – କେବେ କେବେ ଶ୍ରୀକୃଷ୍ଣଙ୍କ ରଥର ଧ୍ଵନି- ଭାଗ୍ୟରେ ଥିଲେ ଶ୍ରୀକୃଷ୍ଣ କେବେ ଶିବ ମନ୍ଦିରକୁ ଆସିଲେ ତାଙ୍କ କଣ୍ଠଧ୍ଵନି- ଶୁଣିପାରିବା ଆଶାରେ । ତାଙ୍କୁ ସେ ଦେଖିପାରିବାର ସମ୍ଭାବନା ନ ଥିଲା; କାରଣ ସେ ଅନ୍ଧ ।

 

ଯେଉଁ ମୁହୂର୍ତ୍ତରେ ଶ୍ରୀକୃଷ୍ଣ କହିଲେ, “ଦେଖ ବାବୁ ଦେଖ !’’ ସେହି ମୁହୂର୍ତ୍ତରେ ସେ ପାଇଗଲା ଦୃଷ୍ଟିଶକ୍ତି ଦିବ୍ୟ ଦୃଷ୍ଟିଶକ୍ତି ମଧ୍ୟ ।

 

କିନ୍ତୁ ଭକ୍ତ ଏବଂ ଭଗବାନ୍ ଭିତରେ ସେ ଆଦାନପ୍ରଦାନ ବିଷୟ ଜାଣିଲେ ନାହିଁ ଆଉ କେହି । ତା’ର ପ୍ରୟୋଜନ ନ ଥିଲା । ସେ ସମ୍ପର୍କ ଏକାନ୍ତ ବ୍ୟକ୍ତିଗତ ।

 

ଏହା ଆଧ୍ୟାତ୍ମିକତାର ଏକ ମହତ୍ ସତ୍ୟ । ଆଚାର ଅନୁଷ୍ଠାନ, ଆନୁଷ୍ଠାନିକ ଧର୍ମାଚରଣ, ଏସବୁ ସ୍ଥୂଳ ଶୃଙ୍ଖଳାଠାରୁ ବହୁ ପୃଥକ୍ ଆମ ଅନ୍ତରଜୀବନର ଗତି ଓ ପ୍ରଗତି – ଦିବ୍ୟ ଶକ୍ତି ସହ ଆମ ସମ୍ପର୍କ ।

 

ଆମେ ପୂର୍ବରୁ ଦେଖିଛୁ, ଏହିଭଳି ବ୍ୟକ୍ତିଗତ ସମ୍ପର୍କର କିମ୍ୱଦନ୍ତୀରେ କେଡ଼େ ସମୃଦ୍ଧ ଶ୍ରୀଜଗନ୍ନାଥ ପରମ୍ପରା ।

 

ଶ୍ରୀଅରବିନ୍ଦଙ୍କର ରାଜନୈତିକ ଜୀବନର ଏକ ବିରଳ ବଙ୍ଗଳା ନିବନ୍ଧର ନାମ “ଜଗନ୍ନାଥେର ରଥ୍” । ତାହାର ଶେଷ ଅଂଶଟି ଉଦ୍ଧୃତ କରୁଛି:

 

“ଯେଉଁଦିନ ଜ୍ଞାନ, କର୍ମ ଓ ଭାବର ସାମଞ୍ଜସ୍ୟ ଓ ଏକୀକରଣ ଯୋଗେ ଆତ୍ମଗତ ଐକ୍ୟ ଦେଖାଦେବ, ସମଷ୍ଟିଗତ ବିରାଟ ପୁରୁଷଙ୍କ ଇଚ୍ଛାଶକ୍ତିର ପ୍ରେରଣାରେ ସେଦିନ ଜଗନ୍ନାଥଙ୍କ ରଥ ଜଗତର ପଥରେ ବାହାରି ଦଶଦିଗ ଆଲୋକିତ କରିବ । ସତ୍ୟଯୁଗ ଅବତରି ଆସିବ ପୃଥିବୀ ବକ୍ଷରେ, ମର୍ତ୍ତ୍ୟମାନବର ପୃଥିବୀ ହେବ ଦେବତାଙ୍କ ଲୀଳାର ଶିବିର, ଭଗବାନଙ୍କ ମନ୍ଦିର ନଗରୀ, ଆନନ୍ଦପୁରୀ ।’’

 

(୨୦୧୩ ଏପ୍ରିଲ ୨୮ ତାରିଖରେ ଭୁବନେଶ୍ଵରରେ ‘ଆମ ଓଡ଼ିଶା’ ଆନୁକୂଲ୍ୟରେ ଅନୁଷ୍ଠିତ ମଧୁସୂଦନ ଜୟନ୍ତୀ ସମାରୋହରେ ପ୍ରଦତ୍ତ ଅଭିଭାଷଣର ଲିଖିତ ରୂପ)

 

***

 

ବିଦେଶୀଙ୍କ ଦୃଷ୍ଟିରେ ରଥ ଓ ଶ୍ରୀଜଗନ୍ନାଥ

ଅସିତ ମହାନ୍ତି

 

ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ । ଯୁଗେ ଯୁଗେ ଦେଶ, ବିଦେଶର ସାଧୁ, ସନ୍ଥ, ଭକ୍ତ ଧାଇଁ ଆସିଛନ୍ତି ଶ୍ରୀକ୍ଷେତ୍ରକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ନିଜକୁ ଧନ୍ୟ କରିବା ପାଇଁ ।

 

ଯେତେବେଳେ ଏଠାରେ ଶ୍ରୀଜଗନ୍ନାଥଙ୍କର ମନ୍ଦିର ନ ଥିଲା, ‘ନୀଳମାଧବ’ ବା ଦାରୁବ୍ରହ୍ମ ପୂଜିତ ହେଉନଥିଲେ, ସେତେବେଳେ ବି ଏ କ୍ଷେତ୍ରର ପ୍ରସିଦ୍ଧି ଥିଲା । ‘ମହାଭାରତ’ ‘ବନପର୍ବ’ର ଏକ ଆଖ୍ୟାନ ଅନୁସାରେ, ସେତେବେଳେ ଏଠାରେ ଏକ ‘ବେଦୀ’ ଥିଲା ଏବଂ ତାହାର ଚତୁର୍ଦ୍ଦିଗ ଥିଲା ଜଳମୟ । ଏହା ଦୂରରୁ ସମୁଦ୍ର ମଧ୍ୟରୁ ଉତ୍‍ଥିତା ପୃଥିବୀ ପରି ପ୍ରତୀୟମାନ ହେଉଥିଲା; ମାତ୍ର କୌଣସି ଦେବତା ସେଠାରେ ପ୍ରତିଷ୍ଠିତ ନ ଥିଲେ । ରାଜଗୁରୁ ଲୋମଶଙ୍କ ଉପଦେଶ ଅନୁସାରେ ଯୁଧିଷ୍ଠିର ସେହି ବେଦୀ ଉପରେ ଆରୋହଣ କରି ପିତୃତର୍ପଣାଦି କ୍ରିୟା କରିଥିଲେ ।

 

ରାମାୟଣର ଏକ କାହାଣୀ ଅନୁସାରେ ଶତ୍ରୁଘ୍ନ ମଧ୍ୟ ସେହି ବେଦୀ ଉପରେ ଏକଦା ବିଶ୍ରାମ କରିଥିଲେ । ମହାଭାରତ ବର୍ଣ୍ଣିତ ସେହି ‘ମହାବେଦୀ’ ହିଁ ନୀଳାଚଳ ବା ନୀଳାଦ୍ରୀ ବୋଲି ଗବେଷକମାନେ କୁହନ୍ତି-ଯାହା ଉପରେ ଦଣ୍ଡାୟମାନ ଆଜିର ଶ୍ରୀମନ୍ଦିର ।

 

ତେବେ ଆଜିର ଶ୍ରୀମନ୍ଦିର ହେଉଛି ଦ୍ଵାଦଶ ଶତାବ୍ଦୀରେ ନିର୍ମିତ ମନ୍ଦିର । ପୂର୍ବରୁ ଆହୁରି କେତୋଟି ମନ୍ଦିର ସେଠାରେ ଥିଲା ଓ ତାହା କାଳକ୍ରମେ ଧ୍ଵଂସ ପାଇଯାଇଛି । ପଛକୁ ପଛକୁ ଫେରି କେହି କେହି ଗବେଷକ ଆଜିର ମନ୍ଦିରକୁ ଅଷ୍ଟମ ମନ୍ଦିର ବୋଲି ମଧ୍ୟ କହିଛନ୍ତି । ‘ପୌରୁଷ’ ପତ୍ରିକାର ୨୦୦୮ ମସିହା ରଥଯାତ୍ରା ସଂଖ୍ୟାରେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କର ଏକ ପ୍ରବନ୍ଧ ଅନୁସାରେ ଷଷ୍ଠଶତାବ୍ଦୀ ବେଳକୁ ଏହି କ୍ଷେତ୍ର ‘ନୀଳାଦ୍ରି’ ରୁପେ ପ୍ରସିଦ୍ଧ ଥିଲା ଏବଂ ଏଠାରେ ପୂଜିତ ପୁରୁଷୋତ୍ତମ ଥିଲେ ‘ଇନ୍ଦ୍ରନୀଳମଣୀ ଶ୍ୟାମ’ । ସେତେବେଳର ମନ୍ଦିରର ଶିଖର ପ୍ରଦେଶରେ ନୀଳଚକ୍ର ଓ ପତିତପାବନବାନା ମଧ୍ୟ ଥିଲା । ‘ଭାର୍ଗବ ଉପପୁରାଣ’ରେ ଥିବା ବର୍ଣ୍ଣନା ଅନୁସାରେ ମହର୍ଷି ମହଦଯୋଗୀ ନାମକ ଜଣେ ଆଲଓ୍ଵାରପନ୍ଥୀ ସାଧୁ ଏହି କ୍ଷେତ୍ରକୁ ପ୍ରବେଶ କରିବା ପୂର୍ବରୁ ସେହି ନୀଳଚକ୍ର ଓ ପତିତପାବନ ବାନାକୁ ବାରମ୍ବାର ପ୍ରଣାମ କରିଥିଲେ ।

 

ଖ୍ରୀଷ୍ଟଧର୍ମର ଆଧାର ଯୀଶୁଖ୍ରୀଷ୍ଟଙ୍କ ଜୀବନର କିଛିବର୍ଷ ମଧ୍ୟ ଏ କ୍ଷେତ୍ରରେ ବିତିଥିବାର ଚର୍ଚ୍ଚା ଅନେକ ଦିନରୁ ଚାଲିଆସିଛି । ଏହା ଶ୍ରୀକ୍ଷେତ୍ରର ପ୍ରାଚୀନ ପ୍ରସିଦ୍ଧି ସୂଚାଏ । ମହାଭାରତ ଓ ରାମାୟଣର ଆଖ୍ୟାନ ଏହାକୁ ଖ୍ରୀଷ୍ଟପୂର୍ବ କାଳ ସହିତ ସଂପୃକ୍ତ କରେ । କିନ୍ତୁ ଅପେକ୍ଷାକୃତ ଆଧୁନିକ କାଳରେ ଯେଉଁସବୁ ବିଦେଶୀ ପର୍ଯ୍ୟଟକ ବିଭିନ୍ନ କାର୍ଯ୍ୟୋପଲକ୍ଷେ ବା କୌତୁହଳବଶତଃ ଏ କ୍ଷେତ୍ରକୁ ଆସିଛନ୍ତି ବା ଏ କ୍ଷେତ୍ରର ଓ ଶ୍ରୀଜଗନ୍ନାଥଙ୍କର ବୃତ୍ତାନ୍ତ ଅନ୍ୟମାନଙ୍କର ଅବଗତି ପାଇଁ ଲିପିବଦ୍ଧ ବା ପରିବେଷଣ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଓ ତାଙ୍କର ବିଶ୍ଵପ୍ରସିଦ୍ଧ ରଥଯାତ୍ରାକୁ ଏକ ଭିନ୍ନ ରୂପରେ ଚିତ୍ରିତ କରିଛି ।

 

‘ଜଗନ୍ନାଥ’ ନାମର ଏକ ବିଶେଷ ଗୁରୁତ୍ଵ ରହିଛି । ବିଶ୍ଵ କହିଲେ ବୁଝାଏ ପୃଥିବୀକୁ; କିନ୍ତୁ ଜଗତ୍ କହିଲେ ବୁଝାଏ ଗ୍ରହ, ନକ୍ଷତ୍ର ଓ ଅନ୍ତରୀକ୍ଷ ସମେତ ଚରାଚର ସମଗ୍ର ସୃଷ୍ଟି ବା ବିଶ୍ଵବ୍ରହ୍ମାଣ୍ଡକୁ-। ସେଇଥିପାଇଁ ଶ୍ରୀଜଗନ୍ନାଥ ନାମର ତାତ୍ପର୍ଯ୍ୟ ହେଉଛି, ସେ ଚରାଚର ବିଶ୍ଵବ୍ରହ୍ମାଣ୍ଡର ପ୍ରଭୁ । ସେଇଥିପାଇଁ ତାଙ୍କୁ ଇଂରାଜୀ ପରିଭାଷାରେ ‘ଲର୍ଡ ଅଫ୍ ଦି ଓ୍ଵାର୍ଲଡ’ ନ କୁହାଯାଇ କୁହାଯାଇଛି ‘ଲର୍ଡ ଅଫ୍ ଦି ୟୁନିଭର୍ସ ‘।

 

ପୂର୍ବରୁ ସେ ଥିଲେ ‘ପୁରୁଷୋତ୍ତମ’ । ପରେ ହେଲେ ‘ଜଗନ୍ନାଥ’ । କିନ୍ତୁ ଏଇ ‘ଜଗନ୍ନାଥ’ ଶବ୍ଦକୁ ନେଇ ଉନବିଂଶ ଶତାବ୍ଦୀର ମଧ୍ୟଭାଗରୁ ବ୍ୟାପକ ଭାବେ ପ୍ରଚଳିତ ଗୋଟିଏ ଶବ୍ଦ ଶ୍ରୀଜଗନ୍ନାଥଙ୍କର ବିଶ୍ଵାୟିତ ଚେତନାକୁ ବିରୋଧ କରେ । ବିଶେଷକରି ଶ୍ରୀଜଗନ୍ନାଥ ଓ ତାଙ୍କ ରଥଯାତ୍ରାର ବହୁ ବିଭ୍ରାନ୍ତିପୂର୍ଣ୍ଣ ଅପପ୍ରଚାର ସେଇ ଶବ୍ଦଟିକୁ ନେଇ ହୋଇ ଆସିଛି ବିଗତ ବହୁ ଶହ ବର୍ଷ ଧରି ।

 

ଶବ୍ଦଟି ହେଉଛି ‘ଜଗର୍ନଟ’(Juggernaut) । ଦେଶ ବିଦେଶରେ ପ୍ରଚଳିତ ବିଭିନ୍ନ ଶବ୍ଦ ଓ ଭାଷାକୋଷ । ଏହି ଶବ୍ଦଟିକୁ ଗ୍ରହଣ କରିଛନ୍ତି ଏକ ଅପ୍ରତିରୋଧ୍ୟ, ଅନିଷ୍ଟକାରୀ ଶକ୍ତିର ରୂପକ ଭାବରେ । ସେମାନଙ୍କର ବର୍ଣ୍ଣନା କହେ, ଏହା ଏପରି ଏକ ଅନିଷ୍ଟ ଓ ବିରୋଧକାରୀ ଶକ୍ତି-ଯାହା ନିଜ ସାମ୍ନାରେ ଆସୁଥିବା ସବୁ କିଛିକୁ ଦଳି, ମନ୍ଥି, ଧ୍ଵଂସକରି ଆଗେଇଯାଏ । ‘ଦି ରାଣ୍ଡମ୍ ହାଉସ୍ ଅନ୍ଆବ୍ରିଜଡ୍ ଡିକ୍ସନାରୀ’ର ୨୦୦୬ ସଂସ୍କରଣ ଏହାର ଉତ୍ସ ରୂପେ ଗ୍ରହଣ କରିଛି ହିନ୍ଦୀ ଓ ସଂସ୍କୃତ ‘ଜଗନ୍ନାଥ’ (Jagannath/Jagannath) ଶବ୍ଦକୁ । ସେହି ଶବ୍ଦକୋଷ ଅନୁସାରେ ‘ଜଗର୍ନଟ’ ଶବ୍ଦଟିର ଉଦ୍ଭବ କାଳ ୧୬୩୦-୪୦ । ଏନସାଇକ୍ଲୋପିଡ଼ିଆ ବ୍ରିଟାନିକାର ୨୦୦୮ ମସିହାର ସଂସ୍କରଣ ଓ ‘ଆମେରିକାନ୍ ହେରିଟେଜ୍ ଡିକ୍ସନାରୀ’ରେ ମଧ୍ୟ ଏହାକୁ ଏକ ଭାରୋପୀୟ (ଇଣ୍ଡୋଇଉରୋପିଆନ୍) ଉତ୍ସର ଶବ୍ଦ ଭାବେ ଗ୍ରହଣ କରାଯାଇଛି । ଏକ ଦୁଇ ବିଶ୍ଵକୋଷ ଓ ଶବ୍ଦକୋଷ ଅନୁସାରେ ‘ଜଗର୍ନଟ’ର ଗୋଟିଏ ଅର୍ଥ ହିନ୍ଦୁ ଦେବତା କୃଷ୍ଣ ବା (ବିଷ୍ଣୁ ବା ଜଗନ୍ନାଥ) । ଏହାର ଆଉ ଦୁଇଟି ଅର୍ଥ ହେଉଛି –(୧) ଏକ ମଦମତ୍ତ ଶକ୍ତି, ଯାହା ନିଜ ଯାତ୍ରାପଥର ସବୁକିଛିକୁ ଦଳି, ମନ୍ଥି, ଧ୍ଵଂସକରି ଅଗ୍ରସର ହୁଏ ଏବଂ (୨) ଏକ ବିଶ୍ଵାସ ବା ଅନୁଷ୍ଠାନ ଯାହା ଅନ୍ଧ ଓ ବିନାଶକାରୀ ଭକ୍ତିର ଦ୍ୟୋତକ ।

 

‘ଅକ୍ସଫୋର୍ଡ଼ ଇଂଲିସ୍ ଡିକ୍ସନାରୀ’ ଏହି ଶବ୍ଦଟିର ପ୍ରଥମ ମୁଦ୍ରିତ ବ୍ୟବହାରର ଶ୍ରେୟ ଦେଇଛି ଓ୍ଵିଲିୟମ୍ ବ୍ରୁଟନ୍‍ଙ୍କୁ । ଏହି ଶବ୍ଦକୋଷ ଅନୁସାରେ, ଏହାର ପ୍ରଥମ ବ୍ୟବହାର ହୋଇଥିଲା ୧୬୩୮ ଖ୍ରୀଷ୍ଟାବ୍ଦରେ । ଏ ସମ୍ପର୍କିତ ଐତିହାସିକ ନଥିପତ୍ରରୁ ଜଣାଯାଏ ଯେ ବ୍ରୁଟନ୍ ପୁରୀ ଆସିଥିଲେ ୧୬୩୩ରେ । ପୁରୀରୁ ଫେରିବା ପରେ ‘News from The East-Indies: Or A Voyage To Bengalla’ ନାଆଁରେ ପ୍ରାୟ ୩୫ ପୃଷ୍ଠାର ଯେଉଁ ବିବରଣୀ ସେ ଲେଖିଥିଲେ, ତାହା ପ୍ରଥମେ ପ୍ରକାଶ ପାଇଥିଲା ୧୬୩୮ରେ । ସେହି ବିବରଣୀ ହେଉଛି ଜଣେ ଇଂରେଜଙ୍କ ଦ୍ଵାରା ବର୍ଣ୍ଣିତ ପୁରୀ ଜଗନ୍ନାଥ ମନ୍ଦିର ଓ ପୁରୀ ରଥଯାତ୍ରାର ପ୍ରଥମ ବିବରଣୀ ।

 

ଐତିହାସିକ ତଥ୍ୟ କହେ, ବ୍ରୁଟନ୍ ପୁରୀ ଆସିଥିଲେ ଇଷ୍ଟଇଣ୍ଡିଆ କମ୍ପାନୀର ବେପାର ପ୍ରସଙ୍ଗରେ । କମ୍ପାନୀର ବେପାର ବଢ଼ାଇବା ପାଇଁ ସେ କ’ଣ କରିଥିଲେ ସେ ସମ୍ପର୍କରେ କୌଣସି ନଥିପତ୍ର ମିଳେ ନାହିଁ । କିନ୍ତୁ ଓଡ଼ିଶାର ହରିହରପୁର (ଆଜିର ଜଗତସିଂହପୁର) ଓ ବାଲେଶ୍ଵରରେ ଇଷ୍ଟଇଣ୍ଡିଆ କମ୍ପାନୀର ବାଣିଜ୍ୟବସତି ନିମନ୍ତେ ରାଲଫ କାର୍ଟରାଇଟ୍‍ଙ୍କ ଉଦ୍ୟମ ବାବଦରେ ବ୍ରୁଟନ୍‍ଙ୍କର ଏହି ବିବରଣୀ (ନ୍ୟୁଜ୍ ଫ୍ରମ୍ ଦି ଇଷ୍ଟଇଣ୍ଡିଜ୍ ଅର୍ ଏ ଭୟେଜ୍ ଟୁ ବେଙ୍ଗଲ୍) ହେଉଛି ସବୁଠୁ ମୂଲ୍ୟବାନ ଦଲିଲ୍ .।

 

ପ୍ରାୟ ୩୮୦ ବର୍ଷ ପୂର୍ବର ଏହି ବିବରଣୀ କହେ, ହରିହରପୁର ଓ ବାଲେଶ୍ଵରରେ ବାଣିଜ୍ୟବସତି ପ୍ରତିଷ୍ଠା ପାଇଁ ରାଲଫ କାର୍ଟରଆଇଟ୍‍ଙ୍କୁ ଯେଉଁ ଦାୟିତ୍ଵ ଇଷ୍ଟଇଣ୍ଡିଆ କମ୍ପାନୀ ଦେଇଥିଲା, ସେ ସଂକ୍ରାନ୍ତରେ ଓଡ଼ିଶାର ଗଭର୍ଣ୍ଣର ଆଗା ମହମ୍ମଦ ଜମାନ୍ ତେହରାନୀଙ୍କୁ ଭେଟିବାକୁ କାର୍ଟରାଇଟ୍ ଆସିଥିଲେ କଟକ । ସେତେବେଳେ ତାଙ୍କ ସହିତ କଟକ ଆସିଥିଲେ ବ୍ରୁଟନ୍ । ସେଇଠୁ ସେ ଯାଇଥିଲେ ପୁରୀ ।

 

ବ୍ରୁଟନ୍‍ଙ୍କ ବିବରଣୀ କହେ, ଓଡ଼ିଶାର ଯେକୌଣସି ଅଞ୍ଚଳରେ କମ୍ପାନୀର ବାଣିଜ୍ୟବସତି ପ୍ରତିଷ୍ଠା କରିପାରିବା ପାଇଁ ନବାବଙ୍କ ଠାରୁ କାର୍ଟରାଇଟ୍ ପରଓ୍ଵାନା (ଲାଇସେନସ୍) ପାଇଥିଲେ ମେ୫, ୧୬୩୩ରେ । ତାହାର ଠିକ୍ ଛଅ ମାସ ପରେ, ନଭେମ୍ବର ୭ ତାରିଖରେ ସେ ଯାଇ ପହଞ୍ଚିଥିଲେ ପୁରୀରେ । ବ୍ରୁଟନ୍ ଲେଖିଛନ୍ତି- ‘କମ୍ପାନୀର ବେପାର କଥା ବୁଝିବାକୁ ମୁଁ ମହାନ ‘ଜଗର୍ନଟ’(Jaggernat) ନଗରକୁ ଆସିଥିଲି’ (ଅନୁଚ୍ଛେଦ-୧୭) । ସେହି ବିବରଣୀ ଅନୁଯାୟୀ, ନଭେମ୍ବର ୫ରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ୮ କୋଶ ବା ୩୨ ମାଇଲ୍ ବାଟ ଅତିକ୍ରମ କରି ସେ ନଭେମ୍ଵର ୬ ରେ ପହଞ୍ଚିଥିଲେ ଅମୁଦପୁରୀ (ଏହାକୁ କୁହାଯାଉଛି ଫୁଲନଖରା-ନିଆଳି ରାସ୍ତାର ଆମଣାକୁଦ) । ସେଠାରୁ ପ୍ରାୟ ୧୦ କୋଶ ବା ୪୦ ମାଇଲ ବାଟ ଯାତ୍ରା କରି ନଭେମ୍ଵର ୭ତାରିଖ, ଦିନ ୨ଟା ବେଳେ ସେ ‘ଜଗର୍ନଟ’ରେ ପହଞ୍ଚିଥିଲେ । ସେହି ବିବରଣୀର ୨୯ ଅନୁଚ୍ଛେଦରେ ସେ ରଥସ୍ଥିତ ଜଗନ୍ନାଥଙ୍କୁ ଏକ ସପ୍ତଫଣୀ ସର୍ପ ରୂପେ ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି- “The idol is in the shape like a serpent with seven heads” । ପୁଣି ତାଙ୍କ ବର୍ଣ୍ଣନା ଅନୁସାରେ-ଏହି ସପ୍ତଫଣୀଙ୍କ ମୁହଁର ଦୁଇପାଖରେ ଦୁଇଟି ଲେଖାଏଁ ଡେଣା ପରି ଅଛି- ଯାହା ଖୋଲେ ଆଉ ବନ୍ଦ ହୁଏ ।

 

ଏହି ବିବରଣୀର ୩୦ ଅନୁଚ୍ଛେଦରେ ରହିଛି ରଥ ଓ ଜଗନ୍ନାଥଙ୍କର ବର୍ଣ୍ଣନା । ସେହି ବର୍ଣ୍ଣନା ଅନୁସାରେ, “ଏହି ରଥର ଆକାର ବିରାଟ । ଏହାର ଉଚ୍ଚତା ପ୍ରାୟ ୩୦ଫୁଟ । ରଥର ଚକ ସଂଖ୍ୟା ୧୬ ଓ ପ୍ରତି ଚକ ୫ ଫୁଟ ଉଚ୍ଚ ।’’ ବ୍ରୁଟନ୍ ଲେଖିଛନ୍ତି- “ସେହି ରଥରେ ସେମାନେ ତାଙ୍କର ଦୁଷ୍ଟ ଠାକୁର (wicked god) ଜଗର୍ନଟ (juggernaut) ଙ୍କୁ ବସାନ୍ତି । ପ୍ରାୟ ୯୦୦୦ ବ୍ରାହ୍ମଣ ତାହାଙ୍କୁ ଖଟୁଥାନ୍ତି । ଦେହରେ ପାଉଁଶ ବୋଳି ହୋଇଥିବା ଫକୀର ଆଉ ଭକ୍ତମାନେ ତାଙ୍କୁ ଘେରି ରହିଥାଆନ୍ତି ।

 

ସେହି ପ୍ରସଙ୍ଗରେ, ରଥ ଛୁଇଁବାକୁ ଭକ୍ତମାନଙ୍କର ଆକୁଳତାର ବର୍ଣ୍ଣନା କରି ସେ କହିଛନ୍ତି-“ରଥକୁ ଟିକିଏ ଛୁଇଁଦେଲେ ସେମାନେ ଅପାର ଆନନ୍ଦ ପାଆନ୍ତି ଓ ନିଜକୁ ଆଶିଷପ୍ରାପ୍ତ ବୋଲି ଅନୁଭବ କରନ୍ତି ।’’ କିନ୍ତୁ ତାହାର ପରବର୍ତ୍ତୀ ୩୧ ଅନୁଚ୍ଛେଦରେ ସେ ଯାହା ଲେଖିଛନ୍ତି ତାହା ଅତ୍ୟନ୍ତ ଆପତ୍ତିଜନକ । ସେ ଲେଖିଛନ୍ତି- “ଯେତେବେଳେ ସେହି ରଥ ସହର ପରିଭ୍ରମଣ କରେ, ସେତେବେଳେ ଅନେକ ନିଜକୁ ଉତ୍ସର୍ଗ କରନ୍ତି । ତାହା ବିଗ୍ରହ ନିକଟରେ ତାଙ୍କର ଆତ୍ମୋତ୍ସର୍ଗ । ସେମାନେ ବ୍ୟାକୁଳ ଭାବରେ ଭୂମିରେ ଶୋଇଯାଆନ୍ତି- ଯେମିତିକି ରଥ ଚକ ସେମାନଙ୍କ ଉପରେ ମାଡ଼ିଯିବ ଆଉ ସେମାନେ ତତକ୍ଷଣାତ୍ ନିହତ ହେବେ । ଅନେକଙ୍କ ହାତ ଭାଙ୍ଗେ ତ ଅନେକଙ୍କର ଗୋଡ଼ । ସେମାନେ ମନେ କରନ୍ତି, ଏହା ଫଳରେ ସେମାନେ ସ୍ଵର୍ଗପ୍ରାପ୍ତ ହେବେ ।’’

ଜଗନ୍ନାଥଙ୍କୁ ଜଣେ ଦୁଷ୍ଟ ବା ବଦମାସ୍ (a wicked god) ଦେବତା ଭାବେ ବର୍ଣ୍ଣନା କରିଥିବା ବ୍ରୁଟନ୍ ଅନ୍ୟ ରଥରେ ଉପବିଷ୍ଟ ବିଗ୍ରହ ବା ବଳଭଦ୍ରଙ୍କୁ ମଧ୍ୟ “ଅଧମ ଶ୍ରେଣୀର ଏକ ଶୟତାନ” (inferior rank devil)ବୋଲି ବର୍ଣ୍ଣନା କରିଛନ୍ତି ।

 

ବ୍ରୁଟନ୍‍ଙ୍କ ଜୀବନୀ ସମ୍ପର୍କରେ ସବିଶେଷ ତଥ୍ୟ ବ୍ରିଟିଶ୍ ନଥିପତ୍ରରୁ ମିଳେ ନାହିଁ । ତେବେ କମ୍ପାନୀ ରେକର୍ଡରେ ତାଙ୍କ ସ୍ତ୍ରୀ ମାର୍ଗାରେଟଙ୍କର ନାଆଁ ଦୁଇଥର (ଜାନୁଆରୀ ୧୩, ୧୬୩୫ ଓ ଜୁଲାଇ ୧୩, ୧୬୩୫) ଉଲ୍ଲେଖ ଅଛି । ସ୍ଵାମୀ ଓ୍ଵିଲିୟମ ବ୍ରୁଟନଙ୍କର ଦରମା ପ୍ରସଙ୍ଗରେ ଏହାର ଉଲ୍ଲେଖ ରହିଛି । କିନ୍ତୁ ତାଙ୍କ ସମ୍ପର୍କରେ ଜଣାଯାଏ ଯେ ସେ ଜଣେ ନାବିକ ଥିଲେ ଏବଂ ଜାହଜରେ କରମଣ୍ଡଳ ଉପକୂଳକୁ ଆସିଥିଲେ । ବ୍ରୁଟନଙ୍କର ଏହି ବିବରଣୀ ମୂଳତଃ ପ୍ରକାଶ ପାଇଥିଲା ଲଣ୍ଡନରୁ, ୧୬୩୮ରେ । ଏହାର ପ୍ରକାଶକ ଥିଲେ ଆଇ.ଓକିସ୍ । ପରେ ତାହାକୁ ଓସବର୍ଣ୍ଣଙ୍କ ଭ୍ରମଣ ବୃତ୍ତାନ୍ତ (Osborne’s travels)ର ୫ମ ଖଣ୍ଡରେ ସ୍ଥାନିତ କରାଯାଇଥିଲା । କଲିକତାର ଗେଟେ ପାଠାଗାର (Goethe’s Indian Library) ରେ ସେହି ୧୬୩୮ ସଂସ୍କରଣର ମାତ୍ର ଖଣ୍ଡିଏ କପି ଉପଲବ୍ଧ ଥିଲା । ପରେ ୧୯୨୪ ରେ ‘ବେଙ୍ଗଲ-ପାଷ୍ଟ୍ –ଆଣ୍ଡ ପ୍ରେଜେଣ୍ଟ’ ନାମକ ଗ୍ରନ୍ଥ (ସଂଖ୍ୟା ୨୭. କ୍ର.ନ.-୫୪, ଜାନୁଆରୀ-ଜୁନ୍ ୧୯୨୪, ପୃ- ୧୨୭-୧୫୪)ରେ ଏହାକୁ ପୁନଃମୁଦ୍ରିତ କରାଯାଇଥିଲା । ପରେ ଡକ୍ଟର ସି.ଆର. ଓ୍ଵିଲିସନ ଓ ଏଲ.ଏସ.ଏସ. ଓ ମାଲୀ ତାଙ୍କ ‘ବେଙ୍ଗଲ ଡିଷ୍ଟ୍ରିକ୍ଟ ଗୋଜେଟିୟର’ ର ‘ପୁରୀ’ ପ୍ରସଙ୍ଗରେ ତାହାକୁ ସ୍ଥାନିତ କରିଥିଲେ. ସେହି ଗୋଜେଟିୟରର ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଏହାର ଅଂଶବିଶେଷ ଉଦ୍ଧୃତ (ପୃ-୩୪-୩୬) । ତଦନୁଯାୟୀ ‘ଜଗର୍ନଟ’ ହେଉଛି ଏକ ପାପଧର୍ମ (impious religion) । ୧୯୦୮ରେ ‘ବେଙ୍ଗଲ ସେକ୍ରେଟେରିଏଟ୍ ବୁକ୍ ଡିପୋ’ରୁ ପ୍ରକାଶିତ ମାଲୀଙ୍କ ସେହି ଗେଜେଟିୟରର ପୃ୧୦୭ରେ ବ୍ରୁଟନଙ୍କ ବିବରଣୀର ଉଦ୍ଧୃତି ସହିତ ଏ ସମ୍ପର୍କିତ ମନ୍ତବ୍ୟରେ ଉଲ୍ଲେଖ ଅଛି- “ଏହିପରି ଘଟୁଥିବା ଦୁର୍ଘଟଣା ଗୁଡ଼ିକରୁ କ୍ରମେ ଗୋଟିଏ ବିଶ୍ଵାସ ଜାଗରୁକ ହୋଇଥିଲା ଯେ ରଥଯାତ୍ରାରେ ଆତ୍ମୋତ୍ସର୍ଗ ସେତେବେଳେ ଏକ ଚିରାଚରିତ ପ୍ରଥା ଥିଲା ।“ ଓଡ଼ିଶାକୁ ଆସିଥିବା ଆଦ୍ୟ ୟୁରୋପୀୟମାନେ ମଧ୍ୟ ଏହାର ପ୍ରଚାର ପ୍ରସାର କରିଥିଲେ ।

 

କିନ୍ତୁ ଗୋଟିଏ କଥା ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ ଯେ ପୁରୀର ରଥଯାତ୍ରା ବା ଜଗନ୍ନାଥଙ୍କ ସମ୍ପର୍କରେ ବର୍ଣ୍ଣନା କରିବାରେ ବ୍ରୁଟନ୍ ପ୍ରଥମ ଇଂରେଜ ହେଲେହେଁ ପ୍ରଥମ ୟୁରୋପୀୟ ନୁହଁନ୍ତି । ବ୍ରୁଟନଙ୍କର ପ୍ରାୟ ୩୦୦ ବର୍ଷ ପୂର୍ବରୁ ଫ୍ରେୟାର ଓଡୋରିକସ୍ (Friar Odorics)ନାମକ ଜଣେ ଇଟାଲୀୟ ଧର୍ମଯାଜକ ପୁରୀ ଆସିଥିଲେ । ୟୁରୋପୀୟମାନଙ୍କ ପାଖରେ ପୁରୀର, ଜଗନ୍ନାଥଙ୍କର ଓ ରଥଯାତ୍ରାର ବର୍ଣ୍ଣନା ପ୍ରଥମଥର ପାଇଁ ପହଞ୍ଚି ଥିଲା ତାଙ୍କରି ଭ୍ରମଣ ବୃତ୍ତାନ୍ତ ମାଧ୍ୟମରେ । ତାଙ୍କୁ ୧୩୧୬ ବା ୧୩୧୮ ଖ୍ରୀଷ୍ଟାବ୍ଦରେ ଏସିଆକୁ ପଠାଯାଇଥିଲା ଖ୍ରୀଷ୍ଟଧର୍ମର ପ୍ରଚାରପ୍ରସାର ପାଇଁ । କୁହାଯାଏ ଯେ ୧୩୨୧ ଖ୍ରୀଷ୍ଟାବ୍ଦରେ ସେ ପୁରୀ ଆସିଥିଲେ । କିନ୍ତୁ ତାଙ୍କର ଭ୍ରମଣବୃତ୍ତାନ୍ତର ବିବରଣୀ ଏପରି ଯେ ସେଥିରୁ ସେ ପୁରୀ ଆସିଥିବା ନେଇ ସନ୍ଦେହ ସୃଷ୍ଟିହୁଏ । ତାଙ୍କ ସମ୍ପର୍କିତ ବିବରଣୀରୁ ଜଣାଯାଏ ଯେ ତୁର୍କୀ ଓ ଇରାନ୍ ବାଟଦେଇ ସେ ଭାରତର ପଶ୍ଚିମ ଉପକୂଳର ଥାନେଠାରେ ପହଞ୍ଚିଥିଲେ ୧୩୨୨ଖ୍ରୀଷ୍ଟାବ୍ଦରେ । ଭାରତର ଅନେକ ଅଞ୍ଚଳ ପରିଭ୍ରମଣ କରିବା ପରେ ସେ ତିବ୍ବତ ବାଟ ଦେଇ ପହଞ୍ଚିଥିଲେ ଚୀନରେ ଏବଂ ୧୯୨୯ରେ ଫେରିଯାଇଥିଲେ ୟୁରୋପ ।

 

ୟୁରୋପ ଫେରିବା ପରେ ଓଡୋରିକସ୍ ଯେଉଁ ଭ୍ରମଣ ବୃତ୍ତାନ୍ତ ପ୍ରକାଶ କରିଥିଲେ ତା’ର ନାଆଁ ଥିଲା ‘ଜର୍ନାଲ ଅଫ୍ ଫ୍ରେୟର ଓଡୋରିକସ୍’ ସେ ଯାଏ ଅଜଣା ଥିବା ଭାରତ ଓ ଚୀନକୁ ସେଇ ଭ୍ରମଣ ବୃତ୍ତାନ୍ତ ମାଧ୍ୟମରେ ହିଁ ଜାଣିଥିଲେ ଅଗଣିତ ପାଶ୍ଚାତ୍ୟବାସୀ ।

 

କିନ୍ତୁ ଓଡୋରିକସଙ୍କ ‘ଜର୍ନାଲ’ ପାଷ୍ଚାତ୍ୟବାସୀଙ୍କୁ ଭାରତ ଓ ଚୀନ୍ ବା ପ୍ରାଚ୍ୟର ଯେଉଁ ଚିତ୍ର ଦେଇଥିଲା, ତାହା ଥିଲା ଘୋର ଅବିଶ୍ଵସନୀୟ । ଓଡୋରିକସ୍‍ଙ୍କ ବର୍ଣ୍ଣନାରେ ତାହାର କେତୋଟି ଚିତ୍ର ହେଉଛି-ଭାରତର ମୂଷାମାନେ ଥିଲେ ତାଙ୍କ ଦେଶର କୁକୁରଙ୍କଠାରୁ ବି ବଡ଼; ଭାରତୀୟ ମାଲାବାର ଉପକୂଳରେ ରହୁଥିବା ପୁରୁଷମାନଙ୍କର ନିଶଦାଢ଼ି ଉଠେନାହିଁ, କିନ୍ତୁ ମହିଳାମାନେ ନିଜର ନିଶଦାଢ଼ି କାଟନ୍ତି । ଓଡୋରିକସ୍ କୁଆଡ଼େ ନିଜ ଆଖିରେ ଏହା ଦେଖିଥିଲେ । ଲୋକୋକ୍ତିରେ ଏହାକୁ କୁହାଯାଇପାରିବ ‘ନଦେଖିଲା ଓଉ ଛଅ ଫଡ଼ା’ ।

 

ଏହି ପର୍ଯ୍ୟାୟରେ ଓଡୋରିକସ୍ ପୁରୀର ଓ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାର ବର୍ଣ୍ଣନା ବି କରିଛନ୍ତି । ଯଦିଓ ନିର୍ଦ୍ଧିଷ୍ଟଭାବରେ ସେ ପୁରୀର ବା ଜଗନ୍ନାଥଙ୍କର ନାଆଁ ଲେଖିନାହାନ୍ତି, ତଥାପି ତାଙ୍କ ଲେଖାରୁ ସ୍ପଷ୍ଟ ଯେ ଜଗନ୍ନାଥଙ୍କୁ ତାଙ୍କର ପରିବ୍ୟାପ୍ତ ଖ୍ୟାତି ଓ ରଥଯାତ୍ରାର ବିଶାଳତାକୁ ଦେଖି ସେ ବିସ୍ମିତ ହୋଇଥିଲେ ଏବଂ ଜଣେ କ୍ୟାଥଲିକ୍ ଖ୍ରୀଷ୍ଟିଆନ୍ ଭାବରେ ତାଙ୍କର ସହ୍ୟ ହୋଇନ ଥିଲା । ତେଣୁ ନିଜର ଧର୍ମ ଓ ନିଜର ଈଶ୍ଵରଙ୍କୁ ଶ୍ରେଷ୍ଠ ଭାବରେ ଦର୍ଶାଇବାର ମନୋଭାବରେ, ସେ ଜଗନ୍ନାଥ ଓ ତାଙ୍କର ସୁପ୍ରସିଦ୍ଧ ରଥଯାତ୍ରାକୁ ଅତ୍ୟନ୍ତ ବିକୃତ ଓ ବୀଭତ୍ସ ଭାବରେ ଚିତ୍ରିତ କରିଥିଲେ । ତାଙ୍କ ବର୍ଣ୍ଣନାର ଶ୍ରୀଜଗନ୍ନାଥ ଥିଲେ ଜଣେ ହିଂସ୍ର ଦେବତା ଏବଂ ତାଙ୍କର ରଥଯାତ୍ରା ଥିଲା ଆତ୍ମାହୁତି ବା ମୃତ୍ୟୁର ଏକ ଉତ୍ସବ ।

 

ଓଡୋରିକସ୍ ବର୍ଣ୍ଣନା କରିଛନ୍ତି- ଖ୍ରୀଷ୍ଟିଆନମାନେ ସନ୍ଥ ପିଟରଙ୍କ ସମାଧିସ୍ଥଳକୁ ଯାତ୍ରା କରିବା ପରି ଲୋକେ ବିପୁଳ ସଂଖ୍ୟାରେ ରଥଯାତ୍ରା ସ୍ଥଳକୁ ଯାତ୍ରା କରୁଥିଲେ । ଏହି ଭାରତୀୟ ଦେବତାଙ୍କର ପ୍ରିୟ ହେଉଚି ଲୋକଙ୍କର ରକ୍ତ ଓ କଷ୍ଟ । ତେଣୁ ଲୋକେ ନିଜ ଦେହକୁ କ୍ଷତବିକ୍ଷତ କରି ତାଙ୍କୁ ନିଜର ରକ୍ତ ଓ କଷ୍ଟ ଅର୍ପଣ କରୁଥିଲେ । ସେହି ଦେବତାଙ୍କର ପ୍ରକୃତ ଅର୍ଚ୍ଚନା ଥିଲା ଲୋକଙ୍କର ଆତ୍ମାହୂତି । ବିଶାଳକାୟ ରଥର ଚକତଳେ ଶହ ଶହ ଲୋକ ଆତ୍ମହତ୍ୟା କରୁଥିଲେ ଏବଂ ସେମାନଙ୍କୁ ପୋଡ଼ି ଯେଉଁ ଚିତାଭସ୍ମ ପ୍ରସ୍ତୁତ ହେଉଥିଲା, ତାହାକୁ ପବିତ୍ର ସାମଗ୍ରୀ ରୂପେ ଲୋକେ ସାଇତି ରଖୁଥିଲେ ।

 

ଆମେ ଜାଣୁ ଯେ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ହେଉଛି ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ପର୍ବ । ଓଡୋରିକସ୍‍ଙ୍କ ପରି ଜଣେ ଧର୍ମାନ୍ଧ ଖ୍ରୀଷ୍ଟିଆନଠାରୁ ଏହାର ବାସ୍ତବ ବିବରଣୀ ଆଶା କରିବା ଏକ ଦୂରାଶା । କିନ୍ତୁ ରଥଯାତ୍ରାର ଅନ୍ତିମ ପର୍ବ ଭାବରେ ସେ ଯେଉଁ ବର୍ଣ୍ଣନା ଦେଇଛନ୍ତି- ତାହା ଯେକୌଣସି ହିନ୍ଦୁକୁ ଉତ୍ୟକ୍ତ କରିବ । ସେ ଲେଖିଛନ୍ତି, ଏହି ହିଂସ୍ରଦେବତାଙ୍କ ମୃତ୍ୟୁ ଉତ୍ସବର ଉଦ୍‍ଯାପନ ହେଉଥିଲା ଏକ ବିରାଟ ଭୋଜି ଓ ନାଚଗୀତ ଭିତରେ । ନିଜନିଜର ବେକରେ ଗୋଟିଏ ଗୋଟିଏ ଲମ୍ବା ଛୁରୀ ଝୁଲାଇ ଲୋକେ ନାଚି ନାଚି ଯାଉଥିଲେ ପ୍ରତିମା ସମ୍ମୁଖକୁ ଏବଂ ନିଜ ଦେହର ମାଂସ କାଟି ପ୍ରତିମାର ମୁହଁକୁ ଫିଙ୍ଗୁଥିଲେ । ଶେଷରେ ନିଜ ଛାତିରେ ଛୁରୀ ଭୁଷି ପ୍ରତିମାକୁ ନିଜର ଜୀବନ ଅର୍ପଣ କରୁଥିଲେ ।

 

ଉଲ୍ଲେଖନୀୟ ଯେ ଓଡୋରିକସ୍ ତାଙ୍କର ଏହି ଯାତ୍ରା ବୃତ୍ତାନ୍ତ ପ୍ରଥମେ ଲେକିଥିଲେ, ଲାଟିନ୍ ରେ ଏବଂ ପରେ ଇଂରାଜୀରେ ତାହା ପ୍ରକାଶ ପାଇଥିଲା । ସେଥିରେ ବର୍ଣ୍ଣିତ ରଥ ଚକ ତଳେ ଲୋକଙ୍କ ଆତ୍ମାହୁତି ପ୍ରସଙ୍ଗକୁ ପରେ ଶ୍ରୀଜଗନ୍ନାଥ ଓ ତାଙ୍କର ରଥଯାତ୍ରାର ଅପପ୍ରଚାର ପାଇଁ ଏକ ମୁଖ୍ୟ ଅସ୍ତ୍ର ରୁପେ ଉପଯୋଗ କରାଯାଇଥିଲା । ସେଇଥିରୁ ପରବର୍ତ୍ତୀ କାଳରେ ହୋଇଥିଲା ଜଗର୍ନଟ ‘Juggernaut’ ଶବ୍ଦର ଉତ୍ପତ୍ତି ।

 

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ଆଉଜଣେ ୟୁରୋପୀୟଙ୍କ ବର୍ଣ୍ଣନା ମଧ୍ୟ ଏ ପ୍ରସଙ୍ଗରେ ପ୍ରମୁଖତା ଦାବୀ କରେ । ସେ ହେଉଛନ୍ତି ସାର୍ ଜନ୍ ମାଣ୍ଡେଭିଲ୍ (Sir jonh Mandeville) । ସେ ଫ୍ରେୟାର ଓଡୋରିକସଙ୍କର ସମସାମୟିକ ବୋଲି କୁହାଯାଏ । ପ୍ରାୟ ଦଶଟି ୟୁରୋପୀୟଭାଷାରେ ପ୍ରକାଶିତ ତାଙ୍କର ଭ୍ରମଣ ବୃତ୍ତାନ୍ତ “The voyages and travels of Sir jonh Mandeville, Knight” ୧୩୬୦ରେ ପ୍ରଥମେ ପ୍ରକାଶ ପାଇଥିଲା ଏବଂ ତା’ ପରଠାରୁ ବହୁ ଶତାବ୍ଦୀ ଧରି ଏହା ଏକ ‘ବେଷ୍ଟସେଲର’ ବା ବହୁଳ ବିକ୍ରି ହେଉଥିବା ଏକ ବହି ହୋଇ ରହିଆସିଛି । ସେଥିରେ କେବଳ ପୁରୀ ରଥଯାତ୍ରାରେ ଲୋକେ ରଥଚକ ତଳେ ମରୁଥିବାର ବର୍ଣ୍ଣନା ନ ଥିଲା; ତାହା ପ୍ରାତ୍ୟକୁ ଏକ ଅଜବ ଦେଶ । ଓଡୋରିକସ୍ ତ ଏଠି କେବଳ କୁକୁରଠାରୁ ବଡ଼ ମୂଷା ଦେଖିଥିଲେ; କିନ୍ତୁ ମାଣ୍ଡେଭିଲ୍ ଏଠି ଦେଖିଲେ କପା ଗଛରେ ମେଣ୍ଢା ଫଳିବା ଦୃଶ୍ୟ । କପା ଗଛରେ ଫଳିଥିବା ସେହି ମେଣ୍ଢାମାନଙ୍କ ଲୋମରୁ ତୁଳା ବାହାରୁଥିଲା-। ମାଣ୍ଡେଭିଲ୍ ଲେଖିଥିଲେ- କପାଗଛର ଡାଳ ତଳକୁ ନଇଁଗଲେ କୁନି କୁନି ମେଣ୍ଢାମାନେ ମାଟିରୁ ଘାସ ଖାଆନ୍ତି ଏବଂ ଏ ପ୍ରସଙ୍ଗରେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଯେ ପାଶ୍ଚାତ୍ୟର ତଥାକଥିତ ସଭ୍ୟ, ଶିକ୍ଷିତ ଓ ଜ୍ଞାନୀ ଲୋକେ ଶହ ଶହ ବର୍ଷ ଧରି ଏହି ଗାଲୁଗଳ୍ପକୁ ବିଶ୍ଵାସ କରି ଆସୁଥିଲେ ।

 

କିନ୍ତୁ ସାର୍ ଜନ୍ ମାଣ୍ଡେଭିଲ୍ ପ୍ରକୃତରେ କିଏ ? ନାଇଟ୍’ ଉପାଧିପ୍ରାପ୍ତ ସେପରି କେହି ବ୍ୟକ୍ତି ପ୍ରକୃତରେ କେବେ ନ ଥିଲେ କି ?

 

ଅନୁଧ୍ୟାନରୁ ଜଣାଯାଏ ଯେ ସେପରି କେହି ବ୍ୟକ୍ତି ପ୍ରକୃତରେ କେବେ ନଥିଲେ । କିନ୍ତୁ ବିଭିନ୍ନ ଭୌଗୋଳିକ ତଥ୍ୟ ଓ ସମୁଦ୍ରଯାତ୍ରୀଙ୍କ ବୃତ୍ତାନ୍ତରୁ ସ୍ଥାନାଦିର ନିର୍ଦ୍ଦିଷ୍ଟ ସୂଚନା ସଂଗ୍ରହ କରି କେହି ଜଣେ ଅଜ୍ଞାତ ବ୍ୟକ୍ତି ଅତ୍ୟନ୍ତ ଚତୁରତାର ସହିତ ସେହି ବିବରଣୀକୁ ଏପରି ରୋଚକ ଭାବରେ ପ୍ରସ୍ତୁତ କରିଥିଲେ ଯେ ତାହା ପରୀ କାହାଣୀର ଅତିକଳ୍ପନା ପରି କୌତୁହଳ ଉଦ୍ରେକ କରୁଥିଲା । ଭ୍ରମଣବୃତ୍ତାନ୍ତ ପରି ପ୍ରସ୍ତୁତ ହୋଇଥିବାରୁ ଅନେକ ତାହାକୁ ସତ୍ୟ ବୋଲି ବିଶ୍ଵାସ ବି କରୁଥିଲେ ।

 

ଶ୍ରୀଜଗନ୍ନାଥ ଓ ରଥଯାତ୍ରା ପ୍ରସଙ୍ଗକୁ ସେହି ଅଜ୍ଞାତ ଲେଖକ ଜନ୍ ମାଣ୍ଡେଭିଲ୍ ଭାବରେ ଆହରଣ କରିଛନ୍ତି ଓଡୋରିକସଙ୍କ ବର୍ଣ୍ଣନାରୁ । ‘ସାହେବଙ୍କ ରଥ’ ଦେଖା ପ୍ରବନ୍ଧ (ପୌରୁଷ, ଜୁଲାଇ୨୦୦୮ରେ ଏହାର ସୁନ୍ଦର ତର୍ଜମା କରି ଶିବ ଦାସ ଲେଖିଛନ୍ତି “ଶହଶହ ବର୍ଷ ଧରି ସାରା ପାଶ୍ଚାତ୍ୟରେ ପ୍ରଚାରିତ ହୋଇଥିବା ମାଣ୍ଡେଭିଲଙ୍କ ଭ୍ରମଣକାହାଣୀ ବର୍ଣ୍ଣିତ ରଥଯାତ୍ରା ଥିଲା ଏହିଭଳି-

 

ସବୁଠାରୁ ବଡ଼ ପ୍ରତିମା ବି ଅଛି, ଯାହା ଅନ୍ୟ ସମସ୍ତଙ୍କଠାରୁ ବଡ଼ । ଏହା ସୁନା, ମଣି, ମାଣିକ୍ୟ ଓ ମୁକ୍ତା ଦ୍ଵାରା ଆଚ୍ଛାଦିତ । କିଛି ମିଛ ଖ୍ରୀଷ୍ଟିଆନ ବି ପୁଣିଥରେ ଭକ୍ତି କରିବା ଆରମ୍ଭ କରିଦିଅନ୍ତି ଏହି ପ୍ରତିମାକୁ । ଏହି ପ୍ରତିମା ସୁବର୍ଣ୍ଣ ସିଂହାସନରେ ବସିଥାଏ । ଗଳାରେ ଲମ୍ଵିଥାଏ ସୁନା ଓ ଦାମୀ ମଣି ମୁକ୍ତାର ମାଳ । ଏହାର ମନ୍ଦିର ମଧ୍ୟ ବିରାଟ ଓ ସୁନାରେ ଆଚ୍ଛାଦିତ । ଏହି ପ୍ରତିମା ପାଖକୁ ଲୋକେ ତୀର୍ଥଯାତ୍ରାରେ ଯାଆନ୍ତି-ଯେମିତି ଆମର ଖ୍ରୀଷ୍ଟିଆନମାନେ ଭକ୍ତିର ସହ ଯାଆନ୍ତି ସେଣ୍ଟ୍ ଜେମସ୍ ବା ଅନ୍ୟ ତୀର୍ଥସ୍ଥଳକୁ । ଦୂର ଦୂରାନ୍ତରୁ ଲୋକେ ଏହି ପ୍ରତିମା ପାଖକୁ ଆସନ୍ତି ନିଜ ଭିତରେ ଥିବା ଭକ୍ତି ପାଇଁ । କିନ୍ତୁ କେହି ଉପରକୁ ଆଖି ଉଠାନ୍ତି ନାହିଁ । ନିଜ ମୁଣ୍ଡକୁ ମାଟିରେ ଲଗାଇ ଦିଅନ୍ତି । ସେମାନେ ଭୟ କରନ୍ତି, କାଳେ ସେମାନେ ଆଉ କିଛି ଦେଖିଦେବେ – ଯାହା ତାଙ୍କର ଭକ୍ତିକୁ କମାଇ ଦେବ । ଏହି ପ୍ରତିମା ପାଖକୁ ଯାଉଥିବା କିଛି ତୀର୍ଥଯାତ୍ରୀ ହାତରେ ମୁନିଆ ଓ ଧାରୁଆ ଛୁରୀ ଧରିଥାଆନ୍ତି । ରାସ୍ତାରେ ଗଲାବେଳେ ସେମାନେ ନିଜ ହାତ ଗୋଡ଼କୁ କ୍ଷତବିକ୍ଷତ କରନ୍ତି ଏବଂ ନିଜ ରକ୍ତକୁ ପ୍ରତିମା ପ୍ରତି ନିଜ ମନରେ ଥିବା ପ୍ରେମର ନିଦର୍ଶନ ଭାବେ ବୁହାଇ ଚାଲନ୍ତି । ସେମାନେ କୁହନ୍ତି, ଯିଏ ଭଗବାନଙ୍କ ପ୍ରେମରେ ମୃତ୍ୟୁଲାଭ କରେ ସେ ପବିତ୍ର ଓ ମହାନ୍ । ଆଉ କିଛି ତୀର୍ଥଯାତ୍ରୀ ନିଜ ପିଲାମାନଙ୍କୁ ପ୍ରତିମା ପାଖରେ ବଳିଦେବାପାଇଁ ମଧ୍ୟ ନିଅନ୍ତି-। ପିଲାମାନଙ୍କୁ ମାରିସାରିଲା ପରେ ସେମାନଙ୍କ ରକ୍ତର ଫୁଆରାକୁ ସେମାନେ ପ୍ରତିମା ଉପରେ ପକାନ୍ତି । କିଛି ଲୋକ ପ୍ରତିମା ପାଖକୁ ଗଲାବେଳେ ପ୍ରତି ତିନିପାଦ ପରେ ଆଣ୍ଠୋଇ ପଡ଼ନ୍ତି । ସେମାନେ ଏହା ଘରୁ ବାହାରିଲା ବେଳୁ ଆରମ୍ଭ କରି ଦିଅନ୍ତି । ସେଠାରେ ପହଞ୍ଚିବା ପରେ ସେମାନେ ସୁବାସିତ ଦ୍ରବ୍ୟ ଓ ସୁଗନ୍ଧିମାନଙ୍କ ଦ୍ଵାରା ସେ ପ୍ରତିମାକୁ ପୂଜା କରନ୍ତି –ଯେମିତି ଆମେ ଭଗବାନଙ୍କ ଦେହକୁ କରୁ । ଲୋକ ଗଦା ହୁଅନ୍ତି ଏହି ପ୍ରତିମାକୁ ଦର୍ଶନ କରିବାକୁ । କେହି କେହି ଶହେମାଇଲ ଦୂରରୁ ଆସିଥା’ନ୍ତି ଓ ଅନ୍ୟମାନେ ଆହୁରି ଦୂରରୁ ।

 

ଏହି ପ୍ରତିମାର ମନ୍ଦିର ଆଗରେ ଅଛି ଏକ ବିରାଟ ପୁଷ୍କରିଣୀ । ଏହା ମଧ୍ୟରୁ ତୀର୍ଥଯାତ୍ରୀମାନେ ବିପୁଳ ପରିମାଣରେ ସୁନା, ରୁପା ଓ ମୂଲ୍ୟବାନ ପଥର ନିକ୍ଷେପ କରନ୍ତି । ମନ୍ଦିରର ପୂଜକମାନେ ମନ୍ଦିର ଓ ପ୍ରତିମାର ମରାମତି ପାଇଁ ଏହା ମଧ୍ୟରୁ ମୂଲ୍ୟବାନ ବସ୍ତୁଗୁଡ଼ିକୁ ବାହାର କରନ୍ତି । ପ୍ରତିମାର ଅଭିଷେକ ଅଥବା ମନ୍ଦିରର ବାର୍ଷିକ ଉତ୍ସବ ସମୟରେ ସେଠାରେ ସାରା ଦେଶର ଲୋକ ମିଳିତ ହୁଅନ୍ତି । ସେମାନେ ଭକ୍ତିର ସହ ପ୍ରତିମାକୁ ରଥରେ ବସାନ୍ତି । ରଥକୁ ଦୂରଦୂରାନ୍ତରୁ ଅଣାଯାଇଥିବା ମୂଲ୍ୟବାନ କପଡ଼ା, ସୁନା ଅଳଙ୍କାର ଆଦିରେ ସଜାଯାଇଥାଏ । ରଥକୁ ଏକ ବିରାଟ ପଟୁଆରରେ ସହର ମଧ୍ୟରେ ବୁଲାଯାଏ । ପଟୁଆରର ଆଗରେ ଥାଆନ୍ତି ଦେଶର ସୁନ୍ଦରୀମାନେ । ସେମାନେ ଦୁଇ ଦୁଇ ହୋଇ ହାତଧରି ଆଗେଇ ଚାଲନ୍ତି । ସୁନ୍ଦରୀମାନଙ୍କ ପଛରେ ଥାଆନ୍ତି ତୀର୍ଥଯାତ୍ରୀ ।

 

ତାର୍ଥଯାତ୍ରୀମାନଙ୍କ ମଧ୍ୟରୁ କିଛି ଗଡ଼ିଯାଆନ୍ତି ରଥଚକ ତଳକୁ । ନିଜ ଉପରେ ରଥକୁ ଚଢ଼ାଇଦିଅନ୍ତି –ଯେପରି ସେମାନଙ୍କର ମୃତ୍ୟୁ ନିଶ୍ଟିତ ହୋଇଯିବ । ଆଉ କିଛି ନିଜ ହାତ, ଗୋଡ଼, ଛାତି, ପିଠି ଭାଙ୍ଗି ପକାନ୍ତି ରଥ ଚକା ତଳେ । ସେମାନେ ଏହା କରନ୍ତି ନିଜ ଭଗବାନଙ୍କ ପ୍ରତି ନିଜ ଭକ୍ତି ପାଇଁ । ସେମାନେ ଭାବନ୍ତି, ଯେତେ ଅଧିକ କଷ୍ଚ ଓ ଯନ୍ତ୍ରଣା ଏହି ଭଗବାନଙ୍କ ପାଇଁ ଭୋଗିବ ସେତେ ଅଧିକ ଆନନ୍ଦ ଆରପାରିରେ ପାଇବ । ଅଳ୍ପରେ କହିଲେ, ସେମାନେ ଯେତେ ଯନ୍ତ୍ରଣା ଓ ଆତ୍ମବଳି ନିଜ ପ୍ରତିମା ପାଇଁ ଦିଅନ୍ତି, ମୁଁ ଜାଣିବାରେ କୌଣସି ଖ୍ରୀଷ୍ଟିଆନ ଏହାର ଏକ ଦଶମାଂଶ ଆମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଇଁ ଦେବାକୁ ପଡ଼େନାହିଁ ।

 

ରଥ ଆଗରେ ଦେଶର ଅଗଣିତ ପୂଜକ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ସହ ନାନା ପ୍ରକାର ଶବ୍ଦ କରି ଚାଲନ୍ତି । ସହର ଶେଷଯାଏ ଗଲାପରେ ରଥ ପୁଣି ମନ୍ଦିରକୁ ଫେରେ । ପ୍ରତିମାକୁ ପୁଣି ଥରେ ମନ୍ଦିରରେ ପ୍ରତିଷ୍ଠା କରାଯାଏ । ପ୍ରତିମା ପ୍ରତି ଥିବା ପ୍ରେମ ଓ ଭକ୍ତିକୁ ନେଇ ହୁଏ ଏକ ବିରାଟ ଭୋଜି । ଏହି ଭୋଜି ପରେ ପ୍ରାୟ ୨୦୦ରୁ ୩୦୦ ଲୋକ ଧାରୁଆ ଛୁରୀ ଦ୍ଵାରା ଆତ୍ମହତ୍ୟା କରନ୍ତି ପ୍ରତିମା ଆଗରେ । ଲୋକମାନଙ୍କ ନଜରରେ ସେମାନେ ହୋଇଯାଆନ୍ତି ସନ୍ଥ । ସେମାନଙ୍କ ପରିଜନ ସେମାନଙ୍କୁ ପୂଜା କରନ୍ତି । ତଥାପି ମୋ ମତରେ ଆମର ସେମାନଙ୍କ ଅପେକ୍ଷା ଅଧିକ ସନ୍ଥ ଅଛନ୍ତି ।

 

ଏଠାରେ ଏକ ପ୍ରଥା ଅଛି । ଜଣେ ଏହି ଭଗବାନଙ୍କ ପ୍ରେମରେ ଆତ୍ମହତ୍ୟା କରିବାକୁ ଚାହିଁଲେ ନିଜର ସବୁ ବନ୍ଧୁବାନ୍ଧବ ଓ ଅନେକ ପୂଜକଙ୍କୁ ଡକାଇ ପଠାଏ । ସେମାନେ ସମସ୍ତେ ପ୍ରତିମା ନିକଟକୁ ଯାଆନ୍ତି । ସେ ନଗ୍ନ ହୋଇ ଏକ ଛୁରୀଦ୍ଵାରା ନିଜ ଦେହରୁ ବଡ଼ ବଡ଼ ମାଂସ ଖଣ୍ଡ କାଟି ପ୍ରତିମାର ମୁହଁଆଡ଼େ ଫୋପାଡ଼ି ଚାଲନ୍ତି । ଯେତେବେଳେ ଯାଏ ସେ ତଳେ ପଡ଼ି ମରି ନଯାଇଛନ୍ତି – ସେ ଯାଏ ମନ୍ତ୍ର ପଢ଼ି ଚାଲନ୍ତି । ତାଙ୍କ ବନ୍ଧୁବାନ୍ଧବ ତାଙ୍କ ଦେହକୁ ପ୍ରତିମାକୁ ଅର୍ପଣ କରନ୍ତି ଓ ପ୍ରାର୍ଥନା କରନ୍ତି ସାରା ସଂସାରକୁ ତ୍ୟାଗ କରିଥିବା ଏହି ବ୍ୟକ୍ତିକୁ ସ୍ଵର୍ଗରେ ସ୍ଥାନ ଦେବାକୁ-। ତା’ପରେ ନିଆଁରେ ସେ ଦେହକୁ ପୋଡ଼ି ପକାନ୍ତି । ପାଉଁଶକୁ ପବିତ୍ର ବସ୍ତୁ ଭାବେ ରଖନ୍ତି ଓ ଭାବନ୍ତି ଏହା ରଖିଥିବା ବ୍ୟକ୍ତିର କୌଣସି କ୍ଷତି ହେବନାହିଁ । ସେ ବ୍ୟକ୍ତିର ନାମକୁ ସନ୍ଥମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଏ ।’’

 

ଏହି ବିବରଣୀ ବା ବର୍ଣ୍ଣନା ପଢ଼ିଲେ, ଓଡୋରିକ୍‍ସ ହୁଅନ୍ତୁ କି ମାଣ୍ଡେଭିଲ୍-ଦୁହିଁଙ୍କ ଭିତରୁ କେହି କେବେ ପୁରୀ ଆସିଥିଲେ କି ନା ସେ ନେଇ ସନ୍ଦେହ ସୃଷ୍ଟି ହୁଏ । କାରଣ ସେମାନଙ୍କ ରଚନାରେ ଯେଉଁ ରଥଯାତ୍ରାର ବର୍ଣ୍ଣନା ମିଳେ, ପୁରୀ ରଥଯାତ୍ରା ସହିତ ତାହାର ସାମାନ୍ୟତମ ସାଦୃଶ୍ୟ ନାହିଁ । ପୁଣି ଅନେକ ଅଂଶରେ ତାହା ସମ୍ପୂର୍ଣ୍ଣ ଅବାସ୍ତବ । ପରବର୍ତ୍ତୀ କାଳରେ ମହମୁଦ ବିନ୍ ଅମିରଓ୍ଵାଲି ଓ ବହର୍‍ଉଲ୍ ଅସ୍ରାର (୧୬୨୬) ଏବଂ ଗୁଲାମ ହୁସେନ ସଲିମ (୧୭୩୬)ଙ୍କ ପରି ପିତୁଳାପୂଜା ବିରୋଧୀ ବିଦେଶୀ ମୁସଲମାନ ପରିବ୍ରାଜକ ଅବଶ୍ୟ ପୁରୀ ଆସିଛନ୍ତି, କିନ୍ତୁ ସେମାନେ ଓଡୋରିକସ୍ ବା ମାଣ୍ଡେଭିଲ୍‍ଙ୍କ ପରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ବୀଭତ୍ସ ରୂପରେ ଚିତ୍ରିତ କରି ୟୁରୋପୀୟମାନଙ୍କ ମନରେ ଭାରତ ପ୍ରତି ଘୃଣାଭାବ ସୃଷ୍ଟି କରିବାର ଉଦ୍ୟମ କରିନାହାନ୍ତି । ଏପରିକି ପ୍ରାୟ ୩୦୦ ବର୍ଷ ପରର ବ୍ରୁଟନ୍‍ଙ୍କ ରଚନାରେ ରଥ ଓ ଜଗନ୍ନାଥଙ୍କର ଯେଉଁ ବର୍ଣ୍ଣନା ରହିଛି, ତାହା ମଧ୍ୟ ସମ୍ପୂର୍ଣ୍ଣ କାଳ୍ପନିକ । କାରଣ ଜଗନ୍ନାଥଙ୍କ ବିଗ୍ରହ କେବେ ବି ସପ୍ତଫଣୀ ବା ସର୍ପ ପରି ନଥିଲା । ତଥ୍ୟ କହେ, ବ୍ରୁଟନ୍ ପୁରୀ ଆସିଥିଲେ ନଭେମ୍ବରରେ । ପୁରୀ ରଥଯାତ୍ରା ହୁଏ ଜୁନ୍ ଜୁଲାଇରେ । ତେଣୁ ରଥ ବେଳକୁ ବ୍ରୁଟନ୍ ପୁରୀ ଆସିଥିବାର ପ୍ରମାଣ ମଧ୍ୟ ନାହିଁ । ସେମିତି, ମାଣ୍ଡେଭିଲ୍‍ଙ୍କ ସମ୍ପର୍କରେ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା କହେ ଯେ ମାଣ୍ଡେଭିଲ୍ ବୋଲି କେବେ କେହି ନ ଥିଲେ କି ନା ତାହା ସଂଶୟାଚ୍ଛନ୍ନ । ‘ଦି ଭୟେଜେସ ଆଣ୍ଡ୍ ଟ୍ରାଭେଲସ୍ ଅଫ୍ ସାର୍ ଜନ୍ ମାଣ୍ଡେଭିଲ୍’ ନାଆଁରେ ଯେଉଁ ଭ୍ରମଣ ବୃତ୍ତାନ୍ତ ପ୍ରକାଶ ପାଇଛି ତାହା ପ୍ରକୃତରେ ବିଭିନ୍ନ ପର୍ଯ୍ୟଟକଙ୍କ ଭ୍ରମଣ ବୃତ୍ତାନ୍ତର ଏକ ସଂଗ୍ରହ ମାତ୍ର ।

 

ବ୍ରୁଟନ୍‍ଙ୍କ କଥିତ ପୁରୀ ଭ୍ରମଣ ଓ ରଥଯାତ୍ରା ଦର୍ଶନର ମାତ୍ର ଦୁଇବର୍ଷ ପରେ, ୧୬୩୬ରେ ଆଉ ଜଣେ ବିଦେଶୀ ମିଶନାରୀ ପୁରୀ ଆସିଥିବା ଜଣାଯାଏ । ସେ ଥିଲେ ପର୍ତ୍ତୁଗାଲର ପାଦ୍ରୀ ସେବାଷ୍ଟିନ୍ ମନରିକ୍ ।

 

ପିପିଲି ବାଟେ ପୁରୀ ପହଞ୍ଚିଥିବା ମନରିକ୍‍ଙ୍କୁ ବି ଘାରିଥିଲା ଓଡୋରିକସ୍, ମାଣ୍ଡେଭିଲ୍ ଓ ବ୍ରୁଟନ୍‍ଙ୍କ ରୋଗ । ସେ ବି ତାଙ୍କ ବର୍ଣ୍ଣନାରେ ଯୀଶୁଙ୍କୁ ବଡ଼ ଓ ଜଗନ୍ନାଥଙ୍କୁ ଛୋଟ କରି ଦେଖାଇବାକୁ ଉଦ୍ୟମ କରିଥିଲେ । ଶ୍ରୀମନ୍ଦିରର ରତ୍ନ ବେଦୀରେ ବିରାଜମାନ ଜଗନ୍ନାଥଙ୍କୁ ସେ ଏକ ବିରାଟ ଓ ବିକଟାଳ ଏକପାଦ ବିଗ୍ରହ ଭାବରେ ବର୍ଣ୍ଣନା କରିଛନ୍ତି । ପୌତ୍ତଳିକତା ବିରୋଧୀ ପାଦ୍ରୀ ସେବାଷ୍ଟିନ୍ ମନରିକ୍ ଜଗନ୍ନାଥଙ୍କ ବିଗ୍ରହ କାହିଁକି ଏକପାଦ ତାହାର ଏକ କାଳ୍ପନିକ କାହାଣୀ ବି ବଖାଣିଛନ୍ତି । ସେହି କାହାଣୀ ହେଉଛି-ଥରେ ସ୍ଵର୍ଗରେ ଗୋଟିଏ ଭୋଜି ସଭା ହେଉଥିଲା । ସେହି ଭୋଜି ସଭାରେ ଯୋଗଦେଇ ଜଗନ୍ନାଥ ଏପରି ଭାବରେ ଖାଇବା ଆରମ୍ଭ କରିଦେଲେ ଯେ ଯୀଶୁ ସେଥିରେ କ୍ଷୁବ୍ଧ ହୋଇ ତାଙ୍କୁ ସ୍ଵର୍ଗରୁ ତଳକୁ ଫିଙ୍ଗିଦେଲେ । ଫଳରେ ଜଗନ୍ନାଥଙ୍କର ଗୋଟିଏ ଗୋଡ଼ ଭାଙ୍ଗିଗଲା । ସେହିଦିନଠୁ ସେ ଏକପାଦ ହୋଇଗଲେ । ଏ ପ୍ରସଙ୍ଗରେ ଏତିକି କେବଳ କୁହାଯାଇପାରେ ଯେ ଯେଉଁ ଯୀଶୁ କ୍ରୁଶବିଦ୍ଧ ହେବାବେଳେ ବି କହିଥିଲେ ହେ ପ୍ରଭୁ, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ’ଣ କରୁଛନ୍ତି ତାହା ତାଙ୍କୁ ଜଣାନାହିଁ – ସେ ଯେ କେବେ ଆଉ କାହାକୁ ତଳକୁ ଫିଙ୍ଗିଦେବେ ଏହା କେହି ନୈଷ୍ଠିକ ଖ୍ରୀଷ୍ଟିଆନ ବି କେବେ ବିଶ୍ଵାସ କରିବ ନାହିଁ ।

 

ଶ୍ରୀଜଗନ୍ନାଥଙ୍କର ଓ ପୁରୀର ରଥଯାତ୍ରା ସମ୍ପର୍କରେ ବର୍ଣ୍ଣନାତ୍ମକ ବିବରଣୀ ଦେଇଥିବା ଆଉ ଜଣେ ବିଦେଶୀ ହେଉଛନ୍ତି ଫ୍ରାଙ୍କୋଇସ୍ ବର୍ଣ୍ଣିୟର । ୧୬୭୧ ମସିହାର ରଥଯାତ୍ରା ବେଳକୁ ସେ ପୁରୀରେ ଥିବା ଜଣାଯାଏ । ତେବେ ବ୍ରୁଟନ୍‍ଙ୍କ ପରି ସେ ଜଗନ୍ନାଥଙ୍କୁ ‘ଜଗର୍ନଟ’ କହିନାହାନ୍ତି । ତାଙ୍କ ଲେଖାର ଜଗନ୍ନାଥ ହେଉଛନ୍ତି ‘ଜଗନ୍ନାଟ୍’ (Jagannat) । ବର୍ଣ୍ଣିୟରଙ୍କ ଦୃଷ୍ଟିରେ ୧୪ ବା ୧୬ ଚକ ବିଶିଷ୍ଟ କାଠରଥର ଯାତ୍ରା ହେଉଛି ‘ନର୍କର ଜୟଯାତ୍ରା’ ଏବଂ ରଥ ଉପରେ ଅଙ୍କିତ କାରୁକାର୍ଯ୍ୟ ଭୂତ ପ୍ରେତାଦିଙ୍କର ଚିତ୍ରରୂପ । ଏଲ.ଏସ.ଏସ.ଓ ମାଲୀଙ୍କ ‘ବେଙ୍ଗଲ ଡିଷ୍ଟ୍ରିକ୍ଟ ଗେଜେଟିୟର’ର ପୁରୀ ପ୍ରସଙ୍ଗ (୧୯୦୮ ସଂସ୍କରଣ, ପୃ-୧୦୮)ରେ ବର୍ଣ୍ଣିୟରଙ୍କ ବର୍ଣ୍ଣନା ପର୍ଯ୍ୟାୟରେ ରଥଚକ ତଳେ ଭକ୍ତଗଣଙ୍କର ଆତ୍ମାହୁତି କଥା ଲେଖାଅଛି । ସେ କହିଛନ୍ତି, “ସେମାନଙ୍କ (ଭକ୍ତଗଣଙ୍କ) ଅନୁସାରେ ଏହି ଆତ୍ମାହୁତି ଠାରୁ ଅଧିକ ବୀରୋଚିତ ଓ ମହତକାର୍ଯ୍ୟ ଆଉ କିଛି ନାହିଁ; ଏହାର ଶିକାର ମାନେ ବିଶ୍ଵାସ କରନ୍ତି ଯେ ଏହା ଫଳରେ ଜଗନ୍ନାଥ ସେମାନଙ୍କୁ ନିଜର ସନ୍ତାନ ରୁପେ ଗ୍ରହଣ କରିବେ ଏବଂ ଏକ ମହିମ୍ନ ଓ ଆନନ୍ଦଦାୟକ ଦୁନିଆଁରେ ପୂନର୍ଜନ୍ମ ଦେବେ ।’’

 

ଏହାର ଦୀର୍ଘ ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ, ଆଲେକଜାଣ଼୍ଡାର ହାମିଲଟନ ନାମକ ଅନ୍ୟ ଜଣେ ଇଂରେଜ ମଧ୍ୟ ବ୍ରୁଟନ୍ ଓ ବର୍ଣ୍ଣିୟରଙ୍କ ପରି କିଂଭୂତ କିମାକାର ବର୍ଣ୍ଣନା ଦେବାରୁ ବିରତ ହୋଇ ନଥିବା ଦେଖାଯାଏ । ଏହାର ବିଶଦ ବିବରଣୀ ମିଳେ ମାଲୀଙ୍କ ଗେଜେଟିୟରର ପୃ୧୦୮ ଓ ୧୦୯ରୁ । ହାମିଲଟନ୍ ଙ୍କ ଅନୁସାରେ- “ଜଗନ୍ନାଥଙ୍କ ରଥ ଚାରିମହଲା ବିଶିଷ୍ଟ ଏବଂ ଏଥିରେ ତାଙ୍କର ପ୍ରତୀକାତ୍ମକ ପ୍ରତିକୃତି (effigy) ଥାଏ । ଏହାକୁ ପ୍ରାୟ ୨୦୦୦ ହଜାର ଲୋକ ଟାଣନ୍ତି । ରଥଟଣା ହେବା ହେବାବେଳେ ଭକ୍ତମାନେ ପ୍ରବଳ ଉତ୍ସାହରେ ମାଟି ଉପରେ ଚିତ୍ ହୋଇ ଶୋଇଯାଆନ୍ତି- ଯେମିତିକି ରଥ ଚକ ତାଙ୍କୁ ଖଣ୍ଡ ଖଣ୍ଡ କରିଦେଇ ଆଗେଇଯିବ’’ । ଠିକ୍ ଏହି କାରଣ ଦର୍ଶାଇ ଥୋମାସ୍ ବୋରେ ନାମକ ଆଉ ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ମଧ୍ୟ ଶ୍ରୀଜଗନ୍ନାଥଙ୍କ ରଥକୁ ଏକ ‘ପୈଶାଚିକ ଯାନ’ ରୂପେ ବର୍ଣ୍ଣନା କରିଛନ୍ତି । ଏହି ଧାରାରେ ଆଉ ପାଦେ ଆଗକୁ ଯାଇ ରବର୍ଟ ସାଉଥ୍ ନାମକ ଜଣେ କବି ୧୮୦୯ରେ ଏକ ନିନ୍ଦନୀୟ କବିତା ବି ଲେଖିଛନ୍ତି । ସେଥିରେ ସେ ବର୍ଣ୍ଣନା କରିଛନ୍ତି, ରଥଚକ ତଳେ ପେଷି ହୋଇଯାଉଥିବା ଲୋକଙ୍କର ଯନ୍ତ୍ରଣା । କରୁଣାମୟ ଶ୍ରୀଜଗନ୍ନାଥ ତାଙ୍କ କବିତାରେ ପରିଣତ ହୋଇଯାଇଛନ୍ତି ବ୍ରୁଟନ୍‍ଙ୍କ ‘ଜଗର୍ନଟ’ରେ ।

 

ଏସବୁରୁ ସ୍ପଷ୍ଟ ଯେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଓ ତାଙ୍କ ରଥଯାତ୍ରା ଓ ରଥ ସମ୍ପର୍କରେ ୧୬୩୮ରେ ବ୍ରୁଟନ୍ ଯେଉଁ ବିଭ୍ରାନ୍ତିର ବିଷ-ବୀଜ ବପନ କରିଥିଲେ, ପରବର୍ତ୍ତୀ ପ୍ରାୟ ଦୁଇଶତାବ୍ଦୀ ମଧ୍ୟରେ ଅନ୍ୟ ୟୁରୋପୀୟମାନେ ତାହାକୁ ନିଜର ଅସୂୟା, ଦ୍ଵେଷ ଓ ଅପପ୍ରଚାର ଦ୍ଵାରା ଅଙ୍କୁରିତ ଓ ପଲ୍ଲବିତ କରିଦେଇଥିଲେ । ଫଳରେ ପରବର୍ତ୍ତୀ ଦୁଇଶହ ବର୍ଷ ମଧ୍ୟରେ ତାହା ଏକ ବିରାଟ ବିଷ-ବୃକ୍ଷର ରୂପ ନେଇଥିଲା । ପରବର୍ତ୍ତୀ କାଳରେ ତାହାକୁ ପୁଷ୍ପିତ ଓ ଫଳାନ୍ଵିତ କରିବାର ସମସ୍ତ ପ୍ରୟାସ କରିଥିଲେ ଖ୍ରୀଷ୍ଟିଆନ ମିଶନାରୀମାନେ ।

 

ଏଇଠି ଉଲ୍ଲେଖ ଆବଶ୍ୟକ ଯେ ଇଂରେଜମାନେ ଓଡ଼ିଶା ଅଧିକାର କଲେ ୧୮୦୩ରେ-। କିନ୍ତୁ ସେମାନେ ଖ୍ରୀଷ୍ଟିଆନ ହେଲେ ମଧ୍ୟ ଦୀର୍ଘ କାଳ ଧରି ଓଡ଼ିଶାବାସୀଙ୍କର ଧର୍ମଧାରଣା ଓ ଭଗବତ୍ ବିଶ୍ଵାସ ଉପରେ ହସ୍ତକ୍ଷେପ କରିନଥିଲେ । କାରଣ, ସେମାନଙ୍କର ମୂଳ ଲକ୍ଷ ଥିଲା ଉପନିବେଶ ପ୍ରତିଷ୍ଠା ଓ ବ୍ୟବସାୟ ବୃଦ୍ଧି । ସେଥିପାଇଁ ୧୮୦୫ରେ କର୍ଣ୍ଣେଲ ହାରକୋଟ୍ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖି ସେଥି ମଧ୍ୟରେ ସହ୍ନିହିତ ପରମ୍ପରାର ସଂରକ୍ଷଣକୁ ମୁକ୍ତକଣ୍ଠରେ ପ୍ରଶଂସା କରିଥିଲେ । ମାତ୍ର ପରବର୍ତ୍ତୀ କାଳରେ ଖ୍ରୀଷ୍ଟିଆନ୍ ମିଶନାରୀମାନେ ପ୍ରେକ୍ଷାପଟରେ ପ୍ରବେଶ କଲେ । ସେମାନେ ଖୁବ୍ ଭଲ ଭାବରେ ବୁଝିଥିଲେ ଯେ ତେତିଶକୋଟି ଦେବାଦେବୀଙ୍କ ସହ ଓଡ଼ିଶାର ସଂଖ୍ୟାଧିକ ହିନ୍ଦୁ ଏପରି ଗଭୀର ବିଶ୍ଵାସର ବନ୍ଧନରେ ବନ୍ଧା ଯେ ସେମାନଙ୍କ ମାନସିକତା ବା ପ୍ରତ୍ୟୟର ପରିବର୍ତ୍ତନ କରି ସେମାନଙ୍କ ମନରେ ଖ୍ରୀଷ୍ଟଧର୍ମର ବୀଜବପନ କରିବା ସର୍ବାଦୌ ଅସମ୍ଭବ । ତେଣୁ ଖ୍ରୀଷ୍ଟଧର୍ମର ପ୍ରଚାର ପ୍ରସାର ପାଇଁ ସେମାନଙ୍କ ହିନ୍ଦୁଙ୍କ ପିତୁଳାପୂଜା ପ୍ରଥା ଓ ଅନ୍ଧବିଶ୍ଵାସକୁ ନିନ୍ଦା ଓ ବିରୋଧ କରିବା ଆରମ୍ଭ କଲେ । ସ୍ଵାଭାବିକ ଭାବରେ ସେଥିରେ ଶ୍ରୀଜଗନ୍ନାଥ ହିଁ ପ୍ରଥମ ଓ ପ୍ରମୁଖ ଶରବ୍ୟ ହୋଇଥିଲେ । ଓଡ଼ିଶାରେ ଧର୍ମପ୍ରଚାର କରିଥିବା ଖ୍ରୀଷ୍ଟିଆନ ପାଦ୍ରୀ ରେଭରେଣ୍ଡ ବୁଚାନନ, ରେଭରେଣ୍ଡ ଜେମସ୍ ପେଗସ୍ ସେଥିପାଇଁ ଶ୍ରୀଜଗନ୍ନାଥ ଚେତନାର ଆସାରତା ବିଭିନ୍ନ ଭାବରେ ପ୍ରତିପାଦିତ କରିବାକୁ ଉଦ୍ୟମ କଲେ । ଏ ପ୍ରସଙ୍ଗରେ ଅନ୍ୟ ଜଣେ ପ୍ରମୁଖ ପାଦ୍ରୀ ଏଫ.ବି. ଲରିଙ୍କ ପୁସ୍ତକ “Orissa the garden of Superstition and Idolatry’ ଉଲ୍ଲେଖନୀୟ । ଏ ପର୍ଯ୍ୟାୟରେ ସେମାନଙ୍କର ମୁଖ୍ୟ ଶରବ୍ୟ ଥିଲେ ଶ୍ରୀଜଗନ୍ନାଥ । କାରଣ ସେ ଥିଲେ ଓଡ଼ିଶାର ରାଷ୍ଟ୍ର ଦେବତା ଏବଂ ତାଙ୍କୁ ନେଇ ଏକ ଦୃଢ଼ ବନ୍ଧନରେ ଆବଦ୍ଧ ଥିଲା ଓଡ଼ିଶା । ସେ ଥିଲେ ହିନ୍ଦୁ ଧାର୍ମିକ ପ୍ରତ୍ୟୟର ପରମ ପ୍ରତିଭୂ-ପୁରୁଷୋତ୍ତମ; ଓଡ଼ିଶାବାସୀଙ୍କର ଅସ୍ମିତାର ବିଗ୍ରହୀଭୂତ ରୂପ । କେବଳ ସେତିକି ନୁହେଁ, ଶ୍ରୀଜଗନ୍ନାଥଙ୍କ ସମନ୍ଵୟୀ ସଂସ୍କୃତିର ସୂତ୍ରରେ ସମଗ୍ର ଭାରତ ଭୂଖଣ୍ଡର ବିଭିନ୍ନ ଧର୍ମଧାରା ମଧ୍ୟ ସମନ୍ଵିତ ଥିଲା । ତାଙ୍କୁ ନେଇ ସାରା ଭାରତବର୍ଷ ଥିଲା ଏକତ୍ଵର ଦୃଢ଼ ବନ୍ଧନରେ ଆବଦ୍ଧ ।

 

ଖ୍ରୀଷ୍ଟିଆନ ମିଶନାରୀଙ୍କ ପରି ଇଂରେଜ ସରକାର ମଧ୍ୟ ଖୁବ୍ ଭଲଭାବରେ ଏହା ଅନୁଭବ କରିଥିଲେ । ତେଣୁ ସେମାନେ ଏହା ଉପରେ ଖ୍ରୀଷ୍ଟଧର୍ମକୁ ଲଦିଦେବାକୁ ଚାହୁଁ ନ ଥିଲେ । କାରଣ ସେମାନେ ଜାଣିଥିଲେ ଯେ ଏହା କଲେ ସେମାନଙ୍କ ବିରୋଧରେ ହିଁ ଉଠିବ ତୀବ୍ର ବିଦ୍ରୋହର ସ୍ଵର-

 

ସେତେବେଳେ ଓଡ଼ିଶାର ଗଭର୍ଣ୍ଣର ଜେନେରାଲ ଥିଲେ ଲର୍ଡ ଓ୍ଵେଲସେଲି । ଏହାକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ଓ ତାଙ୍କ ସେବକମାନଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ ନିମନ୍ତେ ସେ ଲେଫଟନାଣ୍ଟ କଲୋନେଲ୍ କାମ୍ପବେଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରତା ଯେପରି ରକ୍ଷା କରାଯାଏ ଏବଂ ପାରମ୍ପରିକ ରୀତିନୀତି ଯେପରି ସୁବ୍ୟବସ୍ଥିତ ହୁଏ, ସେ ଦିଗରେ ଧ୍ୟାନ ଦେବା ନିର୍ଦ୍ଦେଶର ଅନ୍ତର୍ଭୁକ୍ତ ଥିଲା ।

 

କିନ୍ତୁ ଖ୍ରୀଷ୍ଟିଆନ୍ ମିଶନାରୀମାନେ ଇଂରେଜ ସରକାରଙ୍କର ଏହି ଆଚରଣକୁ ତୀବ୍ର ବିରୋଧ କଲେ । କାରଣ ସେମାନେ ଜାଣିଥିଲେ, ଜଗନ୍ନାଥଙ୍କ ମହତ୍ତ୍ଵ କ୍ଷୁର୍ଣ୍ଣ ନ ହେଲେ ସେମାନଙ୍କର ଖ୍ରୀଷ୍ଟଧର୍ମ ପ୍ରସାର ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ ।

 

ଆଜିପରି ସେତେବେଳେ ବି ପୁରୀର ରଥଯାତ୍ରା ଥିଲା ଭାରତବର୍ଷର ପ୍ରମୁଖ ଉତ୍ସବ । ଆଜିପରି ସେତେବେଳେ ବି ବହୁ ଭକ୍ତ ସେହି ଉତ୍ସବ ପାଇଁ ପୁରୀ ଛୁଟି ଆସିଥିଲେ । ତେଣୁ ଖ୍ରୀଷ୍ଟିଆନ ମିଶନାରୀମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଲା, ଶ୍ରୀଜଗନ୍ନାଥ ଓ ତାଙ୍କର ରଥଯାତ୍ରାକୁ ବିରୋଧ କରିବା । ତେଣୁ ସେମାନେ ବ୍ରୁଟନ୍‍ଙ୍କ ବିଷବୃକ୍ଷକୁ ପୁଷ୍ପିତ କରିବାରେ ଲାଗିପଡ଼ିଲେ । କ୍ଲାଉଡିୟସ ବୁଚାନନ୍, ଆମସ୍ ସଟନ, ଜେ.ଏଚ.ହାରିଙ୍ଗଟନ ଆଦି ଏ ଦିଗରେ ନେଲେ ଅଗ୍ରଣୀ ଭୂମିକା ।

 

ଦୁର୍ଯ୍ୟୋଗକୁ ସେତେବେଳେ ପୁରୀକୁ ଗମନାଗମନର ପ୍ରାୟ କୌଣସି ବ୍ୟବସ୍ଥା ନଥିଲା । ଓଲାଉଠା (ହଇଜା) ରୋଗର ପ୍ରାଦୁର୍ଭାବ ବି ଥିଲା । ଏହାକୁ ସେମାନେ ଅତିରଞ୍ଜିତ କରି ପ୍ରଚାର କରିବାରେ ଲାଗିଲେ । ଏମିତି ଜଣେ ମିଶନାରୀ ହେଉଛନ୍ତି ରେଭରେଣ୍ଡ କ୍ଲାଉଡିୟସ୍ ବୁଚାନନ୍ । ‘Orissa and its Evangelisation’ ପୁସ୍ତକରେ ବୁଚାନନ୍‍ଙ୍କ ବକ୍ତବ୍ୟର ଉଦ୍ଧାର କରିଛନ୍ତି ମିଶନାରୀ ଆମସ୍ ସଟନ୍ । ସେଥିରେ ଉଲ୍ଲେଖ ଅଛି- “ମନ୍ଦିରକୁ ଯିବା ବାଟରେ ଏତେ ସଂଖ୍ୟାରେ ଯାତ୍ରୀ ମରନ୍ତି ଯେ ଦୀର୍ଘ ୫୦ ମାଇଲ ବ୍ୟାପୀ କେବଳ ହାଡ଼ମାଳ ହିଁ ବିଛାଇ ହୋଇ ପଡ଼ିବା ଦେଖାଯାଏ । ଶହ ଶହ ବୁଢ଼ାବୁଢ଼ୀ ପ୍ରତିବର୍ଷ ହଜାର ହଜାର ମାଇଲ ବାଟ ଚାଲି ଚାଲି ଆସନ୍ତି ଖାଲି ମରିବା ପାଇଁ । ଶହ ଶହ ଶବ ସଂସ୍କାର ନହୋଇ ପାରି ପଡ଼ିରହେ-ଆଉ କୁକୁର, ବିଲୁଆ ଓ ଶାଗୁଣାଙ୍କର ଆହାର ହୁଏ ।’’

 

ବୁଚାନନ୍ ତାଙ୍କର ବକ୍ତବ୍ୟରେ ଜଗନ୍ନାଥଙ୍କୁ ‘ଜୁଗରନଟ୍’ ବଳରାମଙ୍କୁ ‘ବୋଲୋରାମ’, ଓ ସୁଭଦ୍ରାଙ୍କୁ ‘ସୁବୁଦ୍ରା’ ବୋଲି ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, “କାଠଗଣ୍ଡିରେ ଗଢ଼ା ଏ ତିନିହେଁ ଯେତେବେଳେ ତାଙ୍କ ପାଗୋଡ଼ା ପରି ରଥରେ ଟଣାହୋଇ ଯାଆନ୍ତି, ସେତେବେଳେ ରଥର ଚକାଗୁଡ଼ିକ ରକ୍ତରେ ଲାଲ ହୋଇଯାଏ । କାରଣ ରଥ ଚାଲୁଥିବା ବେଳେ (ସେମାନେ) ଚକା ଆଗକୁ ଡେଇଁ ଆତ୍ମାହୁତି ଦିଅନ୍ତି । ସେମାନଙ୍କର ଶରୀରକୁ ନୃଶଂସ ଭାବେ ଦଳିମନ୍ଥି ଏହି ବିଧ୍ଵଂସକାରୀ ରଥ ଏକ ଅତିକାୟ ଦାନବ ପରି ଆଗେଇଚାଲେ ।’’

 

ଇତିହାସ କହେ, ଗୋଟିଏ ପଟେ ଖ୍ରୀଷ୍ଟିଆନ ମିଶନାରୀମାନଙ୍କର ଏପରି ଅପପ୍ରଚାର ଚାଲିଥିବା ବେଳେ ଅନ୍ୟପଟେ ଘଟିଥିଲା ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା । ବୁଚାନନଙ୍କ ତୀବ୍ର ଆକ୍ରମଣ ଫଳ ସ୍ଵରୂପ ୧୮୧୬ରେ ଇଂଲଣ୍ଡରେ ବାପଟିଷ୍ଟ ମିଶନାରୀମାନଙ୍କର ଏକ ସମିତି ଗଠିତ ହୋଇଥିଲା । ସେମାନେ ରଥଚକା ତଳେ ଲୋକଙ୍କର ଆତ୍ମାହୁତି କଥାଟିକୁ ଅତିରଞ୍ଜିତ କରି ପ୍ରଚାର କରିବାରେ ଲାଗିଲେ । ଫଳରେ ପାଶ୍ଚାତ୍ୟ ଜଗତରେ ‘ଜଗନର୍ଟ’ (Juggernaut) ଶବ୍ଦଟି ଏକ ଆତଙ୍କ ଓ ନିପୀଡ଼ନର ରୂପକଳ୍ପ ପାଲଟିଗଲା ।

 

‘ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ନାଲ’ (OHRJ- Vol. XXXIV, No 1 and 2, 1988) ରେ କେ.କେ ଦାଶ ଏ ସମ୍ପର୍କରେ ଏକ ସ୍ଵତନ୍ତ୍ର ନିବନ୍ଧ ଲେଖିଛନ୍ତି । ‘ଓରିଶା ରିଭ୍ୟୁ’’ ପତ୍ରିକାର ଜୁନ୍ –ଜୁଲାଇ ୧୯୮୬ ସଂଖ୍ୟାରୁ ଉଦ୍ଧାର କରି, କ୍ଲାଉଡିୟସଙ୍କ ବର୍ଣ୍ଣନାର ଉଲ୍ଲେଖ କରି ସେ କହିଛନ୍ତି- “ଯେତେବେଳେ ରଥଚକ ଭକ୍ତମାନଙ୍କର ରକ୍ତ ପିଉଥାଏ, ସେତେବେଳେ ବୋଲୋରାମ ଓ ସୁବୁଦ୍ରାଙ୍କ ମଝିରେ ବସିଥିବା ଜଗନର୍ଟଙ୍କ ମୂର୍ତ୍ତି ଖୁସିରେ ଟହଟହ ହୋଇ ହସୁଥାଏ ।’’ (The idol is said to laugh with joy when the wheels of his car drink the blood of the devotee) ।

 

ମିଶନାରୀ ଆମ୍‍ସ ସଟନ୍‍ଙ୍କ ପୁସ୍ତକରେ ୧୮୨୭ମସିହାର ପୁରୀ ରଥଯାତ୍ରା ସମ୍ପର୍କରେ ବର୍ଣ୍ଣନା ମିଳେ । ସେହି ବର୍ଣ୍ଣନାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ମନ୍ତବ୍ୟ ଦେଇ ସେ ଏହାକୁ “ନିପୀଡ଼ନକାରୀ ଓ ସ୍ଖଳିତ ଚରିତ୍ରର ମୂର୍ତ୍ତିମନ୍ତ ପ୍ରଦର୍ଶନୀ” ବୋଲି କହିଛନ୍ତି । ଉଲ୍ଲେଖନୀୟ ଯେ ୧୮୨୭ର ରଥଯାତ୍ରା ବେଳକୁ ଆମ୍‍ସ ସଟନ ପୁରୀରେ ଅବସ୍ଥାପିତ ଥିଲେ । ରଥଯାତ୍ରାରେ ଡାହୁକମାନଙ୍କର ଅଶ୍ଲୀଳ ବୋଲିକୁ ସେ ବିରୋଧ କରିଛନ୍ତି । ‘ଇଣ୍ଡିଆନ୍ କ୍ରାଏଜ୍ ଟୁ ବ୍ରିଟିଶ୍ ହ୍ୟୁମାନି’ଟି ପୁସ୍ତକର ୧୨୭ ଓ ୧୨୮ ପୃଷ୍ଠାରେ ଆମ୍‍ସ ସଟନ୍‍ଙ୍କ ଅନୁଭୂତିର ବର୍ଣ୍ଣନା ଦେଇଛନ୍ତି ଜେମ୍‍ସ ପେଗ୍‍ସ । ସେହି ସ୍ମୃତି-ଲେଖରେ ଆମ୍‍ସ ସଟ୍‍ନ ଲେଖିଛନ୍ତି, “ମୁଁ ଜଣଙ୍କୁ ପଚାରିଲି- ଏସବୁ କ’ଣ ?” ସେ କହିଲେ “ଏ ସବୁ ଅଭଦ୍ର ଗୀତ । ଏହା ଜଗନ୍ନାଥଙ୍କୁ ଆନନ୍ଦ ଦିଏ ।’’

 

ସେହିପରି ମିଶନାରୀ କେ.ଏଚ. ହାରିଙ୍ଗଟନ୍ ଲେଖିଛନ୍ତି, “ଜଗର୍ନଟ ହେଉଛି ପାପ ଓ ଦୁର୍ଗତିର ଏକ ଅସରନ୍ତି ଉତ୍ସ । ଆମ ଖ୍ରୀଷ୍ଟଧର୍ମାବଲମ୍ଵୀ ଜାତି (ଇଂରେଜ ସରକାର) ଯେଉଁଦିନ ନିଜର ସବୁ ସମ୍ପର୍କ ଏହାଠୁଁ ଛିନ୍ନ କରିବ, ସେଇ ଦିନଟି ହେବ ଆମ ପାଇଁ ସବୁଠୁ ସୁଖର ଦିନ ।“(ହାରିଙ୍ଗ୍‍ଟନ୍‍ସ ଆନାଲିସିସ୍, ସଂଖ୍ୟା-୩)

 

ପରିଶେଷରେ ଏହି ମିଶନାରୀମାନଙ୍କ ପାଇଁ ଆସିଥିଲା ସେଇ ସୁଖର ଦିନ । କ୍ରମାଗତ ଭାବରେ ବାପନିଷ୍ଟ ମିଶନାରୀମାନେ ସରକାରଙ୍କ ଉପରେ ଯେଉଁ ଚାପ ପକାଇ ଚାଲିଥିଲେ, ତାହାର ଘଟିଲା ଚରମ ପରିପ୍ରକାଶ । ଏକ ଖ୍ରୀଷ୍ଟିଆନ୍ ସରକାର ହୋଇ ମଧ୍ୟ ସରକାର ହିନ୍ଦୁ ପିତୁଳା ପୂଜାର ସମର୍ଥକ ସାଜିଛି ବୋଲି ସେମାନେ ଇଷ୍ଟଇଣ୍ଡିଆ କମ୍ପାନୀର କୋର୍ଟ ଅଫ୍ ଡିରେକ୍ଟର୍ସ ନିକଟରେ ଫେରାଦ ହେଲେ । ତୀର୍ଥଯାତ୍ରୀଙ୍କ ଉପରେ କର ବସାଇ ସରକାର ପିତୁଳା ପୂଜାକୁ ପ୍ରକାରାନ୍ତରେ ସମର୍ଥନ କରୁଛନ୍ତି ବୋଲି ସେମାନେ ସେଥିରେ ଦର୍ଶାଇ ଥିଲେ, “ଆମେ କ’ଣ ସତରେ ଏତେ ଶଙ୍କାଗ୍ରସ୍ତ ଯେ ଯେଉଁମାନେ ରଥଚକ ତଳେ ନିଜର ଅସ୍ଥି ଉଜେଇଁ ଦେବାକୁ ଆସୁଛନ୍ତି- ସେମାନେ ବିଦ୍ରୋହ କରିବେ ଆଉ ଆମଠୁଁ ଆମର ସାମ୍ରାଜ୍ୟ ଛଡ଼େଇ ନେବେ ?” ବାପନିଷ୍ଟ ମିଶନ ସମ୍ପର୍କରେ ଏକ ଇତିହାସପୁସ୍ତକ (ହିଷ୍ଟ୍ରି ଅଫ୍ ଜେନେରାଲ ବାପନିଷ୍ଟ ମିଶନ, ପୃ୧୪୬) କହେ, “ସେହି ଖ୍ରୀଷ୍ଟିଆନମାନେ ସେତେବେଳେ ପଣ କରିଥିଲେ, ଜଗର୍ନଟର- ସେଇ ବିରାଟ, ସେଇ ଅଭଦ୍ର, ସେଇ ରକ୍ତସ୍ନାତ ଜଗର୍ନଟର ପତନ ପାଇଁ ସେମାନଙ୍କର, ସଂଗ୍ରାମ ଯେତେ ଦୀର୍ଘ ହେଉ ପଛେ ଜାରି ରହିବ ।“

 

‘ଖ୍ରୀଷ୍ଟିଆନ ରିସର୍ଚ୍ଚେସ୍’ (ପୃ-୪୯) କହେ, ସେହି ଫେରାଦନାମାକୁ ନେଇ ସେତେବେଳେ ଇଂଲଣ୍ଡରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସରକାର କାହିଁକି ଏସବୁକୁ ବରଦାସ୍ତ କରୁଛନ୍ତି ବୋଲି ଆକ୍ଷେପ ମଧ୍ୟ କରାଗଲା । ଫଳରେ ସରକାର ୩ ମେ, ୧୮୪୦ରୁ ଯାତ୍ରୀକର ଉଚ୍ଛେଦ କରିଦେଲେ । ଖ୍ରୀଷ୍ଟିଆନ୍ ଧର୍ମାବଲମ୍ଵୀ ଇଂରେଜ ସରକାର ଏଣିକି ଆଉ ହିନ୍ଦୁ ଦେବତାଙ୍କର ସୁରକ୍ଷାକାରୀ ହୋଇ ରହିଲେ ନାହିଁ । ଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ମଧ୍ୟ ସରକାର ସମସ୍ତ ସମ୍ପର୍କ ଛିନ୍ନ କରିଦେଲେ ।

 

ସ୍ଵାଭାବିକ ଭାବରେ ଏହି ଅଗ୍ରଗତି ଖ୍ରୀଷ୍ଟିଆନ ମିଶନାରୀମାନଙ୍କୁ ପ୍ରବଳ ଭାବେ ଉତ୍ସାହିତ କରିଥିଲା । ରଥଚକ ତଳେ ଆତ୍ମାହୁତି ଦେବା କଥାଟିକୁ ପ୍ରବଳ ଭାବରେ ପ୍ରଚାର କରିବା ସହିତ ସରକାରଙ୍କୁ ପ୍ରଭାବିତ କରି ସେମାନେ ‘ମୂଳୁ ମାଇଲେ ଯିବ ସରି…’ ନୀତିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ହିଁ ବନ୍ଦ କରିବା ଉଦ୍ୟମରେ ଲାଗିପଡ଼ିଲେ । ଏହାର ପ୍ରଚୁର ପ୍ରମାଣ ଇଂରେଜ ରାଜତ୍ଵକାଳୀନ ନଥିପତ୍ରଗୁଡ଼ିକରେ ରହିଛି । ‘ଉତ୍କଳ ଦୀପିକା’ର ପୃଷ୍ଠାଗୁଡ଼ିକରେ ମଧ୍ୟ ତାହାର ବହୁ ପ୍ରମାଣ ଉପଲବ୍ଧ ।

 

ଦୃଷ୍ଟାନ୍ତ ସ୍ଵରୂପ, ୧୮୭୩ ମସିହାରେ ତତ୍କାଳୀନ ଲେଫଟନାଣ୍ଟ ଗଭର୍ଣ୍ଣର ରଥଯାତ୍ରା ବିରୋଧରେ ମନ୍ତବ୍ୟ ଦେଇ ଭାରତ ସରକାରଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଥିଲେ । ସେଥିରେ ସେ କହିଥିଲେ-ରଥସବୁ ବୃହଦାକାର ଓ ବିଶୃଙ୍ଖଳ ଭାବରେ ମିର୍ମିତ ହୋଇଥିବାରୁ ତଦ୍ଦ୍ଵାରା ବହୁ ବିପଦ ଘଟିବାର ଆଶଙ୍କା ରହିଛି । ତେଣୁ ତାହାକୁ ଉଠାଇ ଦିଆଯାଉ (ବନ୍ଦ କରିଦିଆଯାଉ) । ପ୍ରକୃତ ହିନ୍ଦୁ ଯେଉଁମାନେ ଏଥିରେ ବିରକ୍ତ ହେବେ, ସେମାନଙ୍କର ସଂଖ୍ୟା ସ୍ଵଳ୍ପ । ରଥସବୁ ଛୋଟ ନହେଲେ ଓ ତାହାଦ୍ଵାରା ସଂକଟ ଘଟିବାର ଆଶଙ୍କା ନ ଥିଲେ ହିଁ ତାହା ଟଣାଯିବା ପାଇଁ ଆଜ୍ଞା ଦିଆଯାଉ । (ଉତ୍କଳ ଦୀପିକା, ଭାଗ-୮, ସଂଖ୍ୟା-୨୭, ତା. ୫.୨.୧୮୭୩) । ମାତ୍ର ମହାମାନ୍ୟ ଲର୍ଡ ବ୍ରୁକ୍ ତାଙ୍କର ଉତ୍ତରରେ ଲେଖିଲେ, “ରଥ ଦ୍ଵାରା ଅଧିକ ସଂକଟ ଘଟିବାର ପ୍ରମାଣ ନାହିଁ, ତେଣୁ ସେଥିରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ।’’

 

କିନ୍ତୁ ‘ଉତ୍କଳ ଦୀପିକା’ର ଜୁନ୍ ୨୮, ୧୮୭୯ ସଂଖ୍ୟା ଅନୁସାରେ, ସେ ବର୍ଷ ୨୧ ତାରିଖ ଶନିବାର ଦିନ ରଥଯାତ୍ରା ପଡ଼ିଥିଲା । ସେଦିନ କେବଳ ବଳଭଦ୍ରଙ୍କ ରଥ ଗୁଣ୍ଡିଚା ମନ୍ଦିରେ ଲାଗିଥିଲା । ପରଦିନ ସକାଳେ ସୁଭଦ୍ରାଙ୍କ ରଥ ଓ ଅପରାହ୍ନରେ ଜଗନ୍ନାଥଙ୍କ ରଥଟଣା ହେଲା । ସେହି ରଥ ଅଧାବାଟ ଯିବା ପରେ, ହାସପାତାଳ ନିକଟରେ ଚାରିଜଣ କଳାପିଠିଆଙ୍କ ଉପରେ ଚଢ଼ିଗଲା । ପୁଲିସ ତତ୍ପର ହୋଇ ସେମାନଙ୍କୁ ସଚେତ କରାଇ ହାସପାତାଳକୁ ପଠାଇଲେ, ମାତ୍ର ସେମାନେ ଗୁରୁତର ପୀଡ଼ା ପାଇଥିବାରୁ ସେହି ରାତିରେ ଦୁଇଜଣ ମରିଗଲେ ।

 

ତେବେ ଏହା ଘଟିଥିଲା ସତର୍କତା ଅଭାବରୁ । (ବହୁ ସତର୍କତା ମୂଳକ ବ୍ୟବସ୍ଥା ସତ୍ତ୍ଵେ ଏପରି ଦୁର୍ଘଟଣା ଆଜି ବି ଘଟିବାର ଦୃଷ୍ଟାନ୍ତ ଅଛି । ଉଦାହରଣ ସ୍ଵରୂପ, ଗତ ୨୦୧୩ ମସିହାରେ ରଥଯାତ୍ରାରେ ଜଣେ ଭୋଇ ସେବକଙ୍କ ଗୋଡ଼ ଉପରେ ରଥଚକ ଚଢ଼ିଯିବା ଫଳରେ ସେ ଗୋଟିଏ ଗୋଡ଼ ହରାଇଥିଲେ । ) ଏଣୁ ଏପରି ଦୁର୍ଘଟଣା ସମ୍ପର୍କରେ ଅବହିତ ଥିବା ‘ଉତ୍କଳ ଦୀପିକା’ ସେଦିନ ଲେଖିଥିଲେ, “ଜଣାଯାଏ ଯେ କଳାପିଠିଆମାନଙ୍କୁ ରଥଠାରୁ ଅନ୍ତର ରଖିବା ବିଷୟରେ ପୁଲିସ ସେତେ ସତର୍କ ହୋଇନ ଥିଲେ । କାରଣ ରଥପାଖରେ ଥିବା କଳାପିଠିଆଙ୍କ ମଧ୍ୟରୁ ଚାରିଜଣଙ୍କ ଉପରେ ଏ ବିପଦ ପଡ଼ିଲା ଓ ଅନୁମାନ ହୁଅଇ ଯେ ସେମାନେ ଯାତ୍ରା ଦେଖିବା ଓ ଗୀତ ଶୁଣିବାରେ ମାତି ରଥ ଦଉଡ଼ି ଶିଥିଳ କରି ଧରିଥିଲେ ଅଥବା ଛାଡ଼ି ଦେଇଥିଲେ । ଏହି ହେତୁରୁ ଆଗବାଲାମାନେ ବଳରେ ଟାଣିବା ସମୟରେ ସେମାନଙ୍କ ଉପରେ ରଥ ଚଢ଼ିଗଲା ।“ ‘ଉତ୍କଳ ଦୀପିକା’ର ଏହି ନିରୀକ୍ଷଣରୁ ସ୍ପଷ୍ଟ ଯେ ରଥଯାତ୍ରାର ସେହି ମୃତ୍ୟୁ ଏକ ଦୁର୍ଘଟଣା ଥିଲା । ଏପରି ଦୁର୍ଘଟଣା ପ୍ରାୟ ଘଟେ । ସେଥିପାଇଁ -୧୮୭୩ରେ ଯେତେବେଳେ ରଥଯାତ୍ରା ବନ୍ଦ କରିବା ପାଇଁ ଲେଫଟନାଣ୍ଟ ଗଭର୍ଣ୍ଣର ପ୍ରସ୍ତାବ ଦେଇଥିଲେ, ଲର୍ଡ ବ୍ରୁକ୍ ତାହାକୁ ଅଗ୍ରାହ୍ୟ କରିଦେବା ସହିତ ତାଙ୍କର ଉତ୍ତରରେ କହିଥିଲେ, “ଯତ୍ କିଞ୍ଚିତ୍ ଯେବେ ଦୁର୍ଘଟଣା ହୁଅଇ ତାହା ମାଜିଷ୍ଟ୍ରେଟ ଓ ପୁଲିସଙ୍କ ସାବଧାନତା ଦ୍ଵାରା ଯଥାର୍ଥ ଭାବରେ ନିବାରିତ ହୋଇପାରେ ।“ (ଉତ୍କଳ ଦୀପିକା, ୫ ଜୁଲାଇ ୧୮୭୩) ।

 

ଜଣାଯାଏ ଯେ ପୂର୍ବରୁ ରଥରେ ବ୍ରେକ୍ ନଥିଲା କି ରଥ ଚାରିପାଖରେ ମୋଟା ଦଉଡ଼ିର ଘେରି ବା କର୍ଡନ କରିବା ବ୍ୟବସ୍ଥା କରାଯାଉନଥିଲା । ୧୮୭୯ ମସିହାର ଦୁର୍ଘଟଣା ପରେ ୧୮୮୦ରେ ରଥରେ ପ୍ରଥମେ ବ୍ରେକ୍ ବ୍ୟବସ୍ଥା କରାଯାଇଥିଲା । ଏ ସମ୍ପର୍କରେ ଗଭର୍ଣ୍ଣମେଣ୍ଟ ଅଫ୍ ବେଙ୍ଗଲ, ଜୁଡ଼ିସିଆଲ ଡିପାର୍ଟମେଣ୍ଟ ‘ନଥି ନଂ-ପି.୩ପି ୧୧ ନଂ-୩୧-୩୪ ୧୯୦୨ରେ ନିର୍ଦ୍ଦିଷ୍ଟ ସୂଚନା ରହିଛି । ସେହି ‘ନଥିରେ ଉଲ୍ଲେଖ ଅଛି, “4-5 persons were crushed under the wheels of Jagannath car since then the practice of always carrying a log of wood in front of each car to be used as break when occasion required has been introduced and is followed to this days’’.

 

ସେହି ନଥିର ଆଉ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ହେଉଛି, ୧୮୮୦ର ବ୍ରେକ ବ୍ୟବସ୍ଥା ପରି ୧୮୮୧ରେ ରଥରେ ପ୍ରଥମ କରି କର୍ଡନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଇଥିଲା । ଏ ସମ୍ପର୍କରେ ଉକ୍ତ ନଥିରେ ଉଲ୍ଲେଖ ଅଛି, “A cordon is also found in the form of a square round each car as it is being dragged by means of a rope carried by police constables.The space inside the rope being kept clear off all pilgrims.”

 

ତେବେ ରଥଟଣା ହେବା ବେଳେ କୌଣସି ଦୁର୍ଘଟଣା ନଘଟିବା ପାଇଁ ଏପରି ସତର୍କତାମୂଳକ ବ୍ୟବସ୍ଥା ସତ୍ତ୍ଵେ ଖ୍ରୀଷ୍ଟିଆନ ମିଶନାରୀମାନେ ସେମାନଙ୍କର ଅପପ୍ରଚାର ପୂର୍ବପରି ବଳବତ୍ତର ରଖିଥିଲେ ଏବଂ ତାହାକୁ ବ୍ୟାପକ ମଧ୍ୟ କରୁଥିଲେ । ବୁଚାନନଙ୍କର ଗୋଟିଏ ପତ୍ର (ସଂଖ୍ୟା ୧୩, ଭାରତର ଜଗନ୍ନାଥ କାର୍ଯ୍ୟାଳୟ ନଥି, ପୃଷ୍ଠା ୧୭-୨୦, ତାରିଖ-ଜୁନ୍ ୨୦,୧୮୦୬) ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ । ସେହି ପତ୍ରରେ ବୁଚାନନ ଲେଖିଥିଲେ, “ମୁଁ ଏଭଳି ଏକ ଦୃଶ୍ୟ ଦେଖିଲି ଯାହାକି ମୁଁ କେବେ ବି ଭୁଲି ପାରିବିନାହିଁ । ଜନୈକ ତୀର୍ଥଯାତ୍ରୀ ନିଜକୁ ଠାକୁରଙ୍କ ନିକଟରେ ସମର୍ପିତ କରିଦେବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ । ରଥ ପ୍ରାୟ ୨୦ ଗଜ ଆଗେଇବା ପରେ ସେ ରଥ ତଳେ ମୁହଁମାଡ଼ି ଶୋଇପଡ଼ିଲେ ଏବଂ ତାଙ୍କ ଉପର ଦେଇ ରଥ ଚକ ଗଡ଼ିଗଲା ଓ ସେ ମୃତ୍ୟୁବରଣ କଲେ । ସମସ୍ତେ ଠାକୁରଙ୍କର ଜୟଧ୍ଵନି କଲେ ଏବଂ ହଜାର ହଜାର ଲୋକ ସେହି ଶବ ଉପରେ ଚାଉଳ ଓ କଉଡ଼ି ଫିଙ୍ଗିଲେ ।’’

 

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୨୦୦୧ରେ ପ୍ରକାଶିତ ‘ଯୁଗେ ଯୁଗେ ରଥଯାତ୍ରା’ ପୁସ୍ତକର ‘ପରିଶିଷ୍ଟ-କ’ରେ ଇଷ୍ଟଇଣ୍ଡିଆ କମ୍ପାନୀ ଅମଳର ରଥଯାତ୍ରା ସମ୍ପର୍କରେ ଏମିତି କେତେକ ଘଟଣାର ବିବରଣୀ ସଂକଳିତ ହୋଇଛି । କିନ୍ତୁ ‘ଏସିଆଟିକ୍ ଜର୍ନାଲ’ର ୨୫ ଜୁନ୍ ୧୮୧୪ ସଂଖ୍ୟାରେ ମଧ୍ୟ ସେ ବର୍ଷର ରଥଯାତ୍ରା ପ୍ରସଙ୍ଗରେ ଏପରି ଘଟଣାର ଉଲ୍ଲେଖ ମିଳେ । ଏଲ. ଏସ୍. ଏସ୍. ଓ ମାଲୀଙ୍କ ‘ବେଙ୍ଗଲ ଡିଷ୍ଟ୍ରିକ୍ଟ ଗେଜେଟିୟର-ପୁରୀ’ର ପୃ୧୦୮ ଓ ପୃ୧୦୯ରେ ଏ ସମ୍ପର୍କରେ ଆଣ୍ଡ୍ରିଉ ଷ୍ଟର୍ଲିଂଙ୍କ ମନ୍ତବ୍ୟ ଖୁବ୍ ଗୁରୁତ୍ଵପୂର୍ଣ୍ଣ । ସେଥିରେ ଲେଖାଅଛି, “ଯେତେବେଳେ ଇଂରେଜମାନେ ପୁରୀରେ ଆସି ରହିଲେ, ସେତେବେଳେ ଏହି ସବୁ ଭ୍ରମଣବୃତ୍ତାନ୍ତର ଅସାରତା ପ୍ରତିପାଦିତ ହେବା ଆରମ୍ଭ ହେଲା । ଏସିଆଟିକ୍ ରିସର୍ଚେସ-୧୮୨୫ରେ ‘ଆକାଉଣ୍ଟ ଅଫ୍ ଓରିସା’ କ୍ରମରେ ଷ୍ଟର୍ଲିଂ ଲେଖିଛନ୍ତି, “ଅତିରିକ୍ତ ଧର୍ମୋନ୍ମତ୍ତତା, ଯାହାକି ତୀର୍ଥଯାତ୍ରୀମାନଙ୍କୁ ରଥଚକ ତଳେ ଜୀବନ ଦେବାକୁ ପ୍ରବର୍ତ୍ତାଉଥିଲା, ତାହା ଅତି ସହଜରେ ବର୍ତ୍ତମାନର ପୂଜାରୀମାନଙ୍କ ପ୍ରେରଣାରେ ବନ୍ଦ ହୋଇଯାଇଥିଲା । ମୋର ଅନୁଭୂତିରେ ଦୀର୍ଘ ଚାରିବର୍ଷ ଭିତରେ ମାତ୍ର ତିନିଟି ଏହିଭଳି ଘଟଣା ଘଟିବା ମୁଁ ଦେଖିଛି । ଏହା ମଧ୍ୟରୁ ଗୋଟିଏକୁ ଖୁବ୍ ସମ୍ଭବତଃ ଦୁର୍ଘଟଣା ବୋଲି ବର୍ଣ୍ଣନା କରାଯାଇପାରେ ଏବଂ ଅନ୍ୟ ଦୁଇଜଣଙ୍କୁ ଆତ୍ମହତ୍ୟା ଦୋଷରେ ଦୋଷୀ ସାବ୍ୟସ୍ତ କରାଯାଇପାରେ । ସେମାନେ ତୀବ୍ର ଦୁଃଖ ଯନ୍ତ୍ରଣାରେ କାଳାତିପାତ କରୁଥିଲେ ଏବଂ ଜୀବନ ଜଞ୍ଜାଳରୁ ରକ୍ଷା ପାଇବା ପାଇଁ ଆତ୍ମହତ୍ୟାର ଅନ୍ୟାନ୍ୟ ପନ୍ଥା ଛାଡ଼ି ଏହି ଉପାୟଟିକୁ ବାଛି ନେଇଥିଲେ ।“ (ଯୁଗେ ଯୁଗେ ରଥଯାତ୍ରା, ପୃଷ୍ଠା୧୫୧)

 

ଏହା ସତ୍ତ୍ଵେ, ମିଶନାରୀମାନେ ରଥଚକ ତଳେ ଆତ୍ମାହୁତି ପ୍ରସଙ୍ଗକୁ ଅତିରଞ୍ଜିତ କରି ପ୍ରଚାର କରିବାରୁ କ୍ଷାନ୍ତ ହୋଇନଥିଲେ । ‘ହିଷ୍ଟ୍ରି ଅଫ୍ ଜେନେରାଲ ବାପ୍‍ଟିଷ୍ଟ ମିଶନ’ ପୁସ୍ତକରେ ରେଭରେଣ୍ଡ ଲେସି ୧୮୨୬ ମସିହାର ରଥଯାତ୍ରା ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ,“ଜଗନ୍ନାଥ ମହାପ୍ରଭୁଙ୍କ ରଥ ମାଡ଼ିଯିବା ଦ୍ଵାରା ଜଣେ ଗରିବ ଲୋକର ଶରୀର ଖଣ୍ଡଖଣ୍ଡ ହୋଇ ଯାଇଥିଲା । ବିରାଟକାୟ ଚକଗୁଡ଼ିକ ତାଙ୍କର କଟିଦେଶ ଉପର ଦେଇ ମାଡ଼ିଯିବାରୁ ତାଙ୍କର ଶରୀରର ଉପର ଅଂଶ ତଳ ଅଙ୍ଗପ୍ରତ୍ୟଙ୍ଗ ଠାରୁ ଅଲଗା ହୋଇ ଯାଇଥିଲା । ତାଙ୍କ ଅନ୍ତନଳୀ ଓ ରକ୍ତ ବାହାରି ପଡ଼ିବାର ଦୃଶ୍ୟ ଅତ୍ୟନ୍ତ ମର୍ମାନ୍ତକ ହୋଇଥିଲା । ମୋ’ ଅଭିଜ୍ଞତାରେ ଏହା ଏକ ଭୟଙ୍କର ଦୃଶ୍ୟ ଥିଲା । ରଥର ଏହି ଚକଗୁଡ଼ିକ ସତେଯେପରି ଏକ ଅଭୀଷ୍ଟ ଫଳ ପ୍ରଦାନ ପାଇଁ ତିଆରି କରାଯାଇଛି । ଗରିବ ହତଭାଗ୍ୟ ଲୋକଟି ରଥ ତଳେ ନିଜକୁ ନିକ୍ଷେପ କରି ଆତ୍ମସମର୍ପଣ କଲା ଏବଂ ହିନ୍ଦୁସ୍ତାନୀ ବ୍ରାହ୍ମଣମାନଙ୍କ ନିକଟରେ ଏକ ସମ୍ମାନନୀୟ ବ୍ୟକ୍ତି ଭାବେ ପରିଗଣିତ ହେଲା । କେତେକ ନିର୍ଦ୍ଦୟ ହତଭାଗ୍ୟ ଲୋକ କହିବାକୁ ଲାଗିଲେ, ଦେଖ ଜଗନ୍ନାଥଙ୍କ ମହିମା !” (ଯୁଗେ ଯୁଗେ ରଥଯାତ୍ରା, ପୃ-୧୫୦-୧୫୧)

 

କିନ୍ତୁ ଆଶ୍ଵସନାର ବିଷୟ ଯେ ଧର୍ମ ପ୍ରଚାର ପାଇଁ ବ୍ୟାକୁଳ ବାପ୍‍ଟିଷ୍ଟ ମିଶନାରୀମାନେ ଏପରି ଅତିରଞ୍ଜିତ ଅପପ୍ରଚାର କରି ରଥଯାତ୍ରାର ଗରିମା ଓ ଶ୍ରୀଜଗନ୍ନାଥଙ୍କ ମହିମା କ୍ଷୁର୍ଣ୍ଣ କରିବାର ଉଦ୍ୟମ ଜାରି ରଖିଥିବା ବେଳେ ମିଷ୍ଟର ଫର୍ଗୁସନ, ସାର ଓ୍ଵିଲିୟମ ହଣ୍ଟରଙ୍କ ପରି ବିବେକବାନ ଇଂରେଜ ପ୍ରଶାସକମାନେ ଏ ବାବଦରେ ପ୍ରତ୍ୟକ୍ଷ ଓ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ସେହି ଅପପ୍ରଚାରର ଅସାରତା ପ୍ରତିପାଦିତ କରିଛନ୍ତି ।

 

କମ୍ପାନୀ ସରକାର ଅମଳରେ ଓଡ଼ିଶାରେ ଚାକିରି କରୁଥିବା ଜଣେ ସାଧାରଣ ବ୍ୟକ୍ତିଙ୍କ ମତାମତ ମଧ୍ୟ ଏ ପ୍ରସଙ୍ଗରେ ଉଲ୍ଲେଖନୀୟ । ଏମ୍.ଡ଼ି.ସର୍ଟ ନାମକ ସେହି ବ୍ୟକ୍ତି ୧୮୩୦ ମସିହାର ରଥଯାତ୍ରା ଦେଖିବା ପରେ ‘ଏସିଆଟିକ୍ ରିଭ୍ୟୁ, ଲଣ୍ଡନ’କୁ ଯେଉଁ ବିବରଣୀ ଲେଖି ଜଣାଇଥିଲେ ତାହା ସେହି ପତ୍ରିକାର ଜୁଲାଇ-ଡିସେମ୍ଵର ସଂଖ୍ୟାରେ ପ୍ରକାଶ ପାଇଥିଲା । ସେଥିରେ ସେ ଲେଖିଥିଲେ, “ଆତ୍ମ ବିସର୍ଜନର ସଂଖ୍ୟା ଅତିରିକ୍ତ ନୁହେଁ । ମୁଁ ମନେକରେ, ଆମ ଅଧିକୃତ ଭାରତର ଧର୍ମୋନ୍ମତ୍ତତାଜନିତ ଆତ୍ମ ବିସର୍ଜନର ସଂଖ୍ୟା ଠାରୁ ଆମ ଦେଶ (ଲଣ୍ଡନ)ର ଆତ୍ମହତ୍ୟା ସଂଖ୍ୟା ବହୁତ ଅଧିକ । ମୁଁ ନିଶ୍ଚିତ ଯେ ଲଣ୍ଡନରେ ଏକବର୍ଷ ମଧ୍ୟରେ ତାଲିକାଭୁକ୍ତ କରାଯାଇଥିବା ଆତ୍ମହତ୍ୟାର ସଂଖ୍ୟା ଭାରତବର୍ଷରେ ଦଶବର୍ଷର ରଥଯାତ୍ରାରେ ଘଟିଥିବା ପ୍ରାଣହାନିଠାରୁ ବହୁତ ଅଧିକ ।’’

 

ବିଶିଷ୍ଟ ବିଦ୍ଵାନ ତଥା ଦାର୍ଶନିକ ମିଷ୍ଟର ଫର୍ଗୁସନ ପୁରୀ ଆସିଥିଲେ ୧୮୩୮ରେ । ରଥଯାତ୍ରା ଦେଖିବା ପରେ ତାଙ୍କର ପ୍ରତ୍ୟକ୍ଷ ଅନୁଭୂତିମୂଳକ ଏକ ଲେଖା ସେ ଲେଖିଛନ୍ତି ତାଙ୍କ ‘ପିକଚରସ୍କ୍ୟୁ ଇଲଷ୍ଟ୍ରେସନ ଅଫ୍ ଆନସିଏଣ୍ଟ ଆର୍କିଟେକ୍ଚର ଇନ୍ ହିନ୍ଦୁସ୍ତାନ’ ପୁସ୍ତକରେ । ୧୮୪୭ ମସିହାରେ ପ୍ରକାଶିତ ସେହି ପୁସ୍ତକର ପୃ.୪୩ରେ ‘ହିଜ୍ ଗଡ୍‍ସିପ୍‍ସ ଜର୍ଣ୍ଣି ବାଇ କାର୍’ ପ୍ରବନ୍ଧରେ ସେ ଲେଖିଛନ୍ତି “ଯାତ୍ରାର ଭୟାବହତା ସମ୍ପର୍କରେ ଅନେକ ମତ ପ୍ରକାଶ ପାଇଛି ଯେ ଶହ ଶହ ଲୋକଙ୍କର ଶବ ରାସ୍ତାରେ ବିଛେଇ ହୋଇ ପଡ଼ିଥାଏ ଏବଂ ରାସ୍ତାସବୁ ସେମାନଙ୍କ ହାଡ଼ରେ ଧଳା ଦେଖାଯାଏ, ଲୋକମାନେ ନିଜକୁ ରଥଚକ ତଳେ ସମର୍ପଣ କରନ୍ତି । କିନ୍ତୁ ମୁଁ ଅତି ଆଶ୍ଚର୍ଯ୍ୟ ହୋଇ ଦେଖିଲି ଯେ, ଇଂଲଣ୍ଡର ଲୋକମାନେ ଯେପରି ନିଜ ଭିତରେ କଥାବାର୍ତ୍ତା ଓ ହାସ ପରିହାସ ପୂର୍ବକ ମେଳା ଦେଖିବାକୁ ଯାଆନ୍ତି, ତୀର୍ଥଯାତ୍ରୀମାନେ ସେହିପରି ସାଧାରଣ ଭାବରେ ରଥଯାତ୍ରା ଦେଖିବାକୁ ଆସୁଛନ୍ତି । ପୂର୍ବରୁ ଥିବା ମୋର ଧାରଣାକୁ ଏହା ଭ୍ରାନ୍ତ ପ୍ରତିପାଦିତ କଲା ।’’

 

ଏପରି ଭ୍ରାନ୍ତ ତଥ୍ୟର ପ୍ରଚାରକମାନଙ୍କୁ ତୀବ୍ର ବ୍ୟଙ୍ଗ କରି ଫର୍ଗୁସନ ସେହି ଲେଖାରେ ଆହୁରି ମଧ୍ୟ ଲେଖିଛନ୍ତି, “ମୁଁ ଚାରିଆଡ଼େ ଗୋଟିଏ ଯାତ୍ରୀର ଖପୁରୀ ଖୋଜିବାକୁ ଚେଷ୍ଟା କରୁଥିଲି-ତାର ଭକ୍ତିଭାବକୁ ପରୀକ୍ଷା କରିବା ପାଇଁ ଏବଂ ପାଇଥିଲେ ଆଗ୍ରହରେ ନିଜ ପାଖରେ ରଖିଥାନ୍ତି । କିନ୍ତୁ ଖପୁରୀ ତ ଦୂରର କଥା, ମୁଁ ତାର ହାଡ଼ ଖଣ୍ଡିଏ ମଧ୍ୟ ପାଇଲି ନାହିଁ । ତଥାପି ଯେହେତୁ ଶାସକ ଗୋଷ୍ଠୀ ଏବଂ ଏହି ତଥ୍ୟର ପ୍ରଚାରକମାନେ ଆମର ସମ୍ମାନନୀୟ, ତେଣୁ ଆମ୍ଭମାନଙ୍କୁ ଚିନ୍ତାକରିବାକୁ ପଡ଼ିବ ଏଭଳି ଦୁର୍ଘଟଣା ହୁଏତ କେବେ ଘଟିଥିବ । ଇଣ୍ଡିଆ ହାଉସ୍‍ର ଧର୍ମପ୍ରଚାରକ ଓ ପ୍ରବଚକମାନଙ୍କର ଯଦି ଏ ବିଷୟରେ କୌଣସି ଦିଗଦର୍ଶନ ଥାଏ, ତାହାଲେ ସମ୍ଭବତଃ ସେମାନେ ଏହାର ଉତ୍ତର ଦେବେ ।’’

 

ସାର ଓ୍ଵିଲିୟମ୍ ହଣ୍ଟର ମଧ୍ୟ ଏ ସମ୍ପର୍କରେ ତାଙ୍କର ନିର୍ଦ୍ଦିଷ୍ଟ ମତ ଦେଇ ଆବୁଲ ଫାଜଲ (୧୫୮୦)ଙ୍କ ପରଠାରୁ ଏ ନେଇ ଚାଲିଥିବା ଅପପ୍ରଚାରର ଅସାରତା ପ୍ରତିପାଦିତ କରିଛନ୍ତି । ଏ ପ୍ରକାର ମୃତ୍ୟୁକୁ ସେ କେବଳ ଆକସ୍ମିକ ଦୁର୍ଘଟଣା ବୋଲି ହିଁ କହିଛନ୍ତି । ଏ ସମ୍ପର୍କରେ ମାଲୀଙ୍କ ବେଙ୍ଗଲ ଗେଜେଟିୟରର ପୁରୀ ପ୍ରସଙ୍ଗରେ ଲେଖାଅଛି- “The fallacy was finally exposed by Sir William Hunter, who carefully examined the whole evidence on the subject xxx and came to conclusion that the deaths at the Car Festival were almost always accidental.’’

 

ଶେଷରେ ତେଣୁ ପୁଣିଥରେ ଆସିବା ସେଇ ସବ୍ଦ ‘ଜଗର୍ନଟ’ ଓ ସେ ସମ୍ପର୍କରେ ଉଲ୍ଲେଖ ଥିବା ଭାଷାକୋଷର ପୃଷ୍ଠା ପାଖକୁ । ଆଧୁନିକ ୟୁରୋପର ଆଦ୍ୟଭାଗରେ ପ୍ରଚଳିତ ଶବ୍ଦଗୁଡ଼ିକ ମଧ୍ୟରୁ, ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କିପରି ଶବ୍ଦରୂପ ଓ ବ୍ୟାବହାରିକ ପରିଭାଷାରେ ପ୍ରଯୁକ୍ତ ହୋଇଛି, କେବଳ ତାହାକୁ ନେଇ ଗୋଟିଏ ଶବ୍ଦକୋଷ ପ୍ରକାଶ କରିଛନ୍ତି ‘ରାଉଟଲେ’ (Routledee) । ଏହି ଶବ୍ଦକୋଷଟି ହେଉଛି THE BODY PART : Fantasies of corporeality in Early Modern Europe । ବିଶିଷ୍ଟ ମନସ୍ତତ୍ତ୍ଵବିତ୍‍ଙ୍କ ବ୍ୟାଖ୍ୟାକୁ ନେଇ ୧୯୯୭ରେ ପ୍ରକାଶିତ ସେହି ଶବ୍ଦକୋଷର ସଂକଳନ ହେଉଛନ୍ତି ଡେଭିଡ଼୍ ହିଲମାନ କାର୍ଲାମାଜ୍ଜିଓ । ସେଥିରେ ‘ଜଗର୍ନଟ’ (Juggernaut) ଶବ୍ଦ ପ୍ରସଙ୍ଗରେ ଉଲ୍ଲେଖ ଅଛି- ଜଗନ୍ନାଥଙ୍କ ରଥଯାତ୍ରାର ଆଧ୍ୟାତ୍ମିକ ଉତ୍ସୁକତା ଓ ବର୍ଣ୍ଣାଢ଼୍ୟ ଦୃଶ୍ୟ ଦର୍ଶକଙ୍କୁ ଚକିତ କରିଦିଏ । କିନ୍ତୁ ଓଡୋରିକସଙ୍କ ବର୍ଣ୍ଣନାରେ ତାହାକୁ ନଷ୍ଟଭ୍ରଷ୍ଟ କରି ଦିଆଯାଇଛି । ଯେଉଁଠି ଏତେ ସଂଖ୍ୟାରେ ଦର୍ଶକ ସମବେତ ହୋଇ ଏପରି ବିଶାଳ ରଥ ଟାଣନ୍ତି, ସେଠି କଦବା କ୍ଵଚିତ ଏପରି ଦୁର୍ଘଟଣା ଘଟିବା ଅବଧାରିତ । ମାତ୍ର ଇଚ୍ଛାକୃତ ଭାବେ କେହି ନିଜ ହାତଗୋଡ଼ ଭାଙ୍ଗିବା, ଚକାତଳେ ମରିବା ବା ଆତ୍ମୋତ୍ସର୍ଗ କରିବା ଆଧୁନିକ କାଳରେ ଦେଖାଯାଏ ନାହିଁ କି ଭାରତରେ ଏଭଳି ଆତ୍ମବଳିର ପ୍ରଥା ନାହିଁ ।

 

ଆଜି ସେଦିନର ସ୍ଥିତି ସମ୍ପୁର୍ଣ ପରିବର୍ତ୍ତିତ । ପୁରୀକୁ ସେଦିନ ପରି ଗମନାଗମନ ସଂକଟ ଆଉ ନାହିଁ । ଓଲାଉଠା ଆଦି ରୋଗର ପ୍ରାଦୁର୍ଭାବ ବି ତିରୋହିତ । ଆଧୁନିକ ସଞ୍ଚାର ବ୍ୟବସ୍ଥାର ବିପ୍ଲବର ଫଳରେ କୌଣସି ଅପପ୍ରଚାର ଶ୍ରୀଜଗନ୍ନାଥଙ୍କ ପ୍ରତି ଯେଉଁ ସାମାନ୍ୟ ସଂଶୟ ସୃଷ୍ଟି କରିଥିଲା, ତାହା ଇଂରେଜ ଶାସନ କାଳରେ ହିଁ ବିଦୂରିତ ହୋଇଯାଇଥିଲା । ଏବେ ଶ୍ରୀଜଗନ୍ନାଥଙ୍କୁ ଓ ତାଙ୍କ ରଥଯାତ୍ରାକୁ ଏ ଅନୁଷ୍ଠାନର ଅନ୍ୟନତା ବିଶ୍ଵବିଦିତ କରିଛି । କିନ୍ତୁ ଇଂରାଜୀ ଶବ୍ଦକୋଷରେ ରହିଯାଇଛି ସେଇ ‘ଜଗର୍ନଟ’(Juggernaut) ଶବ୍ଦଟି । ପରିତାପର ବିଷୟ ଯେ ଆଜି ବି ଅନେକ ଇଂରାଜୀ ଭାଷାର ଗଣମାଧ୍ୟମ ସେ ଶବ୍ଦଟିକୁ ଶ୍ରୀଜଗନ୍ନାଥଙ୍କ ରଥର ପ୍ରତିଶବ୍ଦ ଭାବରେ ବ୍ୟବହାର କରୁଛନ୍ତି । ତେବେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବିଶ୍ଵବ୍ୟାପୀ ପ୍ରସିଦ୍ଧି ଅଚିରେ ଯେ ତାହାକୁ ଅପାଂକ୍ତେୟ କରିଦେବ, ଏହା ନିଃସନ୍ଦେହ ।

 

 

୪ଆର୍‍ ୧/୨, ଇଉନିଟ୍‍-୩, ଭୁବନେଶ୍ୱର-୧

ମୋବାଇଲ ନଂ : ୯୪୩୭୦୩୪୮୦୪

 

***

 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିରେ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା

ପଣ୍ଡିତ ଶ୍ରୀନିବାସ ରଥ

 

ଶ୍ରୀଜଗନ୍ନାଥଙ୍କ ଅବସ୍ଥିତି ଭାରତୀୟ ଧର୍ମୀୟ ଚେତନାର ଏକ ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି । ଓଡ୍ରଭୂମି ଓଡ଼ିଶାରେ ଶ୍ରୀଜଗନ୍ନାଥ ସ୍ଥିତି ହେତୁ ଜଗନ୍ନାଥଦେଶ ନାମରେ ଭାରତ ତଥା ସମଗ୍ର ବିଶ୍ଵରେ ପରିଚିତ । ଏହି ଜଗନ୍ନାଥ ଓ ଜଗନ୍ନାଥ ଦେଶର ଧାର୍ମିକ ଚେତନା ଓ ସାଂସ୍କୃତିକ ପରାକାଷ୍ଠା ବିଶ୍ଵବାସୀଙ୍କୁ ବହୁ ପ୍ରାଚୀନ ସମୟରୁ ଆକୃଷ୍ଟ କରିଆସିଛି । ଓଡ୍ର ଭୂମିର ସବୁଠାରୁ ପରମ ଧାର୍ମିକ ତଥା ସାଂସ୍କୃତିକ ବା ଆକର୍ଷଣୀୟ ଦେବତା ହେଉଛନ୍ତି ଏହି ଶ୍ରୀଜଗନ୍ନାଥ । ସେ ଏକାଧାରାରେ ସନାତନ ଧର୍ମର ଦେବତା ଦାରୁବ୍ରହ୍ମ ରୂପରେ ସହସ୍ର ବର୍ଷ ଧରି ଆଚାଣ୍ଡାଳବ୍ରାହ୍ମଣ ସମସ୍ତ ପ୍ରକାର ବର୍ଣ୍ଣ ତଥା ବ୍ୟକ୍ତି ଓ ଆଧ୍ୟାତ୍ମ ଧାରଣାର ସାକ୍ଷୀ ରୂପେ ସ୍ଥାନିତ ହୋଇଆସିଛନ୍ତି । ଏଣୁ ଏହି ପବିତ୍ର ଧାମ ନୀଳୀଚଳ ବା ଶ୍ରୀଜଗନ୍ନାଥ କ୍ଷେତ୍ର ସ୍ଵଂୟ ଭଗବାନଙ୍କ ପୂଜାର ସ୍ଥାନ ବୋଲି ଭାରତ ତଥା ଭାରତ ବାହାରେ ଅତି ପବିତ୍ର ଭୂମି ରୂପେ ସ୍ଵୀକୃତି ପାଇଛି । ଏପରି ଏକ ସନ୍ତସନ୍ତିଆ ସ୍ଥାନ ବା ଆର୍ଦ୍ରଭୂମିରେ ସ୍ଵଂୟଭୂରୂପେ ପ୍ରତିଷ୍ଠା ପାଇବା ସହ ଶ୍ରୀଜଗନ୍ନାଥଙ୍କ ପବିତ୍ର ପୂଜାସ୍ଥଳି ଭାବରେ ଶୋଭା ପାଉଛି ।

 

ଏହି ଶ୍ରୀଜଗନ୍ନାଥ ପ୍ରାଚୀନ ସମୟରେ ଶ୍ରୀପୁରୁଷୋତ୍ତମ ଭାବରେ ଖ୍ୟାତ ଥିଲେ । ତେଣୁ ଏହି କ୍ଷେତ୍ରକୁ ‘କ୍ଷେତ୍ର ପୁରୁଷୋତ୍ତମ’ ନାମରେ ସଂସ୍କୃତ ପୁରାଣମାନଙ୍କରେ ଉଲ୍ଲେଖ ଅଛି । ଏହି ଉତ୍ତମ ପୁରୁଷରୂପୀ ପୁରୁଷୋତ୍ତମ ବୈଦିକ ସାହିତ୍ୟମାନଙ୍କରେ ପୁରୁଷଦେବତା ତଥା ଆର୍ଯ୍ୟଦେବତା ରୂପେ ଆଖ୍ୟାୟିତ । କାଳସ୍ରୋତ ପ୍ରବାହରେ ଏହି ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହୋଇ ଜଗତର ନାଥ ପାଲଟିଛନ୍ତି । ଫଳରେ ଶ୍ରୀଜଗନ୍ନାଥ ବୈଦିକ ଦେବତା ରୂପେ ପ୍ରତିଷ୍ଠା ଲାଭ କରିବା ସହ ଲୋକଦେବତା ବା ଗଣଦେବତା ରୂପେ ଆଖ୍ୟାୟିତ ହୋଇଛନ୍ତି । କିନ୍ତୁ, ଶ୍ରୀଜଗନ୍ନାଥ ହିଁ ସାର୍ବଜନୀନ ଦେବତା । ଯେକୌଣସି ଧର୍ମାବଲମ୍ଵୀ ବା ସମ୍ପ୍ରଦାୟର ତଥା ଜାତିର ବ୍ୟକ୍ତିବର୍ଗ ତାଙ୍କୁ ଭକ୍ତି ସହକାରେ ପୂଜା କରିଥାନ୍ତି । ସେ ସେମାନଙ୍କ ଡାକ ବା ପ୍ରାର୍ଥନା ଶୁଣିଛନ୍ତି । ସେ ଜାତି ଧର୍ମର ସୀମିତ ସୀମା ଭିତରେ ଆବଦ୍ଧ ନୁହନ୍ତି । ବହୁ ବିଧର୍ମୀ ମଧ୍ୟ ତାଙ୍କର ମହିମା ଗାନ କରି ଆରାଧନା କରିଥିବାର ଦୃଷ୍ଟାନ୍ତ ରହିଛି । ସେଥିପାଇଁ ଏହି ଶ୍ରୀଜଗନ୍ନାଥ କ୍ଷେତ୍ରରେ ଭାରତର ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥ ଆସି ମଠ ମନ୍ଦିର ନିର୍ମାଣ କରାଇଛନ୍ତି । ଏମାନେ ଶ୍ରୀଜଗନ୍ନାଥଙ୍କ ଆରାଧନା ତଥା ଚତୁଃବର୍ଗ ଫଳପ୍ରାପ୍ତିର ଲକ୍ଷ୍ୟରେ କୁଣ୍ଠା ପ୍ରକାଶ କରି ନାହାନ୍ତି । ଏହାହିଁ ଶ୍ରୀଜଗନ୍ନାଥଙ୍କ ସାର୍ବଜନୀନ ତଥା ଉଦାରତାର ପ୍ରତୀକ ରୂପେ ବହୁ ଯୁଗାନୁରୂପେ ପ୍ରତିଷ୍ଠିତ ହୋଇଆସିଛନ୍ତି । ଭାରତୀୟ ବିଭିନ୍ନ ଧର୍ମର ଧାର୍ମିକ ସ୍ଵରୂପ ସ୍ଵଚ୍ଛ ଭାବରେ ଲକ୍ଷ୍ୟ କରାଯାଇପାରିବ । ଫଳସ୍ଵରୂପ ଭାରତର ବହୁ ଧର୍ମାଚାର୍ଯ୍ୟ, ଭକ୍ତ, ସାଧକ, ଶ୍ରୀଜଗନ୍ନାଥଙ୍କ ମହିମାରେ ଅଭିଭୂତ ହୋଇ ପଡ଼ିଛନ୍ତି ।

 

ଏଣୁ ଧର୍ମର ତାତ୍ତ୍ଵିକ ଓ ମୌଳିକ ଦର୍ଶନ ସମ୍ଵନ୍ଧେ ପର୍ଯ୍ୟାଲୋଚନା କଲେ ଜଣାଯାଏ, ଶ୍ରୀଜଗନ୍ନାଥ ମାନବ ଧର୍ମର ଦ୍ୟୋତକ ସ୍ଵରୂପ ଶତାବ୍ଦୀ ଶତାବ୍ଦୀ ଧରି ମାନବଜାତିକୁ ପ୍ରେରଣା ଦେଇ ଆସିଛନ୍ତି । ସେହିପରି ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଭାରତୀୟ ଜୀବନର ଜ୍ଞାନ, ଚିନ୍ତା ଓ ପ୍ରେମର ଅନ୍ୟତମ ମିଳନସ୍ଥଳ ବୋଲି କୁହାଯାଇପାରେ । ସ୍ନେହ, ପ୍ରେମ ଓ ଅନୁରକ୍ତିର ମୂର୍ତ୍ତିମନ୍ତ ବିଗ୍ରହ ରୂପେ ଶ୍ରୀଜଗନ୍ନାଥ ମହିମା ଆଜି ସମଗ୍ର ବିଶ୍ଵରେ ପ୍ରକୀର୍ତ୍ତିତ । ଆର୍ଯ୍ୟ, ଅନାର୍ଯ୍ୟ, ବ୍ରାହ୍ମଣ, ଚଣ୍ଡାଳ ବା ବିଧର୍ମୀ ଆଦି ସମସ୍ତେ ଏହି ପୀଠରେ ଏକ ଓ ଅଭିନ୍ନ । ଚିନ୍ତା ଓ ପନ୍ଥା ଯାହାର ଯେପରି ହେଉନା କାହିଁକି ଏହି ଜଗନ୍ନାଥ ଧାମରେ ସମନ୍ଵୟରୂପୀ ମନ୍ତ୍ରଧ୍ଵନି ଶୁଭେ । ଏଣୁ ଏହି କ୍ଷେତ୍ରରେ ବିଶ୍ଵଭାତୃତ୍ଵର ପ୍ରତୀକ ଏବଂ ମାନବ ସଂସ୍କୃତିର ପ୍ରାଣକେନ୍ଦ୍ର ବୋଲି କୁହାଯାଇପାରିବ । ଏହି ଉଡ୍ର ଭୂମିରେ ବ୍ରାହ୍ମଣ୍ୟ, ଶାବର, ଜୈନ, ବୌଦ୍ଧ ଓ ସଂସ୍କୃତିର ମିଳନ ଘଟିଛି ଜଗନ୍ନାଥଙ୍କ ସହିତ । ସେ ସବୁଧର୍ମର ସମ୍ପୃକ୍ତ ସାହିତ୍ୟର ଆଲୋଚନା କଲେ ଶ୍ରୀଜଗନ୍ନାଥ ଧର୍ମର ପ୍ରକୃତ ସ୍ଵରୂପ କଣ ତାହା ସିଦ୍ଧାନ୍ତରେ ପହଞ୍ଚିହୁଏ । ଏଣୁ ସଂକ୍ଷପ୍ତରେ କହିଲେ ଶ୍ରୀଜଗନ୍ନାଥ ଧର୍ମରୂପକ ବିଶାଳ ଦ୍ରୁମର ବିଭିନ୍ନ ଛୋଟ ବଡ଼ ଚେର ହେଉଛି ଶାବର, ଜୈନ, ବୌଦ୍ଧ, ବୈଷ୍ଣବ, ଶୈବ, ଶାକ୍ତ ଓ ଗାଣପତ୍ୟ ପ୍ରଭୃତି । ପ୍ରକୃତରେ ଶ୍ରୀଜଗନ୍ନାଥ ଅତି ରହସ୍ୟମୟ ଏବଂ ଏହି ରହସ୍ୟମୟତାରେ ହିଁ ତାଙ୍କର ଅପରିମେୟ ମହତ୍ତ୍ଵ ନିହିତ ।

 

ଭାରତୀୟ ସଂସ୍କୃତି ଅନୁଭବ କରିଛି, ମଣିଷ ସସୀମ । ବିଶ୍ଵକୁ ନିୟନ୍ତ୍ରଣ କରୁଥିବା ଶକ୍ତି ହେଉଛି ଅସୀମ । ସେହି ଶକ୍ତିକୁ ଈଶ୍ଵର ଭାବରେ କଳ୍ପନା କରାଯାଇଛି ବ୍ରହ୍ମ, ନିରଞ୍ଜନ, ସନାତନ ଆଦି ଭିନ୍ନ ଭିନ୍ନ ନାମରେ ଅନ୍ଵିତ କରିଛି । ସସୀମ ମଣିଷ ଅସୀମ କଥା କଳ୍ପନା କଲାବେଳେ ଏକ ମଧ୍ୟରେ ଅନେକକୁ ଓ ଅନେକ ମଧ୍ୟରେ ଏକକୁ ଦେଖିଛି । ଅର୍ଥାତ୍ ସ୍ଵମଧ୍ୟରେ ବିଶ୍ଵ ଓ ବିଶ୍ଵ ମଧ୍ୟରେ ସ୍ଵକୁ ଦେଖିପାରୁଛି । ବିଶ୍ଵଚେତନାରେ ଉଦ୍‍ବୁଦ୍ଧ ହେଲା ପରେ ସେ ବିଶ୍ଵନିୟନ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ପାଗଳ ହୋଇଛି । ବିଶ୍ଵ ଭାବରୁ ଜାତ ହୋଇଛି ଈଶ୍ଵର ଭାବେ । ଭାରତୀୟ ସଂସ୍କୃତିର ଏହି ବୈଶିଷ୍ଟ୍ୟ ଓଡ୍ରର ସଂସ୍କୃତି ରୂପେ ପ୍ରତିବିମ୍ଵିତ ହୋଇଛି । ଏହି ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛନ୍ତି ଶ୍ରୀଜଗନ୍ନାଥ । ସେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ନାଥ ନ ହୋଇ ସେ ଜଗତର ନାଥ ପାଲଟିଛନ୍ତି । ଏହା ଏକ ମହାନ୍ ଦର୍ଶନର ସଂସ୍କୃତି । କାରଣ ବିଶ୍ଵ ଚେତନାରେ ନିଜକୁ ହଜାଇ ଦେବାରେ ହିଁ ମିଳେ ଶାନ୍ତି, ସାନ୍ତ୍ୱନା, ସିଦ୍ଧି ଓ ମୁକ୍ତି । ଭାରତ ବର୍ଷ ହେଉଛି ଆଧ୍ୟାତ୍ମ୍ୟବାଦୀ ଦେଶ । ଏହାର ଆଦର୍ଶ ଭୋଗରେ ନ ହୋଇ ତ୍ୟାଗରେ ନିହିତ । ଭାରତୀୟ ଆର୍ଯ୍ୟଋଷି ଘୋଷଣା କରିଛନ୍ତି- “ସର୍ବେ ଭବନ୍ତୁ ସୁଖୀନଃ ବା ବସୁଧୈବ କୁଟୁମ୍ବକମ୍” । ଏହି ସଂସ୍କୃତିର ଚେତନା କାଳକ୍ରମେ ପରିବର୍ତ୍ତିତ ଅବସ୍ଥାରେ ପହଞ୍ଚିଥିଲେ ମଧ୍ୟ ଏହା ବର୍ତ୍ତମାନ ସମଗ୍ର ବିଶ୍ଵରେ ଶାନ୍ତି, ମୈତ୍ରୀ, ମାନବିକତା ପ୍ରତିଷ୍ଠା କରିପାରିଛି । ଏହି ଜଗନ୍ନାଥ ଧାମର ତଥା ମନ୍ଦିର ସମୂହର ଚାଲିଚଳନ ମଧ୍ୟରେ ଏପରି ଅନେକ ଆଦର୍ଶ ଭାବ ରହିଛି ଯାହା ମାନବ ଜାତିର ଶ୍ରେଷ୍ଠ ପ୍ରତୀକ କୁହାଯାଇପାରିବ । ଏଠାକାର ଆତିଥେୟତା, ଆନ୍ତରିକତା, ଅନୁରାଗ , ସେବା, ସାହାଯ୍ୟ, ସହାନୁଭୂତି ଆଦି ଅନ୍ୟତ୍ର କ୍ଵଚିତ୍ ଦେଖାଯାଏ । ନିଜ ସ୍ଵାର୍ଥକୁ ବଳି ଦେଇ ଅନ୍ୟର ସ୍ଵାର୍ଥ ପ୍ରତି ମହତ୍ ଦୃଷ୍ଟିରେ ଦେଖିବା ହେଉଛି ଏଠାକାର ଅଧିବାସୀଙ୍କ ମୁଖ୍ୟ ବୈଶିଷ୍ଟ୍ୟ । ବଡ଼ଠାକୁର, ବଡ଼ଦେଉଳ, ବଡ଼ଦାଣ୍ଡ, ବଡ଼ପଣ୍ଡା ମହାଦୀପ, ମହୋଦଧି, ମହାପ୍ରସାଦ ଆଦି ଶବ୍ଦସମୂହ ନିର୍ଜୀବ ଧ୍ଵନି ମାତ୍ର ନୁହେଁ, ଏହା ମହାନତାର ପରିଚାୟକ ।

 

ଶ୍ରୀଜଗନ୍ନାଥଙ୍କ ନାମ ମଧ୍ୟରେ ରହିଛି ସମଗ୍ର ବିଶ୍ଵପାଇଁ ଉତ୍ସର୍ଗ କରିବାର ଚିରନ୍ତନ ଆକାଂକ୍ଷା । ଏହାଙ୍କ ନୀଳଚକ୍ରରେ ରହିଛି ପରିପୂର୍ଣ୍ଣତା, ଅଖଣ୍ଡତା ତଥା ସାମ୍ୟ ଓ ମୈତ୍ରୀର ଦ୍ୟୋତନା । ମହାପ୍ରସାଦ ମଧ୍ୟରେ, ତାଙ୍କର ରହିଛି ମହାଆନନ୍ଦ, ପ୍ରସନ୍ନତା, ନିର୍ମଳତା ଓ ପବିତ୍ରତାର ପ୍ରତୀକ । ଆନନ୍ଦବଜାର ମଧ୍ୟରେ ରହିଛି ବହୁ ଆନନ୍ଦ ପ୍ରାପ୍ତିର ପ୍ରେରଣା । ଶ୍ରୀକ୍ଷେତ୍ରସ୍ଥ ସୁଭଦ୍ରା ଓ ସୁଦର୍ଶନଙ୍କ ମଧ୍ୟରେ ରହିଛି ‘ସୁ ରୂପକ ସୁନ୍ଦରତା’ । ବଳଭଦ୍ରଙ୍କ ମଧ୍ୟରେ ରହିଛି ଶକ୍ତିର ଚେତନା, ପତିତପାବନ ଭିତରେ ଅଛି ସର୍ବ-ନିମ୍ନ ସ୍ତରରେ ଥିବା ମଣିଷକୁ ଉଚ୍ଚସ୍ତରକୁ ନେବାର ଉଦାରତା । ଏହି ଆରାଧିତ ଦେବତା ଜଗନ୍ନାଥ ଯୁଗ ଯୁଗ ଧରି ମାନବ ସମାଜକୁ ପ୍ରେରଣା ଦେଇ ଆସୁଛନ୍ତି ସାଂସ୍କୃତିକ ସଙ୍କଟ କାଳରେ । ସେ ଆଜି ବିଗ୍ରହ ବା ମୂର୍ତ୍ତି ଭାବରେ ପୂଜିତ ହେଉଥିଲେ ହେଁ ସେ ଏକଧାରରେ ଅମୂର୍ତ୍ତ ଓ ଅମୃତ ଚେତନାର ଚିରନ୍ତନ ପ୍ରତୀକ ।

 

ଓଡ଼ିଆ ସଂସ୍କୃତିରେ ଜୀବନପ୍ରତି ଅମୃତ ଦୃଷ୍ଟିକୋଣ ସମ୍ପ୍ରସାରିତ ହୋଇଛି । ସେଠାରେ ନ ଥାଏ ମୃତ୍ୟୁର ଭାବନା ବା ଶୋକଭାବନା । ସେଇଠି ରହିଛି ଏକ ଅନନ୍ତ ଜାଗରଣ ଓ ଜ୍ୟୋତି । ଯାହା ମଣିଷ ଜୀବନକୁ ଚିର ସଂଜୀବିତ କରି ରଖିପାରିବ । ଏଭଳି ଅମୃତତ୍ତ୍ଵର ଅଧିଷ୍ଠାନ ହେତୁ ସର୍ବପରିବ୍ୟାପ୍ତ ପରଂବ୍ରହ୍ମ ପୁରୁଷୋତ୍ତମ ରୂପେ ବନ୍ଦନା କରାଯାଇଛି । ସେ ଅନାଦି କାଳରୁ ଉପାସିତ ବୁଢ଼ା ଦିଅଁ । ଏକ ଅଖଣ୍ଡ ଭଗବତ୍ ବିଶ୍ଵାସର ପ୍ରତିମୂର୍ତ୍ତି ରୂପେ ରହିଆସିଛନ୍ତି । ଯୁଗ ଯୁଗ ଧରି ମଣିଷ ନିଜର ଭକ୍ତି ଓ ବିଶ୍ଵାସରେ ଆରାଧନା କରିଆସିଛି । ସେ ମଣିଷ ମନରେ ହୋଇଛନ୍ତି ଆଶାର ଉଜ୍ଜ୍ଵଳ ଆଲୋକଶିଖା । ଏହି ହଜାର ହଜାର ବର୍ଷ ମଧ୍ୟରେ କେତେ ଜଗନ୍ନାଥ ଯାଇଛନ୍ତି ଏବଂ ନୂତନ ରୂପରେ ପୁନଃ ସ୍ଥାପିତ ହୋଇଛନ୍ତି । ଏହି ଯିବା ଆସିବା ମଧ୍ୟରେ ବ୍ରହ୍ମ ହିଁ ରହିଛନ୍ତି ଚିରନ୍ତନ । ସେ ପରିବର୍ତ୍ତନ ଆଣିବା ପାଇଁ ବହୁ ଅବତାର ବା ମହାପୁରୁଷ ଶ୍ରୀଜଗନ୍ନାଥ ରୂପରେ ଅବତରିତ ହୋଇଛନ୍ତି ।

 

ଶ୍ରୀଜଗନ୍ନାଥ ସଂସ୍କୃତିରେ ସର୍ବଦେଶୀୟ ସର୍ବକାଳୀନ ସମନ୍ଵୟ ହୋଇଥିବାରୁ ଓଡ଼ିଶାର ସବୁଧର୍ମର ଧର୍ମାବଲମ୍ଵୀଙ୍କୁ ସାଦର ଦୃଷ୍ଟିରେ ଦେଖଛନ୍ତି । ଏଣୁ ସେ ଓଡ଼ିଆ ଜାତିର ଜାତୀୟ ଦେବତା ଭାବରେ ଆରାଧିତ ଅନ୍ୟ କୌଣସି ଧର୍ମର ଶତ୍ରୁ ମଧ୍ୟ ନୁହଁନ୍ତି । ଓଡ଼ିଶାର ରାଜନୀତି ଉପରେ ମଧ୍ୟ ବହୁ ଶହ ବର୍ଷ ଧରି ଜଗନ୍ନାଥଙ୍କର ସ୍ଵକୀୟ ବିଜେତା ବସ୍ତୁ ବା ସ୍ଵଉପାର୍ଜିତ ସମ୍ପତ୍ତିକୁ କେହି ଅପହରଣ ବା ଆତ୍ମସାତ୍ କଲେ ତଥା ପରବର୍ତ୍ତୀ ରାଜାଙ୍କର ଉତ୍ତରଦାୟିତ୍ଵ ରୂପେ ବଂଶଧର ଏହି ଧନ ସମ୍ପତ୍ତିକୁ ଅସ୍ଵୀକାର କଲେ ଶ୍ରୀଜଗନ୍ନାଥଙ୍କଠାରେ ଦ୍ରୋହୀ ହେବେ ବୋଲି ମୁକ୍ତକଣ୍ଠରେ ଠାକୁରରାଜାମାନେ ଘୋଷଣାନାମା ପ୍ରକାଶ କରିଯାଇଛନ୍ତି ।

 

ଓଡ଼ିଶାର ସାମାଜିକ ଜୀବନରେ ଶ୍ରୀଜଗନ୍ନାଥଙ୍କ ଚେତନାର ସୁଦୂରପ୍ରସାରୀ ପ୍ରଭାବ ରହିଛି । ଅର୍ଥାତ୍ ଶ୍ରୀଜଗନ୍ନାଥ ରାଜାମାନଙ୍କ ଦ୍ଵାରା ଜାତୀୟଦେବତା ରୂପେ ସ୍ଵୀକୃତି ପାଇବା ପରେ ଏକ ସର୍ବବ୍ୟାପୀ ଚେତନା ରୂପେ ଓଡ୍ର ଜନତାର ମାନସପଟରେ ପ୍ରସାର ଲାଭ କରିଛନ୍ତି । ଫଳରେ ତାଙ୍କର ନାମ ସ୍ମରଣ ମାତ୍ରେ ପ୍ରତ୍ୟେକ ଓଡ୍ରଙ୍କ ପ୍ରାଣରେ ଅପୂର୍ବ ସିହରଣ ଖେଳିଯାଇଥିବା ସୂଚନା ରହିଛି ।

 

ଓଡ଼ିଶାର ଗ୍ରାମପ୍ରଧାନ ଅଞ୍ଚଳଗୁଡ଼ିକରେ ଭାଗବତଟୁଙ୍ଗୀରେ ଭାଗବତ ଗୋସାଇଁ ରୂପେ ଏହି ଜଗନ୍ନାଥଙ୍କୁ ପୂଜା କରିଥାନ୍ତି । ଶ୍ରୀଜଗନ୍ନାଥଙ୍କ ସ୍ଵଧାମରେ ପାଳନ କରାଯାଉଥିବା ପର୍ବପର୍ବାଣୀ ଯାତ୍ରା ଯଥା- ଶ୍ରୀଗୁଣ୍ଡିଚା, ବାହୁଡ଼ା, ସ୍ନାନଉତ୍ସବ ଆଦିକୁ ଏହି ଭାଗବତଟୁଙ୍ଗୀରେ ପାଳନ କରାଯାଏ । କାର୍ତ୍ତିକ ମାସ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ଗୃହିଣୀସମୂହ ତୁଳସୀ ଚଉରା ମୂଳେ ସମବେତ ହୋଇ ଶ୍ରୀଜଗନ୍ନାଥାଦି ତ୍ରିମୂର୍ତ୍ତିକୁ ତଥା ତାଙ୍କର ଚିହ୍ନ ଶଙ୍ଖ, ଚକ୍ର, ଗଦା, ପହ୍ମ ଆଦିକୁ ମୁରୂଜରେ ରଙ୍ଗିନ ଚିତ୍ର ଅଙ୍କନ କରି ଆରାଧନା କରିଥାନ୍ତି । ପ୍ରତ୍ୟେକ ଧର୍ମପ୍ରାଣ ଓଡ଼ିଆ ପ୍ରତ୍ୟହ ସ୍ନାନ ପରେ ନିର୍ମାଲ୍ୟ କଣିକାଏ ସେବନ କଲାପରେ ଖାଦ୍ୟ ଗ୍ରହଣ କରିଥାନ୍ତି । ଜନ୍ମ ସମୟରୁ ମୃତ୍ୟୁ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ଓଡ଼ିଆଙ୍କର ଚିରସାଥୀ ଭାବେ ସାଥିରେ ଥିବା ଅଯଥାର୍ଥ ନୁହେଁ । ଅର୍ଥାତ୍ ଶିଶୁଟିଏ ଜନ୍ମ ନେବାର ସାତଦିନ ମଧ୍ୟରେ ସ୍ନାନ କରାଇ ଅଶୌଚ ଦୋଷ ନିବାରଣ କଲାବେଳେ ଶିଶୁଟିର ପାଟିଓଠରେ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ କଣିକା ଦିଆଯାଇଥାଏ ସେହିଦିନଠାରୁ ହିଁ ତା ହୃଦୟରେ ଆରୋପିତ ହୁଏ ଶ୍ରୀଜଗନ୍ନାଥଙ୍କ ଚେତନା । ପ୍ରତ୍ୟେକ ଓଡ଼ିଆ ମୃତ୍ୟୁ ପୂର୍ବରୁ ତୁଣ୍ଡରେ ଟିକେ ନିର୍ମାଲ୍ୟ ପାଣି ପାଇବା ପାଇଁ ବ୍ୟାକୁଳରେ ଚାହିଁରହିଥାଏ । ଏହି ପବିତ୍ର ନିର୍ମାଲ୍ୟ ବା ମହାପ୍ରସାଦ ହିଁ ଜୀବନ ଯିବା ସମୟରେ ମୁକ୍ତିର କାରଣ ବୋଲି ଅଟଳ ବିଶ୍ଵାସ ରହିଛି ।

 

ସେହିପରି ଓଡ଼ିଶାବାସୀଙ୍କ ସମସ୍ତ ଶୁଭକାର୍ଯ୍ୟରେ ନିର୍ମାଲ୍ୟକୁ ମୁଖ୍ୟ ସ୍ଥାନ ଦିଆଯାଇଥାଏ-। ଶିଶୁଟିର ଅନ୍ନପ୍ରାଶନ ବେଳେ, ଏକୋଇଶା ପାଳନ ଅବସରରେ ଓ ଜନ୍ମବାର୍ଷିକୀ ପାଳନ ଅବସରରେ ବ୍ରାହ୍ମଣଶିଶୁଙ୍କର ବ୍ରତଉପୟନ କାଳରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ କିଛି ଟଙ୍କା ପଇସା ଭେଟି କରାଯିବାର ପରମ୍ପରା ରହିଛି । ବନ୍ଧୁ ସମ୍ପର୍କ ଆରମ୍ଭ ସମୟରେ ମହାପ୍ରସାଦ ଅର୍ପଣ କରିବା ଏକ ଶୁଭ ସଂକେତ ଭାବରେ ଗ୍ରହଣ କରାଯାଇଥାଏ । ବନ୍ଧୁମାନଙ୍କୁ ନିମନ୍ତ୍ରଣ କଲାବେଳେ ଚିଠି ଓ ଗୁଆ ସହ ମହାପ୍ରସାଦ ପ୍ରେରଣ ବିଧି ରହିଛି । ବିବାହ ଉତ୍ସବରେ ପ୍ରଥମେ ମହାପ୍ରସାଦ ଅର୍ପଣ କରାଯାଇ ବରଘର ଯାତ୍ରୀଙ୍କୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯିବା ସହ, ପରେ ଭୋଜନର ବ୍ୟବସ୍ଥା କରାଯାଏ । ବିବାହ ପୂର୍ବରୁ ନିର୍ବନ୍ଧ ଦିନ ଉଭୟ ବର ଓ କନ୍ୟା ପିତା ହସ୍ତରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଟେକି ବୈବାହିକ ସମ୍ବନ୍ଧ ସ୍ଥାପନ କରିବା ସଙ୍ଗେ ସଙ୍ଗେ, ଏହି ସମ୍ଵନ୍ଧରୂପୀ ସତ୍ୟବାଣୀକୁ ଅତୁଟ ରଖିବା ପାଇଁ ଶ୍ରୀଜଗନ୍ନାଥଙ୍କ ନାମରେ ଶପଥ କରିଥାନ୍ତି । ଏହି ଶ୍ରୀଜଗନ୍ନାଥଙ୍କ ନାମ ନେବାପରେ ହିଁ ବର ହୁଏ ବାଗଦତ୍ତ ଓ କନ୍ୟା ହୁଏ ବାଗଦତ୍ତା । ଏହାକୁ ମହାପ୍ରସାଦ ନିର୍ବନ୍ଧ କୁହାଯାଏ । ଏଭଳି ନିର୍ବନ୍ଧ ବା ସତ୍ୟବାଣୀ ପରେ କନ୍ୟା ବା ବର ପକ୍ଷରୁ ବିବାହ ପ୍ରସ୍ତାବ ଭଙ୍ଗ କଲେ ସେ ଶ୍ରୀଜଗନ୍ନାଥଙ୍କ ନିକଟରେ ଦ୍ରୋହୀ ହେବା ଲୋକଙ୍କ ବିଶ୍ଵାସ ରହିଛି । ଜାତକ ବିଚାର ବା ଦଶମେଳକ ଗଣନାରେ ଯଦି କିଛି ଅସୁବିଧା ଥାଏ ସର୍ବମଙ୍ଗଳ ଜଗନ୍ନାଥ ବୋଲି ବିଶ୍ଵାସ ରଖି ବିବାହ କାର୍ଯ୍ୟ କରାଇନେବେ ଶ୍ରେଷ୍ଠ ବୋଲି ଓଡ଼ିଆର ସର୍ବସମ୍ମତ ଧାରଣା ରହିଛି । ଏଭଳି ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଓଡ଼ିଆମାନଙ୍କ ପାଇଁ ଅମୃତ ସମାନ ହୋଇଛି-। ମହାପ୍ରସାଦ ଦେଖିଲେ ତାହାକୁ ପ୍ରଣାମ ଜଣାଇବା, ସ୍ଥାନ, କାଳ ପାତ୍ର ନିର୍ବିଶେଷରେ ତାହାକୁ ନିର୍ବିକାର ହୃଦୟରେ ଗ୍ରହଣ କରିବା, ସେବନ ବେଳେ ସମ୍ମାନ ପ୍ରଦର୍ଶନ କରିବା ଏକ ପବିତ୍ର କର୍ତ୍ତବ୍ୟ । ଏହି ମହାପ୍ରସାଦ କୁଡ଼ୁଆ ଆଣି ମୁଖ୍ୟ ଦ୍ଵାରରେ ଟାଙ୍ଗିଲେ ଗୃହକୁ ବିପଦ ଆପଦ ନ ଥାଏ-। ବାହାରକୁ ଯାତ୍ରା କରିବା ସମୟରେ ଏହି ଟଙ୍ଗା ଯାଇଥିବା କୁଡ଼ୁଆକୁ ଦର୍ଶନ ମାତ୍ରେ ଶୁଭଙ୍କର ହେବା ବିଶ୍ଵାସ ରହିଛି ।

 

ଏହାପରେ ରହିଛି ଆରାଧନା । ଏହି ଆରାଧନା କହିଲେ ଦେବଉପାସନା, ପୂଜାପାର୍ବଣ, ଅର୍ଚ୍ଚନା, ଓଷାବ୍ରତ, ଯାନିଯାତ୍ରାକୁ ବୁଝାଇଥାଏ । ପୂର୍ବରୁ କୁହାଯାଇଛି ଅଲୌକିକ ଶକ୍ତିରେ ବିଶ୍ଵାସ କରିବା ହେଉଛି ମାନବ ସଂସ୍କୃତି । କିନ୍ତୁ ଏଭଳି ବିଶ୍ଵାସକୁ କିଏ କେତେବେଳେ କେଉଁ ପ୍ରକାରେ କି ପଦ୍ଧତିରେ କାର୍ଯ୍ୟକାରୀ କରନ୍ତି ତାହା ହିଁ ସ୍ଵାତନ୍ତ୍ର । ଓଡ଼ିଶାର ଆରାଧନା ପଦ୍ଧତି ମଧ୍ୟ ବିଚିତ୍ର । ସେ ଦେବତା ମାନନ୍ତି, ମାତ୍ର ଏହାଙ୍କ ଦିବ୍ୟତ୍ଵ ମାନନ୍ତି ନାହିଁ । ତାଙ୍କ ଦେବତା କାଠର, ସମୟ ଆସିଲେ ସେ ନୂଆ କଳେବର ଧାରଣ କରିବେ । ଏଣୁ ସେ ଏହି କାଠ ବିଗ୍ରହ ଜଗନ୍ନାଥଙ୍କୁ ଆରାଧନାର କେନ୍ଦ୍ରବିନ୍ଦୁ କରିଛନ୍ତି । ଉପାସନା ପଦ୍ଧତିକୁ ଦେଖିଲେ ସେହି ବିଚିତ୍ରତା ପରିଦୃଷ୍ଟି ହୁଏ । କାରଣ ଓଡ଼ିଆ ଭକ୍ତଙ୍କ ଦୃଷ୍ଟିରେ ଜଗନ୍ନାଥ ଠାକୁର ନୁହଁନ୍ତି ସେ ଏକଧାରାରେ ଜଗବନ୍ଧୁ । ଏଣୁ ସେ ତାଙ୍କୁ ବନ୍ଧୁ ଭଳି ଆଚରଣ କରେ । ଏତଦ୍‍ବ୍ୟତିତ ଏହି କାଷ୍ଠ ଦେବତାଙ୍କୁ ଭକ୍ତି ଭାବରେ “ତୁକାର ସମ୍ଵୋଧନ ଅନ୍ୟତ୍ର ଦେଖାଯାଏ ନାହିଁ” । ଏଥିରେ ତା’ର ଆନ୍ତରିକତା ଥିବା ସୂଚିତ ହୁଏ ସିନା ସେ ତା’ର ଇଷ୍ଟଙ୍କୁ ନ୍ୟୂନ ମନେ କରି ଥାଏ । ଏହାହିଁ ଦେବତାଙ୍କୁ ଇତର ପୁରୁଷ ରୁପେ ସମ୍ଵୋଧନ କରି ସ୍ଵକୀୟ ଭାବନା ଜଣାଇବା ଓଡ଼ିଆ ସଂସ୍କୃତିର ଅନ୍ୟତମ ବୈଶିଷ୍ଟ୍ୟ । ଏତଦ୍‍ବ୍ୟତିତ ମନ୍ତ୍ର ନ ବୋଲି ଭୋଗ ସମର୍ପିବା, ବାଇଶ ପାହାଚରେ ଗଡ଼ାଇବା, ପ୍ରମାଣ ସହିତ ମୁଣ୍ଡିଆ ମାରିବା ଓଡ଼ିଆଙ୍କ ଦିଅଁ ଦେଖାର ବା ଆରାଧନାର ଏକ ବିଶେଷତ୍ଵ । ଏସବୁ ଯେ ଓଡ଼ିଆଙ୍କର ଜଗନ୍ନାଥ ସଂସ୍କୃତି ଏହା କହିବା ଅନାବଶ୍ୟକ ।

 

ଏହି ପରିପ୍ରେକ୍ଷୀରେ ବିଚାର କଲେ ଓଡ଼ିଆ ସଂସ୍କୃତିର ପ୍ରକୃତ ସ୍ଵରୂପ କ’ଣ ତାହା ସୂଚିତ ହୋଇପାରିବ । ଖାଲି ଲୋକଦେଖାଣିରେ ଆମ ସଂସ୍କୃତି ଏକ ବ୍ୟାପକ ସଂସ୍କୃତି । ତାହା କେବଳ ଓଡ଼ିଆ ସଂସ୍କୃତି ନ ହୋଇ ବିଶ୍ଵ ମାନବ ସଂସ୍କୃତିର ମଧ୍ୟ ପରିପୂର୍ଣ୍ଣ ପ୍ରକାଶ । ଏସବୁ ସଂସ୍କୃତି ମଧ୍ୟରୁ କେଉଁଗୁଡ଼ିକ ନିଛକ ଓଡ଼ିଆ ସଂସ୍କୃତିରେ ପରିଣତ ହୋଇଛି ତାହା ପରୀକ୍ଷା କରିବାକୁ ପଡ଼େ । କାରଣ ଏହି ଓଡ୍ର ବା ଓଡ଼ିଶା ଏଭଳି ସ୍ଥିତିରେ ରହିଛି ସେଥିରେ ଉତ୍ତର ପୂର୍ବାଞ୍ଚଳ ଓ ପଶ୍ଚିମ ଦକ୍ଷିଣାଞ୍ଚଳର ଭାଷାଭାଷୀ ବା ଆଦିମ ଅନାର୍ଯ୍ୟ ଆର୍ଯ୍ୟ ଭାଷାଭାଷୀଙ୍କ ସଙ୍ଗମ ସ୍ଥଳ ବା ମିଶ୍ରଣ ସ୍ଥଳ ରୂପେ ପରିଣତ ହୁଏ । ଏମାନେ ପୁଣ୍ୟ ଭୂମି ଜଗନ୍ନାଥ କ୍ଷେତ୍ରରେ ବସବାସ ସହ ସ୍ଥାୟୀ ଭାଷା ଓ ସଂସ୍କୃତିକୁ ଆଦାନ ପ୍ରଦାନ ଦ୍ଵାରା ଓଡ଼ିଆ ଭାଷା ସଂସ୍କୃତିରେ ସମୃଦ୍ଧ କରିଦେଇଛନ୍ତି ।

 

ଏହାପରେ ଆମେ ଦେଖିବା ଓଡ଼ିଆ ସାହିତ୍ୟର ଗତି ଓ ସ୍ଥିତି । କାଳ ପ୍ରବାହରେ ଏହି ବଳିଷ୍ଠ ଓଡ଼ିଆ ସାହିତ୍ୟ କିଭଳି ଉନ୍ନତ ତଥା ଶାସ୍ତ୍ରୀୟ ରୂପ ଧାରଣ କରିଥିଲା ଏବଂ ଏଭଳି ବଳିଷ୍ଠ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗଗୁଡ଼ିକରେ ଆଲୋଚ୍ୟ ଜଗନ୍ନାଥ କିଭଳି ପ୍ରଭାବ ବା ପ୍ରତିଷ୍ଠା ହୋଇ ପାରିଛନ୍ତି ତାହା ଉଲ୍ଲେଖଯୋଗ୍ୟ । ସାହିତ୍ୟ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଏହା କେବଳ ମନୋରଞ୍ଜନକାରୀ ନ ହୋଇ ଏହା ସମାଜ ଓ ଦେଶକୁ ଉଦ୍‍ବୁଦ୍ଧ କରିଥାଏ । ଏହା ଧାର୍ମିକ ଜାଗରଣ ପାଇଁ ଖୋରାକ ଯୋଗାଇଥାଏ ତଥା ସମାଜ ଓ ଜୀବନର ବିକାଶ ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତ କରିଦେଇଥାଏ । ସାହିତ୍ୟ ହିଁ ବ୍ୟକ୍ତିର ରସମୟ, ଭାବମୟ, ବାଙ୍‍ମୟ ଅଭିବ୍ୟକ୍ତି ପାଲଟିଥାଏ । କାରଣ ମଣିଷକୁ ଛାଡ଼ି ସାହିତ୍ୟର କଳ୍ପନା କରାଯାଇ ନପାରେ ।

 

ସେହିପରି ସାହିତ୍ୟକୁ ବାଦ୍ ଦେଇ ମଣିଷର ସୃଷ୍ଟିଶୀଳତା ମଧ୍ୟ କଳ୍ପନା ବାହାରେ । ମଣିଷ ସୃଷ୍ଟିରେ ସାହିତ୍ୟ ଦିଏ ମନୁଷ୍ୟକୁ ଧର୍ମ । ଅର୍ଥ, କାମ, ମୋକ୍ଷାଦି ଚତୁଃର୍ବଗ ତଥା ବ୍ୟବହାର ପଟୁତା, ଶୁଭ ଅଶୁଭର ସୂଚନା ଦିଏ ଧର୍ମପତ୍ନୀର ଉପଦେଶଭଳି ବହୁ ନୈତିକ ଉପଦେଶ ପ୍ରଦାନ କରିଥାଏ-। ଏହି ସବୁ ପଦାର୍ଥ ରୂପକ ବାଣୀରେ ମଣିଷକୁ ବଞ୍ଚିବାର ଲକ୍ଷ୍ୟ ପ୍ରଦାନ କରିଥାଏ । ସେହିପରି ଏହି ସାହିତ୍ୟ ମାଧ୍ୟମରେ ହିଁ ଅଧୋଗତିରୁ ମଣିଷ ରକ୍ଷା ପାଇଥାଏ । ନିବିଡ଼ ଅନ୍ଧକାର ମଧ୍ୟରୁ ମଣିଷକୁ ବଞ୍ଚିବାର ଆଲୋକ ପ୍ରଦାନ କରିଥାଏ । ତାହାରି ମଧ୍ୟ ଦେଇ ଭାବ ରୂପର ଜଗତ ସୃଷ୍ଟି ହୁଏ । ଭାଷାର ଲଳିତ ବିନ୍ୟାସ ଦେଇ ମନୁଷ୍ୟର ଭାବ ପ୍ରକାଶ ପାଏ । ସାହିତ୍ୟ ସେହି ଲାଳିତ୍ୟକୁ ନେଇ ପାଠକର ମନ ଆହ୍ଲାଦିତ ହୁଏ । ଜୀବନର ନାନା ଭାବନା, ଆଶା ଓ ଆକାଂକ୍ଷା, ବିସ୍ମୟ, ଭୟ, ପ୍ରେମ, ଓ କରୁଣା ସବୁକିଛି ଏହି ଭାଷା ସାହିତ୍ୟରେ ରୂପ ଗ୍ରହଣ କରେ । ଏଣୁ ସାହିତ୍ୟ ଜ୍ଞାନର ବିଷୟ ନ ହୋଇ ଭାବର ବିଷୟ ପାଲଟି ଥାଏ । ଅନ୍ୟ ଦୃଷ୍ଟିରୁ ଦେଖିଲେ ସାହିତ୍ୟ କଳ୍ପନା ମାତ୍ର ନୁହେଁ କେବଳ ଅନୁଭୂତି । ଜ୍ଞାନ, ଭାବ ଓ ଭାଷା ମାତ୍ର ନ ହୋଇ ଏହି ସମୟର ସମନ୍ଵୟୀ କମନୀୟ ରୂପ ହୋଇ ଯାଇଥାଏ । ଏ କ୍ଷେତ୍ରରେ ଜଣେ ଅନୁଭୂତିସମ୍ପନ୍ନ ଭାବଗ୍ରାହୀ ବ୍ୟକ୍ତିହିଁ କଳ୍ପନାବଳରେ ସୃଷ୍ଟି କରିପାରେ । ସେ ନିଜକୁ ସଂଶ୍ଲିଷ୍ଟ କରିନିଏ ସକଳ ସହିତ ।

 

ମନୁଷ୍ୟର ଗୋଷ୍ଠୀଗତ ଜୀବନଯାପନ ହେତୁରେ ତା’ର ସଂସ୍କୃତିରେ ଉନ୍ମେଷ ହୋଇଛି । ଏହି ସଂସ୍କୃତି ସହିତ ସୃଷ୍ଟି ହୋଇଛି ସାହିତ୍ୟ । ଏଣୁ ସାହିତ୍ୟ ଓ ସଂସ୍କୃତି ହୋଇଛି ପରସ୍ପରର ପ୍ରେରଣାର ଉତ୍ସ । ଭାଷା ହୋଇଛି ଏହି ଦୁଇଟିର ପ୍ରକାଶ ମାଧ୍ୟମ । କାରଣ ଭାଷା ଈଶ୍ଵର ସୃଷ୍ଟି ନ ହୋଇ ଏହା ମନୁଷ୍ୟ ସମାଜର ସ୍ଵାଭାବିକ ପରିଣତି । ମନୁଷ୍ୟ ଯେଉଁ ଅଞ୍ଚଳରେ ଜନ୍ମ ଲଭିଥାଏ ସେହି ଅଞ୍ଚଳର ଭାଷାକୁ ମଧ୍ୟ ଆଦରି ନେଇଥାଏ । ଏହି ସ୍ଥଳରେ ସାହିତ୍ୟ, ସଂସ୍କୃତି ଓ ଜୀବନ ମିଳି ଯାଇ ସୃଷ୍ଟି ହୁଏ ଅପୂର୍ବ ରସ । ଏଠାରେ ଏହି ସାହିତ୍ୟ ,ସଂସ୍କୃତି ଓ ଜୀବନ ମଧ୍ୟରୁ କାହାରିକୁ ଭିନ୍ନାଭିନ୍ନ କରି ହୁଏ ନାହିଁ । ପରସ୍ପର ପରସ୍ପରକୁ ପ୍ରେରଣା ଦେଇଥାନ୍ତି । ଭାବ ରାଜ୍ୟରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଥାଏ । ସାହିତ୍ୟର ଗତିପଥ ଅବାରିତ ହେତୁ ସେ ପଥ ଅପଥ ନ ମାନି ଏକ ନୂତନ ପଥ ସୃଷ୍ଟି କରେ । ସେଠାରେ ଜାତି, ସୀମା, ସଂକାର୍ଣ୍ଣତାଆଦି ଦୂରେଇ ଯାଇ ବିଶ୍ଵାତୀତକୁ ପହଞ୍ଚିଯାଏ ସାହିତ୍ୟର ସୀମିତ ଗଣ୍ଡି ମଧ୍ୟରୁ ।

ଓଡ଼ିଆ ସାହିତ୍ୟ ଅନ୍ୟାନ୍ୟ ଭାଷାର ସାହିତ୍ୟ ପରି ଏକ ସାହିତ୍ୟ । ଓଡ଼ିଶାର ବା ଓଡ଼ିଆ ଜାତିର ଜୀବନ ଓ ସଂସ୍କୃତି ଏଥିରେ ପ୍ରକାଶ ପାଇଥାଏ । ଏହି ଓଡ଼ିଆ ସାହିତ୍ୟ ବାହ୍ୟଭାଷାର ପ୍ରଭାବକୁ ଗ୍ରହଣ କରିଥିଲେ ମଧ୍ୟ ସେ ନିଜର ନିଜସ୍ଵକୁ ବଳି ପକାଇ ଦେଇ ନାହିଁ । ଏଣୁ ଏହି ଓଡ଼ିଆ ସାହିତ୍ୟ ପ୍ରଚଳିତ ହୋଇ ଆସିଛି ଓଡ଼ିଆ ଭାଷା ସୃଷ୍ଟିର ପ୍ରାକ୍ କାଳରୁ । ଭାଷାର ସୃଷ୍ଟି ପରେ ପରେ ସେଥିରେ ସାହିତ୍ୟ ସୃଷ୍ଟି ହୋଇଛି । ପ୍ରାୟ ଏକ ସହସ୍ର ବର୍ଷର ଓଡ଼ିଆ ସାହିତ୍ୟର ଗତି ବହୁ ବିଚିତ୍ରତା ମଧ୍ୟରେ ଗତି କରିଛି । ପୁଣି ଦଶମ ଏକାଦଶ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଏହାର ଉନ୍ମେଷ ସମ୍ଭବ ହୋଇଛି । ଫଳରେ ଏହି ସମୟ ମଧ୍ୟରେ ଅଦ୍ଭୁତପୂର୍ବ ପରିପୂର୍ଣ୍ଣତା ଲାଭ କରିଛି । ଏହି ସମୟ ବେଳକୁ ଅପଭ୍ରଂଶ ବା ପ୍ରାକୃତ ଭାଷାରୁ ଅର୍ଦ୍ଧମାଗଧୀ ରୂପରେ ଓଡ୍ର ଭାଷାର ଆଦି ଉନ୍ମେଷ ସୃଷ୍ଟି ହୋଇଛି । ଏଭଳି ଅପଭ୍ରଂଶ ବା ପ୍ରାକୃତ ଭାଷାରେ ସାହିତ୍ୟ ରଚନା ଓଡ଼ିଆ ଭାଷାରେ ଶିଳାଲେଖ ସହିତ ପାଞ୍ଜି (ମାଦଳା ପାଞ୍ଜି) ରଚନା ସମ୍ଭବ ହୋଇଛି ।

 

ଅନ୍ୟ ଦିଗରେ ବୈଦିକ ସାହିତ୍ୟ ସମ୍ବନ୍ଧେ ସାମାନ୍ୟ ଆଲୋଚନା କରାଯାଇପାରେ । ମନୁସ୍ମୃତି କହେ “ବେଦୋଽଖିଳଧର୍ମମୂଳମ୍ ସର୍ବଜ୍ଞାନମୟୋହି ସଃ” ଅର୍ଥାତ୍ ତାଙ୍କ ମତରେ ବେଦ ହିଁ ଧର୍ମର ମୂଳ ଏବଂ ଏହା ସମସ୍ତ ଜ୍ଞାନଯୁକ୍ତ ମନ୍ତ୍ରଦ୍ରଷ୍ଟା ଋଷି ନିଜ ନିଜର ଚିନ୍ତନ ମନନ ଓ ଅନୁଭବ ଦ୍ଵାରା ଯେଉଁ ସତ୍ୟର ସାକ୍ଷାତ୍ ପାଇଥିଲେ ତାହାର ସଂଜ୍ଞା ହେଲା ବେଦ । ଏହି ବେଦ ବା ବୈଦିକ ସାହିତ୍ୟର ପୂର୍ବ କାଳୀନ ରୂପ ସଂହିତା ଓ ବ୍ରାହ୍ମଣ ଗ୍ରନ୍ଥ ଥିଲା । ବେଦର ଉତ୍ତରକାଳୀନ ରୂପ ଆରଣ୍ୟକ ଓ ଉପନିଷଦ ଥିଲା । ପୂର୍ବକାଳୀନ ରୂପରେ କର୍ମକାଣ୍ଡ ଓ ଯଜ୍ଞପ୍ରଧାନ ଥିଲା । ଉତ୍ତରକାଳୀନ ରୂପରେ ଜ୍ଞାନ ଓ ଆଧ୍ୟାତ୍ମ ଭାବନା ସନ୍ନିହିତ ଥିଲା । ଶ୍ରୁତି, ବେଦ, ସ୍ମୁତି ବା ମନ୍ଵାଦି ଧର୍ମଶାସ୍ତ୍ର ବୈଦିକ ଯୁଗ ଉପରେ ରଚିତ ଶାସ୍ତ୍ର ପୁରାଣମାନଙ୍କ ନିର୍ଦ୍ଦିଷ୍ଟ ଉପଦେଶ ଧର୍ମ ନାମରେ ବିଦିତ ହୋଇଥିଲା । ଯେତେବେଳେ ବେଦ ବିରୋଧୀ ଜୈନ ଓ ବୌଦ୍ଧ ଧର୍ମ ବ୍ୟାପକ ବେଦବିରୋଧୀ ପ୍ରଚାର କଲେ ଏହି କାରଣକୁ ନେଇ ସଂଗଠିତ ରୂପରେ ଏହାକୁ ବିରୋଧ କଲେ ବୈଦିକ ଓ ପୌରାଣିକ ତଥା ପଞ୍ଚରାତ୍ରିକମାନେ । ଏହାଦ୍ଵାରା ବେଦ ଭଳି ପୁରାଣ ସମୂହ ବେଦମତାନୁଯାୟୀ ଅନୁକୂଳ ମତର ସୃଷ୍ଟି ହେଲା ଓ ଧାର୍ମିକ ବିଧି ପରମ୍ପରା ରୂପେ ଏହା ଗ୍ରହଣ କରାଗଲା । ଶ୍ରୁତି, ବେଦ, ସ୍ମୃତି ବା ମନ୍ଵାଦି ଧର୍ମ ଶାସ୍ତ୍ର ଓ ବୈଦିକ ଯୁଗ ଉପରେ ରଚିତ ପୁରାଣ ସମୂହ ଯେଉଁ ଉପଦେଶ ଦେଇଗଲେ ତାହା ଧର୍ମଶାସ୍ତ୍ର ଓ ବୈଦିକ ଧର୍ମ ଦର୍ଶନ ବୋଧଗମ୍ୟ ପାଇଁ ସାହାଯ୍ୟ କରିଥିଲା ।

 

ଧର୍ମ ଓ ସାହିତ୍ୟ ପରସ୍ପର ନିର୍ଭରଶୀଳ । ଧର୍ମର ବହୁଳ ପ୍ରଚାର ପ୍ରସାର ଲୋକ ବୁଝିବା ଲକ୍ଷ୍ୟରେ ସାହିତ୍ୟ ରଚନା ପ୍ରତ୍ୟେକ ଧାର୍ମିକ ମତବାଦର ମୁଖ୍ୟ ଥିଲା । ଏଣୁ ଧର୍ମ ମାଧ୍ୟମରେ ଧାର୍ମିକ ସମ୍ପ୍ରଦାୟ ବା ଧର୍ମର କଳେବର ବିଷୟବସ୍ତୁକୁ ଲେଖନୀୟ ଶୈଳୀ, ଭାଷା ଆଦିରେ ପରିବର୍ତ୍ତନ ଆଣି ସାହିତ୍ୟ ତଥା ବୈଦିକ ସଂସ୍କୃତି ଓ ଲୌକିକ ଜୈନ, ବୌଦ୍ଧ, ସିଦ୍ଧ, ନାଥ ଆଦି ଗ୍ରନ୍ଥର ଗତିକୁ ଚଳଚଞ୍ଚଳ କରାଇଥିଲେ । ଫଳରେ ବହୁ ଭାଷାଭାଷୀ ଆଞ୍ଚଳିକ ସ୍ତରରେ ଭାଷାର ସମୃଦ୍ଧ ଓ ସ୍ଥାୟିତ୍ଵ ବଜାୟ ରଖିଥିଲେ । ତେଣୁ ଗୋଟିଏ ଜାତିର ଅର୍ଥାତ୍ ଓଡ଼ିଆ ଜାତିର ଭାଷା ଓ ସାହିତ୍ୟ ସମୃଦ୍ଧି ପାଇଁ ଧର୍ମହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଧର୍ମ ଅନ୍ୟ କେଉଁଠୁ ଆମଦାନୀ ହୋଇ ଆସିବା ଅପେକ୍ଷା ଏହା ନିଜ ମାଟିରେ ସୃଷ୍ଟି, ବିକାଶ କିମ୍ଵା ପରିବର୍ତ୍ତନ ହେବା ଜରୁରୀ । ଏହି ଦୃଷ୍ଟିକୋଣରେ ଓଡ଼ିଶା ଗୌରବର ପରିଚୟ ଦେଇଛି । ଅର୍ଥାତ୍ ଏହା ଜୈନ, ବୌଦ୍ଧ, ବ୍ରାହ୍ମଣ, ଶୈବ, ଶାକ୍ତ, ସିଦ୍ଧ, ନାଥ ଆଦିଙ୍କ ପ୍ରଚାର ପ୍ରସାର କ୍ଷେତ୍ର ଏହି ଉତ୍କଳ ଭୂମି ପାଲଟି ଯାଇଛି । ଏତଦ୍‍ବ୍ୟତିତ ଓଡ଼ିଶା ମାଟିର ନିଜସ୍ଵ ଧର୍ମ ହେଲା ଜଗନ୍ନାଥ ଧର୍ମ । ଏହି ଧର୍ମ ଏପରି ଭାବରେ ପ୍ରଭାବିତ ବା ପ୍ରତିଷ୍ଠା ପାଇ ଆସିଛି ଯେ ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ଶ୍ରୀଚୈତନ୍ୟଙ୍କ ପର୍ଯ୍ୟନ୍ତ ସମସ୍ତ ମତବାଦପ୍ରବକ୍ତା ଏହି ଜଗନ୍ନାଥଙ୍କ ମାଟିକୁ ଆସି ନିଜେ ନିଜେ ଜଗନ୍ନାଥଙ୍କଠାରେ ସମର୍ପିତ ହେବା ସହ ଜଗନ୍ନାଥଙ୍କ ଧର୍ମ ଓ ଚେତନାକୁ ସ୍ଵୀକାର କଲା ପରେ ଓଡ଼ିଶାବାସୀ ଏମାନଙ୍କ ମତବାଦକୁ ଗ୍ରହଣ କରିଛନ୍ତି । ଏଭଳି ଆଚରଣ ଭାରତରେ ଅନ୍ୟ କୌଣସି ଅଞ୍ଚଳରେ ସମ୍ଭବ ନ ଥିଲା । ଏଣୁ ଉପରୋକ୍ତ ଧର୍ମସମୂହ ତଥା ଧର୍ମପ୍ରଚାରକୁ ନିଜର ସମର୍ପଣ ଭାବରେ ମାନବ ସମାଜକୁ ନୂଆରୂପ ଦେଇଛନ୍ତି । ଏଭଳି ସମର୍ପଣଧର୍ମୀ ନୂଆ ଚିନ୍ତାଧାରା ପାଇ ଯେଉଁ ସବୁ ଜଗନ୍ନାଥ ସାହିତ୍ୟ ସୃଷ୍ଟି ହେବା ସହ ଏହା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ପ୍ରଭାବ ଓ ପ୍ରତିଷ୍ଠା ଦେଇଥିବା ଅସମ୍ଭବ ନୁହେଁ । କାରଣ ହେଲା ବୈଦିକ ମତ ବିଶେଷ କରି ଅଥର୍ବବେଦୀୟ ପୈପଲ୍ଲାଦଶାଖାର ପ୍ରଚାର, ଅଶୋକଙ୍କ ମହାଯାନ, ବୌଦ୍ଧଧର୍ମର ପ୍ରସାର, ପ୍ରବୃତ୍ତି ସର୍ବସ୍ଵ ଭକ୍ତିବାଦ, ଶଙ୍କରଙ୍କ ନିର୍ଗୁଣ ବ୍ରହ୍ମବାଦଭିତ୍ତିକ ବେଦାନ୍ତର ଅଦ୍ଵୈତ ସିଦ୍ଧାନ୍ତ ଏହାର ପ୍ରଚାର ପାଇଁ ଶ୍ରୀକ୍ଷେତ୍ରରେ ଗୋବର୍ଦ୍ଧନ ମଠର ପ୍ରତିଷ୍ଠା ଆଦି ସଂଗଠିତ ହେଲା । ଏଣୁ ଏସବୁ ବିଷୟକୁ ନେଇ ଓଡ଼ିଶାର ମଧ୍ୟଯୁଗୀୟ ନିର୍ଗୁଣ ସାହିତ୍ୟର ଧାରା ସୃଷ୍ଟି ହେଲା । ସେହିପରି ଉପନିଷଦୀୟ ନିଷେଧାତ୍ମକ ରୀତିରେ ନେତିବାଚକ ବାକ୍ୟ ଦ୍ଵାରା ବ୍ରହ୍ମଙ୍କର ପରିଚୟ ଦିଆଯାଇଥିଲା । କିନ୍ତୁ ସମ୍ପୂର୍ଣ୍ଣ ଅସ୍ତିତ୍ଵବିହୀନ ଅଭାବବାଚକ ଏପରି ତତ୍ତ୍ଵର ସ୍ଥାନ ପୂରଣ ହେବା ଆବଶ୍ୟକ ହେଲା । ଜଗନ୍ନାଥଙ୍କ ନାମରେ ପୂଜିତ ହୋଇଆସିଥିବା ବୁଦ୍ଧ ବିଗ୍ରହ ଓଡ଼ିଶାର ଲୋକ ସାଧାରଣରେ ଶୂନ୍ୟପ୍ରତୀକ ରୂପେ ଅତ୍ୟନ୍ତ ପ୍ରିୟ ଉପାସ୍ୟ ପାଲଟିଥିଲେ । ତେଣୁ ବୌଦ୍ଧଧର୍ମର ବଜ୍ରଯାନୀମାନେ ଏହି ଶୂନ୍ୟରୂପୀ ଜଗନ୍ନାଥ ସର୍ବଶୁଦ୍ଧାନୁକାରକ ଶୂନ୍ୟଗର୍ଭ ସର୍ବସଂକଳ୍ପବର୍ଜିତ ଜ୍ଞାନମୂର୍ତ୍ତି ଭାବରେ ଗ୍ରହଣ କରିଥିଲେ ।

 

ଏଭଳି ଶ୍ରୀଜଗନ୍ନାଥଙ୍କଠାରେ ବୁଦ୍ଧତ୍ଵ ଓ ଶୂନ୍ୟତାର ପ୍ରୟୋଗ ନିର୍ଗୁଣ ବ୍ରହ୍ମବାଦର ପ୍ରତିଷ୍ଠା କରାଇବାରେ ଶ୍ରୀଜଗନ୍ନାଥ ହେଲେ ଦାରୁବ୍ରହ୍ମ ତଥା ବୁଦ୍ଧାବତାର ବିଷ୍ଣୁଭାବରେ ଲୋକରେ ଓ ସାହିତ୍ୟରେ ପ୍ରତିଷ୍ଠା ଲାଭ କଲେ । ଏଣୁ ଜଗନ୍ନାଥଙ୍କ ଶୂନ୍ୟତତ୍ତ୍ଵ ବୌଦ୍ଧ ଶୂନ୍ୟବାଦ ଦ୍ଵାରା ଉଦ୍‍ବୋଧିତ ହେଲେ । ପରେ ପରେ ଓଡ଼ିଆ ସାହିତ୍ୟରେ ସେ ଅସ୍ତିବାଚକ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣତାରୂପୀ ତଥା ସର୍ବବ୍ୟାପୀ ରୂପେ ସର୍ବଜୀବଙ୍କର ବାହ୍ୟ ଆଭ୍ୟନ୍ତରରେ ପରିବ୍ୟାପ୍ତ ଅଖଣ୍ଡପ୍ରାଣସତ୍ତାକୁ ବୁଝାଇଲା । ଉଭୟ ବୁଦ୍ଧ ଓ ବିଷ୍ଣୁ ଜଗନ୍ନାଥ ନାମରେ ପରିଚିତ ହେଲେ । ଏଣୁ ଓଡ଼ିଶାର ଲୋକ ପରମ୍ପରାରେ ବୁଦ୍ଧ ଜଗନ୍ନାଥ ବିଷ୍ଣୁଙ୍କର ସବୁ ଅବତାରରେ ମୂଳରୂପେ ଗୃହୀତ ହୋଇଥିଲେ । କିନ୍ତୁ ଯେଉଁ ଜଗନ୍ନାଥଙ୍କଠାରେ ଇତିହାସର କାଳପ୍ରବାହ ସତ୍ତା ବା ସଂଜ୍ଞା ହରାଇଛନ୍ତି ସେହି ଶୂନ୍ୟସତ୍ତା ମଧ୍ୟରେ ସବୁବୁଦ୍ଧ, ସବୁବିଷ୍ଣୁ, ସବୁଶୂନ୍ୟ, ସବୁବ୍ରହ୍ମ ବିଲୀନ ହୋଇ ମନୁଷ୍ୟକୁ କର୍ମସାଧନା ଭାବପାଇଁ ନିଷ୍କାମ ଭାବ ଦେଇ ଶ୍ରୀକ୍ଷେତ୍ରବାସୀ ରୂପେ ଦେଇ ଆସୁଛନ୍ତି ଅନ୍ତହୀନ ପ୍ରେରଣା । ଏହାଠୁ ବଳି ପ୍ରେରଣାଦାୟକ ପ୍ରଭାବ ଓ ପ୍ରତିଷ୍ଠା ଆଉ କ’ଣ ହୋଇପାରିବ । ଉତ୍କଳରେ ଓଡ଼ିଆ ସାହିତ୍ୟଧାରାରେ ତାନ୍ତ୍ରିକ ବୌଦ୍ଧ ନାଥ, ଶୈବ ଓ ବୈଷ୍ଣବାଦି ଧର୍ମମତର ପ୍ରଭାବ ପରିଦୃଷ୍ଟ ହେଲେ ମଧ୍ୟ ଏହି ଶୂନ୍ୟ ନିର୍ଗୁଣ ସିଦ୍ଧାନ୍ତ ହୋଇଛି ଓଡ଼ିଆ ସାହିତ୍ୟର ଆତ୍ମା ଭାବରେ ସର୍ବାଧିକ ଶକ୍ତିଶାଳୀ ବା ମୁଖ୍ୟପ୍ରବାହ । ଏହା ସହନଶୀଳ ଭାରତୀୟ ସନାତନ ଧର୍ମ ରୀତିରେ ଚରମ ସତ୍ୟକୁ ପ୍ରମୁଖ ସ୍ଥାନ ଦେଇଛି । ଉତ୍କଳର ସାଂସ୍କୃତିକ ଚେତନା, ସଭ୍ୟତା, ସାମାଜିକ ଜୀବନ ଯାପନ ପଦ୍ଧତି ମୁକ୍ତି ହୋଇ ଧାର୍ମିକ କ୍ଷେତ୍ରରେ ଏକ ପ୍ରଗତିଶୀଳ ବିଜ୍ଞାନସମ୍ମତ ଅନୁଶୀଳନ ରୀତିକୁ ଉଜ୍ଜୀବିତ କରିଛି । ଅଜ୍ଞତା, ଅନ୍ଧବିଶ୍ଵାସ, କୁସଂସ୍କାର, ଯୌନ ବ୍ୟଭିଚାର ଜଘନ୍ୟତାକୁ ବିରୋଧ କରିଛନ୍ତି । କଠୋର ସଂଯମ ନୈତିକ ଆଦର୍ଶ, ଶୁଦ୍ଧଜ୍ଞାନ ଚେତନାକୁ ଆୟୁଧ କରି ଉତ୍କଳର ମାନବ ସଭ୍ୟତାକୁ ସର୍ବାଙ୍ଗ ସୁନ୍ଦର କରିପାରିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତିକୁ ପାଥେୟ କରି ସେମାନେ ଏହି ନୂତନ ଦିଗ୍‍ଦର୍ଶନ ହିଁ ଓଡ଼ିଆ ସାହିତ୍ୟକୁ ଗୌରବାନ୍ଵିତ କରାଇଛି । ଏଥିରେ ଦ୍ଵିମତ ନାହିଁ ।

 

 

ପ୍ଲଟନ୍ୱର – ୧୩୫/୧୬୦୬, ଚିନ୍ତାମଣିଶ୍ୱର

ଭୁବନେଶ୍ୱର – ୬, ଫୋନ - ୨୩୧୩୨୮୯

 

***

 

Unknown

ପାତାଳୀ ଶ୍ରୀକ୍ଷେତ୍ରର ଇତିହାସ ଓ ସଂସ୍କୃତି

ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର

 

ସେ ଦିନ ତା.୦୭.୦୨.୨୦୧୧ରିଖରେ ପାତାଳୀ ଶ୍ରୀକ୍ଷେତ୍ର, କୋଟସମଲାଇ, ସୁବର୍ଣ୍ଣପୁରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ଉତ୍ସବ ଅବସରରେ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କର ଅଭିଭାଷଣ ଶୁଣିଲି । ତାଙ୍କ ବକ୍ତବ୍ୟ ଥିଲା ଏହିପରି- xxxx “ଏ କ୍ଷେତ୍ର ହେଉଛି ପବିତ୍ର କ୍ଷେତ୍ର । ଏହିଭଳି ଐତିହାସିକ ଲୀଳାମୟ କଥା ଯେମିତି ମାଦଳାପାଞ୍ଜିରେ ଅଛି, ଗବେଷକମାନେ ଯାହା କହିଛନ୍ତି, ତାହା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଏହି ପବିତ୍ର ସ୍ଥାନରେ ମହାପ୍ରଭୁ୧୪୪ ବର୍ଷ ଅବସ୍ଥାନ କରିଥିଲେ । ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହେଉ ଏବଂ ତାର ଚତୁର୍ଦ୍ଦିଗ ପ୍ରାକୃତିକ ପରିବେଶଭରା ହୋଇଉଠୁ । ପୁରୀ ଶ୍ରୀମନ୍ଦିରର ନୀତି ନିୟମ ଅନୁସାରେ ଏଠି ନୀତିନିୟମ ଚାଲୁ । ପୁରୀ ଶ୍ରୀମନ୍ଦିର ଭଳି ଏଠି ମନ୍ଦିର ପ୍ରତିଷ୍ଠା ହେଉ । ମନ୍ଦିର ପ୍ରତିଷ୍ଠା ବେଳକୁ ମୁଁ ନିଶ୍ଚୟ ଆସିବି, ଯଦି ମହାପ୍ରଭୁଙ୍କର ଇଚ୍ଛା ହୁଏ-

 

ପ୍ରାୟ ନବମ ଶତାବ୍ଦୀର ପାଖାପାଖି ଶୋଭନ ଦେବଙ୍କର ରାଜତ୍ଵ ସମୟରେ ଗୋବିନ୍ଦ ତୃତୀୟଙ୍କ ଆକ୍ରମଣ ସମୟରେ ଦଇତାପତିମାନେ ଜଗନ୍ନାଥଙ୍କୁ ସୋନପୁର ରାଜ୍ୟକୁ ନେଇ ଆସି ଏଠାରେ ଏକ ମଣ୍ଡପରେ ବିଜେ କରାଇ ୪୫ ବର୍ଶ ଧରି ପୂଜା କରିଥିଲେ । ତାପରେ ରକ୍ତବାହୁଙ୍କ ଆକ୍ରମଣ ଭୟରେ ଏଠାରେ ତ୍ରିକୂଟ ପାହାଡ଼ରେ ପାତାଳୀ କରାଇ ଦଇତାପତିମାନେ ବିରିବନ୍ଧ ଓ ରତ୍ନଗିରିଆଡ଼େ ଚାଲିଗଲେ । ମହାପ୍ରଭୁ ତାପରେ ଦୀର୍ଘବର୍ଷ ଧରି ଏଠାରେ ଗୁପ୍ତ ହୋଇ ରହିଥିଲେ ବୋଲି ମାଦଳା ପାଞ୍ଜିରେ କୁହାଯାଇଛି ।’’

 

ଗଜପତିଙ୍କ ଏଇ ସିଦ୍ଧ ଓ ଦୃଢ଼ ବକ୍ତବ୍ୟ ଶୁଣିଲାପରେ ସେଦିନ ମୁଁ ଅନେକ ପ୍ରଶ୍ନର ଉତ୍ତର ଖୋଜିଥିଲି । ମୋ ମନ ଭିତର ଆନ୍ଦୋଳିତ ହୋଇଥିଲା । ସତରେ କ’ଣ ପ୍ରଭୁ ଜଗନ୍ନାଥ କୋଟସମଲାଇ ସୁବର୍ଣ୍ଣପୁରର ତ୍ରିକୂଟ ପାହାଡ଼ରେ ପାତାଳୀ ହୋଇଥିଲେ ? ସେଦିନ ଗଜପତି ମହାରାଜଙ୍କ ମୁଖରୁ ନିଃସୃତ ବକ୍ତବ୍ୟ ଶୁଣିଲା ପରେ ଅନେକ ଜିଜ୍ଞାସୁ ଜନତା କଥାଟିକୁ ସତ ମଣିଥିବେ । ନହେଲେ ଓଡ଼ିଶାର ଚଳନ୍ତିବିଷ୍ଣୁ କୁହାଯାଉଥିବା ଗଜପତି ମିଛ କଥାଟିଏ ସତ ବୋଲି କାହିଁକି କୁହନ୍ତେ ?

 

ଏହି ରହସ୍ୟର ଐତିହାସିକତାକୁ ନେଇ ନାନା ଗବେଷକ ନାନା ମତ ଦିଅନ୍ତି । ସ୍ଵାଭାବିକ ମଧ୍ୟ । କାରଣ ଏଇ ଊନବିଂଶ ଶତାବ୍ଦୀର କବି ଭୀମଭୋଇଙ୍କୁ ଯେଉଁ ରାଜ୍ୟ ପରଖି ପାରି ନ ଥିଲା-। ଯାହାଙ୍କ ଜୀବନୀ ସମ୍ବନ୍ଧୀୟ ଇତିବୃତ୍ତ ଏଯାଏଁ ରହସ୍ୟ ହୋଇ ରହିଛି, ସେଇ କ୍ଷେତ୍ରରେ ଯୁଗଯୁଗାନ୍ତରର ଶ୍ରୀଜଗନ୍ନାଥଙ୍କ ପାତାଳୀ କଥା ରହସ୍ୟମୟ ଓ ଭିନ୍ନାଭିନ୍ନ ମତ ହେବା ସ୍ଵାଭାବିକ ।

 

ତେବେ ପ୍ରଶ୍ନ ଉଠେ, ଏତେବଡ଼ ପାହାଡ଼ ପର୍ବତଘେରା ଓଡ଼ିଶା ପ୍ରଦେଶ । ଅନ୍ୟ କେଉଁ ସ୍ଥାନକୁ ପାତାଳୀ ଶ୍ରୀକ୍ଷେତ୍ର କହି ମିଛରେ ମିଛରେ ଜଗନ୍ନାଥହ୍କୁ ୧୪୪ ବର୍ଷକାଳ ଗୁପ୍ତ କରାଗଲା ନାହିଁ କାହିଁକି ? କ’ଣ ଓଡ଼ିଶାରେ ସ୍ଥାନ ଅଭାବ ଥିଲା ଯେ ସୁବର୍ଣ୍ଣପୁରର ଅଗମ୍ୟ ଅରଣ୍ୟ କୋଟସମଲାଇର ସୁଉଚ୍ଚ ତ୍ରିକୁଟ ପାହାଡ଼ରେ ଜଗନ୍ନାଙ୍କୁ ଲୁଚାଇ ରଖାଗଲା ? ସତ୍ୟତା ନଥିଲେ କୌଣସି ବି କଥା ଏତେ କାଳ ପ୍ରଘଟ ହୋଇ ରୁହେ ନାହିଁ । ଏହି ଐତିହାସିକ ସତ୍ୟତା ପଛରେ ଏକ ସମୁନ୍ନତ ସାଂସ୍କୃତିକୀ ସତ୍ୟତା ରହିଛି ।

 

ଇତିହାସର ଗୋଟିଏ ବଡ଼ ଆଧାର ହେଉଛି, ନୃତତ୍ତ୍ଵ । ଯେଉଁଥିଲେ କି ଲୁଚିରହିଥାଏ ସମାଜ, ମାନବଶାସ୍ତ୍ର ଓ ସଂସ୍କୃତି । ଏହାକୁ ଭିତ୍ତିକରି ପାତାଳୀ ଶ୍ରୀକ୍ଷେତ୍ରର ଐତିହାସିକ ସତ୍ୟତାକୁ ଖୋଜିବାକୁ ପଡିବ ।

 

ପ୍ରଥମେ ଯାହାକୁ ମୂଳଭିତ୍ତି କରି ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇର କଥା ଉଠିଛି ସେଇ ମାଦଳାପାଞ୍ଜିର ବର୍ଣ୍ଣନାକୁ ଉଦ୍ଧୃତ କରାଯାଉ ।

 

“ରାଜା ଶୋଭନ ଦେବ ଭୋଗ କଲେ ବର୍ଷ ୭୦ । ଏହି ମହାରାଜଙ୍କ ୨ ଅଙ୍କେ ଡିଲିରୁ ରକ୍ତବାହୁ ଆସିବା ବାରତାକୁ ପରମେଶ୍ଵରଙ୍କୁ ସୁନୁପୁର ଗୋପାଲୀ ଘେନିଗଲେ । ସେଠାରେ ମଣ୍ଡପ ଗୋଟିଏ କରି ବିଜେ କରାଇଲେ ବର୍ଷ ୪୫ । ଏଥିଉତ୍ତାରେ ମୁଗଲେ ପ୍ରବଳ ହୋଇଲାକୁ ସେବକେ ସେଠାରେ ପରମେଶ୍ଵରଙ୍କୁ ପାତାଳୀ କରି ଉପରେ ଗଛ ଲଗାଇ ରାଜ୍ୟ ଅନ୍ତର ହୋଇଗଲେ । ପାତିସାର ଅମୁରା ରକତ ବାହୁ ଶ୍ରୀ ପୁରୁଷୋତ୍ତମ ବୁଲି ଅଇଲା । ସମୁଦ୍ର ଥୋକାଏ ଦୂର ମାଡ଼ି ଅଇଲା । ଏ ରାଜା ଅନେକ ଜୁଝ କଲେ । ରହି ନ ପାରି ଝାଡ଼ଖଣ୍ଡ ଭିତରେ ରହିଲେ । ଏ ଭୋଗ କଲେ ବର୍ଷ ୯୬ ।”

 

କୋଟସମଲାଇରୁ ପୁରୀକୁ ଜଗନ୍ନାଥଙ୍କ ପ୍ରତ୍ୟାବର୍ତ୍ତନ କଥା ମାଦଳାପାଞ୍ଜିରେ ବର୍ଣ୍ଣିତ ଅଛି- ଏଠାରୁ କେଶରୀ ପାଟରାଜା ହୋଇଥିଲେ । ପ୍ରଥମ ପାଟ ଯଯାତିକେଶରୀ ହୋଇଲେ । ଏ ରାଜା ବଡ଼ ଶୂରବନ୍ତ ମହାଦାନୀ । ଏ ମହାରାଜାଙ୍କ ୧୧ ଅଙ୍କେ ସନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣମାନଙ୍କୁ ପଚାରିଲେ ଓଡ଼ିଶା ରାଜାର ପ୍ରଭୁ ଯେ ଶ୍ରୀଜଗନ୍ନାଥ ମହାପ୍ରଭୁ ସେ କାହିଁଛନ୍ତି ? ସେମାନେ କହିଲେ ମୁଗଲ ଗୋଳ ହୋଇଲାକୁ ସୋମାଦ୍ର ମାଡ଼ି ଆଇଲାକୁ ଅପାର ଦିନ ହୋଇଲା । ଶ୍ରୀପରମେଶ୍ଵରଙ୍କୁ ପାତାଳୀ କରି ସୁନୁପୁର ଆଡ଼େ କେଉଁଠାରେ ବିଜେ କରାଇଲେ ଗାଁତବ ନାହିଁ । ଏହା ଶୁଣି ମହାରାଜା ସୁନୁପୁର ଗଲେ । ସେଠାରେ ଖଣ୍ଡାଇତଙ୍କୁ ପଚାରିଲେ । ସେମାନେ କହିଲେ ଆମ୍ବେ ଗାଁତବ ନୋହୁଁ । ଆମ୍ଭ ବାପାଅଜା କହନ୍ତି ଦିଅଁବର ଏହି । ଏଥି ତଳେ ଦିଅଁକୁ ପୋତି ଥିଲେ । ଏହା ଶୁଣି ରାଜା କଟୁରିଆ ବ୍ରାହ୍ମଣଙ୍କୁ ଆଣି ସେ ଗଛକଟାଇ ଖୋଳାଇଲେ । ପରମେଶ୍ଵରଙ୍କୁ ବାହାର କଲେ । ସେ ଦିନେ ସେ ମୂର୍ତ୍ତିମାନ ମାଟିଖାଇ ଛିନ୍ନଭିନ୍ନ ହୋଇଛନ୍ତି । ଦିଅଁମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୁରାଇ ମୁଦାଇଲେ । ଏ ଉତ୍ତାରୁ ଦଇତାପତିଙ୍କୁ ଲୋଡ଼ାଇଲେ । ଦଇତାମାନେ ବିରିବନ୍ଧରେ ଥିଲେ । ପତିମାନେ ରତନପୁର ସୀମାରେ ଥିଲେ । ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପରମେଶ୍ଵରଙ୍କୁ ସୁମୂର୍ତ୍ତି କରାଇଲେ । ଏ ଘଟଣାବେଳେ ରାଜାସେବକ ତାଟି ଭିତର କଲେ । ଗଛକଟା କଟୁରିଆ ବ୍ରାହ୍ମଣ ପାଞ୍ଚ ସେବା । ଏହାଙ୍କ ଗୋତ୍ର ବଚ୍ଛସ ୫ ଜଣଙ୍କୁ ୪୦ ଜଣ । ପତିମାନଙ୍କ ଏଗାରହ ଜଣକୁ ଛଅ ଜଣ । ଦଇତାମାନଙ୍କ ଉଲୁକ ଗୋତ୍ର । ୮ ଜଣକୁ ୮ ଜଣ ପରିଛା ଗାଏ ଚବିସ ଜଣ । ଶ୍ରୀ ପୁରୁଷୋତ୍ତମ ଶଙ୍ଖନାଭି ମଣ୍ଡଳେ ୩୮ ହାତ ପଟୋଳ ଗୋଟାଏ ତୋଳି ପ୍ରତିଷ୍ଠା କରି ପରମେଶ୍ଵରଙ୍କୁ ବିଜେ କରାଇଲେ ।’’

 

ମାଦଳାପାଞ୍ଜି ରଚନାର ସମୟ ୧୬୦୦ ଖ୍ରୀଷ୍ଟାବ୍ଦ ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ସମୟର ବୋଲି ଅନେକ ଗବେଷକ କୁହନ୍ତି ଏବଂ ଏକଥା ବି ସ୍ଵୀକାର କରିବାକୁ ପଡ଼ିବ ଯେ କିମ୍ବଦନ୍ତୀ, ଜନଶ୍ରୁତି ଓ ଐତିହାସିକ ବିବରଣୀ ଆଧାରରେ ମାଦଳାପାଞ୍ଜି ଲେଖା ଯାଇଛି । କିନ୍ତୁ ମାଦଳାପାଞ୍ଜିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଓଡ଼ିଶାର ଇତିହାସକୁ ବିଚାର କରାଯାଇ ପାରିବ ନାହିଁ । ଏକଥାକୁ ସ୍ଵୀକାର କରିଛନ୍ତି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ । ତାଙ୍କ ମତରେ ମାଦଳାପାଞ୍ଜି କିମ୍ବଦନ୍ତୀମୂଳକ ସଂକଳନ ହୋଇଥିଲେ ମଧ୍ୟ ଏହାକୁ ଉପେକ୍ଷା କରି ଓଡ଼ିଶାର ଇତିହାସକୁ ବିଚାର କରାଯାଇ ପାରିବ ନାହିଁ । ଏକଥାକୁ ସ୍ଵୀକାର କରିଛନ୍ତି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ । ତାଙ୍କ ମତରେ ମାଦଳାପାଞ୍ଜି କିମ୍ବଦନ୍ତୀମୂଳକ ସଂକଳନ ହୋଇଥିଲେ ମଧ୍ୟ ଏହାକୁ ଉପେକ୍ଷା କରି ଓଡ଼ିଶାର ଇତିହାସକୁ ପୂର୍ଣ୍ଣାଙ୍ଗ କରାଯାଇ ପାରିବ ନାହିଁ ।

 

ଐତିହାସିକ ତଥ୍ୟକୁ ଅନୁସନ୍ଧାନ କଲାବେଳେ ନୃତତ୍ତ୍ଵ, ଲୋକକଥା, କିମ୍ବଦନ୍ତୀ ଓ ସଂସ୍କୃତିକୁ ଯୁଗେ ଯୁଗେ ଇତିହାସକର୍ତ୍ତାମାନେ ଗ୍ରହଣ କରିଛନ୍ତି । ଆହୁରି ବି ଆମେ ଜାଣିଛୁ ଯେ ଇତିହାସ ମାନେ ଅତୀତର କଥା । ପୃଥିବୀର କୌଣସି ବି ଇତିହାସ ବର୍ତ୍ତମାନରେ ଲେଖାଯାଇ ନାହିଁ । ଅବର୍ତ୍ତମାନରେ ହିଁ ଲେଖାଯାଇଛି । ସେଇମିତି ମାଦଳାପାଞ୍ଜି ପରେ ଲେଖାଯାଇଥିଲେ ମଧ୍ୟ ଆଧାରଶୂନ୍ୟ ଭାବରେ କୌଣସି କଥା ଲେଖାଯାଇନାହିଁ କି କେବେ ବି ଲେଖାଯାଇ ପାରିବ ନାହିଁ ।

 

ଡ: ଦୋଳଗୋବିନ୍ଦ ବିଶି ତାଙ୍କର “ପାତାଳୀ ଶ୍ରୀକ୍ଷେତ୍ରରୁ ପୁଣି ଶ୍ରୀକ୍ଷେତ୍ର ଯାତ୍ରା” ପ୍ରବନ୍ଧରେ ଏକ ବିଶେଷ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଏକ ଦୁର୍ଲ୍ଲଭ ପାଣ୍ଡୁଲିପିର ଆଧାରରେ ଏହି ଉଲ୍ଲେଖନୀୟ ଘଟଣାକ୍ରମକୁ ଅବତାରଣା କରାଯାଇଛି ।

 

ଘଟଣାଟି ଏହିପରି । “ସେତେବେଳେ ରାଜା ଥା’ନ୍ତି ଶୋଭନ ଦେବ । ଏକ ଦୁର୍ଯୋଗ ଦିନରେ ନୌକାରେ ଅତିବଳ ସେନାମାନଙ୍କ ସହିତ ମ୍ଲେଚ୍ଛରାଜା ରକ୍ତବାହୁ ସମୁଦ୍ରପଥରେ ଆସି କନିକା ରାଜ୍ୟର ସୀମାରେ ଶ୍ରୀଜଗନ୍ନାଥ ଦେଶରେ ହୁଙ୍କାର ଛାଡ଼ିଲା । ସମୁଦ୍ରପଥରେ ଯାଉଥିବା ବେଳେ ଯବନଲୋକମାନଙ୍କୁ ପୁରୁଷୋତ୍ତମ କ୍ଷେତ୍ରର ଲବଣସାଗରର ନିକଟବର୍ତ୍ତି ସ୍ଥାନରେ ଦେଖିପାରି ରାଜା ଆଗାମୀ ବିପଦ ସମ୍ପର୍କରେ ଅବଗତ ହୋଇପାରିଲେ । ଶ୍ରୀକ୍ଷେତ୍ର ଲୁଣ୍ଠନର ଆଶଙ୍କା କରି ବିଶ୍ଵସ୍ତ ସେବକ, ପଣ୍ଡା ଓ ରାଜପରିଷଦମାନଙ୍କ ସହିତ ମନ୍ତ୍ରଣା କଲେ । ମହାପ୍ରଭୁଙ୍କ ମୂର୍ତ୍ତି (ଶ୍ରୀବିଗ୍ରହ)ମାନଙ୍କୁ ନେଇ କୌଣସି ସୁରକ୍ଷିତ ସ୍ଥାନରେ ଗୁପତରେ ଥୋଇବାକୁ ହେବ । ସେ ସମ୍ପର୍କରେ ବିଚାରବିମର୍ଶ କଲେ । ସମସ୍ତଙ୍କମତ ଅନୁସାରେ ଶ୍ରୀବିଗ୍ରହମାନଙ୍କୁ ସୋନପୁର ରାଜ୍ୟକୁ ନେଇ ଗୋପୁର (ଗୋପାଳି ଗ୍ରାମ) ନିକଟରେ ଭୂଗର୍ଭରେ ନିର୍ମିତ ଚୂନଲିପା ଯାଇଥିବା ପାଷାଣ ଗୃହରେ ଲୁଚାଇ ରଖିଲେ । ତା ଉପରେ ମାଟି ପୋତିଦେଇ ଗଛ ଲଗାଇ ଦେଲେ (ବରଗଛ) । ଏପରି ଭାବରେ ମହାପ୍ରଭୁଙ୍କୁ ପାତାଳୀ କରି ରଖିଲେ” । “********* ମହାପ୍ରଭୁଙ୍କ ଶ୍ରୀ ବିଗ୍ରହମାନ ସୋନପୁର ଗୋପାଳି ଗ୍ରାମରେ ପ୍ରାୟ ୧୯୨ ବର୍ଷ ଯାଏ (ମତାନ୍ତରେ ୧୪୧ ବା ୧୪୨ ବର୍,) ଭୂମିଗତ ଅବସ୍ଥାରେ ଗୋପନ ହୋଇ ରହିଥିଲେ ।’’

 

ଉଦ୍ଧୃତିର ଉତ୍ସକୁ ଡ. ବିଶି ମହୋଦୟ ଲୁଚାଇ ରଖିନଥିଲେ ପାତାଳୀ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଥାନ୍ତା । ସେ ଯାହାବି ହେଉ ଉପରୋକ୍ତ ବର୍ଣ୍ଣନା ଏବଂ ଐତିହାସିକ ଯଜ୍ଞ କୁମାର ସାହୁଙ୍କ ମଦ ସହ ଅନ୍ୟାନ୍ୟ ଐତିହାସିକମାନଙ୍କ ମତ ହେଉଛି ମାଦଳାପାଞ୍ଜିରେ ବର୍ଣ୍ଣିତ ରକ୍ତବାହୁ ହେଉଛନ୍ତି ରାଷ୍ଟ୍ରକୁଟ ରାଜା ତୃତୀୟ ଗୋବିନ୍ଦ ଏବଂ ପ୍ରାୟ ୮୦୫ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଉପରେ ଏହାଥିଲା ଏକମାତ୍ର ଗୁରୁତ୍ଵପୂର୍ଣ୍ଣ ବୈଦେଶିକ ଆକ୍ରମଣ । ସେ ସମୟରେ ରାଜା ହେଉଛନ୍ତି ଭୌମକର ରାଜା ଶୁଭାକର ଦେବ(୭୯୦-୮୦୫ ଖ୍ରୀଷ୍ଟାବ୍ଦ )

 

ସୁବର୍ଣ୍ଣପୁର ସହର ଉତ୍ତର ପଶ୍ଚିମ ଦିଗରେ ୨୩ କିଲୋମିଟର ଦୂରରେ ଅବସ୍ଥିତ ବୀରମହାରାଜପୁର ସବଡ଼ିଭିଜନ୍ ଅନ୍ତର୍ଗତ କୋଟସମଲାଇର ତ୍ରିକୂଟ ପାହାଡ଼ । ଯେଉଁ ସ୍ଥାନକି ସର୍ବସମ୍ମତିକ୍ରମେ ପାତାଳୀ କ୍ଷେତ୍ରର ମାନ୍ୟତା ପାଇଛି ।

 

ମୁଁ ଏଇ ପ୍ରବନ୍ଧରେ ଜଗନ୍ନାଥ ପ୍ରତିମାଙ୍କ ଉଦ୍ଭବ ଓ କ୍ରମବିକାଶ କଥା କହୁନାହିଁ । କେବଳ ପାତାଳୀ ଶ୍ରୀକ୍ଷେତ୍ରର ରହସ୍ୟମୟ ଐତିହାସିକ ସତ୍ୟତାକୁ ଅନୁଶୀଳନ କରିବାର ପ୍ରଚେଷ୍ଟା କରୁଛି ।

 

ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇକୁ ନେଇ ନାନା ଐତିହାସିକ ମତାନ୍ତର ଥିବାରୁ ଏ ଅଞ୍ଚଳର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅନୁଧ୍ୟାନ କରିବାକୁ ପଡ଼ିବ । ଆମେ ଆଗରୁ କହିଛୁ ଇତିହାସର ଏକ ବଡ଼ ଆଧାର ହେଉଛି ସଂସ୍କୃତି । ଲିଖିତ ଓ ଅଲିଖିତ ଐତିହାସିକ ଇତିବୃତ୍ତ, ଲୋକକଥା, ସଂସ୍କୃତି ଓ ସମାଜର ଖୋଜ୍‍ରେ ରହେ ଇତିହାସକର୍ତ୍ତା । ଯାହା ପାଏ ତାର ସତ୍ୟାସତ୍ୟ ସାରମର୍ମ ହେଉଛି ଇତିହାସ । ଏଇ ଆଧାରରେ ଆମେ ସ୍ଥାନୀୟ ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଲୋକବିଶ୍ଵାସକୁ ଖୋଜିବା ।

 

ସୁବର୍ଣ୍ଣପୁରରେ ଏକ ସୁମହତ ଜଗନ୍ନାଥ ସଂସ୍କୃତି ରହିଛି । ଜଗନ୍ନାଥଙ୍କୁ ନେଇ ଏକ ପାରମ୍ପରିକ ରୀତି ଓ ବିଶ୍ଵାସବୋଧ ରହିଛି । ଏଇ ପରିପ୍ରେକ୍ଷୀରେ କୋଟସମଲାଇର ନାମକରଣ ଓ ତତ୍ ଆଧାରଗତ ସାଂସ୍କୃତିକୀ ଇତିହାସକୁ ସୂଚାଇ ଦିଆଯାଇପାରେ ।

 

ପୂର୍ବେ କୋଟସମଲାଇ ସମେତ ତ୍ରିକୁଟ ପାହାଡ଼ ଅଞ୍ଚଳ ଦୁର୍ଗମ ଅରଣ୍ୟବେଷ୍ଟିତ ଥିଲା ଓ ଏହାକୁ କୁଟସମଲାଇ ଓ କୂଟଗୁମ୍ଫା କୁହାଯାଉଥିଲା । ପୁରୀର ପାଟଯୋଷୀ ମହାପାତ୍ରଙ୍କ ଘରୁ ଆବିଷ୍କୃତ ମାଦଳାପାଞ୍ଜିର ନକଲ ଥିବା ପତ୍ରରେ ଲେଖାଅଛି, ଯାହା ଏବେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସୁରକ୍ଷିତ ଅଛି । ତହିଁର ବର୍ଣ୍ଣନା ଅନୁସାରେ- “ରକ୍ତବାହୁ ଆସନ୍ତେ ଲେପମୂର୍ତ୍ତି ଜଗନ୍ନାଥଙ୍କୁ ଖୋଳରେ ପୁରାଇ ସୁନ୍ୟତମ ବିନତା ନିଦଣ୍ଡା ବଣକୁ ଘେନି ପାତାଳି- କରିଥିଲେ, ଯେମନ୍ତକି କେହି ନ ଦେଖିବେ ନ ଜାଣିବେ, ସ୍ଵର୍ଣ୍ଣବତୀପୁର କୂଟଗୁମ୍ଫାରେ ଦଇତା ତୀର୍ଥ କରି କାଳିଆ ଦିଅଁକୁ ଆକୁଳେ ପାତାଳୀ କଲେ ।“ ଠାକୁରଙ୍କୁ ନିଆଯାଇଥିବା କୋଶଳିଡଙ୍ଗାରେ ଶ୍ରୀଜଗନ୍ନାଥଙ୍କ ଜନ୍ମ ଦିବସ ଉପଲକ୍ଷେ ପାଳିତ ସ୍ନାନପୂର୍ଣ୍ଣିମା ଦିନ ମହାପ୍ରସାଦ ଜଳରଖି ତାକୁ ବୈକୁଣ୍ଠ ତୋରାଣି ମନେ କରି ଭକ୍ତମାନେ ଗାଆନ୍ତି-“କୋଶଳି ଡଙ୍ଗାରେ ବିଜେ ବଢ଼ିଲା, କୂଟସମଲାଇ ତୀରଥ ହେଲା । ଡଙ୍ଗା ମହକ ଫଳ ବଇକୁଣ୍ଠ ପୀଢ଼ି ମୁକତି ଜଳ ।’’

 

କୋଟସମଲାଇ ନାମର ବିଶ୍ଲେଷଣ –କୋଟ (କୂଟ) ଓ ସମଲାଇ ଦୁଇଟି ଭିନ୍ନଭିନ୍ନ ଶବ୍ଦ । ‘କୋଟ’ ଶବ୍ଦର ଆଭିଧାନିକ ଅର୍ଥ ହେଲା ଦୁର୍ଗଦେବୀ, କୁଡ଼ିଆ, ଗୁମ୍ଫା, ଅଗମ୍ୟବନ, ଜଙ୍ଗଲ ଏବଂ ‘କୋଟ’ ଶବ୍ଦର ପାଖାପାଖି ଶବ୍ଦ ‘କୋଟର’ । ଯାହାର ଅର୍ଥ ହେଲା ଗାତ, ଗୁମ୍ଫା, ଗଛ କୋରଡ଼ ଇତ୍ୟାଦି । ‘କୋଟପାଳ’ର ଅର୍ଥ ଯେହେତୁ ଦୁର୍ଗରକ୍ଷକ, ସେହେତୁ କୋଟ ଶବ୍ଦର ଅର୍ଥ ଦୁର୍ଗ ବୋଲି ମଧ୍ୟ ଗ୍ରହଣ କରାଯାଇପାରେ । କୋଟ(ଦୁର୍ଗ)ର ଦେବୀ = କୋଟ ଦେବୀ ସମଲାଇରୁ କୋଟ ସମଲାଇ ହୋଇଥାଇପାରେ ।

 

ପୂର୍ବେ ଏ ଅଞ୍ଚଳରେ ଶବର, ମୁଣ୍ଡା, ଗଣ୍ଡ, କନ୍ଧ, ଇତ୍ୟାଦି ଜନଜାତିମାନେ ବହୁଳ ଭାବରେ ବସବାସ କରୁଥିଲେ । ସେମାନଙ୍କର ରକ୍ଷାକର୍ତ୍ତ୍ରୀ ଥିଲେ ପଥରର ମାତୃଦେବୀମାନେ । ତାଙ୍କୁ କନ୍ଧେନ ବୁଢ଼ୀ, ଖରଖସା, ମାଉଲୀ, ପିତାବଲୀ, କଲାପାଟ, ବୁଢ଼ୀ ସମଲାଇ ପ୍ରଭୃତି ନାମରେ ସେମାନେ ପୂଜା କରୁଥିଲେ । ଦେବତା ବୁଢ଼ାରାଜା ଓ ଦେବୀ ବୁଢ଼ୀ ସମଲାଇଙ୍କୁ ଗଣ୍ଡମାନେ ପୂଜା କରୁଥିଲେ । ସମଲାଇଙ୍କର ଆଦିରୂପ ବୁଢ଼ୀ ସମଲାଇ ହୋଇପାରନ୍ତି । ଯେଉଁ ଦେବୀଙ୍କୁ ସମ୍ଵଲପୁର ସୋନପୁର ଅଞ୍ଚଳରେ ଆଦିବାସୀମାନେ ବହୁପୂର୍ବରୁ ପୂଜା କରୁଥିଲେ, ସେହି ଆଦିବାସୀ ଦେବୀ ବୁଢ଼ୀ ସମଲାଇଙ୍କୁ ସମ୍ଵଲପୁରର ଚୌହାଣ ରାଜା ବଳରାମ ଦେବ ନିଜର ଇଷ୍ଟଦେବୀ ଭାବରେ ଗ୍ରହଣ କରି ରାଷ୍ଟ୍ରଦେବୀ ‘ସମଲେଶ୍ଵରୀ’ ବୋଲି ନାମିତ କରି ସମ୍ଵଲେଶ୍ଵରୀଙ୍କ ନାମାନୁସାରେ ସହରର ନାମ ସମ୍ଵଲପୁର ଦେଇଥିଲେ । ସମଲେଶ୍ଵରୀଙ୍କୁ ‘ଖରମୁଣ୍ଡା’ ବୋଲି ମଧ୍ୟ କୁହାଯାଏ । ସୁବର୍ଣ୍ଣପୁର ଅଞ୍ଚଳରେ ତିନୋଟି ଦେବୀ ଯଥା- ବୁଢ଼ୀସମଲାଇ, କନ୍ଧେନ୍ ବୁଢ଼ୀ, ଓ ‘ଖରଖସା’ ଦେବୀଙ୍କର ଅବସ୍ଥିତି ଦୃଷ୍ଟିକୁ ଆସେ । ଆଦିବାସୀମାନଙ୍କ ଏଇ ଖରଖସା ଦେବୀ ପରବର୍ତ୍ତି ‘ଖରମୁଣ୍ଡା’ ନୁହନ୍ତି ତ ?

 

ଆମେ ଏଠାରେ ‘କୋଟ’ ଓ ‘କୋଟର’ ଶବ୍ଦର ଅର୍ଥକୁ ‘ଗୁମ୍ଫା’ ବୋଲି ଗ୍ରହଣ କରାଯାଇପାରେ । ଯେଉଁ ଗୁମ୍ଫା (ଦୁର୍ଗ)ରେ ଓଡ଼୍ରେଶ୍ଵର ଜଗନ୍ନାଥ ପାତାଳୀ ହୋଇଥିଲେ ସେଇ ଗୁମ୍ଫାର ରକ୍ଷାକର୍ତ୍ତ୍ରୀ ମାତୃଦେବୀ ହେଉଛନ୍ତି ସମଲାଇ । ଯେହେତୁ ସମଲାଇ ଖୁବ୍ ପ୍ରାଚୀନ ଆଦିବାସୀ ଦେବୀ । ତାଙ୍କ ନାମାନୁସାରେ ପୀଠର ନାମ କୋଟସମଲାଇ ହୋଇଥିବା ଅନୁମାନ କରାଯାଏ । ଐତିହାସିକ ଡଃ ଯଜ୍ଞକୁମାର ସାହୁ ମଧ୍ୟ ଏକଥାକୁ ସ୍ଵୀକାର କରି କୁହନ୍ତି, ବହୁ ପ୍ରାଚୀନ କାଳରୁ ପଶ୍ଟିମ ଓଡ଼ିଶାରେ ସମଲାଇ ଉପାସନା ଲୋକପ୍ରିୟ ଥିଲା ଏବଂ କୋଟସମଲାଇ ମଧ୍ୟ ଦେବୀଙ୍କର ଉପାସନା କେନ୍ଦ୍ର ଥିଲା । ଆମ୍ଭର ମତ ହେଲା ଯେ ତ୍ରିକୁଟ ପାହାଡ଼ ଗୁମ୍ଫାରେ ଜଗନ୍ନାଥଙ୍କର ପାତାଳୀ ହେବା ପରେ କୋଟ’ର ରକ୍ଷାକର୍ତ୍ତ୍ରୀ ଭାବରେ ସମଲେଇଙ୍କୁ ସ୍ଥାପନା କରାଯାଇ ସ୍ଥାନଟିର ନାମ କୋଟସମଲାଇ ରଖାଯାଇ ଥାଇପାରେ ।

 

ତ୍ରିକୂଟ ପାହାଡ଼ – ତିନୋଟି ବଡ଼ବଡ଼ ପାହାଡ଼କୁ ନେଇ “ତ୍ରିକୂଟ ପାହାଡ଼” ଭାବରେ ନାମିତ କରାଯାଇଛି । ଯେଉଁ ପାହାଡ଼ରେ ପ୍ରଭୁ ଜଗନ୍ନାଥ ପାତାଳୀ ହୋଇଥିଲେ ସେଇ ପାହାଡ଼ର ନାମ ‘ଛଳିଆ ପାହାଡ଼’ ପରବର୍ତ୍ତୀ ପର୍ଯ୍ୟାୟରେ ଲୋକେ ତାକୁ ‘ଛେଲିଆ ପାହାଡ଼’ ବୋଲି କୁହନ୍ତି । ଛଳିଆ ପାହାଡ଼ରେ ଦାରୁ ଦେବତାଙ୍କୁ ଯେଉଁ କୋଣରେ ରଖାଯାଇଥିଲା ସେଇ କୋଣର ନାମ ଦାରୁକୋଣ । ଛଳିଆ ପାହାଡ଼ର ନିକଟରେ ରାଣୀବସା ଓ ଲେଶକନାଥ ନାମରେ ଆଉ ଦୁଇଟି ପାହାଡ଼ ଅଛି । ତ୍ରିକୁଟ ପାହାଡ଼ର ଉତ୍ତର ଦିଗରେ ହରିହର ଯୋଡ଼ (ହରିହରଣ ନଦୀ) ପ୍ରବାହିତ ହେଉଛି । ତ୍ରିକୂଟ ପାହାଡ଼ ଭାବରେ ନାମିତ ସବୁଠୁ ଉଚ୍ଚ ପାହାଡ଼ର ନାମ ‘ଧ୍ଵଜାବନ୍ଧା’ ପାହାଡ଼ । ଏଇ ପାହାଡ଼ଗୁଡ଼ିକର ଅଭ୍ୟନ୍ତରରେ ଛୋଟବଡ଼ ୨୩ଟି ଗୁମ୍ଫା (କିଛି ଆବିଷ୍କୃତ ଓ କିଛି ଅନାବିଷ୍କୃତ) ରହିଛି । ତନ୍ମଧ୍ୟରୁ ଧ୍ଵନିଗୁମ୍ଫା, ମାଧବ ଗୁମ୍ଫା, ଯୋଗୀଗୁମ୍ଫା, ବାଲିଗୁମ୍ଫା ଅନ୍ୟତମ । ତ୍ରିକୁଟ ପାହାଡ଼ର କିୟଦଂଶକୁ ସ୍ଥାନୀୟ ଭାଷାରେ ‘ଚନ୍ଦଲି ପର୍ବତ’ ମଧ୍ୟ କୁହାଯାଏ । ଚନ୍ଦଲି ପର୍ବତର ମାଧବ ଗୁମ୍ଫାରେ ପଥର ଗାତ୍ରରେ ଶ୍ରୀଜଗନ୍ନାଥଙ୍କ ଚିତ୍ରପଟ ଅଙ୍କନ ହୋଇଛି । ଏଇ ଚିତ୍ରପଟକୁ ଲକ୍ଷ କରି ‘ସୁଧାସାର ଗୀତା’ ର ରଚୟିତା ସନ୍ଥ ଚନ୍ଦ୍ରମଣୀ ଦାସ ବର୍ଣ୍ଣନା କରିଛନ୍ତି-

 

‘ତ୍ରିକୂଟ କନ୍ଦରେ ଯଶୋଦା କୋଳରେ

ହସନ୍ତି ନନ୍ଦନନ୍ଦନ

ମାଧବ ଗୁମ୍ଫାରେ ବ୍ରଜଶୀଳା ଗାତ୍ରେ

ଦେଖ ମାଧବଙ୍କ ଚିହ୍ନ’

 

ଅନ୍ୟତ୍ର ମଧ୍ୟ ସନ୍ଥକବି ଚନ୍ଦ୍ରମଣୀ ତ୍ରିକୂଟ ପାହାଡ଼ରେ ଶ୍ରୀ ଜଗନ୍ନାଥଙ୍କ ଉପସ୍ଥିତି ସମ୍ପର୍କରେ ବର୍ଣ୍ଣନା କରନ୍ତି-

 

“ଦକ୍ଷିଣେତୁ ଚିତ୍ରୋତ୍ପଳା

ବିନ୍ଧ୍ୟଗିରିଚୋତ୍ତରେ ତଥା,

ତତ୍ର ମଧ୍ୟେ ବସାମ୍ୟେହଂ

ତ୍ରିକୂଟ ବିହାରୀ ପ୍ରୋକ୍ତଃ ।”

 

ତ୍ରିକୂଟ ପାହାଡ଼ର ପାଦଦେଶରେ ବହିଯାଉଥିବା ଝରଣାର ନାମ ଦେ’ ଝରନ୍ ବା ଦେବଝରଣ । ଲୋକ ବିଶ୍ଵାସ ଅଛି ଯେ ଅପବିତ୍ର, ଅଶୌଚ ହୋଇ ଦେ’ ଝରନ୍‍ର ପାଣିକୁ ଛୁଇଁ ଦେଲେ ପାଣି ଶୁଖି ଯାଏ । ପୁଣି ଆପଣା ଛାଏଁ ଛାଏଁ ପାଣି ନିର୍ଗତ ହୋଇଯାଏ । ରୋଗବୈରାଗ ହେଲେ ସ୍ଥାନୀୟ ଅଞ୍ଚଳର ଲୋକେ ଆଜି ବି ଦେ’ ଝରନର ପାଣି ଆଣି ଦେହରେ ସିଞ୍ଚି ହେଉଛନ୍ତି । ତ୍ରିକୂଟ ପାହାଡ଼ର ତଳେ ବିରାଜିତ ମହାଦେବ ଲୋକନାଥଙ୍କ ପାଦ ପ୍ରକ୍ଷାଳନ କରୁଛି ଦେ’ ଝରନ୍ । ପୁରୀ ଶ୍ରୀମନ୍ଦିରର ମେଘନାଦ ପ୍ରାଚୀର ପରି ତ୍ରିକୂଟ ପାଦଦେଶରେ ମଧ୍ୟ ‘ମେଘନାଦ’ ନାମରେ ଏକ ଗ୍ରାମ ରହିଛି ।

 

ଅନନ୍ତ ବାସୁକୀ ନାଗ ଓ ଜନଶ୍ରୁତି- ତ୍ରିକୂଟ ପାହାଡ଼ରେ ଥିବା ଧ୍ଵନିଗୁମ୍ଫାରୁ ଗୋଟିଏ ରହସ୍ୟମୟ ଧ୍ଵନି ଶୁଭୁଥାଏ । ସେଇ ଧ୍ଵନିକୁ ସ୍ଥାନୀୟ ଲୋକେ ଅନନ୍ତ ବାସୁକି ନାଗର ସଁ ସଁ ଶବ୍ଦ ବୋଲି କହିଥାନ୍ତି । ଯେତେବେଳେ ତିନି ଠାକୁରଙ୍କୁ କୋଶଳୀ ଡଙ୍ଗାରେ ମହାନଦୀ ଧାରେ ଧାରେ ସୁବର୍ଣ୍ଣପୁରକୁ ନେଇ ଆସିଥିଲେ, ସେତେବେଳେ ସାତକୋଶିଆ ଗଣ୍ଡରୁ ଅନନ୍ତ ବାସୁକୀ ନାଗ ବଡ଼ ଠାକୁରଙ୍କ ସହିତ ଆସି ତ୍ରିକୂଟ ପାହାଡ଼ର ଧ୍ଵନିଗୁମ୍ଫାରେ ଅବସ୍ଥାନ କରିଛି ବୋଲି ଜନଶ୍ରୁତି ଅଛି ।

 

ନାଗଡ଼େଇଁ ଗ୍ରାମର ନାମକରଣକୁ ନେଇ ଲୋକେ କହନ୍ତି ଯେତେବେଳେ ସୁବର୍ଣ୍ଣପୁରକୁ ପ୍ରଭୁଙ୍କୁ ଉତ୍ତର ଅରଣ୍ୟ ତ୍ରିକୂଟ ପାହାଡ଼କୁ ଅଣାଗଲା ସେତେବେଳେ ଅନନ୍ତ ବାସୁକୀ ନାଗ ଆଗରେ ଆଗରେ ଆସିଥିଲା ଏବଂ ଯେଉଁ ସ୍ଥାନରେ ଡେଇଁ ଡେଇଁ ଖୁବ୍ ପ୍ରଖର ଭାବରେ ଗତି କଲା, ସେହି ସ୍ଥାନକୁ ନାଗ+ ଡେଇଁ = ନାଗଡେଇଁ ଗ୍ରାମ ଭାବରେ ନାମିତ କରାଯାଇଛି । ତେଣୁ ଅଦ୍ୟାବଧି ସେହି ଗ୍ରାମରେ ନାଗେଶ୍ଵର ବାବା ପୂଜା ପାଉଛନ୍ତି । (ପ୍ରକାଶ ଥାଉ କି, ଆଜିକାଲି ନାଗଡେଇଁରୁ ଅପଭ୍ରଂଶ ହୋଇ ନାକଡେଇଁ ଗ୍ରାମ ହୋଇଯାଇଛି ।

 

ଅନନ୍ତ ବାସୁକୀ ନାଗକୁ ସ୍ଥାନୀୟ ଅଧିବାସୀଙ୍କ ଭିତରେ ବହୁ କାହାଣୀ, କିମ୍ବଦନ୍ତୀ ଓ ଅନେକ ଅଙ୍ଗେନିଭା ଘଟଣା ରହିଛି । ଜଗନ୍ନାଥଙ୍କ ସହ ପ୍ରଚୁର ପରିମାଣର ଧନସମ୍ପତ୍ତି ମଧ୍ୟ ପାତାଳୀ କରାଯାଇଥିଲା ବୋଲି ସୁବର୍ଣ୍ଣପୁର ଗଡ଼ଜାତରେ ଗୋଟିଏ ପ୍ରବାଦ ପ୍ରଚଳିତ ଅଛି ।

 

‘ଶ୍ରୀକୃଷ୍ଣ ମୂଳେ

ପାଣ୍ଡୁରୀ ପାବୁଲି ତଳେ ଉପରେ

ଅର୍ବଖର୍ବ ଧନ ଅଛି ତହିଁରେ’

 

ଏବଂ ଉପରୋକ୍ତ ପ୍ରବାଦକୁ ନେଇ ଲୋକେ କୁହନ୍ତି, ଜଗନ୍ନାଥଙ୍କର ସମସ୍ତ ଧନସମ୍ପଦକୁ ଅନନ୍ତ ବାସୁକୀ ନାଗ ଅଦ୍ୟାବଧି ଜଗି ରହିଛି ।

 

ଶ୍ରୀଜଗନ୍ନାଥ ସଂସ୍କୃତି ଓ ସୁବର୍ଣ୍ଣପୁର:

ସୁବର୍ଣ୍ଣପୁର ଜିଲ୍ଲାରେ ଅଂସଖ୍ୟ ଜଗନ୍ନାଥ ମନ୍ଦିର ଦେଖାଯାଏ ଏବଂ ବିଶେଷ କରି କୋଟସମଲାଇ ଗ୍ରାମର ଆଖପାଖ ପ୍ରାୟ ପ୍ରତ୍ୟେକ ଗ୍ରାମରେ ଜଗନ୍ନାଥ ମନ୍ଦିର ରହିଥିବା ସହ ପ୍ରତ୍ୟେକ ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ ହୁଏ । ପୁରୀ ରଥଯାତ୍ରା ସହ ସୁବର୍ଣ୍ଣପୁର ତଥା ପଶ୍ଚିମ ଓଡ଼ିଶାର ରଥଯାତ୍ରାରେ ସାମ୍ୟତା ଥିଲେ ମଧ୍ୟ ପଶ୍ଚିମର ରଥଯାତ୍ରାରେ କିଛିଟା ଭିନ୍ନତା ପରିଲିକ୍ଷିତ ହୋଇଥାଏ ।

 

ରଥଯାତ୍ରାକୁ ସୁବର୍ଣ୍ଣପୁରର ଗାଁଗଣ୍ଡାରେ ଉଷୁନାକିର ଯାତ୍ରା ଅର୍ଥାତ୍ ମଉଜମଜଲିସ୍‍ର ଯାତ୍ରା ବୋଲି କୁହାଯାଏ । ଘରେ ଘରେ ପିଠାପଣାର ପର୍ବ ଅନୁଷ୍ଠିତ ହୁଏ । ସାଇପଡ଼ିଶାରେ ଘରକୁ ଘର ପିଠାପଣା ବଣ୍ଟାଯାଏ । ଛୋଟ ଛୁଆମାନଙ୍କ ସମେତ ବଡ଼ମାନେ ମଧ୍ୟ ନୂଆବସ୍ତ୍ର ପରିଧାନ କରନ୍ତି । ଛୋଟଛୁଆମାନଙ୍କ ବୟୋଜ୍ୟେଷ୍ଠମାନେ ଯତ୍ରା ଦେଖିବା ପାଇଁ ଟଙ୍କା ଦେଇଥାନ୍ତି, ଯାହାକୁ ‘ରଥଦେଖା’ ବୋଲି କୁହାଯାଏ । ତେଣୁ କେହି ସାହିପଡ଼ିଶା ଘରକୁ ପିଠାପଣା ଆଣିଦେଲେ ଛୋଟଛୁଆମାନେ ‘ରଥଦେଖା’ ପାଇବା ପାଇଁ ଅନାଇ ରହିଥାନ୍ତି । ସୁବର୍ଣ୍ଣପୁରରେ ରଥଯାତ୍ରାର ଆଉ ଏକ ବିଶେଷତ୍ଵ ହେଲା- ଦୁଇ ତିନି ବର୍ଷର ଶିଶୁକୁ ରଥ ଛୁଆଁଇବା ପରମ୍ପରା, ଯାହା ଉପକୂଳରେ ନାହିଁ । ନବଜାତ ଶିଶୁକୁ ପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ଅର୍ପଣ କରିଦେଲେ ତାର ଜୀବନ ଧନ୍ୟ ହୋଇଯାଏ । ସବୁ ରୋଗବୈରାଗରୁ ସେ ମୁକ୍ତ ହୁଏ ଏବଂ ମଣିଷ ପରି ମଣିଷଟେ ହୁଏ । ଜଗନ୍ନାଥଙ୍କ ଭୂଜରେ ନବଜାତ ଶିଶୁକୁ ଛୁଆଁଇ ଦେଇ ବାପମାଆ କହନ୍ତି – “ଇତାର ଭଲାବୁରା ତତେ ଲାଗଲା ପରଭୁ ।“ ଏହି ପରମ୍ପରାଟି କେବଳ ସୁବର୍ଣ୍ଣପୁରରେ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଗାଁରେ ଆଜି ବି ପ୍ରଚଳିତ ଅଛି ।

 

ସୁବର୍ଣ୍ଣପୁର ଜିଲ୍ଲାର ଗାଁ ଗହଳରେ ଥିବା ପ୍ରତିଟି ଜଗନ୍ନାଥଙ୍କ ପାଖରେ ଅନେକ କାହାଣୀ, କିମ୍ବଦନ୍ତୀ, ଲୋକବିଶ୍ଵାସ ଓ ଲୋକ ଅନୁଭବ ଜଡ଼ିତ ଅଛି । ଦଶରାଜପୁର ଜଗନ୍ନାଥଙ୍କ ପାଖରେ ଜନସାଧାରଣଙ୍କ ଅଗାଧ ବିଶ୍ଵାସ ରହିଛି । ଦଶରାଜପୁର ଜଗନ୍ନାଥଙ୍କୁ ବିଷହରଣ ଠାକୁର ବୋଲି ଲୋକେ କହିଥାନ୍ତି । କୌଣସି ବି ବିଷଧର ସର୍ପର ଆଘାତରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିକୁ ଦଶରାଜପୁରର ବିଷହର ଜଗନ୍ନାଥଙ୍କ ପାଖରେ ପକାଇ ଦେଇ କବାଟ ବନ୍ଦ କରିଦିଆଯାଏ ଏବଂ କିଛି ସମୟ ପରେ ଲୋକଟି ସୁସ୍ଥ ହୋଇ ଜଗନ୍ନାଥଙ୍କ ପ୍ରସାଦ ସେବନ କରେ ଓ ପ୍ରତ୍ୟାବର୍ତ୍ତନ କରିଥାଏ । ସେହିପରି କେଉଁଠୁ ଉଭା ଜଗନ୍ନାଥ, କେଉଁଠି ଭୈରୋ ଜଗନ୍ନାଥ ତ କେଉଁଠି ବୁଢ଼ା ଜଗନ୍ନାଥ କେଉଁ ପ୍ରାଚୀନ କାଳରୁ ପୂଜା ପାଇ ଆସୁଛନ୍ତି । କୋଟସମଲାଇ ଗ୍ର।ମର ବୁଢ଼ା ଜଗନ୍ନାଥଙ୍କୁ ନେଇ କୋଟସମଲାଇର ଜଣେ ପ୍ରସିଦ୍ଧ କଥାକାର ଜଗନ୍ନାଥ ପୂଜକ, ପଣ୍ଡିତ ଭିକାରୀ ଚରଣ ପଣ୍ଡା ଥରେ କଥାଛଳରେ କହୁଥିଲେ ଯେ କୋଟସମଲାଇର ବୁଢ଼ା ଜଗନ୍ନାଥ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଆଦି ଜଗନ୍ନାଥ । ୟାଙ୍କ ପାଖରୁ ଅନ୍ୟସବୁ ଜଗନ୍ନାଥ ସୃଷ୍ଟି । କିନ୍ତୁ ଏଇ କଥାଟି ଐତିହାସିକ ସତ୍ୟତା ଉପରେ ଆଧିରିତ କି ନୁହେଁ, ମୁଁ ଜାଣିନି । ଉପରୋକ୍ତ ଉକ୍ତିକୁ ଦୃଢ଼ିଭୂତ କରେ କୋଟସମଲାଇ ଜଗନ୍ନାଥଙ୍କର ପୂଜାପଦ୍ଧତି ଓ ରୀତିନୀତି । ଏଇ ଜଗନ୍ନାଥଙ୍କ ପାଖରେ ନିତ୍ୟ ନୂତନ କୁଡ଼ୁଆରେ ଅଭଡ଼ା ନୈବେଦ୍ୟ ଲାଗି ହୋଇଥାଏ । ସୁତରାଂ ସୁବର୍ଣ୍ଣପୁର କୋଟସମଲାଇଠାରେ ପ୍ରାଚୀନ ଜଗନ୍ନାଥ ସଂସ୍କୃତି ଲୁକ୍କାୟିତ ଥିବା ଅନୁମାନ ହୁଏ ।

 

ପାତାଳୀ ଶ୍ରୀକ୍ଷେତ୍ର ତ୍ରିକୂଟ ପର୍ବତରେ ଉଡ୍ରେଶ୍ଵର ଜଗନ୍ନାଥ ପୂଜା ପାଉଥିବା କଥା ଐତିହାସିକମାନେ ସ୍ଵୀକାର କରୁଥିବା ସ୍ଥଳେ ଶିବାକ୍ୟାତାୟିନୀଙ୍କୁ ଏଯାଏଁ ସଠିକ୍ ଭାବରେ ଚିହ୍ନଟ କରିପାରି ନାହାନ୍ତି । କାରଣ କାଳିକା ପୁରାଣରେ ବର୍ଣ୍ଣିତ ଅଛି-

 

“ଓଡ୍ରପୀଠଂ ପଶ୍ଚିମେ ତୁ ତଥୈବୋଡ୍ରେଶ୍ଵରୀଂ ଶିବାମ୍

କାତ୍ୟାୟିନୀଂ ଜଗନ୍ନାଥଂ ଓଡ୍ରେଶଂଚ ପ୍ରପୂଜୟେତ ।’’

 

ଓଡ଼୍ରପୀଠର ପଶ୍ଚିମାଂଳରେ ଓଡ଼୍ରେଶ୍ଵର ଜଗନ୍ନାଥ ଓ ଓଡ଼୍ରେଶ୍ଵର ଶିବାକ୍ୟାତାୟିନୀଙ୍କୁ ପୂଜା କରାଯାଏ ।

 

ସୁବର୍ଣ୍ଣପୁର ଗଡ଼ଜାତ ସାରା ଉମାମାହେଶ୍ଵରୀ ଯାତ୍ରା ଅନୁଷ୍ଠିତ ହୁଏ । ଏ ଅଞ୍ଚଳରେ ଉମାମାହେଶ୍ଵରୀ ସଂସ୍କୃତି ଏକ ସ୍ଵତନ୍ତ୍ର ସଂସ୍କୃତି । ଖାଲି ସେତିକି ନୁହେଁ କୋଟସମଲାଇ ତ୍ରିକୂଟ ପାହାଡ଼ ନିକଟରେ କାଦୋଦର ବୋଲି ଗୋଟିଏ ଗ୍ରାମ ଅଛି । ସେଇ ଗ୍ରାମରେ ଉମାଦେବୀ ଓ ଭୁବନେଶ୍ଵରୀଙ୍କ ବହୁ ପୁରାତନ ମନ୍ଦିରଟିଏ ଅଛି । ସୁବର୍ଣ୍ଣପୁର ଗଡ଼ଜାତର ପ୍ରସିଦ୍ଧ ଶାକ୍ତପୀଠ ଭାବରେ ଯେତିକି ପ୍ରସିଦ୍ଧି ଅଛି, ଦେବୀଙ୍କ ପ୍ରତି ପ୍ରଗାଢ଼ ବିଶ୍ଵାସ ଓ ତାଙ୍କ ମହିମା ପାଇଁ ମଧ୍ୟ ସେତିକି ଭକ୍ତି ରହଛି । ସୁବର୍ଣ୍ଣପୁର ଅଞ୍ଚଳରେ କାଦୋଦର ଗ୍ରାମର ଏଇ ଉମାଦେବୀଙ୍କୁ ଉମାକାତ୍ୟାୟନୀ ବୋଲି କୁହାଯାଏ । ସବୁଠୁ ବଡ଼ କଥା ହେଲା ମଧ୍ୟପ୍ରଦେଶ, ଛତିଶଗଡ଼, ଓ ପଶ୍ଚିମ ଓଡ଼ିଶାର ମେହେର ସମ୍ପ୍ରଦାୟର ନବଜାତ ଶିଶୁର ମୁଣ୍ଡନ କର୍ମ ଏଇ ଉମାକାତ୍ୟାୟନୀଙ୍କ ପୀଠରେ ସମାପନ କରାଯାଏ ଏବଂ ଏଇ ପରମ୍ପରାଟି ଏବେ ମଧ୍ୟ ପ୍ରଚଳିତ ଅଛି । ଉମାଦେବୀଙ୍କର ମନ୍ଦିରରେ ଆଜିବି ପ୍ରଖର ନୀତିନିୟମ ସହ ପ୍ରତ୍ୟହ ଷୋଳଭରଣୀ ବାଦ୍ୟବାଜି ତନ୍ତ୍ରମନ୍ତ୍ରରେ ଅନ୍ନଭୋଗ ଲାଗି ହେଉଛି । ଯଦି କେଉଁଠି ଅସଲ ଷୋଳଭରଣୀ ବାଦ୍ୟ ଆଜି ବି ଅଛି, ତ ନିର୍ଦ୍ଵନ୍ଦରେ କୁହାଯାଇପାରେ ଯେ କାଦୋଦର ଗ୍ରାମର ଉମାଦେବୀ ପୀଠ । ତେବେ କାଳିକା ପୁରାଣରେ ବର୍ଣ୍ଣିତ ଶିବାକ୍ୟାତାୟିନୀ, କାଦୋଦରର ଏଇ ଉମାକାତ୍ୟାୟନୀ ନୁହଁନ୍ତି ତ ?

 

ଆଗରୁ କହିଛି ସୁବର୍ଣ୍ଣପୁରର ଉମା ମାହେଶ୍ଵରୀ ସଂସ୍କୃତି ଏକ ସ୍ଵତନ୍ତ୍ର ସଂସ୍କୃତି । ମାହେଶ୍ଵରୀ ଡୁମାଳ ସମ୍ପ୍ରଦାୟର ଦେବୀ । ଡୁମାଳମାନେ ଦୁଇଟି ବାଡ଼ି (ରୋହିଣୀ ଓ ମହୁଲ)କୁ ପୂଜା କରନ୍ତି । କେହି କେହି ଗୋଟିଏକୁ ଭୈରୋବାଡ଼ି ଏବଂ ଅନ୍ୟଟିକୁ ମାହେଶ୍ଵରୀ ବାଡ଼ି କୁହନ୍ତି । ତେବେ ଭୈରୋ ଓ ଭୈରବୀ ଛଳରେ ପୁରୁଷ ଓ ପ୍ରକୃତିକୁ ପୂଜା କରୁଥିବାର ଲକ୍ଷ୍ୟ କରାଯାଏ । ଏମାନଙ୍କ ଭଳି ଗଣ୍ଡ ଓ କନ୍ଧମାନେ ମଧ୍ୟ ଏ ଅଞ୍ଚଳରେ ଦାରୁ ପୂଜା କରନ୍ତି । ଗଣ୍ଡମାନେ ତାଙ୍କ ଦେବୀ ଦେବତାଙ୍କୁ କନ୍ଦାଦେଓ ବା ଜଙ୍ଘାଦେଓ କୁହନ୍ତି ଏବଂ କନ୍ଧମାନେ ତାଙ୍କ ଦେବୀ ଓ ଦେବତାଙ୍କୁ କନ୍ଧେନବୁଢ଼ୀ ଓ କନ୍ଧବୁଢ଼ା ନାମରେ ପୂଜା କରନ୍ତି । (ପ୍ରକାଶ ଥାଉ କି, ତ୍ରିକୂଟ ପାହାଡ଼ର ପାଦଦେଶରେ କନ୍ଧେନବୁଢ଼ୀ କେଉଁ ପ୍ରାଚୀନ କାଳରୁ ପୂଜା ପାଇ ଆସୁଛନ୍ତି ।) ଅର୍ଥାତ୍ ଦାରୁପୂଜା ଏ ଅଞ୍ଚଳର ଅଧିବାସୀମାନଙ୍କ ଅସ୍ଥିମଜ୍ଜାରେ ଅଛି । କେବଳ ଦାରୁପୂଜା ନୁହେଁ, ନବକଳେବର ବିଧାନ ମଧ୍ୟ ରହିଛି ।

 

ପୁରୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବକଳେବର ବିଧାନ ଓ ସୁବର୍ଣ୍ଣପୁର ଉପରୋକ୍ତ ସମ୍ପ୍ରଦାୟମାନଙ୍କର ଦେବୀଦେବତାଙ୍କର ନବକଳେବର ବିଧାନରେ ସାମ୍ୟତା ରହିଛି ।

 

ଜଗନ୍ନାଥଙ୍କ ନବକଳେବର ବିଧାନ ପ୍ରଥମ ପର୍ଯ୍ୟାୟ ହେଲା ଦାରୁ ସନ୍ଧାନ । ଏଇଥିପାଇଁ କାକଟପୁର ମଙ୍ଗଳାଙ୍କ ପାଖରେ ଦଇତାପତି ଓ ପୂଜକମାନେ ଅଧିଆ ପଡ଼ନ୍ତି । ସେମାନଙ୍କୁ ଦାରୁ ଚିହ୍ନଟ ପାଇଁ ସ୍ଵପ୍ନାଦେଶ ହୁଏ । ମଙ୍ଗଳାଙ୍କ ନିର୍ଦ୍ଦେଶ ମୁତାବକ ଦାରୁ ଚିହ୍ନଟ କରାଯାଏ ଓ ସେଇ ଦାରୁ ଗଣ୍ଡିରେ ବିଗ୍ରହମାନ ନିର୍ମାଣ କରି ନାଭିମଣ୍ଡଳରେ ବ୍ରହ୍ମ ଆରୋପଣ କରାଯାଏ । ପୁରୁଣା ବିଗ୍ରହମାନଙ୍କୁ କୋଇଲି ବଇକୁଣ୍ଠରେ ପୋତି ଦିଆଯାଏ । ଏହି ପରମ୍ପରା ଅନୁସୃତ ହୁଏ ବିଶେଷତଃ ସୁବର୍ଣ୍ଣପୁରର ପ୍ରତ୍ୟେକ ଗ୍ରାମର ମାହେଶ୍ଵରୀ/ଖମ୍ବେଶ୍ଵରୀ ନବକଳେବର ବିଧାନରେ ।

 

ପୁରୀରେ ଜଗନ୍ନାଥଙ୍କର ଦାରୁସନ୍ଧାନ ପାଇଁ ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ନ୍ତି । ସୁବର୍ଣ୍ଣପୁରର ଡୁମ୍ବାଳ ଆଦିବାସୀମାନେ ଦେବୀଙ୍କ ସମ୍ମୁଖରେ କାଳେସୀଙ୍କୁ ଆବିର୍ଭୁତା କରନ୍ତି । ପୁରୀର ଦାରୁଛେଦନ ପ୍ରକ୍ରିୟା ସୁବର୍ଣ୍ଣପୁରରେ ମଧ୍ୟ ଅନୁଷ୍ଠିତ ହୁଏ । ଦାରୁ ସନ୍ଧାନ ସମୟରେ ସମ୍ପ୍ରଦାୟର ମୁଖ୍ୟ ଲୋକଙ୍କ ସମେତ ବ୍ରାହ୍ମଣ ପୁରୋହିତ ମଧ୍ୟ ଯାଇଥାନ୍ତି । ଢୋଲ, ନିଶାଣ ଓ ମହୁରୀ ବାଜୁଥାଏ ଏବଂ ଉପବାସୀମାନେ କାଳେସୀର ନିର୍ଦ୍ଦେଶମତେ ନିର୍ଦ୍ଧାରିତ ଜଙ୍ଗଲ ଯାଇଥାନ୍ତି-। ବିଧିବିଧାନ ଅନୁଯାୟୀ ପୂଜା କରି ନୂତନ ଟାଙ୍ଗିଆରେ ଚୋଟ ପକାଏ । ଗଣ୍ଡିକୁ ଭୂମି ସ୍ପର୍ଶ ନ କରାଇ ନିର୍ଦ୍ଧିଷ୍ଟ ସ୍ଥାନକୁ ଆଣାଯାଏ ଓ ଅରୁଆ ଅନ୍ନ ଖାଇ ଗଣ୍ଡିକୁ ସମ୍ପ୍ରଦାୟର ଲୋକମାନେ ଖମ୍ବେଶ୍ଵରୀ ଖମ୍ଵରେ ପରିଣତ କରନ୍ତି । ବ୍ରାହ୍ମଣ ପୁରୋହିତ ଦ୍ଵାରା ହୋମଯଜ୍ଞ କରି ଖମ୍ଵ ସ୍ଥାପନ କରାଯାଏ । ଏପରିକି ଜଗନ୍ନାଥଙ୍କ ନାଭିକମଳରେ ବ୍ରହ୍ମ ସଂସ୍ଥାପନ କଲାପରି ଖମ୍ବେଶ୍ଵରୀ/ମାହେଶ୍ଵରୀ ଖମ୍ଵରେ ବ୍ରହ୍ମସ୍ଵରୂପ ଅଷ୍ଟଧାତୁ ସଂସ୍ଥାପନ କରାଯାଏ । ପୁରୁଣା ଖମ୍ଵକୁ ନଈରେ ଭସାଇ ଦିଆଯାଏ । ଏହି ପ୍ରାଚୀନ ପରମ୍ପରାଟି ସୁବର୍ଣ୍ଣପୁରରେ ଆଜି ବି ପ୍ରଚଳିତ ଅଛି । ପୁରୀ ଚତୁର୍ଦ୍ଧା ବିଗ୍ରହଙ୍କର ନଵକଳେବରର ହୁଏ ଯୋଡ଼ି ଆଷାଢ଼ରେ, କିନ୍ତୁ ସୁବର୍ଣ୍ଣପୁରର ମାହେଶ୍ଵରୀ /ଖମ୍ଵେଶ୍ଵରୀ ଖମ୍ଵ ପରିତ୍ୟକ୍ତ ଅବସ୍ଥାକୁ ଆସିଲେ ନବକଳେଵର କରାଯାଇଥାଏ ।

 

ସୁବର୍ଣ୍ଣପୁର ସଂସ୍କୃତିରେ ଶୈବବାଦ, ଶାକ୍ତବାଦ ଓ ଜଗନ୍ନାଥ ତତ୍ତ୍ଵ ସମୂଳେ ମିଶ୍ରିତ ହୋଇ ରହିଛି । ଏହି ଧର୍ମୀୟଧାରାଗୁଡ଼ିକ କାଳକ୍ରମେ ପରମ୍ପରାଗତ ହୋଇଯାଇଛି । ତେଣୁ ସୁବର୍ଣ୍ଣପୁରର ସଂସ୍କୃତି ଓ ପରମ୍ପରାରେ ଯେଉଁ କେତେକ ଗବେଷଣାସାପେକ୍ଷ ଆଧାର ଦୃଷ୍ଟିକୁ ଆସେ ତନ୍ମଧ୍ୟରୁ ଗଣ୍ଡମାନଙ୍କ କନ୍ଦାଦେଓ, ବୁଢ଼ାଦେଓ ଯାତ୍ରା, ଥନାପତିମାନଙ୍କ ଭୈରୋଁ ଭୈରବୀ ଓ କ୍ଷେତ୍ରପାଳ ଆରାଧନା ଅନ୍ୟତମ । ଏସବୁ ଭିତରେ ତନ୍ତ୍ରଦେବତା ଜଗନ୍ନାଥଙ୍କ ଲୋକତତ୍ତ୍ଵଟିଏ ଲୁକ୍କାୟିତ ଥିବାର ଅନୁମାନ ହୁଏ । ଏଇଠି ଗବେଷକମାନଙ୍କ ପରବର୍ତ୍ତୀ ଗବେଷଣା ନିମନ୍ତେ ସୂଚାଇ ଦେବା ବିଧେୟ ହେବ ଯେ, ସୁବର୍ଣ୍ଣପୁର ଦଣ୍ଡଯାତ୍ରାରେ ମଧ୍ୟ ଭୈରୋଁ-ବୈରବୀ, କ୍ଷେତ୍ରପାଳଙ୍କ ପୂଜା ସମେତ ଦଣ୍ଡଚରିତ୍ର କୃଷ୍ଣଙ୍କୁ କାଲିଆ (ଢୁଲିଆର ‘ବୋଲ କାଲିଆଁ’ ସମ୍ବୋଧନ) ନାମରେ ସମ୍ଵୋଧନ କରାଯାଇଥାଏ ।

 

ନିଆଁ ନଥିଲେ ଧୂଆଁ ବାହାରେ ନାହିଁ । ସଂପୂର୍ଣ୍ଣ ଅସତ୍ୟକୁ ସତ୍ୟରେ ରୁପାନ୍ତର କରିବା କାଠିକର ବ୍ୟାପାର । ଯଦି ତ୍ରିକୁଟ ପାହାଡ଼ରେ ଜଗନ୍ନାଥଙ୍କ ପାତାଳୀ ବିଷୟରେ ସତ୍ୟତା ଥାଆନ୍ତା ଏବଂ କିଛିଲୋକ ମିଛରେ ଆରୋପଣ କରିଥାନ୍ତେ, ତେବେ ଏତେ ପାହାଡ଼ ପର୍ବତ ଡେଇଁ ସୁବର୍ଣ୍ଣପୁର କୋଟସମଲାଇର ତ୍ରିକୁଟକୁ ଆସିନଥାନ୍ତେ ଜଗନ୍ନାଥେ । ପୁରୀର ସୁବର୍ଣ୍ଣପୁର ବାଟରେ ଛାଡ଼ିଆସିଥିବା ଶହଶହ ପାହାଡ଼ ଭିତରୁ ଗୋଟିଏ ପାହାଡ଼ରେ ପାତାଳୀ କାହାଣୀ ନିକ୍ଷେପିତ ହୋଇଥାନ୍ତା । ତେଣୁ ଏକତା ତ୍ରିକୂଟ ପାହାଡ଼ ହିଁ ଜଗନ୍ନାଥଙ୍କ ଲୀଳାଭୂମି ଥିଲା ଏବଂ ଛଳିଆ ଜଗନ୍ନାଥଙ୍କ ନାମରେ ତ୍ରିକୂଟ ପାହାଡ଼ର ଗୋଟିଏ ପାହାଡ଼ର ନାମ ଛଳିଆ (ଅପଭ୍ରଂଶ ହୋଇ ଛେଳିଆ ପାହାଡ଼) ପାହାଡ଼ ହୋଇଛି ।

 

ଏଇଠି ତା.୦୭.୦୨.୨୦୧୧ରିଖରେ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ତ୍ରିକୂଟ ପାଦଦେଶରେ ଦେଇଥିବା ଅଭିଭାଷଣକୁ ସ୍ମରଣ କରାଯାଇପାରେ । “****ମୁଁ ଦେଖିଛି ସମଗ୍ର ଓଡ଼ିଶା କାହିଁକି ସମଗ୍ର ବିଶ୍ଵରେ ଅନେକ ଜଗନ୍ନାଥ ମନ୍ଦିର ହୋଇଛି । ମାତ୍ର ଏଭଳି ସ୍ଥାନ କେଉଁଠି ଦେଖିନାହିଁ । ଏଭଳି ଦିଅଁ କେଉଁଠି ନାହାନ୍ତି । ଯେଉଁଠି ଯେଉଁଠି ମନ୍ଦିର ହୋଇଛି, ସେଠି ସେଠି ଶ୍ରୀ ଜୀଉମାନଙ୍କ ବିଗ୍ରହ ତିଆରି କରି ମନ୍ଦିରରେ ପ୍ରତିଷ୍ଠା କରିଛନ୍ତି । ମାତ୍ର ଏଠାରେ ଯେଉଁ ବିଗ୍ରହ ଆଜି ପ୍ରତିଷ୍ଠା ହୋଇଛି ତାହା ଶ୍ରୀକ୍ଷେତ୍ରରୁ ହିଁ ଆସିଛି ।’’

 

ଗତ ତା ୦୯.୦୨.୨୦୧୧ରିଖରେ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ ଅବସରରେ ଏକ ସୁନ୍ଦର ବର୍ଣ୍ଣନା ‘ଧରିତ୍ରୀ’ ଖବର କାଗଜର ପୃଷ୍ଠା ମଣ୍ଡନ କରିଥିଲା । ତାର ଉଦ୍ଧୃତି ସହ ଏହି ପ୍ରବନ୍ଧର ପରିସମାପ୍ତି କରିବି । ଉଦ୍ଧୃତାଂଶଟି ଏହିପରି- “ନାହିଁ ପାଲିଙ୍କି ନାହିଁ ହାତି, ପାତାଳୀ କ୍ଷେତ୍ରେ ଗଜପତି । ଦିନେ ଦାରୁଦିଅଁଙ୍କୁ ଆଣିବାକୁ ଦଇତାପତିମାନଙ୍କୁ ଏଇ ଜାଗାକୁ ପଠାଇଥିଲେ ଗଜପତି । ଆଉ କେତେଶହ ବର୍ଷ ପରେ ସ୍ଵଂୟ ଗଜପତି ଦିବ୍ୟସିଂହ ଦେବ ଆଜି ପାଦ ପକାଇଲେ ସେଇ ପବିତ୍ର ମାଟିରେ । ***ପୁରୀ ଶ୍ରୀମନ୍ଦିର ପ୍ରଦତ୍ତ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ କଲେ ପୂଜା ଆରାଧନା । ***ଖାଲି ପାଦରେ ଚଢ଼ିଲେ ଛଳିଆ ଶିଖର । ****ପ୍ରଭୁ ପାଦରେ ବନ୍ଦିଲେ, ତ୍ରିକୂଟର ପବିତ୍ର ଭୂମିରେ ନିର୍ମିତ ହେଉ ସୂଉଚ୍ଚ ଭବ୍ୟ ମନ୍ଦିର । ସମ୍ପୂର୍ଣ୍ଣ କଳିଙ୍ଗ ଶୈଳୀରେ । ****ସବୁଜିମାରେ ଭରିଯାଉ ତ୍ରିକୂଟର ପର୍ବତମାଳା । ଆମ ଭିତରେ ଜାଗିରହୁ ଶାନ୍ତି, ପ୍ରେମ, ସଦଭାବନା ଓ ସଂହତି । ଯେଉଁଠି ଆମ ସଂସ୍କୃତି ଖାଲି ବାସୁଥିବ ଚନ୍ଦନ. ଚନ୍ଦନ ଓ ତୁଳସୀ ତୁଳସୀ-।’’

 

ଆମେ ପ୍ରାରମ୍ଭରୁ କହିଛୁ ସୁବର୍ଣ୍ଣପୁରର ଜଗନ୍ନାଥ ସଂସ୍କୃତି ମାଧ୍ୟମରେ ପାତାଳୀ ଶ୍ରୀକ୍ଷେତ୍ରର ଐତିହାସିକ ସତ୍ୟତାକୁ ଉନ୍ମୋଚନ କରାଯାଇପାରେ । ଏଇ ପରିପ୍ରେକ୍ଷୀରେ ଏତିକି କୁହାଯାଇପାରେ ଯେ ଲୀଳାମୟ ପୁରୁଷ ଜଗନ୍ନାଥଙ୍କ ସୁରକ୍ଷାପାଇଁ ସମୟଚକ୍ରରେ ଓଡ଼ିଶାର ଯେତିକି ସ୍ଥାନକୁ ବିଭିନ୍ନ ସମୟରେ ତାଙ୍କୁ ନିଆଯାଇଛି, ତନ୍ମଧ୍ୟରୁ ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ଅନ୍ୟତମ ।

 

 

ସୁବର୍ଣ୍ଣପୁର

ମୋ - ୮୮୯୫୮୦୮୦୫୦

 

***

 

ଓଡ଼ିଶାର ଧର୍ମଧାରଣା, ଲୋକାଚାରରେ ଶ୍ରୀଜଗନ୍ନାଥ

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

 

ଧର୍ମଧାରଣା, ଲୋକାଚାର, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଶିଳ୍ପ, ସ୍ଥାପତ୍ୟ, ବାଣିଜ୍ୟ ଇତ୍ୟାଦି ସଂସ୍କୃତିର ଅନ୍ତର୍ଗତ । ଏ ଦୃଷ୍ଟିରୁ ସଂସ୍କୃତି ଏକ ବ୍ୟାପକ ଅର୍ଥବୋଧକ ଶବ୍ଦ । ସଂସ୍କୃତି ଗୋଟିଏ ଦିନର ସୃଷ୍ଟି ନୁହେଁ । ସମୟସ୍ରୋତରେ ମାନବଜାତି ସହିତ ଏହାର ଗତି ଓ ମାନବର ପ୍ରୟୋଜନ ଅନୁସାରେ ଏହାର ରୂପଗତ ପରିବର୍ତ୍ତନ । ସାମ୍ପ୍ରତିକ ସଂସ୍କୃତି ଗତିଶୀଳ ଓ ପରିର୍ତ୍ତନଶୀଳ ମୂଳ ସଂସ୍କୃତିର ଏକ ପରିବର୍ତ୍ତିତ ଓ ପରିମାର୍ଜିତ ରୂପ ।

 

ଜଗନ୍ନାଥ ଓଡ଼ିଆ ସଂସ୍କୃତିର ପ୍ରାଣପିଣ୍ଡ; ଏଣୁ ଓଡ଼ିଆ ସଂସ୍କୃତି ହିଁ ଜଗନ୍ନାଥ-ସଂସ୍କୃତି । ଗବେଷକମାନଙ୍କ ମତରେ ଜଗନ୍ନାଥ-ସଂସ୍କୃତି ପ୍ରାଗୈତିହାସିକ ଯୁଗରୁ ଚଳିଆସୁଛି ଏବଂ ଏହା ପ୍ରାଚୀନତମ ଧର୍ମଧାରଣାର ପ୍ରତୀକ । ଜଗନ୍ନାଥ ମୂଳତଃ ଆଦିବାସୀ ଦେବତା । ଆଦିବାସୀ ଶବରମାନଙ୍କର ‘ଜଗନ୍ତ’ ଜଗନ୍ନାଥ ଶବ୍ଦର ନାମନ୍ତର । ଗୋଟିଏ ଗଛକୁ ଶବରମାନେ ‘ଜଗନ୍ତ’ ବୋଲି ପୂଜା କରନ୍ତି । ଆମ ଜଗନ୍ନାଥ ଦାରୁ ଦେବତା ହୋଇଥିବାରୁ ସେ ଯେ ଶବର -ଦେବତା, ଏହା ବିଶ୍ଵାସଯୋଗ୍ୟ ମନେହୁଏ । ସ୍ନାନପୂର୍ଣ୍ଣିମାଠାରୁ ଶ୍ରୀଗୁଣ୍ଡିଚା ପର୍ଯ୍ୟନ୍ତ ଜଗନ୍ନାଥଙ୍କର ପ୍ରାୟ ସମସ୍ତ ଦାୟିତ୍ଵରେ ରହନ୍ତି ଶ୍ରୀଜଗନ୍ନାଥଙ୍କ ଜ୍ଞାତି ଓ ଶବରମାନଙ୍କ ବଂଶଧର ଦଇତାପତିମାନେ । ଏହା ଜଗନ୍ନାଥଙ୍କ ଶବର-ଦେବତା ରୂପର ସମ୍ଭାବନାକୁ ସୁଦୃଢ଼ କରେ ।

 

ଜଗନ୍ନାଥ ଜୈନ-ଦେବତା ଭାବରେ ମଧ୍ୟ ପରିଚିତ । ଜୈନମାନେ ସେମାନଙ୍କ ଆଦିଜିନ ଋଷଭନାଥଙ୍କ ସହିତ ଜଗନ୍ନାଥଙ୍କୁ ଚିହ୍ନଟ କରନ୍ତି । ‘ନାଥ’ ଶବ୍ଦ ଜୈନଧର୍ମର ସର୍ବୋତ୍କର୍ଷ-ପ୍ରତିପାଦକ ଶବ୍ଦ । ସେମାନେ ଆଦିବାସୀ ‘ଜଗନ୍ତ’ ଶବ୍ଦରେ ‘ନାଥ’ ଯୋଗ କରି ଜଗନ୍ତନାଥ ବା ଜଗନ୍ନାଥ ଭାବରେ ଗ୍ରହଣ କରିନିଅନ୍ତି । ଋଷଭନାଥଙ୍କ ରଥଯାତ୍ରା ତିଥିରେ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୁଏ ବୋଲି ଜୈନମାନଙ୍କର ମତ । ଜଗନ୍ନାଥ ମୌଳିକ ଭାବରେ ଜୈନସଂସ୍କୃତିରୁ ଉଦଭୁତ ବୋଲି ପଣ୍ଡିତ ନୀଳକଣ୍ଠ ଦେଲ ମତ ଦିଅନ୍ତି ।

 

ବୌଦ୍ଧମାନେ ଜଗନ୍ନାଥଙ୍କୁ ସେମାନଙ୍କ ଆରାଧ୍ୟ ଭଗବାନ୍ ବୃଦ୍ଧ ଭାବରେ ସ୍ଵୀକୃତି ଦିଅନ୍ତି । ଏହି ବିଶ୍ଵାସରେ ସେମାନେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଯଥାକ୍ରମେ ବୁଦ୍ଧ, ଧର୍ମ ଓ ସଂଘର ପ୍ରତୀକଭାବରେ ବିଶ୍ଵାସ କରନ୍ତି । କାଳକ୍ରମେ ଆମ ଧାର୍ମିକ ଚିନ୍ତନରେ ଜଗନ୍ନାଥଙ୍କୁ ବୁଦ୍ଧାବତାର ଭାବରେ ଗ୍ରହଣ କରାଯାଇଛି ଓ ଦଶାବତାର ମଧ୍ୟରେ ସ୍ଥାନ ଦିଆଯାଇଛି ନବମ ଅବତାର ଭାବରେ-। କବି ଜୟଦେବ ‘ଗୀତଗୋବିନ୍ଦ’ରେ ବୌଦ୍ଧାବତାରର ମହିମା କୀର୍ତ୍ତନ କରିଛନ୍ତି ।

 

ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ହେଉଛନ୍ତି ବୈଷ୍ଣବ, ଶୈବ ଓ ଶାକ୍ତ ମତବାଦର ମିଳିତ ରୂପ । ଜଗନ୍ନାଥ ବିଷ୍ଣୁରୂପରେ, ବଳଭଦ୍ର ଶିବ ଭାବରେ ଓ ସୁଭଦ୍ରା ଶକ୍ତିରୂପରେ ରତ୍ନବେଦୀରେ ବିରାଜମାନ । ବୈଷ୍ଣବ, ଶୈବ ଓ ଶାକ୍ତମାନଙ୍କ ମଧ୍ୟରେ ଥିବା ମତବାଦଗତ ବିଭେଦର ଦୂରୀକରଣ ହୋଇଛି ଏହି ତ୍ରିମୂର୍ତ୍ତିଙ୍କ ପାଇଁ । ସୌର ଓ ଗାଣପତ୍ୟମାନେ ମଧ୍ୟ ଜଗନ୍ନାଥଙ୍କଠାରେ ସେମାନଙ୍କ ଉପାସ୍ୟ ସୂର୍ଯ୍ୟ ଓ ଗଣପତିଙ୍କର ନିଦର୍ଶନ ଦେଖନ୍ତି । ଜଗନ୍ନାଥଙ୍କ ବିଗ୍ରହ ମଧ୍ୟରେ ମୁସଲମାନ ଓ ଖ୍ରୀଷ୍ଟିଆନ ଧର୍ମର ବିଶେଷ ପ୍ରତୀକର ସନ୍ଧାନ ମିଳେ ବୋଲି କେତେକ ଗବେଷକ ମତ ଦିଅନ୍ତି । ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁଖ୍ରୀଷ୍ଟ ଭାରତକୁ ଆସି ଦୀର୍ଘ ଚାରିବର୍ଷ ପୁରୀରେ ଧର୍ମଶିକ୍ଷାରେ କଟାଇଥିବା ପରବର୍ତ୍ତୀ ଗବେଷଣାରୁ ଜଣାଯାଏ ।

 

ଏହିପରି ଜଗନ୍ନାଥ ସମସ୍ତ ଧର୍ମଧାରଣାକୁ ମହାନ୍ ସମନ୍ଵୟ ମଧ୍ୟରେ ନିଜସ୍ଵ କରିନେଇଛନ୍ତି ନିଜ ଜଗନ୍ନାଥ ନାମର ସାର୍ଥକତା ପ୍ରତିପାଦନ କରି । ସର୍ବଧର୍ମର ସମନ୍ଵିତ ରୂପ ଜଗନ୍ନାଥ ଧର୍ମରେ ଦୀକ୍ଷିତ ଓ ସର୍ବସଂସ୍କୃତିର ସମନ୍ଵିତ ଜଗନ୍ନାଥ –ସଂସ୍କୃତିରେ ଲାଳିତ ଉତ୍କଳୀୟମାନେ ଜଗନ୍ନାଥଙ୍କ ଛତ୍ରଛାୟା ତଳେ ରହି ନିଜକୁ ଧନ୍ୟ ମନେ କରନ୍ତି ।

 

ସର୍ବଧର୍ମ ଓ ସର୍ବସଂସ୍କୃତିର ସଂଶ୍ଲେଷିତ ରୂପଧାରୀ ଜଗନ୍ନାଥ କେବଳ ଦେବତା ନୁହଁନ୍ତି, ମହାନ୍ ପରମ୍ପରା ମଧ୍ୟ । ଏହି ପରମ୍ପରା ବା ଧର୍ମଧାରଣାରେ କ୍ଷୁଦ୍ରତା ବା ସଂକୀର୍ଣ୍ଣତାର ସ୍ଥାନ ନାହିଁ, ଅଛି କେବଳ ବଡ଼ତ୍ଵ, ମହନୀୟ ଚିନ୍ତାଧାରା, ମହତୀ ଚେତନା । ଜଗନ୍ନାଥ ସଂସ୍କୃତି ସହିତ ସମ୍ପୃକ୍ତ ବଡ଼ଦିଅଁ ବା ବଡ଼ଠାକୁର, ବଡ଼ଦେଉଳ, ବଡ଼ଦାଣ୍ଡ, ବଡ଼ପଣ୍ଡା, ମହାଲକ୍ଷ୍ମୀ, ମହାପ୍ରସାଦ, ମହାଦୀପ, ମହୋଦଧି, ମହାସ୍ନାନ ଆଦି ସମସ୍ତ ନାମ ମହାନ୍ ଚେତନାର ମହାପ୍ରକାଶ ।

 

ଜଗନ୍ନାଥଙ୍କ କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର, ତାଙ୍କ ମନ୍ଦିର ନାମ ଶ୍ରୀମନ୍ଦିର, ତାଙ୍କ ଅଙ୍ଗଲାଗି ବସ୍ତ୍ରର ନାମ ଶ୍ରୀକାପଡ଼ା, ତାଙ୍କ ଚକ୍ରର ନାମ ନୀଳଚକ୍ର, ତାଙ୍କ ନେତର ନାମ ପତିତପାବନ, ତାଙ୍କ ଅନ୍ନପ୍ରସାଦ ସେବନ-ସ୍ଥଳୀର ନାମ ଆନନ୍ଦ ବଜାର, ତାଙ୍କ କ୍ଷେତ୍ରସ୍ଥ ଶ୍ମଶାନର ନାମ ସ୍ଵର୍ଗଦ୍ଵାର । ଶ୍ରୀକ୍ଷେତ୍ରରେ ପ୍ରାଣତ୍ୟାଗ ସ୍ଵର୍ଗପ୍ରାପ୍ତିରେ ଯେ ନିଶ୍ଚିତ ସହାୟକ, ସେହି ଧର୍ମଧାରଣା ଉତ୍କଳୀୟମାନଙ୍କର ଏକାନ୍ତ ନିଜସ୍ଵ । ତେଣୁ ବହୁ ବ୍ୟକ୍ତି ମୁକ୍ତି ଆଶାରେ ଶ୍ରୀକ୍ଷେତ୍ରରେ ଶେଷ ଜୀବନ ବିତାନ୍ତି । ମୃତ୍ୟୁପରେ ସେମାନଙ୍କର ଶବସତ୍କାର ହୁଏ ସ୍ଵର୍ଗଦ୍ଵାରରେ । ଶ୍ରୀକ୍ଷେତ୍ରରେ ପ୍ରାଣତ୍ୟାଗ କରିବା ଫଳରେ ସେମାନଙ୍କର ସ୍ଵର୍ଗପ୍ରାପ୍ତି ହୁଏ ଓ ସ୍ଵର୍ଗଦ୍ଵାରରେ ଶବଦାହ ହେବା ଦ୍ଵାରା ମରଶରୀର ସ୍ଵର୍ଗଦ୍ଵାରରେ ପବିତ୍ର ବାଲୁକାରାଶିରେ ଲୀନ ହୋଇଯାଏ । ମୃତ୍ୟୁ କାଳରେ ଜଗନ୍ନାଥଙ୍କ ନାମ ସ୍ମରଣ କଲେ ବୈକୁଣ୍ଠପ୍ରାପ୍ତି ହେବାର ଧାରଣାରୁ ସାଧାରଣତଃ ଲୋକେ ପୁଅ, ନାତିମାନଙ୍କର ନାମ ଜଗନ୍ନାଥ, ବିଷ୍ଣୁ, ମଧୁସୂଦନ ଆଦି ରଖିଥାଆନ୍ତି, ମୃତ୍ୟୁବେଳେ ସେମାନଙ୍କ ନାମଧରି ଡାକିବା ପାଇଁ-। କୌଣସି କାରଣରୁ ଜଗନ୍ନାଥଙ୍କୁ ଦର୍ଶନ କରି ନପାରିଲେ ନୀଳଚକ୍ର ଓ ପତିତପାବନ ବାନା ଦର୍ଶନ କରିବାରେ ସମାନ ଫଳପ୍ରାପ୍ତି ହୁଏ ବୋଲି ଲୋକବିଶ୍ଵାସ ରହିଛି । ତେଣୁ କବିକଳ୍ପନାରେ ପତିତପାବନ ବାନା ‘ଆସ ଆସ ବୋଲି’ ଭକ୍ତଙ୍କୁ ଡାକେ, ଜଗନ୍ନାଥଙ୍କୁ ଦର୍ଶନପୂର୍ବକ ମୋକ୍ଷଲାଭ କରିବାକୁ ଆମନ୍ତ୍ରଣ ଜଣାଏ ।

 

ଉତ୍କଳୀୟ ଧର୍ମଧାରଣାରେ ଜଗନ୍ନାଥ କେବଳ ସ୍ଥାଣୁ ବିଗ୍ରହ ନୁହନ୍ତି, ସେ ମାନବରୂପୀ ଭଗବାନ । ଏହି ନୀତିରେ ତାଙ୍କଠାରେ ମାନବତ୍ଵ ଆରୋପଣ କରାଯାଇଛି, ତାଙ୍କୁ ଜଣେ ରକ୍ତମାଂସଦେହୀ ଓଡ଼ିଆ ଭାବରେ ଗ୍ରହଣ କରାଯାଇଛି । ପ୍ରଭାତରେ ଶଯ୍ୟାତ୍ୟାଗ ଓ ମୁଖପ୍ରକ୍ଷାଳନଠାରୁ ପହୁଡ଼ ଯିବା ପର୍ଯ୍ୟନ୍ତ ତାଙ୍କ ପାଇଁ ଯେଉଁ ଛତିଶ ନିଯୋଗର ବ୍ୟବସ୍ଥା ଅଛି, ତାହା ଜଣେ ରାଜା ବା ସଂଭ୍ରାନ୍ତ ବ୍ୟକ୍ତିଙ୍କ କାର୍ଯ୍ୟନିର୍ଘଣ୍ଟ ଅନୁସାରୀ । ସାଧାରଣ ମଣିଷଭଳି ଜଗନ୍ନାଥ ତାପକ୍ଲିଷ୍ଟ ହୋଇ ମହାସ୍ନାନ କରନ୍ତି, ସ୍ନାନାଧିକ୍ୟ ହେତୁ ଜ୍ଵରାକ୍ରାନ୍ତ ହୁଅନ୍ତି, ଅଣସର ଘରେ ରହି କବିରାଜୀ ଔଷଧ ଓ ପାଚନ ସେବନ କରନ୍ତି । ଅଣସର ଗୁଳୁଗୁଳିଜନିତ ପୀଡ଼ା ମୋଚନ ପାଇଁ ଶରୀରରେ ଗନ୍ଧ ଚନ୍ଦନ ବୋଳି ହୁଅନ୍ତି । ପତ୍ନୀ(ମହାଲକ୍ଷ୍ମୀ)ଙ୍କ ରୋଷର ଶିକାର ହୋଇ ଖାଦ୍ୟ ପାଆନ୍ତି ନାହିଁ, ବାରଦ୍ଵାର ବୁଲନ୍ତି । ଭୋକରେ ଆଉଟୁ ପାଉଟୁ ହେଉଥିବା ବେଳେ ଶେଷରେ ପତ୍ନୀଙ୍କ ହାତରୁ ଖାଦ୍ୟ ଖାଇ ତୃପ୍ତ ହୁଅନ୍ତି । ଘୋଷଯାତ୍ରା କାଳରେ ପତ୍ନୀଙ୍କୁ ସାଥିରେ ନେଉ ନ ଥିବାରୁ ପତ୍ନୀ ତାଙ୍କ ରଥକୁ ଭାଙ୍ଗି ଦିଅନ୍ତି ଏବଂ ଶ୍ରୀମନ୍ଦିରକୁ ଫେରିବା କାଳରେ ପତ୍ନୀ କବାଟ କିଳି ଦିଅନ୍ତି । ପତି-ପତ୍ନୀ ମଧ୍ୟରେ କଳହ ହୁଏ, ଉକ୍ତି-ପ୍ରତ୍ୟୁକ୍ତି ମଧ୍ୟରେ ଶେଷରେ ପତ୍ନୀଙ୍କୁ ମନାଇ ପ୍ରଭୁ ଶ୍ରୀମନ୍ଦିରରେ ପ୍ରବେଶ କରନ୍ତି । ଏପରି କେବଳ ହୁଏ ଜଗତର ନାଥ ଜଗନ୍ନାଥଙ୍କ କ୍ଷେତ୍ରରେ; ବିଶ୍ଵରେ ଅନ୍ୟ କୌଣସି ଦେବତାଙ୍କଠାରେ ଏପରି ମାନବତ୍ଵ-ଆରୋପଣ ଦେଖାଯାଏ ନାହିଁ । ସତରେ, ପ୍ରଭୁଙ୍କ ମାନବୀୟ ଲୀଳାର ପଟାନ୍ତର ନାହିଁ !

 

ଓଡ଼ିଶାବାସୀଙ୍କ ଧର୍ମଧାରଣାରେ ଜଗନ୍ନାଥ ସମସ୍ତଙ୍କର ମୁରବି l ସେ ଉତ୍କଳର ଯଶରକ୍ଷା ନିମନ୍ତେ କଳାଘୋଡ଼ା ଚଢ଼ି ଯୁଦ୍ଧକୁ ଯାଆନ୍ତି, ବାଟରେ ଗଉଡ଼ୁଣୀଠାରୁ ଦହି ଖାଆନ୍ତି, ଯୁଦ୍ଧରେ ଲଢ଼ି ଉତ୍କଳର ସମ୍ମାନ ରକ୍ଷା କରନ୍ତି । ସେହିପରି ଭାବେ ବନ୍ଧା ଏହି ଭାବ ବିନୋଦିଆ ହସ୍ତ ପ୍ରସାର କରି ଭକ୍ତର ନଡ଼ିଆ ନିଅନ୍ତି, ଭକ୍ତର ସମ୍ମାନାର୍ଥେ ବାଲି ରଥରେ ବିଜେ କରନ୍ତି, ଭକ୍ତର ଆକୁଳ ଆବେଦନକୁ ଏଡ଼ାଇ ନପାରି ଭକ୍ତ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପର୍ଯ୍ୟନ୍ତ ରଥରେ ଅପେକ୍ଷା କରନ୍ତି ।

 

ରଥାରୁଢ଼ ଜଗନ୍ନାଥଙ୍କ ଦର୍ଶନ ଲାଭକଲେ ପୁନର୍ଜନ୍ମର ଭୟ ନଥାଏ ବୋଲି ଧାରଣା ଆମ ଧର୍ମଧାରଣାରେ ରହିଛି । ଭକ୍ତର ଏହି ଧାରଣାକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ପ୍ରଭୁ ବର୍ଷକେ ଥରେ ଘୋଷଯାତ୍ରା କରନ୍ତି । ରଥରେ ଭକ୍ତ ତାଙ୍କୁ ଜାତିବର୍ଣ୍ଣ ନିର୍ବିଶେଷରେ ଦର୍ଶନ କରେ, ଅତି ନିଜର ଭାବି ଭକ୍ତି ଗଦ୍‍ଗଦଚିତ୍ତରେ ଓ ଶୋକାପ୍ଲୁତ ନେତ୍ରରେ କୁଣ୍ଢେଇ ଧରେ, ସତେ ଯେପରି ବହୁଦିନ ପରେ ଜଣେ ପରମ ଆତ୍ମୀୟ ମିଳିଯାଇଛି । ଏହି ଦୃଶ୍ୟ କହିଦିଏ ପ୍ରଭୁ ଯେପରି ଭକ୍ତକୁ ବାହୁ ପ୍ରସାରି ଶ୍ରଦ୍ଧାରେ ଆଶ୍ଲେଷି ପରମ ଆନନ୍ଦ ଲାଭ କରନ୍ତି ।

 

ଆମ ଅଭ୍ୟାସରେ ଆମେ ରାତିରେ ନିଦ୍ରା ଯିବା ପୂର୍ବରୁ ଓ ସକାଳେ ଶଯ୍ୟାତ୍ୟାଗ କରିବା ସମୟରେ ଜଗନ୍ନାଥଙ୍କ ନାମ ନେଇଥାଉ । କାହା ସହିତ ଦେଖାହେଲେ ନମସ୍କାର ବଦଳେ କେହି କେହି ‘ଜୟ ଜଗନ୍ନାଥ’ କହି ସମ୍ଭାଷଣ କରିଥାନ୍ତି । ଖାଦ୍ୟଗ୍ରହଣ ଆରମ୍ଭରେ ପ୍ରଥମ ଗୁଣ୍ଡାଟି ସଭକ୍ତି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଥାଏ । ବିବାହ ଓ ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟରେ ପ୍ରଥମ ନିମନ୍ତ୍ରଣ ପତ୍ରଟି ଜଗନ୍ନାଥଙ୍କ ପାଖରେ ପହଞ୍ଚାଇ ତାଙ୍କୁ ନିମନ୍ତ୍ରଣ କରାଯାଏ । ପିତୃଶ୍ରାଦ୍ଧ ସମୟରେ କୌଣସି ପିତୃପୁରୁଷଙ୍କ ନାମ ମନେ ନ ପଡ଼ିଲେ ତାଙ୍କ ନାମ ସ୍ଥାନରେ ପୁରୋହିତ ‘ଶ୍ରୀଜଗନ୍ନାଥ’ କହି କାମ ଚଳାଇ ଦିଅନ୍ତି । ଯେକୌଣସି ଶୁଭକାର୍ଯ୍ୟର ଆରମ୍ଭରେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରାଯାଏ । ତିଥି, ନକ୍ଷତ୍ର, ଜାତକ ଆଦି ବିଚାର ନ କରି ବିବାହାଦି କାର୍ଯ୍ୟ କରିବାକୁ ପଡ଼ିଲେ ‘ସର୍ବମଙ୍ଗଳ ଜଗନ୍ନାଥ’ ଉଚ୍ଚାରଣ କରାଯାଏ । ଏହାଦ୍ଵାରା ସବୁ ଅଶୁଭ, ଅକଲ୍ୟାଣ ଓ ରିଷ୍ଟ କଟିଯାଏ ବୋଲି ବିଶ୍ଵାସ କରାଯାଏ । ପୂଜା ପାଉଥିବା ଏକକ ଜଗନ୍ନାଥ ଦଧିବାମନ ନାମରେ ଖ୍ୟାତ । ଉତ୍କଳୀୟ ଲୋକବିଶ୍ଵାସରେ କୌଣସି ଏକ ବିଶେଷ କାର୍ଯ୍ୟରେ ଅନୁକୂଳ ଯାତ୍ରା ବା ଯୁଦ୍ଧଯାତ୍ରା କରିବା ସମୟରେ ଦଧିବାମନଙ୍କୁ ସ୍ମରଣ କରାଯାଏ । ଦଧିବାମନଙ୍କ ନାମ ନେଲେ ସର୍ବକାର୍ଯ୍ୟରେ ସିଦ୍ଧି ମିଳେ, କାରଣ ସେ ସିଦ୍ଧିପ୍ରଦାୟକ । ଓଡ଼ିଆ ସଙ୍ଗୀତ ଆସରରେ ପ୍ରଥମେ ଜଗନ୍ନାଥଙ୍କ ପ୍ରତି ଭକ୍ତି ନିବେଦନ କରାଯାଏ ଭକ୍ତିସଙ୍ଗୀତ ମାଧ୍ୟମରେ । ନୃତ୍ୟ ଆସର ସେହିପରି ଆରମ୍ଭ ହୁଏ ମଙ୍ଗଳାଚରଣ ପରିବେଷଣ କରାଯାଇ, ଯେଉଁଥିରେ ନୃତ୍ୟଶିଳ୍ପୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିଅର୍ଘ୍ୟ ପ୍ରଦାନ କରି ଚୌକା ମୁଦ୍ରାରେ । ଏହିପରି ଜଗନ୍ନାଥଙ୍କ ପ୍ରତି ଐକାନ୍ତିକୀ ଭକ୍ତି ଓ ଶ୍ରଦ୍ଧା ଆମ ଧର୍ମଧାରଣା ଓ ଲୋକାଚାରରେ ଦୃଢ ଆସନ ପାତିଛି ।

 

ଶ୍ରୀଜଗନ୍ନାଥଙ୍କର ବାର ମାସରେ ତେର ପର୍ବ । ତାଙ୍କୁ କେନ୍ଦ୍ରକରି ଶ୍ରୀମନ୍ଦିରରେ ପାଳିତ ବହୁ ପର୍ବପର୍ବାଣୀ, ଯାନିଯାତ୍ରା ମଧ୍ୟ ଓଡ଼ିଆ ସମାଜରେ ପ୍ରଚଳିତ । ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା, ରଥଯାତ୍ରା, ଜନ୍ମାଷ୍ଟମୀ, ରାମନବମୀ, ଦୁର୍ଗାପୂଜା, ସୁଦଶାବ୍ରତ, ଅନନ୍ତବ୍ରତ ପ୍ରଭୃତି ଏହାର ଦୃଷ୍ଟାନ୍ତ ।

 

ଓଡ଼ିଶାର ଚଳଣିରେ ମହାପ୍ରସାଦ ଓ ନିର୍ମାଲ୍ୟର ଏକ ସ୍ଵତନ୍ତ୍ର ମହତ୍ତ୍ଵ ରହିଛି । କେବଳ ଲୋକଙ୍କ ଧର୍ମଧାରଣାରେ ନୁହେଁ ପୌରାଣିକ ବର୍ଣ୍ଣନା ଅନୁସାରେ ମହାଲକ୍ଷ୍ମୀ ମହାପ୍ରସାଦ ରନ୍ଧନ କରନ୍ତି ଓ ଜଗନ୍ନାଥ ତାହା ସେବନ କରନ୍ତି । ତେଣୁ ମହାପ୍ରସାଦ ଅତି ପବିତ୍ର . ଜାତି-ବର୍ଣ୍ଣ ନିର୍ବିଶେଷରେ ମହାପ୍ରସାଦ ଏକତ୍ର ଭୋଜନ କରାଯାଏ, ଛୁଆଁ-ଅଛୁଆଁ ଭେଦଭାବ ନଥାଏ । ଏହା କଦାପି ଉଚ୍ଛିଷ୍ଟ ହୁଏନାହିଁ । ପ୍ରଚଳିତ ଲୋକକାହାଣୀ କହେ, ପ୍ରଭୁ ମହାଲକ୍ଷ୍ମୀଙ୍କର ଅନୁରୋଧ (ବ୍ରାହ୍ମଣ ହାତୁଁ ଚଣ୍ଡାଳ ଛଡ଼ାଇ ଖାଇବେ) ରକ୍ଷା କରାଯିବା କାରଣରୁ ଏପରି ଭେଦଭାବହୀନ ବ୍ୟବହାର ପ୍ରଚଳନ କରାଯାଇଛି । ପ୍ରତ୍ୟେକ ଶୁଭକାର୍ଯ୍ୟରେ ମହାପ୍ରସାଦର ଏକ ବିଶେଷ ଭୂମିକା ରହିଛି । ବିବାହ ପୂର୍ବରୁ ନିର୍ବନ୍ଧ ଦିନ ବରପିତା କନ୍ୟାପିତାଙ୍କ ମଧ୍ୟରେ ମହାପ୍ରସାଦ ଟେକା ବା ମହାପ୍ରସାଦ ବିନିମୟ ହୋଇଥାଏ । ଏହାଦ୍ଵାରା ସେ ଦୁହେଁ ପୁତ୍ର-କନ୍ୟାଙ୍କ ବିବାହ ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଥା’ନ୍ତି । ଏଣୁ ଏହାର ନାମ ମହାପ୍ରସାଦ ନିର୍ବନ୍ଧ । ଏହାକୁ ଯଦି କୌଣସି ପକ୍ଷ ପରେ ଭାଙ୍ଗିଦିଏ, ତେବେ ସେ ଜଗନ୍ନାଥ-ଦ୍ରୋହୀ ହୁଏ ବୋଲି ଲୋକବିଶ୍ଵାସ ରହିଛି । ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବାକୁ ହେଲେ ଗୁଆ ସହିତ ମହାପ୍ରସାଦ ପଠାଯାଏ । ବିବାହ-ଉତ୍ସବରେ ବର ଓ ବରଯାତ୍ରୀମାନଙ୍କୁ ପାଛୋଟି ଆଣିବାବେଳେ ସେମାନଙ୍କୁ ପ୍ରଥମେ ମହାପ୍ରସାଦ ଅର୍ପଣ କରାଯାଏ । ବିବାହ ପରେ କନ୍ୟାଘର ତରଫରୁ ବରଘରକୁ ଯେଉଁ ଭାର ପଠାଯାଏ ସେଥିରେ ମହାପ୍ରସାଦ ପୁଡ଼ିଆଟିଏ ପଠାଇବା ହେଉଛି ଏକ ବହୁ ପ୍ରଚଳିକ ବିଧି । ଅନେକ ଓଡ଼ିଆ ସ୍ନାନ ସାରି ନିର୍ମାଲ୍ୟ ସେବା କରିବା ପରେ ଖାଦ୍ୟ ଗ୍ରହଣ କରନ୍ତି । କେହି କେହି ନିର୍ମାଲ୍ୟ ସେବା ପୂର୍ବରୁ ଜଳ ମଧ୍ୟ ସ୍ପର୍ଶ କରନ୍ତି ନାହିଁ । ମୃତ୍ୟୁପୂର୍ବରୁ ପାଟିରେ ଟିକିଏ ନିର୍ମାଲ୍ୟ ଜଳ ଦେଲେ ସ୍ଵର୍ଗପ୍ରାପ୍ତି ହେବାର ଲୋକବିଶ୍ଵାସ ରହିଛି ।

 

ମହାପ୍ରସାଦ ଦେଖିବାମାତ୍ରେ କିଛି ଲୋକଙ୍କର ହାତ ସ୍ଵତଃ ଉଠିଯାଏ ନମସ୍କାର ଭଙ୍ଗୀରେ-। ଯେକୌଣସି ସ୍ଥାନରେ ମହାପ୍ରସାଦ ସେବା (ଭୋଜନ) କରିବାରେ ବାଧା ନାହିଁ । ମହାପ୍ରସାଦକୁ ସମ୍ମାନ ଜଣାଇ ବିନା ଆସନରେ ବସି ତାହା ସେବା କରାଯାଏ । ମହାପ୍ରସାଦ ଯାଚିଲେ ମନାକରାଯାଏ ନାହିଁ । ଏପରିକି ଶତ୍ରୁ ଘରୁ ମହାପ୍ରସାଦ ଆସିଲେ ବି ଏହାକୁ ସାଦରେ ଗ୍ରହଣ କରାଯାଏ । ପୁରୀ ଓ ପୁରୀ ଆଖପାଖ ଅଞ୍ଚଳରେ ଶୁଦ୍ଧାଦି କ୍ରିୟାରେ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ । ବିବାହ, ବ୍ରତୋପୟନ, ଗୃହପ୍ରତିଷ୍ଠା ପ୍ରଭୃତି ଶୁଭକାର୍ଯ୍ୟରେ ମଧ୍ୟ ଜଗନ୍ନାଥଙ୍କ ଆଶିଷ କାମନା କରି ମହାପ୍ରସାଦ ଭୋଜନର ଆୟୋଜନ କରାଯାଏ । ମହାପ୍ରସାଦ ମାଧ୍ୟମରେ ସୂର୍ଯ୍ୟବନ୍ଧୁ ବା ଧର୍ମବନ୍ଧୁ ସମ୍ପର୍କ ଗଢ଼ିଉଠେ । ଏସବୁ ବ୍ୟବସ୍ଥା ଜଗନ୍ନାଥ-ସମ୍ପର୍କିତ ଲୋକାଚାରର କେତେକ ବିଶେଷ ଦିଗ ଉନ୍ମୋଚନ କରେ ।

 

ଆମ ଲୋକାଚାରରେ ଧାର୍ମିକ ଭାବନାରେ ଶ୍ରୀମନ୍ଦିରର ବାଇଶିପାହାଚର ଏକ ସ୍ଵତନ୍ତ୍ର ମହତ୍ତ୍ଵ ରହିଛି । ବାଇଶି ପାହାଚରେ ଉପରୁ ତଳ ପର୍ଯ୍ୟନ୍ତ ଗଡ଼ି ଆସିଲେ ସମସ୍ତ ରିଷ୍ଟ ଖଣ୍ଡନ ହେବାର ଲୋକବିଶ୍ଵାସ ଥିବାର କିଛି ଭକ୍ତ ବାଇଶି ପାହାଚରେ ଗଡ଼ୁଥିବାର ଦେଖାଯାଏ । ପିଲାମାନଙ୍କର ମଙ୍ଗଳ ପାଇଁ ପିତାମାତାମାନେ ସେମାନଙ୍କୁ ବାଇଶି ପାହାଚରେ ଗଡ଼େଇବାର ମାନସିକ କରିଥା’ନ୍ତି । ବାଇଶିପାହାଚର ପବିତ୍ରତା ଦୃଷ୍ଟିରୁ ଆମେ ଦୀପାବଳି ଅମାବାସ୍ୟାରେ ଦୀପଦାନପୂର୍ବକ ପିତୃପୁରୁଷଙ୍କୁ ଶ୍ରାଦ୍ଧଦେଇ ଆବାହନ କରୁ “ବଡ଼ବଡ଼ୁଆ ହୋ, ଅନ୍ଧାରେ ଆସି ଆଲୁଅରେ ଯାଅ,…. ବାଇଶିପାହାଚରେ ଗଡ଼ଗଡ଼ଉ ଥାଅ ।’’ ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ବସ୍ତ୍ର ଶ୍ରୀକାପଡ଼ାର ମହତ୍ତ୍ଵ ମଧ୍ୟ କିଛି କମ୍ ନୁହେଁ । ଶ୍ରୀକାପଡ଼ା ଗଳାରେ ଧାରଣକଲେ ସମସ୍ତ ଆବିଳତା ଦୂରହୋଇ ମନରେ ପବିତ୍ରଭାବ ଜାତହୁଏ ଏବଂ ସର୍ବସିଦ୍ଧି ଲାଭହୁଏ ବୋଲି ଆମର ଧାରଣା ରହିଛି-। ତେଣୁ ଭକ୍ତ କୌଣସି ମତେ ସେବାୟତଙ୍କଠାରୁ ଶ୍ରୀକାପଡ଼ା ଖଣ୍ତେ ପାଇଗଲେ ନିଜକୁ ଧନ୍ୟ ମଣିଥାଏ ।

 

ଓଡ଼ିଶାର ଲୋକାଚାରରେ ଢଗ, ଢମାଳି, ପ୍ରବାଦ, ପ୍ରବଚନ ଆଦି ବହୁ ମୌଖିକ ଭକ୍ତି ଓ ମୌଖିକ ରୀତି ଜଗନ୍ନାଥଙ୍କୁ କେନ୍ଦ୍ରକରି ପ୍ରଚଳିତ । ଆମ ସମାଜରେ ଜଣେ ଖୁବ୍ ଅବସ୍ଥାସମ୍ପନ୍ନ ତ ଅନ୍ୟଜଣେ ଅଭାବଗ୍ରସ୍ତ । ଏହିଭଳି ଅସାମ୍ୟ ଲକ୍ଷ୍ୟକଲେ ଜଣେ ଓଡ଼ିଆର ପାଟିରୁ ସ୍ଵତଃ ବାହାରିପଡ଼େ-

 

“ଜଗନ୍ନାଥଙ୍କର ବଡ଼େଇ,

କାହାକୁ ଦିଅନ୍ତି ପାଟ ପୀତାମ୍ବରୀ

କାହାକୁ ଦିଅନ୍ତି ଗଡ଼େଇ ।’’

 

ସାଧାରଣ ଚାଷୀଟିଏ କ୍ଷେତରେ ଚାଷ କରୁଥିବାବେଳେ ଶ୍ରମ ଲାଘବ ପାଇଁ ମଝିରେ ମଝିରେ ପଦେ ପଦେ ଗୀତ ଗାଏ । ଶ୍ରୀଜଗନ୍ନାଥ ସଂସ୍କୃତିରେ ଲାଳିତ ହେତୁ ତା କଣ୍ଠରେ ଫୁଟି ଉଠୁଥିବା ଗୀତରେ ସେ ଜଗନ୍ନାଥଙ୍କୁ ସ୍ମରଣ କରିଥାଏ । ଯେପରି–

 

“ଜୟ ଜୟ ଜଗନ୍ନାଥ ଜଗତ କରତା

କଂସକୁ ମାରିଣ ରଖିଲ ପିତାମାତା ।

ରଖି ନ ପାରିଲ ନିଜ ଭାରିଯା

ରାବଣ ନେଲା ସୀତା ହେ ।’’

 

କେବଳ ଶାସ୍ତ୍ରପୁରାଣରେ ନୁହେଁ, ଲୋକବିଶ୍ଵାସରେ ବି ଜଗନ୍ନାଥ, ସେ କୃଷ୍ଣ ଓ ସେ ହିଁ ରାମ ।

 

ସେହିଭଳି ଶଗଡ଼ିଆ ଶଗଡ଼ ବାହିନେଲାବେଳେ ତା’କଣ୍ଠରୁ ଯେଉଁ ମନଫୁଲାଣିଆ ଗୀତ ଝରିଆସେ ସେଥିରେ ବି ଶ୍ରୀଜଗନ୍ନାଥ ଓ ତାଙ୍କ ଘୋଷଯାତ୍ରାର ଚିତ୍ର ପ୍ରତିଫଳିତ । ସ୍ଵରଲହରୀଯୁକ୍ତ ଏହି ଗୀତ ପଥଚାରୀଙ୍କୁ ଆମୋଦିତ କରେ । ସେଥିରୁ ପଦଟିଏ –

 

“ଆଷାଢ଼ ମାସରେ ସଖୀ ମେଘ ଘଡ଼ଘଡ଼ି

ବାହାରିଲେ ପ୍ରଭୁ ଯେ ନନ୍ଦିଘୋଷ ଚଢ଼ି

ନନ୍ଦିଘୋଷ ରଥେ ଯେ ନନ୍ଦର ନନ୍ଦନ

ତାଳଧ୍ଵଜ ରଥେ ବିଜେ ପ୍ରଭୁ ବଳରାମ

ଦେବୀ ରଥେ ଚଢ଼ିଣ ସୁଭଦ୍ରା ଗୁଣ୍ଡିଚା ଗମନ ହୋ ।’’

 

ଓଡ଼ିଆ ଘରର କୁମାରୀ କନ୍ୟାମାନଙ୍କ ରଜଦୋଳି ଗୀତରେ ମଧ୍ୟ ଜଗନ୍ନାଥ ଓ ତାଙ୍କ ରଥଯାତ୍ରା ସମ୍ୱନ୍ଧୀୟ ବର୍ଣ୍ଣନାର ଅଭାବ ନାହିଁ । ଦୋଳିରେ ଝୁଲିବାବେଳେ ସେମାନେ ଗାଆନ୍ତି-

 

“ମେଘ କଲା ଘଡ଼ଘଡ଼ି

ଜଗନ୍ନାଥ ଗଲେ ଗୁଣ୍ଡିଚା ବାଡ଼ି

ଷୋଳଚକ ଗଲା ଗଡ଼ି ।’’

 

‘କାନ୍ଦଣା’ ଓଡ଼ିଆ ଲୋକଗୀତରେ ପ୍ରମୁଖ ଅଂଶବିଶେଷ । ଓଡ଼ିଆ ଝିଅଟିଏ ବିବାହ କରି ଶାଶୁଘରକୁ ଯିବାପୂର୍ବରୁ ଓ ଯିବାବେଳେ ବାପା, ମାଆ, ଭାଇ ଓ ଅନ୍ୟାନ୍ୟ ଜ୍ଞାତିକୁଟୁମ୍ବଙ୍କୁ ଧରି କାନ୍ଦିଥାଏ । ତା’ ଉପରକୁ ମାଡ଼ିଆସୁଥିବା ସାମ୍ଭାବ୍ୟ ବିପଦକୁ ସେ କାନ୍ଦଣା ମାଧ୍ୟମରେ ପ୍ରକାଶ କରେ । ଏହା କରୁଣରସାପ୍ଲୁତ । ଉଦାହରଣ ରୂପରେ ସେଥିରୁ କେଇ ଧାଡ଼ି –

 

“ରଥରେ ଲାଗିଲା ରଥ ଦଉଡ଼ି ହେ ବାପା

ମୋ ଠାରେ ଲାଗିଲା ଯମ ଦଉଡ଼ି ହେ ବାପା

ରଥ ଦଉଡ଼ି ତ ବାହୁଡ଼ା ଯାକେ ହେ ବାପା

ଯମ ଦଉଡ଼ି ତ ମରିବା ଯାକେ ହେ ବାପା”

 

ଏହା ଏକ ଗାଉଁଲି ଓଡ଼ିଆ ଝିଅର ମୁହଁର ଭାଷା । ଓଡ଼ିଆ ଲୋକଚଳଣି ବା ଜନଜୀବନରେ ଜଗନ୍ନାଥଙ୍କ ପ୍ରଭାବ ଯେ କେତେ ବଳିଷ୍ଠ, ତାହା ଏଥିରୁ ଅନୁମିତ ହୁଏ ।

 

ପଶ୍ଚିମ ଓଡ଼ିଶାର ଲୋକାଚାରରେ ଜଗନ୍ନାଥ କିପରି ବିଦ୍ୟମାନ, ତାହା ଦର୍ଶାଇବା ପାଇଁ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ପ୍ରଚଳିତ ଡାଲଖାଇ ଗୀତରୁ ପଦଟିଏ–

 

“ଡାଲଖାଇରେ…….

ଆଷାଢ଼ ମାସରେ ଗୁନଚା ରଥ

ରଥେ ବିଜେ ଜଗତନାଥ

ଆଗେ ବଳଭଦ୍ର ପଛେ ଭବାନୀ

ପଛକୁ ଜାଇଲେ ଦୁତୀ ଲୋ…….

ସାରଙ୍ଗପାନୀ । ”

 

ଜଗନ୍ନାଥ ଓଡ଼ିଶାର ଜାତୀୟ ଦେବତା । ପ୍ରତ୍ୟେକ ଓଡ଼ିଆ ତାଙ୍କୁ ନିଜ ପରିବାର ମୁରବି ବା ମୁଖ୍ୟ ଭାବରେ ଗ୍ରହଣ କରେ, ବିପଦ-ଆପଦରେ ତାଙ୍କୁ ଗୁହାରି କରେ, ଭଲମନ୍ଦରେ ତାଙ୍କ ଆଶିଷ କାମନା କରେ । ଜଗନ୍ନାଥଙ୍କୁ ସେ ଏତେ ଆପଣାର ଭାବେ ଯେ ଦରକାର ପଡ଼ିଲେ ତାଙ୍କ ଉପରେ ଅଭିମାନ କରେ, ରାଗେ, ତାଙ୍କୁ ଗାଳି ବି ଦିଏ । ତା’ର ଧର୍ମଧାରଣା, ଲୋକାଚାର ଆଦି ବିଭିନ୍ନ ସାଂସ୍କୃତିକ ବିଭାବ ଜଗନ୍ନାଥକୈନ୍ଦ୍ରିକ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଜଗନ୍ନାଥଙ୍କ ସହିତ ସଂବନ୍ଧାନ୍ଵିତ । ସାମାଜିକ ଓ ଆଧ୍ୟାତ୍ମିକ ଜୀବନରେ ସେ ଜଗନ୍ନାଥ ଭାବନାରେ ସଦା ମଗ୍ନ । ଜଗନ୍ନାଥ ଚେତନା ତା’ର ଅସ୍ଥିମଜ୍ଜାଗତ । ଏହିପରି ଓଡ଼ିଶାର ଜନଜୀବନରେ ଜଗନ୍ନାଥ ଓତପ୍ରୋତ-

 

 

ଏନ୍‍.୫/୩୭୪

ଆଇଆରସି ଭିଲେଜ୍‍,

ଭୁବନେଶ୍ୱର-୧୫

 

***

 

ପୁରୁଷୋତ୍ତମ ଜଗନ୍ନାଥଙ୍କ ମୌଳିକତା

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

 

ପୁରୁଷୋତ୍ତମ ଜଗନ୍ନାଥଙ୍କ ସ୍ଵରୂପ ଅଚିନ୍ତ୍ୟ, ଅବ୍ୟକ୍ତ ଓ ରହସ୍ୟମୟ । ଜ୍ଞାନୀ, ଭକ୍ତ, ତତ୍ତ୍ଵଦର୍ଶୀ ଗବେଷକ, ପଣ୍ଡିତ ଓ ଦାର୍ଶନିକବୃନ୍ଦ ତାଙ୍କୁ ଅନନ୍ତ, ଅକ୍ଷୟ, ଅବ୍ୟୟ, ଅବିନଶ୍ଵର,ସର୍ବାନ୍ତର୍ଯ୍ୟାମୀ, କ୍ଷରଅକ୍ଷର, ସାକାର ନିରାକାର ଓ ସଗୁଣ ନିର୍ଗୁଣ ଦାରୁବ୍ରହ୍ମ ସ୍ଵରୂପରେ ଚିତ୍ରଣ କରିଛନ୍ତି । ତତ୍ତ୍ଵତଃ ସେ ଅଖିଳ ବିଶ୍ଵର ସର୍ବନିୟନ୍ତା ହେଲେହେଁ ତାଙ୍କ ଶ୍ରୀବିଗ୍ରହ ନଶ୍ଵର କ୍ଷୟଶୀଳ ଦାରୁରେ ନିର୍ମିତ । ମର୍ତ୍ତ୍ୟବୈକୃଣ୍ଠ ନୀଳାଚଳରେ ସେ ଦିବ୍ୟଲୀଳା ସଂରଚନାପୂର୍ବକ ବିଶ୍ଵର ସର୍ବପ୍ରାଚୀନ ଦେବତା ରୂପରେ ମହିମାବନ୍ତ । ତାଙ୍କ ନିତ୍ୟନୈମିତ୍ତିକ ପୂଜାବିଧାନ, ପର୍ବପର୍ବାଣୀ, ଯାନିଯାତ୍ରା ଲୌକିକ ହୋଇ ମଧ୍ୟ ଦିବ୍ୟ, ଅନନ୍ୟ ଓ ଅସାଧାରଣ । ତାଙ୍କ ରୂପ, ଲୀଳା, ଧାମ, ତତ୍ତ୍ଵ ଓ ଦର୍ଶନରେ ସ୍ଵାତନ୍ତ୍ର୍ୟ, ବୈଶିଷ୍ଟ ଓ ବୈଚିତ୍ର୍ୟ ଭରି ରହିଛି । ପୁରୁଷୋତ୍ତମ ଜଗନ୍ନାଥଙ୍କ ଏହି ସ୍ଵାତନ୍ତ୍ର୍ୟ, ବୈଶିଷ୍ଟ ଓ ବୈଚିତ୍ରକୁ ଉଦ୍‍ଘାଟନ କରିବାକୁ ଯୁଗେ ଯୁଗେ ଅଗଣିତ ସାଧୁ, ସନ୍ଥ, ମହାତ୍ମା, ସୂରୀ, ସାଧକ, ପଣ୍ଡିତ. ଗବେଷକ, ତତ୍ତ୍ଵାନୁସନ୍ଧାନୀ, ସମାଲୋଚକ, ତଥା ଗୁଣଜ୍ଞ ବିଦ୍ଵାନ ପ୍ରୟାସ କରିଥିଲେ ହେଁ ଅଦ୍ୟାବଧି ତାଙ୍କ ମୌଳିକତା ଦୁର୍ବୋଧ୍ୟ ଓ ରହସ୍ୟାଚ୍ଛନ୍ନ । ଭିନ୍ନ ଭିନ୍ନ ତଥ୍ୟଭିଜ୍ଞ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ମୂଳତଃ ଶାବର, ବୈଦିକ, ଜୈନ, ବୌଦ୍ଧ ଓ ବ୍ରାହ୍ମଣ ଦେବତା ବିବେଚନା ପୂର୍ବକ ଅନେକ ଅନାଲୋଚିତ ତଥ୍ୟ ପରିବେଷଣ କରିଯାଇଛନ୍ତି, ତଥାପି ଗବେଷଣାର ଅନ୍ତ ହୋଇନାହିଁ । ସକଳ ଦାର୍ଶନିକ ଓ ତାତ୍ତ୍ଵିକ ବିଶ୍ଲେଷଣସତ୍ତ୍ଵେ ସେ ଅଧିକରୁ ଅଧିକ ରହସ୍ୟମୟ ହୋଇ ଯାଇଛନ୍ତି । ଯଥାର୍ଥରେ କୁହାଯାଇଛି: “ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ, ଦେବାଃ ନଜାନନ୍ତି କୁତୋ ମନୁଷ୍ୟଃ ।’’

 

ପୁରୁଷୋତ୍ତମ ଜଗନ୍ନାଥଙ୍କ ମୂଳସ୍ଵରୂପ ଅନୁସନ୍ଧାନୀଙ୍କ ମଧ୍ୟରୁ ଯେଉଁ ବିଶିଷ୍ଟ ବିଦ୍ଵାନବୃନ୍ଦ ଗବେଷଣା ମାଧ୍ୟମରେ ତାଙ୍କୁ ବୌଦ୍ଧଦେବତା ସ୍ଵରୂପରେ ବିଚେତନା କରିଛନ୍ତି, ସେମାନେ ହେଉଛନ୍ତି ଜେନେରାଲ କନିଂହାମ୍, ପ୍ରଫେସର ଉଇଲସନ୍, ଡକ୍ଟର ହରେକୃଷ୍ଣ ମହତାବ, ଜେମସ୍ ଫର୍ଗୁସନ, ଲୁଇସ୍ ରୋଜଭିଟ୍ ଏବଂ ଏନ.ଏନ. ବୋଷ ପ୍ରଭୃତି । ସେମାନଙ୍କ ମତରେ ବୋଦ୍ଧଧର୍ମର ତ୍ରିରତ୍ନ ଅର୍ଥାତ୍ ବୁଦ୍ଧ, ଧର୍ମ ଓ ସଂଘର ପ୍ରତୀକ ହେଉଛନ୍ତି ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର । ଏହିସବୁ ଗବେଷକବୃନ୍ଦଙ୍କ ସିଦ୍ଧାନ୍ତକୁ ଡକ୍ଟର ମହତାବ ସ୍ଵରଚିତ “ଓଡ଼ିଶା ଇତିହାସ”ରେ ପ୍ରାଞ୍ଜଳ ଭାବରେ ବାଇଶ ଗୋଟି ଚିତ୍ର ମାଧ୍ୟମରେ ଉପସ୍ଥାପନା କରିଛନ୍ତି । (୧) ଡକ୍ଟର ମହତାବ ଏହି ପରିଚ୍ଛେଦରେ ସମସ୍ତ ବୌଦ୍ଧମତବାଦୀ ଗବେଷକଙ୍କର ଉକ୍ତିକୁ ବିସ୍ତୃତ ଓ ବ୍ୟାପକ ଭାବରେ ଆଲୋଚନା କରିଛନ୍ତି-। ସେ ଯେଉଁ ତିନିଗୋଟି ମୁଖ୍ୟପ୍ରସଙ୍ଗ ବର୍ଣ୍ଣନାପୂର୍ବକ ବୌଦ୍ଧମତବାଦକୁ ବିଶ୍ଵାସ କରିଛନ୍ତି, ତାହା ହେଉଛି ଶ୍ରୀଜଗନ୍ନାଥଙ୍କ ନାମ, ମୂର୍ତ୍ତି, ଓ ଦେବୀ ସୁଭଦ୍ରାଙ୍କ ସମାବେଶ । ତାଙ୍କ ମତରେ ଅଶୋକଙ୍କ ସମୟ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଓଡ଼ିଶାର ଶବରମାନେ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ପୁରୀରେ ପୂର୍ବରୁ ନିର୍ମିତ ବୌଦ୍ଧସ୍ତୂପରେ ତ୍ରିରତ୍ନ ପୂଜା କଲେ । ରଥଯାତ୍ରା ବୌଦ୍ଧବିଧାନର ମୁଖ୍ୟପର୍ବ । ଏହିସବୁ ପ୍ରସଙ୍ଗକୁ ଭିତ୍ତିକରି ସେ ତାଙ୍କର ବିବେଚନା ଉପସ୍ଥାପନା କରିବା ସହିତ ଜଗନ୍ନାଥ ମୂଳତଃ ବୌଦ୍ଧଦେବତା ବୋଲି ସୂଚନା ପ୍ରଦାନ କରିଅଛନ୍ତି । ସୂଚନାଯୋଗ୍ୟ ଯେ, ଡକ୍ଟର ମହତାବ “ଓଡ଼ିଶା ଇତିହାସ” ରଚନା କରିବା ପୂର୍ବରୁ ଅର୍ଥାତ୍ ୧୯୪୯ ପୂର୍ବରୁ ବିଦେଶୀ ବିଦ୍ଵାନବୃନ୍ଦ ଜଗନ୍ନାଥ ମୂଳତଃ ବୌଦ୍ଧଦେବତା ବୋଲି କେତେକ ତଥ୍ୟ ଅବତାରଣା କରିଥିଲେ । ସେମାନେ ଯେଉଁ ଯୁକ୍ତି ଉପରେ ଭିତ୍ତିପୂର୍ବକ ଏହି ତତ୍ୟ ପ୍ରଦାନ କରିଥିଲେ, ସେଗୁଡ଼ିକ ହେଉଛି ପୁରାତନ ପାଲିସାହିତ୍ୟ ଓ ତନ୍ତ୍ରସାହିତ୍ୟରେ “ଜଗନ୍ନାଥ” ବୁଦ୍ଧଙ୍କର ଏକ ନାମ, ଏଲୋରା ଗୁମ୍ଫାରେ ଖୋଦିତ ଏକ ବୁଦ୍ଦମୂର୍ତ୍ତିର ନାମ “ଜଗନ୍ନାଥ”, ବୌଦ୍ଧଧର୍ମର “ଧମ୍ମ” ନାରୀଭାବରେ କଳ୍ପିତ ଏବଂ ଫାହିୟାନଙ୍କ ବର୍ଣ୍ଣିତ ଖୋଟାନ୍ ରଥଯାତ୍ରାରୁ ଅନୁମିତ ପୁରୀ ରଥଯାତ୍ରା ବୌଦ୍ଧଧର୍ମର ମୁଖ୍ୟପର୍ବ । ଏହି ଯୁକ୍ତିସମୂହ ଉପରେ ଗଭୀର ରେଖାପାତ କଲେ ହୃଦବୋଧ ହୁଏ, ପାଲି ସାହିତ୍ୟ ପୂର୍ବରୁ ସଂସ୍କୃତ ସାହିତ୍ୟରେ “ଜଗନ୍ନାଥ” ଶବ୍ଦ ବିଦ୍ୟମାନ, ଅଧିକନ୍ତୁ ଏହା ବିଷ୍ଣୁ ଓ ଶିବଙ୍କର ନାମ ରୂପେ ବ୍ୟବହୃତ । ଉଲ୍ଲେଖଯୋଗ୍ୟ ଯେ, ବଜ୍ରଯାନୀ ସାଧକ ଇନ୍ଦ୍ରଭୂତିଙ୍କ ରଚିତ “ଜ୍ଞାନସିଦ୍ଧି” ଓ ତଦୀୟଗୁରୁ ଅନଙ୍ଗବଜ୍ରଙ୍କ ରଚିତ “ପ୍ରଜ୍ଞୋପାୟ ବିନିଶ୍ଚୟସିଦ୍ଧି”ରେ “ଜଗନ୍ନାଥ” ନାମ ପ୍ରଥମେ ପରିଦୃଷ୍ଟ ବୋଲି ଗବେଷକମାନେ ବିଶ୍ଵାସ କରନ୍ତି, କିନ୍ତୁ ତତ୍‍ପୂର୍ବରୁ ରଚିତ ସଂସ୍କୃତ ପୁରାଣ ଓ ବିଷ୍ଣୁ ସହସ୍ର ନାମ ପ୍ରଭୃତିରେ “ଜଗନ୍ନାଥ” ନାମ ବହୁବାର ଉଲ୍ଲେଖ ଥିଲେ ହିଁ ତାହା ବିଚାରକୁ ନେଇନାହାନ୍ତି । ବୈଦିକଯୁଗ ପରେ ଆଦିକବି ବାଲ୍ନୀକିଙ୍କ ରଚିତ ସଂସ୍କୃତ ରାମାୟଣର ଉତ୍ତରାକାଣ୍ଡରେ ଉଲ୍ଲେଖ ଅଛି:

 

କିଂ ଚାନ୍ୟଦ୍ ବକ୍ତୁମିଚ୍ଛାମି ରାକ୍ଷସେନ୍ଦ୍ର ମହାବଳ

ଆରାଧୟ ଜଗନ୍ନାଥମିକ୍ଷ୍ଵାକୁ କୁଳଦୈବତମ୍ ।

 

ଶ୍ଲୋକଟିରେ ଜଗନ୍ନାଥ ଶବ୍ଦ ଗୁଣବାଚକ ନହୋଇ ନାମବାଚକ ସ୍ଵରୂପରେ ବ୍ୟବହୃତ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ରଚିତ ସଂସ୍କୃତ ମହାଭାରତ ଅନ୍ତର୍ଗତ ବିଷ୍ଣୁସହସ୍ରନାମ ସ୍ତୋତ୍ରରେ ଉଲ୍ଲେଖ ରହିଛି :

 

ତସ୍ୟ ଲୋକପ୍ରଧାନସ୍ୟ ଜଗନ୍ନାଥସ୍ୟ ଭୂପତେ,

ବିଷ୍ଣୋର୍ନାମ ସହସ୍ରଂ ମେ ଶୃଣୁ ପାପଭୟାପହମ୍ .

 

ସେହି ମହାଭାରତର ଶାନ୍ତିପର୍ବରେ ମଧ୍ୟ ଜଗନ୍ନାଥଧର୍ମ ସମ୍ପର୍କରେ ଉଲ୍ଲେଖ ରହିଛି ।

 

ଏଷୋ ଧର୍ମ ଜଗନ୍ନାଥାତ୍ ସାକ୍ଷାତ୍ ନାରାୟଣାତ୍ ନୃପଃ

ଏବମେଷ ମହାଧର୍ମ ସ ତେ ପୂର୍ବେ ନୃପୋତ୍ତମଃ ।

 

ଖ୍ରୀଷ୍ଟାବ୍ଦ ଦ୍ଵିତୀୟ ଶତାବ୍ଦୀରେ ରଚିତ ପଦ୍ମପୁରାଣରେ କ୍ରିୟାଯୋଗସାର ଖଣ୍ଡରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ନାମ ରହିଛି ।

 

ବଳଭଦ୍ରଂ ସୁଭଦ୍ରାଂଚ କୃଷ୍ଣଂ ଚ କମଳେକ୍ଷଣମ୍,

ଅଦୃଷ୍ଟା ଶ୍ରୀ ଜଗନ୍ନାଥଂ ସୁଭଦ୍ରାଂ ଚ ବଳଂ ତଥା ।

 

ପଦ୍ମପୁରାଣର ଅନ୍ୟାନ୍ୟ ସ୍ଥଳରେ ମଧ୍ୟ ଜଗନ୍ନାଥ ପରିଦୃଷ୍ଟ । ପଦ୍ମପୁରାଣର ସମସାମୟିକ ବିଷ୍ଣୁପୁରାଣରେ ଜଗନ୍ନାଥ ଓ ପୁରୁଷୋତ୍ତମ ଶବ୍ଦ ବହୁଳ ଭାବରେ ବ୍ୟବହୃତ ।

 

ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଅଷ୍ଟମ ଶତାବ୍ଦୀର ବୌଦ୍ଧ ବଜ୍ରଯାନୀଙ୍କ ବହୁ ପୂର୍ବରୁ ଜଗନ୍ନାଥ ଶବ୍ଦ ନାମବାଚକ ବିଶେଷ୍ୟ ଭାବରେ ବ୍ୟବହୃତ ଏବଂ ଏଥିରେ ପ୍ରଭାବିତ ହୋଇ ବଜ୍ରଯାନୀଗଣ ଜଗନ୍ନାଥ ଶବ୍ଦକୁ ବୁଦ୍ଧଙ୍କର ବିଶେଷଣାତ୍ମକ ଶବ୍ଦ ବାବରେ ବ୍ୟବହାର କରିଛନ୍ତି । ଗବେଷକ ଡକ୍ଟର ବେଣୀମାଧବ ପାଢ଼ୀଙ୍କ ମତରେ “ଜଗନ୍ନାଥ” ଶବ୍ଦଟି ମୂଳ ପାଲି ଶବ୍ଦ ନୁହେଁ, ଏହା ଶାବର ଶବ୍ଦ “ଜଗନ୍ତ”ରୁ ନିଷ୍ପନ୍ନ ହୋଇ ସଂସ୍କୃତରେ ଜଗନ୍ନାଥ ରୂପ ଧାରଣ କରିଛି । (୨) ଅତଏବ, ନିଃସନ୍ଦେହରେ ବ୍ୟକ୍ତ କରାଯାଇପାରେ ଶାବର ଶବ୍ଦରୁ ସଂସ୍କୃତରେ ଜଗନ୍ନାଥ ଶବ୍ଦ ରୂପାନ୍ତରିତ ହୋଇ ବହୁ ପ୍ରାଚୀନ କାଳରୁ ପୁରାଣରେ ବ୍ୟବହୃତ, ବୌଦ୍ଧସାଧକମାନେ ପ୍ରଥମେ ଜଗନ୍ନାଥ ଶବ୍ଦ ସୃଷ୍ଟି କରିନାହାନ୍ତି । ବୌଦ୍ଧମତବାଦୀଙ୍କର ଦ୍ଵିତୀୟ ଯୁକ୍ତି ହେଉଛି, ଏଲୋରା ଗୁମ୍ଫାରେ ଖୋଦିତ ବୌଦ୍ଧମୂର୍ତ୍ତିର ନାମ ଜଗନ୍ନାଥ । ସପ୍ତମ ଶତାବ୍ଦୀରେ ଏହି ମୂର୍ତ୍ତି ଖୋଦିତ ହୋଇଥିଲା ଏବଂ ସେତେବେଳକୁ ବୌଦ୍ଧମାନେ ବୁଦ୍ଧଙ୍କୁ ଜଗନ୍ନାଥ ନାମରେ ପରିଚିହ୍ନିତ କରିବାର ପ୍ରୟାସରେ ଥିଲେ । ତୃତୀୟ ଯୁକ୍ତି ହେଉଛି, ବୌଦ୍ଧଧର୍ମର ବୁଦ୍ଧ ହିଁ ପୁରୁଷ, ଧର୍ମ ହେଉଛି ପ୍ରକୃତି ଏବଂ ସଂଘ ହିଁ ଉଭୟ ଅର୍ଥାତ୍ ପୁରୁଷ ଓ ପ୍ରକୃତିର ସଂଯୋଗ । ତେଣୁ ବୌଦ୍ଧମତରେ ଧର୍ମ୍ମ ହିଁ ପ୍ରକୃତି, ନାରୀ ନୁହେଁ । ଚତୁର୍ଥ ଯୁକ୍ତି ହେଉଛି, ଚୀନ୍ ପରିବ୍ରାଜକ ଫାହିୟାନ୍ ଖୋଟାନରେ ଦେଖିଥିବା ରଥଯାତ୍ରା ବର୍ଣ୍ଣନାରୁ ବିଚାର କରାଯାଏ ଯେ ପୁରୀର ରଥଯାତ୍ରା ବୌଦ୍ଧଯାତ୍ରାବିଶେଷ । ସୂଚନାଯୋଗ୍ୟ ଯେ, ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବୌଦ୍ଧ ମତର ଉନ୍ମେଷ । ତାହାର ବହୁ ପୂର୍ବରୁ ବେଦ, ରାମାୟଣ, ମହାଭାରତ ଓ ପୁରାଣାଦିରେ ରଥର ବହୁବିଧ ବର୍ଣ୍ଣନା ବିଦ୍ୟମାନ । ଏତଦ୍‍ଭିନ୍ନ ପୁରୀରେ ମହାଦାରୁମୂର୍ତ୍ତି ନିର୍ମାଣକାଳରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଅଛି, ଯାହାର ସମୟ ପ୍ରାଗ୍‍ବୈଦିକ ତଥା ସେହି ସମୟରେ ବୌଦ୍ଧଧର୍ମର ଉନ୍ମେଷ ଘଟିନଥିଲା । ଅନୁମିତ ହୁଏ, ପୁରୀର ରଥଯାତ୍ରା ଅନୁକରଣରେ ବୌଦ୍ଧମାନେ ଖୋଟାନ, ପାଟଳୀପୁତ୍ର ଓ ଅନ୍ୟାନ୍ୟ ସ୍ଥାନରେ ରଥଯାତ୍ରା ଆରମ୍ଭ କରିଥିଲେ । ଗବେଷକ ଓଲଡ଼ଫିଲଡ଼ଙ୍କ ମତରେ ପାଟଳୀପୁତ୍ର ଓ ଖୋଟାନରେ ଯେଉଁ ବୌଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିଲା ତାହା ପୁରୀ ରଥଯାତ୍ରାର ଅନୁକରଣ ମାତ୍ର । ସେ ଲେଖିଛନ୍ତି, “The Buddhist festival is evidently adopted from the Hindu festival of jagannath and his brother Balaram and sister Subhadra.” ଏଥିରୁ ହୃଦବୋଧ ହେଉଛି, ବୌଦ୍ଧମତବାଦୀଙ୍କର ସକଳ ଯୁକ୍ତି ଭିତ୍ତିହୀନ ତଥା ଜଗନ୍ନାଥ ମୂଳତଃ ବୌଦ୍ଧଦେବତା ନୁହନ୍ତି । ଏ ସମ୍ପର୍କରେ ଗବେଷକ ଡକ୍ଟର ବେଣୀମାଧବ ପାଢ଼ୀ ସ୍ଵରଚିତ “ଦାରୁଦେବତା” ଗ୍ରନ୍ଥରେ ସବିଶେଷ ଆଲୋଚନା କରି ସିଦ୍ଧାନ୍ତ ନେଇଚନ୍ତି ଯେ, ଜଗନ୍ନାଥ ମୂଳତଃ ଶାବର ଦେବତା ଏବଂ ପରବର୍ତ୍ତୀ କାଳରେ ଆର୍ଯ୍ୟ ଓ ଅନାର୍ଯ୍ୟ ଉଭୟଗୋଷ୍ଠୀ ତାଙ୍କୁ ଆପଣେଇ ନେଇ ସମନ୍ଵୟର ମହାଭାବରେ ଉଦ୍‍ବୁଦ୍ଧ ହୋଇଛନ୍ତି । ଅନ୍ୟତମ ଗବେଷକ ଡକ୍ଟର ଗୋପୀନାଥ ମହାପାତ୍ର ସ୍ଵରଚିତ “The land of Vishnu” ପୁସ୍ତକରେ ବୌଦ୍ଧମତବାଦୀଙ୍କର ସକଳ ଯୁକ୍ତିକୁ ଖଣ୍ଡନ । (୩) ତାଙ୍କ ମତରେ ବୌଦ୍ଧମତବାଦ ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସମର୍ଥନ ଲାଭପୂର୍ବକ ପ୍ରତିଷ୍ଠିତ ହୋଇସାରିଥିଲା । ଡକ୍ଟର ମହତାବ ମଧ୍ୟ ସେହି ମତକୁ ସମର୍ଥନ କରି ବିଚାର କରିଥିଲେ ଯେ, ଜଗନ୍ନାଥ ମୂଳତଃ ବୌଦ୍ଧ ଓ ପରେ ଶାବର । (୪) ପୁନଶ୍ଚ, ଡକ୍ଟର ମହତାବ ବୌଦ୍ଧ ମତବାଦକୁ ବିଶ୍ଵାସ କରି ଅଶୋକଙ୍କ ସମୟରେ ଓଡ଼ିଶାର ଶବରମାନେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ତ୍ରିରତ୍ନ ପୂଜା କଲେ ବୋଲି ଉଲ୍ଲେଖ କରିଛନ୍ତି, କିନ୍ତୁ ତାହାର କୌଣସି ଶାସ୍ତ୍ରୀୟ ବା ଆଭିଲେଖିକ ପ୍ରମାଣ ପ୍ରଦାନ କରିନାହାନ୍ତି । ଅନ୍ୟାନ୍ୟ ବୌଦ୍ଧମତବାଦୀଗଣ କିମ୍ବଦନ୍ତୀ, ଲୋକକଥା ଓ ଜାତକଗଳ୍ପ ପ୍ରଭୃତିକୁ ଆଧିର କରି ଅନେକ କିମ୍ଭୂତକିମାକାର କପୋଳକଳ୍ପିତ ତଥ୍ୟ ଅବତାରଣା କରିଛନ୍ତି, ଯାହାକି ସର୍ବଜନଗ୍ରାହ୍ୟ ନୁହେଁ । ଅତଏବ, ଜଗନ୍ନାଥ ମୂଳତଃ ବୌଦ୍ଧଦେବତା ଏବଂ ରଥଯାତ୍ରା ବୌଦ୍ଧପର୍ବ ନୁହେଁ ।

 

ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଜୈନଦେବତା ବୋଲି ଯେଉଁ ବିଦ୍ଵାନବୃନ୍ଦ ବିଚାର କରିଛନ୍ତି, ସେମାନେ ହେଲେ ପଣ୍ଡିତ ନୀଳକଣ୍ଠ ଦାସ, ଐତିହାସିକ କେଦାରନାଥ ମହାପାତ୍ର, ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ ଓ ପଣ୍ଡିତ ବିନାୟକ ମିଶ୍ର ପ୍ରଭୃତି । ସେମାନଙ୍କ ମତରେ ଇନ୍ଦ୍ରଦ୍ୟୁମ୍ନ ଜମେ ଜୈନଧର୍ମାବଲମ୍ବୀ ରାଜା । ପଣ୍ଡିତ ବିନାୟକ ମିଶ୍ର ଓ କେଦାରନାଥ ମହାପାତ୍ର ଖାରବେଳଙ୍କୁ ମଧ୍ୟ ଇନ୍ଦ୍ରଦ୍ୟୁମ୍ନ ସ୍ଵରୂପରେ ଅବତାରଣା କରିଛନ୍ତି । କିନ୍ତୁ ପୁରାଣ ଓ କିମ୍ବଦନ୍ତୀ ବର୍ଣ୍ଣିତ ଇନ୍ଦ୍ରଦ୍ୟୁମ୍ନ ହେଉଛନ୍ତି ବ୍ରହ୍ମାଙ୍କର ପଞ୍ଚମ ପୁରୁଷ ଅର୍ଥାତ୍ ବେଦ ପରବର୍ତ୍ତୀ ପୁରାଣକାଳୀନ ବୋଲି ସେମାନେ ବିଚାର ନ କରି ଖ୍ରୀଷ୍ଟପୂର୍ବ ପ୍ରଥମ ଶତକର ଜୈନଧର୍ମାବଲମ୍ଵୀ ଖାରବେଳଙ୍କୁ ଇନ୍ଦ୍ରଦ୍ୟୁମ୍ନ ଭାବରେ ଚିତ୍ରଣ କରିଛନ୍ତି । ଏପରିକି ଐତିହାସିକ କେଦାରନାଥ ମହାପାତ୍ର ଖାରବେଳଙ୍କୁ ପଦ୍ମପୁରାଣ ବର୍ଣ୍ଣିତ ଶବର ବାଳକ ରୂପେ ବିବେଚନା କରି ଶବର ମତକୁ ପ୍ରକାରାନ୍ତରେ ସ୍ଵୀକାର କରିଛନ୍ତି । (୫) ପଣ୍ଡିତ ନୀଳକଣ୍ଠ ଦାସଙ୍କ ମତରେ ପ୍ରାଚୀନ ବେବିଲୋନ୍ ସଭ୍ୟତା କାଳରୁ ଜଗନ୍ନାଥଙ୍କ ଅସ୍ତିତ୍ଵ ଥିଲା ତଥା ଶବରମାନେ ଥିଲେ ତାଙ୍କର ଉପାସକ । (୬) ଏହି ମତଦ୍ଵାରା ଜୈନ ମତବାଦୀ ପଣ୍ଡିତ ନୀଳକଣ୍ଠ ଦାସ ଜଗନ୍ନାଥଙ୍କୁ ଶବର ଦେବତା ବୋଲି ବିଚାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଡକ୍ଟର ବେଣୀମାଧବ ପାଢ଼ୀ ସ୍ଵରଚିତ “ଦାରୁଦେବତା” ଗ୍ରନ୍ଥର ଷଷ୍ଠ ପ୍ରକାଶରେ ଦାରୁଦେବତାଙ୍କ ଉପରେ ଜୈନପ୍ରଭାବ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଛନ୍ତି । (୭) ଏହି ପରିଚ୍ଛେଦରେ ତାଙ୍କ ବିବେଚନାର ନିଷ୍କର୍ଷ ହେଉଛି, ଜଗନ୍ନାଥ ଶବର ଦେବତା ଓ ପରବର୍ତ୍ତୀ କାଳରେ ଜୈନମାନଙ୍କ ଦ୍ଵାରା ଉପାସିତ । କେତେକ ଗବେଷକଙ୍କର ମତ, ଜୈନତୀର୍ଥଙ୍କର ଓଡ଼ିଶାରେ ଧର୍ମ ପ୍ରଚାର କରୁଥିବା ସମୟରେ ଜଗନ୍ନାଥ ଉପାସନାର ଅୟମାରମ୍ଭ ଘଟିଥିଲା । କିନ୍ତୁ ଏହି ମତ ଶାସ୍ତ୍ର ବା ଅଭିଲେଖସମ୍ମତ ନୁହେଁ । ଅନ୍ୟ କେତେକଙ୍କ ମତରେ ଜୈନଧର୍ମାଲମ୍ଵୀ ଖାରବେଳ ମଗଧ ବିଜୟପୂର୍ବକ ଯେଉଁ ଜୀନାସନ ଓଡ଼ିଶାକୁ ଫେରାଇ ଆଣିଥିଲେ, ତାହାହିଁ ଜଗନ୍ନାଥ ବା ତାଙ୍କ ରତ୍ନସିଂହାସନ । ଖାରବେଳ ଏହି ଜୀନାସନ ଓଡ଼ିଶାକୁ କେଉଁ ସ୍ଥାନରେ ପ୍ରତିଷ୍ଠା କରିଥିଲେ ସେ ସମ୍ପର୍କରେ ଇତିହାସ ନୀରବ । ଅଧିକନ୍ତୁ, ଖାରବେଳ ଶିଳାଲେଖରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ । ଏ ସମ୍ପର୍କରେ ସ୍ପଷ୍ଟ କରିଦିଆଯାଏ ଯେ, ଜୈନଧର୍ମାଲମ୍ଵୀଗଣ ସେମାନଙ୍କର କୌଣସି ତୀର୍ଥଙ୍କରଙ୍କର କାଷ୍ଠ ନିର୍ମିତ ମୂର୍ତ୍ତି ପୂଜା କରିବାର ପରମ୍ପରା ଅଦ୍ୟାବଧି ପରିଦୃଷ୍ଟ ହୋଇନାହିଁ । ଜୈନମତବାଦୀଙ୍କର ଅନ୍ୟ ଏକ ଯୁକ୍ତି ହେଲା “ନାଥ” ଶବ୍ଦ ଜୈନଧର୍ମର ଶବ୍ଦ ଏବଂ ତୀର୍ଥଙ୍କରଙ୍କୁ ‘ନାଥ’ ମଧ୍ୟ କୁହାଯାଏ । ଅତଏବ ଜୀନନାଥ ହିଁ ଜଗନ୍ନାଥ ସ୍ଵରୂପରେ ପୂଜିତ । ଜଗନ୍ନାଥ ଶବ୍ଦର ଉତ୍ପତ୍ତି ସମ୍ପର୍କରେ ପୂର୍ବରୁ ଏହି ପ୍ରବନ୍ଧରେ ସୂଚିତ, ଯହିଁରେ ନାଥ ଶବ୍ଦରୁ ଜଗନ୍ନାଥ ଶବ୍ଦ ନିଷ୍ପନ୍ନ ନୁହେଁ ବୋଲି ପ୍ରମାଣିତ । ଶ୍ରୀମନ୍ଦିର ପରିସରରେ ଅବସ୍ଥିତ କଳ୍ପବୃକ୍ଷକୁ ମଧ୍ୟ ଜୈନ ମତବାଦୀଗଣ ଜୈନଧର୍ମର ପ୍ରତୀକ ଭାବରେ ଗ୍ରହଣ କରିଥାନ୍ତି । ଖାରବେଳ ମଧ୍ୟ ମଗଧରୁ ଜୀନାସନ ସହିତ କଳ୍ପବୃକ୍ଷ ଆଣିଥିଲେ ବୋଲି ହାତୀଗୁମ୍ଫା ଶିଳାଲେଖରେ ଉଲ୍ଲେଖ ରହିଛି । (୮) ଅବଶ୍ୟ କେଉଁଠାରେ ରଖିଲେ ସେ ସମ୍ପର୍କରେ ସୂଚନା ନାହିଁ । ଏହା ସତ୍ୟ ଯେ, ଜୈନତୀର୍ଥଙ୍କର ବୃନ୍ଦ ବୃକ୍ଷମୂଳରେ ତପସ୍ୟାରତ ରହି ଜଗତକୁ ଆଲୋକ ପ୍ରଦାନ କରିଥାନ୍ତି ଏବଂ ଏହି କାରଣରୁ ଜୈନମୂର୍ତ୍ତି ସନ୍ନିକଟରେ ବୃକ୍ଷଚିହ୍ନ ରହିଥାଏ । ଖଣ୍ଡଗିରି ଓ ଉଦୟଗିରିରେ ମଧ୍ୟ କଳ୍ପବୃକ୍ଷର ଚିତ୍ର ରହିଅଛି । ଏପରିସ୍ଥଳେ ଶ୍ରୀମନ୍ଦିର କଳ୍ପବୃକ୍ଷକୁ ଜୈନଧର୍ମର ନିଦର୍ଶନ ସ୍ଵରୂପରେ ବିଚାର କରିବା ସମୀଚୀନ ନୁହେଁ । ଅନ୍ୟତମ ଯୁକ୍ତି ହେଉଛି, ଶ୍ରୀମନ୍ଦିରରେ ମହାପ୍ରସାଦକୁ କୈବଲ୍ୟ କୁହାଯାଇଥାଏ, ଯାହାକି ଜୈନଧର୍ମର ଏକ ଅନ୍ତରଙ୍ଗ ଦିବ୍ୟସିଦ୍ଧିସୂଚକ । ପଣ୍ଡିତ ନୀଳକଣ୍ଠ ଦାସଙ୍କ ମତରେ ଜୈନଧର୍ମର କେବଳୀ ଭାବରୁ କୈବଲ୍ୟ ଶବ୍ଦର ସୃଷ୍ଟି । (୯) ପ୍ରକୃତପକ୍ଷେ କୈବଲ୍ୟପ୍ରାପ୍ତି ହିଁ ନିର୍ବାଣ ପ୍ରାପ୍ତି, ଯାହା ଉଚ୍ଚାଙ୍ଗ ସାଧନାଦ୍ଵାରା ସମ୍ଭବ ହୋଇଥାଏ । ମହାପ୍ରସାଦରୂପୀ କୈବଲ୍ୟ ସହିତ ଏହାର ସାମଞ୍ଜସ୍ୟ ନାହିଁ । ଗବେଷକଙ୍କ ବିଚାରରୁ ହୃଦବୋଧ ହୁଏ, ପୁରୁଷୋତ୍ତମ ଜଗନ୍ନାଥ- ଉପାସନାରେ ଜୈନଧର୍ମର ପ୍ରଭାବ ବିଦ୍ୟମାନ କିନ୍ତୁ, ଜଗନ୍ନାଥଙ୍କୁ ମୂଳତଃ ଜୈନଦେବତା ବିଚାର କରିବା ସାର୍ବଜନୀନ ସିଦ୍ଧାନ୍ତ ନୁହେଁ । କେବଳ ଗବେଷକଙ୍କର ମତ ଶ୍ରୀଗୁଣ୍ଡିଚାତିଥି ଅର୍ଥାତ୍ ଆଷାଢ଼ ଶୁକ୍ଲ ଦ୍ଵିତୀୟା ହେଉଛି ଜୈନତୀର୍ଥଙ୍କର ଋଷଭନାଥଙ୍କର ଗର୍ଭକଲ୍ୟାଣ ତିଥି ତଥା ସେହି ତିଥିରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଜଗନ୍ନାଥ ମୂଳତଃ ଜୈନଦେବତା । ସୂଚନାଯୋଗ୍ୟ ଯେ, ମହାଦାରୁରୁ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ହେବା କାଳରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଅଛି । ଯେଉଁ ସମୟରେ ଜୈନଧର୍ମର ଉନ୍ମେଷ ଘଟିନଥିଲା । ଅଧିକନ୍ତୁ, ଶ୍ରୀଗୁଣ୍ଡିଚାତିଥି ଜୈନତୀର୍ଥଙ୍କର ଋଷଭନାଥଙ୍କ ଗର୍ଭକଲ୍ୟାଣତିଥି ବୋଲି କୌଣସି ଜୈନଶାସ୍ତ୍ର ବା ହିନ୍ଦୁଶାସ୍ତ୍ରରେ ଉଲ୍ଲେଖ ନାହିଁ । ଭାଗବତାଦି ଶାସ୍ତ୍ରରେ ଋଷଭନାଥ ପ୍ରସଙ୍ଗ ରହିଥିଲେ ହେଁ ଗର୍ଭକଲ୍ୟାଣ ତିଥି ସମ୍ପର୍କରେ କୌଣସି ସୂଚନା ନାହିଁ । ତେଣୁ ନିର୍ବିବାଦରେ ବ୍ୟକ୍ତ କରାଯାଇପାରେ ଯେ, ଜୈନଧର୍ମ ହିନ୍ଦୁଧର୍ମର ଅଂଶବିଶେଷ ହୋଇଥିବାରୁ ପୁରୁଷୋତ୍ତମ ଜଗନ୍ନାଥ ଉପାସନାରେ କିଛି ମାତ୍ରାରେ ଜୈନଧର୍ମର ପ୍ରଭାବ ପରିଲିକ୍ଷିତ । ଏହାର ଅର୍ଥ ନୁହେଁ ଯେ, ଜଗନ୍ନାଥ ମୂଳତଃ ଜୈନଦେବତା ।

 

ଐତିହାସିକ ମନମୋହନ ଗାଙ୍ଗୁଲି, ଗବେଷକ ପିଟରସନ୍, ଅଧ୍ୟାପକ ପ୍ରଭାତ ମୁଖାର୍ଜୀ, ମହାମହୋପାଧ୍ୟାୟ ପଣ୍ଡିତ ସଦାଶିବ ମିଶ୍ର, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଓ ଡକ୍ଟର ଗୋପୀନାଥ ମହାପାତ୍ର ପ୍ରଭୃତି ବିଦ୍ଵାନବୃନ୍ଦ ଜଗନ୍ନାଥଙ୍କୁ ବ୍ରାହ୍ମଣ୍ୟଧର୍ମର ଦେବତା ବୋଲି ବିଚାର କରିଥାନ୍ତି । ଐତିହାସିକ ଗାଙ୍ଗୁଲିଙ୍କ ମତରେ ଉପନିଷଦ୍ ବର୍ଣ୍ଣିତ ତ୍ରିବର୍ଣ୍ଣ (ଅ +ଉ +ମ)ରୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ମୂର୍ତ୍ତିର ପରିକଳ୍ପନା ଉଦ୍ଭବ ହୋଇଛି । (୧୦) ଗବେଷକ ପିଟସନ୍ ମଧ୍ୟ ଏହି ମତର ସମର୍ଥକ । ପଣ୍ଡିତ ସଦାଶିବ ମିଶ୍ର ସ୍ଵରଚିତ “ଜଗନ୍ନାଥ ମନ୍ଦିର” ଏବଂ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ସ୍ଵରଚିତ “ଶ୍ରୀ ଜଗନ୍ନାଥ ମନ୍ଦିର ଓ ତତ୍ତ୍ଵ” ପୁସ୍ତକରେ ବିସ୍ତୃତ ଆଲୋଚନା ପୂର୍ବକ ପ୍ରମାଣ କରିଛନ୍ତି ଯେ ଜଗନ୍ନାଥ ମୂଳତଃ ବ୍ରାହ୍ମଣ୍ୟଧର୍ମର ଦେବତା । ଗୌରବର କଥା, ଅଧ୍ୟାପକ ପ୍ରଭାତ ମୁଖାର୍ଜୀ ଶାସ୍ତ୍ର, ପୁରାଣ ଓ ଶିଳାଲେଖ ପ୍ରଭୃତି ଉପାଦେୟ ତଥ୍ୟକୁ ଆଧାର କରି ପ୍ରମାଣ କରିଛନ୍ତି ଯେ କୃଷ୍ଣବାସୁଦେବ ଉପାସନାହିଁ ପୁରୁଷୋତ୍ତମ ଜଗନ୍ନାଥ ଉପାସନାର ମୂଳସ୍ଵରୂପ ତଦନୁରୂପ ଡକ୍ଟର ଗୋପୀନାଥ ମହାପାତ୍ର ସ୍ଵରଚିତ “ଶ୍ରୀଜଗନ୍ନାଥତତ୍ତ୍ଵ” ପୁସ୍ତକରେ ନାନାଦି ଯୁକ୍ତିଯୁକ୍ତ ପ୍ରମାଣ ଉପାସ୍ଥାପନାପୂର୍ବକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଜଗନ୍ନାଥ ମୂଳତଃ ବ୍ରାହ୍ମଣ ଦେବତା । ଉଲ୍ଲେଖନୀୟ ଯେ, ମହାଭାରତ ଯୁଗ ପରେ କୃଷ୍ଣବାସୁଦେବ ଉପାସନା ସାତ୍ଵତଧର୍ମ ଭାବରେ ବିକାଶ ଲାଭ କରିଥିଲା । କିନ୍ତୁ ଏହାର ବହୁପୂର୍ବରୁ ପୁରୁଷୋତ୍ତମ ଜଗନ୍ନାଥ ଉପାସନା ପ୍ରଚଳିତ ଥିବାର ବହୁ ପ୍ରମାଣ ଉପଲବ୍ଧ (୧୧) । ଏହି ଦୃଷ୍ଟିକୋଣରୁ ଜଗନ୍ନାଥ ଉପାସନା ଯେ କୃଷ୍ଣ ବାସୁଦେବ ଉପାସନାର ବିକଶିତ ସ୍ଵରୂପ ଭାବିବା ଠିକ୍ ନୁହେଁ । ପୂର୍ବୋକ୍ତ ଗବେଷକଙ୍କ ବ୍ୟତିତ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସତ୍ୟନାରାୟଣ ରାଜଗୁରୁ, ଡକ୍ଟର ପ୍ରହ୍ଲାଦ ପ୍ରଧାନ, ପ୍ରଫେସର ଗୌରୀ କୁମାର ବ୍ରହ୍ମା, ଡକ୍ଟର ନବୀନ କୁମାର ସାହୁ, ଡକ୍ଟର କରୁଣା ସାଗର ବେହେରା, ଡକ୍ଟର ମନ୍ମଥନାଥ ଦାସ, ଡକ୍ଟର ଗଣେଶ୍ଵର ମିଶ୍ର, ଡକ୍ଟର ଲକ୍ଷ୍ମଣ କୁମାର ମହାପାତ୍ର, ଡକ୍ଟର ଗୟାଚରଣ ତ୍ରିପାଠୀ, ଷ୍ଟିଟେନକ୍ରୋନ୍, ଡକ୍ଟର ହରମାନ କୁଲକେ, ଆଙ୍କରଲଟ୍ ଏସମାନ୍, ପ୍ରଫେସର ଜି. ରାଢ଼ାବନ୍, ପଣ୍ଡିତ କୃଷ୍ଣଚନ୍ଦ୍ର ରାଜଗୁରୁ, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରଭୃତି ବିଜ୍ଞପ୍ରାଜ୍ଞବୃନ୍ଦ ପୁରୁଷୋତ୍ତମ ଜଗନ୍ନାଥଙ୍କ ସମ୍ପର୍କରେ ଯଥେଷ୍ଟ ଆଲୋକପାତ କରିଛନ୍ତି । କିନ୍ତୁ ଏ ଅବଧି ପୁରୁଷୋତ୍ତମ ଜଗନ୍ନାଥଙ୍କ ମୌଳିକତା ଦୁର୍ବୋଧ୍ୟ । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଭିନ୍ନଭିନ୍ନ ଗବେଷକଙ୍କ ଦ୍ଵାରା ତଥ୍ୟ ଓ ତତ୍ତ୍ଵ ଉଦ୍‍ଘାଟନ ପ୍ରକ୍ରିୟା ଆରମ୍ଭ ହୋଇ ଇତି ମଧ୍ୟରେ ଦେଢ଼ଶହ ବର୍ଷରୁ ଉର୍ଦ୍ଧ୍ଵକାଳ ବିତିଗଲାଣି । ଗବେଷକଙ୍କ ପ୍ରଦତ୍ତ ତଥ୍ୟ ଦ୍ଵାରା ଜୈନମତ ଓ ବୌଦ୍ଧମତ ପ୍ରଥମେ ଲୋକପ୍ରିୟତା ଲାଭ କରିଥିଲା । ସ୍ଵାଧୀନତା ପରେ ବୌଦ୍ଧମତ ସବଳ ଓ ଜୈନମତ ଦୁର୍ବଳ ହୋଇ ଶାବର ମତର ପ୍ରାଧାନ୍ୟ ବୃଦ୍ଧି ପାଇଲା । ପରବର୍ତ୍ତୀ କାଳରେ ବ୍ରାହ୍ମଣ୍ୟମତ ସପକ୍ଷରେ ଅଧିକ ତଥ୍ୟ ଓ ତତ୍ତ୍ଵ ଉପଲବ୍ଧ ହୋଇଥିଲେ ହେଁ ଶୀବରମତ ସର୍ବାଧିକ ସାର୍ବଜନୀନ ସ୍ଵୀକୃତି ଲାଭ କରିଅଛି । ମହନୀୟତା ହେଉଛି, ବିଜ୍ଞ ପ୍ରାଜ୍ଞ ଓ ଗବେଷକବୃନ୍ଦ ନୂତନ ନୂତନ ତଥ୍ୟ ଓ ତତ୍ତ୍ଵ ଉଦ୍‍ଘାଟନ ପୂର୍ବକ ଗବେଷଣାକୁ ପୁଷ୍ଟ କରିଅଛନ୍ତି । ତଥାପି ପୁରୁଷୋତ୍ତମ ଜଗନ୍ନାଥଙ୍କ ସୃଷ୍ଟି ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ । ଅଧିକନ୍ତୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ସମ୍ପୂର୍ଣ୍ଣ ଅନୁପଲବ୍ଧ । ଗୁରୁତ୍ଵପୂର୍ଣ୍ଣ ହେଉଛି, ଅଜସ୍ର ଧନ ଓ ମୂଲ୍ୟବାନ ସମୟ ବ୍ୟୟରେ ଦେଶୀବିଦେଶୀ ଗବେଷକ ବୃନ୍ଦ ଓ ବିଭିନ୍ନ ଗବେଷଣା ସଂସ୍ଥା ଅଧିକରୁ ଅଧିକ ଗବେଷଣା ପ୍ରକ୍ରିୟା ଜାରି ରଖିଥିଲେ ହେଁ ପୁରୁଷୋତ୍ତମ ଜଗନ୍ନାଥ ଅଧିକରୁ ଅଧିକ ରହସ୍ୟମୟ ହୋଇଯାଉଛନ୍ତି ।

 

ଗବେଷକମାନଙ୍କୁ ବାଦ ଦେଲେ ସାଧୁ, ସନ୍ଥ. ମହାତ୍ମା ଓ କବି କୋବିଦବୃନ୍ଦ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଭିନ୍ନଭିନ୍ନ ବାବରେ ଚିତ୍ରିତ କରିଛନ୍ତି ଏବଂ ଗବେଷକମାନେ ଏଥିରେ ମଧ୍ୟ କିଛିଟା ନିର୍ଭର କରି ତଥ୍ୟ ଓ ତତ୍ତ୍ଵାଶ୍ରୟୀ ହୋଇଛନ୍ତି । ଯୁଗ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜଗନ୍ନାଥ କବି କୋବିଦଙ୍କ ଲେଖନୀରେ ଭିନ୍ନ ଭିନ୍ନ ସ୍ଵରୂପରେ ଚିତ୍ରଣ ହୋଇଛନ୍ତି ତଥା ଜନସମାଜ ସେଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି । କବି କୋବିଦଙ୍କଦ୍ଵାରା ସୃଷ୍ଟ ସାହିତ୍ୟ ହିଁ ସମାଜର ପ୍ରତିଫଳନ ଓ ଉଚ୍ଚାରଣ । ଏହି ଦୃଷ୍ଟିକୋଣରୁ ସାହିତ୍ୟ ପ୍ରତି ଦୃଷ୍ଟିନିକ୍ଷେପ କଲେ ଆମ ଆଗରେ ବେଦ ବିଶ୍ଵର ପ୍ରାଚୀନତମ ସାହିତ୍ୟ ସ୍ଵରୂପରେ ପ୍ରତିଭାତ ହୋଇଥାଏ । ଅନେକ ଗବେଷକଙ୍କର ମତ, ବେଦରେ ଜଗନ୍ନାଥଙ୍କ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । କିନ୍ତୁ ଜଗନ୍ନାଥଙ୍କ ସମ୍ପର୍କରେ ଉଲ୍ଲେଖ ନଥିଲେହେଁ ଦାରୁ ସମ୍ପର୍କରେ ଋକ୍-ବେଦରେ ଉଲ୍ଲେଖ ରହିଛି । ସକଳ ଗବେଷକ ଗୋଟିଏ ତଥ୍ୟରେ ଏକମତ ହୋଇଛନ୍ତି ଯେ ଜଗନ୍ନାଥଙ୍କ ମୂଳସ୍ଵରୂପ ଦାରୁ, ଯାହାକି ତାଙ୍କର ସ୍ଵତନ୍ତ୍ରତା । ପ୍ରାଚୀନତମ ଋଗବେଦରେ ଦାରୁ ଉପାସନାର ପର୍ଯ୍ୟାପ୍ତ ପ୍ରମାଣ ବିଦ୍ୟମାନ ।

 

ଅଦୋ ଯଦ୍ଦାରୁ ପ୍ଲବତେ ସିନ୍ଧେୀଃ ପାରେ ଅପୂରୁଷମ୍,

ତଦାରଭସ୍ଵ ଦୁର୍ହଣୋ ତେନ ଗଚ୍ଛ ପରସ୍ତରମ୍ । (୧୨)

 

ମହତ୍ତ୍ଵପୂର୍ଣ୍ଣ ହେଉଛି, ଏହି ମନ୍ତ୍ରଟିରେ ସିନ୍ଧୁତୀରରେ ଭାସମାନ ଅବସ୍ଥାରେ ଥିବା ଦାରୁ ସମ୍ପର୍କରେ କୁହାଯାଇଛି । ଲବ୍ଧପ୍ରତିଷ୍ଠ ଗବେଷକବୃନ୍ଦ ମନ୍ତ୍ରଟିରେ ଗୁରୁତ୍ଵାରୋପ କରିଥିଲେ ହେଁ ବେଦର ଭିନ୍ନ ଭିନ୍ନ ଭାଷ୍ୟକାରଙ୍କ ବାଖ୍ୟା ସେମାନଙ୍କୁ ସନ୍ଦେହରେ ପକାଇଛି । ବେଦର ପ୍ରାଚୀନ ଭାଷ୍ୟକାରବୃନ୍ଦ ଏହି ମନ୍ତ୍ରଟିକୁ ଅଲକ୍ଷ୍ମୀ ସୂଚକ ମନ୍ତ୍ର ସ୍ଵରୂପରେ ବିବେଚନା କରିଥିଲେ ହେଁ ସାୟଣାଚାର୍ଯ୍ୟ ମନ୍ତ୍ରଟିକୁ ଦାରୁ ସମ୍ପର୍କିତ ବୋଲି ବିବେଚନା କରିଛନ୍ତି । କେବଳ ଋଗବେଦର ପୂର୍ବୋକ୍ତ ମନ୍ତ୍ରଟିରେ ଦାରୁ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ନାହିଁ, ଅଥର୍ବବେଦରେ ମଧ୍ୟ ଅନୁରୂପ ମନ୍ତ୍ରଟିଏ ଦୃଷ୍ଟିଗୋଚର ହୋଇଥାଏ ।

 

ଆଦୌ ଯଦ୍ଦାରୁ ପ୍ଲବତେ ସିନ୍ଧୋର୍ମଧ୍ୟେ ଅପୁରୁଷମ୍,

ତଦାଲଭସ୍ଵ ଦୁର୍ଦ୍ଦନୋ ତେନ ଯାହି ପରଂସ୍ଥଳମ୍ । (୧୩)

 

ଋଗ୍‍ବେଦ ଓ ଅଥର୍ବବେଦର ମନ୍ତ୍ର ପ୍ରାୟ ସମାନ, କେବଳ ଧ୍ଵନିଗତ ଦୃଷ୍ଟିକୋଣରୁ କିଛିଟା ପ୍ରଭେଦ ରହିଛି । ଉଭୟ ମନ୍ତ୍ରପାଠରୁ ହୃଦବୋଧ ହୁଏ, ଋଗବେଦ ରଚନା ସମୟରୁ ଅଥର୍ବବେଦ ରଚନା ସମୟ ପର୍ଯ୍ୟନ୍ତ ଦୀର୍ଘକାଳ ସିନ୍ଧୁତୀରରେ ଦାରୁଉପାସନାଧାରା ଅବ୍ୟାହତ ରହିଥିଲା । ବେଦର ପ୍ରାଚୀନ ଭାଷ୍ୟକାରମାନେ ପୂର୍ବମହୋଦଧି ତଟସ୍ଥ ଏହି ଦାରୁ ସମ୍ପର୍କରେ ଅବଗତ ନଥିବାରୁ ମନ୍ତ୍ରଟିକୁ ଅଲକ୍ଷ୍ମୀ ସୂଚକ ବିବେଚନା କରିଛନ୍ତି । କିନ୍ତୁ ସାୟନାଚାର୍ଯ୍ୟ ଏ ସମ୍ପର୍କରେ ଜ୍ଞାତ ଥିବାରୁ ମନ୍ତ୍ରଟିକୁ ଯଥାର୍ଥ ବ୍ୟାଖ୍ୟା କରିଛନ୍ତି । ପ୍ରାଚୀନ ଭାଷ୍ୟକାରଙ୍କ ମତରେ ସାକାର ଉପାସନା ବେଦସମ୍ମତ ନୁହେଁ ତଥା ଆର୍ଯ୍ୟୋଚିତ କର୍ତ୍ତବ୍ୟ ନୁହେଁ । ବେଦରେ ସବିତା, ଅଗ୍ନି, ଉଷା ଓ ବାୟୁ ପ୍ରଭୃତିଙ୍କୁ ଦେବତା ଭାବରେ ଅଭିହିତ କରାଯାଇଛି, ଅଥଚ ଦାରୁଙ୍କୁ ନୁହେଁ । ତେଣୁ ସେମାନେ ଅଣଆର୍ଯ୍ୟଙ୍କ ଦ୍ଵାରା ଉପାସିତ ଦାରୁଙ୍କୁ ଅଲକ୍ଷ୍ମୀ ସୂଚକ ବିବେଚନା କରିଛନ୍ତି । ଏହା ସତ୍ୟ ଯେ, ଆର୍ଯ୍ୟମାନେ ପ୍ରାଚୀନ କାଳରେ ସଗୁଣ ସାକାର ଦେବତାଙ୍କୁ ପୂଜା କରୁନଥିଲେ । ତେଣୁ ସ୍ପଷ୍ଟ ପ୍ରମାଣିତ ହେଉଛି, ସିନ୍ଧୁତଟରେ ଦାରୁ ଉପାସନା କୌଣସି ଆର୍ଯ୍ୟୋତ୍ତର ସମ୍ପ୍ରଦାୟଦ୍ଵାରା ହେଉଥିଲା ତଥା ଆର୍ଯ୍ୟ ପ୍ରଚେତାବୃନ୍ଦ ଏତାଦୃଶ ଉପାସନାକୁ ଭିନ୍ନ ଦୃଷ୍ଟିରେ ବିଚାର କରିଥିଲେ । ପୂର୍ବ ଭାଷ୍ୟକାରଙ୍କ ପଦାଙ୍କ ଅନୁସରଣ ନକରି ସାୟନାଚାର୍ଯ୍ୟ ଚତୁର୍ଦ୍ଦଶ ଶତାବ୍ଦୀରେ ସ୍ଵଭାଷ୍ୟରେ ମନ୍ତ୍ରଟି ଦାରୁଦେବତା ପୁରୁଷୋତ୍ତମ ଜଗନ୍ନାଥଙ୍କ ପ୍ରତି ଉଦ୍ଦିଷ୍ଟ ବୋଲି ମତବ୍ୟକ୍ତ କରିଛନ୍ତି । (୧୪) ଅନେକ ମତପ୍ରଦାନ କରିଥାନ୍ତି ଯେ, ସାୟନାଚାର୍ଯ୍ୟ ଭାଷ୍ୟରେ “ପୁରୁଷୋତ୍ତମାଖ୍ୟ” ଉଲ୍ଲେଖ କରିଥିବାରୁ ଅନ୍ଵିତ ହୁଏ ଚତୁର୍ଦ୍ଦଶ ଶତାବ୍ଦୀରେ ପ୍ରବାହିତ ପୁରୁଷୋତ୍ତମ ଚେତନାରେ ସେ ଉଦ୍‍ବୁଦ୍ଧ ହୋଇ ହୋଇ ଏ ପ୍ରକାର ବ୍ୟାଖ୍ୟା କରିଛନ୍ତି । କେତେକଙ୍କର ମତ ସାୟନାଚାର୍ଯ୍ୟ ମନ୍ତ୍ରଟିକୁ ବାଖ୍ୟା କରିବାର ସିଦ୍ଧାନ୍ତରେ ଦୃଢ଼ ନିଶ୍ଚିତ ନଥିଲେ । କୌଣସି ଭାଷ୍ୟକାରଙ୍କ ବ୍ୟାଖ୍ୟା ଅନୁସରଣ ନକରି ସରଳ ଭାବରେ ମନ୍ତ୍ରଟିର ଅର୍ଥ କଲେ ଜଣାଯାଏ-ଆଦୌ ଅର୍ଥାତ୍ ସମ୍ପ୍ରତି, ଯଦ୍‍ଦାରୁ ବା ଯେଉଁଦାରୁ, ପ୍ଲବତେ ଅର୍ଥାତ୍ ଭାସମାନ, ସିନ୍ଧୋପାରେ ଅର୍ଥାତ୍ ସମୁଦ୍ରରେ ବା ସମୁଦ୍ରକୂଳରେ, ଅପୁରୁଷମ୍ ଅର୍ଥାତ୍ ପୁରୁଷଦ୍ଵାରା ନିର୍ମିତ ନୁହେଁ ବା ଯାହାର କୌଣସି ମାଲିକ ନାହାନ୍ତି, ତଦାରଭସ୍ଵ ଅର୍ଥାତ୍ ତହିଁରେ ଆରୋହଣ ପୂର୍ବକ ଦୂରଦେଶକୁ ପଳାୟନ କର । କେହି କେହି ଗବେଷକ ବିଚାର କରିଥାନ୍ତି ଯେ, ଦୁର୍ଭିକ୍ଷର ନିରାକରଣ ଚାହୁଁଥିବା ମନୁଷ୍ୟଗଣ ଦାରୁ ଉପରେ ଆରୋହଣପୂର୍ବକ ଦୂରଦେଶକୁ ପଳାୟନ ନିମିତ୍ତ ମନ୍ତ୍ରଟିରେ ଆହ୍ଵାନ ଦିଆଯାଇଛି । ସେ ଯାହାହେଉ, ମନ୍ତ୍ରଟି ଦାରୁଙ୍କ ନିମିତ୍ତ ପ୍ରଯୁଜ୍ୟ ଏଥିରେ ସନ୍ଦେହର ଅବକାଶ ନାହିଁ । ଅଧିକନ୍ତୁ, ଏହି ଦାରୁଙ୍କୁ ଅପୌରୁଷ ଅର୍ଥାତ୍ କୌଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ନିର୍ମିତ ନୁହେଁ ବା ଦିବ୍ୟଦାରୁ ବୋଲି ପରୋକ୍ଷରେ କୁହାଯାଇଛି । କିନ୍ତୁ ଏହି ଦାରୁ ଅଣଆର୍ଯ୍ୟଙ୍କ ଦ୍ଵାରା ଉପାସିତ ହେଉଥିବାରୁ ମୌଳିକ ଆର୍ଯ୍ୟଗୋଷ୍ଠୀ ଅସହିଷ୍ଣୁ ହୋଇ ଅଲକ୍ଷ୍ମୀସୂଚକ ବିବେଚନା କରିଛନ୍ତି । ଋଗବେଦ ମନ୍ତ୍ରରେ “ତେନ୍ ଗଚ୍ଛ ପରସ୍ତରମ୍” ଏବଂ ଅଥର୍ବବେଦ ମନ୍ତ୍ରରେ “ତେନ ଯାହି ପରଂସ୍ଥଳମ୍” ଉଲ୍ଲିଖିତ ଥିବାରୁ ହୃଦବୋଧ ହୁଏ, ସେହି ଦିବ୍ୟଦାରୁ ଉପାସନାରେ ପରମଲୋକ ପ୍ରାପ୍ତି ହୋଇଥାଏ । ଅଥର୍ବବେଦର ପରବର୍ତ୍ତୀକାଳୀନ ମହର୍ଷି ସାଂଖ୍ୟାୟନ ସ୍ଵରଚିତ ଭାଷାରେ ଉଲ୍ଲେଖ କରିଛନ୍ତି, “ବର୍ତ୍ତମାନ ସମୁଦ୍ରରେ ପୁରୁଷୋତ୍ତମ ନାମକ ଦେବତାଙ୍କ ଶରୀର ଭାସୁଅଛି । ନିର୍ମାଣରହିତ ଯୋଗୁଁ ସେ ଅପୌରୁଷ । ଏହି ଦାରୁମୟ ଦେବତାଙ୍କୁ ଉପାସନା କରିବା ଲୋକ ବୈଷ୍ଣବଲୋକକୁ ଗମନ କରନ୍ତି ।’’ ଏଥିରୁ ପ୍ରମାଣିତ ହେଉଛି ବୈଦିକ କାଳର ଶେଷ ସମୟରେ ଅଣ-ଆର୍ଯ୍ୟଙ୍କ ଦ୍ଵାରା ପୂଜିତ ଦାରୁ ଆର୍ଯ୍ୟମାନଙ୍କ ଦ୍ଵାରା ସ୍ଵୀକୃତି ଲାଭକରିଥିଲା ତଥା ଅପୌରୁଷ ଦାରୁ ପୁରୁଷୋତ୍ତମ ମାନ୍ୟତା ଲାଭପୂର୍ବକ ପରମଲୋକ ପ୍ରାପ୍ତିର ଅବଲମ୍ଵନ ଭାବରେ ଗୃହୀତ ହୋଇଥିଲା ।

 

ବୈଦିକକାଳୀନ ଭାରତବର୍ଷରେ ତିନିଗୋଟି ସଂସ୍କୃତି ଓ ସଭ୍ୟତା ମୁଣ୍ଡଟେକି ଥିଲା । ଭାରତରେ ଉତ୍ତର-ପଶ୍ଚିମ ଭୂଖଣ୍ଡରେ ଆର୍ଯ୍ୟ ସଭ୍ୟତା ଦକ୍ଷିଣ ଓ ଦକ୍ଷିଣପୂର୍ବ ଭୂଖଣ୍ଡରେ ଦ୍ରାବିଡ଼ ସଭ୍ୟତା ତଥା ବିନ୍ଧ୍ୟାଞ୍ଚଳ ସମେତ ମଧ୍ୟ ଭୂଖଣ୍ଡରେ ଶବର ସତ୍ୟତାର ପ୍ରାବଲ୍ୟ ବୈଦିକ ଯୁଗରେ ଥିଲା ବୋଲି ବିଦ୍ଵାନମାନେ ବିଶ୍ଵାସ କରନ୍ତି । ବୈଦିକ ସାହିତ୍ୟରେ ଦ୍ରାବିଡ଼ମାନଙ୍କୁ ଅସୁର ବା ଦୈତ୍ୟ ଏବଂ ଶବରମାନଙ୍କୁ ନିଷାଦ, ବ୍ୟାଧ ପ୍ରଭୃତି ନାମରେ ପରିଚିହ୍ନିତ କରାଯାଇଛି । ଆର୍ଯ୍ୟମାନଙ୍କ ସଦୃଶ ଦ୍ରାବିଡ଼ମାନେ ପୁର, ନଗର ଓ ଦୁର୍ଗ ନିର୍ମାଣପୂର୍ବକ ବସତି ସ୍ଥାପନ କରୁଥିଲେ ଏବଂ ଶବରମାନେ ପଲ୍ଲୀରେ ନିବାସ କରୁଥିଲେ । ଆର୍ଯ୍ୟମାନଙ୍କ ଧର୍ମଧାରଣାଠାରୁ ଦ୍ରାବିଡ଼ମାନଙ୍କ ଧର୍ମଧାରଣା ଭିନ୍ନ ଥିଲା । ଆର୍ଯ୍ୟମାନେ କୌଣସି ସଗୁଣ ସାକାର ଦେବାଦେବୀଙ୍କୁ ପୂଜା କରୁନଥିଲେହେଁ ଦ୍ରାବିଡ଼ମାନେ ନାଗ, ସର୍ପ, ମଗର ଓ ହାତୀ ପ୍ରଭୃତିଙ୍କର ପ୍ରତୀକାତ୍ମକ ଉପାସନା କରୁଥିଲେ । (୧୫) ସେମାନେ ଏତାଦୃଶ ପୂଜା ଶବରମାନଙ୍କଠାରୁ ଶିକ୍ଷା କରିଥିଲେ ବୋଲି ଗବେଷକମାନେ ବିଶ୍ଵାସ କରନ୍ତି । ଦ୍ରାବିଡ଼ମାନେ ବୃକ୍ଷ ଉପାସକ ଥିବାର ପ୍ରମାଣ ମଧ୍ୟ ଉପଲବ୍ଧ ହୋଇଛି । (୧୬) ମହେଞ୍ଜୋଦାର ଓ ହରପ୍ପାର ଭୂଖନନ ଫଳରେ ଏତାଦୃଶ ପ୍ରତୀକାତ୍ମକ ଉପାସନାର ସନ୍ଦେଶ ମିଳିଥିବାର ହୃଦବୋଧ ହୁଏ, ଦ୍ରାବିଡ଼ମାନଙ୍କଦ୍ଵାରା ପ୍ରଥମେ ଏହି ଅଞ୍ଚଳରେ ସଭ୍ୟତାର ବିକାଶ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ କାଳରେ ସେମାନେ ଦକ୍ଷିଣପୂର୍ବ ଦିଗକୁ ଆର୍ଯ୍ୟମାନଙ୍କଦ୍ଵାରା ବିତାଡ଼ିତ ହେଲେ । ବିଶେଷତଃ ଋଗ୍‍ବେଦ ରଚନା କାଳରେ ଦ୍ରାବିଡ଼ମାନେ ଦ୍ରମିଳ, ଦୈତ୍ୟ, ଦାସ ଓ ଦସ୍ୟୁ ନାମରେ ଆର୍ଯ୍ୟ ସମାଜରେ ପରିଚିତ ଥିଲେ । (୧୭) ସେମାନେ ଦକ୍ଷିଣ ଓ ପୂର୍ବ ଭାରତରେ ଆସି ସ୍ଥାୟୀ ବସବାସ ଆରମ୍ଭ କରିଥିଲେ ତଥା ଏହି ଅଞ୍ଚଳରେ ପୂର୍ବରୁ ବାସ କରିଥିବା ସବରମାନଙ୍କର ବୃକ୍ଷ ଉପାସନାକୁ ଆପଣାର କରି ନେଇଥିଲେ । (୧୮)ଏତଦ୍‍ଭିନ୍ନ ସେମାନେ ମୂର୍ତ୍ତି ଓ ଲିଙ୍ଗ ପୂଜା ମଧ୍ୟ କରୁଥିଲେ, ଯାହାକି ଆର୍ଯ୍ୟଗୋଷ୍ଠୀଦ୍ଵାରା ନିନ୍ଦନୀୟ କାର୍ଯ୍ୟରୂପେ ବିବେଚନା କରାଯାଉଥିଲା । ପ୍ରମାଣିତ ହୁଏ, ସେହି ଦ୍ରାବିଡ଼ଗୋଷ୍ଠୀର ଏକ ଶାଖା ପୂର୍ବ ମହୋଦଧି ତୀରରେ ଏକ ବିଶାଳକାୟ ଚତୁଃଶାଖାଯୁକ୍ତ ମହାଦାରୁ ଭାସିଆସି କୂଳରେ ଲାଗିଥିବାର ଦେଖିଲେ ଏବଂ ସେହି ମହାଦାରୁରେ ଶଙ୍ଖଚକ୍ର ଚିହ୍ନ ଥିବାର ଦେଖି ଏହାକୁ ଦିବ୍ୟଦାରୁ ମନେକଲେ ତଥା ସ୍ତାୟୀ ବସତି ସ୍ଥାପନପୂର୍ବକ ସେହି ଅପୌରୁଷ ଦିବ୍ୟଦାରୁର ଉପାସନା କରିଥିଲେ । ମହାଦାରୁ ଲାଗିଥିବା ଅଞ୍ଚଳର ସମୁଦ୍ରତଟସ୍ଥ କୂପ ଓ ଜଳାଶୟର ଜଳ ମଧୁର ଥିବାରୁ ସେମାନେ ଏହି ସ୍ଥାନକୁ ମଧ୍ୟ ଦିବ୍ୟସ୍ଥଳୀ ରୂପରେ ବିବେଚନା କଲେ । ପୂର୍ବ ମହୋଦଧି ତଟସ୍ଥ ଏହି ଅଞ୍ଚଳରେ ପୂର୍ବରୁ ଶବରମାନେ ନିବାସ କରୁଥିଲେ ଏବଂ ପରେ ଦ୍ରାବିଡ଼ମାନେ ଆସି ନିବାସ କଲେ-। ଦ୍ରାବିଡ଼ ଓ ଶବର ଅଧ୍ୟୁଷିତ ଏହି ଅଞ୍ଚଳକୁ ଆର୍ଯ୍ୟମାନଙ୍କର ସେପର୍ଯ୍ୟନ୍ତ ଅନୁପ୍ରବେଶ ଘଟିନଥିଲେ ହେଁ ଉତ୍ତର-ପଶ୍ଚିମ ଭାରତରେ ନିବାସ କରୁଥିବା ଆର୍ଯ୍ୟଗୋଷ୍ଠୀ ଦ୍ରାବିଡ଼ମାନଙ୍କର ଏହି ଦାରୁ ଉପାସନା ସମ୍ପର୍କରେ ଅବଗତ ଥିଲେ ତଥା ତତ୍‍ସମ୍ପର୍କିତ ମନ୍ତ୍ର ରଚନା କରିଥିଲେ । ଏପରିକି ଦୁର୍ଗ, ନଗର ଓ ପୁର ନିର୍ମାଣରେ ଧୁରନ୍ଧର ଦ୍ରାବିଡ଼ଗୋଷ୍ଠୀ ମହୋଦଧିତଟରେ ଏକ ବିଶାଳସ୍ତୁପ ନିର୍ମାଣପୂର୍ବକ ଦାରୁ ଉପାସନା କରୁଥିବାର ପ୍ରମାଣ ସଂସ୍କୃତ ମହାଭାରତର ବନପର୍ବରୁ ପରିଦୃଷ୍ଟ ହୋଇଥାଏ । ଶବରମାନେ ସ୍ତୁପ ନିର୍ମାଣ କୌଶଳ ଜାଣିନଥିବାରୁ ହୃଦବୋଧ ହୁଏ, ଦ୍ରାବିଡ଼ଗୋଷ୍ଠୀ ହିଁ ସମୁଦ୍ରତୀରରେ ସ୍ତୂପ ନିର୍ମାଣ ପୂର୍ବକ ସ୍ତୂପ ଉପରେ ଦାରୁ ଉପାସନା କରୁଥିଲେ । ସେମାନେ ନିର୍ମାଣ କରିଥିବା ସ୍ତୂପକୁ ପରବର୍ତ୍ତୀ କାଳରେ ମହାଭାରତରେ “ମହାଦେବୀ” ବୋଲି କୁହାଯାଇଛି । ଯେଉଁ ଉତ୍ତୁଙ୍ଗ ପୀଠ ଉପରେ ବର୍ତ୍ତମାନର ଶ୍ରୀମନ୍ଦିର ଅବସ୍ଥିତ, ସେହି ପୀଠ ପ୍ରାଚୀନ ଦ୍ରାବିଡ଼ଗୋଷ୍ଠୀଙ୍କଦ୍ଵାରା ନିର୍ମାଣ କରାଯାଇଥିଲା । ପରବର୍ତ୍ତୀକାଳୀନ ଶାସ୍ତ୍ରସମୁହରେ ସେହି ପୀଠକୁ ବେଦୀ ନାମରେ ଅଭିହିତ କରାଯାଇଛି । ସୂଚନା ଯୋଗ୍ୟ ଯେ ସେହି ସମୟରେ ମିଶର ଦେଶରେ ମଧ୍ୟ ଏକ ଉନ୍ନତ ସଭ୍ୟଗୋଷ୍ଠୀଦ୍ଵାରା ପିରାମିଡ଼ ନିର୍ମାମଣ କରାଯାଇଥିଲା । ଦ୍ରାବିଡ଼ମାନେ ମିଶରବାସୀଙ୍କଠାରୁ ପିରାମିଡ଼ ନିର୍ମାଣକୌଶଳ ଶିକ୍ଷା କରୁଥିଲେ ବୋଲି କେତେକ ଗବେଷକଙ୍କ ମତ । କିନ୍ତୁ ମିଶରବାସୀଙ୍କ ସହିତ ଦ୍ରାବିଡ଼ମାନଙ୍କର ନୌବାଣିଜ୍ୟ ମାଧ୍ୟମରେ ସମ୍ପର୍କଥିଲା ବୋଲି କୌଣସି ପ୍ରମାଣ ଅଦ୍ୟାବଧି ହସ୍ତଗତ ହୋଇନାହିଁ । ଦ୍ରାବିଡ଼ମାନଙ୍କ ଦ୍ଵାର ସମୁଦ୍ରଟରୁ ସ୍ଵଳ୍ପ ଦୂରରେ ନିର୍ମିତ ବିଶାଳ ପ୍ରସ୍ତର ବେଦୀ ଉନ୍ନତ କାରିଗରୀ କୌଶଳରେ ନିର୍ମିତ ହୋଇଥିଲା ବୋଲି ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି । ଏହା ଉପରେ ନିର୍ମିତ ମନ୍ଦିରର କ୍ଷୟକ୍ଷତି ଘଟିଥିଲେହେଁ ଅଦ୍ୟାବଧି ବିଶାଳ ପ୍ରସ୍ତର ବେଦୀକୁ ମହାଭାରତ କାଳରେ ‘ମହାବେଦୀ’ ଏବଂ ଇତିହାସ କାଳରେ ‘ପୁରୁଷମଣ୍ଡପ’ ନାମରେ ପରିଚିହ୍ନିତ କରାଯାଇଛି । ବେଦରଚନା ସମୟରେ ଆର୍ଯ୍ୟମାନେ ପୂର୍ବମହୋଦଧି ତଟରେ ନିର୍ମାଣ କରିଥିବା ବେଦୀ ଓ ତହିଁ ଉପରେ ଦ୍ରାବିଡ଼ମାନେ ଉପାସନା କରୁଥିବା ଦାରୁ ସମ୍ପର୍କରେ ଜ୍ଞାତ ଥିଲେ, ଯାହା ଋଗ୍‍ବେଦ ଓ ଅଥର୍ବବେଦର ମନ୍ତ୍ରରୁ ପ୍ରମାଣିତ । ସେତେବେଳେ ଆର୍ଯ୍ୟମାନେ ଦ୍ରାବିଡ଼ ଓ ଶବର ଅଧ୍ୟୁଷିତ ଏହି ଭୂଖଣ୍ଡକୁ ମ୍ଲେଚ୍ଛ ବା ପତିତମାନଙ୍କ ବାସଭୂମି ବୋଲି ବିଚାରି ଥିଲେ । ମାନବ ଧର୍ମଶାସ୍ତ୍ରର ପ୍ରଣେତା ମନୁ ଉଲ୍ଲେଖ କରିଛନ୍ତି ଯେ, ପୂର୍ବ ମହୋଦଧି ତଟସ୍ଥ ଅଙ୍ଗ, ବଙ୍ଗ, ଓ କଳିଙ୍ଗ ଦେଶକୁ ଯାତ୍ରା କଲେ ପ୍ରାୟଶ୍ଚିତ କରିବାକୁ ହୋଇଥାଏ । କିନ୍ତୁ ମହାଭାରତ ଯୁଗକୁ ଆର୍ଯ୍ୟମାନଙ୍କ ଚେତନାରେ ପରିବର୍ତ୍ତନ ସଂଘଟିତ ହୋଇଥିଲା ତଥା ପାଣ୍ଡବମାନେ ପୂର୍ବମହୋଦଧି ତଟସ୍ଥ ଏହି ଭୂଖଣ୍ଡକୁ ଅନୁପ୍ରବେଶ କରିଥିଲେ ବୋଲି ସଂସ୍କୃତ ମହାଭାରତର ବନପର୍ବରୁ ଜଣାଯାଏ । ପାଣ୍ଡବମାନେ ଲୋମଶ ଋଷିଙ୍କ ଉପଦେଶ କ୍ରମେ ବନବାସ କାଳରେ ବୈତରଣୀ ନଦୀ ଅତିକ୍ରମ କରି ମହେନ୍ଦ୍ରଗିରି ଯିବା ପଥରେ ମହୋଦଧି ତୀରସ୍ଥ ଏହି ବେଦୀ ଆରୋହଣ କରିଥିଲେ । ବନପର୍ବରେ ଉଲ୍ଲେଖ ଅଛି :

 

ମହାଭାରତ ଯୁଗରେ ଆର୍ଯ୍ୟମାନେ ସେହି ପ୍ରାଚୀନ ବେଦୀର ପ୍ରଶଂସା କରିଥିଲେ ହେଁ ପ୍ରକୃତରେ ଦ୍ରାବିଡ଼ମାନେ ହିଁ ଥିଲେ ଏହାର ନିର୍ମାତା । ଆର୍ଯ୍ୟଗୋଷ୍ଠୀଙ୍କଦ୍ଵାରା ଉତ୍ତର ପଶ୍ଚିମ ଭାରତରେ ସପ୍ତସିନ୍ଧୁ ସଭ୍ୟତା ବିସ୍ତାର କାଳରେ ଦ୍ରାବିଡ଼ ଗୋଷ୍ଠୀଙ୍କଦ୍ଵାରା ପୂର୍ବ ମହୋଦଧିତଟରେ ଏକ ଉନ୍ନତ ବ୍ରାତ୍ୟସଭ୍ୟତାର ବିକାଶ ଘଟି ପ୍ରସ୍ତର ବେଦିକା ଉପରେ ଦାରୁ ଉପାସନା ଅବ୍ୟାହତ ରହିଥିଲା । ଏହି ପ୍ରାଚୀନ ବେଦିକା ଥିଲା ବ୍ରାତ୍ୟସଭ୍ୟତାର ପରମସ୍ଥଳ ଓ ଧର୍ମପୀଠ । ପୁର, ନଗର, ବେଦୀ ପ୍ରଭୃତି ନିର୍ମାଣରେ ଧୁରନ୍ଧର ଦ୍ରାବିଡ଼ଗୋଷ୍ଠୀ ଏହି ସ୍ଥଳରେ ଯେଉଁ ନଗରୀ ନିର୍ମାଣ କରିଥିଲେ ତାହା ପରସ୍ତରମ୍, ପରମସ୍ଥଳ, ପୁରସ୍ତମ ଓ ପୁରୀ ନାମରେ ପ୍ରସିଦ୍ଧି ଲାଭକରିଥିଲା।

 

ପୁରୁଷୋତ୍ତମ ଜଗନ୍ନାଥଙ୍କ ଉପାସନାର ଧାରା, ସ୍ଵରୂପ ଓ ସ୍ଵାତନ୍ତ୍ର ପ୍ରତି ଦୃଷ୍ଟି ନିକ୍ଷେପ କଲେ ଜଣାଯାଏ ଦଇତାମାନେ ହିଁ ତାଙ୍କର ଆଦ୍ୟ ଓ ଶ୍ରୀଅଙ୍ଗ ସେବକ । ସ୍ନାନ ପୂର୍ଣ୍ଣିମାଠାରୁ ଅଣସର, ରଥଯାତ୍ରା ଓ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସକଳ ପୂଜାକାର୍ଯ୍ୟ ଦଇତାମାନେ ହିଁ ନିର୍ବାହ କରିଥାନ୍ତି । ଏପରିକି ନଵକଳେବର, ବ୍ରହ୍ମସ୍ଥାପନ ଓ ଅନ୍ୟାନ୍ୟ ଗୁପ୍ତପୂଜା ମଧ୍ୟ ଦଇତାମାନଙ୍କ ଉପରେ ନ୍ୟସ୍ତ । ଉଲ୍ଲେଖଯୋଗ୍ୟ, ଏହି ସବୁ ପୂଜା ସେମାନେ ବୈଦିକ ବିଧିରେ ନକରି ସେମାନଙ୍କର ପାରମ୍ପରିକ ରୀତିରେ କରିଥାନ୍ତି । ଏଥିରୁ ପ୍ରମାଣିତ ହେଉଛି, ଅଣଆର୍ଯ୍ୟ ଦଇତାମାନେ ହିଁ ପ୍ରଥମେ ଦାରୁପୂଜା ବେଦବାହ୍ୟ ବିଧିରେ ଆରମ୍ଭ କରିଥିଲେ ତଥା ପୂଜା ଉପାସନାର ଯୁଗୋପଯୋଗୀ କ୍ରମବିକାଶ ସାଧିତ ହୋଇଥିଲେ ହେଁ ଦଇତାମାନେ ସେମାନଙ୍କ ମୂଳ ଅଧିକାର ଏପର୍ଯ୍ୟନ୍ତ ହରାଇନାହାନ୍ତି । ପ୍ରକୃତରେ ଦଇତା ଶବ୍ଦ ହିଁ ଦୈତ୍ୟ ଶବ୍ଦର ଅପଭ୍ରଂଶ ଶବ୍ଦ । (୧୯) ସେମାନେ ଦୈତ୍ୟ, ଦଇତା ଯେଉଁ ପର୍ଯ୍ୟାୟଭୁକ୍ତ ହେଲେହେଁ ଜଗନ୍ନାଥଙ୍କ ପ୍ରଥମ ସେବକ ଏଥିରେ କାହାର ଦ୍ଵିମତ ନାହିଁ । କେତେକ ପୁରାଣକାର ଓ ବିଦ୍ଵାନ ସେମାନଙ୍କୁ ଶବରରାଜ ବିଶ୍ଵାବସୁଙ୍କ ବଂଶଧର ବୋଲି ବିଚାର କରିଛନ୍ତି । କିନ୍ତୁ ନୃତତ୍ତ୍ଵ ଦୃଷ୍ଟିରୁ ବିବେଚନା କଲେ ଦଇତାମାନେ ଶବରବଂଶଜ ନୁହନ୍ତି ବୋଲି ହୃଦବୋଧ ହୁଏ । ଶବରମାନଙ୍କର ଶରୀର ଗଠନ ଓ ଦଇତାମାନଙ୍କର ଶରୀର ଗଠନ ଭିନ୍ନ ଭିନ୍ନ । ଅଦ୍ୟାବଧି ଶବରମାନଙ୍କର ମନ୍ଦିର ପ୍ରବେଶାଧିକାର ସାର୍ବଜନୀନ ସ୍ଵୀକୃତି ଲାଭ କରିନାହିଁ । ଏପରିକି ଶ୍ରୀମନ୍ଦିରରେ ମଧ୍ୟ ଏପର୍ଯ୍ୟନ୍ତ ଶବରମାନେ ପ୍ରବେଶାଧିକାର ପାଇନାହାନ୍ତି । ଦଇତାମାନଙ୍କୁ ଦ୍ରାବିଡ଼ଗୋଷ୍ଠୀ ବା ଦୈତ୍ୟମାନଙ୍କ ବଂଶଧର ବିଚାର କରିବାରେ କୌଣସି ଅସୁବିଧା ନାହିଁ । ଦୈତ୍ୟମାନେ ଯୁଗେ ଯୁଗେ ବେଦବିରୋଧୀ ତଥା ଏପର୍ଯ୍ୟନ୍ତ ତାଙ୍କରି ବଂଶଧର ଦଇତାମାନେ ଜଗନ୍ନାଥଙ୍କଠାରେ ବେଦବାହ୍ୟ ଉପାସନା ପଦ୍ଧତି ଆରୋପିତ କରିଆସିଛନ୍ତି । ମହନୀୟତା ହେଉଛି, ବେଦ ପରବର୍ତ୍ତୀ ପୁରାଣଯୁଗରେ ଦ୍ରାବିଡ଼ମାନଙ୍କ ଦାରୁ ଉପାସନାରେ ପ୍ରଭାବିତ ହୋଇ ଆର୍ଯ୍ୟମାନେ ପୂଜିତ ମହାଦାରୁଙ୍କୁ ଚତୁର୍ଦ୍ଧା ମୂର୍ତ୍ତିରେ ରୂପାନ୍ତରିତ କରିଥିଲେ ହେଁ ଦଇତାମାନେ ଜଗନ୍ନାଥଙ୍କ ଜନ୍ମୋତ୍ସବ ବା ସ୍ନାନ ପୂର୍ଣ୍ଣିମା, ଅଣସର, ରଥଯାତ୍ରା, ନବକଳେବର, ବ୍ରହ୍ମସ୍ଥାପନା ଓ ଗୁପ୍ତପୂଜା ପ୍ରଭୃତି ଗୁରୁତ୍ଵପୂର୍ଣ୍ଣ ସେବାପୂଜାରେ ଆପଣା ଅଧିକାରରୁ ବଞ୍ଚିତ ହୋଇନାହାନ୍ତି । ଆର୍ଯ୍ୟମାନେ ଦାରୁ ଉପାସନାକୁ ଆର୍ଯ୍ୟ ଭାବାପନ୍ନ କରିବାର ପରମ ସତ୍ୟଟିକୁ ପୁରାଣକାରବୃନ୍ଦ ଇନ୍ଦଦ୍ୟୁମ୍ନ ଉପାଖ୍ୟାନ ରୂପେ ବର୍ଣ୍ଣନା କରିବା ଛଳରେ ସ୍ଵୀକାର କରିଯାଇଛନ୍ତି । ପ୍ରମାଣିତ ହୁଏ ମହୋଦଧି କୂଳରେ ପ୍ରଥମେ ଦ୍ରାବିଡ଼ମାନଙ୍କଦ୍ଵାରା ଦାରୁଉପାସନା ଆରମ୍ଭ କରାଯାଇଥିଲେ ହେଁ ପରବର୍ତ୍ତୀ କାଳରେ ଦୈତ୍ୟ-ଦେବତା ଦାରୁ ଆର୍ଯ୍ୟମାନଙ୍କ ଦାରୁଦେବତାରେ ରୂପାନ୍ତରିତ ହୋଇଗଲେ । ଫଳରେ ଆର୍ଯ୍ୟ ଓ ଦ୍ରାବିଡ଼ଙ୍କର ମିଳନାତ୍ମକ ପ୍ରକ୍ରିୟା ଆରମ୍ଭ ହୋଇ ପୁରୁଷୋତ୍ତମ ଜଗନ୍ନାଥ ଉପାସନାରେ ଅବୈଦିକ ଓ ବୈଦିକ ବିଧିବିଧାନର ମହାମିଳନ ସଂଘଟିତ ହୋଇଛି । ଇତିମଧ୍ୟରେ ଦ୍ରାବିଡ଼ବଂଶୀ ଦଇତାଗଣ ଆର୍ଯ୍ୟଭାବାପନ୍ନ ହୋଇ ଆର୍ଯ୍ୟ ପୁରୋଦୃଷ୍ଟିରେ ଜୀବନଚର୍ଯ୍ୟା ନିର୍ବାହ ପୂର୍ବକ ଆର୍ଯ୍ୟଗୋଷ୍ଠୀଭୁକ୍ତ ହୋଇଗଲେଣି, ଅଥଚ ଜଗନ୍ନାଥଙ୍କ ଠାରେ ଅବୈଦିକ ପୂଜାବିଧି ଅବ୍ୟାହତ ରଖି ସେମାନଙ୍କ ପରମ୍ପରାର ପରିଧି ଭିତରେ ଆତ୍ମିକ ସନନ୍ଦ ରୁପେ ଠାକୁରଙ୍କର ଏକାନ୍ତ ଆପଣାର ହୋଇପାରନ୍ତି । ଅଥର୍ବବେଦର ବ୍ରାତ୍ୟସୂକ୍ତରୁ ଜଣାଯାଏ ଆର୍ଯ୍ୟମାନେ ବ୍ରାତ୍ୟଷ୍ଠୋମ ଯଜ୍ଞ ମାଧ୍ୟମରେ ବ୍ରାତ୍ୟମାନଙ୍କୁ ଆର୍ଯ୍ୟଶ୍ରେଣୀଭୁକ୍ତ କରିଥିଲେ-। ଅପରପକ୍ଷେ ସମଗ୍ର ବିଶ୍ଵକୁ ଆର୍ଯ୍ୟଭାବାପନ୍ନ କରିବା ନିମିତ୍ତ ସଂସ୍କାରବାଦୀ ଆର୍ଯ୍ୟଗଣ ଦ୍ରାବିଡ଼ମାନଙ୍କ ଉପାସିତ ମହାଦାରୁରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରି ବୈଦିକ ବିଧିରେ ଉପାସନାର ବ୍ୟବସ୍ଥା ପ୍ରବର୍ତ୍ତନ କରିଛନ୍ତି । ଏହି ପ୍ରକ୍ରିୟା ବ୍ରହ୍ମାଙ୍କର ପଞ୍ଚମ ପୁରୁଷ ରାଜର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ହୋଇଛି ବୋଲି ପୁରାଣରେ କୁହାଯାଇଛି । ବ୍ରହ୍ମାଙ୍କୁ ବେଦ ରଚନାକାଳୀନ ପ୍ରଚେତାସ୍ଵରୂପରେ ଗ୍ରହଣ କଲେ ଇନ୍ଦ୍ରଦ୍ୟୁମ୍ନ ତାଙ୍କର ପଞ୍ଚମ ପୁରୁଷ ଅର୍ଥାତ୍ ପୁରାଣକାଳୀନ ବୋଲି ବୁଝିବାକୁ ହେବ । କୌଣସି ପୁରାଣରେ ଇନ୍ଦ୍ରଦ୍ୟୁମ୍ନ ପରିବର୍ତ୍ତେ ଅନ୍ୟ ରାଜାଙ୍କ ନାମ ଉଲ୍ଲିଖିତ । ସେ ଇନ୍ଦ୍ରଦ୍ୟୁମ୍ନ ହୁଅନ୍ତୁ ବା ଅନ୍ୟ କୌଣସି ନୃପତି ହୁଅନ୍ତୁ ବୈଦିକ ବିଧିରେ ମହାଦାରୁଙ୍କୁ ଚତୁର୍ଦ୍ଧାମୂର୍ତ୍ତିରେ ରୁପାନ୍ତରିତପୂର୍ବକ ଏହି ପ୍ରାଚୀନ ବେଦବାହ୍ୟ ଉପାସନାକୁ ବୈଦିକ ଉପାସନାର ଅନ୍ତର୍ଭୁକ୍ତ କରିଥିଲେ । ଆର୍ଯ୍ୟଗୋଷ୍ଠୀ ବେଦବର୍ଣ୍ଣିତ ନିର୍ଗୁଣ ବ୍ରହ୍ମଙ୍କୁ ଦାରୁନିର୍ମିତ ମୂର୍ତ୍ତିରେ ସଗୁଣ ସାକାର ବ୍ରହ୍ମ ରୂପରେ ପ୍ରତିପାଦ୍ୟ କରିବା କାମନାରେ ଅପାଣିପାଦ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହାଦ୍ଵାରା ବେଦବର୍ଣ୍ଣିତ ବ୍ରହ୍ମାକ୍ଷର ପ୍ରଣବକୁ ଦାରୁମୂର୍ତ୍ତିରେ ରୂପାୟିତ କରି ବିଶ୍ଵବନ୍ଦ୍ୟ କରିବାର ପ୍ରଚେଷ୍ଟା ହୋଇଛି । ଏହି ଦାରୁବ୍ରହ୍ମଙ୍କୁ ପରଂବ୍ରହ୍ମ ବା ପରମପୁରୁଷଙ୍କର ପ୍ରତୀକରୂପେ ପରିକଳ୍ପନା କରି ବୈଦିକ ଋଷିଗଣ ଉଦାର କଣ୍ଠରେ ଗାନ କରିଥିଲେ :

 

ବେଦାହମେତଂ ପୁରୁଷଂ ମହାନ୍ତମାଦିତ୍ୟବର୍ଣ୍ଣଂ ତମସଃ ପରସ୍ତାତ୍,

ତମେବ ବିଦିତ୍ଵାତିମୃତ୍ୟୁମେତି ନାନ୍ୟଃ ପନ୍ଥା ବିଦ୍ୟତେଽୟନାୟ .।

 

କେବଳ ସେତିକି ନୁହେଁ ଗଠିତ ମୂର୍ତ୍ତି ଅପାଣିପାଦ ହେଲେହେଁ ଆର୍ଯ୍ୟପ୍ରଚେତାବୃନ୍ଦ ତାଙ୍କ ଦାର୍ଶନିକ ଭାବଧାରା, ସ୍ଵରୂପ ଓ ମହିମା ବର୍ଣ୍ଣନାରେ ବିଭୋର ହୋଇ ଗାଇଛନ୍ତି :

 

ଅପାଣିପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟଚକ୍ଷୁଃ ସ ଶ୍ରୁଣୋତ୍ୟକର୍ଣ୍ଣଃ

ସ ବେତ୍ତିବେଦ୍ୟଂ ନ ଚ ତସ୍ୟାସ୍ତିବେତ୍ତା ତମାହୁରଗ୍ର୍ୟଂ ପୁରୁଷ ମହାନ୍ତମ୍ ।

 

ମହାଦାରୁରୁ ନିର୍ମିତ ଦାରୁବିଗ୍ରହ ଅପାଣିପାଦ ହେଲେହେଁ ଅଚିନ୍ତ୍ୟ ତାଙ୍କର ଶକ୍ତି ବୋଲି ଆର୍ଯ୍ୟପ୍ରଚେତାବୃନ୍ଦ ଉଦ୍‍ଘୋଷଣା କରିଛନ୍ତି ।

 

ଅପାଣିପାଦୋଽହମଚିନ୍ତ୍ୟଶକ୍ତିଃ ପଶ୍ୟ।ମ୍ୟଚକ୍ଷୁଃ ଶ୍ରୁଣୋମ୍ୟକର୍ଣ୍ଣଃ

ଅହଂ ବିଜାନାମି ବିବିକ୍ତରୂପୋ ନଚାସ୍ତି ବେତ୍ତା ମମଚିତ୍ସଦାହମ୍ ।

 

ସଂକ୍ଷେପରେ ଉଲ୍ଲେଖକଲେ, ଉପନିଷଦୀୟ ବ୍ରହ୍ମାନୁଭୂତିରେ ଦାରୁଦେବତାଙ୍କୁ “ଅଣୋରଣୀୟାନ୍ ମହତୋ ମହୀୟାନ୍” ଉପାଧିରେ ଭୂଷିତ କରାଯାଇ ଶ୍ରେଷ୍ଠ, ଜ୍ୟେଷ୍ଠ ଓ ମହତ୍‍ପୁରୁଷ ନାମରେ ଅଭିବ୍ୟକ୍ତ କରାଗଲା । ସେହି ଦାରୁବିଗ୍ରହ ବିଶ୍ଵର ପ୍ରଥମ ସାକାର ଦେବତା ସ୍ଵରୂପରେ ନୀଳାଚଳରେ ପୂଜା ପାଇଲେ । ଯେଉଁ ମହାଦାରୁଙ୍କ ପ୍ରସଙ୍ଗ ଋଗ୍‍ବେଦ ଓ ଅଥର୍ବବେଦ ମନ୍ତ୍ରରେ ଅଭିବ୍ୟକ୍ତ ସେହି ମହାଦାରୁ ଚତୁର୍ଦ୍ଧାରୂପ ଧାରଣ କରିଛନ୍ତି ବୋଲି ସ୍କନ୍ଦପୁରାଣରେ ସୂଚାଇ ଦିଆଯାଇଛି । ସ୍କନ୍ଦପୁରାଣର ସେହି ଶ୍ଲୋକଟି ହେଉଛି ବୈଦିକ ମନ୍ତ୍ରର ପୌରାଣିକ ରୂପ ।

 

ଯ (ସ) ଏଷ ପ୍ଲବତେ ଦାରୁଃ ସିନ୍ଧୁ ପାରେହ୍ୟପୌରୁଷଃ

ତମୁପାସ୍ୟ ଦୁରାରାଧଂ ମୁକ୍ତିଂ ଯାତି ସୁଦୁର୍ଲଭାମ୍ ।

 

ଶ୍ଲୋକଟି ଋଗ୍‍ବେଦ ଓ ଅଥର୍ବବେଦ ମନ୍ତ୍ର ଆଧାରରେ ରଚିତ ହୋଇ ଆର୍ଯ୍ୟବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତି ଉଦ୍ଦିଷ୍ଟ ହୋଇଥିଲେହେଁ ଦ୍ରାବିଡ଼ପୂଜିତ ଦାରୁରୁ ମୂର୍ତ୍ତିର ମହନୀୟତା ହିଁ ପ୍ରତିପାଦିତ ତଥା ସେହି ମୂର୍ତ୍ତିଙ୍କ ଆରାଧନାରେ ମୁକ୍ତିର ମାର୍ଗ ଉଦ୍‍ଘୋଷିତ । ସେହି କରପଦବିହୀନ ଦାରୁମୂର୍ତ୍ତି ସମୁଦ୍ରରେ ଭାସମାନ ଦୈବୀ ଦାରୁରେ ନିର୍ମିତ ହୋଇ ବିଶ୍ଵର ପ୍ରଥମ ସାକାର ଦେବବିଗ୍ରହ ସ୍ଵରୂପରେ ପ୍ରତିମାବାଦର ଝଲକରେ ପ୍ରତୀକବାଦର ରହସ୍ୟରୂପେ ପ୍ରକଟିତ ହୋଇ ଆଧ୍ୟାତ୍ମିକ ଚେତନାର ଉତ୍ତରଣରେ ସକଳ ଶ୍ରେଣୀର ସାଧକଙ୍କ ଇଷ୍ଟ ସ୍ଵରୂପରେ ଭୁବନବିଦିତ ହେଲେ । ସ୍କନ୍ଦ ପୁରାଣରେ ଏହି ମୂର୍ତ୍ତିର ସ୍ଵରୂପ ଚିନ୍ତନରେ କୁହାଯାଇଛି ।

 

ନେକାନୈକ ସ୍ଥୂଳସୂକ୍ଷ୍ମାଣୁମୂର୍ତ୍ତେ, ବ୍ୟୋମାତୀତଂ ବେଶମରୂପଂ ପ୍ରକାଶଂ ।

ବ୍ୟୋମାକାରଂ ବ୍ୟାପିନୋ ବ୍ୟୋମସଂସ୍ଥଂ ବ୍ୟୋମାରୂଢ଼ଂ ବ୍ୟୋମକେଶାବ୍ଦ ଯୋନେ । (୨୧)

 

ଏହି ଶ୍ଲୋକର ଅର୍ଥ ହେଉଛି ଦାରୁମୂର୍ତ୍ତି ଏକ ଅଥଚ ଅନେକ ସ୍ଥୂଳ, ସୂକ୍ଷ୍ମ, ସଗୁଣ, ନିର୍ଗୁଣ, ଶୂନ୍ୟ ଓ ଅଶୂନ୍ୟର ପ୍ରତୀକ । ଏତାଦୃଶ ଲକ୍ଷଣର ମୂର୍ତ୍ତି ବିରଳ ହେଲେହେଁ ବେଦବର୍ଣ୍ଣିତ ପୂର୍ଣ୍ଣବ୍ରହ୍ମଙ୍କୁ ଆର୍ଯ୍ୟପ୍ରଚେତାବୃନ୍ଦ ପରମପୁରୁଷ ରୂପରେ ମୂର୍ତ୍ତିମନ୍ତ କରି ନିର୍ଗୁଣ ନିରାକାର ନିର୍ବିକଳ୍ପ ବ୍ରହ୍ମଙ୍କୁ ଜଗତକଲ୍ୟାଣ କାମନାରେ ରୂପବନ୍ତ କରିଛନ୍ତି । ଯୁଗ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜଗନ୍ନାଥଙ୍କ ପୂଜାବିଧିରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲେହେଁ ଅଦ୍ୟାବଧି ବଳଭଦ୍ରଙ୍କୁ ‘ଅ’ କାର, ସୁଭଦ୍ରାଙ୍କୁ ‘ଉ’ କାର, ଓ ଜଗନ୍ନାଥଙ୍କୁ ‘ମ’ କାର ରୂପେ ଚିନ୍ତନ କରାଯାଇ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ବେଦର ନିଷ୍କର୍ମ ଓଁକାର ସ୍ଵରୂପରେ ପୂଜା କରାଯାଉଅଛି । ସେହି ମନ୍ତ୍ରଟି ହେଉଛି:-

 

ଓଁକାର ସତ୍ତ୍ଵଗୁଣଂ ଶୁକ୍ଲବର୍ଣ୍ଣଂ ନମଃ ନଭୈ,

ଓଁ ଉକାର ରଜୋଗୁଣଂ ରକ୍ତବର୍ଣ୍ମଂ ନମଃ ହୃଦୟେ

ଓଁ ମକାର ତମୋଗୁଣଂ କୃଷ୍ଣବର୍ଣ୍ଣଂ ନମଃ ମୂର୍ଦ୍ଧନି । (୨୨)

 

ଦାରୁଦେବତା ହିଁ ବେଦର ପରମତତ୍ତ୍ଵ ଏବଂ ବେଦୋକ୍ତ ସହସ୍ରଶୀର୍ଷା ପୁରୁଷ ।

 

ସହସ୍ରଶୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍,

ସ ଭୂମିଂ ସର୍ବତୋ ବ୍ୟାପ୍ୟ ଅଧ୍ୟତିଷ୍ଠତ୍ ଦଳାଙ୍ଗୁଳମ୍ । (୨୩)

 

ସେହି ସହସ୍ରାଶୀର୍ଷା ପୁରୁଷ ଦାରୁବ୍ରହ୍ମ ଭାବରେ ପୁରୁଷୋତ୍ତମ କ୍ଷେତ୍ରରେ ମୂର୍ତ୍ତିମନ୍ତ ହୋଇଥିବାରୁ ତାଙ୍କ ପ୍ରାଣପ୍ରତିଷ୍ଠା ପୁରୁଷସୂକ୍ତ ମନ୍ତ୍ରରେ କରାଯାଇଥିଲା ବୋଲି ସ୍କନ୍ଦପୁରାଣରେ କୁହାଯାଇଛି ।

 

ଏହି ଦିବ୍ୟଦୃଷ୍ଟିରେ ଦାରୁବ୍ରହ୍ମଙ୍କ ନାମ ପୁରୁଷୋତ୍ତମ, ଧାମ ପୁରୁଷୋତ୍ତମ, ତତ୍ତ୍ଵ ପୁରୁଷୋତ୍ତମ ଏବଂ ଲୀଳା ପୁରୁଷୋତ୍ତମ । ଯେତେବେଳେ ସେ ଅଖିଳବିଶ୍ଵକୁ ଧାରଣ କରି ମଧ୍ୟ ଶାରୀରିକ ସମ୍ଵନ୍ଧରୁ ଉର୍ଦ୍ଧ୍ଵରେ ସେତେବେଳେ ନିର୍ଗୁଣ ଏବଂ ଯେତେବେଳେ ସକଳ ଜଗତର ବ୍ୟାପ୍ତରହି ବିଶ୍ଵାନୁଗତାରୂପ ଧାରଣ କରନ୍ତି ସେତେବେଳେ ସଗୁଣ । ବ୍ୟାପ୍ତି ସତ୍ତ୍ଵେ ସେ ଷଡ଼ୈଶ୍ଵର୍ଯ୍ୟର ଅଧିକାରୀ ଓ ବିଭୂତିମାନ୍ ତଥା ପୁରୁଷୋତ୍ତମ ମାନରେ ଖ୍ୟାତ । ଏହି ପୁରୁଷୋତ୍ତମତତ୍ତ୍ଵର ବାଚ୍ୟରୂପରେ ନୀଳାଚଳ ଧାମରେ ଦାରୁବ୍ରହ୍ମ ପୁରୁଷୋତ୍ତମ ନାମରେ ପୂଜିତ ।

 

ସର୍ବେଷାଂ ଚୈବ କ୍ଷେତ୍ରାଣାଂ ରାଜା ଶ୍ରୀପୁରୁଷୋତ୍ତମଃ,

ସର୍ବେଷାଂ ଚୈବ ଦେବାନାଂ ରାଜା ଶ୍ରୀପୁରୁଷୋତ୍ତମଃ ।

 

ଅତଏବ, ନିର୍ବିବାଦରେ ବ୍ୟକ୍ତ କରାଯାଇପାରେ ଯେ, ଦ୍ରାବିଡ଼ ଉପାସିତ ମହାଦାରୁ ଆର୍ଯ୍ୟ ପୁରୋଦୃଷ୍ଟିରେ ପୂର୍ଣ୍ଣବ୍ରହ୍ମ ପୁରୁଷୋତ୍ତମ ମାନ୍ୟତାରେ ଚତୁର୍ଦ୍ଧାମୂର୍ତ୍ତି ରୁପେ ରୂପବନ୍ତ ହୋଇ ଦିବ୍ୟ ପୁରୁଷୋତ୍ତମ ଜଗନ୍ନାଥ ନାମରେ ପୂଜା ପାଇଆସୁଛନ୍ତି । ଏହାହିଁ ପୁରୁଷୋତ୍ତମ ଜଗନ୍ନାଥଙ୍କ ମୌଳିକତା । ପରବର୍ତ୍ତୀ କାଳରେ ଅଗଣିତ ମୁନି, ଋଷି, ମହାତ୍ମା, ସାଧୁ, ସନ୍ଥ ଓ ଦାର୍ଶନିକ ଏହି ଦାରୁଦେବତାଙ୍କୁ ଆପଣା ଆପଣା ଦୃଷ୍ଟିରେ ଦର୍ଶନ କରିଥିଲେହେଁ ତାଙ୍କ ମୌଳିକତା ଅକ୍ଷୁର୍ଣ୍ଣ ରହିଛି । ଏପରିକି ଯୁଗ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜୈନମତ, ନ୍ୟାୟମତ, ମୀମାଂସାମତ, ବୈଷ୍ଣବମତ ଓ ନାଥମତ ପ୍ରଭୃତି ଦାରୁଦେବତାଙ୍କଠାରେ ଆରୋପିତ କରାଯାଇଥିଲେ ହେଁ ତାଙ୍କ ମୌଳିକତା ପ୍ରତି ଅଦ୍ୟାବଧି ବିପଦ ସୃଷ୍ଟି ହୋଇନାହିଁ । ଯଥାର୍ଥରେ କୁହାଯାଇଛି:

 

ଯଂ ଶୈବା ସମୁପାସତେ ଶିବ ଇତି ବ୍ରହ୍ମେତି ବେଦାନ୍ତିନୋ,

ବୌଦ୍ଧା ବୁଦ୍ଧ ଇତି ପ୍ରମାଣପଟ୍ଟବଃ କର୍ତ୍ତେତି ନୈୟାୟିକାଃ

ଅହର୍ନିତ୍ୟର୍ଥ ଜୈନଶାସନରତା କର୍ମେତି ମୀମାଂସକା

ସୋଽୟଂ ବୋ ବିଦଧାତୁ ବାଞ୍ଛିତ ଫଳଂ ତ୍ରୈଲୋକ୍ୟନାଥୋ ହରିଃ ।

 

ଅଧିକନ୍ତୁ, ବିଭିନ୍ନ ମତବାଦୀ ତାଙ୍କୁ ଆପଣା ଗୋଷ୍ଠୀର ଦେବତା ବୋଲି ପ୍ରମାଣ କରିବାର ପ୍ରୟାସ କରିଥିଲେ ହେଁ ସେ କୌଣସି ଗୋଟିଏ ଗୋଷ୍ଠୀର ସୀମା ସରହଦରେ ଆବଦ୍ଧ ନହୋଇ ଜଗତର ନାଥ ଜଗନ୍ନାଥ ନାମରେ ମହିମାବନ୍ତ ହୋଇଛନ୍ତି ତଥା ଅପାଣା ସୃଷ୍ଟିର ରହସ୍ୟ ଉନ୍ମୋଚନକାରୀଙ୍କ ପାଣ୍ଡିତ୍ୟ, ତର୍କବିତର୍କ,ବାଦବିସମ୍ବାଦ ଓ ଆଲୋଚନା ପ୍ରତି- ଆଲୋଚନାରେ ନିର୍ବାକ, ନିଷ୍ପନ୍ଦ ଏବଂ ନିର୍ବିକାର ହୋଇ ଯାଇଛନ୍ତି ।

 

“ସ୍ମାରଂ ସ୍ମାରଂ ସ୍ଵଗୃହ ଚରିତଂ ଦାରୁଭୂତୋ ମୁରାରିଃ”

 

ପାଦଟୀକା:

୧.

ଓଡ଼ିଶା ଇତିହାସ, ଡକ୍ଟର ହରେକୃଷ୍ଣ ମହତାବ, “ଓଡ଼ିଶାର ଧର୍ମ ପରିଚ୍ଛେଦ” ପୃ.୫୫୪

୨.

ଦାରୁଦେବତା, ଡକ୍ଟର ବେଣୀମାଧବ ପାଢ଼ୀ ପୃ. ୫୨

୩.

The land of Vishnu . Dr. Gopinath Mohapatra.

୪.

ଶ୍ରୀଜଗନ୍ନାଥତତ୍ତ୍ଵ, ଡକ୍ଟର ଗୋପୀନାଥ ମହାପାତ୍ର ପୃ.୭

୫.

ଇନ୍ଦ୍ରଦ୍ୟୁମ୍ନ କିମ୍ବଦନ୍ତୀର ଐତିହାସିକତା, ଶ୍ରୀଯୁକ୍ତ କେଦାରନାଥ ମହାପାତ୍ର (ଭଞ୍ଜ ପ୍ରଦୀପ, ଆଶ୍ଵିନ-୧୩୪୭)

୬.

ଭାରତୀୟ ସଂସ୍କୃତିକୁ ଓଡ଼ିଶାର ଦାନ, ପଣ୍ଡିତ ନୀଳକଣ୍ଠ ଦାସ (ଝଙ୍କାର, ଦଶମବର୍ଷ, ଦ୍ଵିତୀୟ ସଂଖ୍ୟା) ପୃ.୧୯୦

୭.

ଦାରୁଦେବତା, ଡକ୍ଟର ବେଣୀମାଧବ ପାଢ଼ୀ ପୃ.୧୧୩-୧୩୬

୮.

ଓଡ଼ିଶା ଇତିହାସ ଡକ୍ଟର ହରେକୃଷ୍ଣ ମହତାବ ପୃ.୨୭

୯.

ଓଡ଼ିଆ ସାହିତ୍ୟର କ୍ରମପରିମାଣ, ପଣ୍ଡିତ ନୀଳକଣ୍ଠ ଦାସ

୧୦.

Vaishnavisim in Orissa. Dr. Pravat Mukherjee, p. 18

୧୧.

ପୁରୁଷୋତ୍ତମ ଜଗନ୍ନାଥ ଉପାସନାର ପ୍ରାଚୀନତା, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର (ଝଙ୍କାର, ୫୩ ବର୍ଷ, ୩ୟ ସଂଖ୍ୟା)

୧୨.

ଋଗ୍ ବେଦ, ୧୦ମ ମଣ୍ଡଳ, ୧୫୫ସୂକ୍ତ, ୩ୟ ମନ୍ତ୍ର

୧୩.

ଅଥର୍ବବେଦ

୧୪.

ଋଗ୍ ବେଦ ସଂହିତା, ପୃ. ୮୪୧

୧୫.

The History and Culture of Indian People, Ed, by. R.C.Majumdar Vol-1, p.152

୧୬.

Ibid P.147

୧୭.

ଦାରୁଦେବତା, ଡକ୍ଟର ବେଣୀମାଧବ ପାଢ଼ୀ ପୃ.୭୨

୧୮.

Cambridge History of India Wheels. p.83

୧୯.

ଦାରୁଦେବତା, ଡକ୍ଟର ବେଣୀମାଧବ ପାଢ଼ୀ ପୃ. ୫୪

୨୦.

ସ୍କନ୍ଦପୁରାଣ, ଉତ୍କଳଖଣ୍ଡ, ୧୧ ଶ ଅଧ୍ୟାୟ

୨୧.

ସ୍କନ୍ଦପୁରାଣ, ପୁରୁଷୋତ୍ତମ ମହାତ୍ମ୍ୟ, ୧୯/୨୮

୨୨.

ଶ୍ରୀଜଗନ୍ନାଥତତ୍ତ୍ଵ, ଡକ୍ଟର ଗୋପୀନାଥ ମହାପାତ୍ର ପୃ. ୧୧୯

୨୩.

ଋଗ୍ ବେଦ ୧୦ମ ମଣ୍ଡଳ, ୯୦ ଅନୁବାକ୍/ ଯଜୁର୍ବେଦ ୩୧ ଅଧ୍ୟାୟ, ୧ମ ମନ୍ତ୍ର

 

 

ଶ୍ରୀରାମ ମଣ୍ଡପ ସରଣୀ

ଦକ୍ଷିଣକାଳୀ ମାର୍ଗ

ଢେଙ୍କାନାଳ-୭୫୯୦୦୧

ଦୂରଭାଷ-୦୬୭୬୨-୨୨୫୫୨୨

 

***

 

Unknown

ଓଡ଼ିଶାର ଜନଶ୍ରୁତିରେ କାଞ୍ଚିକାବେରୀ

ଜ୍ଞାନରଞ୍ଜନ ପଣ୍ଡା

 

ସ୍ଵାଭିମାନ ଗୋଟେ ସମରନିପୁଣ ଜାତିର । ସମ୍ମାନର ପ୍ରଶ୍ନ ଗୌରବମୟ ଉତ୍କଳର । ମନଭିତରେ ସଂଶୟ ଜଣେ ପ୍ରେମିକର । କ’ଣ ହେବ ଭବିଷ୍ୟତର ଯୋଜନା ? ନିୟତିର ଅଦୃଶ୍ୟ ନିୟମ କ’ଣ ତାଙ୍କ ଭାଗ୍ୟରେ ଲେଖିଛି ପରାଜୟ ! ଉପାୟଶୂନ୍ୟ ଜଗପତି ପୁରୁଷୋତ୍ତମ ଦେବ । କିଏ ତାଙ୍କୁ ଉଚିତ ମାର୍ଗ ଦେଖାଇବ ? କେମିତି ସେ ପ୍ରତିପକ୍ଷଠାରୁ ନେବେ ପ୍ରତିଶୋଧ ? ସାହାହେଲେ ଉତ୍କଳର ଇଷ୍ଟ ବଡ଼ଠାକୁର । ଜଗନ୍ନାଥଙ୍କର ସ୍ଵପ୍ନାଦେଶ ପୁରୁଷୋତ୍ତମଙ୍କ ମନରେ ଫେରାଇ ଆଣିଲା ଆତ୍ମବିଶ୍ଵାସ । ପୁଣି ସଜାଗ ହେଲେ ଉତ୍କଳର ସୈନ୍ୟ । ଲକ୍ଷ୍ୟ ଥିଲା କାଞ୍ଚି ଅଭିଯାନ । ପ୍ରତିଶୃତି ରକ୍ଷା କଲେ ବଡ଼ଠାକୁର । ବିଜୟର ତିଳକ ଲାଭକଲେ ପୁରୁଷୋତ୍ତମ ଦେବ-। ଆଉ ତା ପରେ ଯାହା ଘଟିଗଲା ….ତାହା ଓଡ଼ିଶାର ଜନଶୃତିରେ ପାଲଟିଗଲା ସ୍ମରଣୀୟ ଅଧ୍ୟାୟ-। ତା’ ପରଠୁ ଓଡ଼ିଆ ଲୋକତୁଣ୍ଡରେ କାଞ୍ଚି ଅଭିଯାନ ପରିଣତ ହେଲା ସବୁଠାରୁ ଲୋକପ୍ରିୟ ଜନଶୃତି ଭାବରେ ।

 

ଜନଶ୍ରୁତି ଭିତରେ ଲୁଚି ରହିଥାଏ ଲୋକଜୀବନର ସକଳ ଆଶା ଓ ବିଶ୍ଵାସ । ଏଇ ଜନଶ୍ରୁତିହିଁ ଯୋଗାଇ ଦେଇଛି ଇତିହାସ ପାଇଁ ତର୍ଜମା କରିବାର ଅବକାଶ । ପୁଣି ଜଗଶ୍ରୁତି ଭିତରେ ରହିଛି ଜାତିର, ରାଷ୍ଟ୍ରର ପରମ୍ପରାବୋଧ ସ୍ଵାଭିମାନ, ଗୋଟିଏ ଜାତିର ଆତ୍ମାକୁ ଚିହ୍ନିବା ପାଇଁ ହେଲେ ଏହାର ଜନଶ୍ରୁତିକୁ ନିର୍ବିକାରରେ ଗ୍ରହଣ କରିବାକୁ ପଡ଼େ । ଆଉ ଜନଶ୍ରୁତିରେ ପୁରୁଷାନୁକ୍ରମେ ଗଡ଼ିଚାଲିଥିବା ଅଲିଖିତ ରୂପ ପରିଣତ ହୋଇସାରିଥାଏ କିମ୍ବଦନ୍ତୀ ରୂପରେ । ଏ କିମ୍ବଦନ୍ତୀ ଇତିହାସର ପ୍ରତିରୂପ ନୁହେଁ । ଏପରିକି ସମ୍ପୂର୍ଣ୍ଣ କାଳ୍ପନିକ ବି ନ ହୋଇପାରେ, ଏହାର ମୂଳରେ ଅଛି ସତ୍ୟତା, କିନ୍ତୁ ତାହା ଇତିହାସର ପୃଷ୍ଠାରେ ପ୍ରମାଣସିଦ୍ଧ ହୋଇନାହିଁ । ହୋଇପାରେ ତାହା ଆଂଶିକ ସତ୍ୟ, ତଥାପି ଇତିହାସରେ ପରିଣତ ହେବାରେ ଏହାର ସାମର୍ଥ ନାହିଁ । ଜନଶ୍ରୁତି ଓ କିମ୍ବଦନ୍ତୀ ମଧ୍ୟରେ ବ୍ୟବଧାନ ଆଦୌ ଦୂର ନୁହେଁ । ଏ ବ୍ୟବଧାନ ବେଶ୍ ପାଖାପାଖି । ଜନଶ୍ରୁତି ଲୋକସମାଜରେ କାଳକାଳ ଧରି ପ୍ରଚଳିତ ହୋଇଆସୁଥାଏ । ଏଥିପ୍ରତି ଲୋକଙ୍କର ବିଶ୍ଵାସ ଥାଏ-। ତେବେ କିମ୍ବଦନ୍ତୀର କୌଣସି ଲିଖିତ ପ୍ରମାଣ ନ ଥାଏ । ପୁରୁଷାନୁକ୍ରମେ ଜନଶ୍ରୁତିରେ ଗଡ଼ିଆସୁଥିବା ଅଲୌକିକ-ଅପ୍ରାକୃତିକ-ଅର୍ଦ୍ଧ ଐତିହାସିକ ଘଟଣାର ସମାହାର ଏଥିରେ ଦେଖିବାକୁ ମିଳେ । ଏ ଦୃଷ୍ଟିରୁ ଲୋକତୁଣ୍ଡରେ କାଳ କାଳ ଧରି ଚଳିଆସୁଥିବା ବିଶ୍ଵାସମୟ ଉପାଖ୍ୟାନ ଅଥବା ଘଟଣା ଜନଶ୍ରୁତିରେ ରୂପାନ୍ତରିତ ହୋଇଥାଏ । ଜନଶ୍ରୁତିର ଐତିହାସିକ ସତ୍ୟତା ନ ଥିଲେ ବି ଏହା ଜନବିଶ୍ଵାସ ଓ ଲୋକଧାରଣାରେ ମହତ୍ତମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇସାରିଥାଏ, ଏଦିଗରୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଜନଶ୍ରୁତି ‘କାଞ୍ଚିକାବେରୀ’ ସମ୍ପର୍କରେ ବିଚାର କରାଯାଇପାରେ ।

 

‘କାଞ୍ଚିକାବେରୀ’ ଜନଶ୍ରୁତିଟି ଓଡ଼ିଶାର ବୀରତ୍ଵ ଗାଥାର ଏକ ଶ୍ରେଷ୍ଠ ଉଦାହରଣ । ଏହି ଜନଶ୍ରୁତି ସହିତ ଯୋଡ଼ି ହୋଇ ରହିଛି ଓଡ଼ିଆ ଜାତିର ଧାର୍ମିକ-ଆଧ୍ୟାତ୍ମିକ ବିଶ୍ଵାସ । ପୁଣି ଏହି ବିଶ୍ଵାସର ମୂଳକେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ର । ସେମାନେ ହିଁ ଏହି କଥାନକର କେନ୍ଦ୍ରବିନ୍ଦୁ । କାଞ୍ଚି ବିଜୟ ସାଧାରଣ ମନେହୋଇଛି ଜଗନ୍ନାଥ ଓ ବଳଭଦ୍ରଙ୍କର ଯୁଦ୍ଧରେ ଯୋଗଦାନ ତୁଳନାରେ । ଜନଶ୍ରୁତି ସର୍ବଦା ଗୋଟିଏ ଅବସ୍ଥା ବା କାହାଣୀ ଭିତରେ ସୀମିତ ହୋଇ ରହିନ ଥାଏ, ସଭ୍ୟତା ଓ ସମାଜର ବିବର୍ତ୍ତନ ସହିତ ଏହାର ଅବୟବ ବି ବଦଳିଥାଏ । ତା’ସହିତ ଆସି ମିଶିଥାଏ ଉପକଥା । ପୁଣି ପୂର୍ବର ଜନଶ୍ରୁତି ବି ପରବର୍ତ୍ତୀ କାଳରେ ଆହୁରି ଅତିରଞ୍ଜିତ ହୋଇପାରେ । ଏଦୃଷ୍ଟିରୁ ବିଚାର କଲେ କାଞ୍ଚିକାବେରୀ ଜନଶ୍ରୁତିରେ ପରିବର୍ତ୍ତନ ଯେ ନ ହୋଇଥିବ, ଏକଥାର ପ୍ରମାଣ କ’ଣ ରହିଛି କି ?

 

କ’ଣ କହୁଛି ଜନଶ୍ରୁତି ?

କପିଳେନ୍ଦ୍ରଦେବଙ୍କ ସୁପୁତ୍ର ପୁରୁଷୋତ୍ତମ ଦେବ କାଞ୍ଚି ନରେଶ ସାଲ୍ଵ ନରସିଂହଙ୍କ କନ୍ୟା ପଦ୍ମାବତୀଙ୍କ ସୌନ୍ଦର୍ଯ୍ୟ ଓ ରୂପରେ ମୁଗ୍ଧ ହୋଇଛନ୍ତି । ମନ ଭିତରେ ତାଙ୍କର ପ୍ରେମର ଫଲଗୁ ସୃଷ୍ଟି ହୋଇଛି । ଏପରିକି ବିବାହର ପ୍ରାକ୍ ଯୋଜନା ବି ସେ ପ୍ରସ୍ତୁତ କରିସାରିଛନ୍ତି । ଉତ୍କଳର ଜଗପତିଙ୍କ ନିମନ୍ତ୍ରଣ ରଖି ପୁରୀର ରଥଯାତ୍ରାରେ ଯୋଗଦାନ କରିବା ପାଇଁ ଉତ୍କଳ ଆସିଛନ୍ତି ସାଲ୍ଵ ନରସିଂହ ଦେବ । ମହାପ୍ରଭୁଙ୍କ ରଥଯାତ୍ରାରେ ପୁରୁଷୋତ୍ତମ ଦେବଙ୍କ ଛେରାପହଁରା ସେବାକୁ ଗ୍ରହଣ କରିପାରି ନାହାନ୍ତି କାଞ୍ଚିରାଜା । ଏହାକୁ ଚଣ୍ଡାଳର କାର୍ଯ୍ୟ ରୁପେ ବିବେଚନା କରିଛନ୍ତି । କାଞ୍ଚିରାଜ୍ୟକୁ ପୁରୁଷୋତ୍ତମ ଦେବଙ୍କ ବିବାହ ପ୍ରସ୍ତାବ ନେଇ ଯାଇଥିବା ଦୂତଙ୍କୁ ତିରସ୍କାର କରିଛନ୍ତି ସାଲ୍ଵ ନରସିଂହ । ନିଜର କନ୍ୟାକୁ ପୁରୁଷୋତ୍ତମ ଦେବ ପରି ଚଣ୍ଡାଳ ସହିତ ବିବାହ ନ ଦେବାର ଯିଦି ଧରିଛନ୍ତି ରାଜା । ଉତ୍କଳର ଗଜପତିକୁ ଲାଞ୍ଛନା ଓ ଅପମାନ ଦେଇଛନ୍ତି କାଞ୍ଚିରାଜା । ଏହି ଅପମାନର ପ୍ରତିଶୋଧ ନେବା ପାଇଁ କାଞ୍ଚି ବିଜୟ ଓ ପଦ୍ମାବତୀକୁ ଉତ୍କଳ ଆଣିବାର ସମକଳ୍ପ ନେଇଛନ୍ତି ପୁରୁଷୋତ୍ତମ ଦେବ । ସଜାଗ ହୋଇଛନ୍ତି ଉତ୍କଳର ଦୁର୍ଦ୍ଧଷ ସୈନ୍ୟବାହିନୀ । କାଞ୍ଚି ଅଭିଯାନ କରିଛନ୍ତି ଗଜପତି ପୁରୁଷୋତ୍ତମ । କିନ୍ତୁ ପ୍ରଥମ ପର୍ଯ୍ୟାୟ ଯୁଦ୍ଧରେ ପରାସ୍ତ ହୋଇଛନ୍ତି ଉତ୍କଳର ସୈନ୍ୟବାହିନୀ । ବ୍ୟଥିତ ହୋଉ ପଡ଼ିଛନ୍ତି ଉତ୍କଳର ଗଜପତି । ଶେଷରେ ଅନନ୍ୟୋପାୟ ହୋଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ନେଇଛନ୍ତି ଶରଣ । ମହାପ୍ରଭୁ ସ୍ଵପ୍ନାଦେଶରେ ଦେଇଛନ୍ତି ସହଯୋଗ ଓ ବିଜୟର ପ୍ରତିଶ୍ରୁତି । ପୁଣି ପ୍ରସ୍ତୁତ ହୋଇଛନ୍ତି ଉତ୍କଳର ସୈନ୍ୟବାହିନୀ । ନୂଆ ଆତ୍ମବିଶ୍ଵାସ ଓ ଉତ୍ସାହ ନେଇ ସେମାନେ କରିଛନ୍ତି କାଞ୍ଚି ଅଭିଯାନ । ସେନାବାହିନୀରେ ବିଶ୍ଵାସ ସୃଷ୍ଟି କରାଯାଇଛି ଯେ, ଜଗନ୍ନାଥ ଓ ବଳଭଦ୍ର ମହାପ୍ରଭୁ ଏ ଯୁଦ୍ଧରେ ପ୍ରତ୍ୟକ୍ଷ ଯୋଗଦାନ କରିଛନ୍ତି-। ତେଣୁ ଉତ୍କଳ ସୈନ୍ୟଙ୍କ ଆତ୍ମବିଶ୍ଵାସ ବଢ଼ିଯାଇଛି । ସେମାନେ ବୀରତ୍ଵର ସହିତ ଯୁଦ୍ଧ କରିଛନ୍ତି । ଶେଷରେ ପରାଜିତ ହୋଇଛନ୍ତି କାଞ୍ଚିନରେଶ । ତାଙ୍କ କନ୍ୟାକୁ ଉତ୍କଳ ନେଇଆସିଛନ୍ତି ପୁରୁଷୋତ୍ତମ ଦେବ । ଏଥି ସହିତ ସେ କାଞ୍ଚିରୁ ଗଣେଶ ଓ ଗୋପାଳ ମୂର୍ତ୍ତିକୁ ଉତ୍କଳ ଆଣିଛନ୍ତି ।

 

ଅନ୍ୟ ପକ୍ଷରେ ଆଉ ଏକ ଅଘଟଣ ସୃଷ୍ଚି ହୋଇଛି । ପୁରୁଷୋତ୍ତମ ଦେବ କାଞ୍ଚି ରାଜାଙ୍କ ଅପମାନର ପ୍ରତିଶୋଧ ନେଇଛନ୍ତି ତାଙ୍କ କନ୍ୟା ପଦ୍ମାବତୀ ଉପରେ । ପଦ୍ମାବତୀଙ୍କୁ ବିବାହ ନ କରିବାକୁ ସେ ମନସ୍ଥ କରିଛନ୍ତି । ମହାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଉପଯୁକ୍ତ ଚଣ୍ଡାଳ ସହିତ ପଦ୍ମାବତୀଙ୍କୁ ବିବାହ ଦେବାପାଇଁ । ଦ୍ଵନ୍ଦ୍ଵରେ ପଡ଼ିଛନ୍ତି ମନ୍ତ୍ରୀବର । ସଂଶୟ ଆସିଛି ପଦ୍ମାବତୀଙ୍କ ଭିତରେ । ପରିଶେଷରେ ସବୁ ଅଡ଼ୁଆ ସୂତାର ଖିଅ ଖୋଲି ଯାଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ । ମହାପ୍ରଭୁଙ୍କ ରଥଯାତ୍ରାରେ ପୁରୁଷୋତ୍ତମ ଛେରା ପହଁରା କାର୍ଯ୍ୟ କରୁଥିବା ବେଳେ ମନ୍ତ୍ରୀ ମହାଶୟ ଅତ୍ୟନ୍ତ କୌଶଳର ସହିତ ପୁରୁଷୋତ୍ତମଙ୍କ ହାତରେ ଛନ୍ଦି ଦେଇଛନ୍ତି ପଦ୍ମାବତୀଙ୍କୁ-। ମନ୍ତ୍ରୀ ମହୋଦୟ ଓ କୁଳପୁରୋହିତଙ୍କ ଯୁକ୍ତି ପାଖରେ ହାର୍ ମାନିଛନ୍ତି ପୁରୁଷୋତ୍ତମ ଦେବ । ଏସବୁ ଜଗନ୍ନାଥଙ୍କ ଲୀଳା ଭାବେ ମାନିନେଇ ସେ ପଦ୍ମାବତୀଙ୍କୁ ଗ୍ରହଣ କରିଛନ୍ତି ।

 

ଏହାହିଁ ହେଉଛି କାଞ୍ଚି କାବେରୀ ସମ୍ପର୍କିତ ସମ୍ପୂର୍ଣ୍ଣ ଜନଶ୍ରୁତି । ଏଥିରେ ସମୟାନୁକ୍ରମେ କଣ କଣ ପରିବର୍ତ୍ତିତ ହୋଇଛି ତାହା କହିବା କଷ୍ଟକର । ତେବେ ଏହି ଜନଶ୍ରୁତି ଭିତରେ ଯୋଡ଼ି ହୋଇ ରହିଛି ଆଉ ଏକ ଜନଶ୍ରୁତି ।

 

ଜନଶ୍ରୁତି ଭିତରେ ଆଉ ଏକ ଜନଶ୍ରୁତି

କାଞ୍ଚିକାବେରୀ ଜନଶ୍ରୁତି ସହିତ ଆଉ ଏକ ବିଶ୍ଵାସର ଜନଶ୍ରୁତିହିଁ ଯୋଡ଼ି ହୋଇ ରହିଛି । ଏହି ଜନଶ୍ରୁତିଟି ହେଉଛି ମାଣିକ ଗଉଡ଼ୁଣୀର କଥା । ଉତ୍କଳର ସୈନ୍ୟବାହିନୀ ଦ୍ଵିତୀୟ ପର୍ଯ୍ୟାୟରେ କାଞ୍ଚି ଅଭିଯାନରେ ସାମିଲ୍ ହୋଇଥିବା ବେଳେ, ସେହି ସୈନ୍ୟବାହିନୀର ଦୁଇ ଜଣ ସୈନ୍ୟ ବାଟରେ ଜଣେ ଗଉଡ଼ୁଣୀଠାରୁ ଦହି ପିଇଛନ୍ତି । କଳାଘୋଡ଼ା ଓ ଧଳାଘୋଡ଼ାରେ ଆସିଥିବା ଏହି ଦୁଇ ସୈନିକ ଗଉଡ଼ୁଣୀଠାରୁ ଦହି ପିଇଲା ପରେ କଉଡ଼ି ଦେବାରେ ସମର୍ଥ ହୋଇପାରିନାହାନ୍ତି । ସେଥିପାଇଁ ସେମାନେ ନିଜ ହାତରୁ ମୁଦ୍ରିକାଟି କାଢ଼ି ତାକୁ ଧରାଇ ଦେଇଛନ୍ତି-। ପଛରେ ଗଜପତି ମହାରାଜ ଆସୁଥିବାରୁ ତାଙ୍କୁ ଏହି ମୁଦ୍ରିକା ଦେଇ ପାଉଣା ଅସୁଲ କରିବାର ବିଶ୍ଵାସ ଜନ୍ମାଇ ସୈନ୍ୟଦ୍ଵୟ ଯୁଦ୍ଧକ୍ଷେତ୍ରକୁ ବାହାରି ଯାଇଛନ୍ତି । କିଛି ସମୟ ଉତ୍ତରାନ୍ତେ ସେହି ପଥରେ ଗଜପତି ପୁରୁଷୋତ୍ତମ ଯୁଦ୍ଧ ଅଭିଯାନରେ ଯାଉଥିବାବେଳେ ସେହି ଗଉଡ଼ୁଣୀ ତାଙ୍କୁ ଅଟକାଇ ମୁଦ୍ରିକାଟି ଦେଖାଇଛି ଗଉଡ଼ୁଣୀ ପାଖରୁ ସମସ୍ତ ବୃତ୍ତାନ୍ତ ଶୁଣିଲାପରେ ଗଜପତି ଅତ୍ୟନ୍ତ ଭାବବିହ୍ଵଳ ହୋଇପଡ଼ିଛନ୍ତି । ସ୍ଵଂୟ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ତା ହାତରୁ ଦହି ପିଇ ଯୁଦ୍ଧ ଅଭିଯାନରେ ଯାଇଛନ୍ତି । ଏକଥା ଶୁଣି ଗଉଡ଼ୁଣୀ ଅତ୍ୟନ୍ତ ଆନନ୍ଦିତ ହୋଇଛି । ମହାପ୍ରଭୁ ମାଣିକ ସେଇ ଗଉଡ଼ୁଣୀଠାରୁ ଦହି ପିଇଥିବାରୁ ସେ ପବିତ୍ର ଅଞ୍ଚଳକୁ ଗଜପତି ମହାରାଜା ମାଣିକପାଟଣା ନାମରେ ନାମିତ କରିଛନ୍ତି । ଯୁଦ୍ଧରେ ବଡ଼ଠାକୁର ସ୍ଵଂୟ ସୈନିକ ବେଶରେ ଯୋଗ ଦେଇଥିବାର କବର ପ୍ରଚାର ହୋଇଯିବା ପରେ ଉତ୍କଳର ସୈନ୍ୟବାହିନୀ ଅପୂର୍ବ ଉତ୍ସାହର ସହ କାଞ୍ଚି ଅଭିମୁଖେ ଆଗେଇ ଯାଇଛନ୍ତି ।

 

କାଞ୍ଚିକାବେରୀ ଜନଶ୍ରୁତି ମଧ୍ୟରେ ଏହି ମାଣିକ ଗଉଡ଼ୁଣୀ ଜନଶ୍ରୁତିଟି ଅନ୍ୟତମ ଲୋକପ୍ରିୟ ଜନଶ୍ରୁତିର ମାନ୍ୟତା ପାଇଛି । ତେବେ ଏ ସମଗ୍ର ଜନଶ୍ରୁତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମୁଖ୍ୟ ନାୟକ, ସେହିପରି ମାଣିକ ହେଉଛି ମୁଖ୍ୟ ନାୟିକା, କାରଣ ମାଣିକ ଯେପରି ଜନଶ୍ରୁତିରେ ଅତ୍ୟନ୍ତ ଲୋକପ୍ରିୟ ହୋଇଛି ସେପରି ଲୋକପ୍ରିୟତା ପଦ୍ମାବତୀ ଚରିତ୍ରକୁ ମିଳିନାହିଁ । ପଦ୍ମାବତୀ ଉତ୍କଳ ବାହାରର କନ୍ୟା ହୋଇଥିବାରୁ ତାଙ୍କୁ ସେଭଳି ଗୁରୁତ୍ଵପୂର୍ଣ୍ଣ ଚରିତ୍ର ଭାବରେ ଉତ୍କଳୀୟମାନେ ସ୍ଵୀକାର ନ କରିଥାଇ ପାରନ୍ତି । ମାତ୍ର ମାଣିକ ଓଡ଼ିଆ ଘରର ଝିଅ ବୋହୁ ହୋଇଥିବାରୁ, ପୁଣି ଜଗନ୍ନାଥ-ବଳଭଦ୍ରଙ୍କର ଯୁଦ୍ଧରେ ଯୋଗଦାନ ଦେଇଥିବାର ପ୍ରତ୍ୟକ୍ଷଦର୍ଶୀ ହୋଇଥିବାରୁ ପଦ୍ମାବତୀ ଚରିତ୍ର ଅପେକ୍ଷା ତାର ଚରିତ୍ରକୁ ଅଧିକରୁ ଅଧିକ ସ୍ଵୀକାର କରାଯାଇଛି । ପୁନଶ୍ଚ ଶ୍ରୀଜଗନ୍ନାଥ ଓ ବଳଭଦ୍ର ପ୍ରତ୍ୟକ୍ଷ ଯୁଦ୍ଧ କରିବା କାରଣରୁ ପୁରୁଷୋତ୍ତମଙ୍କ ବୀରତ୍ଵ ନ୍ୟୁନ ମନେ ହେଉଛି । ଏକଥା ସତ ଯେ କାଞ୍ଚି ବିଜୟ ପୁରୁଷୋତ୍ତମ ଦେବ ଓ ପଦ୍ମାବତୀକୁ କେନ୍ଦ୍ରକରି ହୋଇଥିଲେ ମଧ୍ୟ ଜଗନ୍ନାଥ-ବଳଭଦ୍ର ମୁଖ୍ୟ ନାୟକ ଏବଂ ମାଣିକ ପ୍ରମୁଖ ନାୟିକାର ମାନ୍ୟତା ପାଇଛି । ଉତ୍କଳୀୟ ଜନଶ୍ରୁତିର ଏହି ସତ୍ୟତାକୁ ଅସ୍ଵୀକାର କରାଯାଇପାରିବ ନାହିଁ ।

 

କେଉଁ ତଥ୍ୟ ଦେଉଛି ମାଦଳାପାଞ୍ଜି ?

ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ସେବାପୂଜା, ରୀତିନୀତି ଓ ଜନବିଶ୍ଵାସକୁ ନେଇ ଲେଖାଯାଇଛି ମାଦଳାପାଞ୍ଜି । ଏହା ଜଗନ୍ନାଥଙ୍କ ସମ୍ଵନ୍ଧରେ ଥିବା ଲୋକଧାରମାର ବିଶ୍ଵସ୍ତକୀର୍ତ୍ତୀ । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ମାଦଳାପାଞ୍ଜି ଲେଖାଯାଇଥିଲେ ବି ଓଡ଼ିଶାର ଇତିହାସ, ଜଗନ୍ନାଥମନ୍ଦିର ଇତିବୃତ୍ତ, ଓଡ଼ିଶାର ରାଜବଂଶର ପରିଚିତି ଓ ସର୍ବୋପରି ଐତିହ୍ୟସମ୍ପନ୍ନ ଉତ୍କଳର ସଂଘର୍ଷମୟ କାଳର ଏହା ମୂକସାକ୍ଷୀ । ମାଦଳାପାଞ୍ଜିରେ ଲିଖିତ ସମସ୍ତ ତଥ୍ୟ ଶତପ୍ରତିଶତ ସତ୍ୟ ନୁହେଁ । ଏଥିରେ କଳ୍ପନା ଏ ଭାବପ୍ରବଣତା ବି କିଛି କମ୍ ନୁହେଁ । ତେବେ ଇତିହାସକୁ ମାର୍ଗ ଦେଖାଇବା ପାଇଁ ଏହି କୃତିଟି ଆଲୋକ ବର୍ତ୍ତିକାର ଭୂମିକା ଗ୍ରହଣ କରିଛି ।

 

ପୁରୁଷୋତ୍ତମଦେବଙ୍କ ରାଜତ୍ଵ ଓ ବୀରତ୍ଵ ସମ୍ପର୍କରେ ମାଦଳାପାଞ୍ଜିରେ ଯେଉଁ ତଥ୍ୟ ରହିଛି ତାହା ଖାପଛଡ଼ା ମନେ ହୋଇଥାଏ । ଜଗନ୍ନାଥ-ଧର୍ମବିଶ୍ଵାସକୁ ଢାଲ କରି ପୁରୁଷୋତ୍ତମ ଅତ୍ୟନ୍ତ କୌଶଳର ସହ ନିଜ ଜ୍ୟେଷ୍ଠ ଭ୍ରାତା (କପିଳେନ୍ଦ୍ରଙ୍କ ବଡ଼ ପୁଅ) ହମୀରଙ୍କୁ ସିଂହାସନରୁ ବଞ୍ଚିତ କରି ନିଜେ ରାଜା ହୋଇଛନ୍ତି । ଏକତାର ପ୍ରମାଣ ପ୍ରଥମ ପାଞ୍ଜିରେ ରହିଛି । ଏହି ପାଞ୍ଜି କାଞ୍ଚି ଅଭିଯାନ ସମ୍ପର୍କରେ ନୀରବ ରହି ନାହିଁ । ପୁରୁଷୋତ୍ତମ ଦେଉଳେ ଏ ରାଜାଙ୍କ ୭ ଅଙ୍କେ ଭୋଗ ମଣ୍ଡପ ତୋଳାଇଲେ । ୯ ଅଙ୍କେ ମଝି କୁରୁମ ବେଢ଼ା ଗଢ଼ାଇଲେ । ୧୧ ଅଙ୍କେ ଏ ରାଜା କାଞ୍ଚି କାବେରୀ ମାଇଲେ । କାଞ୍ଚି ଶାସନରୁ ସତ୍ୟବାଦୀ ଗୋପୀନାଥଙ୍କୁ ଆଣି ନଗର ଚୌଦ୍ଵାର ନଗରକୁ ବସାଇଲେ । ଏ ରାଜା ଭୋଗ କଲେ ବ ୩୦ ।୧ ମାସ । କାଞ୍ଚି ଅଭିଯାନକୁ ପ୍ରଥମ ପାଞ୍ଜି ସ୍ଵୀକାର କରିଥିବାରୁ ପୁରୁଷୋତ୍ତମ ଦେବଙ୍କ କାଞ୍ଚି ବିଜୟ ଘଟଣାକୁ ନେଇ କୌଣସି ପ୍ରଶ୍ନ ଉଠେନାହିଁ । ଏପରିକି ଦ୍ଵିତୀୟ ପାଞ୍ଜି ମଧ୍ୟ ଏହି ଘଟଣାକୁ ସମର୍ଥନ ଦେଇଛି । ଜଗନ୍ନାଥଙ୍କ ସେବକଙ୍କୁ ହାତ କରି ଜଗନ୍ନାଥ- ଧର୍ମବିଶ୍ଵାସକୁ ଢାଲ କରି ପୁରୁଷୋତ୍ତମ ଯେଭଳି ସିଂହାସନ ଆରୋହଣ କରିଛନ୍ତି ତାହାକୁ ଏହି ପାଞ୍ଜି ଲିପିବଦ୍ଧ କରିଛି । ତେବେ ଶ୍ରୀଜଗନ୍ନାଥ ଓ ବଳଭଦ୍ର କଳାଘୋଡ଼ା ଓ ଧଳାଘୋଡ଼ା ଚଢ଼ି ଯୁଦ୍ଧକୁ ଯିବା ଓ ମାଣିକ ହାତରୁ ଦହି ପିଇବା ଘଟଣାକୁ ଦ୍ଵିତୀୟ ପାଞ୍ଜି ସ୍ଵୀକାର କରିଛି । ପ୍ରଭୁଙ୍କର ସେହି ରାତ୍ରେ ଆଜ୍ଞାହୋଇଲା । ସେତ ନମରିବ ଆମ୍ଭେ ଦିନେ କଲେ ସେ ଗଡ଼ ମରିବ । ଆମ୍ଭେ କଳାବାରୁଁ ଧଳାବାରୁ ଚଢ଼ି ଆପେ ବିଜେ କଲୁ । ତୁ ଯାଇ ରାଜାଙ୍କୁ କହ, ଆମ୍ଭ ଦକ୍ଷିଣ ପାଚେରୀ କଣରେ ଦୁର୍ଗାମାଧବ ମୂର୍ତ୍ତିକି ଦରଶନ କରି ଆମ୍ଭେ ପଛେ ଯିବୁ । ଏହି ରୁପେ ମହାସ୍ଵାର କହିଲେ । ପାତ୍ରମାନେ ବହୁତ ଭଙ୍ଗାଇ ରାଜାଙ୍କୁ କହିଲେ । ସେ ତାହା ମାନି ଦକ୍ଷିଣ କୋଣେ ଦୁର୍ଗାମାଧବ ମୂର୍ତ୍ତିକି ଦରଶନ କରି ବିଜେ କରିଗଲେ । କିଛି ଦୂର ଗଲା ଉତ୍ତାରୁ ମନେ ବିଚାରିଲେ ମହାପ୍ରଭୁଙ୍କର କିଛି ସଙ୍କେତ ନ ପାଇଲି । ଏହା ପ୍ରଭୁ ଜାଣି ଗଉଡ଼ୁଣୀଠାରେ କିଛି ମୁଦି ଦେଇଗଲେ । ସେ ମୁଦି ରାଜା ପାଇ ବହୁତ କାକୁସ୍ଥ ହୋଇ ମଥାରେ ଲଗାଇଲେ । (୨)

 

ଏକଥା ସତ ଯେ ମାଦଳାପାଞ୍ଜିରେ ବର୍ଣ୍ଣିତ ଅନେକ ଘଟଣାରେ କଳ୍ପନାପ୍ରବଣତା ରହିଛି । ଅନେକ ଘଟଣା ଏଥିରେ ଅତିରଞ୍ଜିତ ହୋଇଥିବାର ନଜିର୍ ରହିଛି । ତେଣୁ କାଞ୍ଚି କାବେରୀ ସମ୍ପର୍କିତ ଘଟଣାରେ କଳ୍ପନାର ପୁଟ ଯେ ଅଧିକ ନଥିବ ତାର କିଛି ପ୍ରମାଣ ନାହିଁ । କିନ୍ତୁ ଜନଶ୍ରୁତିରେ କାଞ୍ଚି କାବେରୀ ଏକ ବିଶ୍ଵାସନୀୟ ଆଖ୍ୟାନ ହୋଇଥିବାରୁ ଏହାର ସତ୍ୟତା ନେଇ ଇତିହାସ ବ୍ୟତୀତ ଅନ୍ୟ କୌଣସି ଗ୍ରନ୍ଥ ଧାରଣାକୁ ଭରସା କରାଯାଇ ନ ପାରେ ।

 

ଇତିହାସ କି ପ୍ରମାଣ ଦେଉଛି ?

ପୁରୁଷୋତ୍ତମଦେବ ଯେପରି ତଞ୍ଚକତା କରି କୌଶଳର ସହ ସିଂହାସନ ଦଖଲ କରିଥିଲେ, ତାର ପ୍ରମାଣ ଇତିହାସରେ ରହିଛି । କପିଳେନ୍ଦ୍ରଙ୍କ ଜ୍ୟେଷ୍ଠପୁତ୍ର ହମୀର (ହମ୍ବୀର ଦେବ) ଗୃହଯୁଦ୍ଧ କରିବା ଏବଂ ସିଂହାସନ ପାଇଁ ହମୀର ଓ ପୁରୁଷୋତ୍ତମଙ୍କ ମଧ୍ୟରେ ସମ୍ପର୍କ କିପରି ତିକ୍ତ ହୋଇଛି, ଇତିହାସ ତାହା ଦର୍ଶାଇଛି । ଏମିତିକି କପିଳେନ୍ଦ୍ରଦେବଙ୍କ ଔରସରୁ ତାଙ୍କର ଜଣେ ଫୁଲଗୁନ୍ଥାଳି (ଦାସୀ ବି କୁହାଯାଇପାରେ)ର ଗର୍ଭରୁ ପୁରୁଷୋତ୍ତମ ଦେବଙ୍କ ଜନ୍ମ ହୋଇଥିବା ଘଟଣାକୁ ଇତିହାସ ସ୍ଵୀକାର କରିଛି । ତେବେ ପୁରୁଷୋତ୍ତମଙ୍କ କାଞ୍ଚି ବିଜୟକୁ ନେଇ ଐତିହାସିକମାନେ ଏକମତ ହୋଇପାରିନାହାନ୍ତି । କାଞ୍ଚି ପରି ଦାକ୍ଷିଣାତ୍ୟ ରାଜ୍ୟ ଓ ଉତ୍କଳର ସଂଘର୍ଷ ହୋଇଥିବା ଘଟଣାକୁ ଐତିହାସିକ ଷ୍ଟର୍ଲିଙ୍ଗ୍ ସାହେବ, ପ୍ରଭାତ ମୁଖାର୍ଜୀ, ଜଗବନ୍ଧୁ ସିଂହ ପ୍ରମୁଖ ମାନି ନେଇଛନ୍ତି । ସାଲ୍ଵ ନରସିଂହଙ୍କ ମାତା ‘ମାଲମ୍ଵିକା’, ତାଙ୍କ ପତ୍ନୀଙ୍କ ନାମ ‘ତୀପପାମ୍ବିକା’ ହୋଇଥିବାରୁ ତାଙ୍କ କନ୍ୟାଙ୍କ ନାମ ରୂପାମ୍ବିକା ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି । ଏଥି ସହିତ ଖ୍ରୀ.ଅ. ୧୪୬୭ ରୁ ୧୫୭୧ ଭିତରେ କୌଣସି ଏକ ସମୟରେ କାଞ୍ଚି ଉତ୍କଳ ମଧ୍ୟରେ ଯୁଦ୍ଧ ହୋଇଛି ବୋଲି ସେ ସ୍ଵୀକାର କରିଛନ୍ତି । ତେବେ ଐତିହାସିକମାନଙ୍କ ଯୁକ୍ତିସହ ଅନ୍ୟତମ ଐତିହାସିକ ଡ. ଅତୁଲଚନ୍ଦ୍ର ପ୍ରଧାନଙ୍କ ଏ ଯୁକ୍ତି ବି ସ୍ଵୀକାର କରାଯାଇପାରେ । ୧୪୮୯ ମସିହାରେ ପୁରୁଷୋତ୍ତମ ସାଲ୍ଵ ନରସିଂହଙ୍କୁ ପରାସ୍ତ କରିଥିଲେ । କିନ୍ତୁ ଏହି ସମ୍ଵତ୍ସରରେ ପଦ୍ମାବତୀଙ୍କ ସହିତ ତାଙ୍କର ବିବାହ ସମ୍ଭାବନାକୁ ଦୁଇଟି କାରଣରୁ ଐତିହାସିକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । ପ୍ରଥମତଃ, କିମ୍ବଦନ୍ତୀ ଅନୁସାରେ କାଞ୍ଚି ପଦ୍ମାବତୀଙ୍କ ପିତାଙ୍କର ରାଜଧାନୀ ଥିଲା, କିନ୍ତୁ ୧୪୮୬ ଖ୍ରୀଷ୍ଟାବ୍ଦ ବେଳକୁ ସାଲ୍ଵ ନରସିଂହ ସମଗ୍ର ବିଜୟନଗର ସାମ୍ରାଜ୍ୟର ସମ୍ରାଟ୍ ହୋଇସାରିଥିଲେ ଓ ସେତେବେଳକୁ ହାମ୍ପି ବିଜୟନଗର ତାଙ୍କ ରାଜଧାନୀ ଥିଲା । ଦ୍ଵିତୀୟତଃ. ପୁରୁଷୋତ୍ତମଙ୍କ ପୁତ୍ର ପ୍ରତାପରୁଦ୍ର ୧୪୯୭ ଖ୍ରୀଷ୍ଟାବ୍ଦରେ ଜଣେ ବୟଃପ୍ରାପ୍ତ ଯୁବକ ଭାବରେ ସିଂହାସନ ଆରୋହଣ କରିଥିଲେ । ଯଦି ପ୍ରତାପରୁଦ୍ର ପଦ୍ମାବତୀଙ୍କ ପୁତ୍ର ହୋଇଥାନ୍ତି ଏବଂ ଯଦି ପୁରୁଷୋତ୍ତମ ଓ ପଦ୍ମାବତୀଙ୍କ ବିବାହ ୧୪୮୯ ମସିହାରେ ସଂଘଟିତ ହୋଇଥାଏ ତେବେ ସିଂହାସନ ଆରୋହଣ ବେଳକୁ ପ୍ରତାପରୁଦ୍ରଙ୍କ ବୟସ ମାତ୍ର ଆଠ ବର୍ଷ ହେବ । ଏହି ଅନୁମାନକୁ ଐତିହାସିକ ତଥ୍ୟ, ସମର୍ଥନ କରୁନାହିଁ । (୩) ଐତିହାସିକମାନଙ୍କ ମଧ୍ୟରେ ଆଣ୍ଡରିଉ ଷ୍ଟର୍ଲିଂ ୧୮୨୨ ମସିହାରେ ପ୍ରଥମେ କାଞ୍ଚିକାବେରୀ ଜନଶ୍ରୁତିର ଐତିହାସିକ ସତ୍ୟତା ଆବିଷ୍କାର କରିବାର ପ୍ରୟାସ କରିଛନ୍ତି । ତାଙ୍କ ପରେ ଡବ୍ଲୁ ଡବ୍ଲୁ ହଣ୍ଟର, ରାଜେନ୍ଦ୍ରଲାଲ ମିତ୍ର, ପ୍ୟାରୀମୋହନ ଆଚାର୍ଯ୍ୟ, କୃପାଚାର୍ଯ୍ୟ ମିଶ୍ର, ଜଗବନ୍ଧୁ ସିଂହ, ପ୍ରଭାତ ମୁଖାର୍ଜୀ, ଆର୍ ସୁବ୍ରମଣ୍ୟମ୍ ପ୍ରମୁଖ ଐତିହାସିକ ଏହି ଜନଶ୍ରୁତିର ସତ୍ୟତା ନେଇ ଗବେଷଣା କରିଛନ୍ତି ଏବଂ ସାଲ୍ଵନରସିଂହଙ୍କ କନ୍ୟା ସହ ପୁରୁଷୋତ୍ତମଙ୍କ ବିବାହକୁ ଅନେକାଂଶରେ ସ୍ଵୀକାର କରିନଥିଲେ ବି କାଞ୍ଚି ସହିତ ଉତ୍କଳର ଯୁଦ୍ଧକୁ ସ୍ଵାକାର କରିଛନ୍ତି । ପୁଣି ଉତ୍କଳର ଜନଶ୍ରୁତି ସହ ଏହି ଐତିହାସିକ ଘଟଣାଟି ଯୋଡ଼ି ହୋଇଯାଇଥିବାରୁ ଏହାର ପୁଙ୍ଖାନୁପୁଙ୍ଖ ଐତିହାସିକ ସତ୍ୟତା ସନ୍ଧାନ କରିବା ଗବେଷକମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଛି ।

 

କେଉଁମାନେ ଏ ଜନଶ୍ରୁତି କରିଛନ୍ତି ସମର୍ଥନ ?

ସ୍ଥାନୀୟ ଜନଶ୍ରୁତିକୁ ସମର୍ଥନ ଦେବାରେ ସାହିତ୍ୟର ଏକ ବଳିଷ୍ଠ ଭୂମିକା ରହିଛି । ଏ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟରେ ସାରଳାଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଏପରି କି ମଧ୍ୟଯୁଗୀୟ ଓ ଆଧୁନିକ ସାହିତ୍ୟର ସ୍ରଷ୍ଟା ଏ ଉତ୍କଳର ଜନଶ୍ରୁତି ଓ କିମ୍ୱଦନ୍ତୀକୁ ନେଇ ସାହିତ୍ୟ ରଚନା କରିଛନ୍ତି-। ତେବେ କାଞ୍ଚି କାବେରୀ ପରି ଐତିହାସିକ (ଅର୍ଦ୍ଧଐତିହାସିକ କହିଲେ ଭୁଲ୍ ହେବନି) ଘଟନା ତଥା ଜନଶ୍ରୁତିକୁ ସାହିତ୍ୟରେ ରୂପ ଦେବାରେ ପୁରୁଷୋତ୍ତମ ଦାସଙ୍କ ପ୍ରଥମପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ-। ପୁରୁଷୋତ୍ତମ ଦାସଙ୍କ କାଞ୍ଚିକାବେରୀ କାବ୍ୟ ପ୍ରଥମଥର ପାଇଁ ଏହି ଜନଶ୍ରୁତିକୁ ପୂର୍ଣ୍ଣାଙ୍ଗ ଭାବରେ ପରିପ୍ରକାଶ କରିଛି । ତାଙ୍କ ପରେ ଖଡ଼୍ଗ ପ୍ରସାଦଙ୍କ ପଦ୍ମାବତୀ ହରଣ ନାଟକ ରାମଶଙ୍କର ରାୟଙ୍କ କାଞ୍ଚିକାବେରୀ ନାଟକ, ଗୋଦାବରୀଶ ମିଶ୍ରଙ୍କ ପୁରୁଷୋତ୍ତମ ଦେବ ନାଟକ, ଭିକାରୀଚରଣ ପଟ୍ଟନାୟକଙ୍କ ରାଜା ପୁରୁଷୋତ୍ତମ ଦେବ ନାଟକ, କାଳିଚରଣ ପଟ୍ଟନାୟକଙ୍କ ଅଭିଯାନ ନାଟକ, ସୁରେନ୍ଦ୍ରନାଥ ବିଦ୍ୟାଧରଙ୍କ କାଞ୍ଚି ବିଜୟ ନୃତ୍ୟ ନାଟିକା, ଏପରିକି ବଙ୍ଗଳାର ରଙ୍ଗଲାଲ ବାନାର୍ଜୀଙ୍କ କାଞ୍ଚିକାବେରୀ କାବ୍ୟ ଏହି ଜନଶ୍ରୁତିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ମାଧ୍ୟମ ହୋଇଛନ୍ତି । ଏଇ ଜନଶ୍ରୁତି ଓଡ଼ିଆ ସାହିତ୍ୟରେ ବିଭିନ୍ନ ବିଭାଗରେ ଓ ଯେତେ ବିଭିନ୍ନ ଭାବରେ ଆତ୍ମପ୍ରକାଶ ବା ସୂଚିତ ହେବାର ସୁଯୋଗ ଲାଭ କରିଛି ରାମ ଓ କୃଷ୍ଣ ଚରିତ ଭିନ୍ନ ଅନ୍ୟ କୌଣସି ବିଷୟବସ୍ତୁ ସେପରି ସୁଯୋଗ ଲାଭ କରିଛି କି ନାହିଁ ସନ୍ଦେହ । କେବଳ ସାହିତ୍ୟ ନୁହେଁ, ଓଡ଼ିଆ ଜନଜୀବନରେ ଅନ୍ୟାନ୍ୟ ବିଭାବରେ ମଧ୍ୟ ଏକ ଜନଶ୍ରୁତିର ମୁଦ୍ରାଙ୍କନ ଦେଖିବାକୁ ମିଳେ । (୪) ଓଡ଼ିଶା ଇତିହାସର, ଏହି ସର୍ବଶ୍ରେଷ୍ଠ ରୋମାଞ୍ଚକର କାହାଣୀ ସାହିତ୍ୟରେ ରୁପାନ୍ତରିତ ହେଲାପରେ ଜନବିଶ୍ଵାସରେ ଅଧିକରୁ ଅଧିକ ପରିବ୍ୟାପ୍ତ ହୋଇଛି । ତେଣୁ କାଞ୍ଚିକାବେରୀ ପରି ଜନଶ୍ରୁତିକୁ ସାହିତ୍ୟର ସମର୍ଥନ ନ ମିଳିଥିଲେ ତାହା ଏତେ ପରିପ୍ରସାର ହୋଇ ପାରିନଥାନ୍ତା ।

 

ଏ ଜନଶ୍ରୁତିକୁ କେମିତି ଗ୍ରହଣ କରିଛି ଆମ ଲୋକମାନସିକତା ?

ଓଡ଼ିଶାର ଜନବିଶ୍ଵାସ ତଥା ଲୋକମାନସିକତାକୁ ଜଗନ୍ନାଥ ଚେତନା ସମ୍ପୂର୍ଣ୍ଣ ଆଚ୍ଛାଦନ କରି ରଖିଛି । ପୁଣି ଜଗନ୍ନାଥଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଜନଶ୍ରୁତିକୁ ଆମ ଲୋକମାନସିକତା କିପରି ଗ୍ରହଣ ନ କରିବ ? ତେବେ କାଞ୍ଚି ଅଭିଯାନ ତଥା କାଞ୍ଚିକାବେରୀ ଜନଶ୍ରୁତିକୁ ଉତ୍କଳୀୟ ଜନବିଶ୍ଵାସ ଓ ଲୋକମାନସିକତା ଯେମିତି ଗ୍ରହଣ କରିଛି, ସେମିତି ଆଉ କୌଣସି ଜନଶ୍ରୁତିକୁ ଏପରି ବିଶ୍ଵାସର ସହ ଗ୍ରହଣ କରି ନାହିଁ । କାଞ୍ଚି ରାଜ୍ୟ ପୁଣି କାବେରୀ ନଦୀର ଅବବାହିକାରେ ଉଡ଼ିଛି ଉତ୍କଳର ବିଜୟ ବାନା । କାଞ୍ଚିର ଗର୍ବ ପଦ୍ମାବତୀ ଆଉ ନଦୀ କାବେରୀ ଉତ୍କଳର ହୋଇଛନ୍ତି-। ପଦ୍ମାବତୀ ହୋଇଛନ୍ତି ଉତ୍କଳର ମହାରାଣୀ । ଆଉ କାବେରୀ ନଦୀର ଗର୍ବକୁ ଅକ୍ତିଆର କରିଛନ୍ତି ଉତ୍କଳୀୟ ସୈନ୍ୟବାହିନୀ । ପରାଜିତ ରାଜ୍ୟ କାଞ୍ଚିର ସମସ୍ତ ଗୌରବ ଅଧୀନ ହୋଇଛି ଉତ୍କଳର । ଏହି କାଞ୍ଚିକାବେରୀ ଜନଶ୍ରୁତିକୁ ନେଇ ଆମ ଲୋକମାନସିକତାରେ ଉତ୍କଳୀୟ ବୀରତ୍ଵର ସ୍ଵତନ୍ତ୍ର ଛାପ ରହିଛି । ଜଗନ୍ନାଥ ମନ୍ଦିରର ଜଗମୋହନର କାନ୍ଥରେ ଘୋଡ଼ା ଉପରେ ଚଢ଼ିଥିବା ଜଗନ୍ନାଥ, ବଳଭଦ୍ରଙ୍କର ଓ ଦହି ହାଣ୍ଡି ମୁଣ୍ଡାଇ ଠିଆ ହୋଇଥିବା ମାଣିକ ଗଉଡ଼ୁଣୀର ମୂର୍ତ୍ତିଖୋଦିତ ହୋଇଅଛି । ମଧ୍ୟ ବାଲେଶ୍ଵର ନିକଟବର୍ତ୍ତୀ ଦେଉଳ ଗାଁ ଦୁର୍ଗର ଭଗ୍ନାବଶେଷ ମଧ୍ୟରେ ଘୋଡ଼ା ଉପରେ ଜଗନ୍ନାଥ ବଳଭଦ୍ରଙ୍କର ମୂର୍ତ୍ତି ଅଛି ବୋଲି ଲେଖିଛନ୍ତି । ପୁରୀରେ ଜଗନ୍ନାଥ ଜଗନ୍ନାଥଙ୍କର କାଞ୍ଚି କାବେରୀ ବେଶ, କେନ୍ଦ୍ରାପଡ଼ା ବଳଦେବଜୀଉଙ୍କର କାଞ୍ଚିକାବେରୀ ବେଶ, କାଞ୍ଚି କାବେରୀ ବେଶର ଚିତ୍ରପଟ ଓ ଅକ୍ଷୟ ମହାନ୍ତିଙ୍କର ଗୋଟିଏ ସଙ୍ଗୀତ ରେକର୍ଡ ଆଦି ଓଡ଼ିଆ ଜନଜୀବନରେ ଏଇ ଜନଶ୍ରୁତିରେ ମୁଦ୍ରାଙ୍କନ ବହନ କରେ ।’’ (୫)

 

କାଞ୍ଚିକାବେରୀ ଜନଶ୍ରୁତି ସମ୍ପର୍କରେ ଆଉ ଗୋଟିଏ କଥା ବିଚାର କରାଯାଇପାରେ । ଯେଉଁ ପରିବେଶ ଓ ବାତାବରଣରେ ଏହି ଜନଶ୍ରୁତି ଗଢ଼ିଉଠିଛି ତାହା ଓଡ଼ିଶା ପାଇଁ ନିଶ୍ଚିତ ଏକ ସଙ୍କଟର ସମୟ । ଏହି ଜନଶ୍ରୁତିର ପ୍ରାମାଣିକ ସତ୍ୟ ଅପେକ୍ଷା ଲୋକମାନସିକତାରେ ଏହାର ବିଶ୍ଵାସ ଓ ଗ୍ରହଣଯୋଗ୍ୟତା ବଡ଼ କଥା । ଜଗନ୍ନାଥ ବଳଭଦ୍ରଙ୍କର କାଞ୍ଚି ଯୁଦ୍ଧରେ କଳାଘୋଡ଼ା ଓ ଧଳାଘୋଡ଼ାର ଚଢ଼ି ଅଂଶ ଗ୍ରହଣ କରିବା ହେଉଛି ଉତ୍କଳୀୟ ଜନମାନସିକତାର ସବୁଠାରୁ ଅଧିକ ବିଶ୍ଵାସର ବିଷୟ । ତେଣୁ ପୁରୁଷୋତ୍ତମ-ପଦ୍ମାବତୀ ଅପେକ୍ଷା, ବଡ଼ଠାକୁର ଓ ମାଣିକ ଗଉଡ଼ୁଣୀ ଏହି ଜନଶ୍ରୁତିର ମୁଖ୍ୟ ବିଶ୍ଵାସର ଆଧାର ହୋଇଛନ୍ତି । କାଞ୍ଚି-ଉତ୍କଳ ମଧ୍ୟରେ ଯୁଦ୍ଧର ସତ୍ୟତା ଥାଇପାରେ, କିନ୍ତୁ ଜଗନ୍ନାଥ-ବଳଭଦ୍ର ପ୍ରତ୍ୟକ୍ଷ ଯୁଦ୍ଧରେ ଯୋଗଦାନ କରିବାଟା ଅସଙ୍ଗତ ମନେ ହେଉଛି । ଯଦି ଜଗନ୍ନାଥ-ବଳଭଦ୍ର ପ୍ରତ୍ୟକ୍ଷ ଯୁଦ୍ଧରେ ଯୋଗ ଦେଇଥିଲେ, ତେବେ ଯବନ ଆକ୍ରମଣବେଳେ ସେମାନେ ନୀରବ ଥିଲେ କାହିଁକି ? କେବଳ ଉତ୍କଳୀୟ ସୈନ୍ୟମାନଙ୍କର ଯୁଦ୍ଧରେ ମନୋବଳ ବୃଦ୍ଧି କରିବା ପାଇଁ ଏହିପରି ପରିକଳ୍ପନା କରାଯାଇଛି ।

 

ଏସବୁ ସତ୍ତ୍ଵେ କାଞ୍ଚିକାବେରୀ ଆମ ବିଶ୍ଵାସର ଭରସାର ଜୀବନ୍ତ ପ୍ରତିଛବି । ଆମ ଆଧ୍ୟାତ୍ମିକ ବିଶ୍ଵାସ ଓ ଧର୍ମ ଧାରଣାର ଏହି ଜନଶ୍ରୁତି ସତ୍ୟର କୁହୁକ ଜାଲ ବିସ୍ତାର କରିଛି । କିନ୍ତୁ ଆମ ଲୋକମାନସିକତାରେ ଏହା ବୀରତ୍ଵ ଓ ଶୌର୍ଯ୍ୟର ଏକ ଅମଳିନ ଗାଥା ହୋଇରହିଛି ।

 

 

ପ୍ରାନ୍ତଟୀକା :

୧.

ମାଦଳାପାଞ୍ଜି : ମୃତ୍ୟୁଞ୍ଜୟ ନାୟକ (ସମ୍ପାଦନା), ପୃ. ୨୪୮

୨.

ତତ୍ରୈବ, ପୃ. ୨୫୦

୩.

ଓଡ଼ିଶା ଇତିହାସ : ଡ. ଅତୁଲଚନ୍ଦ୍ର ପ୍ରଧାନ, ପୃ.୧୨୫

୪.

ଜନଶ୍ରୁତିରେ କାଞ୍ଚି କାବେରୀ : ଡ. ଗଗନେନ୍ଦ୍ର ନାଥ ଦାଶ, ପୃ. ୧୪

୫.

ତତ୍ରୈବ, ପୃ. ୧୪

 

 

ଗ୍ରା. ପାଣିତୋଳ, ପୋ. କଣ୍ଟି, ଭାୟା. ପିପିଲି

ଜି. ପୁରୀ, ପିନ୍‍-୭୫୨୧୦୪

ଫୋ-୯୯୩୮୫୧୬୪୯୭

 

***

 

ଓଡ଼ିଶାର ଜନଶ୍ରୁତି ଓ ଚଳଣିରେ ଶ୍ରୀଜଗନ୍ନାଥ

ଡକ୍ଟର ଦେବାଶିଷ ପାତ୍ର

 

ଅନେକ ସ୍ମୃତି ଓ ସଂରଚନାର ଉର୍ଦ୍ଧ୍ଵରେ ଥାଇ ଶ୍ରୀଜଗନ୍ନାଥ ସଂସ୍କୃତି ଉତ୍କଳୀୟ ସଂସ୍କୃତିର ଅଭେଦ୍ୟ ଓ ଅବିଚ୍ଛିନ୍ନ ଅଂଗ, ଯାହା ଭିତରେ ରହିଛି ଓଡ଼ିଆ ଜାତିର ସ୍ପନ୍ଦନ ଓ ଉଚ୍ଛ୍ୱାସ । ଇତିହାସ, ସାହିତ୍ୟ, ଧର୍ମ ଓ ଚଳଣୀର କେନ୍ଦ୍ରବିନ୍ଦୁରେ ସ୍ଵୟଂ ଜଗନ୍ନାଥହିଁ ଓଡ଼ିଆ ପ୍ରାଣ । ତେଣୁ ଉତ୍କଳୀୟତା ଓ ଶ୍ରୀଜଗନ୍ନାଥ ଅଭିନ୍ନ । ସେଥିପାଇଁ ସେ ଲିଖିତ ଓ ଅଲିଖିତ । ସାମାଜିକ ପରମ୍ପରାରେ ଫେଣ୍ଟି ହୋଇଯାଇଛନ୍ତି । ଅପୂର୍ବ ରଂଗରାଗ ନେଇ ଯେଉଁଠି ସ୍ଵୟଂ ଶବ୍ଦବ୍ରହ୍ମ ହିଁ କ୍ଲାନ୍ତ ହୁଏନାହିଁ । ତାଙ୍କ ସୃଷ୍ଟିର ପରମ ଗାଥାକୁ ବଖାଣିବାକୁ ଯାଇ ଖାଲି ଓଡ଼ିଶାର ସିମୀତ ବେଷ୍ଟନୀ କାହିଁକି ବରଂ ସୀମାତୀତ ହୋଇ ଶ୍ରୀଜଗନ୍ନାଥ ଚେତନା ଚେର ମଡ଼ାଏ ମହାଭାରତୀୟ ପୃଷ୍ଠଭୂମିରେ ଆଉ ଲୋକକଥା, ଜନଶ୍ରୁତିରେ ଆଣେ ଅମୃତ ଅନୁଭବ, ଯାହା ମହାକାଳର କ୍ଷୟକାରୀ ଶକ୍ତିକୁ ଏଡ଼ାଇ ଯାଇ ଅକ୍ଷର ଓ ଅପରିବର୍ତ୍ତନୀୟ ।

 

ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶାରେ ରହିଛି ଅନେକ ଜନଶ୍ତୁତି, ଯାହା ଲୋକକାହାଣୀର ଆବେଗ ଓ ବିଶ୍ଵାସରେ ସୁଦୂରପ୍ରସାରୀ ଶ୍ରୀଜଗନ୍ନାଥଙ୍କୁ ନେଇ ସେହି ଜନଶ୍ରୁତି ଅସତ୍ୟ ନୁହେଁ, ଅର୍ଦ୍ଧସତ୍ୟ; ନିକଟ ଅତୀତରେ ଘଟିଥିଲା ବୋଲି ବିଶ୍ଵାସ । ଯେଉଁଥିପାଇଁ ଐତିହାସିକ ଓ ଗବେଷକଗଣ ତା’ଭିତରୁ ଅନ୍ତରଙ୍ଗ ସତ୍ୟଟିକୁ ଖୋଜିବାରେ ପ୍ରୟାସୀ । ସ୍ଥାନ, କାଳ, ପାତ୍ର ସବୁ ସଂସ୍କୃତିର ଅଂଶ ବିଶେଷ ରୂପେ ଅତ୍ୟନ୍ତ ଲୌକିକ । ତେଣୁ ଜନଶ୍ରୁତି ଆଧାରରେ ଲୋକମାନସରେ ସ୍ଵୟଂ ଜଗନ୍ନାଥ ଏବଂ ତାଙ୍କ ପରିବ୍ୟାପ୍ତି ଲୋକସଂକେତ ଭାବରେ ଗୃହୀତ ।

 

ଜନଶ୍ରୁତିର ଏକ ସର୍ବମାନ୍ୟ ନିୟମ ରହିଛି ଯାହାକୁ ଆଧାର କରି ଚରିତ୍ର, ଶୈଳୀ ଓ ବିଷୟର ରୂପ ନିର୍ମାଣ କରାଯାଏ । ପୁଣି ଜନଶ୍ରୁତି ଶିକ୍ଷଣୀୟ ହୋଇଥିବାରୁ, ସଂସ୍କୃତିକୁ ମାନ୍ୟତା ଦେଇଥିବାରୁ ସାମାଜିକ ବ୍ୟବହାର ଚଳଣୀରେ ତାହାର ପ୍ରଭାବ ଥିବାରୁ ଆବଶ୍ୟକତା ଦୃଷ୍ଟିରୁ ଗାଥା, କାହାଣୀ, ଗୀତ ଓ ଲୋକୋକ୍ତି ଭାବରେ ରୂପ ପାଇଥାଏ । ଏହାର ମୂଳ ଲକ୍ଷ୍ୟ ଆନ୍ତଃସାଂସ୍କୃତିକ ଅଧ୍ୟୟନ ଓ ପଟ୍ଟଭୂମିର ବିଷୟ ବିଶ୍ଲେଷଣ ଶ୍ରୀଜଗନ୍ନାଥ କୈନ୍ଦ୍ରିକ ଜନଶ୍ରୁତି ସବୁ ସେହି ଆଧାରରେ ଆଜି ବି ନୂଆ ପରି; ଯାହାର ପ୍ରକାର୍ଯ୍ୟ ଓ ନାନ୍ଦନିକ ମୂଲ୍ୟ ଅତ୍ୟନ୍ତ ଉଚ୍ଚକୋଟିର-। ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶାର ପୃଷ୍ଠଭୂମିରେ ଜନମାନସରେ ପ୍ରଚଳିତ ଜନଶ୍ରୁତି ସବୁ ତାଙ୍କ ସୃଷ୍ଟି ଓ ମହିମା ଆଧାରିତ, ଯେଉଁଠି ଶ୍ରୀମନ୍ଦିର ନିର୍ମାଣ, ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ, ଉକ୍ତିକୈନ୍ଦ୍ରିକ ବିଶେଷତା ଏବଂ ଶ୍ରୀଜଗନ୍ନାଥ ଚେତନା ସହିତ ଜଡ଼ିତ ଥିବା ଚରିତ୍ର ଯଥା ଇନ୍ଦ୍ରଦ୍ୟୁମ୍ନ, ବିଶ୍ଵାବସୁ, ବିଦ୍ୟାପତି, ଲଳିତା, ଗୁଣ୍ଡିଚାଦେବୀ ଏବଂ ପୁରୁଷୋତ୍ତମଦେବ । ତେବେ ଜନଶ୍ରୁତି ସମୂହର ପ୍ରାଚୀନତା କେଉଁ କାଳରୁ ଗଡ଼ିଆସିଅଛି, ତାହା ବିଚାର କଲେ ଜଗନ୍ନାଥ ଉପାସନା, ପରମ୍ପରାର ଲୋକପ୍ରିୟତା ଓ ଶ୍ରୀଜଗନ୍ନାଥ ଲୋକଦେବତା ବା ଗଣଦେବତା ରୂପେ ପୂଜା ପାଇବାର ସମୟକୁ ଦୃଷ୍ଟି ନିକ୍ଷେପ କରିବାକୁ ପଡ଼େ । ଏହାର କାରଣ ଲୋକଦେବତାମାନେ ସାଧାରଣତଃ ଜନଶ୍ରୁତି ବା କିମ୍ବଦନ୍ତୀ ଭିତରକୁ ସହଜରେ ଆସିଥାନ୍ତି । ତେଣୁ ଶ୍ରୀଜଗନ୍ନାଥ ଜନଶ୍ରୁତି ଭିତରେ ଏପରିକି ଓଡ଼ିଆ ପ୍ରାଣରେ ସମାହିତ ହୋଇ ଆସିଛନ୍ତି । କେଉଁ ପ୍ରାଚୀନ କାଳରୁ, ଯେବେଠାରୁ ଦାରୁ ଦେବତାର ପୂଜା ହୋଇଆସିଛି ବୃକ୍ଷ ରୂପରେ । ତେବେ ଯେଉଁ ପ୍ରମୁଖ ଜନଶ୍ରୁତି ସବୁ ଜଗନ୍ନାଥଙ୍କୁ କେନ୍ଦ୍ର କରି ଲୋକ ମୁଖରେ ଏବେ ବି ପ୍ରଚଳିତ ସେହି ଜନଶ୍ରୁତିରୁ କିଛି ଉପସ୍ଥାପନା କରାଗଲା ଯାହା ଲୋକମୁଖରୁ ଯାଇ ପୁରାଣ ଓ ଇତିହାସ ରୂପେ ଲୋକବିଶ୍ଵାସକୁ ଆହୁରି ସୁଦୃଢ଼ କରିଛି ।

 

 

(୧) ଇନ୍ଦ୍ରଦ୍ୟୁମ୍ନ ଓ ଦେଉଳ ତୋଳା ପ୍ରସଙ୍ଗ

ଇନ୍ଦ୍ରଦ୍ୟୁମ୍ନ ହିଁ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ଏ ନେଇ ଜନମାନସରେ ଜନଶ୍ରୁତିଟିଏ ରହିଛି । ଯାହା ଅତ୍ୟନ୍ତ ଲୋକପ୍ରିୟ ଏବଂ ଐତିହାସିକ ସତ୍ୟପରି ଲୋକଙ୍କ ଦ୍ଵାରା ଗ୍ରହଣୀୟ । ଜନଶ୍ରୁତିର ଏହି ଇନ୍ଦ୍ରଦ୍ୟୁମ୍ନ ଓ ଦେଉଳ ତୋଳା କାହାଣୀକୁ ପରବର୍ତ୍ତୀ ସମୟରେ ଦୃଢ଼ ପ୍ରତିଷ୍ଠା ଦେବାରେ ‘ସ୍କନ୍ଦପୁରାଣ’, ‘ବ୍ରହ୍ମପୁରାଣ’, ‘ପଦ୍ମପୁରାଣ’ ଓ ‘ଜ୍ଞାନସିଦ୍ଧି’ ପରି ଗ୍ରନ୍ଥର ଭୂମିକା ରହିଛି । ରାଜା ଇନ୍ଦ୍ରଦ୍ୟୁମ୍ନ ଆତ୍ମାର ମୋକ୍ଷ ପାଇଁ ବ୍ରହ୍ମାଙ୍କୁ ଉପାୟ ଜିଜ୍ଞାସା କରନ୍ତେ ସେ ଉତ୍କଳ ରାଜ୍ୟର ସମୁଦ୍ରତଟରେ ଥିବା ନୀଳ ପର୍ବତ ଉପରେ ଦେଉଳଟିଏ ନିର୍ମାଣ କରି ପୁରୁଷୋତ୍ତମ କ୍ଷେତ୍ର ପ୍ରତିଷ୍ଠା ପାଇଁ ଉପଦେଶ ଦେଇଛନ୍ତି ।

 

ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳପର୍ବତ ଉପରେ ମନ୍ଦିରଟିଏ ନିର୍ମାଣ କରି ତାହାର ପ୍ରତିଷ୍ଠା ଓ ଶୁଭ ଅନୁକୂଳ କରିବା ଉଦ୍ଦେଶ୍ୟରେ ସ୍ଵର୍ଗଲୋକକୁ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ଯାଇଛନ୍ତି । ସ୍ଵର୍ଗଲୋକର ଗୋଟିଏ ଦିନ ପୃଥିବୀ ପୃଷ୍ଠରେ ଅନେକ ବର୍ଷ । ତେଣୁ ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ନେଇ ସ୍ଵର୍ଗଲୋକରୁ ଫେରିବା ଭିତରେ ପୃଥିବୀରେ ଅନେକ କିଛି ବଦଳିଯାଇଛି । ଏହା ଭିତରେ ଉତ୍କଳର ରାଜା ହୋଇଛନ୍ତି ଗାଲମାଧବ । ସେ ସମୁଦ୍ରତଟ ଦେଶରେ ବାଲୁକା ସ୍ତୂପ ଉପରେ ଘୋଡ଼ାରେ ଯାଉଥିବାବେଳେ ମନ୍ଦିରର ନୀଳଚକ୍ର ଘୋଡ଼ାର ଟାପୁରେ ବାଜିଛି । ବାଲିକାସ୍ତୂପ ଭିତରେ କିଛି ଅଛି ଭାବି ରାଜା ଗାଲମାଧବ ଲୋକ ଲଗାଇ ଖୋଳିଛନ୍ତି ଏବଂ ତା’ ଭିତରୁ ସୁନ୍ଦର ମନ୍ଦିରଟିଏ ବାହାରିଛି । ମନ୍ଦିରର ଶୁଭ ଅନୁକୂଳ କରିବା ପୂର୍ବରୁ ଇନ୍ଦ୍ରଦ୍ୟୁମ୍ନ ଓ ବ୍ରହ୍ମା ଆସି ପହଞ୍ଚିଛନ୍ତି ସେଇଠି । ସେଠାରେ ଗାଲମାଧବ କହିଛନ୍ତି ସେହି ମନ୍ଦିରର ସ୍ରଷ୍ଟା । ମାତ୍ର ଇନ୍ଦ୍ରଦ୍ୟୁମ୍ନ କହିଛନ୍ତି ସେ ମନ୍ଦିର ନିର୍ମାଣ କରି ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବା ପାଇଁ ଯାଇଥିଲେ । ଆଉ ସେ ଯେ ମନ୍ଦିରର ନିର୍ମାତା ତାହାର ସାକ୍ଷୀ ହେଉଛନ୍ତି କଚ୍ଛପ ଓ ଭୁଷଣ୍ଡ କାକ । ଶେଷରେ କଚ୍ଛପ ଓ କାକଠାରୁ ମନ୍ଦିର ନିର୍ମାଣ ବୃତ୍ତାନ୍ତ ଶୁଣିଲା ପରେ ଗାଲମାଧବ ଜାଣିଛନ୍ତି ଇନ୍ଦ୍ରଦ୍ୟୁମ୍ନ ହିଁ ପ୍ରକୃତରେ ମନ୍ଦିରର ନିର୍ମାତା । ସେ କେବଳ ପୁନରୁଦ୍ଧାର କରିଛନ୍ତି । ଦେଉଳ ତୋଳା, ଇନ୍ଦ୍ରଦ୍ୟୁମ୍ନ ଓ ଗାଲମାଧବଙ୍କ ଏହିଭଳି ଜନଶ୍ରୁତି ଓଡ଼ିଶାର ପୁରପଲ୍ଲୀରେ ରହିଛି । ଏଥିସହିତ କେଉଁଠି କେଉଁଠି କୂର୍ମ ପ୍ରସଙ୍ଗଟି ଭିନ୍ନ ଭାବରେ ଶୁଣିବାକୁ ମିଳେ, ଏପରିକି ଦେଉଳ ତୋଳାବେଳେ ପଥର ବୋହି ମଣିଷମାନେ କୂର୍ମ ପାଲଟି ଯାଇଛନ୍ତି । ପବିତ୍ର କର୍ମ କରିଥିବାରୁ ସେମାନେ ଦୀର୍ଘାୟୁ । ଯଦିଓ ଏପରି ଜନଶ୍ରୁତିର ସତ୍ୟତା କିଛି ନାହିଁ ତଥାପି ଲୋକବିଶ୍ଵାସରେ ତାହା ବଞ୍ଚି ରହିଛି ।

 

(୨) ନୀଳମାଧବ, ବିଦ୍ୟାପତି ଓ ଲଳିତା ପ୍ରସଙ୍ଗ

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ଦ୍ଦେଶରେ ବ୍ରାହ୍ମଣ ବିଦ୍ୟାପତି ନୀଳମାଧବଙ୍କ ସନ୍ଧାନରେ ଯାଇ ଶବର ପଲ୍ଲୀରେ ପହଞ୍ଚିଲେ । ସେଠାରେ ନୀଳମାଧବଙ୍କ ଉପସ୍ଥିତିର ସତ୍ୟାସତ୍ୟ ଜାଣିବା ପାଇଁ ଶବର ବିଶ୍ଵାବସୁଙ୍କ କନ୍ୟା ଲଳିତାଙ୍କୁ ବିବାହ କଲେ । କିଛିଦିନ ଅତିବାହିତ କଲା ପରେ ସେ ନୀଳମାଧବଙ୍କ ଦର୍ଶନ ପାଇଁ ତାଙ୍କ ଇଚ୍ଛା ଲଳିତାଙ୍କୁ ଜଣାଇଲେ । ନୀଳମାଧବଙ୍କ ଦର୍ଶନ ପାଇଁ ନେବା ସମୟରେ ବିଦ୍ୟାପତିଙ୍କ ଆଖିରେ କଳାପଟି ବାନ୍ଧି ଦେଇ ତାଙ୍କ ପଛେ ପଛେ ଯିବାପାଇଁ କହିଲେ । ନୀଳମାଧବଙ୍କ ଦର୍ଶନ ପାଇଁ ଯିବା ସମୟରେ ବିଦ୍ୟାପତି ସାଥିରେ ନେଇଥିବା ସୋରିଷ ରାସ୍ତାରେ ପକାଇ ପକାଇ ଯାଇଥିଲେ । ନୀଳମାଧବଙ୍କ ଦର୍ଶନ ପରେ ବିଦ୍ୟାପତି ଶବର ପଲ୍ଲୀରୁ ବିଦାୟ ନେଇ ଇନ୍ଦ୍ରଦ୍ୟୁମ୍ନଙ୍କ ପାଖରେ ପହଞ୍ଚିଲେ । ଏହା ଭିତରେ ବର୍ଷାଋତୁ ଆସିବାରୁ ଶବର ପଲ୍ଲୀରୁ ନୀଳମାଧବଙ୍କ ଆସ୍ଥାନ ଯାଏଁ ସୋରିଷ ଗଛ ଉଠିଲା । ସ୍ଵୟଂ ଇନ୍ଦ୍ରଦ୍ୟୁମ୍ନ ଏବଂ ବିଦ୍ୟାପତି ନୀଳମାଧବଙ୍କୁ ନେବାପାଇଁ ସେହି ରାସ୍ତାରେ ଆସିଲେ । ବିଶ୍ଵାବସୁ ଏହା ଜାଣିଲା ପରେ ନୀଳମାଧବଙ୍କୁ ପ୍ରାର୍ଥନା କରିବାରୁ ସେ ଅନ୍ତର୍ଦ୍ଧାନ ହୋଇଗଲେ । ରାଜାଙ୍କୁ ସ୍ଵପ୍ନାଦେଶ ହେଲା ନୀଳମାଧବ ଦାରୁରୂପରେ ମହୋଦଧି କୂଳରେ ଲାଗିବେ ଏବଂ ସେହି ଦାରୁରୁ ମୂର୍ତ୍ତି ନିର୍ମାଣ କରି ମନ୍ଦିରରେ ପ୍ରତିଷ୍ଠା କରାଯିବ । ବହୁଳ ପ୍ରଚଳିତ ଏହି ଜନଶ୍ରୁତି ବିଭିନ୍ନ ପୁରାଣମାନଙ୍କରେ ବର୍ଣ୍ଣିତ ହୋଇ ଜନମାନସରେ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ସହିତ ଜନଶ୍ରୁତିକୁ ଭକ୍ତଙ୍କ ବିଶ୍ଵାସ ସହିତ ଯୋଡ଼ି ଦେଇଛି ।

 

(୩) ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ

ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ଜନଶ୍ରୁତିରେ ଭିନ୍ନ ଭିନ୍ନ କଥାର ବ୍ୟାଖ୍ୟା ରହିଛି । କେଉଁଠି କିମ୍ବଦନ୍ତୀରେ ସ୍ଵୟଂ ଜଗନ୍ନାଥହିଁ ବୁଢ଼ା ବଢ଼େଇ ରୂପରେ ଆସି ସ୍ଵମୂର୍ତ୍ତି ଗଢ଼ିବା କଥା ଶୁଣିବାକୁ ମିଳୁଥିବାବେଳେ କେଉଁଠି ସ୍ଵୟଂ ବିଶ୍ଵକର୍ମା ବୁଢ଼ା ବଢ଼େଇ ରୂପରେ ଆସି ମୂର୍ତ୍ତି ଗଢ଼ିବା କଥା ପ୍ରଚଳିତ ଅଛି । କେତେକ ସ୍ଥଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଆସି ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବା ପ୍ରସଙ୍ଗ ଜନଶ୍ରୁତିରେ ରହିଛି ।

 

ଅଶ୍ଵମେଧ ଯଜ୍ଞ ପରଦିନ ନୀଳମାଧବ ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ଵପ୍ନରେ ଦର୍ଶନ ଦେଇ କହିଲେ, ଚାରିଶାଖା ଯୁକ୍ତ ମହାଦାରୁ ସମୁଦ୍ର କୂଳରେ ଆସି ଲାଗିବ । ସେହି ଦାରୁକୁ ଆଣି ମହାବେଦୀରେ ରଖିଲା ପରେ ବୁଢ଼ା ବଢ଼େଇଟିଏ ଆସି ପହଞ୍ଚିବ ମୂର୍ତ୍ତି ନିର୍ମାଣ ପାଇଁ ତାଙ୍କୁ ମହାବେଦୀ ନିକଟକୁ ପଠାଇ ଏକୋଇଶ ଦିନ ଯାଏଁ ଦ୍ଵାରରୁଦ୍ଧ କରିରଖିବ । ଗଠନ କାର୍ଯ୍ୟ ନ ସରିବା ଯାଏଁ କେହି ଦ୍ଵାର ଖୋଲିବେ ନାହିଁ ।

 

ସ୍ଵପ୍ନାଦେଶ ଅନୁଯାୟୀ ସମସ୍ତ ଘଟଣା ଘଟିଲା । ଇନ୍ଦ୍ରଦ୍ୟୁମ୍ନଙ୍କ ଅନୁରୋଧକ୍ରମେ ବୁଢ଼ା ବଢ଼େଇ ମୂର୍ତ୍ତି ନିର୍ମାଣରେ ଲାଗିଲେ । ଏକୋଇଶ ଦିନ ହେବାକୁ କିଛିଦିନ ବାକି ଅଛି ରୁଦ୍ଧ ଦ୍ଵାର ଭିତରୁ ଶୁଭୁଥିବା ଶବ୍ଦ ଆଉ ଶୁଭିଲା ନାହିଁ । ରାଣୀ ଗୁଣ୍ଡିଚାଙ୍କ ନିର୍ଦ୍ଦେଶରେ ଦ୍ଵାର ଖୋଲାଗଲା । ଭିତରେ ବଢ଼େଇ ନ ଥିଲେ ଏବଂ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ଅଧାଗଢ଼ା ହୋଇରହିଗଲା ।

 

ଅନେକତ୍ର ଜନଶ୍ରୁତିରେ ଏହି ଧରଣର କାହାଣୀର ପ୍ରଚଳନ ଥିଲାବେଳେ ଆଉ କେତେକ ସ୍ଥଳରେ ଚତୁର୍ଦ୍ଧାମୂରତି କଥା ବର୍ଣ୍ଣିତ ହୋଇଥାଏ, ଯେଉଁଥିରେ ମହାଦାରୁକୁ ମହାବେଦୀ ଉପରେ ପାଟକନା ଘୋଡ଼ାଇ ଦ୍ଵାରରୁଦ୍ଧ କରାଗଲା ଓ ପନ୍ଦରଦିନ ପରେ ବଳଭଦ୍ର, ସୁଭଦ୍ରା ଜଗନ୍ନାଥ ଓ ସୁଦର୍ଶନ ଦୃଶ୍ୟମାନ ହେଲେ ବୁଢ଼ା ବଢ଼େଇ ରୂପରେ । ସ୍ଵୟଂ ଜଗନ୍ନାଥ କେବଳ ଯୋଗସୂତ୍ର ସ୍ଥାପନ କରିଥିଲେ ।

 

(୪) ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ

ମହାରାଜା ଇନ୍ଦ୍ରଦ୍ୟୁମ୍ନ ଯଜ୍ଞବେଦୀ ଓ ସଭାମଣ୍ଡପ କରି ଅଶ୍ଵମେଧ ଯଜ୍ଞର ଆୟୋଜନ କଲେ । ଅଶ୍ଵମେଧ ଯଜ୍ଞ ସମୟରେ ଯେଉଁ ଗୋଦାନ କରାଯାଇଥିଲା, ସେମାନଙ୍କ ଖୁରା ବାଜି ଏକ ମହାଗର୍ତ୍ତ ସୃଷ୍ଟି ହେଲା । ଦାନକାଳୀନ ଶଙ୍ଖ ଜଳରେ ସେହି ଗର୍ତ୍ତ ପରିପୂର୍ଣ୍ଣ ହୋଇ ପୁଷ୍କରିଣୀରେ ପରିଣତ ହେଲା । ପରବର୍ତ୍ତୀ ସମୟରେ ଏହା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନାମରେ ଜନଶ୍ରୁତିରେ ପରିଚିତ ହେଲା । ଜଗନ୍ନାଥ ମନ୍ଦିର ନିର୍ମାଣ କାରଣରୁ ଏହା ସୃଷ୍ଟି ହୋଇଥିବାରୁ ସ୍ନାନ ପାଇଁ ଏହି ପୁଷ୍କରିଣୀ ଅତ୍ୟନ୍ତ ପବିତ୍ର । ଜଗନ୍ନାଥ ଧାମର ପଞ୍ଚତୀର୍ଥ ମଧ୍ୟରୁ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଅନ୍ୟତମ । ଜଗନ୍ନାଥ ଚେତନା ସହିତ ଜଡ଼ିତ ଅନ୍ୟ ଚାରିତୀର୍ଥ-ମାର୍କଣ୍ଡେୟ ପୁଷ୍କରିଣୀ, ରୋହିଣୀକୁଣ୍ଡ, ଶ୍ଵେତଗଙ୍ଗା ଓ ମହୋଦଧିକୁ ନେଇ ଜନଶ୍ରୁତିରେ ବିଭିନ୍ନ କାହାଣୀ ରହିଛି ଯାହା ସେମାନଙ୍କ ବିଶ୍ଵାସକୁ ପୁରାଣ ରୂପରେ ପରବର୍ତ୍ତୀ ସମୟରେ ସକାରାତ୍ମକ ଭାବ ସୃଷ୍ଟି କରିଛି ।

 

(୫) କାଞ୍ଚି ଅଭିଯାନ ଓ ମାଣିକ ଗଉଡ଼ୁଣୀ ପ୍ରସଙ୍ଗ

ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ନେଇ ଓଡ଼ିଶାରେ ସର୍ବାଧିକ ଜନଶ୍ରୁତି ରହିଛି । ତେବେ ଉତ୍କଳର ରାଜା ପୁରୁଷୋତ୍ତମ ଦେବଙ୍କ ପାଇଁ ସ୍ଵୟଂ ଜଗନ୍ନାଥ ଓ ବଳଭଦ୍ର କାଞ୍ଚି ଅଭିଯାନରେ ଯାଇ ଯୁଦ୍ଧରେ ଅଂଶଗ୍ରହଣ କରିବା କଥା ଜନଶ୍ରୁତିରେ ପ୍ରଚଳିତ । ଯଦିଓ ଏହାର ଐତିହାସିକ ସତ୍ୟତା ନାହିଁ ତଥାପି ଏହିଭଳି ପ୍ରସଙ୍ଗ ବିଭିନ୍ନ ପୁରାଣ ଓ ମାଦଳା ପାଞ୍ଚିରେ ବର୍ଣ୍ଣିତ ।

 

ଉତ୍କଳର ରାଜା ପୁରୁଷୋତ୍ତମ ଦେବ ଓ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇ କାଞ୍ଚି ରାଜାଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ । କାରଣ ଉତ୍କଳର ରାଜା ରଥଯାତ୍ରା ସମୟରେ ଯେଉଁ ଛେରା ପହଁରା କରନ୍ତି ତାହା ଏକ ଚଣ୍ଡାଳର କାର୍ଯ୍ୟ ବୋଲି କାଞ୍ଚିରାଜାଙ୍କ ଧାରଣା, ତେଣୁ ସେ ଚଣ୍ଡାଳ ହାତରେ ନିଜ କନ୍ୟାକୁ ଅର୍ପଣ କରିବାକୁ ଚାହାନ୍ତି ନାହିଁ । ଏହି ଅପମାନର ପ୍ରତିଶୋଧ ପାଇଁ ରାଜା ପୁରୁଷୋତ୍ତମ ଦେବ କାଞ୍ଚି ଉପରେ ଆକ୍ରମଣ କରି ପରାଜିତ ହୁଅନ୍ତି ।

 

ଭଗ୍ନ ମନୋରଥ ରାଜା ଶ୍ରୀଜଗନ୍ନାଥଙ୍କ ଦେଉଳରେ ଅଧିଆ ପଡ଼ି ଯୁଦ୍ଧରେ ଜିତିବାର ସ୍ଵପ୍ନାଦେଶ ପାଇ ପୁଣି ଯୁଦ୍ଧ ଯାତ୍ରା ପାଇଁ ସଜବାଜ ହୁଇନ୍ତି । ଯୁଦ୍ଧଯାତ୍ରାରେ ଯିବାବେଳେ ପୁରୁଷୋତ୍ତମ ଦେବଙ୍କୁ ରାସ୍ତା ଅଟକାଇ ଦିଅନ୍ତି ମାଣିକ ଗଉଡ଼ୁଣୀ । ରାଜାଙ୍କୁ ରତ୍ନମୁଦିଟିଏ ଦେଇ ତାଙ୍କ ଦହିର ପାଉଣା ମାଗନ୍ତି । ରାଜା ଆଶ୍ଚର୍ଯ୍ୟ ହୁଅନ୍ତି ସେହି ରତ୍ନମୁଦିକୁ ଦେଖି; କାରଣ ସେହି ମୁଦି ଶ୍ରୀଜଗନ୍ନାଥଙ୍କର ।

 

ମାଣିକ ଗଉଡ଼ୁଣୀ ରାଜାଙ୍କୁ କହିଛି, ‘ଆପଣଙ୍କର ଦୁଇଜଣ ପାଇକ କଳା-ଧଳା ଘୋଡ଼ାରେ ଚଢ଼ି ଏଇପଟେ ଯୁଦ୍ଧ ପାଇଁ କାଞ୍ଚିଦେଶକୁ ଗଲେ । ସେମାନେ ମୋ ଠାରୁ ଦହି ପିଇଛନ୍ତି-। ପାଉଣା ମାଗିବାରୁ ଏହି ମୁଦିଟି ଦେଇ କହିଲେ ଆମ ରାଜା ପଛରେ ଆସୁଛନ୍ତି ତାଙ୍କୁ ମୁଦି ଦେଇ ପାଉଣା ନେଇଯିବ ।’

 

ରାଜା ପୁରୁଷୋତ୍ତମ ଦେବ ଭାବ ଗଦଗଦ୍ ହୋଇ ମାଣିକ ଗଉଡ଼ୁଣୀ ନାମରେ ନିଷ୍କର ଗାଁ ଖଞ୍ଜି ଦେଇ କହିଲେ ଆଜିଠୁ ଏହା ‘ମାଣିକ ପାଟଣା’ ନାମରେ ନାମିତ ହେବ । କାରଣ ସ୍ଵୟଂ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସିଏ ନିଜ ହାତରେ ଦହି ପିଆଇଛନ୍ତି । ରାଜା ବି ନିଜକୁ କୃତକୃତ୍ୟ ମନେ କଲେ କାରଣ ଭକ୍ତ ପାଇଁ ଭଗବାନଙ୍କର ଏହି କାଞ୍ଚି ଅଭିଯାନ ତାଙ୍କର ନିଶ୍ଚୟ ବିଜୟ ଆଣିଦେବ । ରାଜା ପୁରୁଷୋତ୍ତମଙ୍କ କାଞ୍ଚି ଅଭିଯାନ ସଫଳ ହେଲା ଏବଂ ପରେ ସିଏ ପଦ୍ମାବତୀଙ୍କୁ ବିବାହ କଲେ ।

 

(୬) ଶ୍ରୀଜଗନ୍ନାଥ ଓ ଗୀତଗୋବିନ୍ଦ ପ୍ରସଙ୍ଗ

କବି ଜୟଦେବ ଶ୍ରୀଜଗନ୍ନାଥଙ୍କର ଅନିର୍ବଚନୀୟ ଗୋପୀଭାବ ଓ ରାଧାପ୍ରେମକୁ ବର୍ଣ୍ଣନା କରିବା ପ୍ରୟାସରେ ଗୀତଗୋବିନ୍ଦ ରଚନା କରୁ କରୁ ପଦପୂରଣ କରି ନାହାନ୍ତି ଶେଷ ଆଡ଼କୁ । ଯେଉଁ ପଂକ୍ତିରେ ବର୍ଣ୍ଣିତ ହେବ, ମାନଭଞ୍ଜନ ପାଇଁ ଶ୍ରୀରାଧାଙ୍କ ଚରଣରେ ଶ୍ରୀକୃଷ୍ଣଙ୍କ ଆତ୍ମସମର୍ପଣ-। କବି କଳ୍ପନାରେ କ’ଣ ରାଧାଙ୍କ ଚରଣ ଭଗବାନଶିରରେ ଧାରଣ କରିବେ କାରଣ ସମଗ୍ର ଜଗତ ଯାହାଙ୍କ ଚରଣ ବନ୍ଦନା କରୁଛି ତାଙ୍କୁ ଏମିତି ଭାବରେ ବର୍ଣ୍ଣନା କରାଯାଇପାରିବ ନାହିଁ ।

 

ସ୍ନାନ ସାରି ଜୟଦେବ ଫେରିଲାପରେ ଅର୍ଦ୍ଧରଚିତ ପଦର ପାଦପୂରଣ ହୋଇଥିବାର ଦେଖିଲେ ଏବଂ ଜାଣିଲେ ପ୍ରଭୁଙ୍କର ଇଚ୍ଛା । ‘ଗୀତଗୋବିନ୍ଦ ଗାନ କଲେ’ । ‘ଅଭିନବ ଗୀତଗୋବିନ୍ଦ’ର ସ୍ରଷ୍ଟା ପୁରୁଷୋତ୍ତମ ଦେବ ଆଜ୍ଞାଦେଲେ ଜୟଦେବଙ୍କ ‘ଗୀତଗୋବିନ୍ଦ’ ଶ୍ରୀମନ୍ଦିରରେ ଆଉ ଗାନ କରାଯିବ ନାହିଁ । ରାଜାଜ୍ଞା ପାଳନ ହେଲା । ସେହିଦିନ ରାତିରେ ଶ୍ରୀଜଗନ୍ନାଥ ରାଜାଙ୍କୁ ସ୍ଵପ୍ନାଦେଶ ଦେଲେ, ଜୟଦେବ ମୋର ପରମ ଭକ୍ତ । ତା’ଦ୍ଵାରା ଲିଖିତ ଗୀତଗୋବିନ୍ଦ ମୋର ଅତି ପ୍ରିୟ । ତେଣୁ ମନ୍ଦିରରେ ଗୀତଗୋବିନ୍ଦଗାନ ନିଷେଧ ହେଲେ ମଧ୍ୟ ବାହାରେ ଯିଏ ଗାନ କରିବ ମୁଁ ତା ପାଖକୁ ଚାଲିଯିବି । ଗତକାଲି ମାଳୀ କନ୍ୟା ତା’ ବାଇଗଣ କିଆରିରୁ ବାଇଗଣ ତୋଳିଲାବେଳେ ଗୀତଗୋବିନ୍ଦ ଗାଉଥିବାରୁ ମୁଁ ତା’ର ପଛେ ପଛେ ବୁଲିଲି । ମୋ ପିନ୍ଧା ପିତ ବସନ ବାଇଗଣ ଗଛର କଣ୍ଟା ଲାଗି ଚିରିଯାଇଛି । ଏଣୁ ମୋର ଆଦେଶ ମୋର ରାଜଭୋଗ ଗ୍ରହଣ ଓ ବଡ଼ସିଂହାର ବେଶ ପରେ ମୋ ଶୟନ ବେଳାରେ ଜୟଦେବ ଓ ତା’ ସ୍ତ୍ରୀ ପହ୍ମା ଗୀତଗୋବିନ୍ଦ ଗାନ କରିବେ । ସେବେଠାରୁ ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଗାନ ପୁନଃ ବ୍ୟବସ୍ଥା ହେଲା ।

 

କବି ଜୟଦେବ, ତଦୀୟ ପତ୍ନୀ ପଦ୍ମା, ଶ୍ରୀ ଜଗନ୍ନାଥ ଓ ଗୀତଗୋବିନ୍ଦକୁ ନେଇ ଜନଶ୍ରୁତିରେ ଏହିଭଳି ବର୍ଣ୍ଣନା ରହିଛି ।

 

(୭) ଲକ୍ଷ୍ମୀ-ଶ୍ରୀୟାଚଣ୍ଡାଳୁଣୀ ପ୍ରସଙ୍ଗ

ଶ୍ରୀୟା ଚଣ୍ଡାଳୁଣୀ ପ୍ରସଙ୍ଗରେ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରୁ ଜଗନ୍ନାଥ ଓ ବଳଭଦ୍ର ବାହାର କରିଦେବା ଉପଖ୍ୟାନଟି ଜନଶ୍ରୁତିରେ ରହିଛି । ଅବଶ୍ୟ ଜନଶ୍ରୁତିର ସେହି ଉପଖ୍ୟାନଟି ଲୋକପ୍ରିୟ କରେଇବାରେ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର ଭୂମିକା ସର୍ବାଗ୍ରେ ।

 

ମହାଲକ୍ଷ୍ମୀ ଚଣ୍ଡାଳୁଣୀ ଘରକୁ ବିଜେ କରିଥିବାରୁ ଭାଇ ବଳରାମଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ତାଙ୍କୁ ମନ୍ଦିରରୁ ଘଉଡ଼ାଇ ଦେଇଛନ୍ତି । ଫଳ ସ୍ଵରୂପ ଲକ୍ଷ୍ମୀଛଡ଼ା ହୋଇ ଜଗନ୍ନାଥ ଓ ବଳରାମ ଗାଁ ଗାଁ ବୁଲିଛନ୍ତି ଭିକ୍ଷା ମାଗିବା ପାଇଁ । ମାତ୍ର ଅନ୍ନବସ୍ତ୍ର ତାଙ୍କ କପାଳରେ ନାହିଁ । ଶେଷରେ ସମୁଦ୍ର କୂଳରେ ଘରତୋଳି ରହିଥିବା ଲକ୍ଷ୍ମୀଙ୍କ ଘରେ ପହଞ୍ଚି ଭୋଜନ କରିଛନ୍ତି ଦୁଇଭାଇ । ସସମ୍ମାନ ମହାଲକ୍ଷ୍ମୀଙ୍କୁ ଦୁଇଭାଇ ଦେଉଳକୁ ଫେରାଇ ନେବାକୁ ଚାହିଁଛନ୍ତି । ମହାଲକ୍ଷ୍ମୀ ସର୍ତ୍ତ ରଖିଛନ୍ତି ଯେମିତି ଲକ୍ଷ୍ମୀଙ୍କ ରୋଷଶାଳରୁ ପ୍ରସ୍ତୁତ ଅନ୍ନ ବ୍ରାହ୍ମଣ-ଚଣ୍ଡାଳ ପରସ୍ପର ଛଡ଼ାଛଡ଼ି ହୋଇ ଖାଇବେ ଏଠାରେ କୌଣସି ଛୁଆଁ ଅଛୁଆଁ ଜାତିଭେଦ ରହିବ ନାହିଁ ।

 

ଜନଶ୍ରୁତିରେ ଥିବା ଏହି ଉପାଖ୍ୟାନଟି ଶ୍ରୀଜଗନ୍ନାଥ ସଂସ୍କୃତିର ମହାମାନବୀୟ ଚିନ୍ତନର ଉତ୍କର୍ଷର ଫଳଶ୍ରୁତି । ମହାଲକ୍ଷୀ ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଜନଶ୍ରୁତିରେ ରହିଛି ରଥଭାଙ୍ଗିବା ଉପାଖ୍ୟାନ, ଲକ୍ଷ୍ମୀ-ଜଗନ୍ନାଥ କଳହ ପରି ଅନେକ ଉପାଖ୍ୟାନ, ଯାହା ଜଗନ୍ନାଥ ଚେତନାର ଜୈତ୍ରକେତନକୁ ଉର୍ଦ୍ଧ୍ଵଗାମୀ କରାଇପାରିଛି ।

 

(୮) ଜନଶ୍ରୁତିରେ ଗଜାନନ ବେଶ

ଶ୍ରୀଜଗନ୍ନାଥ ବିଭିନ୍ନ ବେଶକୁ ନେଇ ଅନେକ ଜନଶ୍ରୁତି ରହିଛି । ସେହି ବେଶମାନଙ୍କ ମଧ୍ୟରୁ ଗଜାନନ ବେଶ ଧାରଣ ପଛରେ ଥିବା ଉପାଖ୍ୟାନଟି ଉପସ୍ଥାପନ କରାଗଲା । ମହାରାଷ୍ଟ୍ରର ଗଣପତି ଭଟ୍ଟ ଯିଏକି ଗଜାନନଙ୍କ ପରମ ଭକ୍ତ, ସିଏ ଶ୍ରୀକ୍ଷେତ୍ର ଆସି ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଚାହିଁଲେ । ଯେତେବେଳେ ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗନ୍ନାଥଙ୍କ ମୁଖ ଦର୍ଶନ କଲା ତାଙ୍କ ମନ ଫିକା ହୋଇଗଲା । କାରଣ ଗଜାନନଙ୍କ ମୁଖ ମଣ୍ଡଳକୁ ସେ ଜଗନ୍ନାଥଙ୍କ ଭିତରେ ଦେଖିପାରିଲେ ନାହିଁ । ସେ ଭାବ ଗଦ୍‍ଗଦ ହୋଇ ଜଗନ୍ନାଥଙ୍କୁ ଡାକନ୍ତେ ସ୍ଵୟଂ ଜଗନ୍ନାଥ ଭକ୍ତର ଭାବକୁ ବୁଝି ଗଜାନନ ବେଶରେ ଉଭା ହେଲେ । ଜଗନ୍ନାଥଙ୍କର ଏତାଦୃଶ ରୂପ ଦେଖି ଗଣପତି ଭଟ୍ଟ ତଲ୍ଲୀନ ହୋଇଗଲେ । ସେବେଠାରୁ ଜଗନ୍ନାଥଙ୍କୁ ଗଜାନନ ବେଶରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ସଜାଯାଉଛି ଗୋଟିଏ ଦିନ ପାଇଁ ।

ଏମିତି ଶତାଧିକ ଆଖ୍ୟାୟିକା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାର ସବୁ ଅଞ୍ଚଳରେ ଜନଶ୍ରୁତିରେ ରହିଛି । ଏହିସବୁ ଜନଶ୍ରୁତିର ମୂଳବିନ୍ଦୁ ନିମ୍ନଲିଖିତ କାର୍ଯ୍ୟ କାରଣ ସମ୍ବନ୍ଧ ଉପରେ ପର୍ଯ୍ୟବସିତ ।

 

(କ)

ଶ୍ରୀଜଗନ୍ନାଥଙ୍କ ସହ ବ୍ୟକ୍ତିର ସଂପୃକ୍ତି

(ଖ)

ରୂପ ଓ ଭାବର ଅଭିନ୍ନତା

(ଗ)

ସବୁ ସୃଷ୍ଟିର ମୂଳ ବିନ୍ଦୁ ଭାବରେ ତାଙ୍କ ଉପରେ ଆସ୍ଥା ସ୍ଥାପନ

(ଘ)

ଶ୍ରୀଜଗନ୍ନାଥ ସ୍ଵୟଂ ପ୍ରକାଶକ ଓ ଅନ୍ତରଂଗ

(ଙ)

ନାଭିରୁ ନଭମଣ୍ଡଳ ପର୍ଯ୍ୟନ୍ତ ସେ ଦୃଶ୍ୟମାନ ପୁଣି ଅଦୃଶ୍ୟ ।

 

ଅହଂଚୈତନ୍ୟଶୂନ୍ୟସମୂହ ମାନସିକତା ଭିତରେ ଥିବା ଜଗନ୍ନାଥକୈନ୍ଦ୍ରିକ ପ୍ରାଣ କେବଳ ଶ୍ରୀଜଗନ୍ନାଥଙ୍କୁ ଜନଶ୍ରୁତିରେ ବାନ୍ଧିରଖି ନାହିଁ ବରଂ ଦୈନନ୍ଦିନ ଚଳଣିରେ ଶ୍ରୀଜଗନ୍ନାଥ ମନ୍ଦିର ନିତ୍ୟ ନୈମିତ୍ତିକ କାର୍ଯ୍ୟ ପ୍ରଣାଳୀ ଏବଂ ଉପାସନା ପଦ୍ଧତିର ପ୍ରଭାବ ଓଡ଼ିଆ ଚଳଣିର ମୂଳବିନ୍ଦୁ ରୂପେ ପ୍ରତିଭାତ ହୋଇଛି । ଯାହା ଉତ୍କଳୀୟ ଜନ ସମୁଦାୟର ଲୋକମାନସରେ ଥିବା ଲୋକବିଶ୍ଵାସ ଉପରେ ପ୍ରତିଷ୍ଠିତ । ଜଡ଼-ଅଜଡ଼ ଓ ଆତ୍ମତତ୍ତ୍ଵ ଅଭେଦତ୍ଵ ଏବଂ ଅହଂଶୂନ୍ୟତା ହିଁ ଲୋକଚଳଣିରେ ଥାବା ଜଗନ୍ନାଥ ଚେତନାର କାର୍ଯ୍ୟକାରଣ ସମ୍ବନ୍ଧଠାରୁ ଉର୍ଦ୍ଧ୍ଵରେ । ତେବେ ଓଡ଼ିଆ ଚଳଣିରେ ଶ୍ରୀଜଗନ୍ନାଥଙ୍କ ପ୍ରଭାବ କିପରି ରହିଛି ତାହା ଉପସ୍ଥାପନା କରାଗଲା ।

 

(୧)

ଓଡ଼ିଆ ଚଳଣିରେ ଶ୍ରୀଜଗନ୍ନାଥଙ୍କ ସଂକେତ

 

(୨)

ଜୀବନଚର୍ଯ୍ୟାରେ ଶ୍ରୀଜଗନ୍ନାଥଚେତନା

 

(୩)

ସାଂସ୍କୃତିକ ଚଳଣିରେ ଶ୍ରୀଜଗନ୍ନାଥ

ଓଡ଼ିଶାର ସଂସ୍କୃତି କହିଲେ ବୁଝାଯାଏ ଶ୍ରୀଜଗନ୍ନାଥ ସଂସ୍କୃତି । ତେଣୁ ଓଡ଼ିଶାର କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ପରି ବିବିଧ କ୍ଷେତ୍ରରେ ଶ୍ରୀଜଗନ୍ନାଥ ଓ ଜଗନ୍ନାଥଚେତନା ପ୍ରତିଫଳିତ ।

 

 

ତେବେ ଶ୍ରୀଜଗନ୍ନାଥ ଓଡ଼ିଶାର ଚଳଣିରେ ଏତେମାତ୍ରାରେ ନିଜର ଯେ ତାଙ୍କୁ ନେଇ ଅନେକ ଲୋକଗୀତ, ଢଗଢମାଳି ଆଦି ସୃଷ୍ଟି ହୋଇଛି । ପ୍ରାତ୍ୟହିକ ଜୀବନରେ ଓଡ଼ିଆ ଲୋକଙ୍କ ଦ୍ଵାରା ସେସବୁ ବ୍ୟବହୃତ । ପର୍ବପର୍ବାଣି ହେଉ କି ରଥଯାତ୍ରା ହେଉ ନଚେତ୍ ରଜଦୋଳି ଗୀତ ହେଉ ସବୁଥିରେ ତାଙ୍କରି ସ୍ପର୍ଶ ଅନୁଭୂତ ହୁଏ । ଦୃଷ୍ଟାନ୍ତସ୍ଵରୂପ ସେଥିରୁ କିଛି ଉପସ୍ଥାପନ କରାଗଲା –

 

କ.

ଓଡ଼ିଶା ଲୋ ଓଡ଼ିଶା

 

ଓଡ଼ିଶାର ଜଗନ୍ନାଥ ସବୁକାଳେ ଭରସା ।

ଖ.

ଡେଇଁ ଡେଇଁ ଗଲା ବଣି

 

ମୋ ଭାଇ ଯାଇଛି ଯାତରା ଦେଖିଲୋ

 

ରଥରେ ଭାଇ ଭଉଣୀ

ଗ.

ପଣସ ପତର ଦନା

 

ଦେଉଳ ଉପରେ ଉଡ଼ୁଛି ବାନା

 

ନୂଆବୋଉ, ଓଢ଼ଣା ଆଡ଼େଇ ଅନା

ଘ.

ମେଘ କଲା ଘଡ଼ଘଡ଼ି

 

ଜଗନ୍ନାଥ ଗଲେ ଗୁଣ୍ଡିଚା ବାଡ଼ି

 

ଷୋଳ ଚକ ଚାଲେ ଘିଡ଼ିଘିଡ଼ି ।

ଙ.

ମଇଁଷି ପିଠି କଳା

 

ନନ୍ଦିଘୋଷ ରଥେ ବାଜେଣୀ ବଳା

 

ବିଜେ କଲେ ଚକାଡୋଳା ।

ରଥ ମାଡ଼ିଗଲା କିଆକୁ

 

ଜଗନ୍ନାଥଙ୍କର ଖଣ୍ଡିଆ ହାତ

 

ଏକଥା କହିବି କାହାକୁ ।

 

ଏହିପରି ଅନେକ ଗୀତ ଆମ ଚଳଣିରେ ପ୍ରମୁଖ ସ୍ଥାନ ପାଇଥିଲାବେଳେ ଅନେକ ପ୍ରବଚନ ଓ ଢଗଢମାଳିରେ ଜଗନ୍ନାଥଙ୍କୁ ଶ୍ରଦ୍ଧାରେ ଗ୍ରହଣ କରିଥାଉ, ଯାହାର ପରିସର ଅତ୍ୟନ୍ତ ବ୍ୟାପକ ।

 

(କ)

ଏ ହାତକୁ ସେ ହାତ, ଖଣ୍ଡଆ ହାତକୁ ଜଗନ୍ନାଥ ।

(ଖ)

ଯାହାକୁ ରଖିବେ ଜଗାବଳିଆ, କି କରିବ ତା’ର ବଳବଳିଆ ।

(ଗ)

ଗୋଟିଏ ମାହାର୍ଦ୍ଦ ଛୁଇଁଲେ ଯେ, କୋଟିଏ ନିର୍ମାଲ୍ୟ ଛୁଇଁଲେ ସେ ।

(ଘ)

ଆପଣା ହସ୍ତେ ଜଗନ୍ନାଥ, କାହିଁକି ଅପରକୁ ଚିନ୍ତ ।

(ଙ)

ଜଗନ୍ନାଥଙ୍କର ରୀତି, କାହାକୁ ଦିଅନ୍ତି ପଲଙ୍କ ସୁପାତି କାହାକୁ ଦିଅନ୍ତି ଶାସ୍ତି ।

(ଚ)

ପୁରୀରେ ଜାତି ନାହିଁ, କଲିକତାରେ ରାତି ନାହିଁ ।

(ଛ)

ସ୍ତ୍ରୀ ବୁଦ୍ଧିରେ ଜଗନ୍ନାଥ ମହାପ୍ରଭୁ ଖଣ୍ଡିଆ ।

(ଜ)

କାଳିଆ କଥାରେ ରସିବ, ଦନାଇ ମନକୁ ଆସିବ ।

 

ସାମଗ୍ରିକ ଭାବରେ ଦେଖିଲେ ଓଡ଼ିଆର ଜୀବନରେ ଶ୍ରୀଜଗନ୍ନାଥ, ବଡ଼ଦେଉଳ, ନଵକଳେବର, ରଥଯାତ୍ରା, ଚନ୍ଦନଯାତ୍ରା, ସ୍ନାନ ପୂର୍ଣ୍ଣମୀ, ଝୁଲଣଯାତ୍ରା, ବାଇଶି ପାହାଚ, ମହାପ୍ରସାଦ, କୈବଲ୍ୟ, ନିର୍ମାଲ୍ୟ, ଗରୁଡ଼ସ୍ତମ୍ଭ, କଳ୍ପବଟ, ଶରଧାବାଲି, କୋଇଲିବୈକୁଣ୍ଠ, ବଡ଼ଦାଣ୍ଡ, ପତିତପାବନ ବାନା, ନୀଳଚକ୍ର ଆଦି କାୟା ବିସ୍ତାର କରିଛି । ଜନ୍ମ, ବିବାହ, ଜାତକ ପ୍ରସ୍ତୁତି, ନବ ପଞ୍ଜିକା, ଗୃହନିର୍ମାଣ, ଗୃହପ୍ରବେଶ, ମୋକ୍ଷ ପ୍ରାପ୍ତି ସବୁଥିରେ ରହିଛି ଶ୍ରୀଜଗନ୍ନାଥଙ୍କର ଅମୃତ ସ୍ପର୍ଶ । କହିବାକୁ ଗଲେ ସୃଜନ ମନ୍ତ୍ରରେ ଅଭିମନ୍ତ୍ରିତ ଓଡ଼ିଆ ପ୍ରାଣ ଅନ୍ତର ଭିତରେ ଶ୍ରୀଜଗନ୍ନାଥଙ୍କୁ ସ୍ଥାପନ କରିଛି ଯେଉଁଠି ଗୋଧୂଳି ରାଗରେ ଭାବାବର୍ତ୍ତ ଉଦ୍‍ବେଳିତ ମଣିଷ ଗାଇଚାଲିଛି ଶ୍ରୀଜଗନ୍ନାଥ ମୈତ୍ରୀ ଦେବତା ହେବାର ଉଦାର ମନ୍ତ୍ର ।

 

 

ରାଜଧାନୀ ମହାବିଦ୍ୟାଳୟ

ବରମୁଣ୍ଡା, ଭୁବନେଶ୍ୱର

 

***

 

କିମ୍ବଦନ୍ତୀ, ଜନଶ୍ରୁତି ଓ ଲୋକକଥାରେ ଶ୍ରୀକ୍ଷେତ୍ରର ଦେଉଳତୋଳା

ଡକ୍ଟର ଅନୁରାଧା ରଥ

 

ଓଡ଼ିଶାରେ ଦେଉଳତୋଳା କାହାଣୀ କେତେ ନା କେତେ ବାଗରେ ପ୍ରଚଳିତ, ସାହିତ୍ୟ ଦେଇ ବି ପ୍ରକାଶିତ । ଅଥଚ ଏଭଳି କାହାଣୀ ସବୁ ଇତିହାସକୁ ଆଧାର କରିଥିଲେ ବି ସାଂସ୍କୃତିକ ପ୍ରବାହରେ ସାମାଜିକ ବ୍ୟକ୍ତିର ଚିତ୍ତରଂଜନ ପାଇଁ କଳ୍ପନମିଶା ଗଳ୍ପକୁ ଆଶ୍ରୟ କରିଥିବା ସ୍ଵାଭାବିକ । ସମୟ ସ୍ରୋତରେ ଲୋକରୁଚିର ପରିବର୍ତ୍ତନ ସହିତ ତାଳଦେଇ ଜଗନ୍ନାଥ ମନ୍ଦିର ତୋଳା କଥା ଲୋକକଥା ଜନଶ୍ରୁତି ଓ କିମ୍ବଦନ୍ତୀ ଓ ସାହିତ୍ୟରେ ବିବିଧତା ଘେନିଛି । ଯାହାର ବହୁଳତାକୁ ସର୍ବଦା ଲକ୍ଷ୍ୟ କରାଯାଇପାରେ ।

 

ଓଡ଼ିଶାର ଜନଜୀବନରେ କିମ୍ବଦନ୍ତୀର ବହୁଧା ପ୍ରଚଳନ ପରିଲିକ୍ଷିତ ହୋଇଥାଏ । ଏହାର ପାଖାପାଖି ଦୁଇଟି ଶବ୍ଦହେଉଛି ଜନଶ୍ରୁତି ଓ ଲୋକକଥା । ଏହାକୁ ଅନେକ କ୍ଷେତ୍ରରେ ଗାଲୁଗଳ୍ପର ଆଖ୍ୟା ଦେଇ ଏଡ଼େଇ ଦିଆଯିବା ବିଜ୍ଞତାର ପରିଚାୟକ ନୁହେଁ । ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ, “କିମ୍ବଦନ୍ତୀ ଇତିହାସ ନୁହେଁ କିନ୍ତୁ କିମ୍ବଦନ୍ତୀ ମଧ୍ୟରେ ଐତିହାସିକ ତଥ୍ୟ ଲୁକ୍କାୟିତ ହୋଇରହିଥାଏ ତାହା ଅନ୍ୟାନ୍ୟ ଉପାଦାନ ଦ୍ଵାରା ପରୀକ୍ଷିତ ହେବା ପରେ ଇତିହାସରେ ପରିଣତ ହୁଏ ।’’ କିମ୍ବଦନ୍ତୀ ହେଉ ଅବା ଲୋକକଥା ଅବା ଜନଶ୍ରୁତିରେ ଅସ୍ପଷ୍ଟତା, ଅତିରଞ୍ଜନ, ଅତିମାନୁଷିକତା ପରସ୍ପର ବିରୋଧି ମତ ଓ ସମକାଳୀନ ଲେଖାରୁ ପ୍ରାପ୍ତ ଇତିହାସ ସହିତ ଏଗୁଡ଼ିକର ଅମେଳ ରହିବା ଅତ୍ୟନ୍ତ ସ୍ଵାଭାବିକ । ଯେଣୁ ଅତୀତ ଘଟଣାମାନଙ୍କ ଅସ୍ପଷ୍ଟ ସ୍ମୃତିରୁ ଓ ପ୍ରକୃତ ଘଟଣାକୁ ବିକୃତ, ଅତିରଞ୍ଜନ ଓ ଗଳ୍ପାକାରରେ ବାଖ୍ୟାନ କରିବାର ଜନସାଧାରଣକୁ ସହଜାତ ପ୍ରକୃତିରୁ କିମ୍ବଦନ୍ତୀ, ଜନଶ୍ରୁତି ଆବା ଲୋକକଥାମାନ ସୃଷ୍ଟିହୋଇଥାନ୍ତି, ଏଣୁ ଏହି ସମସ୍ତ ବିଭାଗରେ ଏକ ପ୍ରକାରର ଭ୍ରମ ଓ ତୃଟି ପରିଲିକ୍ଷିତ ହେବା ସ୍ଵାଭାବିକ । ମାତ୍ର କିମ୍ବଦନ୍ତୀକୁ ଇତିହାସର ଗୋଟିଏ ଅପରିହାର୍ଯ୍ୟ ଉପାଦାନ ବୋଲି ସମସ୍ତ ଐତିହାସିକ ପ୍ରତ୍ୟକ୍ଷରେ ସ୍ଵୀକାର କରିବା ଜଣାଯାଏ ।

 

ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାର ଜନସମାଜରେ ବହୁ ସାରସ୍ଵତ କୃତି ସୃଷ୍ଟି ସମ୍ଭାର ଋଦ୍ଧିମନ୍ତ ହେବା ସହିତ ଜନଜୀବନରେ ଦୈନ୍ୟନ୍ଦିନ ଆଚାର ବ୍ୟବହାରରେ ମଧ୍ୟ ଆଖ୍ୟାୟିକା ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ, ଶ୍ରୀକ୍ଷେତ୍ରଧାମ ବଡ଼ଦେଉଳ ନିର୍ମାଣ, ବଡ଼ଦାଣ୍ଡ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରା ମହୋତ୍ସବ ସହିତ ଏହି ଦେବତାଙ୍କ ଉତ୍ପତ୍ତି ସମ୍ଵନ୍ଧରେ ବହୁ କିମ୍ବଦନ୍ତୀର ପ୍ରଚଳନ ଘଟିଛି । ଉକ୍ତ କିମ୍ବଦନ୍ତୀସମୂହର ଆରମ୍ଭ ସମୟର ସଠିକ୍ ବିବରଣୀ ମିଳିନଥିଲେ ହେଁ ଢଗଢମାଳି ଦେଇ ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସଙ୍କ ଯୁଗର ଶ୍ରୀଜଗନ୍ନାଥ ସମ୍ଵନ୍ଧୀୟ କିମ୍ବଦନ୍ତୀ ବହୁ କାବ୍ୟ କବିତାରେ ଲିପିବଦ୍ଧ ହୋଇଛି ।

 

ଓଡ଼ିଶାର ଲୋକସଂସ୍କୃତିରେ କାହିଁ କେତେ କାଳରୁ ଢଗଟିଏ ଚଳିଆସିଛି ‘ମାଇପ ବୁଦ୍ଧିରେ ଜଗନ୍ନାଥ ଖଣ୍ଡିଆ’ । ପୁଣି ଯଦି କଥାବାର୍ତ୍ତା ବେଳେ କେହି ଯଦି ମିଛ କହୁଥାଏ, ତାକୁ ଗାଲୁଆ ମାଧବ କହିବାର ଲୋକସଂସ୍କୃତି ଓଡ଼ିଶାର ସାମାଜିକ ଜୀବନରେ ପ୍ରଚଳିତ । ପୁରୀରେ ବଡ଼ଦେଉଳ ତୋଳାଯିବା ଏକ ଐତିହାସିକ ଘଟଣା । ତହିଁରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଭଳି ଚତୁର୍ଦ୍ଧା ଦାରୁମୂର୍ତ୍ତି ସ୍ଥାପନ ଓ ପୂଜନ ଲୋକସଂସ୍କୃତିରେ ଅପାର କାଳର କଥା ରୁପେ ବିବେଚିତ । ଲୋକମାନସିକତାରେ ଶ୍ରୀକ୍ଷେତ୍ର ପୁରୀର ବଡ଼ଦେଉଳ ତୋଳା ଘେନି ଅଜସ୍ର କୌତୁକ କାହାଣୀ ବଞ୍ଚିରହିବା ସ୍ଵାଭାବିକ । କେହି କେହି ହୁଏତ ଏଇ କୌତୁକ କଥାକୁ ସାଉଁଟି ସାହିତ୍ୟର ପୁଟରେ ରସବନ୍ତ ରୀତିରେ ପାଠକ ଗ୍ରହଣୀୟ କରାଇବାକୁ ଚେଷ୍ଟା କରିଛନ୍ତି । ଏହି କଥାବସ୍ତୁଟିକୁ ନେଇ ରଚିତ ସାହିତ୍ୟ କୃତିଗୁଡ଼ିକ ଭିନ୍ନ ଭିନ୍ନ ସମୟରେ ରଚନା କରାଯାଇଥିବାରୁ ସେଗୁଡ଼ିକରେ କଥା, ଚରିତ୍ର, ପରିବେଶ ଓ ଘଟଣା ଘେନି ପାର୍ଥକ୍ୟ ପରିଲିକ୍ଷିତ ହୋଇଥାଏ । ଯେପରିକି ମୁଖ୍ୟ ଚରିତ୍ର ଇନ୍ଦ୍ରଦ୍ୟୁମ୍ନ, ବିଶ୍ଵାବସୁ, ବିଦ୍ୟାପତି, ଲଳିତା, ଗାଲମାଧବ ଚରିତ୍ର ସୃଷ୍ଟି ସହିତ ଦେଉଳ ତୋଳା କାହାଣୀର ସାହିତ୍ୟିକବିବର୍ତ୍ତନ କ୍ରମଶଃ ସାରଳା ଦାସଙ୍କ ମୁଷଳୀପଟଠାରୁ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ନୀଳାମ୍ବର ଦାସ, ଦାମ ଦାସ, ଦୀନବନ୍ଧୁ ଦାସ, କୃଷ୍ଣ ଦାସ, ମାଗୁଣିଆ ଦାସ ଆଦିଙ୍କୁ କୃତି ଦେଇ କିଭଳି ପୂର୍ଣ୍ଣତା ଲିଭିଛି ତାହା ପାଠକ ଉପଲବ୍ଧି କରିଥାଏ ।

 

ଯେଉଁ ଜାତି ଯେତେ ପ୍ରାଚୀନ ଓ ପରମ୍ପରା ଦୃଷ୍ଟିରୁ ସମୃଦ୍ଧ, ସେହି ଜାତିର ଜନଜୀବନରୁ କିମ୍ବଦନ୍ତୀର ସଂଖ୍ୟା ସେତେ ଅଧିକ । ଅନ୍ୟ ପ୍ରକାରରେ କହିଲେ ହେବ, ଜାତିର ପ୍ରାଚୀନତା ଓ ସାଂସ୍କୃତିକ ଐତିହ୍ୟ ତାର ଲୋକସଂସ୍କୃତିରେ କାଳଜୟୀ ପରି ଉଦ୍ ଜୀବିତ ରହେ । ଏହା କିମ୍ବଦନ୍ତୀ ମାନଙ୍କର ସଂଖ୍ୟା ଓ ଚମତ୍କାରୀତାରୁ ବୁଝାଯାଇଥାଏ । ଜନଶ୍ରୁତି ଆପେ ଆପେ ଯୋଡ଼ିହୋଇଯାଇଥାଏ । ତେଣୁ ମୌଳିକ ଭାବେ ପରୀକ୍ଷା ନିରୀକ୍ଷା ନ କରି କିମ୍ବଦନ୍ତୀଙ୍କୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଆଡ଼େଇ ଦିଆଯିବା ଉଚିତ ମନେ ହୁଏ ନାହିଁ । ଉଦାହରଣ ସ୍ଵରୂପ, ଓଡ଼ିଶାର ଜନଜୀବନରେ ବହୁଳ ପ୍ରଚଳିତ ଦେଉଳ ତୋଳା କାହାଣୀ କେଉଁ ସାମାଜିକ ପରିସ୍ଥିତିରେ ସୃଷ୍ଟି ହୋଇଛି ଓ ତହିଁର ଘଟଣା କେତେ ଦୂର ଇତିହାସସମ୍ମତ ବା ମନଗଢ଼ା ତାହା ବିଚାରଯୋଗ୍ୟ ଯଥା-ଓଡ଼ିଶାରେ ଦେଉଳତୋଳା ସମ୍ବନ୍ଧରେ ପ୍ରଚଳିତ ଥିବା କିମ୍ବଦନ୍ତୀମାନଙ୍କରୁ ପାଞ୍ଚୋଟି ମୁଖ୍ୟ କଥା ଦେଖିହୁଏ । ସେଗୁଡ଼ିକ ହେଉଛି-(କ) ନିର୍ମାଣ ପର୍ଯ୍ୟାୟରେ ଦେଉଳ ଅଥବା ଅନ୍ୟାନ୍ୟ ସ୍ଥାପତ୍ୟ ସ୍ଥାପନ (ଖ) ନୌବାଣିଜ୍ୟ ସମ୍ବନ୍ଧରେ ପୂର୍ବ ଭାରତୀୟ ଦ୍ଵୀପମାନଙ୍କ ସହିତ ଯୋଗାଯୋଗ (ଗ) ସାହିତ୍ୟ ବିଭାଗରେ ଜୀବନୀ (ଘ) ଶ୍ରୀଜଗନ୍ନାଥ ଓ ପୁରୁଷୋତ୍ତମତତ୍ତ୍ଵ ଅଥବା ଅନ୍ୟ କିଛି ଦେବାଦେବୀ ଆଧାରିତ ଧର୍ମଚର୍ଯ୍ୟା (ଙ) ଯୁଦ୍ଧ ଅଭିଯାନକୁ ନେଇ ସାମ୍ରାଜ୍ୟ ବିସ୍ତାର ଓ ଉତ୍କଳୀୟ ସାମରିକ ବିଭବର କିମ୍ବଦନ୍ତୀ । ଏହି ପଞ୍ଚ-ବୈଶିଷ୍ୟର ଆଧାରରେ ଦେଉଳତୋଳା କାହାଣୀଗୁଡ଼ିକ ବିଶ୍ଲେଷଣ କରିହେବ । ଓଡ଼ିଶାର ଲୋକଚଳଣିରେ ପ୍ରଚଳିତ ଥିବା ଦେଉଳ ତୋଳା କାହାଣୀରେ ବିଶିଷ୍ଟ ସ୍ଥାନ ଗ୍ରହଣ କରିଛି । ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଓ ଇନ୍ଦ୍ରଦ୍ୟୁମ୍ନ ଉପାଖ୍ୟାନ, ନୀଳମାଧବ ଉପାସନା, ବିଶ୍ଵାବସୁ, ବିଦ୍ୟାପତି ଓ ଲଳିତା ପ୍ରସଙ୍ଗ ।

 

ନୌବାଣିଜ୍ୟରେ ବୈଦିକ ଦାରୁଦେବତାଙ୍କ ଭାସମାନ ସୂଚନା ପ୍ରକାରେ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ବିଗ୍ରହ ନୀଳାଦ୍ରୀର ବଟପୁଟରେ ଅବସ୍ଥାନ ଅଥବା ଶ୍ରୀଜଗନ୍ନାଥଙ୍କୁ ସମସ୍ତ ଅବତାରର ମୂଳ କାରଣ ରୂପେ ଗ୍ରହଣ କରି ଶ୍ରୀକୃଷ୍ଣ ଅବତାରର ଅପୋଡ଼ା ପିଣ୍ଡ ହିଁ ସୁଦୂର ଦ୍ଵାରକାରୁ ଜଳପଥରେ ଭାସିଆସି ପୁରୁଷୋତ୍ତମ କ୍ଷେତ୍ରର ସମୁଦ୍ର କୂଳରେ ଲାଗିବା, ପରିଶେଷରେ ବଡ଼ଦାଣ୍ତରେ ତତ୍କାଳୀନ ମଙ୍ଗଳା ନଦୀରେ ନୌଯାତ୍ରାର ବିବରଣୀ ସହ ଶ୍ରୀକ୍ଷେତ୍ରକୁ ଘେରି ରହିଥିବା ନଦୀ, ନାଳ ସହ ଯୋଡ଼ ଆଦିକୁ ଅତିକ୍ରମ କରିବା ନିମନ୍ତେ ନୌଯାତ୍ରାଦି ଓ ନୌବାଣିଜ୍ୟମୂଳକ କିମ୍ବଦନ୍ତୀୟ ଆଖ୍ୟାନ ।

 

ଲୋକଜୀବନକୁ ପ୍ରଭାବିତ କରିଥିବା ବୈଦିକ ସାହିତ୍ୟ ଯୁଗାନୁସାରେ ରାମାୟଣ, ମହାଭାରତ, ପୁରାଣ, ସ୍କୃତି ବା ଗୁହ୍ୟଶାସ୍ତ୍ର, କର୍ମକାଣ୍ଡ, କାବ୍ୟ, ନାଟକ ଯାହା ସଂସ୍କୃତ, ପ୍ରାକୃତ, ଅପଭ୍ରଂଶ ତଥା ଆଞ୍ଚଳିକ ଭାଷାରେ ରଚିତ, ସେହି ସବୁରେ ଭଗବାନ୍ ଶ୍ରୀପୁରୁଷୋତ୍ତମ ଜଗନ୍ନାଥ-ନୀଳମାଧବ-ନୃସିଂହ ଆଦିଙ୍କ ଆବିର୍ଭାବ, ଜୀବନ ତଥା ଦୈନ୍ୟନ୍ଦିନ କାର୍ଯ୍ୟକାରଣରେ ଲିପିବଦ୍ଧ ହୋଇଛି ।

 

ସନାତନ ଧର୍ମରେ ବିଷ୍ଣୁ ଉପାସନା, ଶ୍ରୀଜଗନ୍ନାଥ, ନୀଳମାଧବଙ୍କ ଆବିର୍ଭାବ ଓ ସେହି ତତ୍ତ୍ଵବିମର୍ଶ, ଧର୍ମ ସମ୍ବନ୍ଧୀୟ କିମ୍ବଦନ୍ତୀ ମଧ୍ୟ ବହୁ ଗ୍ରନ୍ଥରୁ ଉପଲବ୍ଧି ହୋଇଛି ।

 

ସାମ୍ରାଜ୍ୟ ବିସ୍ତାରରେ ଶ୍ରୀଜଗନ୍ନାଥଙ୍କ ଗୌରବ ସ୍ଥାପନ ପାଇଁ ଦେବତାଙ୍କ ସାମରିକ ଅଭିଯାନରେ ଭାଗନେବା, ଅବା ଯବନ ଆକ୍ରମଣରେ ଶ୍ରୀଜଗନ୍ନାଥଙ୍କୁ ସ୍ଥାନାନ୍ତରଣ କରି ପାତାଳି କରାଇବାର କିମ୍ବଦନ୍ତୀ ଜନଜୀବନକୁ ବହୁଳଭାବେ ପ୍ରଭାବିତ କରିଛି ।

 

ଆଲୋଚ୍ୟ ଦେଉଳତୋଳା କାହାଣୀ ସହିତ ବହୁ ଅଲୌକିକ-କାହାଣୀମାନ ଜଡ଼ିତ ହୋଇରହିଛି । ସେଗୁଡ଼ିକ ମଧ୍ୟରେ

 

(କ)

ଏକ ନିବୁଜ କୋଠରୀରେ ଅନ୍ନଜଳ ଗ୍ରହଣ ନ କରି ଏକ ବୁଢ଼ା ମହାରଣା (କାଠବଢ଼େଇ)ଙ୍କ ବିଗ୍ରହ ସ୍ଥାପନ ଓ ଦ୍ଵାର ଖୋଲିବା ପରେ ଏହି କାରିଗର ଉଭେଇଯିବା ।

(ଖ)

ଇନ୍ଦ୍ରଦ୍ୟୁମ୍ନଙ୍କ ଦର୍ଶନ ପରେ ନୀଳମାଧବଙ୍କ ଅନ୍ତର୍ଦ୍ଧାନ ।

(ଗ)

ଜଣେ ନୈଷ୍ଠିକ ବ୍ରାହ୍ଣଣ ହୋଇ ପୁରୋହିତ ବିଦ୍ୟାପତି ଘଟଣାଚକ୍ରରେ ଶବର କନ୍ୟା ଲଳିତାକୁ ବିବାହ କରିବା ।

(ଘ)

ନୀଳମାଧବ ପୂର୍ବରୁ ପାଷାଣ ପ୍ରତିମା ଥାଇ ଉଭେଇଯିବା ପରେ ଦାରୁବିଗ୍ରହ ରୂପେ ସମୁଦ୍ରରେ ଭାସିବା ।

(ଙ)

ଏକ ଦାରୁଖଣ୍ଡକୁ ସମୁଦ୍ରକୁ ଉଦ୍ଧାର କରିବା ନିମନ୍ତେ ଏକାଧିକ ଶକ୍ତିର (ବ୍ୟକ୍ତିଙ୍କର) ଆବଶ୍ୟକ ଲୋଡ଼ା ହେବା ।

(ଚ)

ଅଶ୍ଵମେଧ ଯଜ୍ଞ ସମାପନ ପରେ ଅଗଣିତ ଧେନୁ ଦାନରେ ସେମାନଙ୍କ ଖୁରା ଆଘାତରେ ଏକ ପୁଷ୍କରିଣୀ ସୃଷ୍ଟି ହେବା, ସେହି ସରୋବରରେ ବାସକରୁଥିବା କଇଁଚମାନେ ଇନ୍ଦ୍ରଦ୍ୟୁମ୍ନଙ୍କ ଦେଉଳତୋଳା ଉପରେ ସାକ୍ଷ୍ୟ ଦେବା ।

(ଛ)

ଭୁଷଣ୍ଡକାକ ରୋହିଣୀ କୁଣ୍ଡରେ ପଡ଼ି ଚତୁର୍ଭୁଜ ରୂପ ଧାରଣ କରିବା ।

(ଜ)

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ପରେ ଯମ ଦେବତାଙ୍କ କର୍ତ୍ତୁତ୍ଵ ନଷ୍ଟହେବା କହି ଏହି କ୍ଷେତ୍ରରୁ ତାଙ୍କୁ ବିଦାୟ ଦେବା ଇତ୍ୟାଦି ।

 

ସାଧାରଣତଃ ମନେହୁଏ ଏହି ସବୁ କାହାଣୀରେ କୌଣସି ଐତିହାସିକ ସତ୍ୟତା ନାହିଁ । ମାତ୍ର ସୂକ୍ଷ୍ମ ଦୃଷ୍ଟିରୁ ବିଚାର କଲେ ଜଣାଯାଏ, ଏ ସବୁ କାହାଣୀର ପୃଷ୍ଠପଟରେ ଥିବା ସାମାଜିକ ଦିଗଟିକୁ ମିଥ୍ୟା ବୋଲି କୁହାଯାଇପାରିବ ନାହିଁ । କୋଣାର୍କର ସୂର୍ଯ୍ୟମନ୍ଦିର ଭଳି ଏବେ ମଧ୍ୟ ବିଶ୍ଵର ବିସ୍ମୟ ଉଦ୍ରେକକାରୀ ଦେଉଳ ହେଉଛି ଶ୍ରୀପୁରୁଷୋତ୍ତମକ୍ଷେତ୍ରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର । ଏହି ମନ୍ଦିରର ଚାରୁକଳା ନ ଦେଖିଲେ କଳିଙ୍ଗ ଶିଳ୍ପୀର ସୃଷ୍ଟିସୀମାକୁ କଳ୍ପନାରେ ଆଣିହେବନାହିଁ । ମନ୍ଦିର ନଥାଇ ଯଦି ପୂର୍ବୋକ୍ତ କିମ୍ବଦନ୍ତୀମାନ ରହିଥାନ୍ତା ତେବେ ତାହା ଯେ ଉପହାସର କାରଣ ହୁଅନ୍ତା । ଏଥିରେ ଦ୍ଵିମତ ନାହିଁ ।

 

ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ଦେଉଳ ତୋଳାର ପ୍ରଥମ ସୂଚନା ଇତିହାସ ଦୃଷ୍ଟିରୁ ମାଦଳାପାଞ୍ଜିରୁ ମିଳିଥାଏ । ଏହା ସହିତ “ଓତ୍ରରାଜବଂଶାବଳୀ’’, “କଟକରାଜବଂଶାବଳୀ’’ ପ୍ରଭୃତିଗ୍ରନ୍ଥର ପ୍ରାଚୀନତା ଓ ଐତିହାସିକତାକୁ ନେଇ ବିଦ୍ଵାନଗଣ୍ ବହୁ ଆଲୋଚନା କରିଛନ୍ତି ମାତ୍ର ଏହାକୁ ଯଥାର୍ଥ ଇତିହାସ ରୂପେ ଗ୍ରହଣ ନ କରି ଅନ୍ୟାନ୍ୟ ଉପାଦାନ ସହ ମିଳାଇ ପରୀକ୍ଷା କରି ଦେଖିବା ପାଇଁ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ପରମାନନ୍ଦ ଆଚାର୍ଯ୍ୟଙ୍କ ଭଳି ବିଦ୍ଵାନ୍ ମତ ଦେଇଛନ୍ତି । ସେହି ଦୃଷ୍ଟିରୁ ଉପରୋକ୍ତ ଗ୍ରନ୍ଥ ସମୂହର ନିରପେକ୍ଷ ଗବେଷଣା ନିହାତି ଜରୁରୀ । ସାହିତ୍ୟରେ ଅତିରଞ୍ଜନ ଭାବ ରହିବା ସ୍ଵାଭାବିକ, ମାତ୍ର ତା ବୋଲି ସାହିତ୍ୟରେ ଯେ ମୂଳସତ୍ୟର ଅପଳାପ ହୋଇଥିବ ଏହା ସର୍ବାଦୌ ଅବାଞ୍ଛନୀୟ । ଇତିହାସକାରଗଣ ଉତ୍ତମରୂପେ ଜାଣନ୍ତି ଯେ ବର୍ତ୍ତମାନ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଇନ୍ଦ୍ରଦ୍ୟୁମ୍ନ ଓ ଶବରରାଜ ବିଶ୍ଵାବସୁ କଦାପି ମିଳିତ ଭାବେ ତୋଳିନଥିବେ ଅବା ସେହି ଜଗନ୍ନାଥ ସ୍ଵପ୍ନବୃତ୍ତାନ୍ତ ଛଳରେ ଯାହା ସବୁ ଘଟିଛି ତାହା ପଶ୍ଚାତରେ ଅନ୍ୟ କୌଣସି କାରଣମାନ ଲୁଚି ରହିଚି ଯାହାକି ଅସତ୍ୟର ଆବରଣ ତଳେ ଆତ୍ମଗୋପନ କରିଛି ।

 

କୌଣସି ଦେଶ ବା ଜାତିର ପ୍ରାଚୀନ ଇତିହାସ ରଚନା କରିବା ପାଇଁ ଯେଉଁ ସବୁ ଉପାଦାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ, ସେଗୁଡ଼ିକ ହେଲା ଅଭିଲେଖ, ପ୍ରତ୍ନତତ୍ତ୍ଵ, ପ୍ରାଚୀନ ପାଞ୍ଜି, ପ୍ରାଚୀନ ସାହିତ୍ୟ, କିମ୍ବଦନ୍ତୀ ଇତ୍ୟାଦି ଉତ୍କଳର ଇତିହାସ ମଧ୍ୟ ସେହିପରି କେତେକ ପ୍ରାଚୀନ ଇତିହାସ ଉପରେ ପ୍ରତିଷ୍ଠିତ । ଯେପରି ଚୀନ୍ ପରିବ୍ରାଜକ ହୁଏନ୍‍ସାଂଙ୍କ ଭ୍ରମଣ ବୃତ୍ତାନ୍ତ, ମୁସଲମାନ ପଞ୍ଜିକାରମାନଙ୍କ ଧାରାବିବରଣୀ, ମାଦଳାପାଞ୍ଜି, ସିଂହଳର ପାଲିଗ୍ରନ୍ଥ ସମୂହ, ପୁରାଣ ଓ ପ୍ରାଚୀନ ସାହିତ୍ୟ, ସ୍ଥାପତ୍ୟରାଜି (ଗୁମ୍ଫାସ୍ଥାପତ୍ୟ ଓ ଦେଉଳତୋଳା) ଅଭିଲେଖସମୂହ, ପ୍ରାଚୀନ ମୁଦ୍ରା ଓ ବସ୍ତୁ ପରିଶେଷରେ ଅଜସ୍ର କିମ୍ବଦନ୍ତୀକୁ ନେଇ ଇତିହାସ ରଚନା କରିହୁଏ ନାହିଁ । ଉପାଦାନର ଯଥାଯଥ ପରୀକ୍ଷାନିରୀକ୍ଷା ଓ ବିଶ୍ଲେଷଣ ଉପରେ ହିଁ ଇତିହାସର ପ୍ରମାଣିକତା ନିର୍ଭର କରେ ।

 

ମହାକାଳର କରାଳ ଗ୍ରାସରେ ଅତୀତ ହଜି ଯାଇଥାଏ । ମାତ୍ର ଇତିହାସକାରମାନେ ସତର୍କଦୃଷ୍ଟି ନିକ୍ଷେପ କରି ଲୋଡ଼ା ଓ ଅଲୋଡ଼ା ପୂର୍ଣ୍ଣଅପୂର୍ଣ୍ଣ ଉପାଦାନର ବିନ୍ଦୁ ବିନ୍ଦୁ ଜ୍ୟୋତିକୁ ସେହି ଅନ୍ଧକାର ମଧ୍ୟରେ ଠାବ କରନ୍ତି । ବିନ୍ଦୁରୁବିନ୍ଦୁକୁ ଯୋଡ଼ି ଯୋଡ଼ି ପରିଣତିରେ ଏକ ସମ୍ଭାବ୍ୟ ସେତୁ ଗଢ଼ିପାରନ୍ତି । ଅନ୍ଧକାର ମଧ୍ୟରେ ସେମାନେ ଦିଗନିର୍ଣ୍ଣୟ କରନ୍ତି । ମାତ୍ର ସଂଯୋଜନାର ସେହି ନିର୍ଦ୍ଧିଷ୍ଟ ସେତୁଟି ଯେ ଅବିସମ୍ବାଦିତ ଭାବେ ସବୁକାଳ ପାଇଁ ସତ୍ୟ ଏହା କୁହାଯାଇନପାରେ ।

 

 

ପଞ୍ଚସଖା ସଂସ୍କୃତ ମହାବିଦ୍ୟାଳୟ

ଦୀନପୁର, ସାକ୍ଷୀଗୋପାଳ

ପୁରୀ

 

***

 

Unknown

ଶ୍ରୀକ୍ଷେତ୍ରର ମଠ ସଂସ୍କୃତି

ଡକ୍ଟର ଭାସ୍କର ମିଶ୍ର

 

କ୍ଷେତ୍ରରାଜ ଶ୍ରୀକ୍ଷେତ୍ର ଓଡ଼ିଆ ଜାତିର ସାଂସ୍କୃତିକ ପ୍ରାଣକେନ୍ଦ୍ର । ଏହି ପୁଣ୍ୟଧାମର ମାହାତ୍ମ୍ୟ ଓ ମହିମା ବିଶ୍ଵବିଦିତ । ପୁରୀ ବିଶ୍ଵ ଆଧ୍ୟାତ୍ମିକ ଦିଗବଳୟର ଏକ ଦୀପ୍ତିମୟ ଉଜ୍ଜ୍ଵଳ ଜ୍ୟୋତିଷ୍କ । ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିଶ୍ଵର ବିସ୍ମୟ ରୁପେ ଶ୍ରୀକ୍ଷେତ୍ର ପୁରୀ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଛି । ପରମ ପବିତ୍ର ଶ୍ରୀକ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ ସମୟରୁ ମଠ ପରମ୍ପରାର ଉତ୍ପତ୍ତି ହୋଇଛି । ବିଶେଷ କରି ଦୀର୍ଘ ଏକ ହଜାର ବର୍ଷ ପୂର୍ବରୁ ଓଡ଼ିଶାର ଧର୍ମ ଓ ସଂସ୍କୃତିର ଇତିହାସରେ ଏହି ମଠମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା । ଅଦ୍ୟାବଧି ସନାତନଧର୍ମର ବିଭିନ୍ନ ସମ୍ପ୍ରଦାୟର ଶତାଧିକ ମଠ ଏହି କ୍ଷେତ୍ରରେ ବିଦ୍ୟମାନ ।

 

ମଠ ଶବ୍ଦଟି ‘ମଠ’ ଧାତୁରେ ଅଧିକରଣ ‘ଅ’ ସଂଯୁକ୍ତରେ ଉତ୍ପନ୍ନ ହୋଇଛି । ଏହାର ଅର୍ଥ ଯେଉଁଠାରେ ଵିଦ୍ୟାର୍ଥୀମାନେ ବାସ କରନ୍ତି । ମଠ ଶବ୍ଦର ଅନ୍ୟ ଗୋଟିଏ ଅର୍ଥ ହେଉଛି ଦେବସେବା ନିମନ୍ତେ ସ୍ଥାପିତ ଓ ଜମିବାଡ଼ି ଖଞ୍ଜା ଥିବା ଆଶ୍ରମ । ସଂସ୍କୃତ ମହାଭାରତରେ ମଧ୍ୟ ‘ମଠ’ ଶବ୍ଦଟି ‘ଆଶ୍ରମ କୁଟୀର’ ଅର୍ଥରେ ପ୍ରୟୋଗ ହୋଇଥିବା ଜଣାଯାଏ । ଅପରପକ୍ଷେ ପ୍ରାବନ୍ଧିକ ଜଗବନ୍ଧୁ ସିଂହଙ୍କ ମତରେ ‘ମଠ’ ଅର୍ଥ ହେଉଛି ଛାତ୍ରାବାସ । ଶିଷ୍ୟମାନେ ଯେଉଁଠି ରହି ଧର୍ମ ଶିକ୍ଷା ଓ ଶାସ୍ତ୍ରାଲୋଚନା କରନ୍ତି ତାକୁ ‘ମଠ’ କୁହାଯାଏ ।

 

ପୁରୀରେ ସ୍ଥାପିତ ବିଭିନ୍ନ ମଠର ଉତ୍ପତ୍ତି ସମ୍ପର୍କରେ “ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ” ଗ୍ରନ୍ଥରୁ ଜଣାଯାଏ ଯେ, ଭିନ୍ନ ଭିନ୍ନ ସମ୍ପ୍ରଦାୟର ବା ପ୍ରତିଷ୍ଠାତାଙ୍କ ନାମ ଅନୁସାରେ ମଠର ନାମ ହୋଇଥାଏ । ଯଥା: ଗୌଡ଼ୀୟ ମଠ, ସନ୍ୟାସୀ ମଠ, ଦଣ୍ଡୀ ମଠ, ରାମାନନ୍ଦୀ ମଠ, ନିର୍ମାଣୀ ମଠ, ତ୍ରିଦଣ୍ଡୀ ମଠ, ନିମ୍ବାର୍କ ମଠ, ଅତିବଡ଼ି ମଠ ଇତ୍ୟାଦି । ମଠଧାରୀମାନେ ଶ୍ରୀଜଗନ୍ନାଥଙ୍କ ନାମରେ ଖଞ୍ଜା ଥିବା ଅମୃତମଣୋହି ସ୍ଵତ୍ଵ ଭୋଗ କରି ତହିଁରୁ ଉତ୍ପନ ଆୟରୁ ଶ୍ରୀଜଗନ୍ନାଥଙ୍କ ଭୋଗ, ମଠ ଠାକୁରଙ୍କ ଓ ଅତିଥି ଅଭ୍ୟାଗତମାନଙ୍କ ସେବା, ସଂସ୍କୃତ ଶୀକ୍ଷାର୍ଥୀମାନଙ୍କର ଭରଣପୋଷଣ ଓ ଖଏରାତ ଆଦି କରନ୍ତି ।

 

ଶ୍ରୀକ୍ଷେତ୍ରରେ ଏମାର ମଠ, ଉତ୍ତର ପାର୍ଶ୍ଵ, ବଡ଼ ଓଡ଼ିଆ, ପାପୁଡ଼ିଆ, ଦକ୍ଷିଣପାର୍ଶ୍ଵ, ରାଘବ ଦାସ, ବଡ଼ ସନ୍ଥ, ରାଧାକାନ୍ତ ମଠ, ତ୍ରିମାଳୀ, ବଡ଼ଛତା, ଜଗନ୍ନାଥ ବଲ୍ଲଭ, ସାନଛତା, ରାମଜୀ, ରାଧାକାନ୍ତ, ଶଙ୍କରା ନନ୍ଦ, ଗୋପାଳତୀର୍ଥ, ଗୋବର୍ଦ୍ଧନ ମଠ, ଗଙ୍ଗାମାତା, ମହୀପ୍ରକାଶ, ରେବସା ଆଦି ଅନେକଗୁଡ଼ିଏ ମଠ ପ୍ରଧାନ ଅଟେ । ଯେଉଁ ମଠର ମହନ୍ତ କୁମାର ବ୍ରତ ଧାରଣ କରିବାକୁ ବାଧ୍ୟ ତାହାକୁ ନିହଙ୍ଗି ମଠ ବୋଲାଯାଏ । ପୁରୀର ଅଧିକାଂଶ ମଠ ନିହଙ୍ଗି ପରମ୍ପରା ଉପରେ ପ୍ରତିଷ୍ଠିତ । ଯେଉଁ ମଠର ମହନ୍ତ ଗୃହସ୍ଥ ଅଟନ୍ତି, ତାହାକୁ ଗୃହୀ ମଠ ବୋଲାଯାଏ ।

 

ପ୍ରଫେସର ବି.ଏମ୍.ଦାସଙ୍କ ମତାନୁଯାୟୀ ଶ୍ରୀକ୍ଷେତ୍ର ପୁରୀରେ ସ୍ଥାପିତ ଏହି ମଠଗୁଡ଼ିକ ଶ୍ରୀମନ୍ଦିରର ଦୈନନ୍ଦିନ ନୀତି, ପର୍ବପର୍ବାଣି, ଯାନିଯାତ୍ରା ଭଳି ବିଶେଷ ପର୍ବରେ ପ୍ରତ୍ୟକ୍ଷ ଭାବେ ସଂଶ୍ଲିଷ୍ଟ ଥିଲା । ମଠମାନଙ୍କ ପ୍ରତିଷ୍ଠା ମୂଳରେ ସମ୍ଭବତଃ ଚାରିଗୋଟି କାରଣ ସନ୍ନିହିତ । ଯଥା-

 

(କ)

ସନାତନ ହିନ୍ଦୁଧର୍ମର ସାରତତ୍ତ୍ଵ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ।

(ଖ)

ଶ୍ରୀକ୍ଷେତ୍ରକୁ ଆଗମନ କରୁଥିବା ଦର୍ଶନାର୍ଥୀ ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ସାମୟିକ ଆଶ୍ରୟ ଯୋଗାଣ ଓ ଆତିଥେୟତା ପ୍ରଦାନ ।

(ଗ)

ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥାନ କରୁଥିବା ସାଧୁ, ସନ୍ଥ, ସନ୍ୟାସୀ, ବାବାଜୀ, ବିଦ୍ଵାନ୍, ପଣ୍ଡିତ, ଗୃହତ୍ୟାଗୀ, ଭିକାରୀ, ଜରା ଓ ରୁଗ୍‍ଣ ତଥା ବିଦ୍ୟାର୍ଥୀମାନଙ୍କୁ ପ୍ରସାର ଓ ଆଶ୍ରୟଜନିତ ସାହାଯ୍ୟ ଯୋଗାଣ ।

(ଘ)

ଶ୍ରୀମନ୍ଦିରର ବିଭିନ୍ନ ନୀତି ଓ ଉତ୍ସବ ଇତ୍ୟାଦିରେ ଅଂଶ ଗ୍ରହଣ ।

 

ପୁରୀ ଜିଲ୍ଲା ଗେଜେଟିୟରରେ ପୁରୀରେ ସ୍ଥାପିତ ମଠମାନଙ୍କ ସମ୍ପର୍କରେ ଉଲ୍ଲେଖ ଅଛି ଯେ :

“xxxx Maths are monastic house originally founded with the object of giving religious instructions to chelas or disciples and generally encouraging a religious life. The Heads of these religious houses who are called Mahantas or Mathadhari are elected rom among the chelas and are associated in the management of their properties by their Adhikari who may be described as their business manager xxxx” (Gazetteer of puri District , 1929)

 

ସାଧାରଣତଃ ଖ୍ରୀଷ୍ଟୀୟ ନବମ ଶତାବ୍ଦୀଠାରୁ ଭାରତର ପ୍ରସିଦ୍ଧ ଆଚାର୍ଯ୍ୟ, ସନ୍ଥ, ବୈଷ୍ଣବମାନେ ଶ୍ରୀକ୍ଷେତ୍ର ପ୍ରତି ଆକୃଷ୍ଟ ହୋଇ ଜଗନ୍ନାଥଙ୍କ ଦର୍ଶନ ତଥା କୃପାଭିକ୍ଷା କରିବାକୁ ଆସିଥିବା ବରେଣ୍ୟ ସିଦ୍ଧ ସାଧକ, ସାଧୁ, ସନ୍ଥ, ସନ୍ୟାସୀମାନେ ଶ୍ରୀକ୍ଷେତ୍ରରେ ସ୍ଵ ସ୍ଵ ସମ୍ପ୍ରଦାୟର ଅନେକ ମଠ ପ୍ରତିଷ୍ଠା କରିଥିଲେ । ମଠର ମହନ୍ତ ବା ମଠାଧୀଶମାନେ ଶ୍ରୀଜଗନ୍ନାଥ ଚେତନା ପ୍ରଚାରର ମୂଳପିଣ୍ଡ । ଅଧିକାଂଶ ସମ୍ପ୍ରଦାୟର ଅନେକ ମଠ ପ୍ରତିଷ୍ଠା କରିଥିଲେ । ମଠର ମହନ୍ତ ବା ମଠାଧୀଶମାନେ ଶ୍ରୀଜଗନ୍ନାଥ ଚେତନା ପ୍ରଚାରର ମୂଳପିଣ୍ଡ । ଅଧିକାଂଶ ସମ୍ପ୍ରଦାୟର ଶିଷ୍ୟମଣ୍ଡଳୀ ଓ ବୈଷ୍ଣବମାନେ ମଠରେ ବାସ କରିଥାନ୍ତି । ମଠମାନଙ୍କର ମହନ୍ତମାନେ ପୂର୍ବେ ନିଜ ସମ୍ପ୍ରଦାୟର ଧର୍ମଧାରା ସମେତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରମ୍ପରା ଓ ଚେତନାର ଯେଉଁ ବାର୍ତ୍ତା ପ୍ରଚାର କରୁଥିଲେ, ତାହା ସର୍ବସାଧାରଣରେ ଗୃହୀତ ହେଉଥିଲା । ବିଶେଷ କରି ଅତିଥି ଅଭ୍ୟାଗତମାନଙ୍କୁ ସଦାବ୍ରତ ଓ ଉତ୍ତମ ଆତିଥେୟତା ପ୍ରଦାନ କରୁଥିଲେ ।

 

ଏହି ମଠଗୁଡ଼ିକ ବୌଦ୍ଧଧର୍ମର ‘ବିହାର’ ଆଦର୍ଶରେ ଗଠିତ ହେଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନିତ୍ୟନୈମିତ୍ତିକ ସେବାରେ ନିଜକୁ ନିୟୋଜିତ କରୁଥିବାରୁ ସ୍ୱଦେଶାଗତ ବହୁ ବଦାନ୍ୟ ଧର୍ମପ୍ରାଣ ବ୍ୟକ୍ତି ଓ ରାଜନ୍ୟବର୍ଗ ଏହି ମତମାନଙ୍କ ମାରଫତ୍‍ରେ ହଜାର ହଜାର ଏକ ଭୂସମ୍ପତ୍ତି ଦାନ ଆକାରରେ ପ୍ରଦାନ କରିଥିଲେ । ମୂଳରେ ସେହି ଭୂରାଜସ୍ଵଦ୍ଵାରା ମଠାନୁଷ୍ଠାନଗୁଡ଼ିକ ଉତ୍ତମରୂପେ ପରିଚାଳିତ ହେବା ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥ ମନ୍ଦିରର ନୀତି, ଉତ୍ସବରେ ସହାୟକ ହୋଇପାରୁଥିଲା । ଇତିହାସରୁ ଜଣାଯାଏ ଯେ, ଗଙ୍ଗବଂଶର ନରପତି ଅନଙ୍ଗ ଭୀମଦେବ (ତୃତୀୟ), ନରସିଂହ ଦେବ, କାମାର୍ଣ୍ଣବ ଦେବ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବ, ଭୋଇ ବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ (ପ୍ରଥମ), ବୀରକିଶୋର ଦେବ, ମୁକୁନ୍ଦ ଦେବ, ଦିବ୍ୟସିଂହ ଦେବ, ମରହଟ୍ଟା ଶାସକ ଓ ଅନ୍ୟାନ୍ୟ ଜମିଦାର ପ୍ରମୁଖ ଶ୍ରୀକ୍ଷେତ୍ରରେ ସୁପ୍ରତିଷ୍ଠିତ ମଠ ମାରଫତ୍‍ରେ ବହୁ ପରିମାଣର ଭୂସମ୍ପତ୍ତି ଦାନ କରିଥିଲେ । ଜଗବନ୍ଧୁ ସିଂହଙ୍କ ରଚିତ “ପ୍ରାଚୀନ ଉତ୍କଳ” ପୁସ୍ତକର ଉଲ୍ଲେଖ ପ୍ରକାଶରେ ଗଙ୍ଗ ବଂଶର ରାଜା ଅନଙ୍ଗ ଭୀମଦେବଙ୍କ ସମୟରେ ଶ୍ରୀମନ୍ଦିରର ଚାରିଦିଗରେ ଅନେକ ମଠ ସ୍ଥାପିତ ହେଇଥିଲା । ଏମାନଙ୍କ ମଠାଧାରୀମାନେ ନିମ୍ନଲିଖିତ କାର୍ଯ୍ୟ କରିବାକୁ ଦାୟୀ ଥିଲେ ଯଥା: ପରମେଶ୍ଵରଙ୍କ ଭୋଗ ନିଯୋଗ ଭଲମନ୍ଦ ବୁଝିବେ, ମୁହାହସ୍ତ ବା ମୁଦିରଥ, ପଶୁପାଳକ, ବ୍ରାହ୍ମଣ ସେବକମାନଙ୍କୁ ସନ୍ଧ୍ୟା, ପୂଜା ଓ ସ୍ନାନବିଧି ଶିକ୍ଷାଦେବେ, କ୍ଷେତ୍ରର ସମସ୍ତଲୋକଙ୍କ ଗୁହାରି ବୁଝି ଦଣ୍ଡମଣ୍ଡ କରିବା ଲାଗି ପରୀକ୍ଷାକୁ କହିବେ । ସନ୍ନ୍ୟାସୀ ୫୨ ମଠ ମଧ୍ୟରେ ଆନ୍ଧ୍ର ୧୨ ମଠ, ମହାରାଷ୍ଟ୍ର ୮,ଦ୍ରାବିଡ଼ ୮, କୌନଜ ୫ , ହେଙ୍ଗୁଳ ୩, ଓଡ଼ିଆ ୧୪, ଗୌଡ଼ୀୟ ୫, ଏକାଦଶୀ ୩, ମନୋଦଣ୍ଡୀ ୧୫, ତ୍ରିଦଣ୍ଡୀ ୭ ମଠ ଅଟେ । (ପ୍ରାଚୀନ ଉତ୍କଳ, ଦ୍ଵିତୀୟ ଭାଗ, ପୃ.୮୭) ଏତଦ୍‍ବ୍ୟତୀତ “ବହୁତ ବିବିଧ ସଂଗ୍ରହ” ପୁସ୍ତକର ବର୍ଣ୍ଣନାନୁୟାୟୀ ଶ୍ରୀକ୍ଷେତ୍ରରେ ମଠ ଉତ୍ପତ୍ତି ବହୁ ପୁରାତନ । ପ୍ରକୃତ ପକ୍ଷେ ଶ୍ରୀକ୍ଷେତ୍ରରେ ୭୫୨ ମଠ ପରିବର୍ତ୍ତେ ୫୨ଟି ମଠ ସ୍ଥାପିତ ହୋଇଥିଲା । ପରବର୍ତ୍ତୀ ସମୟରେ ଏଥିମହିତ ନୂତନ ମଠ ସୃଷ୍ଟି ହୋଇ ଏହି ସଂଖ୍ୟା ଶତାଧିକରେ ପହଞ୍ଚି ଥିଲା । ପ୍ରାଚୀନ ସମୟରୁ ଶ୍ରୀକ୍ଷେତ୍ରକୁ ବହୁ ସିଦ୍ଧ, ସାଧକ, ଯୋଗୀ, ସନ୍ନ୍ୟାସୀ, ପଣ୍ଡିତ, ଆଚାର୍ଯ୍ୟମାନେ ଆଗମନପୂର୍ବକ ଏଠାରେ ନିଜ ନିଜର ଆସ୍ଥାନ ଜମାଇ ଶ୍ରୀଜଗନ୍ନାଥ ତଥା ସନାତନ ଧରମ ଓ ମଠ ସଂସ୍କୃତିର ପ୍ରଚାର କରି ବିଭିନ୍ନ ଧର୍ମାନୁଷ୍ଠାନ, ମନ୍ଦିର, ଆଶ୍ରମ, ମଠ, ଧୂନି, ଗାଦି, ବଟ ଇତ୍ୟାଦି ସ୍ଥାପନ କରିଯାଇଛନ୍ତି ।

 

ଐତିହାସିକମାନଙ୍କ ବିବରଣୀ ଅନୁଯାୟୀ ଆଚର୍ଯ୍ୟ ଶଙ୍କର ପ୍ରଥମେ ଏହି କ୍ଷେତ୍ରରେ ପଦାର୍ପଣ କରି ମହାଦଧି ତଟରେ ଗୋବର୍ଦ୍ଧନ ମଠ ପ୍ରତିଷ୍ଠା କରିଥିଲେ ଓ ତାଙ୍କର ପ୍ରିୟ ଶିଷ୍ୟ ପଦ୍ମପାଦାଚାର୍ଯ୍ୟଙ୍କୁ ଏହି ପୀଠର ପ୍ରଥମ ମଠାଧୀଶ ରୂପେ ଅଭିଷିକ୍ତ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଅଲେଖ ଚନ୍ଦ୍ର ଷଡ଼ଙ୍ଗୀଙ୍କ ମତାନୁଯାୟୀ, ଶ୍ରୀଜଗନ୍ନାଥଙ୍କ ଚେତନାର ପ୍ରଚାର, ପ୍ରସାର, ଶିକ୍ଷାର ବିକାଶ, ନୈତିକ ଚେତନାର ସମୁନ୍ନତି, ସାଧୁସନ୍ୟାସୀ, ମହାପୁରୁଷ ଓ ତୀର୍ଥଯାତ୍ରୀଙ୍କ ସେବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରରେ ମଠ ସଂସ୍କୃତି ବିକାଶ ଲାଭ କରିଥିଲା । ଏହି ସଂସ୍କୃତିରୁ ଭିତ୍ତି କରି ଗଢ଼ିଉଠିଥିଲା “ମଠାନୁଶାସନ” ଓ “ମଠାମ୍ନାୟ” । ଆଦି ଶଙ୍କରଙ୍କ ‘ଅଦ୍ଵୈତାନୁଶାସନ’ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଚଳିତ ହେବା ପରେ ବିଭିନ୍ନ ସମ୍ପ୍ରଦାୟର ଅଠରଟି ଅନୁଶାସନର ପ୍ରଚଳନ ହୋଇଥିଲା । ସେହିପରି ବିଶିଷ୍ଟ ଶିଳାଲେଖବିତ୍ ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ମତ ଅନୁଯାୟୀ ଭାରତବର୍ଷରେ ଶ୍ରୀନୀଳାଚଳ ଧାମ କେବଳ ମୁଖ୍ୟତୀର୍ଥ ନୁହେଁ, ଶ୍ରୀପୁରୁଷୋତ୍ତମ- ଜଗନ୍ନାଥାଦି ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମନ୍ଦିରରେ ଅବସ୍ଥିତି ଯୋଗୁଁ ଏକ ବିଶିଷ୍ଟ ପୁଣ୍ୟକ୍ଷେତ୍ର ରୂପେ ପରିଚିତ ହୋଇଥିଲା । ତେଣୁ ପ୍ରାଚୀନ ସମୟରୁ ଆରମ୍ଭ କରି ଏଠାକୁ ଭାରତର ବହୁ ପଣ୍ଡିତ, ସାଧକ, କବି ଓ ଆଚାର୍ଯ୍ୟ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସମାଗମ ହୋଇଥିଲା । ତନ୍ମଧ୍ୟରେ ଶଙ୍କର ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କର ସମାଗମ ହୋଇଥିଲା । ତନ୍ମଧ୍ୟରେ ଶଙ୍କର ସମ୍ପ୍ରଦାୟ, ରାମାନୁଜ ବା ଶ୍ରୀ ସମ୍ପ୍ରଦାୟ, ରାମାନଦୀ ସମ୍ପ୍ରଦାୟ, ବିଷ୍ଣୁସ୍ଵାମୀ ସମ୍ପ୍ରଦାୟ, ଅତିବଡ଼ି ସମ୍ପ୍ରଦାୟ, ନିମ୍ଵାର୍କ ସମ୍ପ୍ରଦାୟ, ବ୍ରହ୍ମ ମାଧ୍ଵ ଗୌରେଶ୍ଵର ସମ୍ପ୍ରଦାୟ, ସ୍ମାର୍ତ୍ତ ସମ୍ପ୍ରଦାୟ, ଅନନ୍ତ ସମ୍ପ୍ରଦାୟ, ଉଦାସୀନ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ । ଆଦି ଶଙ୍କରାଚର୍ଯ୍ୟଙ୍କଠାରୁ ଆରମ୍ଭ କରି ଦର୍ଶନଶାସ୍ତ୍ରଜ୍ଞ ପଣ୍ଡିତମାନେ ବୈଦିକ ରୀତିରେ ନିଜନିଜର ଗବେଷଣାତ୍ମକ ଗ୍ରନ୍ଥମାନ ଲେଖି ଏଠାରେ ତାଙ୍କର ଶିଷ୍ୟ ଓ ପ୍ରତିଷ୍ୟମାନଙ୍କୁ ରଖି ଶିକ୍ଷାଦେବାପାଇଁ ମଠମାନ ସୃଷ୍ଟି କରିଥିଲେ । ଆଚାର୍ଯ୍ୟ ଶଙ୍କର ଏହି ପୁଣ୍ୟ କ୍ଷେତ୍ରରେ ପଦାର୍ପଣ କରି ତାଙ୍କ ପ୍ରତିଷ୍ଠିତ “ଅଦ୍ଵୈତବାଦ” ମତର ପ୍ରଚାର କରିବା ସକାଶେ ପୁରୀ ମହୋଦଧି କୂଳରେ ଗୋବର୍ଦ୍ଧନ ପୀଠ ସ୍ଥାପନ କରିଥିଲେ । ତାଙ୍କ ପରେ “ବିଶିଷ୍ଟାଦ୍ଵୈତ” ମତ ପ୍ରଚାର ସକାଶେ ଦକ୍ଷିଣର କେତେକ ଶିଷ୍ୟଙ୍କୁ ସାଙ୍ଗରେ ନେଇ ରାମାନୁଜାଚାର୍ଯ୍ୟ ମଧ୍ୟ ତାଙ୍କ ଶିଷ୍ୟମାନଙ୍କ ଶିକ୍ଷାର ବ୍ୟବସ୍ଥା କରିଥିଲେ । ଶ୍ରୀଧାମ ବା ଶ୍ରୀକ୍ଷେତ୍ର ଧାମର ପ୍ରାଧାନ୍ୟ କ୍ରମେ ସର୍ବଭାରତୀୟସ୍ତରରେ ପ୍ରସାରିତ ହେବାରୁ ରାମାନୁଜାଚାର୍ଯ୍ୟଙ୍କ ପରେ ମଧ୍ଵାଚାର୍ଯ୍ୟ, ନିମ୍ଵାର୍କ, ବିଷ୍ଣୁସ୍ଵାମୀ, ଶ୍ରୀଚୈତନ୍ୟ, ନାନକ, କବୀର, ଶ୍ରୀଚାନ୍ଦ, ଠାକୁର ହରିଦାସ, ଅତିବଡ଼ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ବଳରାମ ଦାସ ପ୍ରମୁଖ ବହୁ ବିଶିଷ୍ଟ ସାଧୁ, ସନ୍ଥ, କବି ଓ ଆଚାର୍ଯ୍ୟମାନଙ୍କ ସମାଗମ ହେତୁ ପୁରୀରେ ମଠ ସଂଖ୍ୟା ଏକ ଶହରୁ ଉର୍ଦ୍ଧ୍ଵରେ ପହଞ୍ଚି ଥିଲା ।

 

ଶ୍ରୀକ୍ଷେତ୍ରରେ ସୁପ୍ରତିଷ୍ଠିତ ମଠାନୁଷ୍ଠାନମାନେ ଶ୍ରୀଜଗନ୍ନାଥ ମନ୍ଦିରର କେତେକ ନିର୍ଦ୍ଧିଷ୍ଟ ନୀତି, ପର୍ବପର୍ବାଣୀ ଓ ଯାନିଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥାନ୍ତି । ଏପରିକି ନିର୍ଦ୍ଧିଷ୍ଟ ମଠମାନଙ୍କ ତରଫରୁ ଭୋଗମଣ୍ଡପରେ ବହୁ ପରିମାଣର ଭୋଗ ଖଞ୍ଜା ପ୍ରଚଳିତ ଥିବାରୁ ସେଥିନିମନ୍ତେ ଶ୍ରୀମନ୍ଦିର ପରିସରସ୍ଥ ରୋଷଶାଳାରେ ତାଙ୍କୁ ଚୁଲି ଯୋଗାଇ ଦିଆଯାଇଥିଲା । ଏତତ୍‍ବ୍ୟତିତ ଅମୁଣିଆ ଜିନିଷାତ୍ ମହଜୁଦ ରଖିବା ପାଇଁ ‘ସରଘର’ (ଭଣ୍ଡାର ଘର) ମଧ୍ୟ ଦିଆଯାଇଥିଲା । ସ୍ଥଳବିଶେଷରେ ମଠମାନ ତାଙ୍କର ସେବା ସହଯୋଗ ପାଇଁ ଲାଗି ‘ଖଣ୍ଡୁଆପାଟ’ ଓ ‘ମହାପ୍ରସାଦ ଖାଇ’ ଇତ୍ୟାଦି ଶ୍ରୀମନ୍ଦିରରୁ ପ୍ରାପ୍ତ ହେବାର ପରମ୍ପରା ବହୁ ପ୍ରାଚୀନ ସମୟରୁ ରହିଆସିଅଛି । ଅତୀତରେ ବିଭିନ୍ନ ଗଜପତି ମହାରାଜାମାନେ ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ଵରେ ଥିବାବେଳେ ମଠମାନଙ୍କରେ ପ୍ରୋକ୍ତ ସେବାକୁ ସ୍ଵୀକୃତି ପ୍ରଦାନ କରିଥିଲେ ।

 

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାପୂଜା ସମ୍ପାଦନ ନିମିତ୍ତ ସମୟକ୍ରମେ ସନାତନ ଧର୍ମ ଅନ୍ତର୍ଭୁକ୍ତ ବିଭିନ୍ନ ସମ୍ପ୍ରଦାୟ ଓ ଗୋଷ୍ଠୀ ତରଫରୁ ପୁରୀରେ ଛୋଟବଡ଼ ଅନେକ ମଠ ଗଢ଼ିଉଠିଥିଲା । ସୁଦୂର ଅତୀତରେ ପ୍ରଚଳିତ ଥିଲା ଯେ, ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସେବାକାରୀ ପୂଜକ ହେବାକୁ ହେଲେ ପୁରୀସ୍ଥ ଗୋବର୍ଦ୍ଧନ ମଠର ପୀଠାଧୀଶଙ୍କ ଠାରୁ ଶିକ୍ଷା ଗ୍ରହଣ ଯୋଗ୍ୟତା ପ୍ରମାଣପତ୍ର ଆବଶ୍ୟକ ପଡ଼ୁଥିଲା । ଅଧୁନା ଉକ୍ତ ବ୍ୟବସ୍ଥାରେ ପରିବର୍ତ୍ତନ ଘଟି ସଂପୃକ୍ତ ନିଯୋଗ ପକ୍ଷରୁ ସ୍ଵୀକୃତି ପତ୍ର ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଉଛ ।

 

ପ୍ରାୟ ତିରିଶଗୋଟି ମଠର ନିଜସ୍ଵ ପରମ୍ପରା, ମଠ ଠାକୁରଙ୍କ ସେବା ପୂଜା ସହିତ ଶ୍ରୀଜଗନ୍ନାଥ ମନ୍ଦିରରେ ବିଭିନ୍ନ ନୀତି ସମ୍ପାଦନରେ ସଂଶ୍ଲିଷ୍ଟ । ଏହି ଶ୍ରେଣୀର କେତେକ ମଠମାନଙ୍କୁ ରାଜ ଅଙ୍ଗିଲା ମଠ ବୋଲି କୁହାଯାଇଥାଏ । କାରଣ ସେହିଗୁଡ଼ିକ ଗଜପତି ମହାରାଜାମାନଙ୍କର ପ୍ରଚେଷ୍ଠା ତଥା ଆଦେଶରେ ଗଠିତ ହୋଇଥିଲା । ତନ୍ମଧ୍ୟରୁ କେତେକ ମଠର ତାଲିକା ଓ କାର୍ଯ୍ୟବଳୀ ନିମ୍ନରେ ଉଲ୍ଲେଖ କରାଯାଉଛି ।

 

(୧)

ବଡ଼ଝାଡ଼ୁ ମଠ- ଶ୍ରୀମନ୍ଦିର ଗର୍ଭଗୃହ, ଅଣସର ପିଣ୍ଡି ଓ ଜଗମୋହନ ମାର୍ଜନା ସେବା ।

(୨)

ସାନଝାଡ଼ୁ ମଠ- ନାଟମଣ୍ଡପ, କୂର୍ମବେଢ଼ା, ଭିତରବେଢ଼ା ସଫା କରିବା ସେବା ।

(୩)

ସୁନା ଗୋସାଇଁ ମଠ – ଶ୍ରୀମନ୍ଦିରସ୍ଥ ସୁନାକୂପ ଓ ରତ୍ନସିଂହାସନ ମାର୍ଜନା, ଦୈନିକ ଜଗନ୍ନାଥ ମହାପ୍ରଭୁଙ୍କ ବେଶ ନିମିତ୍ତପଦକ, ଅଳକା ଇତ୍ୟାଦି ପୁଷ୍ପ ଅଳଙ୍କାର ଯୋଗାଣ ସେବା ।

(୪)

ଡଗରା ମଠ- ଶ୍ରୀମନ୍ଦିରର ଦୈନିକ ସେବା ପୂଜା ବା ନୀତି ସମ୍ପାଦନରେ ବିଘ୍ନ ବା ବିଳମ୍ଵ ଘଟିଲେ ସର୍ବସାଧାରଣଙ୍କୁ ଅବଗତ କରାଇବା ।

(୫)

ଛାଉଣୀ ମଠ- ଗଜପତି ମହାରାଜା, ରାଜଦମ୍ପତ୍ତି ଓ ରାଜପରିବାରର ସଦସ୍ୟମାନଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ସେମାନଙ୍କୁ ଧର୍ମୀୟଧାରା ଓ ଉପଦେଶ ଦେବା, ରଥଯାତ୍ରା ସମୟରେ ମଠ ବିଜେସ୍ଥଳୀରେ ଠାକୁରମାନଙ୍କ ସୋଲଚିତା ରଖାଯିବା ଓ ପନ୍ତିଭୋଗ କରାଯିବା ଇତ୍ୟାଦି ସେବା ।

(୬)

ପୁରାଣ ସଭା ମଠ- ବିଭିନ୍ନ ପୁରାଣ ଓ ଧର୍ମ ଶାସ୍ତ୍ର ପାଠନ ଅଧ୍ୟୟନ ଓ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ତଥା ପ୍ରସାର ।

(୭)

କଦଳୀପଟୁକା ମଠ- ମହାପ୍ରଭୁଙ୍କର ନିତ୍ୟବେଶ ନିମିତ୍ତ କଦଳୀପଟୁକା ସଂଗ୍ରହ କରି ଶ୍ରୀମନ୍ଦିରକୁ ପଠାଇବା ମଠରେ ପୁରାଣ, ଭାଗବତ ଶାସ୍ତ୍ରାଦି ପଠନର ଆୟୋଜନ କରିବା-

(୮)

କୋଠଭୋଗ ମଠ- ଶ୍ରୀ ଜୀଉମାନଙ୍କର ରାଜଭୋଗ (କୋଠଭୋଗ) ରନ୍ଧନ ପାଇଁ ଆବଶ୍ୟକୀୟ ଘିଅ, ଗୁଡ଼, ଅଟା ଇତ୍ୟାଦି ଦ୍ରବ୍ୟମାନଙ୍କର ସୁବ୍ୟବସ୍ଥା ଓ ରନ୍ଧନଶାଳା ତଦାରଖ ।

(୯)

କଳିତିଳକ ମଠ- ଚତୁଃ ସମ୍ପ୍ରଦାୟର ବୈଷ୍ଣବମାନଙ୍କୁ ତିଳକ ପ୍ରଦାନ ।

 

କେତେକ ଅଗ୍ରଣୀ ମଠ ଶ୍ରୀଜଗନ୍ନାଥଙ୍କ ଦୈନିକ ସେବା ପୂଜା ତଥା ବିଭିନ୍ନ ପର୍ବପର୍ବାଣୀ ଯଥା- ଶ୍ରୀଗୁଣ୍ଡିଚା ଯାତ୍ରା, ସ୍ନାନ ଯାତ୍ରା, ଚନ୍ଦନ ଯାତ୍ରା, ଝୁଲଣ ଯାତ୍ରା, ନବକଳେବର ଇତ୍ୟାଦିରେ ବିଶେଷ ଅଂଶଗ୍ରହଣ କରିଥାନ୍ତି । ତନ୍ମଧ୍ୟରେ ଜଗନ୍ନାଥବଲ୍ଲଭ ମଠ, ସୁନା ଗୋସାଇଁ ମଠ ଏମାର ମଠ, ବଡ଼ଓଡ଼ିଆ ମଠ, ରାଘବ ଦାସ ମଠ, ବଡ଼ ଛତା ମଠ, ରାଧାକୃଷ୍ଣ ମଠ, ଉତ୍ତରପାର୍ଶ୍ଵ ମଠ, ରେବସା ମଠ, ବଡ଼ ସନ୍ଥ ମଠ, ପାପୁଡ଼ିଆ ମଠ, ରାମଜୀ ମଠ, ରାଧାବଲ୍ଲଭ ମଠ, ମଙ୍ଗୁ ମଠ, ଦକ୍ଷିଣପାର୍ଶ୍ଵ ମଠ, ଗୋପାଳତୀର୍ଥ ମଠ, ତ୍ରିମାଳୀ ମଠ, ରାଜପୁର ଗୋସ୍ଵାମୀ ମଠ, କେବଳ ଦାସ ମଠ, ଝାଞ୍ଜପିଟା ମଠ, ସାନଛତା ପ୍ରଭୃତି ଅନ୍ୟତମ ।

 

ଉପରିଲିଖିତ ମଠମାନଙ୍କର କେତେକ ବିଶେଷ କାର୍ଯ୍ୟବଳୀ ମଧ୍ୟରେ

 

(୧)

ଶ୍ରୀଜଗନ୍ନାଥଙ୍କ ପହଣ୍ଡିବିଜେ ସମୟରେ ପନ୍ତି ଓ ପଣା ଭୋଗ ଅର୍ପଣ

(୨)

ଶ୍ରୀବିଗ୍ରହମାନଙ୍କ ଅଣସର ନୀତିବେଳେ ଚକଟା ଭୋଗ, ଚନ୍ଦନ କାଠ, ଫୁଲୁରି ତେଲ ଓ ଅନ୍ୟାନ୍ୟ ଦ୍ରବ୍ୟ ଯୋଗାଣ ।

(୩)

ଶ୍ରୀ ବିଗ୍ରହମାନଙ୍କର ବିଭିନ୍ନ ବେଶ ଉପକରଣ ଯଥା ଗଜାନନବେଶ, ପଦ୍ମବେଶ, ନବାଙ୍କବେଶ, ଇତ୍ୟାଦି ।

(୪)

ସର୍ବାଙ୍ଗ ସେବା ନିମିତ୍ତ ଦ୍ରବ୍ୟ ଯୋଗାଣ ।

(୫)

ପୁଷ୍ପ, ତୁଳସୀ, ପୁଷ୍ପମାଲ୍ୟ, ତୁଳସୀ ଚୂଳ ଯୋଗାଣ ।

(୬)

ସଂକୀର୍ତ୍ତନ ଓ ପାରମ୍ପରିକ ସଙ୍ଗୀତ ସେବା ।

(୭)

ଉପଚାର ଚାମର ଓ ଆଲଟ ସେବା ।

(୮)

ବିଭିନ୍ନ ଧୂପ ଓ ଭୋଗ ମଣ୍ଡପରେ ଖଟଣୀ ଭୋଗ କରିବା ।

(୯)

ଶ୍ରୀଜୀଉମାନଙ୍କ କେତେକ ନିର୍ଦ୍ଧିଷ୍ଟ ନୀତି ସମ୍ପାଦନ ନିମିତ୍ତ ଆବଶ୍ୟକୀୟ ଦ୍ରବ୍ୟ ଓ ବେଶ ସାମଗ୍ରୀ ଯୋଗାଣ ।

 

ଶ୍ରୀଜଗନ୍ନାଥ ମନ୍ଦିର ସ୍ଵତ୍ଵଲିପିରୁ ସଂଗୃହିତ ତଥା ଅନୁଯାୟୀ ଶ୍ରୀମନ୍ଦିର ରୋଷଶାଳାରେ ତତ୍‍କାଳୀନ ଗଜପତି ମହାରାଜା ଓ ରାଜା ସୁପରିନ୍‍ଟେଣ୍ଡେଣ୍ଟଙ୍କ ସମୟରେ ମୋଟ୍ ୮୬ଗୋଟି ଚୁଲି ବିଭିନ୍ନ ମଠ ମାରଫତ୍‍ରେ ପ୍ରଦାନ କରାଯାଇଥିଲା । ସେହି ମଠଗୁଡ଼ିକ ପରମ୍ପରା ଅନୁଯାୟୀ ଖଟଣି ଭୋଗ ସଂପାଦନ କରୁଥିଲେ । ଏତଦ୍‍ବ୍ୟତୀତ ଶ୍ରୀମନ୍ଦିର ପରିସରରେ "ରାଧାବଲ୍ଲଭ ମନ୍ଦିର” ଓ “ପାଦପଦ୍ମ ଚଉରା” ଯଥାକ୍ରମେ ରାଧାବଲ୍ଲଭ ମଠ ଓ ଝାଞ୍ଜପିଟା ମଠଦ୍ଵାରା ପରିଚାଳିତ ହେଉଅଛି । ଶ୍ରୀଜଗନ୍ନାଥ ମନ୍ଦିର ସ୍ଵତ୍ଵଲିପିରେ ୧୧୯ ଶ୍ରେଣୀର ସେବା ଉଲ୍ଲେଖ ଅଛି, ସେଥିମଧ୍ୟରୁ ‘ମଠ’ ଓ ବ୍ୟକ୍ତିଗତ ‘ସେବା’ ଅନ୍ୟତମ । ଆର୍ଥିକ ଅନଟନ ଓ ଅନ୍ୟାନ୍ୟ କେତେକ କାରଣ ଯୋଗୁଁ ବହୁ ମଠ ସେମାନଙ୍କର ସେବା ଶ୍ରୀମନ୍ଦିରରେ କରୁନଥାଏ ଜଣାଯାଏ । ଏପରିକି ସେବା ଉପଯୋଗୀ ଦ୍ରବ୍ୟ ଯୋଗାଇପାରୁ ନାହାଁନ୍ତି ।

 

ସର୍ବଭାରତୀୟ ସ୍ତରରେ ଧାର୍ମିକ ଚେତନାର ସମ୍ମୀକରଣ, ଜଗନ୍ନାଥ ଚେତନାର ପ୍ରଚାର, ପ୍ରସାର ସର୍ବୋପରି ବିଭିନ୍ନ ସମ୍ପ୍ରଦାୟର ଆଭିମୁଖ୍ୟ ଓ ପରମ୍ପରା ସମ୍ପର୍କରେ ସର୍ବସାଧାରଣ, ଭକ୍ତ ଓ ଶିଷ୍ୟମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ମଠାନୁଷ୍ଠାନଗୁଡ଼ିକର ପ୍ରତିଷ୍ଠା ଗୁରୁତ୍ଵପୂର୍ଣ୍ଣ ମନେ ହୁଏ ।

 

 

ମୁଖ୍ୟ ସମ୍ପାଦକ, ନୀଳାଦ୍ରି

କ୍ୱାଟର୍ସ ନଂ. ଏ/୩, ହାତୀ ଶାଳ

ଶ୍ରୀଗୁଣ୍ଡିଚା ବିହାର, ପୁରୀ-୨

ଫୋନ୍‍ : ୯୪୩୭୨୮୧୧୦୨

 

***

 

ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ

ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର

 

ଉପକ୍ରମ:

ଶ୍ରୀଜଗନ୍ନାଥ ଏବଂ ତାଙ୍କର ଚେତନା ପ୍ରବାହ ଓଡ଼ିଆ ଜାତିର ନିଜସ୍ଵ ସଂସ୍କୃତି । ଶ୍ରୀଜଗନ୍ନାଥ ହେଉଛନ୍ତି ଏ ଜାତିର ଗୌରବପୂର୍ଣ୍ଣ ପରିଚୟ । ତାଙ୍କର ଚେତନା ଆମ୍ଭମାନଙ୍କର ସ୍ଵାଭିମାନର ସ୍ଵାକ୍ଷର । ସେଥିପାଇଁ ଆମ ଭୂଖଣ୍ଡର ପରିଚୟ ହେଉଛି ଜଗନ୍ନାଥଦେଶ । ଏଇ ଜଗନ୍ନାଥଦେଶର ଅଧିବାସୀମାନଙ୍କର ଚିନ୍ତା-ଚେତନା, ଧର୍ମ-ଧାରଣା, ସୃଜନସ୍ଵାକ୍ଷର, ବିଶ୍ଵାସ-ବିଚେଚନା ସବୁଥିରେ ଶ୍ରୀଜଗନ୍ନାଥ ଚେତନାର ସମନ୍ଵୟ ଦୃଶ୍ୟ ହୁଏ । ସହସ୍ରବର୍ଷ ପୂର୍ବରୁ ଓଡ୍ର ଭୂଖଣ୍ଡର ଜୀବନୋତ୍ତର ଛନ୍ଦରେ ବି ସେ ଛନ୍ଦାୟିତ ।

 

ମହାପ୍ରଭୁ ଏ ଜାତିର ନେତା ଓ ନିୟନ୍ତା । ସେଥିପାଇଁ ସେ ଆମର ଉତ୍ଥାନ-ପତ୍ତନ, ଜୟପରାଜୟ, ସୁଖ-ଦୁଃଖ ସହିତ ଜଡ଼ିତ । ଚାରୁଚନ୍ଦ୍ରିକାର ଚନ୍ଦନରେ ଚର୍ଚ୍ଚିତ କଳା କଳେବର ମହାବାହୁ ଆଜି ଗଣଦେବତାରେ ପରିଣତ ହୋଇ ପାରିଛନ୍ତି । ସେ ପାଲଟି ଯାଇଛନ୍ତି ଗୁଳ୍ମର ଗଛ ରୂପରେ, ଶାଳର ସଙ୍କଳ୍ପ ରୂପରେ, ପରିପୂର୍ଣ୍ଣ ପ୍ରଶାନ୍ତିର ପବିତ୍ର ପରିଧି ଭାବରେ । ଆମ ଜୀବନର ପଦାବଳୀର ପାଦଟୀକା ଭାବରେ ।

 

ସ୍କନ୍ଦପୁରାଣ ବେଳକୁ ସେ ଥିଲେ ପର୍ଯ୍ୟାପ୍ତ ପତ୍ରପୁଞ୍ଜର ପ୍ରହେଳି ଭିତରେ ନିଭୃତ ନୀଳମାଧବ । ସେତେବେଳେ ନୂପୁର ବଜାଉଥିଲା ନୀଳନିର୍ଜର । କାନ ପାତୁଥିଲା ନୀଳକନ୍ଦର । ସେ ସ୍ଥିତି ବିକଶିତ ହୋଇଛି । ନୀଳମାଧବ ନୀଳଘନଶ୍ୟାମ ଚେତନା ଦେଇ ହୋଇଛନ୍ତି ନୀଳାଚଳନାଥ ଶ୍ରୀଜଗନ୍ନାଥ ।

 

ମହୋଦଧିରେ ଭାସମାନ ଦାରୁ ହୋଇଛନ୍ତି ‘ଦାରୁବ୍ରହ୍ମ’ । ଇନ୍ଦ୍ରଦ୍ୟୁମ୍ନଙ୍କର ଆକାଂକ୍ଷାରେ ନୁହେଁ, କି ନାରଦଙ୍କ ପରାମର୍ଶରେ ନୁହେଁ, ଶୂନ୍ୟବାଣୀରେ ଶୂନ୍ୟଚେତନାରୁ ସେ ହୋଇଛନ୍ତି ଚତୁର୍ଦ୍ଧା ବିଗ୍ରହ । ତୁଣ୍ଡ ସାହିତ୍ୟରୁ ଦାଣ୍ଡ ସାହିତ୍ୟ, ମନଫୁଲାଣିଆ ଗୀତଠାରୁ ପୋଥିତତ୍ତ୍ଵ ପର୍ଯ୍ୟନ୍ତ ସବୁଠି ସେ ପାଲଟି ଯାଇଛନ୍ତି ମେହନତୀ ମଣିଷର ମହାପୁରୁ ।

 

ଦିନେ ମହାପୁରୁ ଥିଲେ ଅନାବିଳ ଅନିନ୍ଦ୍ୟ ବିଚକ୍ଷଣ ବିଦ୍ୟାପତିର ବସ୍ତାନି ଭିତରେ । ସମୟ ବଦଳି ଯାଇଛି । ବସ୍ତାନି ଭିତରୁ ତାଙ୍କର ଚେତନା ଚହଲେଇ ଦେଇଛି ଚଉଦିଗକୁ ।

 

ଓଡ୍ର ଦେଶର ଗୋବର ଗନ୍ଧର ଗାଆଁ ଗାଇ ଉଠିଛି ଗୟସର ଗୀତ ।

 

ପ୍ରଭୁ ଆତ୍ମପ୍ରକାଶ କରିଛନ୍ତି ଗୁରୁତ୍ଵପୂର୍ଣ୍ଣ ଗୁପ୍ତ ଗୁମ୍ଫାରୁ ବିବର୍ଣ୍ଣ ବେଳାଭୁମିକୁ । ଅରଣ୍ୟର ପଣତକାନିରୁ ସମୁଦ୍ରର ଶଯ୍ୟାଧାରକୁ । ପ୍ରକୃତିର ପ୍ରଗଣା ଭିତରୁ ପ୍ରସ୍ତରୀଭୁତ ପ୍ରାଚୁର୍ଯ୍ୟକୁ । ପୁରୁଷୋତ୍ତମ ପଲ୍ଲୀର ଶ୍ରୀକ୍ଷେତ୍ରକୁ…. ।

 

ୟେ ତ ଦିନକରେ ହୋଇ ନ ଥିବ ! ମନରୁ ମନକୁ ଯାଇ କାନରୁ କାନରେ ପହଞ୍ଚିବା ପରେ ତୁଣ୍ଡ ଖୋଲିଥିବ । ଚେତନା ଚମକିଥିବ । ପ୍ରଥମେ ପଲ୍ଲୀ କୋଳରେ ହିଁ ଭାବର ପରିପ୍ରକାଶ ଘଟିଥିବ । ଜଗନ୍ନାଥପ୍ରାଣ ବିଭାସିତ ହୋଇଥିବ । ପୁଞ୍ଜୀଭୂତ ପୁଲକରେ ସେ ଗାଇ ଉଠିଥିବ ଲୋକକଥାର ଗୀତ । ଏ ଗୀତ ତାର କର୍ମମୟ ଜଞ୍ଜାଳ ମଧ୍ୟରେ, ଚାଷ ବିଲରେ, ଅବସର କାଳରେ, ଯାନିଯାତ୍ରାରେ ଝଙ୍କୃତ ହୋଇଥିବ । ତାରି ଭିତରେ ଫୁଟି ଉଠିଥିବ ଜନ-ଜୀବନର ଚିତ୍ର । ଓଡ଼ିଆ ସଭ୍ୟତାର ସାମାଜିକ ଚିତ୍ର ।

 

ସହଯୋଗୀତାର ଚିତ୍ର :

ଓଡ଼ିଆ ସଭ୍ୟତାର ଚିତ୍ର ସ୍ପର୍ଦ୍ଧା ଓ ପ୍ରତିଯୋଗିତାର ଚିତ୍ର ନୁହେଁ । ଶ୍ରଦ୍ଧା ଓ ସହଯୋଗିତାର ଚିତ୍ର, ସହଭାଗିତାର ଚିତ୍ର । ୟେ ମାନସିକତାରେ ପରିପୁଷ୍ଟ ଆମ ସାହିତ୍ୟ । ଆମ ଐତିହ୍ୟ । ସେଇଥିପାଇଁ ତ ଓଡ଼ିଶାରୁ ହିଁ ମୈତ୍ରୀ ଓ ସଂପ୍ରୀତିର ସମ୍ପ୍ରସାରଣ ହୋଇ ଆସିଛି କାଳେ କାଳେ ! ଆମ ସାହିତ୍ୟ ସଂହତିର ସାହିତ୍ୟ । ଆଦିକବି ସାରଳା ଦାସଙ୍କ ସାହିତ୍ୟ ହେଉ କି ମଧ୍ୟଯୁଗୀୟ ପଞ୍ଚସଖାଙ୍କର ସାହିତ୍ୟ ହେଉ, ଭଞ୍ଜ ସାହିତ୍ୟ ହେଉ କି ସତ୍ୟବାଦୀଯୁଗୀୟ ସାହିତ୍ୟ ହେଉ ସବୁଠି ସ୍ମାରକିତ ସ୍ଵପ୍ନ ନେଇ ପର୍ଯ୍ୟାପ୍ତ ପ୍ରାଣୋଚ୍ଛ୍ଵାସରେ ସଂହତି ହିଁ ପ୍ରତିଫଳିତ ହୋଇଛି । ସାରଳା ମହାଭାରତ ଆମର କଥିତ ଭାଷାରେ ଚେତେଇ ଦେଇଛି ମହାପୁରୁଙ୍କ କଥା । ପଞ୍ଚସଖାଙ୍କ ଜ୍ଞାନମାର୍ଗ ଭକ୍ତିରେ ଶୂନ୍ୟତତ୍ତ୍ଵ କେବଳ ମୋହିତ କଲା ନାହିଁ । ‘ଯଥା ଦେହେ, ତଥା ଦେବେ’ର ସମୀକରଣ ଭକ୍ତକୁ ଭଗବାନଙ୍କର ନିକଟତର କରିବାରେ ସଫଳ ହେଲା । ଓଡ଼ିଆ ସାହିତ୍ୟରେ ଶୂନ୍ୟତତ୍ତ୍ଵର ଶ୍ରେଷ୍ଠ ପ୍ରବକ୍ତା ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ । କଠୋର ଦାର୍ଶନିକ ଗଣ୍ଠିକୁ ସେ ଶୂନ୍ୟ ତତ୍ତ୍ଵରେ ଫିଟାଇଛନ୍ତି । ଦର୍ଶନରେ କୁହାଯାଇଛି- ଯେଉଁଠାରେ ଶୂନ୍ୟ, ସେଇଠାରେ ଶକ୍ତି । ଶକ୍ତି ଏଠି ପରମପଦ । ଶୂନ୍ୟ ଯେତିକି ଗଭୀର, ଶକ୍ତି ମଧ୍ୟ ସେତିକି ଗଭୀର । ପରମପଦର ଗଭୀରତା ସେ ଆକଳନ କରିଥିଲେ । ସେଥିପାଇଁ ଲେଖିଲେ ‘ଶୂନ୍ୟସଂହିତା’ । ପରମପଦ ଭାବରେ ଶ୍ରୀଜଗନ୍ନାଥଙ୍କୁ ଗ୍ରହଣ କରୁଥିବାରୁ ତ ଲେଖିଲେ ‘ଈଶ୍ଵର ସାକ୍ଷାତ ଲୀଳାର ନିମନ୍ତେ ବିଜେ ରତ୍ନସିଂହାସନ’ । ଶୂନ୍ୟତତ୍ତ୍ଵରେ ଲୀଳା କଥା ତ ଲେଖିଲେ: ପୁଣି ଐଶ୍ଵର୍ଯ୍ୟ ଓ ମାଧୁର୍ଯ୍ୟତତ୍ତ୍ଵରେ ଦାରୁବ୍ରହ୍ମ ଚାରିରୂପରେ ବିଜେ କରିବା କଥା ଲେଖିଦେବା ସହଜ କଥା ନୁହେଁ । ଶୂନ୍ୟକୁ ବ୍ୟୋମ ବା ଆକାଶର ପରିଭାଷାରେ ଇଙ୍ଗିତ କରିବା ପରେ ସେହି ବ୍ୟୋମ ହିଁ ପରମପଦ ବୋଲି ଜଣାଇଲେ । ତାପରେ ସେ ପରମପଦଙ୍କ ସହିତ ‘ଦାରୁବ୍ରହ୍ମ’ଙ୍କର ସମୀକରଣ କରିଛନ୍ତି । ଚାରି ରୂପ ପୁଣି ଏକ ବ୍ରହ୍ମ ! ଇୟେ ତ କ୍ରାନ୍ତଦ୍ରଷ୍ଟ୍ରା କବି ନହେଲେ ସମ୍ଭବ ନୁହେଁ । ଦାମ୍ଭିକତାରେ ଲେଖି ହେବନି ‘ଶୂନ୍ୟସଂହିତା’ ରେ ଯେ-

 

ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ

ମହାମନ୍ତ୍ର ମନ୍ତ୍ରରାଜ ରୂପ ଦାରୁବ୍ରହ୍ମ ।

ଐଶ୍ଵର୍ଯ୍ୟ ମାଧୁର୍ଯ୍ୟ ଘେନି ସିଂହାସନ ପରେ,

ବିଜୟେ କରି ଅଛନ୍ତି ଚତୁର୍ଦ୍ଧାରୂପରେ ।

 

ଏଥିରେ ଆଉ ଏକ ଚୁମ୍ବକୀୟ ଠାର ତାଙ୍କର ଲକ୍ଷ୍ୟ କରିବାର କଥା । ‘ମନ୍ତ୍ରରାଜ’ ଶବ୍ଦ । ଯେଉଁ ମନ୍ତ୍ରରାଜ ମୃତ୍ୟୁଚେତନାର ଗାଥା କହେ । ମରଣମର କଥା ନୁହେଁ । ମରଣ ଓ ମୃତ୍ୟୁରେ ଢେର ଫରକ ଅଛି ! ମୃତ୍ୟୁର କଥା ହିଁ ପରମପଦ ପାଇଁ ପ୍ରାସଙ୍ଗିକ, ମରଣ କଥା ନୁହେଁ । ସେଇ ରହସ୍ୟକୁ ଠାରରେ ଠାରିଛନ୍ତି –

 

‘ଲାଗିଛି ନୀଳାଚଳରେ’ ଅଣାକାର ମନ୍ତ୍ର ଶୂନ୍ୟ ମନ୍ଦିରେ,

ଦଶଦ୍ଵାରବାଟେ ଦଶ ଯେ କବାଟ ଯିବାକୁ ସଙ୍କଟ ସରୁ ରନ୍ଧ୍ରରେ ।

ଫୁଙ୍କାବନ୍ଧ କିଣି ଓଲଟି ଉଜାଣି ଓଲଟି ରହିଛି ତଥି ମଧ୍ୟରେ,

ଆବରଣ ଭୂଇଁ କାରଣ ନୁହଁଇ ଛଡ଼ମୁଖା ଗାଈ ଚରେ ସେଠାରେ ।।

 

ଆମ ସାହିତ୍ୟର ଗାଥାଗୀତି ହେଉ କି ସ୍ତୁତିସାହିତ୍ୟ ହେଉ ସବୁକିଛି ଶ୍ରୀଜଗନ୍ନାଥ ଚେତନାରେ ବିସ୍ମୟକର ବିବରଣୀ । ନଇଲେ କ’ଣ ମୃଗୁଣୀଟାଏ ସ୍ତୁତି କରିବାର ପରମ୍ପରାଟିଏ ସୃଷ୍ଟି କରିଥାନ୍ତେ ବଳରାମ ଦାସେ ! ଜଗତକୁ ଶ୍ରୀଜଗନ୍ନାଥଙ୍କ ସହିତ ଯୋଡ଼ି ଦେବାର କାବ୍ୟିକ ପଣିଆରେ ସେ ଉତ୍ତରି ଯାଇଛନ୍ତି । ପଶୁ, ପକ୍ଷୀ, ସ୍ଥାବର, ଜଙ୍ଗମ- ଯାହାକୁ ଆମେ ଜଗତରୁ ବାଦ୍ ଦେଇପାରିବାନି, ସେମାନଙ୍କୁ ଶ୍ରୀଜଗନ୍ନାଥଙ୍କ ସହିତ ସାମିଲ କରାଇଛନ୍ତି, ନଚେତ୍ ଓଡ଼ିଆର ‘କୋଇଲି ସାହିତ୍ୟ’ ଭାରତୀୟ ପରମ୍ପରାରେ ଏକ ଉଦାହରଣ ସୃଷ୍ଟି କରି ନ ଥାଆନ୍ତା । ସଂସ୍କୃତରେ ନୈଷଧ କାବ୍ୟରେ ‘ହଂସ’ ଦୂତ ହେବାବେଳେ କାଳିଦାସଙ୍କ ମେଘଦୂତରେ ‘ମେଘ’ ଦୂତ ହୋଇଛନ୍ତି-। ମାତ୍ର ଓଡ଼ିଆ ସାହିତ୍ୟରେ ମଧୁରକଣ୍ଠୀ କୋଇଲି ଦୂତ ହେବାର ପରମ୍ପରା ସମ୍ପୂର୍ଣ୍ଣ ନିଆରା । ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି,’ ବଳରାମ ଦାସଙ୍କ ‘କାନ୍ତ କୋଇଲି,’ ଅତିବଡ଼ିଙ୍କର ‘ଅର୍ଥ କୋଇଲି,’ ଶଙ୍କର ଦାସଙ୍କର ‘ବାରବାସୀ କୋଇଲି,’ ନାଥ ଦାସଙ୍କର ‘ଜ୍ଞାନୋଦୟ କେଇଲି,’ ଜଗତକୁ ଜଗନ୍ନାଥମୟ କରିବାର ଗୋଟିଏ ଗୋଟିଏ ପାହାଚ ବୋଲି କହିପାରିବା । ହଳିଆ ଗୀତରେ ଆମର ପରିସ୍ଫୁଟ ହୁଏ ବୀରତ୍ଵର ବୁନିଆଦି । ଆଉ ଦୋଳି ଗୀତରେ ମିଳେ ଦରଦୀ ଧର୍ମଧାରାର ମଧୁର ମର୍ମବାଣୀ । ସେଇଥିପାଇଁ ତ ଦୋଳିଗୀତ ଆଜି ବି ଦୋଳାୟିତ କରୁଛି ମନକୁ-!

 

ପୁରସ୍ତମେ ଯେଉଁ ଶରଧାବାଲି, ଚାଲିଲେ ସରଇ ନାହିଁ ଲୋ ।

କଟକର ଭାଇ ଭାଷା ଦେଇଥିଲେ, ପଡ଼ିଲେ ସରଇ ନାହିଁ ଲୋ ।।

 

ଆମ ସାହିତ୍ୟର ଚଇତିପର୍ବ ଗୀତ ତ ବନବାସୀ ଐତିହ୍ୟର ସ୍ମାରକୀ ! ନବବିବାହିତ ବନବାସୀ ଦମ୍ପତ୍ତି ଯୋଗ ଦିଅନ୍ତି ଏହି ପ୍ରେମ ଓ ସୌନ୍ଦ୍ରର୍ଯ୍ୟର ଚଇତି ପର୍ବରେ । ସମ୍ପୂର୍ଣ୍ଣ ଚଇତ୍ର ମାସର ଚଇତାଳିରେ ଚମକିଉଠେ ଏଇ ଗୀତ । ଦଳଦଳ ଯୁବତୀ-ଯୁବକଙ୍କ ମଧ୍ୟରେ ହେଉଥିବା ସାଂଗୀତିକତାକର ଏ ପ୍ରତିଯୋଗୀତା ପାଲଟିଯାଏ ସାଂସାରିକ ବନ୍ଧନ ରୂପରେ । ଓଡ଼ିଶାର ଆଦିମ ସଭ୍ୟତାର ଯେପରି ଉତ୍ତାଳ ଉଦ୍ଦାମତାର ଉଜ୍ଜ୍ଵଳ ଉଦାହରଣ ପୁଣି ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖି ! ଆଉ କେଉଁଠି ପାଇବା ଆମେ । ସମ୍ବଲପୁରର ‘ରସରକେଲି’ ରଥର ଛେରାପହଁରା କଥା କହୁଥିବା ବେଳେ ରଥ ଦେଖାଇ ମାଦକତା କହେ ‘ଘୁମୁରା ଗୀତ’ । ସାହିତ୍ୟ ହିଁ ସହଜ କହିଦେଇଛି ମହାପ୍ରଭୁଙ୍କୁ ଆମ ପାଖରେ । ‘ଶ୍ରୀଦାରୁବ୍ରହ୍ମ’ ପରମାତ୍ମା ହୋଇ ଯାଇଛନ୍ତି ଦଧିବାମନ, ପତିତପାବନ, କଳାକାହ୍ନୁ, କଳାମାଣିକ, ଗୋପାଳ ଓ ଗୋବିନ୍ଦ । ଯେମିତି ସେ ଆମ ପରିବାର, ଆମ ଗାଁର, ଆମ ପରମ୍ପରାର, ଆମ ଭାଇଆଳିଆ !! ବନବାସୀ କନ୍ଧ ବି ପଛରେ ନାହାଁନ୍ତି । ପ୍ରଭୁ ହୋଇ ଯାଇଛନ୍ତି ତାଙ୍କର ପ୍ରିୟ ଗୋପାଳ ।

 

କୁହୁକ କାକର ସେ ଯେ କେତେଦିନ ଥିବ,

(ଆର) ରଥ ସଜ ହେଲେ ଯେ ଉଡ଼ିଶାକୁ ଯିବ,

ଉଡ଼ିଶା ଦେଖିଲୁ କେରେ ଉଡ଼ାଇଥିବେ ବାନା

ନାଚୁଥିବେ ଗୁପେ ଦେଖ୍ ଗୁପାଲ୍ ……।

 

ଜନଜୀବନର ଚିତ୍ର :

ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜନଜୀବନର ଅନ୍ତରଙ୍ଗ ଆକାଶର ଖୁବ୍ ନିକଟତମ ଶୀର୍ଷବିନ୍ଦୁ । ସେଥିପାଇଁ ତ ଆମ କୁଡ଼ିଆ କାନ୍ଥର ଗୋବର ପଲସ୍ତରା ଉପରେ ଆଜି ବି ଦେଖୁ ସୁନ୍ଦର ସଫେଦ ଝୋଟିରେ ମହାପ୍ରଭୁଙ୍କ ସତ୍ତା । ତାଙ୍କରି ସେଇ ଅବିସ୍ମୃତ ଅପୂର୍ବ ଆକୃତି !!

 

ପ୍ରାଚୀନ ସାହିତ୍ୟର ଏକ ଅବହେଳିତ ଫର୍ଦ୍ଦ ଟାଣି ଆଣି ‘ବାରମାସୀ ଗୀତ’ ଟିଏ ପଢ଼ିଦେଲା ବେଳକୁ ସେଥିରେ ମିଳେ ଶ୍ରୀଜଗନ୍ନାଥଙ୍କୁ ନେଇ ଅଜସ୍ର ଆଶାର ଅଙ୍ଗୀକାର । ପ୍ରଭୁଙ୍କର ବାରମାସରେ ତେର ପର୍ବର ନିଚ୍ଛକ ନିର୍ଯ୍ୟାସ । ସତେ ଯେମିତି ବାରମାସୀ ଗୀତପାଲଟି ଯାଇଛି ଆମ ସଭ୍ୟତାର ଅନ୍ତଃହୀନ ପ୍ରେରଣାର ବର୍ତ୍ତିକା ।

 

ଆମ ସାହିତ୍ୟର ଚଉହଦୀ ଖୁବ୍ ବ୍ୟାପକ । ସେଇ ସତ୍ତା ମଧ୍ୟରେ ଶ୍ରୀଜଗନ୍ନାଥ ଚେତନା ଜଡ଼ସଡ଼ ହୋଇଯାଇଛି । କାହିଁ ଦୂରଦୂରାନ୍ତର ଗାଁର ଲଳନାଟିଏ ବୋଲୁଥିବା କାନ୍ଦଣା ଗୀତ ବି ଅଲଣା ଯାଏନି । ଯେଉଁ ଗୀତ ଉଡ୍ର ସଂସ୍କୃତିର ରୁଦ୍ରବୈରବୀ । ଏକ ଅଙ୍କୁରିତ ଅଙ୍ଗୀକାର । ଏକ ଲୋହିତ ସ୍ଵପ୍ନର ଶତଦଳ । କାନ୍ଦଣା ଗୀତରେ ଯେ କେବଳ ଅନ୍ତରର କୋହ ଏବଂ ଆତ୍ମୀୟତାର ଅଭିବ୍ୟକ୍ତି ପରିପ୍ରକାଶ ହୁଏ ତାହା ନୁହେଁଷ ଅଳି ଅର୍ଦ୍ଦଳି’ ବି ଥାଏ । ଯେଉଁ ଅଳି ଭିତରେ ଥାଏ ନୂତନ ରଥିକର ଆଶାର ଆଶାବରୀ । ନିହତ ନିରୀହରଣର ଗୀତ ଇୟେ ନୁହେଁ । ଐତିହ୍ୟର ଗୀତ-। ଏଥିରେ ଫୁଟିଉଠେ ପ୍ରଭୁଙ୍କର ଉପାସନାଠାରୁ ଉତ୍ସବ ପର୍ଯ୍ୟନ୍ତ ବର୍ଣ୍ଣନାର ବୈଚିତ୍ର । ଆଜି ଖୋଜାପଡ଼ିଛି ‘ଜେମାଦେଇ କାନ୍ଦଣା’ର ପୋଥି । ସେ ସମ୍ପଦର ଅବିକଳ ତାଳପତ୍ର ବିଡ଼ାଟି ରହିଯାଇଛି ଅହମ୍ମଦାବାଦର ଜୈନତତ୍ତ୍ଵ ସଂଗ୍ରହାଳୟର ଚାରିକାନ୍ଥ ଭିତରେ ।

 

ଏତିକିରେ ସମାପ୍ତ ହେଉନାହିଁ ଲୋକଗୀତ ପରମ୍ପରା । ଓଡ଼ିଆ ସାହିତ୍ୟର ଅନ୍ୟତମ ବିଭବ ଚିତାକୁଟା ଗୀତରେ, ଅଲିଖିତ ଭାବରେ ଥିବା ଚକୁଳିଆପଣ୍ଡା ଗୀତରେ, ଶାବରତନ୍ତ୍ରର ମନ୍ତ୍ରରେ, ମନ୍ତୁରା (ଫୁଙ୍କା-ଝଡ଼ା) ଗୀତରେ ବି ଆମକୁ ମିଳେ ଆମର ରାଷ୍ଟ୍ରଦେବତାଙ୍କର ବିଶ୍ଵାସର ବୀଜ ।

 

ଆମ ସାହିତ୍ୟରେ ମିଳୁଥିବା ୬୭ଟି ପୁରାଣ, ୫୧ଟି ଗୀତା ଓ ସଂହିତା, ୧୭୬ ଖଣ୍ଡ ତତ୍ତ୍ଵ, ଉପାସନା ଓ ସଂସ୍କୃତି ଭିତ୍ତିକ ଗ୍ରନ୍ଥରେ ସବିଶେଷ ସ୍ଥାନ ପାଇଛି ମହାପ୍ରଭୁଙ୍କ ଉପାସନାର ଉଦୟପର୍ବ । ମଧ୍ୟପର୍ବର ଯାନିଯାତ୍ରା ବିଧି ପରମ୍ପରାକୁ ନେଇ କମ୍ ପୁସ୍ତକ ରଚନା କରାଯାଇନି ଓଡ଼ିଆ ସାହିତ୍ୟରେ । ନବକଳେବର ବିଧି ଓ ପରମ୍ପରାକୁ ନେଇ ପ୍ରକାଶିତ ହୋଇଛି ୨୨ ଖଣ୍ଡ ପୁସ୍ତକ । ମହାପ୍ରଭୁ ବିଜେ କରିଥିବା କ୍ଷେତ୍ର, ଧାମ ଓ ତୀର୍ଥର ବର୍ଣ୍ଣନାକୁ ଓଡ଼ିଆ ସାହିତ୍ୟ ବି ଅଣଓଡ଼ିଆ କରିନି । ବୟାଳିଶି ଖଣ୍ଡ ପଦ୍ୟ ଓ ଗଦ୍ୟର ପୁସ୍ତକ ଆମ ସାହିତ୍ୟକୁ ଋଦ୍ଧିମନ୍ତ କରିଛି ।

 

ଆଜି ବିସ୍ମିତ ହେବାକୁ ପଡ଼ୁଛି ଓଡ଼ିଆ ଭାଷାରେ ଲେଖା ହୋଇଥିବା ଇତିହାସ ଗ୍ରନ୍ଥମାନଙ୍କୁ ନେଇ । ଶ୍ରୀକ୍ଷେତ୍ର, ଶ୍ରୀଜଗନ୍ନାଥ ଓ ରାଜା, ମହାରାଜା ଗଜପତିଙ୍କ ଇତିହାସ ସ୍ଥାନିତ ହୋଇଛି ୧୧୯ ଖଣ୍ଡ ପୁସ୍ତକରେ । ଯୁଦ୍ଧର ଘନଘଟା ମଧ୍ୟରେ, ବର୍ବର ଆକ୍ରମଣ ଓ ଲୁଣ୍ଠନ ବେଳେ ଯେ ଜାତିର ପାଇକବୀରଙ୍କର ତ୍ୟାଗ, ସେବକମାନଙ୍କର ସହଯୋଗ, ଗଜପତିଙ୍କର କୌଶଳ, ଓଡ୍ର ନୌବାହିନୀର ନିର୍ଣ୍ଣାୟକ ଭୂମିକାରେ ମାର୍ମିକ ସ୍ଵରଲିପି ମିଳିଥାଏ ଏହିସବୁ ଇତିହାସର ଦସ୍ତାବିଜରେ ।

 

ଓଡ଼ିଆ କବି ତାର ଲେଖନୀମୁନରେ ଗଢ଼ିଦେଇଛି ବିରାଟ କାବ୍ୟ ସମ୍ଭାର । ମହାପ୍ରଭୁଙ୍କୁ ନେଇ ଲେଖିଛି କେବଳ ୧୦୫ଟି କାବ୍ୟ । କାବ୍ୟ ସହିତ ତାଳ ଦେଇଛି ନାଟକ ଓ ଗୀତିନାଟ୍ୟ । ଓଡ଼ିଶାର ପ୍ରାଚୀନ ନାଟ୍ୟ ପରମ୍ପରାରେ ନାଟ୍ୟକାରମାନେ ମହାପ୍ରଭୁଙ୍କ ତତ୍ତ୍ଵ, କଥା, ଗାଥା, ପରମ୍ପରା ଓ ଇତିହାସକୁ ନେଇ ଲେଖିଛନ୍ତି ୩୬ଟି ନାଟକ ଓ ୧୩ଟି ଗୀତିନାଟ୍ୟ । ଇୟେ କେବଳ ଭାଷାର ସମୃଦ୍ଧି ପାଇଁ ନୁହେଁ, ନିପଟ ମଫସଲରେ ଭାଷାର ପ୍ରଚାର ସହିତ ମହାପ୍ରଭୁଙ୍କୁ ପହଞ୍ଚେଇ ଦେବାରେ ସଫଳ ହୋଇଛନ୍ତି ଆମର ନମସ୍ୟ ନାଟ୍ୟକାରମାନେ ।

 

ଓଡ଼ିଆ ସାହିତ୍ୟର ଚମ୍ପୂ, ଛାନ୍ଦ ଓ ଚଉତିଶାଗୁଡ଼ିକ ଆମର ଗାମ୍ଭୀର୍ଯ୍ୟର ଗାରିମା । କବି ପଛେଇଯାଇ ନାହିଁ ମହାପ୍ରଭୁଙ୍କୁ ଆଧାରସ୍ତମ୍ଭ କରିବାକୁ ଏଗୁଡ଼ିକରେ । ରସସିକ୍ତ ହୋଇ ଯାଇଛନ୍ତି ଚମ୍ପୂଗୁଡ଼ିକ । ଛାନ୍ଦ ଓ ଚଉତିଶାଗୁଡ଼ିକ ଚମକି ଉଠିଛନ୍ତି ଶ୍ରୀକ୍ଷେତ୍ରପତିଙ୍କୁ ଉପମା ଦେବାର ଲାଳିତ୍ୟରେ । ଏମାନେ ସଂଖ୍ୟାରେ କମ୍ ନୁହଁନ୍ତି । ଆଜି ବି ୪୪ ଖଣ୍ଡ ଚମ୍ଫୂ, ଚଉତିଶା ଓ ଛାନ୍ଦର ରାଗରେ ରଙ୍ଗାୟିତ ହୋଇ ଚାଲିଛି ରଙ୍ଗାଧରଙ୍କ ଲାବଣ୍ୟ । ଓଡ଼ିଆ ‘ଚଉପଦୀ’କୁ ‘ଚତୁଷ୍ପଦୀ’ ରୂପେ ସଂସ୍କୃତ ରାଇଜରେ ପ୍ରତିଷ୍ଠିତ କରେଇ ଦେଇଥିଲେ ଅତିବଡ଼ି ଆପଣେ । ତାଙ୍କ ଲିଖିତ ‘ଷୋଢ଼ଶ ଚତୁଷ୍ପଦୀ’ ଦିନେ ସଂସ୍କୃତ କାବ୍ୟ ସାହିତ୍ୟକୁ ନୂତନ ରାସ୍ତା ଦେଖାଇଥିଲା । ଐତିହ୍ୟର ଆଲୋଚନାର ୟେ ଆବେଗମୟ ଅବସରରେ ଓଡ଼ିଆ ସାହିତ୍ୟର ‘ମାଳିକା ସାହିତ୍ୟ’କୁ ବି ଆମେ ଆଡ଼େଇ ଦେଇପାରିବାନି । ପାଞ୍ଚଶହ ବର୍ଷରୁ ଅଧିକକାଳ ଧରି ଆମ ଜନଜୀବନକୁ ଆଚ୍ଛାଦିତ କରି ରହିଛି ମାଳିକା ସାହିତ୍ୟ । ଉଣେଇଶିଟି ମାଳିକା ଗ୍ରନ୍ଥରେ ଆଶ୍ଵାସନାର ଆଶାବରୀ ହେଉଛନ୍ତି ଆମର ମହାପ୍ରଭୁ ।

 

ଓଡ଼ିଆ ଉପନ୍ୟାସକାରମାନଙ୍କୁ ଆମେ ଶ୍ରଦ୍ଧାର ସହ ଏଇ ଅବସରରେ ସ୍ମରଣ କରିବା । ଷୋହଳଟି ଉପନ୍ୟାସ ଗତାନୁଗତିକତାରୁ ଟିକିଏ ମୋଡ଼ ନେଇ ଏମାନେ ଲେଖିଛନ୍ତି ମହାପ୍ରଭୁଙ୍କ କଥା । ଓଡ଼ିଆ ଗାଳ୍ପିକ ତାର ଗଛର କୋଣାର୍କ ତିଆରି କଲାବେଳେ ଛାଡ଼ିଯାଇନି ତାର ଉପାସ୍ୟଙ୍କୁ-। ଗଳ୍ପ ସାଙ୍ଗରେ ପ୍ରଭୁଙ୍କୁ ଚଲେଇ ଚଲେଇ ନେଇଛି କେତେବେଳେ ତ, ଅଭିମାନରେ ନିଉଛାଳି ବି ହୋଇଛି । ସେ ସବୁ ପାଛକଙ୍କୁ ଛୁଇଁଛି । ସଫଳ ହୋଇଛି ଅଣତିରିଶିଟି ଗଳ୍ପ, କାହାଣୀ, କଥାର ସମ୍ଭାର ।

 

ଓଡ଼ିଆ ସାହିତ୍ୟର କିମ୍ବଦନ୍ତୀ, ଜନଶ୍ରୁତି ଓ ଲୋକକଥାରେ ଶ୍ରୀଜଗନ୍ନାଥଙ୍କୁ ନେଇ ପ୍ରଚୁର ଆଲୋଚନା ହୋଇଛି । ଏଇଭଳି ନଅଟି ପୁସ୍ତକ ବି ଆମକୁ କେବଳ ଉତ୍ସାହିତ କରିନି, ପଡ଼ିବା ପରେ ତୁଣ୍ଡରୁ ତୁଣ୍ଡକୁ ବ୍ୟାପୀ ଆଈ-ମା କାହାଣୀ, ନାନାବାୟା ଗୀତ ଭିତରକୁ ପଶି ଆସିବାରେ ସଫଳ ହୋଇଛି ।

 

ଅସରନ୍ତି ଓଡ଼ିଆ ସାହିତ୍ୟର ଚିତ୍ରିତ ଚଉହଦୀ । ଓଡ଼ିଆ ଢଗଢମାଳି, ପାଲା, ଦାସକାଠିଆ ଓ ସଂକୀର୍ତ୍ତନ ସାହିତ୍ୟ ମହାପ୍ରଭୁଙ୍କୁ ବର୍ଣ୍ଣବିଭାରେ ମହିମାମଣ୍ଡିତ । ଅଭିଲେଖ, ପ୍ରତ୍ନତତ୍ତ୍ଵ, ଶିଳ୍ପକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ନେଇ ଓଡ଼ିଆ ଭାଷାରେ ରଚିତ ଗ୍ରନ୍ଥରାଜିରେ ତାଙ୍କରି ଐତିହ୍ୟରେ ହିଁ କଥା କୁହେ । ସଙ୍ଗୀତକୁ ନେଇ ପୁସ୍କକ, ନୃତ୍ୟକୁ ନେଇ ପୁସ୍ତକ ଓଡ଼ିଆ ସାହିତ୍ୟରେ ଅଭାବ ନଥିଲା କି ଏବେ ବି ନାହିଁ । ଓଡ଼ିଆରେ ପ୍ରକାଶ ପାଇଥିବା ୧୮ ଖଣ୍ଡ ଏହି କିସମର କୃତି କଳାସାଆନ୍ତକୁ ନେଇ ପୂର୍ଣ୍ଣଗର୍ଭା । ଓଡ଼ିଆ ସାହିତ୍ୟର ଶିଶୁ ସାହିତ୍ୟ ବିଭାଗ ଖୁବ୍ ଋଦ୍ଧିମନ୍ତ । ଶିଶୁଙ୍କ ଭାଷାରେ କିଶୋର ବୟସର ମନକୁ ଛୁଇଁଲା ଭଳି ଶିଶୁସାହିତ୍ୟିକମାନେ ସୃଷ୍ଟି କରିଛନ୍ତି ସାତୋଟି ପୁସ୍ତକ । ଶିଶୁ ସାହିତ୍ୟର ଏଗୁଡ଼ିକ ଅମୂଲ୍ୟ ସମ୍ପଦ । ମହାପୁରୁଙ୍କ କଥାକୁ ପିଲାଙ୍କ ପାଖରେ ପହଞ୍ଚାଇବାରେ ଅଣହେଳା କରି ନାହାଁନ୍ତି ଆମ ଶିଶୁ ସାହିତ୍ୟିକମାନେ । ଛାଡ଼ିଯାଉଛେ କି ଜଣାଣ/ଭଜନ/ପ୍ରାର୍ଥନାକୁ ନେଇ ସଙ୍କଳିତ ହୋଇଥିବା ପୁସ୍ତକର ପରିସଂଖ୍ୟାନକୁ ! ଅପରାଧ ହେବ ଆମର । ମହାପ୍ରଭୁଙ୍କ ନିରୋଳା କାହାଣୀକୁ, ଆଧାର କରି ନିର୍ମିତ ହୋଇଥିବା ଏହି ପୁସ୍ତକର ସଂଖ୍ୟା ୮୫ ଖଣ୍ଡ । ଓଡ଼ିଆ ସାହିତ୍ୟର ଶିରା, ପ୍ରଶିରା, ଧମନୀ ଓ ମଜ୍ଜାଗତ ହୋଇଯାଇଛି ମହାପ୍ରଭୁଙ୍କୁ ନେଇ ମଥା ଟେକିଥିବା ଆମର ପୁସ୍ତକସମ୍ପଦ । ଆହୁରି ସୁପ୍ତ ହୋଇ ରହିଯାଇଛି ଆଲୋକକୁ ଆସି ନଥିବା ଶହ ଶହ ‘ପୋଥିସମ୍ପଦ’ ।

 

ସହବନ୍ଧନର ଚିତ୍ର :

ଆମ ସାରଳା ମହାଭାରତର ମୂଷଳି ପର୍ବରେ ଆମେ ପାଉ ମହାପ୍ରଭୁଙ୍କର ରୂପବର୍ଣ୍ଣନା । ସେ କେବଳ କୃଷ୍ଣ, ବଳରାମ ଓ ସୁଭଦ୍ରା ନୁହଁନ୍ତି, ସେ ହେଉଛନ୍ତି ସନାତନ ଧାରାର ବ୍ରହ୍ମା, ବିଷ୍ଣୁ, ମହେଶ୍ଵର । ମହାପୁରୁଷ ବଳରାମ ଦାସ ଶ୍ରୀଜଗନ୍ନାଥ ଚେତନାକୁ ପବିତ୍ର ପଦ୍ମବନରେ ପରିଣତ କରିବାର ପ୍ରତ୍ୟୟ ଓ ପ୍ରେରଣା ସୃଷ୍ଟି କରିଛନ୍ତି । ତାଙ୍କର ଗୁପ୍ତଗୀତାରେ ବେଦର ସମନ୍ଵୟ କରି ଅସ୍ପୃଶ୍ୟତାର ଅର୍ଗଳିରୁ ମୁକ୍ତିର ପଥ ଦେଖାଇଛନ୍ତି । ସେ ହିଁ ତ ମାଣବସା ଗୁରୁବାରରେ ମହକେଇ ଦେଇଛନ୍ତି ମେହନତୀ ମଣିଷର ମହାପୁରୁଙ୍କୁ !

 

ଅତିବଡ଼ି ଆପଣେ ତ ଭାଗବତର ସୁମଧୁର ପଙ୍‍କ୍ତିରେ ସୁରଭିତ କରିଦେଲେ ଆମର ଛିନ୍ନ ଚୌହଦୀକୁ । ପ୍ରଭୁଙ୍କ ଚେତନାର ଲୁକ୍କାୟିତ ଦାର୍ଶନିକ ତତ୍ତ୍ଵକୁ ଆମରି ଭାଷାରେ ଆମକୁ ଭେଟି ଦେଇ ଶିହରିତ କରିଦେଲେ ସତ୍ତାକୁ ଆମର । ମହାପୁରୁଷ ଅଚ୍ୟୁତାନନ୍ଦ ଯେତେବେଳେ ପ୍ରଭୁଙ୍କର ତତ୍ତ୍ଵଭିତ୍ତିକ ଅଡ଼ୁଆ ସୂତାକୁ ଫିଟାଇଦେଲେ, ସେତେବେଳେ ଉଇଁ ଆସିଲା ଦୁଃଖର ଦିଗନ୍ତରେ ଚିରୁଡ଼ାଏ ଜହ୍ନ । ବାସ୍ତବରେ କବି ଯଶୋବନ୍ତ ଓ ଶିଶୁ ଅନନ୍ତଙ୍କ ଆତ୍ମତ୍ୟାଗ ମୂଳକ ପ୍ରଭୁଙ୍କ ଚେତନାଭିତ୍ତିକ କାବ୍ୟ, କବିତା ଓ ତତ୍ଵଗ୍ରନ୍ଥକୁ ନିରୀକ୍ଷଣ କଲେ ଯେମିତି ଲାଗୁଛି ସେ ଯୁଗ ଥିଲା ଜାଗ୍ରତ ଯୁଗର ସମୁଜ୍ଜ୍ଵଳ ସୂର୍ଯ୍ୟୋଦୟର ଯୁଗ ।

 

ସାଧୁ, ସନ୍ଥ ଓ ବୈରାଗୀ ଯେବେ ପ୍ରଭୁଙ୍କୁ ବୁଝିଛନ୍ତି, ପାଇଛନ୍ତି । ଉପାସନାରେ ତାଙ୍କର ଏକଚାଟିଆ ଅଧିକାର କାହାରି ନାହିଁ । ସେ ସବୁ ଶ୍ରେଣୀ, ସବୁ ଗୋଷ୍ଠୀ ଓ ସବୁ ଜାତିର ଉପାସ୍ୟ । ତାହା ହିଁ ସେମାନେ ସାହିତ୍ୟରେ ସ୍ଥାନ ଦେଇଛନ୍ତି । ଫଳରେ ଗଡ଼ଜାତର ଘାଟିରାସ୍ତାରୁ ଗାଁର ଗୋହିରୀ ଏବଂ ସହରର ସଡ଼କ ପର୍ଯ୍ୟନ୍ତ ପ୍ରଭୁ ପାଲଟି ଯାଇଛନ୍ତି ସୃଜନ ସଙ୍ଗୀତ ହୋଇ ।

 

ଭଞ୍ଜ ଆପଣେ ଘର କଣରେ ବୋହୂ ତୁଣ୍ଡରେ, ତେଣେ ବିଲରେ ମୁଣ୍ଡଝାଳ ତୁଣ୍ଡରେ ମାରି ଆମର ଅନ୍ନଦାତା ତୁଣ୍ଡରେ ବି ପହଞ୍ଚେଇଦେଲେ କମ୍ଵୁକଟକର ରାଜାଙ୍କ କଥା । ‘କୋଟିବ୍ରହ୍ମାଣ୍ଡସୁନ୍ଦରୀ’ ତ କମ୍ବୁକଟକ ରାଜାଙ୍କୁ ‘ବୈଦେହୀଶ ବିଳାସ’ରେ ରଥରେ ବସେଇ ସାରିବା ପରେ ଲାବଣ୍ୟବତୀରେ ତାଙ୍କୁ ଦିଶିଛି ଯିଏ ଶ୍ରୀରାମ ସିଏ ଜଗନ୍ନାଥ । ଚମତ୍କାର ସମୀକରଣର ବାର୍ତ୍ତା । ଓଡ଼ିଆ ଜାତିର ସହାବସ୍ଥାନର ନିଚ୍ଛକ ପ୍ରତିଛବି । ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତୀୟ ଦାମ୍ଭିକପଣିଆର ବିକାଶକୁ ଭଞ୍ଜଆପଣେ ପହଞ୍ଚେଇ ଦେଲେ ଆଉରି ଉପରକୁ ।

 

ବିଶ୍ଵୈକପ୍ରାଣତାର ଚିତ୍ର:

ସେଇଥିପାଇଁ ତ ପଣ୍ଠିତ ନୀଳକଣ୍ଠ ଦାସ ମତ ଦେଲେ- ପ୍ରଭୁ ଜଗନ୍ନାଥ ହେଉଛନ୍ତି ପୁରୁଷୋତ୍ତମ । ଜଗନ୍ନାଥ କହିଲେ ଜଗତର ପ୍ରଭୁ ବା ବିଗ୍ରହାନୁଗ୍ରହ ସମର୍ଥ ବିଭୁତିମନ୍ତ ବିଭୁ ନୁହଁନ୍ତି-। ବରଂ ସେ ଜଗତରୂପକ ପୁରୁଷର ଉତ୍ତମ ବା ଶ୍ରେଷ୍ଠ ପୁରୁଷ । ସେହି ଜଗତସ୍ଵରୂପ ପୁରୁଷର ବା ପୁରୁଷୋତ୍ତମଙ୍କର ସୁଖଦୁଃଖରେ ନିଜେ ସୁଖୀ-ଦୁଃଖୀ ହୋଇପାରିଲେ ଅର୍ଥାତ୍ ସମଗ୍ର ବିଶ୍ଵର ଅନୁଭବ ସଙ୍ଗରେ ତାଙ୍କର ଅନୁଭବକୁ ସାମିଲ କରିପାରିଲେ ତାହା ହିଁ ହେବ ଜଗନ୍ନାଥଙ୍କର ଶ୍ରେଷ୍ଠ ଉପାସନା ।

 

ବାସ୍ତବରେ ଶ୍ରୀଜଗନ୍ନାଥ ଚେତନାର ପୁରୁଷୋତ୍ତମ ଧାରା ଭିତରେ ରହିଛି ବିଶ୍ଵୈକପ୍ରାଣକତାର ନିଦର୍ଶନ । ତାହା ହିଁ ପରିପ୍ରକାଶ ହୋଇଛି ଆମ ସାହିତ୍ୟରେ । କବି ଆକୁଳିତ ପ୍ରାଣ ପାଇଁ ଆଞ୍ଜୁଳେ ଆୟୁଷ ଲୋଡ଼େ । କାହିଁକି ନା ୟେ ଓଠ ତୋଳିବ ତାଙ୍କ ଅନାହତ ନାଦର ଓଁକାର କବି ଅବୁଭବ କରିଛି ନିବିଡ଼ ନିଃଶବ୍ଦତାର ପରିସମାପ୍ତି ପାଇଁ କୌଣସି ଖଡୀରତ୍ନ କି ଫଳିତ ପଣ୍ଡିତଙ୍କୁ ଉତ୍ତର ମାଗିଲେ ଆଶ୍ଵାସନାର ବାତାବରଣ ଆସେନି । ଆଶ୍ଵାସନା ଆସେ ବାଳୁତ ବାମନାବତାର ମଧ୍ୟରୁ । ସେଇଥିପାଇଁ କବିର ଶବ୍ଦରେ ଫୁଟିଉଠିଛି ଆଦିଗନ୍ତ ଆକାଙ୍‍କ୍ଷାର ଅଶ୍ରୁତ ଆବେଦନ ।

 

ମାନଉଦ୍ଧାରଣ କର ହେ କାରଣ ଶରଣ ମୁଁ ତୁମ୍ଭ ପାଦତଳେ,

ଅନାଥର ନାଥ ନୀଳଗିରିପଥ ଜଗନ୍ନାଥ ନାମ ନୀଳଚଳେ ।

 

ମହାପ୍ରଭୁଙ୍କୁ ଚେତନାର ସହିଷ୍ଣୁତା, ଶିଷ୍ଟାଚାର ଏବଂ ଉଦାରତା ଏକ ଏକ ଅପୂର୍ବ ପରିକଳ୍ପନା । ୟାକୁ ସାହିତ୍ୟରେ ଚିତ୍ର ଦେବା ସହଜସାଧ୍ୟ ନୁହେଁ । ତଥାପି ଉପନ୍ୟାସରେ ଚେତନାର ସ୍ଵର-ତାଳ-ଲୟ ଦେଇ ସହସ୍ରାଭ ସ୍ଵପ୍ନର ସପ୍ରତିର ସମ୍ଭାବନାଟିଏ ସୃଷ୍ଟି କରିଛି ଓଡ଼ିଆ ଲେଖକ । ସହାବସ୍ଥାନ ସହିତ ସହଯୋଗର ପରମ୍ପରାଟିଏ ଗଢ଼ିତୋଳିଛି ତା ଲେଖନୀ ମୁନରେ । ଶ୍ରୀଜଗନ୍ନାଥଙ୍କୁ ନେଇ ବୀରତ୍ଵର କାବ୍ୟଧାରା ସୃଷ୍ଟି କରିଛି । ସେ ହୋଇଛନ୍ତି ବିଶ୍ଵର ବିଦିତ ବିଗ୍ରହ । ତାଙ୍କର ଚେତନା ନିଜସ୍ଵ ଚେତନାରେ ରୂପାନ୍ତରିତ ହୋଇପାରିଛି ଜନଗଣଙ୍କ ପାଖରେ । ସେ ପାଲଟି ଯାଇଛନ୍ତି ଗଣଦେବତା । ଓଡ଼ିଆ ସାହିତ୍ୟ ହିଁ ତାଙ୍କୁ ଗଣଦେବତା ଭାବେ ଗଢ଼ି ତୋଳିବାରେ ଧରମା ଭୂମିକା ନେଇଛି । ନିଜ ପରିଚୟର ଢୋଲ ବଜାଇନି । ପେଟପାଟଣାର ଅକୁହା ଆବେଗକୁ ଜଣେଇନି । ଭାଇବିରାଦର, ପିଲାମାଇପେ ତାଙ୍କୁ ବଡ଼ ଦିଶିନାହାନ୍ତି । କାରୁଣ୍ୟର କୋହରେ ଲେଖନୀ ଧରିବା ବେଳକୁ ସାମନାରେ ଆସି ଠିଆ ହୋଇଛନ୍ତି ତାର ଲାବଣ୍ୟମୟ କଳାଠାକୁର । ଜ୍ଞାନଚକ୍ଷୁରେ ଦେଖୁଛି କଳାବଦନରେ ଚିରୁଡ଼ାଏ ହସ । ଭୁଲିଯାଇଛି ସବୁ । ତାଳପତ୍ରର ପାଖୁଡ଼ାରେ ଲେଖନୀ ଚଳେଇ ଠିଆ କରିଦେଇଛି କାବ୍ୟ, କବିତା, ନାଟକ, ଉପନ୍ୟାସ, ପ୍ରବନ୍ଧ ଓ ଆଲୋଚନାର କୋଣାର୍କ ।

 

ରୂପାତୀତାର ଚିତ୍ର :

ଦ୍ଵାଦଶ ଶତାବ୍ଦୀରେ କବି ଜୟଦେବଙ୍କ ଦ୍ଵାରା ପୁରୁଷ ଓ ପ୍ରକୃତିର ଅନବଦ୍ୟ ଆକର୍ଷଣ ଓ କାବ୍ୟମାନସର ଅନ୍ତର୍ଦୃଷ୍ଟିରେ ଚଟୁଳ ଚମତ୍କାରିତା ପ୍ରକାଶ ପାଇବା ପରେ, ରୂପାତୀତର ଉପାସନା ବିକାଶଲାଭ କରିଥିଲା । ଆତ୍ମା ପରମାତ୍ମାର ଅନ୍ତିମ ବିନ୍ଦୁରେ ଉପାସନାର ଲକ୍ଷ୍ୟ ଏକୀକୃତ ଏବଂ ଏକୀଭୂତ ହୋଇ ଯାଇଥିଲା । ତାହା ହିଁ ଛଅଶହ ବର୍ଷ ଧରି କବିମାନଙ୍କର କଲମ ମୁନରେ ଆରତିର ଆଳାପନୀ ରୁପେ ଚିତ୍ରିତ ହେଲା । ସେମାନେ ଦେହ ମଧ୍ୟରେ ବିଦେହର ବୈଚିତ୍ରକୁ ରୂପ ଦେଲେ । ତାହା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପର୍ଯ୍ୟନ୍ତ ଅବ୍ୟାହତ ଥିବାର ଅନୁଭବ ହୁଏ ।

 

ଶ୍ରୀଜଗନ୍ନାଥ ଚେତନାକୁ ବାଦ୍ ଦେଇ ଓଡ଼ିଆ ସାହିତ୍ୟର ରୂପକଳ୍ପ ଆକଳନ କରିବା ସମ୍ଭବ ନୁହେଁ । ଓଡ଼ିଆ ସାହିତ୍ୟର ଯେଉଁ ବିଭାଗକୁ ଆମେ ସ୍ପର୍ଶ କରିବା ସେଥିରେ ଆମେ ପାଇବା ଆମ ମହାପ୍ରଭୁଙ୍କର ପ୍ରଭାବ ଓ ପ୍ରତିଷ୍ଠା । ୟେ ଧାରା ୟେବେ ବି ଅବ୍ୟାହତ ରହିଛି । ଦିନେ ଭାରତୀୟ ସାହିତ୍ୟକୁ ଏହା ଯେ ଆଚ୍ଛାଦିତ ନ କରିବ କିଏ କହିବ ?

 

ପାଦଟୀକା :-

ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା-

ଡଃ ବାସୁଦେବ ସାହୁ

ଓଡ଼ିଆ ସାହିତ୍ୟରେ ଧର୍ମଧାରା-

ଡଃ କାହ୍ମୁଚରଣ ମିଶ୍ର

ଓଡ଼ିଆ ଲୋକଗୀତରେ ଜଗନ୍ନାଥ -

ଡଃ ଉମେଶଚନ୍ଦ୍ର ଚିହ୍ନରା

ପଲ୍ଲୀଗୀତ ସଞ୍ଚୟନ (ପ୍ରଥମଭାଗ) -

(ସଂ) ଲୋକରତ୍ନ କୁଞ୍ଜବିହାରୀ ଦାଶ

ଭାବସମୁଦ୍ରମ୍-

(ସଂ)ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ଵାଜ)

ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ -

ପ୍ରକାଶକ- ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ

ଓଡ୍ରଦେଶର ଇତିହାସ -.

ଡଃ ସୁରେନ୍ଦ୍ର କୁମାର ମିଶ୍ର

 

***

 

ପ୍ରାଚୀନ ଓଡ଼ିଆ କାବ୍ୟ-ପରମ୍ପରାରେ ଶ୍ରୀଜଗନ୍ନାଥ

ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ

 

ବିକଶିତ ଓଡ଼ିଆ ଭାଷାରେ ପ୍ରକାଶିତ ଆଦ୍ୟ ସହିତ୍ୟ ‘ପୁରାଣ’ ରୂପେ ଚିହ୍ନିତ । ତେଣୁ ସାରଳା ଦାସ ଓଡ଼ିଆ ସାହିତ୍ୟର ଆଦ୍ୟ ପୁରାଣକାର, ଓଡ଼ିଆ ଭାଷାରେ ସାହିତ୍ୟ ଅଭିବ୍ୟକ୍ତି କୌଶଳ ବାଢ଼ିଥିବା ଆଦିକବି । ବିସ୍ତୃତ ଲୋକସାହିତ୍ୟକୁ ପରିମିତିସମ୍ପନ୍ନ ଓ ଶୃଙ୍ଖଳାବଦ୍ଧ ଲିଖନ ଚାତୁରୀରେ କଳାତ୍ମକ କରିଥାନ୍ତି ପୁରାଣକାର । ଏଥିପାଇଁ କୁହାଯାଇଛି, ପୁରାଣ ସାହିତ୍ୟ ହେଉଛି ଲୋକ ପରମ୍ପରାର ଲେଖକୀୟ ମାର୍ଜିତ କଳା ଯାହା ବିଦଗ୍ଧଜନଙ୍କ ମନୋରଞ୍ଜନ କାବ୍ୟ- ସ୍ଥାପତ୍ୟ ନିର୍ମାଣର ମୂଳ ଉତ୍ସ । ପୁରାଣ-ଶାସ୍ତ୍ରାଦିରୁ ଯାହା ଜଣାଯାଏ, ଜଗନ୍ନାଥ ଥିଲେ ଶବର ଦେବତା, ହେଲେ ରାଷ୍ଟ୍ର ଦେବତା । ଶବର ଦେବତା ଦୃଷ୍ଟିରୁ ତାଙ୍କର ଲୋକ ପରମ୍ପରାରେ ପ୍ରଭାବ ପ୍ରତୁଳ ଥିବାରୁ ଆଦି ଓଡ଼ିଆ ପୁରାଣ ‘ସାରଳା ମହାଭାରତ’ରେ ତାଙ୍କ ମୂର୍ତ୍ତି ନିର୍ମାଣ, ଦେଉଳ ତୋଳା, ତାଙ୍କୁ ସ୍ତୁତି କରାଯିବା ଇତ୍ୟାଦି ଯାବତୀୟ କଥା ଧର୍ମାଚାର ଏବଂ କୃଷ୍ଣ-ରାମଙ୍କ ସହ ତାଙ୍କର ଅଭେଦତ୍ଵ ବହୁଳ ଭାବେ ଦର୍ଶାଯାଇଛି । ସାରୋଳା ଦାସଙ୍କ ପୁରାଣ ରଚନା ହେଉଛି ପଞ୍ଚଦଶ ଶତାବ୍ଦୀର କଥା-। ଏହି ଶତାବ୍ଦୀରେ ଓଡ଼ିଆ ସାହିତ୍ୟରେ କାବ୍ୟରଚନା କରାଯାଇଥିବା ଗବେଷକମାନେ ସ୍ଵୀକାର କରିଥାନ୍ତି । ‘ରାମବିଭା’ କାବ୍ୟର ରଚୟିତା ଅର୍ଜ୍ଜୁନ ଦାସଙ୍କୁ ପଞ୍ଚଦଶ ଶତାବ୍ଦୀର ଶେଷଭାଗ ଅଥବା ଷୋଢ଼ଶ ଶତାବ୍ଦୀର ଆଦ୍ୟଭାଗର କବି ବୋଲି ଆର୍ତ୍ତବଲ୍ଲବ ମହାନ୍ତି ଦର୍ଶାଇଛନ୍ତି । ଆଜି ସୁଦ୍ଧା ଆଉ କୌଣସି ପୁରୁଣା ଓଡ଼ିଆ କାବ୍ୟ ଗବେଷକମାନଙ୍କଦ୍ଵାରା ଆବିଷ୍କୃତ ନ ହୋଇଥିବାରୁ ଓଡ଼ିଆ ସାହିତ୍ୟରେ ପୁରାଣର ନିର୍ମୋକ ଭିତରୁ ପ୍ରଥମେ ‘ରାମବିଭା’ କାବ୍ୟ ପ୍ରକାଶ ପାଇଥିଲା ବୋଲି ସ୍ଵୀକାର କରିବା ଭିନ୍ନ ଗତ୍ୟନ୍ତର ନାହିଁ । ପୁରାଣ ରଚନାରେ ଯେଉଁ ଶୈଳୀ ସ୍ଵାତନ୍ତ୍ର ଦେଖାଯାଏ ତାହାକୁ ‘ସମ୍ବାଦ ଶୈଳୀ’ କୁହାଯାଏ । ଅର୍ଥାତ୍ ଜଣେ କେହି ପଚାରିବେ, ଆଉ ଜଣେ ଉତ୍ତର ଦେବେ । ଏହି ରୀତି ‘ରାମବିଭା’ କାବ୍ୟ ଗଢ଼ଣରେ ଅନୁସୃତ । ଯେପରି

 

ପୁଚ୍ଛେ ଯୁଧିଷ୍ଠି ରାୟେ ଯୋଡ଼ି କର

ରାମ ଚରିତ କହ ମୁନିବର ।

ବୋଲେ ସାନନ୍ଦ ଚିତ୍ତେ ମାରକଣ୍ଡ

ଶୁଣି ସକଳ ପାପ ତୋର ଖଣ୍ଡ ।

(ଦ୍ଵିତୀୟ ଛାନ୍ଦ- ରାମବିଭା)

 

ଓଡ଼ିଆ ସାହିତ୍ୟର ଇତିହାସ ରଚୟିତାମାନେ କେତେ ଭାଗରେ ଯୁଗ ବିଭାଜନ କରିଛନ୍ତି-। ଓଡ଼ିଆ ସାହିତ୍ୟର ଇତିହାସ ରଚନା ଧାରାରେ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ‘ଆଦି ପର୍ବ’ ପରେ ‘ଓଡ଼ିଆ ସାହିତ୍ୟର ମଧ୍ୟ ପର୍ବ’ (ପୂର୍ବ ମଧ୍ୟକାଳ-ଖ୍ରୀ.ଅ. ୧୪୮୦-ଖ୍ରୀ.ଅ ୧୬୮୦) ରଚନା କରିଛନ୍ତି । ତାଙ୍କ ମତରେ “ସାରଳାଦାସଙ୍କଠାରୁ ଉନବିଂଶ ଶତାବ୍ଦୀର ଶେଷ ପାଦ ପର୍ଯ୍ୟନ୍ତ ସୁବିସ୍ତୃତ ପାଞ୍ଚଶତାବ୍ଦୀ ଓଡ଼ିଆ ସାହିତ୍ୟରେ ମଧ୍ୟଯୁଗ” । ପୁଣି ଏହି ମଧ୍ୟଯୁଗର ସାହିତ୍ୟରେ ସ୍ରଷ୍ଟାମାନଙ୍କର ଜଗନ୍ନାଥଙ୍କ ପ୍ରତି ପ୍ରଭୂତ ଭକ୍ତି ନିବେଦିତ ହେବାକୁ ଲକ୍ଷ୍ୟ କରି ସୁରେନ୍ଦ୍ର ମହାନ୍ତି ତାଙ୍କ ଲିଖିତ ‘ଓଡ଼ିଆ ସାହିତ୍ୟର ମଧ୍ୟପର୍ବ’ (୧୯୬୭) ବହିଟିକୁ “ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଇଷ୍ଟଦେବ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଚରଣ-ପଙ୍କଜରେ ଭକ୍ତିର ନିଦର୍ଶନ ରୂପେ” ଅର୍ପଣ କରିଅଛନ୍ତି । ମଧ୍ୟପୂର୍ବକୁ ଦୁଇ ଭାଗରେ କରିଛନ୍ତି- ଆଦି ମଧ୍ୟକାଳ (୧୪୮୦-୧୬୮୦) ଓ ଉତ୍ତର ମଧ୍ୟକାଳ (୧୬୮୧-୧୮୯୯) । ଆଦି ମଧ୍ୟକାଳର ଓଡ଼ିଆ କାବ୍ୟଧାରାକୁ ସୁରେନ୍ଦ୍ର ମହାନ୍ତି ପ୍ରାକରୀତି କାବ୍ୟ କହିଛନ୍ତି । ବସ୍ତୁତଃ ‘ରାମବିଭା’ କାବ୍ୟଠାରୁ ଦୀନକୃଷ୍ଣ ଦାସଙ୍କ ‘ରସକଲ୍ଲୋଳ’ କାବ୍ୟ ରଚନା ପର୍ଯ୍ୟନ୍ତ- ଓଡ଼ିଆ କାବ୍ୟ ଖୁବ୍ ସମ୍ଭବତଃ ଶୀର୍ଷକସ୍ଥ ବନ୍ଧନୀରେ ସୂଚୀତ ପ୍ରାଚୀନର ଭାବଦ୍ୟୋତକ । ତେଣୁ ‘ଜଗନ୍ନାଥ ଓ ଓଡ଼ିଆ କାବ୍ୟ ପରମ୍ପରା (ପ୍ରାଚୀନ)’- ଏହି ବିଷୟକ ଆଲୋଚନାରେ ଅର୍ଜ୍ଜୁନ ଦାସଙ୍କଠାରୁ ଦୀନକୃଷ୍ଣ ଦାସଙ୍କ ପର୍ଯ୍ୟନ୍ତ କବିମାନେ କିପରି ଜଗନ୍ନାଥଙ୍କ ଅବଲମ୍ଵନପୂର୍ବକ ଓଡ଼ିଆ କାବ୍ୟ ପରମ୍ପରାକୁ ସମୃଦ୍ଧ କରିଅଛନ୍ତି ତାହା ଦର୍ଶାଇଦେବା । ଏହି ସମୟ ଖଣ୍ଡରେ ପ୍ରକାଶ ପାଇଥିବା ଓଡ଼ିଆ କାବ୍ୟଗୁଡ଼ିକ ରୀତିଧର୍ମୀ ସଂସ୍କୃତ କାବ୍ୟାଦର୍ଶ ପ୍ରଭାବରୁ ଅପେକ୍ଷାକୃତ ସ୍ଵତନ୍ତ୍ର ଥିଲା, ଭାଷା ମଧ୍ୟ ସେହିପରି ସଂସ୍କୃତାନୁଗତ୍ୟରୁ ମୁକ୍ତ ଥିଲା । ନିରୋଳ ଓଡ଼ିଆ କାବ୍ୟର ନିଦର୍ଶନ ରୂପେ ଆଲୋଚିତ କାଳର କାବ୍ୟଗୁଡ଼ିକ ଯେକୌଣସି ସାହିତ୍ୟରେ ଏକ ବିଶିଷ୍ଟ ସମ୍ପଦରୂପେ ବିବେଚିତ ହେବା ସ୍ଵାଭାବିକ । (ଓଡ଼ିଆ ସାହିତ୍ୟର ମଧ୍ୟ ପର୍ବ-୧୯୭୯, ପୃ. ୨) ତେବେ ଏହି କାଳ ଓଡ଼ିଆ କାବ୍ୟଗୁଡ଼ିକରେ କବିମାନଙ୍କର ଜଗନ୍ନାଥଙ୍କ ପ୍ରତି ପ୍ରକାଶ ପାଇଥିବା ଭକ୍ତି ଭାବ ସମ୍ବନ୍ଧରେ ଐତିହାସିକ କେଦାରନାଥ ମହାପାତ୍ର ଉଲ୍ଲେଖ କରିଥିବା କାରଣ ଅବିକଳ ଉଦ୍ଧାର କରାଯାଇଛି । ସୂର୍ଯ୍ୟବଂଶୀ ସମ୍ରାଟମାନଙ୍କର ଶ୍ରୀଜଗନ୍ନାଥଙ୍କଠାରେ ଅଚଳା ଭକ୍ତି ଥିବା ସେମାନଙ୍କର ଓଡ଼ିଆ ଅଭିଲେଖମାନଙ୍କରୁ ସ୍ପଷ୍ଟ ଭାବରେ ଜଣାଯାଏ । ସମଗ୍ର ଭାରତର ଜନୈକ ଶ୍ରେଷ୍ଠ ଦିଗ୍‍ବିଜୟୀ ସମ୍ରାଟ ସୂର୍ଯ୍ୟବଂଶ ପ୍ରତିଷ୍ଠାତା ମହାବୀର ଗଜପତି କପିଳେଶ୍ଵର ଦେବ ଜଗନ୍ନାଥଙ୍କ ଜଣେ ପରମ ଭକ୍ତ ଥିବା ତାଙ୍କର ଓଡ଼ିଆ ଲେଖାମାନଙ୍କରୁ ଜଣାଯାଏ । ଯଥା- “ପ୍ରତାପ କପିଳେଶ୍ଵର ଦେବ ମହାରାଜାଙ୍କର ସମସ୍ତ ୩୧ ଅଙ୍କ +ଶ୍ରୀ ପୁରୁଷୋତ୍ତମ କଟକେ ଦଖିନ ଘରେ ମାଜଣା ମଣ୍ଡପେ ବିଜେ ସ୍ମ ଓ ଅବଧାରିତ ଆଜ୍ଞା ହୋଇଲା ମୁଦଳେ ଭୋ ଜଗନ୍ନାଥ ମୋହର ବାହିଜ ଅଭ୍ୟନ୍ତର ସମସ୍ତ ତ ତୁ ଜାଣୁ, ତୋହର ଯେତେ ରତନ ପଦାର୍ଥ ଅଛି ସେ ତୋହର x x ଭୂମିଖଣ୍ଡ ତୁ ଯାହାକୁ ଅନୁଗ୍ରହ କରୁ ମୋହର ବେପ +ଚବ ।’’ (କ)

 

“ବୀରଶ୍ରୀ ଗଜପ୍ତି ପ୍ରତାପ କପଳେଶର ଦେବ ମାହାରାଜାଙ୍କର….୩୫ ଅଙ୍କ ଗ୍ରାହୀ….ଭୋ ଜଗନ୍ନାଥ ସୋ ସେବକ ଏମନ୍ତ ଜଣାଉଅଛି ।’’ (ଖ)

 

“ପ୍ରତାପ କପିଳେସର ଦେବ…..ସମସ୍ତ ୪୨ ଅଙ୍କ ଶ୍ରୀପୁରୁଷୋତ୍ତମ ଜଗନ୍ନାଥ ଦେବଙ୍କ ପଦ୍ମପାଦକୁ ଭକ୍ତି ନିମିତ୍ତ୍ୟେ କପିଳେସର ରଜାଏ ସେବାକରି ଦେଲେ ରତ୍ନ ତୋଡରମାନ ଶ୍ରୀଭୁଜରେ ରତ୍ନ ଶଙ୍ଖ, ଚକ୍ର ଦୁଇ, ପ୍ରମେଶ୍ଵରଙ୍କ ମଣହିଂକି ସୁନା ଯୋଗାଡ଼ (ଗ) (କ,ଖ,ଗ “Oriya inscriptions of the 15th and 16th centuries” by M.M. Chakravarty. J.A.S Bengal, 1893)”

 

ଜଣେ ପ୍ରବଳ ପରାକ୍ରାନ୍ତ ବହୁଯୁଦ୍ଧବିଜେତା ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ବିସ୍ତୃତ ବିରାଟ ସାମ୍ରାଜ୍ୟର ଅଧିପତି ଗଜପତି କପିଳେଶ୍ଵର ଦେବଙ୍କର ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଏପରି ଆତ୍ମସମର୍ପଣ ସେ ଯୁଗରେ ଉତ୍କଳୀୟମାନଙ୍କର ଜଗନ୍ନାଥ ଭକ୍ତିପରାୟଣତାର ଏକ ଜ୍ଵଳନ୍ତ ନିଦର୍ଶନ-। ସେହି ଯୁଗ ପ୍ରଭାବରେ ଅନୁପ୍ରାଣିତ ହୋଇ ଭକ୍ତ କବି ଅର୍ଜ୍ଜୁନ ଦାସ ସ୍ଵୀୟ କାବ୍ୟର ନାନା ସ୍ଥାନରେ ପ୍ରଭୁ ଜଗନ୍ନାଥଙ୍କ ମାହାତ୍ମ୍ୟ କୀର୍ତ୍ତନ କରିଛନ୍ତି । ବିଷୟବସ୍ତୁ ସହିତ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଧୂପ, ଅବକାଶ, ବେଶ, ଭୋଗ ଓ ଯାତ୍ରା ପ୍ରଭୃତିର ବର୍ଣ୍ଣନା କାବ୍ୟର ବିଭିନ୍ନ ସ୍ଥାନରେ ବର୍ଣ୍ଣିତ ହୋଇଅଛି । (ମୁଖବନ୍ଧ- କଳ୍ପଲତା-୧୯୬୧, ପୃ-୧୯) ସୂର୍ଯ୍ୟବଂଶୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଜଗନ୍ନାଥ- ସେବା, ତାଙ୍କ ପ୍ରତି ଆନୁଗତ୍ୟ ଓ ସମର୍ପଣ ମନୋଭାବ ତାଙ୍କ ସମକାଳର କବିମାନଙ୍କ ଦ୍ଵାରା ଅନୁସୃତ ହେବା ସ୍ଵାଭାବିକ ପ୍ରସଙ୍ଗ । ଏପରିକି କପିଳେନ୍ଦ୍ର ଦେବଙ୍କ ସମୟର ସାରୋଳା ଦାସ, ଓଡ଼ିଆ ଭାଷା- ସାହିତ୍ୟର ଆଦିକବି ନିଜ କବିତ୍ଵ ଓ କବିଚାତୁରୀ ପାଇଁ ଝଙ୍କଡ଼ର ସାରଳା ଚଣ୍ଡିଙ୍କ ପ୍ରେରଣା ଶିକ୍ଷା କଥା ବାରମ୍ବାର ଉଚ୍ଚାରଣ କରିଥିଲେ ବି, ମହାଭାରତ ଜଗନ୍ନାଥଙ୍କ ସୃଷ୍ଟି, ଏହା ଉଲ୍ଲେଖ କରିଅଛନ୍ତି ।

 

ଶ୍ରୀଜଗନ୍ନାଥଙ୍କ ସ୍ରିଜିଲା ୟେ ଶ୍ରୀ ମହାଭାରତ

ଶ୍ରୀ ଭଣ୍ଡାର ବିଂଘସିବାକୁ ମୁଁ ହୋଇଲି ସାମରଥ ।

ଗ୍ୟାନ ଥିଲା ପ୍ରାଣୀ ନାଶ ନ ଯାଇ କଦାଶ୍ଚିତେ

ମୁହିଂ ୟେହା ବଞ୍ଚାଇଲି ସଂସାର ଜନହିତେ ।

(ସଭାପର୍ବ)

 

ଓଡ଼ିଆ ପଞ୍ଚୁପୁରାଣ (ସାରୋଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ବଳରାମ ଦାସଙ୍କ ଜଗମୋହନ ରାମାୟଣ, ଅଚ୍ୟୁତାନନ୍ଦ ଦାସଙ୍କ ସାତଖଣ୍ଡିଆ ହରିବଂଶ, ପୀତାମ୍ବର ଦାସଙ୍କ ନୃସିଂହ ପୁରାଣ) ମଧ୍ୟରୁ ଜଗମୋହନ ରାମାୟଣର କବି ସ୍ଵଂୟ ଜଗନ୍ନାଥ ବୋଲି ଦର୍ଶାଇଛନ୍ତି ପୁରାଣକାର ବଳରାମ । ଯେପରି

 

ଶ୍ରୀ ଜଗମୋହନ ରାମାୟଣ ଗ୍ରନ୍ଥ । ଏଥିର କବି ନୀଳଗିରି ଜଗନ୍ନାଥ ।।

ସେହି ମୋର ହୃଦେ ବିଜେ କରିଥାନ୍ତି । ଆପଣାର ଚରିତ ଆପଣେ ବଖାଣନ୍ତି ।.

(ଉତ୍ତରାକାଣ୍ଡ)

 

ଶ୍ରୀଜଗନ୍ନାଥ ପ୍ରଭୁଙ୍କ ଚରଣ ସେବାକରି ଅଚ୍ୟୁତାନନ୍ଦ ଦାସ କବି ହୋଇପାରିଥିଲେ । ତାଙ୍କ ସ୍ଵୀକୃତ କଣ୍ଠଭାଷା ଏହିପରି

 

ଶ୍ରୀଜଗନ୍ନାଥ ପ୍ରଭୁଙ୍କ ଶ୍ରୀଚରଣେ ସେବି । ମୁଁ ଦୀନ ଅଚ୍ୟୁତ ଦାସ ବୋଲାଇଲି କବି ।

(ହରିବଂଶ- ୪ର୍ଥ ଖଣ୍ଡ)

 

ଓଡ଼ିଆ ସାହିତ୍ୟର ସମାଲୋଚକମାନେ କାବ୍ୟଧାରାକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ଯଥା: ପ୍ରାକରୀତି କାବ୍ୟଧାରା ଓ ରୀତି କାବ୍ୟଧାରା । ପ୍ରାକରୀତି ଓ ରୀତି କାବ୍ୟ ମଧ୍ୟରେ ତଫାତ୍ ସ୍ପଷ୍ଟ ନୁହେଁ । ଅଳଂକାର ଶାସ୍ତ୍ରୀୟ ସଂସ୍କୃତ କାବ୍ୟାଦର୍ଶ ରୀତିକାବ୍ୟରେ ଯେଭଳି କଡ଼ାକଡ଼ି ଭାବରେ ଅନୁସୃତ ପ୍ରାକ୍-ରୀତି କାବ୍ୟରେ ପୁରାଣସୁଲଭ ସହଜ ସ୍ଵାଭାବିକତା ସମ୍ପନ୍ନ ଭାଷା ଦେଇ ରୀତି ଆଦର୍ଶଆଡ଼େ ମୁହାଁଇବାର କାବ୍ୟିକ ପ୍ରବଣତା ପରିଲିକ୍ଷିତ ମାତ୍ର । ରୀତିକାବ୍ୟକୁ ଯଦି ପ୍ରୟୋଗ ଓ ମଣ୍ଡନ ଦେଇ ଭାବବୋଧ ନିମିତ୍ତ କ୍ଲିଷ୍ଟତା ସୃଷ୍ଟିର ଉପଯୋଗୀ ଶବ୍ଦବସାଣଗତ କବିକ୍ରିଡ଼ା ସହିବା ତେବେ ପ୍ରାକ୍-ରୀତି କାବ୍ୟ ହେବ ପୁରାଣ ସାହିତ୍ୟ ପ୍ରତି ପିଠି କରି ଏକାଧାରାରେ ସଙ୍ଗୀତ-ନୃତ୍ୟ ଓ ସାହିତ୍ୟକୁ ସୁଖବୋଧ୍ୟ ଶବ୍ଦ ଜରିଆରେ ପାଠକର ବୋଧସ୍ପର୍ଶୀ କରିପାରୁଥିବା ରାଗ-ତାଳ-ଘଟିତ ଛନ୍ଦୋଚାତୁରୀ । ଆଲୋଚକମାନେ ପ୍ରାକ୍‍ରୀତିର ଓଡ଼ିଆ କାବ୍ୟକଳା ଦୀନକୃଷ୍ଣ ଦାସଙ୍କ ‘ରସକଲ୍ଲୋଳ’ ରଚନା ବେଳକୁ ଶେଷ ହେବା ଓ ସେଇଠୁ ରୀତି-କାବ୍ୟ- ଭୂତି ନିରୀକ୍ଷଣ କରିଦେବା କଥା ଦର୍ଶାଇଥାନ୍ତି । ବସ୍ତୁତଃ ଦୀନକୃଷ୍ଣ ଦାସ ହେଉଛନ୍ତି ପ୍ରାକରୀତି ଓ ରୀତିକାବ୍ୟ ଧାରାରେ ରଚିତ କାବ୍ୟ ପରମ୍ପରା ମଧ୍ୟସ୍ଥ ସନ୍ଧିକ୍ଷଣର ସ୍ରଷ୍ଟା ଏବଂ ‘ରସକଲ୍ଲୋଳ’ କାବ୍ୟ ଉଭୟ ଧାରା ମଧ୍ୟରେ ସଂଯୋଗ ସେତୁ ତୁଲ୍ୟ । ପ୍ରାକ୍-ରୀତି ଓଡ଼ିଆ କାବ୍ୟର ଆଦ୍ୟ ସ୍ରଷ୍ଟା ହେଉଛନ୍ତି ଅର୍ଜ୍ଜୁନ ଦାସ ଓ ଆଦି କାବ୍ୟ ‘ରାମବିଭା’ । ପ୍ରାଚୀନ ଓଡ଼ିଆ କାବ୍ୟପରମ୍ପରାରେ ଜଗନ୍ନାଥ-ଏହି ବିଷୟରେ ଆଲୋଚନା କରାଯିବାବେଳେ କବି ଅର୍ଜ୍ଜୁନ ଦାସ (ପଞ୍ଚଦଶ ଶତାବ୍ଦୀର ଶେଷ ଓ ଷୋଢ଼ଶ ଶତାବ୍ଦୀର ଆଦ୍ୟପାଦ)ଙ୍କ ଠାରୁ ଦୀନକୃଷ୍ଣ ଦାସ (ସପ୍ତଦଶ ଶତାବ୍ଦୀ)ଙ୍କ ପର୍ଯ୍ୟନ୍ତ କବିମାନଙ୍କ କାବ୍ୟକୃତିଗୁଡ଼ିକୁ ଅବଲମ୍ବନ କରାଯିବ । ଆଲୋଚନାଧୀନ କାଳର ଓଡ଼ିଆ କବିମାନେ ଜଗନ୍ନାଥଙ୍କ ଧୂପ, ଅବସର, ଭୋଗ, ଅବସ୍ଥିତି ଆଦି କଥା ଲେଖିବା ପଛରେ ରହିଥିବା ଐତିହାସିକ କାରଣ, ଯାହା କେଦାର ନାଥ ମହାପାତ୍ର ଲେଖିଥିଲେ ତାହା ପୂର୍ବରୁ ଉଦ୍ଧାର କରାଯାଇଛି । ଓଡ଼ିଆ ସାହିତ୍ୟର ଇତିହାସରେ ପ୍ରାକ୍-ରୀତି କାବ୍ୟ ପରମ୍ପରାର ପୂର୍ବବର୍ତ୍ତୀ ଅଧ୍ୟାୟ ହେଉଛି ‘ପୁରାଣ ସାହିତ୍ୟ’ । ପୁରାଣ ସମ୍ପର୍କରେ ମାକଡ଼ୋନେଲ, ଓ୍ଵିଣ୍ଟର ନିଜ ଆଜି ଯାହା ଉଲ୍ଲେଖ କରିଯାଇଛନ୍ତି ତହିଁର ନିର୍ଯ୍ୟାସକୁ ଏହିପରି କୁହାଯାଇପାରେ, ‘ପୁରାଣ’ ହେଉଛି ବେଦ, ଉପନିଷଦ ରଚନାର ପରକାଳରେ ସୃଷ୍ଟ ଧର୍ମଗ୍ରନ୍ଥ । ଏଥିରେ ଇତିହାସ, ଉପକଥା, ଆଖ୍ୟାୟିକାଦି ରହିଛି । ଗୋଷ୍ଠୀବଦ୍ଧ ଜୀବନ ଯାପନ କରୁଥିବା ମଣିଷର ସଂସ୍କୃତି ସହିତ ଏହା ସମ୍ବନ୍ଧିତ । ତେଣୁ ଏହାର ସାହିତ୍ୟିକ ମୂଲ୍ୟବୋଧ ସବୁକାଳରେ ସ୍ଵୀକୃତ । ତଥ୍ୟ ଦୃଷ୍ଟିରୁ ‘ପୁରାଣ’କୁ କେହି କେହି Narration of ancient History କହିଥାନ୍ତି । ‘ପୁରାଣ’ ଭଳି ଆଉ କିଛି ସାହିତ୍ୟ ନାହିଁ ଯାହା ପଠନ ଅଥବା ଶ୍ରୋତାକୁ ଏକାବେଳକେ ବିସ୍ମୟାଭିଭୂତ କରିପାରିବ ଓ ଆନନ୍ଦ ଦେବ । ଏ ଦୃଷ୍ଟିରୁ ପ୍ରାକ୍ ରୀତି କାବ୍ୟରେ ପୁରାଣ ସାହିତ୍ୟର ଆନନ୍ଦ ପ୍ରଦାନକାରୀ ଏବଂ ବିସ୍ମୟ ବିମୋହକାରୀ, କଳା-କୌଶଳ ଅନୁସୃତ ହେବା ସହିତ ଧର୍ମଧାରଣା ମଧ୍ୟରେ ଇଷ୍ଟ ରୂପେ ଗୃହୀତ ‘ଜଗନ୍ନାଥ’ ଓ ତାଙ୍କ ସମ୍ପର୍କିତ ଆଖ୍ୟାନ, ଉପାଖ୍ୟାନ ସାଂକେତିକ ରୀତିରେ ଉପଯୋଗ ହୋଇଥିବା ଲକ୍ଷ୍ୟଣୀୟ । କାହାରି କାହାରି ମନରେ ପ୍ରଶ୍ନ ଉଠିପାରେ ଓଡ଼ିଆ ଭାଷାରେ କାବ୍ୟ ରଚନା କରିବାକୁ କବିମାନେ ଆଗ୍ରହୀ ହେଲେ କାହିଁକି ? ଉତ୍ତରସ୍ଵରୂପ ତିନୋଟି ସମ୍ଭାବନା କଥା ଦର୍ଶାଯାଇପାରେ । ପ୍ରଥମତଃ ଓଡ଼ିଆ ଭାଷା କ୍ରମ ବିକଶିତ ହେବା କାଳରେ କେହି କେହି ବିଦ୍ଵାନ୍ ତତ୍‍କାଳୀନ ସମାଜରେ ଜଗନ୍ନାଥ ଶୁଣୁଥିବା ‘ଗୀତଗୋବିନ୍ଦ’ର ଲୋକପ୍ରିୟତାରେ ମୁଗ୍ଧ ହୋଇ ତଦନୁରୂପ ଭାଗ-ରାଗିଣୀଯୁକ୍ତ ଛାନ୍ଦୋବଦ୍ଧ ଆଖ୍ୟାନ ପ୍ରଣୟନରେ ଆଗ୍ରହୀ ହୋଇ କାବ୍ୟ ଲେଖୁଥିବେ । ଦ୍ଵିତୀୟତଃ ଭାରତୀୟ ବାଙ୍‍ମୟରେ ସଂସ୍କୃତ କାବ୍ୟ ପ୍ରତି ଲୁବ୍ଧ ହୋଇ କେହି କେହି ଓଡ଼ିଆ ଭାଷାରେ ଅନୁରୂପ କାବ୍ୟ-ଶିଳ୍ପସିଦ୍ଧି ବାଞ୍ଛା କରିଥିବେ । ତୃତୀୟ ସମ୍ଭାବନା, ଯାହା ଓଡ଼ିଆ କାବ୍ୟମାନଙ୍କରେ ପ୍ରତ୍ୟକ୍ଷ କରାଯାଏ ତାହା ହେଉଛି ପଞ୍ଚଦଶ ଶତାବ୍ଦୀର ଆଳଂକାରିକ ବିଶ୍ଵନାଥ କବିରାଜଙ୍କ କାବ୍ୟ-ଗଢ଼ା ସମ୍ପର୍କିତ ମତ । ଆଳଂକାରିକ ବିଶ୍ଵନାଥ ଏହି ଓଡ଼ିଶାର ଓଡ଼ିଆ ପୁଅ । ତାଙ୍କ ଅଳଙ୍କାର ଗ୍ରନ୍ଥର ନାମ ‘ସାହିତ୍ୟ ଦର୍ପଣ’ । ବିଶ୍ଵନାଥ ଦର୍ଶାଇଲେ – “ଏକଃ ଶବ୍ଦଃ ସୁପ୍ରଯୁକ୍ତଃ ସମ୍ୟଗ୍ଜ୍ଞାତଃ ସ୍ଵର୍ଗଲୋକେ ଚ କାମଧୁଗ୍ ଭବତି ।“ ଅର୍ଥାତ୍ ଗୋଟିଏ ଶବ୍ଦ ଭଲ କ’ଣ ବୁଝି ଯଦି ଉପଯୁକ୍ତ ସ୍ଥାନରେ ତା’ର ବ୍ୟବହାର କରାଯାଏ ତାହାହେଲେ ଇହ ପର ଉଭୟରେ ତାହା ସକଳ କାମନା ପୂରଣ କରେ’ । ପ୍ରାକରୀତି କାବ୍ୟ ରଚକମାନଙ୍କଠାରୁ ରୀତି କାବ୍ୟ ପ୍ରଣେତାମାନଙ୍କ ପର୍ଯ୍ୟନ୍ତ ଓଡ଼ିଆ ସ୍ରଷ୍ଟାମାନେ ଶବ୍ଦ ସାଧନାରେ ବ୍ୟାପୃତ ରହି ନାହାନ୍ତି କି ? ପୁନଶ୍ଚ ମହାକାବ୍ୟର ରଚନା ସମ୍ପର୍କରେ ବିଶ୍ଵନାଥ ଦର୍ଶାଇଛନ୍ତି- “ଆଦୌ ନମସ୍କ୍ରିୟାଶୀର୍ବା” ଅର୍ଥାତ୍ ଆରମ୍ଭରେ ଇଷ୍ଟଙ୍କୁ ନମସ୍କାର କରାଯିବ । ଉଦ୍ଦେଶ୍ୟ ଆଶୀର୍ବାଦ ପ୍ରାପ୍ତି । ଏହାକୁ କବିଙ୍କ ମଙ୍ଗଳାଚରଣ କୁହାଯାଇଛି । ପ୍ରାକ୍-ରୀତି ଓଡ଼ିଆ କାବ୍ୟମାନଙ୍କରେ କାବ୍ୟକାରଗଣ ପ୍ରାୟଶଃ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମଙ୍ଗଳାଚରଣ କରିଛନ୍ତି । ଏହି ପର୍ଯ୍ୟାୟରେ ଜଗନ୍ନାଥଙ୍କ ଅବସ୍ଥିତି, ତାଙ୍କର କୌଣସି ବିଶେଷ ପର୍ବ, ପ୍ରସିଦ୍ଧି ଅଥବା ଗରିମା ବର୍ଣ୍ଣନା କରାଯାଇଛି ।

 

ଓଡ଼ିଆ ସାହିତ୍ୟର ଆଦିକାବ୍ୟ ‘ରାମବିଭା’ରେ ଅର୍ଜ୍ଜୁନ ଦାସ ଜଗନ୍ନାଥଙ୍କୁ ଯେଭଳି ନମସ୍କାର କରି ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ତାହା ଉଦ୍ଧାର କରାଯାଉଛି-

 

“ଶୁଣ ହେ ସୁଜନ ଜଳନିଧିର ଉତ୍ତର

ନୀଳଗିରିବର କମ୍ବୁ କଟକ ଭିତର ହେ

।।

ପରଂବ୍ରହ୍ମ ସ୍ଵରୂପ ସେ ଦାରୁ କଳେବର

କରୁଣା ସାଗର ଚତୁର୍ବିଧ ଅବତାର ହେ

।।

ନିଗମ ବନରେ ପଶି ମୁନି ଯାହା ଚିନ୍ତି

ପାଦପଦ୍ମେ ଜଳେ ଯାର ମହାଦେବ ସ୍ଥିତି ହେ

।।

ଚରଣ ପଖାଳି ତା’ର ନ ପାଇଲା ଧାଣ

ଜଗତ ଜନନୀ ଦେବୀ ତାର ନିଜ କାନ୍ତା ହେ

।।

ଈଶ୍ଵର ଇଚ୍ଛାୟେ ଦୟାନିଧି ଦେହ ଧରି

ନୃପତି ଗଣେଶ ପୁରୁଷୋତ୍ତମେ ବିହରି ହେ

।।

ସଙ୍କର୍ଷଣ ନାମେଣ ତହିଁର ନୃପବର

ଦଣ୍ଡଛତ୍ର ଚାମର ଅନେକ ପରିବାର ହେ

।।

ରାଜବିଧି ନିଯୋଗ ବିବିଧଭୋଗେ ଭୋଗୀ

ଯୁଗଯୁଗାନ୍ତରେ ଯାକୁ ଜଗିଛନ୍ତି ଯୋଗୀ ହେ

।।

କମଳା ବୋଲିଁ ପାଟ ମହାଦେଇ ସଙ୍ଗେ

ଖଗେଶ୍ଵର ବୋଲି ପାଟଘୋଡ଼ା ଅଛି ଆଗେ ହେ

।।

ବାବନ କୋଟି ଭଣ୍ଡାର ରତ୍ନ ସିଂହାସନ

ଦିନକର କିରଣ କି ଶୋଭା ରତ୍ନମାନ ହେ

।।

ବାମେ ଛୁରୀ ବୀର ନେତ ବୀରବର ବାନା

ଶରଣ ତାରଣ ଦୀନଜନ ବଜ୍ରସ୍ନେହା ହେ

।।

ଦିବସରେ ଦେବତାଏ ଖଟଣିରେ ଥାନ୍ତି

ନିଅବକାଶ ହୋଇଲେ ସୁରପୁର ଯାନ୍ତି ହେ

।।

ରାତ୍ର ପାଞ୍ଚଘଡ଼ି ଥାଉଁ ଶଙ୍ଖଧ୍ୟନି ଫୁରି

ପଲଙ୍କ ତେଜିଣ ସିଂହାସନେ ବିଜେ କରି ହେ

।।

ଦିହୁଡ଼ି ଲଗାଇ ପଶେ ନିଯୋଗର ଲୋକ

ଦୁଆର ଆବୋରି ରହେ ପାଇକ ନାୟକ ହେ

।।

ଖଟଣୀ ସାମନ୍ତ ପଶୁପାଳକ ବ୍ରାହ୍ମଣ

କୁସୁମମାଳ ଉଲାଗି କଲେ ତତକ୍ଷଣ ହେ

।।

ଦାନ୍ତକାଠି ଗୁଆଗୁଣ୍ଡି ଲବଣୀ ଶ୍ରୀଫଳ

ଶ୍ରୀମୁଖ ପଖାଳନ୍ତି ତ୍ରିଫଳା ରସଜଳ ହେ

।।

କର୍ପୂର କସ୍ତୁରୀ ଗନ୍ଧ ମଳୟଜ ଗୋଳି

ଚତୁଃସମ ଘେନିଣ ଶ୍ରୀଅଙ୍ଗେଣ ଶାମଳି ହେ

।।

ମଢ଼ିଆଳ ଫେଡ଼ି ଦିବ୍ୟ ଦୁକୁଳେକ ପିନ୍ଧି

କ୍ଷତ୍ରିବର ପଣେ ବାମେଛୁରୀ ନେତ ବାନ୍ଧି ହେ

।।

ଫୁଲ ଚୂଳ ସୁଗନ୍ଧ କୁଣ୍ଡଳ ଫୁଲମାଳ

ଗୋପାଳବଲ୍ଲଭ ଭୁଞ୍ଜେ ମଦନଗୋପାଳ ହେ

।।

ଆଚୋବନବେଳେ ଶିବ ସୁରପତି ବେନି

ଦର୍ଶନ କଲେକ ସଙ୍ଗେ କୁଶଧ୍ଵଜ ଘେନି ହେ

।।

ଝୀନବସ୍ତ୍ର ଘେନିଣ ଶ୍ରୀମୁଖ ପୋଛିସାରି

ବିଡ଼ିଆ ଲାଗି କରନ୍ତି ସାଗର କୁମାରୀ ହେ

।।

ପ୍ରସନ୍ନ ହୋଇଁ ବିଜେ ନୀଳଗିରି ବାସ

ଶିରେ କରଯୋଡ଼ି ଉଭା ଅରଜୁନ ଦାସ ହେ

।।

(ପ୍ରଥମ ଛାନ୍ଦ)

 

‘ରାମବିଭା’ ହେଉଛି ଓଡ଼ିଆ ଭାଷା ସାହିତ୍ୟରେ ପ୍ରଥମ କାବ୍ୟ । ଏହାର ରଚୟିତା ଅର୍ଜ୍ଜୁନ ଦାସ ୧୪୨୦ ରୁ ୧୪୩୦ ଖ୍ରୀ.ଅ ମଧ୍ୟରେ ଆବିର୍ଭୂତ ହୋଇଥିଲେ ବୋଲି ଆର୍ତ୍ତବଲ୍ଲଭ ମହାନ୍ତି ଦର୍ଶାଇଛନ୍ତି । ସୁରେନ୍ଦ୍ର ମହାନ୍ତି ଓ ଆଉ କେହି କେହି ଗବେଷକ ଅର୍ଜ୍ଜୁନଙ୍କୁ ସାରୋଳା ଦାସଙ୍କ ସମୟର ଅର୍ଥାତ୍ ପଞ୍ଚଦଶ ଶତାବ୍ଦୀର ବୋଲି ମତ ଦେଇଛନ୍ତି । ତେବେ ପଞ୍ଚଦଶ ଶତାବ୍ଦୀର ସୂର୍ଯ୍ୟବଂଶୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ସମ୍ରାଜ୍ୟ ବିସ୍ତାର ସହିତ ଉତ୍କଳରେ ଜଗନ୍ନାଥଙ୍କ ସେବା- ପୂଜାଦିରେ ସ୍ଵୟଂ ମନୋନିବେଶ କରିଥିଲେ । ତେଣୁ ଜଗନ୍ନାଥ, ଜଗନ୍ନାଥ ମନ୍ଦିର ଓ ପୁରୀ ଧାମର ସୁଦୂର-ପ୍ରସାରୀ ପ୍ରଚାର ପ୍ରସାର ସମ୍ଭବପର ହୋଇଥିଲା । ପରଂବ୍ରହ୍ମଙ୍କ ଦାରୁରୂପ ଧାରଣ ଓ ସେ ସ୍ଵୟଂ ବିଷ୍ଣୁ- ଏହି ଭାବନା ମଧ୍ୟରେ ତାଙ୍କର ପୂଜାର୍ଚ୍ଚନା କ୍ରମଶଃ ବୌଷ୍ଣବ ଧର୍ମ ଧାରଣାମୁଖୀ ହେଉଥିଲା ।

 

ଅର୍ଜ୍ଜୁନଙ୍କ ଦୃଷ୍ଟିରେ ଦଶରଥ ନନ୍ଦନ ରାମ ହେଉଛନ୍ତି ଜଗନ୍ନାଥଙ୍କ ଅବତାର । (ଅବନୀ ଛଳେଣ ଜଗନ୍ନାଥ ହୋଏ ଜାତ/ ଦଶରଥ ନୃପତିର ହୋଏ ଚାରିପୁତ୍ର ହେ) ପୃଥିବୀରେ ପାପର ଭାରା ବଢ଼ିଲେ, ପାପୀମାନଙ୍କୁ ବିନାଶ କରି ଧର୍ମ ସଂସ୍ଥାପନ କରିବା ନିମିତ୍ତ ଅରୂପ, ଅବ୍ୟକ୍ତ ବ୍ରହ୍ମ ମାନବ ଶରୀରରେ ରୂପାନ୍ଵିତ ଶ୍ରୀ ଘେନି ଆତ୍ମ ପ୍ରକାଶ କରନ୍ତି । ଜଗନ୍ନାଥ ହେଉଛନ୍ତି ବ୍ରହ୍ମା ସେ ଅବତାରୀ । ଦଶ ଅବତାର ଲୀଳାର ଉତ୍ସ ମଧ୍ୟ ଜଗନ୍ନାଥ । (ବିବିଧ ପଦକ ଦଶ ଅବତାର ଲୀଳା) ଅର୍ଜ୍ଜୁନ ଦାସ ‘ରାମବିଭା’ କାବ୍ୟର ପ୍ରଥମ ଛାନ୍ଦର ଆଦ୍ୟାଂଶରେ ଜଗନ୍ନାଥଙ୍କ ବିଜେସ୍ଥଳୀ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ତାଙ୍କର ଉପସ୍ଥିତି, ଚତୁର୍ଦ୍ଧାମୂର୍ତ୍ତି କଥା, ବଳଭଦ୍ରଙ୍କ ରାଜପଣ କରିବା, କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣିତ । ଜଗନ୍ନାଥଙ୍କ ପାଖରେ ସେବା-ପୂଜା ରାଜକୀୟ । କାଳକାଳ ଧରି ତାଙ୍କ ଦର୍ଶନକୁ ଯୋଗୀମାନେ ପ୍ରତୀକ୍ଷା କରିଥାନ୍ତି । କବିଙ୍କ ଭାଷାରେ,

 

ରାଜବିଧ ନିଯୋଗ ବିବିଧ ଭୋଗେ ଭୋଗୀ

ଯୁଗଯୁଗାନ୍ତରେ ଯାକୁ ଜଗିଛନ୍ତି ଯୋଗୀ ହେ .

 

ଜଗନ୍ନାଥ ଉତ୍କଳର ରାଜା । ତାଙ୍କର ପାଟରାଣୀ ହେଉଛନ୍ତି ଲକ୍ଷ୍ମୀ । ଗରୁଡ଼ ପକ୍ଷୀ ପାଟଘୋଡ଼ା । ବେଶ ପୋଷାକରେ ରାଜା ତୁଲ୍ୟ । (ବାମେ ଛୁରୀ ବୀରନେତ ବୀରବର ବାନା ଶରଣ ତାରଣ ଦୀନଜନ ବଜ୍ରସେହ୍ନା ହେ ।) ରାତ୍ର ପାଞ୍ଚଘଡ଼ି ଥାଉ ତାଙ୍କର କାଠିଲାଗି, ସ୍ନାନ, ବେଶବଦଳା ହୋଇଥାଏ । ସକାଳୁ ସକାଳୁ ଗୋପାଳବଲ୍ଲଭ ଭୋଗ ଲାଗି କରାଯାଇଥାଏ । ଏଥିରେ ଲଘୁ ଆହାର ଥାଏ, ଯଥା, ନଡ଼ିଆ କୋରା, ପାଗ ଖୁଆ, ପାଚିଲା କଦଳୀ, ଦହି, ଖୁଆମଣ୍ଡା, ମାଖନ ଓ ଖୁଡ଼ି ନଡ଼ିଆ । (ଅବଶ୍ୟ ଅଣସର ୧୫ ଦିନ ଗୋପାଳବଲ୍ଲଭ ସେବା କରାଯାଏ ନାହିଁ) ଗୋପାଳବଲ୍ଲଭ ପରଷା ଖାଇ ମୁହଁ ଧୁଆଯାଏ । ପତଳା ଲୁଗାରେ ତାଙ୍କ ମୁହଁ ପୋଛାଯାଏ । ବିଡ଼ିଆ ଲାଗି କରାନ୍ତି ଲକ୍ଷ୍ମୀ । ଜଗନ୍ନାଥଙ୍କର ଏ ଧରଣର ପ୍ରଫୁଲ୍ଲ ମୁହୂର୍ତ୍ତରେ ଅର୍ଜ୍ଜୁନ ଦାସ ଶିରରେ କର ଦେଇ ଛିଡ଼ା ହୋଇଥାନ୍ତି । ‘ରାମବିଭା’ ରଚନାର ପୁଷ୍କଳ ପରିଣତି ଅଥବା ବ୍ୟକ୍ତିଗତ ସୁଖ, ସ୍ଵାଚ୍ଛନ୍ଦ୍ୟ- ଏସବୁ ଅର୍ଜ୍ଜୁନ ଦାସ କାମନା କରି ନାହାନ୍ତି । କେବଳ ଜଗନ୍ନାଥଙ୍କ ପ୍ରସନ୍ନ ମାନସ ମୁହୂର୍ତ୍ତରେ ସେ ଛିଡ଼ା ହୋଇଛନ୍ତି ତାଙ୍କ ପାଖରେ । କବିଙ୍କ ଏତାଦୃଶ ବାଞ୍ଛାର ଅନୁମୋଦନ କର୍ତ୍ତା ସ୍ଵୟଂ ଜଗନ୍ନାଥ । “ଶିରେ କର ଯୋଡ଼ି ଉଭା ଅରଜୁନ ଦାସ”- କାବ୍ୟର ପ୍ରଥମ ଛାନ୍ଦରେ ଧାଡ଼ିଟି ଦୁଇଥର ବ୍ୟବହୃତ । ଧାଡ଼ିଟିର ବ୍ୟଞ୍ଜନାର୍ଥରୁ କବିଙ୍କ ଭକ୍ତିମତ୍ତା ବାରି ହୋଇ ପଡ଼େ । ଭକ୍ତ ହେବାକୁ ହେଲେ କିଛି ମାଗିବା କିମ୍ବା ମୁହଁ ଖୋଲି କାମନା କିଛି ଜଣାଇବା କ’ଣ ଜରୁରୀ ? ସେ ପରା ଭାବଗ୍ରାହୀ । ଅର୍ଜ୍ଜୁନ ଦାସ କେତେମାତ୍ରାରେ ଜଗନ୍ନାଥପ୍ରେମୀ, ସମକାଳ ସଚେତନ, ରାଜାଙ୍କ ନୀତି ଓ ଆଦର୍ଶର ଅନୁସରଣକାରୀ ଏବଂ କାବ୍ୟକଳା-ନିଷ୍ଠା ପ୍ରତି ବିଶ୍ଵସ୍ତ ତାହା ସହଜେ ଅବଧାରଣ କରିହୁଏ ‘ରାମବିଭା’ର ପ୍ରଥମ ଛାନ୍ଦରୁ । ଏହି ଛାନ୍ଦର ଶେଷର ଷୋହଳ ପଦରେ କବି ଜଗନ୍ନାଥଙ୍କ ରାଜକୀୟ ନିଯୋଗ କେତୋଟିର ପ୍ରାଣବନ୍ତ ବର୍ଣ୍ଣନା କରିଅଛନ୍ତି । ତାହାକୁ ଅବିକଳ ଉଦ୍ଧାର କରାଯାଇଛି –

 

ଗୋପାଳବଲ୍ଲଭ ସାରି ନୀଳଗିରି ପତି

ଆଚୋବନ ସାରି ତଡ଼ାଉ ଲାଗି ହୋନ୍ତି ହେ

।।

ବାଳଧୂପ ମଣୋହି କୋଠାରେ ବଢ଼ାଇଲେ

ସୁବେଶ ହୋଇବେ ବୋଲି ଆୟେ କଢ଼ାଇଲେ ହେ

।।

ପୁଣି ଯମଦାଢ଼ ଘେନି ଆନକରି ବାନ୍ଧି

ଗଉଁଛିଲେ ଶ୍ରୀଅଙ୍ଗେ ସୁରଙ୍ଗ ନେତ ଛନ୍ଦି ହେ

।।

ଶିରେଣ ଶିରୀ କାପଡ଼ା ଉପରେ ଫୁଲ ଚୂଳ

ଲଲାଟେ ଲୁଚାଇଣ ଖଞ୍ଜିଲେ ଫୁଲମାଳ ହେ

।।

ମଣିମୟେ କମନୀୟ କନକର କାନ

ଯେହୁ ମୁନିଜନ ମନ କରେ ଅନୁଆନ ହେ

।।

ଅବତଂସ କଣୟ କମଳ ଫୁଲ ବେନି

ଗରବ କରନ୍ତି ବେନି ନୟନକୁ ଘେନି ହେ

।।

ଦିନକର କିରଣ କୁଣ୍ଡଳ ଦୁଇ ଗଣ୍ଡେ

ପ୍ରିୟ କରି ପୁଣ୍ଡରୀକବାର କରେ ମଣ୍ଡେ ହେ

।।

ବିବିଧ ପଦକ ଦଶ ଅବତାର ଲୀଳା

ଭିନ୍ନ ଭିନ୍ନ ପରି ରତ୍ନ କମନୀୟ କଲା ହେ

।।

ବେଦବର ବ୍ରାହ୍ମଣ ମୂରତି କରେ ପୂଜା

ଷଡ଼ଦଶ ଉପଚାରେ ବିଧି ଦେବରାଜା ହେ

।।

ସୁରଙ୍ଗ କୁଞ୍ଚା ପତନୀ ଲାଗି କରାଇଲେ

ତିଳକ ଦେଇଣ ନାନା ବାଦ୍ୟ ବଜାଇଲେ ହେ

।।

ବିଦୁଜନେ ଅଗ୍ରତେଣ ଧୂପକାଠି ବିଧି

ଧୂପର ଧୂଆଁରେ ନୀଳଗିରି ମୁଖ ରୁନ୍ଧି ହେ

।।

ୟେଥୁ ଅନନ୍ତରେ କରେ ଦୀପାବଳୀ ଘେନି

ବନ୍ଦାପନା କରନ୍ତି ବ୍ରାହ୍ମଣ ଜଣ ତିନି ହେ

।।

ଟେରା ପକାଇଣ ରାମ ଭୁଞ୍ଜନ୍ତି ହରଷେ

ଦିବ୍ୟ ବ୍ୟଞ୍ଜନାଦି ଆଣି କମଳା ପରଶେ ହେ

।।

କର୍ପୁର ଆଳତି ବାସପାଣି ଆଚମନ

ସାତବତି ଆଳତି କୁସୁମ ମାଳମାନ ହେ

।।

କାଶ୍ମୀର ତଣ୍ଡୁଳ ଦୂର୍ବା ଅକ୍ଷତନ୍ତ ଘେନି

ଦ୍ଵିଜବର ଦିଅନ୍ତି ମାଧବ ସୁରୁଧନି ହେ

।।

ବିଡ଼ିଆ ଲାଗି ହୁଅନ୍ତି ନୀଳଗିରି ବାସ

ଶିରେ କରଯୋଡ଼ି ଉଭା ଅରଜୁନ ଦାସ ହେ

।।

 

ଉପରେ ଉଦ୍ଧୃତ ପଦଗୁଡ଼ିକରେ ବ୍ୟବହୃତ ଶବ୍ଦ କେତୋଟିର ଅର୍ଥ: ଆଚୋବନ- ଖାଇସାରି ମୁହଁ ଧୋଇବା, ତଡ଼ାଉଲାଗି-ଅଳଙ୍କାର ପିନ୍ଧିବା, ବାଳଧୂପ- ଆଶ୍ଵିନ ଶୁକ୍ଲ ଏକାଦଶୀରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ଅତିରିକ୍ତ ଧୂପ (ପୁରୀ ବୋଲି – ପୃ. ୨୯୧), ଆୟେ କଢ଼ାଇଲେ- ଅର୍ଜିତ ପଦାର୍ଥ କାଢ଼ିବା, ଯମଦାଢ଼- ଏକ ଶସ୍ତ୍ର, ଗଉଁଚ୍ଛିଲେ- ଗୋଚ୍ଛାଇଲେ, ସଜାଇଲେ ନେତ- ରେଶମ ବସ୍ତ୍ର, ଶିରୀ କାପଡ଼ା- ମସ୍ତକରେ ବନ୍ଧା ହେଉଥିବା ସୂତା ବା ଖଦୀର ପତଳା ବସ୍ତ୍ର, ପତନୀ- ଏକ ପ୍ରକାର ବସ୍ତ୍ର (ପୁରୀ ବୋଲି- ପୃ. ୧୫୩ ଦ୍ରଷ୍ଟବ୍ୟ), ଟେରା- ଲୁଗାରେ ବାଡ଼)

 

କାବ୍ୟାରମ୍ଭରେ ଜଗନ୍ନାଥଙ୍କ ସମ୍ପର୍କରେ ବର୍ଣ୍ଣନା କରିବାର କବିଚାତୁରୀ ‘ରାମବିଭା’ କାବ୍ୟରେ ପରିଦୃଷ୍ଟ । ପ୍ରଥମ ଛାନ୍ଦର ଆରମ୍ଭ ଓ ଶେଷ ଭାଗରେ ଜଗନ୍ନାଥଙ୍କ ଅବସ୍ଥାନ, ସେବା, ପୂଜାଦି ବର୍ଣ୍ଣିତ, ଯେଉଁ ରୀତି ଓଡ଼ିଆ ସାହିତ୍ୟର ଅନ୍ୟ କୌଣସି କାବ୍ୟରେ ଦେଖାଯାଏ ନାହିଁ । ଜଗନ୍ନାଥ ଅବତାରୀ, ତାଙ୍କ ମନ୍ଦିରରେ ଦଶାବତାର ଲୀଳାର ପଦକ ରହିଥିବା କଥା ପଞ୍ଚଦଳ ଶତାବ୍ଦୀର କାବ୍ୟ ‘ରାମବିଭା’ରୁ ଜାଣି ହୁଏ । ପୂର୍ବରୁ କୁହାଯାଇଛି, ଓଡ଼ିଆ ଭାଷାରେ ସାହିତ୍ୟିକ କଳାକର୍ମର ବିବର୍ତ୍ତନ ପର୍ଯ୍ୟାୟରେ ପୁରାଣ ସାହିତ୍ୟର ପରବର୍ତ୍ତୀ କୃତି ହେଉଛି କାବ୍ୟ । ‘ରାମବିଭା’ ଆଦ୍ୟ କାବ୍ୟ ହୋଇଥିବାରୁ ଏହାର ଗଠନ ରୀତିରେ ଯେଭଳି ପୁରାଣ ରୀତିର ସମ୍ବାଦଶୈଳୀ ଦେଖିହୁଏ, ବର୍ଣ୍ଣନା ଶୈଳୀରେ ବି ଆଖ୍ୟାନ ଅବତାରଣାର କାଳ୍ପନିକ ଛଟାର ଉଲ୍ଲେଖଧର୍ମିତା ଉପଲବ୍ଧ ହୁଏ, ‘ରାମବିଭା’ କାବ୍ୟରେ ଜଗନ୍ନାଥ କ୍ଷେତ୍ର ମାହାତ୍ମ୍ୟ ସମ୍ବନ୍ଧୀୟ ପୁରାଣ ଆଖ୍ୟାନ ଉଲ୍ଲେଖଧର୍ମୀ କାବ୍ୟାଭିବ୍ୟକ୍ତି ଲାଭ କରିଛି । ଜନକଙ୍କ ଚାରୋଟି କନ୍ୟାଙ୍କୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ବିବାହ କରିବାପରେ ଦଶରଥ ପୁଅ ବୋହୁମାନଙ୍କୁ ସାଙ୍ଗରେ ଧରି ଅମାତ୍ୟମାନଙ୍କ ଗହଣରେ ଅଯୋଧ୍ୟା ଅଭିମୁଖୀ ହେଲେ । ବାଟରେ ପର୍ଶୁରାମ ଗୋଳ କଲେ । ପରିଶେଷରେ ରାମଙ୍କଠାରୁ ପରାସ୍ତ ହୋଇ, ପର୍ଶୁରାମ ମାତୃହତ୍ୟାଜନିତ ପାପସ୍ମୃତି ପାଇଁ ଅନୁତାପ କଲେ ।

 

ରାମଚନ୍ଦ୍ର ପର୍ଶୁରାମଙ୍କୁ ବୁଝାଇ କହିଲେ,

ବୋଲନ୍ତି ଶ୍ରୀରାମ ତୁମ୍ଭେ ଶୁଣ ଭୃଗୁପତି

ପିତାର ଆଜ୍ଞାରେ ବାରେ ବଧିଲ ଯୁବତୀ ହେ ।

ଏବେ ତୁମ୍ଭେ ଦକ୍ଷିଣ ଜଳଧି ତଟେ ଯାଅ

ଜଗନ୍ନାଥ ଦରଶନେ ମହାପାତକ ଛଡ଼ାଅ ହେ ।

x       x       x

ରାମ ଆଜ୍ଞା ପାଇ ପର୍ଶୁରାମ ଚଳିଯାଇ

ତପସ୍ୟା କରନ୍ତି ସେହୁ କ୍ଷେତ୍ରବରେ ରହି ହେ ।

(ରାମବିଭା- ଦ୍ଵାଦଶଛାନ୍ଦ )

 

‘ରାମବିଭା’ ପରେ ଅର୍ଜ୍ଜୁନ ଦାସ ‘କଳ୍ପଲତା’ କାବ୍ୟ ଲେଖିଛନ୍ତି । ‘କଳ୍ପଲତା’ ପ୍ରାଚୀନ ଓଡ଼ିଆ ଭାଷାରେ ବିରଚିତ ସର୍ବପ୍ରଥମ କାଳ୍ପନିକ କାବ୍ୟ” । (କେଦାର ନାଥ ମହାପାତ୍ର –କଳ୍ପଲତା-ପୃ.୧) । ‘ରାମବିଭା’ ପରେ ‘କଳ୍ପଲତା’ କାବ୍ୟ ଅର୍ଜ୍ଜୁନଦାସ ଲେଖିଛନ୍ତି ବୋଲି ଗବେଷକମାନେ ଯେତେଗୁଡ଼ିଏ ଯୁକ୍ତି ଅବତାରଣା କରନ୍ତି ତନ୍ମଧ୍ୟରେ ଗୋଟିଏ ହେଉଛି ବାରଛାନ୍ଦ ବିଶିଷ୍ଟ ‘ରାମବିଭା’ କାବ୍ୟରେ ଅର୍ଜ୍ଜୁନ ଦାସ କେବଳ ପଞ୍ଚମ ଛାନ୍ଦରେ ନିଜକୁ ‘ଶିଶୁ ଅରଜୁନ’ ଭାବେ ପରିଚିତ କରାଇଛନ୍ତି, ଅଥଚ ତେରଛାନ୍ଦରେ ରଚିତ କଳ୍ପଲତାରେ ସେ ଦ୍ଵିତୀୟ, ତୃତୀୟ, ପଞ୍ଚମ, ସପ୍ତମ, ଅଷ୍ଟମ ଛାନ୍ଦର ଉପସଂହାରରେ ନିଜକୁ ଶିଶୁ ଅରଜୁନରୂପେ ଚିହ୍ନାଇଛନ୍ତି । ଓଡ଼ିଶାର ସନ୍ଥ ଅନନ୍ତ ଦାସ ଥିଲେ ଶିଶୁ ପରମ୍ପରାର ପ୍ରତିଷ୍ଠାତା ଗୁରୁ । ସମ୍ଭବତଃ ଅର୍ଜୁନ ଅନନ୍ତଙ୍କଠାରୁ ଦୀକ୍ଷା ଗ୍ରହଣ କରିବାର ପ୍ରାରମ୍ଭ କାଳରେ ‘ରାମବିଭା’ ଲେଖିଥିଲେ । ପରେ ଲେଖିଲେ କଳ୍ପଲତା ଯେଉଁଥିପାଇଁ ନିଜକୁ ‘ଶିଶୁ’ ପରମ୍ପରାର ଶିଷ୍ୟ ରୂପେ ଚିହ୍ନାଇବାରେ ଏପରି ସଂଖ୍ୟାଗତ ବୈଷମ୍ୟ । ଶିଶୁ ସମ୍ପ୍ରଦାୟରେ ଜଗନ୍ନାଥ ଇଷ୍ଟରୂପେ ପୂଜିତ ହେଉଥିଲେ । ତେଣୁ ‘କଳ୍ପଲତା’ କାବ୍ୟରେ କବି ଜଗନ୍ନାଥଙ୍କ ଶରଣାଶ୍ରିତ, ସେବକ ଓ ନୀଳଗିରିବାସୀ ହେବାରେ ହର୍ଷୋତଫୁଲ୍ଲ ବୋଲି ବାରମ୍ୱାର ଲେଖିଛନ୍ତି । କାବ୍ୟର ପ୍ରଥମ ଛାନ୍ଦର ଆରମ୍ଭରେ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ବର୍ଣ୍ଣିତ । ଯେପରି,

 

ଶୁଣ ହେ ରସିକ ଜନ,

ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ

ଜ୍ୟେଷ୍ଠାନକ୍ଷତ୍ର ସେକାଳେ,

ଟମକ ବାଜେ ସିନ୍ଧୁ କୂଳେ ।୧

ନିଗ୍ରୋଧ ତରୁ ନିକଟେ,

ନୀଳ କୁଧର ମୁକୁଟେ

ଜଗନ୍ନାଥ ନୃପତିମଣି,

ହୋଇଣ ଦିବ୍ୟ କାକ୍ଷେଣି ।୨

ସିନ୍ଦୁରି ପାଗେକ ବାନ୍ଧିଂ,

ସୁରଙ୍ଗ ଦିବ୍ୟ ବାସ ପିନ୍ଧି,

ସେ ଲାଗି ହୋଇଣ ବସି,

ଦେବଙ୍କୁ ଚାହିଂ ବୋଲେ ହସିଂ ।୩

ନିଦାଘ ଋତୁର ତାଗ

ଚନ୍ଦନେ ନ ସରଇ ଭୋଗ

ବାହାରକୁ ବିଜୟେ କରିବୁ,

ରାତ୍ରହୁଂ ମାଜଣା ସାରିଚୁ ।୪

 

ଏତକ କହୁ କହୁ ଯାତ୍ରା ମହୁରୀ, ବୀର କାହାଳୀ ବାଜିଛି । ଦିହୁଡ଼ି ଜଳିଛି । ରାତ୍ରି ଘଡ଼ିଏ ଥାଉଁଣୁ ଜଗନ୍ନାଥ ସ୍ନାନ ମଣ୍ଡପରେ ବିଜେ କରିଛନ୍ତି । ଗଙ୍ଗାଜଳରେ ଚନ୍ଦନ କର୍ପୂର ଗୋଳାଇ ଜଗନ୍ନାଥଙ୍କୁ ସ୍ନାନ କରାଯାଇଛି ।

 

କଲ୍ପଲତା କାବ୍ୟର ଏକାଦଶ ଛାନ୍ଦରେ ନୀଳଗିରି ନୃପବରଙ୍କ ଚନ୍ଦନ ଉତ୍ସବ ଯାହା ବୈଶାଖ ଶୁକ୍ଲ ତୃତୀୟା (ଅକ୍ଷି ତୃତୀୟା)ଦିନରୁ ଆରମ୍ଭ ହୁଏ ତାହା ବର୍ଣ୍ଣିତ । ସୁବାସିତ ଜଳରେ କର୍ପୁର, କସ୍ତୁରୀ, ଅଗୁରୁ ଆଦି ଗୋଳାଯାଇ ତିନୋଟି ସୁନା ଖୁରୀରେ ରତ୍ନ ସିଂହାସନ ତଳେ ରଖାଯାଏ । ମୁଦିରଥ ତାହାକୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କଠାରେ ଲାଗି କରାନ୍ତି । ତିନିଙ୍କ ଶରୀରରେ ଚନ୍ଦନ ବୋଳାଯାଏ । ଶୁଖିଗଲା ପରେ ପଶୁପାଳକ ସେବକ ପ୍ରତିମାମାନଙ୍କ ଶରୀରରୁ ତାହା ଛଡ଼ାନ୍ତି । ବେଶ ପିନ୍ଧାଇ, ମୂର୍ତ୍ତିଙ୍କର ସିନ୍ଦୁରିଲାଗି କରାଇ ଯାତ୍ରାର ଆୟୋଜନ କରନ୍ତି ସେବାୟତମାନେ । କବିଙ୍କ ଭାଷାରେ-

 

କାଠଘୋଡ଼ା ୟେକ ଚଢ଼ି            ତ୍ରିମୁଣ୍ଡି କାପଡ଼ା ଫେଡ଼ି

ରଙ୍ଗଫୁଲମାଳ କାଢ଼ି ପଶୁପାଳକ ।

ପୁଣିହିଂ ଶିରି କାପଡ଼ା            ସେବତୀ ଫୁଲ ପାଖୁଡ଼ା

ଶିରରେଣ ପାଡ଼ିଲେ ଅପୂର୍ବ କୁଳେକ ।

ବାଜିଲାକ ଭେରୀ କାହାଳୀ

ହୃଦରେ ଲମ୍ବଇ ଚାରୁ ମୁକୁତାମାଳୀ ।

ପୁଣି ଶଙ୍ଖ ଚକ୍ର-କର            ମଣ୍ଡିଲେ ଶ୍ରୀଭୁଜ ଉର

ତ୍ରିମୁଣ୍ଡିଠାବରୁ ଶୀରି ପୟର ଯାଏ ।

ଫୁଲର କର ପଲ୍ଲବ            ଦେଖି କେ ଦେହ ଧରିବ

ଫୁଲର ମକୁଟ ଫୁଲ କର୍ଣ୍ଣାଟ ଶୋହେ ।

ସ୍ଵୟେଂ ପରଂବ୍ରହ୍ମ ବିଜୟେ,

ସୁର ନର ମୁନିମାନେ କରନ୍ତି ଲୟେ ।

ବେହେରା ଖୁଣ୍ଟିଆ ରାଇ            ବୋଲନ୍ତି କମଳା ସାଇଁ

ବୀରଛତ୍ର ଧରାଇଣ ବାହାର ହୁଅ ।

ସକଳ ଦେବଙ୍କୁ ଘେନି            ସାଙ୍ଗେଣ ସୁର କାମେନୀ

ସକଳ ସମ୍ଭାରେ ଯାଇ ଯାତ୍ରା କରାଅ ।

ବାଜିଲାକ ଯାତ୍ରା ମହୁରୀ

ଜଗନ୍ନାଥ ଆଜ୍ଞା ମାନ ହୃଦରେ ଧରି ।

ମଣ୍ଡିଲେ ରତ୍ନ ବିବାଦ            ବିଜୟେ ଜଗମୋହନ

ଆଗେ ଅପଛରାମାନେ କରନ୍ତି ନୃତ୍ୟ ।

ସରୋବର କୂଳେ ବିଜେ            ଟମକ ନିଶାଣ ବାଜେ

ଚାପ ଆସି ତରାଇ ଯେ କଲା ତୁରିତ ।

ଜଳକେଳି କରନ୍ତି ନାବେ,

ଅରଜୁନ କେରୁଆଳ ଧରଇ ଭାବେ ।

(କଳ୍ପଲତା- ୧୧ଶ ଛାନ୍ଦ)

 

‘କଳ୍ପଲତା’ର ଦ୍ଵାଦଶ ଛାନ୍ଦରେ ଶ୍ରୀଗୁଣ୍ଡିଚାଯାତର ବର୍ଣ୍ଣନା କରିଛନ୍ତି କବି । ବାହୁଡ଼ା ଯାତ୍ରାର ଚିତ୍ର ଅଷ୍ଟମ ଛାନ୍ଦରେ ପ୍ରଦତ୍ତ । ପ୍ରଥମ ଛାନ୍ଦର ଶେଷାଂଶରେ ଜଗନ୍ନାଥଙ୍କ ସନ୍ଧ୍ୟାଧୂପର ପରିବେଶ ଚିତ୍ରିତ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବିଜେସ୍ଥଳୀ ଓ ସେମାନଙ୍କ ସ୍ଵରୂପକୁ କବି ଅର୍ଜ୍ଜୁନ ଦାସ କଳ୍ପଲତା କାବ୍ୟର ଭିନ୍ନ ଭିନ୍ନ ଛାନ୍ଦରେ ଭକ୍ତର ହୃଦୟ ଏବଂ ଦାସ-ସେବକର ମନୋଭାବ ସହ ଉପସ୍ଥାପନ କରିଅଛନ୍ତି । ଏତାଦୃଶ ବର୍ଣ୍ଣନା କେତୋଟି ନିମ୍ନରେ ଉଦ୍ଧାର କରାଯାଉଛି-

 

କମ୍ବୁ କଟେକ ବୋଲିଣ ନଗର

କୂପାର କୂଳେ ନୀଳ ମହୀଧର ।

ନ୍ୟଗ୍ରୋଧ ନାମେ କଳପତରୁ,

ପ୍ରଳୟ ସରବର ଯୁଗ ମେରୁ ।

ପ୍ରମବ୍ରହ୍ମ ଯେ ଦାରୁକଳେବର,

ରାମ-ସୁଭଦ୍ରା ଘେନି ଅବତାର ।

ନାମ ଜଗନ୍ନାଥ ଶ୍ରୀମୁଖ କଳା,

ବିକଚ ଶ୍ଵେତ ପଦ୍ମଂ ବେନି ଡୋଳା ।

ଦାସ ବତ୍ସଳ ଶୂନ୍ୟ ଠୁଳକାୟେ,

ଆପଣେ ଓଡ଼ିଶାରେ ରାଜା ହୋୟେ ।

ଦଣ୍ଡ ସିଙ୍ଘାସନ ଛତ୍ର ଚାମର,

ଯହିଁ ଅଧିକାର ନାହିଁ ଯମର ।

ହୃଦୟ ମଝି ବଇଠି ଆକାର,

ବେଦର ମଧ୍ୟେ ସେ ମୂଳ ଅକ୍ଷର ।

ମଣ୍ଡେ ଅଧର ସୁରଙ୍ଗ ସୁରେଖ,

ଅନୁସରି ଦେଖ ରତ୍ନ ତିଳେକ ।

କୁମାର କୁମାରୀ ପାଟମହିଁଷୀ,

ଚାରିଯୁଗେ ଯାର ଦାସର ଦାସୀ ।

ସେ ଜଗନ୍ନାଥ ପଦ୍ମଂ ପାଦ ବାସ,

ମଧୁପ ଶିଶୁ ଅରଜୁନି ଦାସ ।

(କଳ୍ପଲତା – ଦ୍ଵିତୀୟ ଛାନ୍ଦ)

 

‘କଳ୍ପଲତା ‘କାବ୍ୟ ତେରଛାନ୍ଦ ବିଶିଷ୍ଟ ରଚନା । ପ୍ରତ୍ୟେକ ଛାନ୍ଦରେ ଜଗନ୍ନାଥଙ୍କ ସମ୍ପର୍କିତ ବର୍ଣ୍ଣନା ରହିଛି । ତନ୍ମଧ୍ୟରେ ରହିଛି ଜଗନ୍ନାଥଙ୍କ ସ୍ନାନଯାତ୍ରା, ବଲ୍ଲଭ ସେବା, ଅବକାଶ, ବେଶ, ତିନିଧୂପ, ଷୋଢ଼ଶ ଉପଚାରରେ ପୂଜା, ଅବତାରୀତ, ଶୋଭା, ଗୁଣ୍ଡିଚା ଯାତ, ଚନ୍ଦନଉତ୍ସବ, ବାହୁଡ଼ା ଯାତ, ଅବସ୍ଥିତି ଇତ୍ୟାଦି । ଜଗନ୍ନାଥଙ୍କ ରାତ୍ର ନିଯୋଗ ବିଧିକୁ କବି ଏହିଭଳି ବର୍ଣ୍ଣନା କରିଛନ୍ତି –

 

ରାତି ଘଡ଼ି ସାତମାନେ ଫୁଲ ଆୟେ ନାଈ

ଟହ ଟହ ହସନ୍ତି କମଳା ମୁଖ ଚାହିଁ ହେ ।

ବଲ୍ଲଭ ନାମେଣ ଭୋଗ ମୋଣୋହିଁ ବଢ଼ାଇ

ଶେଯ ପଡ଼ାବନ୍ତି ସବୁ ଲୋକନ୍ତ କଢ଼ାଇ ହେ ।

ବୀରଛତ୍ର ବାହାରେ ବିଜେ କରି

ଦୁଇ ଧାଡ଼ି ଦିହୁଡ଼ି ଧରନ୍ତି ସୁରନାରୀ ହେ ।

ବିଡ଼ିଆ ନାଗି କରାନ୍ତି ବରୁଣ କୁମାରୀ

ଶିରେ କର ଯୋଡ଼ିଣ ବୋଲେ ହରି ହରି ହେ ।

ଫୁଲ ପକାଇଣ ଦେବତାୟେ ପାୟେ ପଡ଼ି

ଯେ ଯାହାର ପୁରକୁ ସେ ବୋଲିଣ ବାହୁଡ଼ି ହେ ।

ନିଅବକାଶେ ବିଜୟେ ଲକ୍ଷ୍ମୀଙ୍କ ବିଳାସ

ଉସତ ହୋଇଣ ବୋଲେ ଅରଜୁନ ଦାସ ହେ ।

ୟେତେବେଳେ ଜଗନ୍ନାଥ ଯେହୁ ଦେଖି ଡୋଳେ

ମୁକତି ସନ୍ଦେଶ ନାହିଁ ଚାରିବେଦ ବୋଲେ ହେ ।

(କଳ୍ପଲତା- ନବମ ଛାନ୍ଦ)

 

କ୍ଷେତ୍ରବରରେ ନୀଳାଦ୍ରିକନ୍ଦରର ଜଗନ୍ନାଥ କିପରି ରହିଛନ୍ତି ତହିଁର ଚିତ୍ର ପ୍ରଦାନ କରିଛନ୍ତି କବି ଅର୍ଜ୍ଜୁନ ଦାସ । କବିଙ୍କ ଭାଷାରେ ;

 

ଦେଖସି କ୍ଷେତ୍ରବର ବଟକୋଣ,

ଶ୍ରୀଜଗନ୍ନାଥ ବୋଲିଣ ରାଜନ ।

ସକଳ ସ୍ଵର୍ଗରେ ଈଶ୍ଵର ଯେହୁ,

ଈଶ୍ଵରହିଁ ତରନ୍ତି ଯହୁ ।

ବିବିଧ ସମ୍ପଦେ ନୃପତିଗଣ,

କମଳାପାଟ ମହାଦେଈ ଜାଣ ।

ବିଜୟେ ନବରତ୍ନ ସିଙ୍ଘାସନ

ଦିବ୍ୟଦୁକୂଳ ପରିଧାନ ।

ଉଡ଼ଇ ନାମେ ଛୁରି ବୀର ନେତ,

ପାଶେ ଯମଦାଢ଼ ଶୋଭିତ

ଅଷ୍ଟବକ୍ର କ୍ରପୂର କସ୍ତୁରୀ ବୋଳି

ଚତୃସମ ଅଙ୍ଗେ ସାମଳି ।

ଶ୍ରୀକାପଡ଼ା ଶିରେ ଫୁଲ ଚୁଳ

କଣ୍ଠେଣ ଶୋହେ କୁସୁମ ମାଳ ।

ବିସ୍ତାର ବଳିଣ ବାହୁ ବେନି

ମଣ୍ଡିଲେ କରପଲ୍ଲବ ବେନି ।

ବିଜୟେ ଜଗନ୍ନାଥ ବଳଭଦ୍ର

ଜଗତଜନଙ୍କ ବଲ୍ଲଭ ।

ଅଛିଦ୍ରେ ପରିପୂର୍ଣ୍ଣ ଆନନ୍ଦ ଯେହୁ

ଉଦୟେ ଅସ୍ତ ନାହିଁ ଯେହୁ ।

ପ୍ରମବ୍ରହ୍ମ ଦାରୁ କଳେବର

ସେବନ୍ତି ନିସ୍ତରିବା ପାଇଁ ନର ।

କମଳ ନୟନ କରୁଣାସିନ୍ଧୁ ନୀଳଗିରି ଶିଖେ ବାସ

ଶିରେ କର ବେନି ଯୋଡ଼ିଣ ଉଭା ହୋୟେ ଅରଜୁନି ଦାସ ।

(କଳ୍ପଲତା – ଦଶମ ଛାନ୍ଦ)

 

ଉପରି ଉଦ୍ଧୃତପଦ ସହଜ ସରଳ ବିକଶିତ ଓଡ଼ିଆ ଭାଷାର ଶବ୍ଦାବଳୀର ଉପଯୋଗ ହେତୁ ନିରକ୍ଷର ଓଡ଼ିଆପକ୍ଷେ ବି ଶ୍ରୁତି-ସୁଖ-ବୋଧ ହୋଇପାରିଛି । ପୁଣି, ସେମାନଙ୍କ ପ୍ରାଣର ଇଷ୍ଟଙ୍କ ସମ୍ବନ୍ଧରେ ସେମାନେ ଅବଗତ ହେବା ସହିତ ତାଙ୍କ ବିଜେସ୍ଥଳୀର ବିବରଣୀ ଜାଣିପାରିବା ଏହି ପଦଗୁଡ଼ିକରୁ କଷ୍ଟକର ହେଉନାହିଁ । ପୁଣି ‘‘ଯୋଗିଜନମାନେ ଯାହା ଧ୍ୟାନରେ ନିରେପି ଜଳଧିକୂଳେ ଅବତାର ଦାରୁ-ରୂପୀ (କଳ୍ପଲତା – ଚତୁର୍ଥ ଛାନ୍ଦ) ବ୍ରହ୍ମଙ୍କ ବିଶେଷତ୍ଵ , ଅବସ୍ଥିତି ଓ ସୌନ୍ଦର୍ଯ୍ୟ କବି ଏହିଭଳି ପ୍ରକାଶ କରିଛନ୍ତି ।

 

ପୁରୁଷୋତ୍ତମ କ୍ଷେତ୍ର ସିନ୍ଧୁ କୂଳେ,

ନୀଳଗିରି ଶିଖର ବଟମୂଳେ ।

ଦିବ୍ୟ ରତ୍ନ ଚକ୍ରେଣ ସିଙ୍ଘାସନ

ବିଜେ ଚତୃବିଧି ପଦ୍ମଂ ଆସନ ।

କ୍ଷଣ କ୍ଷଣକେ ଆନ ଆନ ରୂପ,

ଭାବେ ବ୍ରହ୍ମଂ ହୋୟେ ଦାରୁ ସ୍ଵରୂପ ।

ଚାରୁ ନୀଳ ଜଳଧର ବଦନ,

ଯାର କଳଙ୍କୁ ଉଦୟ ମଦନ ।

ତାଙ୍କ ସମ୍ବ୍ରନ୍ତଂ ଚନ୍ଦ୍ର ଦୁଇ ଡୋଳା,

ରାହୁଂ ରେଖା ବିରାଜେ ବିଜୁମାଳା ।

ତାର ଅଧର ସୁନ୍ଦର ଶ୍ରୀମୁଖ,

ଭାଲପଟରେ କନକ ତିଳେକ ।

ଚତୃସମ ଶ୍ରୀ ଅଙ୍ଗେଣ ସାମଳି,

ତାର ହୃଦେ ଲମ୍ବଇ ଫୁଲମାଳୀ ।

ଫୁଲ ଚୂଳ କୁଣ୍ଡଳ ପାଦପାଣି

ସଙ୍ଗେ ସିନ୍ଧୁକୁମାରୀ ପାଟରାଣୀ ।

ତାର ସର୍ବଦା ନୀଳଗିରି ବାସ,

ଅରଜୁନ ଦାସ ମନେ ଉଲ୍ଲାସ ।

(କଳ୍ପଲତା – ଷଷ୍ଠଛାନ୍ଦ)

 

ପଞ୍ଚଦଶ ଶତାବ୍ଦୀଠାରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଆ ଭାଷାର ଅଦ୍ଭୁତପୂର୍ବ ବିକାଶ ଘଟିଛି । ଏହି ବିକାଶର ସ୍ଵରୂପ ଲକ୍ଷ୍ୟ କରି ହୋଇଛି ପ୍ରକାଶିତ ପୁରାଣ, ଚଉତିଶା, ଷୋଢ଼ଶା, ଜଣାଣ, ଭଜନ ଓ କାବ୍ୟକୃତିଗୁଡ଼ିକରୁ । ଓଡ଼ିଆ ଜାତିର ପରମ୍ପରା ପ୍ରତି ନରପତିଙ୍କର ସମର୍ପତ ଆନୁଗତ୍ୟ । (ପ୍ରଳମ୍ବିତେ ଖଟଇଂ ଶ୍ରୀ କପିଳେଶ୍ଵର ମହାରାଜା- ସାରଳା ମହାଭାରତ) ଜଗନ୍ନାଥଙ୍କ ଅବତାର ଦାରୁବ୍ରହ୍ମ ଓଡ଼ିଆ ପରମ୍ପରାର ପ୍ରତୀକ ପ୍ରତିମା । ତାଙ୍କ ପଦତଳେ ମୁଣ୍ଡ ନୁଆଁନ୍ତି ସମ୍ରାଟ, ଏଭଳି ମାନ୍ୟତା ଲୋକପରମ୍ପରା ମଧ୍ୟରେ ଅନୁସୃତ ହେବା ସ୍ଵାଭାବିକ । ଲୋକମାନଙ୍କ ମଧ୍ୟରୁ ସାଧକ, ଭକ୍ତ, ଶିକ୍ଷକ, ସନ୍ଥକବି ଆଦି ବାହାରନ୍ତି । ରାଜତନ୍ତ୍ରରେ ରାଜାଙ୍କଦ୍ଵାରା ଆଚରିତ ପରମ୍ପରା –ମାନ୍ୟତା ଲୋକମାନଙ୍କ ପକ୍ଷେ ଅନୁସୃତ ହେବା ସ୍ଵାଭାବିକ । କବି, ଚିତ୍ରଶିଳ୍ପୀ, ଆଧ୍ୟାତ୍ମିକ ଗୁରୁ ଆଦିଙ୍କ କଳାକର୍ମ ଏବଂ ସାଧନାରେ ସେହି ପରମ୍ପରା କେତେ ନା କେତେ ବାଗରେ ଉକୁଟିବା ଯଥାର୍ଥ । ଓଡ଼ିଆ ସାହିତ୍ୟରେ ଆଦିକାବ୍ୟକାର ଅର୍ଜ୍ଜୁନ ଦାସ, ଅନନ୍ତ ଦାସଙ୍କ ଆଧ୍ୟାତ୍ମିକ ଶିଶୁ ଗୋଷ୍ଠୀର ସଦସ୍ୟ ଥିଲେ । ତେଣୁ ତାଙ୍କ ରଚିତ ଦୁଇଟି କାବ୍ୟ ହେଲା (ରାମବିଭା ଓ କଳ୍ପଲତା)ରେ ଜଗନ୍ନାଥଙ୍କ ସମ୍ବନ୍ଧରେ ଅନେକ ବର୍ଣ୍ଣନା ରହିଛି । ଅର୍ଜ୍ଜୁନ ତାଙ୍କ କାବ୍ୟ ଦ୍ଵୟର ଆରମ୍ଭରେ ଜଗନ୍ନାଥଙ୍କ କଥା ଦର୍ଶାଇବାର ତାତ୍ପର୍ଯ୍ୟ ହେଉଛି ନିଜ କାବ୍ୟକୃତି ଶୁଭରେ ଶୁଭରେ ସରୁ । ବିଷ୍ଣୁଦାସଙ୍କ ପରେ ଓଡ଼ିଆ କାବ୍ୟକାରଗଣ କାବ୍ୟାରମ୍ଭରେ ଜଗନ୍ନାଥଙ୍କୁ ସ୍ତୁତି କରିଥିବା ଦେଖାଯାଇଛି । ଦୀନକୃଷ୍ଣ ଦାସଙ୍କ ପର୍ଯ୍ୟନ୍ତ ଯେଉଁ କବିମାନେ କୃଷ୍ଣ ଅଥବା ରାମଙ୍କୁ କାବ୍ୟକ ମୁଖ୍ୟ କରିଛନ୍ତି ସେମାନେ ମଧ୍ୟ ଜଗନ୍ନାଥଙ୍କୁ କାବ୍ୟ ପରିପୂର୍ଣ୍ଣ ହେବା ନିମିତ୍ତ ପ୍ରାର୍ଥନା କରିଛନ୍ତି । କାବ୍ୟାରମ୍ଭରେ ଇଷ୍ଟସ୍ତୁତି ପାଇଁ ଅର୍ଜ୍ଜୁନ ଦାସ କାବ୍ୟରେ ଯେଉଁ ମୂଳଦୁଆ ପକାଇଲେ ତାହା ପରକାଳ କବିମାନେ ଅନୁସରଣ କରିଥିବା ଦେଖାଯାଏ ।

 

‘ଶ୍ରୀକୃଷ୍ଣ-ଚରିତ ବିଚିତ୍ର ରସ / ଫୁରୁ ଭାଷା ମତେ ମଧୁର ରସ’ –

 

ଏଭଳି ଅଭିଳାଷର ପରିପୂର୍ଣ୍ଣ ପରିପ୍ରକାଶ ପାଇଁ ଶିଶୁଶଙ୍କର ଦାସ (ସମୟ ଖ୍ରୀ.ଅ ୧୫୫୧) ‘ଭାଷାଭିଳାଷ’ କାବ୍ୟର ଆରମ୍ଭରେ ଦକ୍ଷିଣ ସିନ୍ଧୁର ଉତ୍ତର ପାର୍ଶ୍ଵରେ ଥିବା ପୁରୁଷୋତ୍ତମଙ୍କ ଆଶିଷ ଭିକ୍ଷା କରିଛନ୍ତି । ଷୋଢ଼ଶ ଶତାବ୍ଦୀର କାବ୍ୟକାର ଦେବଦୁର୍ଲଭ ଦାସ କୃଷ୍ଣ ଆଖ୍ୟାନଧର୍ମୀ କାବ୍ୟ, ‘ରହସ୍ୟ ମଞ୍ଜରୀ’ ଲେଖିଛନ୍ତି । କାବ୍ୟର ଆରମ୍ଭରେ କବି ଜଗନ୍ନାଥଙ୍କୁ ‘ରହସ୍ୟ ମଞ୍ଜରୀ’ ରଚନା ପାଇଁ ଆଜ୍ଞା ମାଗିଛନ୍ତି । ଯେପରି-

 

ନୀଳ ମହୀଧର ତା ମୁକୁଟେ

ନାମ ଶ୍ରୀ ପୁରୁଷୋତ୍ତମ ଓଡ଼ରାଷ୍ଟ୍ରେ ।।ଶ୍ରୀଜଗନ୍ନାଥ ।

କଳପମହୀରୁହ ନିକଟେ,

ମୁକ୍ତିମଣ୍ଡପ ବିଚିତ୍ର ଥାନ ଘଟେ । ।ଶ୍ରୀଜଗନ୍ନାଥ ।

ସିଦ୍ଧ ଗଣପତି ବଟମୂଳେ,

ସିଦ୍ଧପ୍ରଚଣ୍ଡ ନନ୍ଦନ ବସେ ଶଳେ । ।ଶ୍ରୀଜଗନ୍ନାଥ ।

ବଟରୋହିଣୀ କୁଣ୍ଡ ଉତ୍ତରେ,

ପ୍ରଭୁ ବିଜେ ବଡ଼ ଦେଉଳ ଭିତରେ । ଶ୍ରୀଜଗନ୍ନାଥ ।

 

ଶିରେ ଶୋଭା ଦୟେଣାର ଚୂଳ,

ନାନା କୁସୁମେ ଧଣ୍ଡାମାଳ । ଶ୍ରୀଜଗନ୍ନାଥ ।

ଛାମୁରେ ଗରୁଡ଼ ଯୋଡ଼ି କର,

କଳା ଶ୍ରୀମୁଖକୁ ଚାହିଁଣ କିଙ୍କର । ।ଶ୍ରୀଜଗନ୍ନାଥ ।

ସୁଭଦ୍ରା ସୁଦର୍ଶନ ଶ୍ରୀପତି,

ବଳଦେବ ଆଦି ଚତୁର୍ଦ୍ଧା ମୂରତି । । ଶ୍ରୀଜଗନ୍ନାଥ ।

ଶ୍ଵେତ ପୀତ ରକ୍ତ ନୀଳ ଚାରି,

ଚାରିବର୍ଣ୍ଣ ଏକ କଳେବର ଧାରୀ । ।ଶ୍ରୀଜଗନ୍ନାଥ ।

 

ଆନ ମୁଁ ଯେ କିଛି ମାଗୁନାହିଁ

ତୁମ୍ଭ ଚରଣେ ଶରଣ ଭାବଗ୍ରାହୀ । ।ଶ୍ରୀଜଗନ୍ନାଥ ।

ରହସ୍ୟ ମଞ୍ଜରୀ ନାମେ ଗୀତ,

ଆଜ୍ଞା ହୋଇଲେ ମୁଁ କରିବି ଭକତ । ।ଶ୍ରୀଜଗନ୍ନାଥ ।

ଛନ୍ଦିବି ବିବିଧ ରସେ ଛାନ୍ଦ,

ମୋର ହୃଦେ ବିଜେ କରିବା ଗୋବିନ୍ଦ । ।ଶ୍ରୀଜଗନ୍ନାଥ ।

 

ପୁଣି ପ୍ରଥମ ଛାନ୍ଦ ଶେଷରେ କବି ଦେବଦୁର୍ଲ୍ଲଭ ସଂସ୍କୃତ ସାହିତ୍ୟ ଆଦର୍ଶରେ ଲେଖିଛନ୍ତି-

 

ଇତି ଶ୍ରୀ ରହସ୍ୟ ମଞ୍ଜରୀ ଛାନ୍ଦେ,

ନୀଳାଦ୍ରୀ ଚନ୍ଦ୍ରମା ଚରଣାରବିନ୍ଦେ ,

ଦ୍ଵିତୀୟ ଛାନ୍ଦ ବର୍ଣ୍ଣନେ କେବଣ ବୃତ୍ତାନ୍ତ

କହିବାକୁ ଆଜ୍ଞା ହେଉ ଶ୍ରୀଜଗନ୍ନାଥ ।

 

‘ରହସ୍ୟ ମଞ୍ଜରୀ’ କାବ୍ୟରେ ଜଗନ୍ନାଥ ଓ କୃଷ୍ଣ ଏକ ଏବଂ ଅଭିନ୍ନ ରୂପେ ବର୍ଣ୍ଣିତ । ଯେପରି ଜଗନ୍ନାଥ ହୋଇଛନ୍ତି ଅଷ୍ଟପାଟବଂଶୀଙ୍କ ନାୟକ (ଦ୍ଵିତୀୟ ଛାନ୍ଦ) । ଚବିଶ ଛାନ୍ଦ ବିଶିଷ୍ଟ ଏହି କାବ୍ୟରେ ଗୋପାଙ୍ଗନାଙ୍କ ସହ କୃଷ୍ଣଙ୍କ କ୍ରୀଡ଼ା ବିଷୟକ ବର୍ଣ୍ଣନା ଚାକ୍ଷୁଷ ହୁଏ । ଅନେକ ସ୍ଥଳରେ କୃଷ୍ଣ ପରିବର୍ତ୍ତେ ଜଗନ୍ନାଥଙ୍କ ନାମ ବ୍ୟବହୃତ ।

 

ସପ୍ତଦଶ ଶତାବ୍ଦୀର ଆଦ୍ୟପାଦର କବି ବିଷ୍ଣୁ ଦାସ ‘ପ୍ରେମ ଲୋଚନା’ କାବ୍ୟର ଆରମ୍ଭରେ ଜଗନ୍ନାଥଙ୍କୁ ସ୍ତୁତି କରିଛନ୍ତି । ପୁଣି ବିଂଶ ଛାନ୍ଦବିଶିଷ୍ଟ ଏହି କାଳ୍ପନିକ କାବ୍ୟର ଅଧିକାଂଶ ଛାନ୍ଦ ଶେଷରେ ନୀଳାଦ୍ରିପତିରେ ଶରଣ କଥା ସେ ଉଲ୍ଲେଖ କରିଛନ୍ତି । ଯେପରି-

 

ଅଖିଳ ବ୍ରହ୍ମାଣ୍ଡ ପତି, ନୀଳାଚଳ ଶିରେ ସ୍ଥିତି

ନିର୍ମଳ ପଦ୍ମଚରଣେ, ବିଷ୍ଣୁ ଶରଣ ଯେ ।

(ପଞ୍ଚମ ଛାନ୍ଦ)

 

ବିଷ୍ଣୁଦାସଙ୍କ ସମକାଳର କାବ୍ୟକାର ବନମାଳୀ ଦାସ ‘ଚାଟ ଇଚ୍ଛାବତୀ’ କାବ୍ୟର ଆରମ୍ଭରେ ଗଣେଷଙ୍କୁ ସ୍ତୁତି କରିଥିଲେ ହେଁ, ଛଅ ଛାନ୍ଦବିଶିଷ୍ଟ ଏହି କାବ୍ୟର ପଞ୍ଚମ ଛାନ୍ଦ ଓ ଷଷ୍ଠ ଛାନ୍ଦର ଶେଷରେ ଜଗନ୍ନାଥଙ୍କ ପ୍ରତି ତାଙ୍କର ବିନତି ପ୍ରକାଶ କରିଛନ୍ତି । ଯେପରି –

 

ଦୀନ ବନମାଳୀ ଏହୁ ଗୀତରେ ଗାଇଲେ

ଶ୍ରୀଜଗନ୍ନାଥ ଚରଣେ ଶରଣ ପଶିଲେ ହେ ।

(ପଞ୍ଚମ ଛାନ୍ଦ)

 

ପୁଣି ଷଷ୍ଠଛାନ୍ଦର ଶେଷରେ କବି ବନମାଳୀ ଦାସ ନୀଳାଦ୍ରିପତିଙ୍କ ଚରଣ ତାଙ୍କ ମସ୍ତକରେ ରହିବାକୁ ପ୍ରାର୍ଥନା କରିଛନ୍ତି ।

 

ସପ୍ତଦଶ ଶତାବ୍ଦୀର କାବ୍ୟକାର କାର୍ତ୍ତିକ ଦାସ ‘ରୁକ୍ମିଣୀ ବିଭା’ କାବ୍ୟରେ ଶ୍ରୀନୀଳସୁନ୍ଦର ଗିରି ପରେ ବିରାଜିତ ହରିଙ୍କ ଉଦ୍ଦେଶ୍ୟରେ ମଙ୍ଗଳାଚରଣ କରିଛନ୍ତି । ଦଶଛାନ୍ଦ ବିଶିଷ୍ଟ ଏହି କାବ୍ୟର ସପ୍ତମ, ଅଷ୍ଟମ ଓ ଦଶମ ଛାନ୍ଦର ଶେଷରେ କବି ଯଥାକ୍ରମେ ଜଗନ୍ନାଥଙ୍କ କୃପା, ଜଗନ୍ନାଥଙ୍କ ପାଦତଳେ ଶରଣ, ଜଗନ୍ନାଥଙ୍କ ଚରଣ କମଳରେ ମଥା ଥାପିବା ଓ ଜଗନ୍ନାଥଙ୍କ ଚରଣରେଣୁ ତାଙ୍କ ମଥାରେ ପଡ଼ିବା ପାଇଁ କାମନା କରିଛନ୍ତି । କିନ୍ତୁ ପ୍ରଥମ ଛାନ୍ଦରେ ସେ ନୀଳଗିରିରେ ସ୍ଥିତ ହରିଙ୍କୁ ଯେଭଳି ସ୍ତୁତି କରିଛନ୍ତି, ତହିଁରୁ ଜଣାପଡ଼ୁଛି, ସତେ ଯେପରି ସେ ଜଗନ୍ନାଥଙ୍କ ରୂପ ନେଇ କୃଷ୍ଣଙ୍କୁ ଦେଖୁଛନ୍ତି । ଯେପରି,

 

ଶ୍ରୀ ନୀଳସୁନ୍ଦର ଗିରି      ତଥିପରେ ବିଜେ ହରି

ଶରଣ ଜନଙ୍କ ପକ୍ଷପାତ ହେ

ଅନୁକ୍ଷଣେ ଦୟାକରେ      ଅପରାଧ ପରିହରେ

ଯେସନେ ବାଳକ ନିଜେ ମାତ ହେ ।୧।

ନବଘନ ଶ୍ୟାମ ରୂପ      ପରମ ଆନନ୍ଦ କୂପ

ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ହେ

ମଉଳି ମଣି ମୁକୁଟ      ସପତ ଶାଖା ପ୍ରକଟ

କମ୍ଵୁ ସୁଦର୍ଶନ ଶୋହେ ହାଥ ହେ ।୨.

ଶ୍ରବଣେ ମଣି କୁଣ୍ଡଳ      ବଦନ କାଳନ୍ଦୀ ଜଳ

ନୟନ ବିକଚ ପଦ୍ମ ଜିଣି ହେ ।

ଅଧର-ପ୍ରବାଳ-ନାବ      ଅଖିଳ ନିଗମ ଠାବ

ପ୍ରସରଇ ସୁଧାମୟ ବାଣୀ ହେ ।୩।

 

ତାଙ୍କ କପାଳରେ ତିଳକ, ବୃଷାଳ ହୃଦୟରେ ବନମାଳ, ଛାତିରେ ଶ୍ରୀବତ୍ସଙ୍କ ପାଦଚିହ୍ନ, ହୃଦୟରେ କୌସ୍ତୁଭମଣି, ଶରୀରରେ ଚନ୍ଦନର ପ୍ରଲେପ, ପରିଧାନରେ ଲାଲରଙ୍ଗର ସୂକ୍ଷ୍ମ ବସ୍ତ୍ର, ଅଣ୍ଟାରେ କ୍ଷୁଦ୍ର କିଙ୍କିଣୀର ମାଳ, ପାଦରେ ଧ୍ଵଜ, ବଜ୍ର, ପଦ୍ମ, ମୀନର ସଙ୍କେତ ଅଛି । ଏ ଧରଣର ରୂପ ବର୍ଣ୍ଣନାରୁ କୃଷ୍ଣ ଆଭାସିତ ହେଉ ନାହାନ୍ତି କି ଆଲୋଚ୍ୟ କାଳରେ ଜଗନ୍ନାଥ ଅବତାରୀ, ରାମ, କୃଷ୍ଣ ଆଦି ଅବତାର ରୂପେ ଚିତ୍ରିତ ହୋଇଛନ୍ତି । ଜଗନ୍ନାଥ ଯେ ଷୋଳ କଳା ତହୁଁ କଳାଏ ନନ୍ଦବଳା-। ଅର୍ଜ୍ଜୁନ ଦାସଙ୍କ ରଚିତ ‘ରାମବିଭା’ କାବ୍ୟରେ ରାମ ହେଉଛନ୍ତି ଜଗନ୍ନାଥଙ୍କ ଅବତାର । ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’ କାବ୍ୟରେ ‘କୃଷ୍ଣ’ ଜଗନ୍ନାଥଙ୍କ ଅବତାର ବୋଲି ବର୍ଣ୍ଣନା କରାଯାଇଛି । ରାକ୍ଷସମାନଙ୍କ ଦ୍ଵାରା ଉତ୍ପୀଡ଼ିତା ଧରଣୀ ବ୍ରହ୍ମାଙ୍କ ନିକଟରେ ନିଜର ବ୍ୟଥା ନିବେଦନ କଲା । କୃଶକେତୁ ଜଗନ୍ନାଥଙ୍କୁ ଅବନୀର ବ୍ୟଥା କହିଲେ । ଜଗନ୍ନାଥ ଶୁଣାଇଲେ-

 

କିଛି ନ ବିଚାର ତୁମ୍ଭେ      ଯଦୁକୂଳେ ଯାଇ ଆମ୍ଭେ

ଜାତ ହେବୁଁ କଂସ ପ୍ରାଣ ଘେନିବା ପାଇଁ

କର ତୁମ୍ଭେ ଏବେ ଗମନ

କରିବାକୁ ଗୋପକେଳି ଆମ୍ଭର ମନ ।

(ରସକଲ୍ଲୋଳ- ଦ୍ଵିତୀୟ ଛାନ୍ଦ)

 

ଜଗନ୍ନାଥହ୍କ ରାମ, କୃଷ୍ଣ ଅବତାର ହେବା କଥାକୁ ଧନଞ୍ଜୟ ଭଞ୍ଜ । (୧୬୩୬-୧୭୦୧) ନିମ୍ନମତେ ବର୍ଣ୍ଣନା କରିଛନ୍ତି-

 

ଭଗତ ବତ୍ସଳ ଶ୍ରୀ ନୀଳକନ୍ଦର

ପୂର୍ବେ ଏ ଗୋପାଳ ରୂପେ ଧଇଲେ ମନ୍ଦର ।

ରାମାବତାରେ ନାଶିଲେ ୟେହୁ ଲଙ୍କପତି

ଏବେ ନୀଳାଞ୍ଚଳେ ଦେଖ ଚତୁର୍ଦ୍ଧା ମୂରତି ।

(ଅନଙ୍ଗ ରେଖା- ୯ମ ଛାନ୍ଦ)

 

ଧନଞ୍ଜୟ ଭଞ୍ଜଙ୍କ ‘ଶ୍ରୀରାମ ବିଳାସ’ କାବ୍ୟର ନାୟକ ରାମଚନ୍ଦ୍ର ମଧ୍ୟ କବିଙ୍କ ବର୍ଣ୍ଣନାରେ ‘ସେଟି ନୀଲାଚଳ ବିହାରୀ/ ରାବଣ ବଧରେ ହେଲେ କୋଦଣ୍ଡଧାରୀ ।’ (ପଞ୍ଚମ ଛାନ୍ଦ) ‘ଇଛାବତୀ’ କାବ୍ୟରେ ଧନଞ୍ଜୟ ନୀଳାଞ୍ଚଳ ପ୍ରକାଶ ଜଗନ୍ନାଥଙ୍କୁ ‘ଗୋପୀନେତ୍ର ଚକୋର’ ‘ନିରାକାରଙ୍କ ଦାରୁଦେହରେ ପ୍ରକାଶ’ ‘ପାପରୂପକ ଅନ୍ଧାର ପାଇଁ ସୂର୍ଯ୍ୟକିରଣ’, ‘ଭକ୍ତ ମାନସ ହଂସ’ ଆଦି କହିଅଛନ୍ତି । ସେ ପଦଟି ଏହିପରି-

 

ଗୋପୀ ନେତ୍ର ଚକୋର            ଆନନ୍ଦ ସୁଧାକର

ଅଘ ତିମିର ଚଣ୍ଡକର,

ଭକ୍ତମାନସ ହଂସର            ନୀଳାଞ୍ଚଳ ପ୍ରକାଶ

ଦାରୁ ଦେହରେ ନିରାକାର ହେ.

ସାଧୁଜନେ, ତାଙ୍କ ଚରଣେ ଦେଇ ମନ

ନୃପତି ଧନଞ୍ଜୟ            ତେଜି ସର୍ବ ବିଷୟ

ସେ ରୂପ ଧ୍ୟାୟି ବଞ୍ଚେ ଜନ ହେ ।

(ଇଛାବତୀ- ୭ମ ଛାନ୍ଦ)

 

ଧନଞ୍ଜୟ ନୀଳାଦ୍ରିଧାମଙ୍କୁ ସେବାକରି ‘ଶ୍ରୀରାମ ବିଳାସ’ ଭଳି କାବ୍ୟଟିଏ ଲେଖିବାରେ ପୂର୍ଣ୍ଣ କାମ ହୋଇଛନ୍ତି ବୋଲି ସ୍ଵୀକାର କରିଛନ୍ତି –

 

ଏହୁ ଶ୍ରୀରାମ ନାମ ବିଳାସ ଅଭିରାମ ଚାଳିଶ ଛାନ୍ଦ ଅନୁପମ

ସେବି ନୀଳାଦ୍ରିଧାମ ହୋଇଣ ପୂର୍ଣ୍ଣକାମ ସୁଜନ ଜନ ମନୋରମ

ଏ ଅତିରାମ । ବର୍ଣ୍ଣାବଳୀରେ ଏ ସୁଷମ ।

ଭଣିଲେ ବୀରୋତ୍ତମ ଭଞ୍ଜ କୁଳ ସତ୍ତମ ନୃପତି ଧନଞ୍ଜୟ ନାମ ।

(ଶ୍ରୀରାମ ବିଳାସ- ଚତ୍ଵାରିଂଶ ଛାନ୍ଦ)

 

ବସ୍ତୁତଃ ଧନଞ୍ଜୟ ଭଞ୍ଜ ଜଗନ୍ନାଥଙ୍କୁ ‘ନୀଳାଚଳପତି ମୁକୁନ୍ଦ’, ‘ନୀଳାଦ୍ରି ନାୟକ’, ‘ନୀଳାଞ୍ଚଳ ପତି’, ‘ନୀଳାଚଳ ସୁପ୍ରକାଶ’, ‘ନୀଳାଞ୍ଚଳ ପ୍ରଭୁ’, ‘ନୀଳା ମହୀଧର ପ୍ରଭୁ’, ‘ନୀଳାଦ୍ରୀ କନ୍ଦ’, ‘ନୀଲାଦ୍ରୀ ମଣ୍ଡନ’, ‘ନୀଳାଚଳ ବାସୀ’ ଆଦି ଭାବରେ ସମ୍ବୋଧନ କରିଛନ୍ତି । ପୁଣି ‘ନୀଳାଚଳପତି ରାମଚନ୍ଦ୍ର ପଦଧ୍ୟାୟୀ /ନୃପ ଧନଞ୍ଜୟ ଭଞ୍ଜ ଏହୁ ରସ କହି ହୋ ‘ଶ୍ରୀରାମ ବିଳାସ-୧ମ ଛାନ୍ଦ) କହିବା ଭିତରେ ରାମଚନ୍ଦ୍ର ଓ ଜଗନ୍ନାଥ ଏକ ହୋଇଛନ୍ତି । ସେ ଜଗନ୍ନାଥଙ୍କ ମୂର୍ତ୍ତିରେ ରାମଚନ୍ଦ୍ରଙ୍କୁ ଦେଖିଛନ୍ତି । ଅନଙ୍ଗରେଖା, ଇଛାବତୀ, ଶ୍ରୀରାମବିଳାସ କାବ୍ୟଗୁଡ଼ିକର ଆରମ୍ଭରେ ଧନଞ୍ଜୟ ଭଞ୍ଜ ଜଗନ୍ନାଥଙ୍କୁ ସ୍ତୁତି କରିଛନ୍ତି । ‘ଇଛାବତୀ’ କାବ୍ୟର ଆରମ୍ଭରେ କରିଥିବା ମଙ୍ଗଳାଚରଣର ପଦ କେତୋଟି ଉଦ୍ଧାର କରାଯାଉଛି-

ଜୟ ଜୟ ନୀଳାଦ୍ରିମଣ୍ଡନ ଗୋବିନ୍ଦ

ଯୋଗୀନ୍ଦ୍ର ମାନସ ହଂସ ପରମାନନ୍ଦ ।୧।

ସାରଦା ସିନ୍ଧୁଜା ବେନି ପାଶେ ଖଟନ୍ତି

କରପତ୍ର ଯୋଡ଼ି ଉଭା ପତଙ୍ଗ ପତି ।୨।

ଜାତି, ଯୁଥୀ, ମଲ୍ଲୀ ଯେ ବିବିଧ କୁସୁମ

ପ୍ରତି(ପଡ଼ି) ପ୍ରତି ଉରେ ଦିଶେ ସୁଅଭିରାମ ।୩।

ତ୍ରିମୁଣ୍ଡି ଉପରେ ଶୋଭା ଦୟଣା ଚୂଳ

ନବଘନ ନିନ୍ଦଇ ଶ୍ରୀମୁଖ ମଣ୍ଡଳ ।୪।

ରତନ ଜଡ଼ିତ ଚିତା ଲଲାଟ ଶୋଭା

ନିର୍ମଳ ନଭେ କି ଗ୍ରହ ମଣ୍ଡଳ ଆଭା ।୫।

ତଥିପରେ ଶୋଭିତ ଅଳକା ଆବଳୀ

ନୀଳପଦ୍ମ ବେଢ଼ି କି ସେ ମଧୁପ ମିଳି ।୬।

ନୟନ ଯୁଗଳ କି ସେ ଶ୍ଵେତ କମଳ,

କିବା ବେନି ହଂସ ଖେଲେ କାଳିନ୍ଦୀ ଜଳ ।୭।

କିୟେ ଭକ୍ତ ଅଘ ତିମିର(କୁ) ମିହିର

ରମା ହୃଦୟ କମଳିନୀ ଦିନକର ।୮।

ଦିଉଡ଼ି ତରାସେ ଶୋଭା କଳା ଶ୍ରୀମୁଖ,

ଦେଖିବା ମାତ୍ରକେ ଖଣ୍ଡେ ଅଖିଳ ଦୁଃଖ ।୯।

ସୁମନା ମଣ୍ଡନ ରମା ହୃଦ ଚନ୍ଦନ

ଆଜ୍ଞା ହେଉ ପ୍ରଭୁ ମୋତେ ଜଗମୋହନ ।୧୦।

ରଞ୍ଚିବଇ ଇଛାବତୀ ନାମେଣ ଛାନ୍ଦ,

(ପ୍ରଥମ ଛାନ୍ଦ)

 

ଧନଞ୍ଜୟ ଭଞ୍ଜଙ୍କ ଉପରିଭକ୍ତ ମଙ୍ଗଳାଚରଣରେ ଉତ୍‍ପ୍ରେକ୍ଷାଳଙ୍କାରର ପ୍ରାଚୁର୍ଯ୍ୟ ପରିଲିକ୍ଷିତ । ପ୍ରାକ୍‍ରୀତି କାବ୍ୟର ପ୍ରକାଶ ଓ ବିକାଶରେ ପରିଦୃଷ୍ଟ ହେଉଥିବା ସଂସ୍କୃତ ଭାଷା ପ୍ରତି ଅନିର୍ଭରତା, ପ୍ରକାଶ ରୀତିରେ ସ୍ପଷ୍ଟ ସ୍ଵାଭାବିକତା କ୍ରମଶଃ ଅଳଙ୍କରଣମୁଖୀ ଏବଂ ସଂସ୍କୃତାନୁଗ ହେଉଥିବା ଏଠାରେ ଲକ୍ଷ୍ୟ କରି ହେଉଛି । ଲୋକନାଥ ବିଦ୍ୟାଧର (୧୬୫୭-୧୭୭୩)ଙ୍କ ‘ଚିତ୍ରକଳା’, ଦୀନକୃଷ୍ଣ ଦାସ (ସପ୍ତଦଶ ଶତାବ୍ଦୀର ଶେଷ ଓ ଅଷ୍ଟାଦଶ ଶତାବ୍ଦୀର ଆରମ୍ଭ କାଳର) ଙ୍କ ‘ରସକଲ୍ଲୋଳ’ ଓ ‘ଜଗମୋହନ ଛାନ୍ଦ’ କାବ୍ୟରେ ଅଳଂକରଣମୁଖୀ ରୀତି ଅଭିମୁଖୀନତା ଚାକ୍ଷୁଷ କରିହୁଏ । ଲୋକନାଥଙ୍କ ଚିତ୍ରକଳା କାବ୍ୟରୁ ଜଗନ୍ନାଥଙ୍କ ବର୍ଣ୍ଣନାର ଏହି ପଦଟିକୁ ଲକ୍ଷ୍ୟ କରାଯାଉ-

 

ଦକ୍ଷିଣ ଜଳଧି ତଟ କଳ୍ପବଟ ନିକଟ ନୀଳାଦ୍ରି କୂଟରେ

ଜଗନ୍ନାଥ ଜୟ ମଙ୍ଗଳ ଆଳତି ଦରଶନ ଭାବି ମନରେ ।

(୪ର୍ଥ ଛାନ୍ଦ, ଚିତ୍ରକଳା)

 

ଏଥିରେ କ୍ଲିଷ୍ଟ ଶବ୍ଦ ବ୍ୟବହୃତ ।

‘ଜଗନ୍ନାଥ ଓ ଓଡ଼ିଆ କାବ୍ୟ ପରମ୍ପରା (ପ୍ରାଚୀନ)-

 

ଏହି ଶୀର୍ଷକରେ ଓଲୋଚିତ ଓଡ଼ିଆ କାବ୍ୟରେ ଜଗନ୍ନାଥ କଥା ଶେଷ ହେବ ଦୀନକୃଷ୍ଣ ଦାସ ଓ ପୁରୁଷୋତ୍ତମ ଦାସଙ୍କ କାବ୍ୟାଲୋଚନାରେ । ପୂର୍ବରୁ କୁହାଯାଇଛି, ଦୀନକୃଷ୍ଣ, କୃଷ୍ଣପ୍ରେମୀ ଥିଲେ । ହେଲେ କୃଷ୍ଣଙ୍କୁ ସେ ଜଗନ୍ନାଥଙ୍କ ଅବତାର ରୂପେ ଗ୍ରହଣ କରିଥିଲେ । ସେ ଥିଲେ ଜଗନ୍ନାଥଙ୍କ ଭକ୍ତ । ଜଗନ୍ନାଥଙ୍କ କହିବା କଥାକୁ ସେ ‘ରସକଲ୍ଲୋଳ’ ଲେଖିଛନ୍ତି । ତାଙ୍କ ସ୍ଵୀକାରୋକ୍ତିରୁ ଏହା ଜଣାଯାଉ-

 

 

କୋଟି ବ୍ରହ୍ମାଣ୍ଡ ପ୍ରଭୁ ଜଗନ୍ନାଥ

କରନ୍ତି ପୂର୍ଣ୍ଣ ଜନ ମନୋରଥ

କଲି ମୁଁ ଏହି ଘେନି ଅଭିମତ

କରିବାକୁ ରସକଲ୍ଲୋଳ ଗୀତ

କହିଲେ ସେ ଯେଣୁ

କରରେ ମାତ୍ର ଲେଖିଲି ମୁଁ ତେଣୁ

(ଚତୁସ୍ତ୍ରିଂଶ ଛାନ୍ଦ)

 

ରସକଲ୍ଲୋଳ କାବ୍ୟର ଆରମ୍ଭରେ କବି ଦୀନକୃଷ୍ଣ ଅବତାରୀ ନୀଳାଚଳ ନାୟକଙ୍କ ଉଦ୍ଦେଶ୍ୟରେ ମଙ୍ଗଳାଚରଣ କରିଛନ୍ତି । ଦୀନକୃଷ୍ଣଙ୍କ ଦୃଷ୍ଟିରେ ‘କଚ୍ଛପ ମତ୍ସାଦି ଅବତାର ଯେତେକ/କରିବାକୁ ଜାତ ଜଗନ୍ନାଥ ଜନକ ।’ ପୁଣି କାବ୍ୟର ଚତୁର୍ବିଂଶ ଛାନ୍ଦରେ ଦୀନକୃଷ୍ଣ ଜଗନ୍ନାଥଙ୍କ ପ୍ରାଭାତିକ କର୍ମ ବିଧି ବର୍ଣ୍ଣନା କରିଛନ୍ତି । କମ୍ବୁକଟକରେ ନୀଳାଦ୍ରି ନଗରେ ପାହାନ୍ତି ଶଙ୍ଖ ବାଜିବାକ୍ଷଣି କମ୍ବୁ ଚକ୍ରଧରଙ୍କ ନିଦ ଭାଙ୍ଗେ । କମଳାଙ୍କ ଅଙ୍କ ଓ କନକ ପଲଙ୍କ ତ୍ୟାଗ କରନ୍ତି ସେ । କୁସୁମମାଳ କଢ଼ାଯାଇ ଅଳଙ୍କାର (ତଡ଼ପ) ପିନ୍ଧାଯାଏ । କାଠିଲାଗି (ଦାନ୍ତଘଷା), ତ୍ରିଫଳା ଜଳରେ ମୁହଁଧୂଆ, ସ୍ନାନ ସାରି କମନୀୟ ବାସ ପରିଧାନ କରନ୍ତି ନୀଳାଦ୍ରିକେଶରୀ । ସେ ପିନ୍ଧିଥିବା ଅଳଙ୍କାରଗୁଡ଼ିକ ସମ୍ବନ୍ଧରେ ଅବଗତ ହୋଇ ହେବ କବିଙ୍କ ବର୍ଣ୍ଣନାରୁ

 

କରେ କଚଟୀ ବାହୁଟି ମଧ୍ୟ ଦେଶ ରତ୍ନ ଓଡ଼ିଆଣି ଶୋହେ

କଣ୍ଠରେ ଶାର୍ଦ୍ଦୁଳ ନଖ କଣ୍ଠିମାଳ ଜଗଜ୍ଜନ ମନ ମୋହେ ।

କର୍ଣ୍ଣରେ କୁଣ୍ଡଳ ଶିରେ ଦିବ୍ୟଚୂଳ ହୃଦରେ କୁସୁମମାଳ

କରିଛି ଦର୍ଶନ ତାହା ଯେଉଁ ଜନ ଜନ୍ମ ତାହାର ସଫଳ ।

 

ଦୀନକୃଷ୍ଣଙ୍କର ଜଗନ୍ନାଥଙ୍କ ପ୍ରତି ଭକ୍ତି ଅପଟାନ୍ତର । କଣ୍ଠ ଫଟାଇ ସେ ହିଁ ଶୁଣାଇଥାନ୍ତି- “କୋଟି ବ୍ରହ୍ମାଣ୍ଡରେ ଏମନ୍ତ ଠାକୁରେ ଥିବାର ଶୁଣିଛ କାହିଁ /କୁଚ୍ଛିତ ଲୋକ ହିଁ ପରମ ପଦହିଁ ଲଭନ୍ତି ଯାହାକୁ ଚାହିଁ ।’’ ସେ ଶ୍ରୀକ୍ଷେତ୍ରରେ ରହିବାକୁ ବାଞ୍ଛା କରିଥିଲେ, ହେଲେ ତାଙ୍କ ଭାଗ୍ୟ ତାହା କରାଇ ଦେଲା ନାହିଁ । ଜଗନ୍ନାଥ ଅବତାର କୃଷ୍ଣ ନାମ ଗାନରେ ଯାହାଙ୍କର ପ୍ରୀତି ସେ କଣ କୃପଣ, ଗୁଆଁର, କୁବୁଦ୍ଧି ସମ୍ପନ୍ନ କ୍ଷମତାଶାଳୀକୁ ସ୍ତୁତି କରିପାରିବେ ? ଜଗନ୍ନାଥମୟ ପ୍ରାଣର କବି ବାର୍ତ୍ତା ଶୁଣାଯାଉ-

 

କରିଥିଲା ଆଶ ସେ କ୍ଷେତ୍ରେ ନିବାସ କରିବାକୁ ଦୀନକୃଷ୍ଣ

କି ଅଭାଗ୍ୟୁଁ ତହିଁ ନ ପାରିଲା ରହି ପ୍ରଭୁ ନୋହିଲେ ସତୃଷ୍ଣ ।

କର୍ମେ ଥିଲା ଯାହା ଭୋଗ କଲା ତାହା କେ କରିବ ଆନ,

କରମ କରଣ କଇବଲ୍ୟ ଦାତା ଯେବେ ନୋହିଲେ ପ୍ରସନ୍ନ ।

କଣ୍ଠରେ ଭୂଷଣ କରି ତାଙ୍କ ଗୁଣ ଗାଉଥାଇ ନାମ ମାନ

କୃପଣ ଗୁଆଁର କୁବୁଦ୍ଧିକୁ ଦାନ ମାଗି ପାଉଥାଇ ମାନ ।

କରେ ଚିନ୍ତାମଣି ପାଇ କରି ଆଣି ନ ରହିଲା ମୋର କିଛି

କରଇ ବିଚାର କେତେବେଳେ ଛାର ଜୀବନ କାହିଁକି ଅଛି ।

କୃଷ୍ଣେ ଆଶ୍ରେ କରି ସୁବିଦ୍ୟା ଆଚରି ପାଷାଣ୍ଡକୁ ଯାହା ସ୍ତୁତି

କୃଷ୍ଣ ଦାସ କହେ କିଛି ଭଲ ନୋହେ କେବଳ ଛାତିକି କାତି ।

(ରସକଲ୍ଲୋଳ – ଚତୁର୍ବିଂଶ ଛାନ୍ଦ)

 

ଜଗନ୍ନାଥଙ୍କ ପ୍ରତି ଦୀନକୃଷ୍ଣଙ୍କ ଅଚଳାଭକ୍ତି ‘ଆରତତ୍ରାଣ ଚଉତିଶା’ ପାଠକେ ଓ ଶ୍ରୋତା ଜାଣନ୍ତି । ତାଙ୍କ ଭକ୍ତିମତ୍ତାର ସ୍ଵରସାନ୍ଦ୍ରତା ଉପଲବ୍ଧି କରିହୁଏ, ଯେତେବେଳେ କାନରେ ପଡ଼େ-

 

ଛାଡ଼ି ସକଳ ଆଶ ତୁମ୍ଭ ପାଦ- ସାରସ ଭରସା କରିଛି ସନ୍ତତେ .

କ୍ଷୋଭ ସାଗରେ ପଡ଼ି ମରିବା କାଳେ ବୁଡ଼ି ଛାଡ଼ିତ ଦେଉଅଛ ମୋତେ,

ହେ ମହାପ୍ରଭୁ ! କ୍ଷିତି ମଣ୍ଡଳେ ତୁମ୍ଭ ବିନା । କ୍ଷଣେ ହେଁ ନାହିଁ ବଜ୍ରସେହ୍ନା

ଛଦ୍ମ ନୋହେ ଉଚିତ କହୁଛି ପ୍ରଭୁ ସତ୍ୟ ନିଶ୍ଚେ ଏତେବେଳକୁ ସିନା, ହେ ମହାପ୍ରଭୁ ।

 

ଆଲୋଚ୍ୟ କାଳରେ ଦୀନକୃଷ୍ଣଙ୍କ ‘ଜଗମୋହନ ଛାନ୍ଦ’ ଏକ ଅତୁଳନୀୟ ସାହିତ୍ୟ କୀର୍ତ୍ତି । ଜଗନ୍ନାଥଙ୍କ ପୂଜା, ଯାତ୍ରାଦି ସମ୍ପର୍କରେ ଭକ୍ତକବିଙ୍କୁ ରଚିତ ଏକକ କାବ୍ୟ ହେଉଛି ‘ଜଗମୋହନ ଛାନ୍ଦ’ । ଆଧ୍ୟାତ୍ମିକତା, ସୌନ୍ଦର୍ଯ୍ୟ ଦୃଷ୍ଟି ଓ ରସିକତାରେ ସିକ୍ତ ଏ କାବ୍ୟଟିର ପ୍ରତ୍ୟେକ ଛାନ୍ଦ । ଭିନ୍ନ ଭିନ୍ନ ରାଗରେ ପରିକଳ୍ପିତ ଭେଦଟି ଛାନ୍ଦର ସୃଷ୍ଟି କାବ୍ୟ ହେଉଛି ‘ଜଗମୋହନ ଛାନ୍ଦ’ । ବଳରାମ ଦାସଙ୍କ ‘ଜଗମୋହନ ରାମାୟଣ’ର ତାତ୍ପର୍ଯ୍ୟ ହେଉଛି ଗ୍ରନ୍ଥଟି ଜଗନ୍ନାଥଙ୍କ ଦ୍ଵାରା ରଚିତ । ତେଣୁ ଜଗମୋହନ ହିଁ ଜଗନ୍ନାଥ । ଏହି ବାକ୍ୟରେ ଜଗନ୍ନାଥଙ୍କ ନୀତି, ଉତ୍ସବ, ଯାତ୍ରା, ଭୋଗ ଧୂପ, ଆଦି ପ୍ରସଙ୍ଗ ବର୍ଣ୍ଣିତ । ମୁଖ୍ୟତଃ ସେ ବାଛି ବାଛି କରି ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ବିଧି ବର୍ଣ୍ଣନା କରିଛନ୍ତି । (ଚତୁର୍ଦ୍ଦଶ ଛାନ୍ଦ) ତିନିଧୂପ, ପଞ୍ଚ ଅବକାଶ ପ୍ରସଙ୍ଗ ମଧ୍ୟ ସୂଚାଯାଇଛି । ‘ଜଗମୋହନ ଛାନ୍ଦ’ରୁ ଜଗନ୍ନାଥଙ୍କ ବଡ଼ଶୃଙ୍ଗାର ବେଶ କବିଙ୍କ ପୁଷ୍ପ ସଜାର ସୌନ୍ଦର୍ଯ୍ୟସ୍ନିଗ୍ଧ ଦୃଷ୍ଟିରେ ମନୋଜ୍ଞ ଦିଶେ । କବି ହୃଦୟର ରସିକତା ଓ ଦୃଷ୍ଟିରେ ସୌନ୍ଦର୍ଯ୍ୟ ଜଗନ୍ନାଥଙ୍କୁ ଫୁଲରେ ସଜେଇବାରୁ ବାରି ହୋଇପଡ଼େ । ଯେପରି,

 

ଉଲାଗି ହୋଇ ସନ୍ଧ୍ୟାଧୂପ ବେଶ

ବଡ଼ ଶିଙ୍ଘାରେ ବିଜେ ଜଗଦୀଶ

* * *

ଛଇଳବର ପଣରେ କେ ସରି

ପରିହରଣ ଝୀନ ପତନ କରି ।

ଅନେକ ଫୁଲ ଅନେକ ପ୍ରକାରେ

ଆସି ଯେ ଥାଇ ଅନେକ ଯତ୍ନରେ ।

ଅନେକ ପ୍ରକାରେ ତାଙ୍କ ବାସନା

ଏ ଘେନି ଶ୍ରୀ ଅଙ୍ଗେ ଲାଗନ୍ତି ସିନା ।

* * *

ଏକେ ଛଇଳ ଫୁଲ ବିନୋଦିଆ

ଫୁଲ ବେଶରେ ଫୁଲୁଥାଇ ହିଆ ।

* **

ଫୁଲରେ ଅତି ଜଡ଼ ସରାଗ

ନାନା ରୂପେ ଫୁଲେ କରନ୍ତି ଭୋଗ ।

ଗର୍ଭକୁ ଆଜି ବେଷ୍ଟିତ ଲମ୍ବିତ

ଚୂଳ ମାଳରେ ସହଜେ ବିଦିତ ।

ଫୁଲରେ ଚାରିବିଧି ଆଭରଣ

ଆବିଧ ବନ୍ଧ ଆରୋପ କ୍ଷେପଣ ।

ଫୁଲର ଭାବ ଜାଣନ୍ତି ସେହି

ଫୁଲକୁ ଏଡ଼େ କରିଅଛି ବିହି ।

(ତୃତୀୟ ଛାନ୍ଦ)

 

ଜଗନ୍ନାଥଙ୍କ ଭକ୍ତ କବି ଦୀନକୃଷ୍ଣ ଦାସଙ୍କ କାବ୍ୟାବଳୀରୁ ଜଗନ୍ନାଥଙ୍କ ସମ୍ପର୍କିତ ନାନାଦି ପରମ୍ପରା ଜାଣି ହୁଏ । କବିଚିତ୍ତ ଜଗନ୍ନାଥଙ୍କ ଭକ୍ତିରସରେ ରସାଣିତ ହୋଇଥିବାରୁ କାବ୍ୟାଭିକ୍ତିର ଅନନ୍ୟ ଅପୂର୍ବତା ତାଙ୍କ ରସକଲ୍ଲୋଳ କାବ୍ୟର ପଙ୍‍କ୍ତିଗୁଡ଼ିକରୁ ବାରି ହୋଇପଡ଼େ । ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରାକୁ ଉପଜୀବ୍ୟ କରି ‘ଜଗମୋହନ ଛାନ୍ଦ’, ଭଳି କାବ୍ୟ ରଚନା କେବଳ ଭକ୍ତ ଦୀନକୃଷ୍ଣ ଦାସଙ୍କ ଭଳି କବିଙ୍କ ପକ୍ଷେ ସମ୍ଭବପର ।

 

ସପ୍ତଦଶ ଶତାବ୍ଦୀରେ ପୁରୁଷୋତ୍ତମ ଦାସ ଲେଖିଛନ୍ତି ‘କାଞ୍ଚି-କାବେରୀ’ କାବ୍ୟ । ଏହା ଓଡ଼ିଆ ସାହିତ୍ୟରେ ପ୍ରଥମ ଐତିହାସିକ କାବ୍ୟ । କପିଳେନ୍ଦ୍ର ଦେବଙ୍କ ପୁତ୍ର ପୁରୁଷୋତ୍ତମ ଦେବ (୧୪୬୬-୧୪୯୭) ଙ୍କ ସିଂହାସନ ଆରୋହଣଠାରୁ ‘କାଞ୍ଚି-କାବେରୀ’ ରାଜ୍ୟର ରାଜକନ୍ୟା ପଦ୍ମାବତୀଙ୍କ ପାଣିଗ୍ରହଣ ପର୍ଯ୍ୟନ୍ତ ଘଟଣା ଏହି କାବ୍ୟର ଉପଜୀବ୍ୟ ପ୍ରସଙ୍ଗ । ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ଧଳା ଓ କଳା ଘୋଡ଼ା ଚଢ଼ି ରାଉତ ବେଶରେ କାଞ୍ଚି ଯୁଦ୍ଧକୁ ଯିବା, ମାଣିକ ଗଉଡ଼ୁଣୀଠାରୁ ଦହି ଖାଇ ପ୍ରତିବଦଳରେ ମୁଦି ଦେବା, ଗଜପତି ରାଜାଙ୍କ ଛେରାପହଁରା ନୀତି ଆଦି ଏହି କାବ୍ୟରେ ବର୍ଣ୍ଣିତ । ଏହି କାବ୍ୟର ଜନପ୍ରିୟତାରେ ମୁଗ୍ଧ ହୋଇ ବଙ୍ଗୀୟ କବି ରଙ୍ଗଲାଲ ବନ୍ଦୋପାଧ୍ୟାୟ ବଙ୍ଗଭାଷାରେ ‘କାଞ୍ଚିକାବେରୀ’ ନାମକ ଏକ କାବ୍ୟ ରଚନା କରିଥିଲେ ୧୮୯୬ରେ-। ପୁରୁଷୋତ୍ତମ ଦାସଙ୍କ ରଚନା ଭଳି ତାହା ଜନପ୍ରିୟ ହୋଇପାରିନଥିଲା । ପୁରୁଷୋତ୍ତମ ଦାସଙ୍କ ‘କାଞ୍ଚିକାବେରୀ’ କାବ୍ୟ ସମ୍ବନ୍ଧରେ ସୁରେନ୍ଦ୍ର ମହାନ୍ତି ଦେଇଥିବା ଅଭିମତ ଅତ୍ୟନ୍ତ ପ୍ରାସଙ୍ଗିକ । ତାହା ଏହିପରି- “କାଞ୍ଚିକାବେରୀ କାବ୍ୟରେ ଗଜପତି ପୁରୁଷୋତ୍ତମ ଦେବ ଓ କାଞ୍ଚି ରାଜଜେମା ପଦ୍ମାବତୀ ନିମିତ୍ତ ମାତ୍ର – ନାୟକ କିନ୍ତୁ ଜଗନ୍ନାଥ ବା କାଳିଆ ରାଉତ ଓ ନାୟିକା ଗୋପାଳୁଣୀ ମାଣିକ୍ୟ ବା ମାଣିକୀ । ପୁରୁଷୋତ୍ତମଦେବଙ୍କ କାଞ୍ଚି କଟକାଇ ବା କାଞ୍ଚି ଅଭିଯାନର ନେପଥ୍ୟରେ ଶ୍ରୀଜଗନ୍ନାଥଙ୍କର ଭକ୍ତିବତ୍ସଳତା ପୁଣି ମାଣିକର ରାଗାନୁଗା ଶୁଦ୍ଧାଭକ୍ତି ଏଥିରେ ଏକ ଉଜ୍ଜଳ ଅଭିବ୍ୟକ୍ତି ଲାଭ କରିଅଛି । ଆଲୋଚିତ କାବ୍ୟଟିର ଛତ୍ରେ ଛତ୍ରେ ଶ୍ରୀଜଗନ୍ନାଥ ମହିମା ପ୍ରଖ୍ୟାପିତ ହୋଇଅଛି ।’’ (ଓଡ଼ିଆ ସାହିତ୍ୟର ମଧ୍ୟମ ପର୍ବ-୧୯୭୯, ପୃ,୧୩୯)

 

କାଞ୍ଚିକାବେରୀ କାବ୍ୟର ଉପସଂହାରରେ କବି ପୁରୁଷୋତ୍ତମ ଦାସ ଆପଣାର ପରିଚୟ ଓ ଭକ୍ତିମତ୍ତା ନିମ୍ନପ୍ରକାରେ ଲେଖିଛନ୍ତି-

 

ଭାବକୁ ନିକଟରେ ସେ ଅଭାବକୁ ଦୂର

ଭାର ଦେଲା କବିର ଯେ ବହିଁ ଦେଲେ ଭାର ।

ଶ୍ରୀଜଗନ୍ନାଥଙ୍କୁ ନରେ ନ ବିଚାର ଦାରୁ

ନାନାଦି ଅବତାରଟି ତାହାଙ୍କ ମନରୁ ।

ଯେ ଯେମନ୍ତ ଭାବୁଛନ୍ତି ପାଉଛନ୍ତି ତାହା,

ଶରଣ ଯାଚୁଛନ୍ତି ଟେକିଣ ଚତୁର୍ବାହା ।

ଆମ୍ଭମାନଙ୍କର ଏଣୁ ତେଣୁ ତତ୍ତ୍ଵ ନାହିଁ

ତେଣୁ କରି ବୁଝୁଛନ୍ତି ମଉନଭାବ ହୋଇ ।

ସେ ବେନି ରାଉତଙ୍କର ପରିମୁଣ୍ଡା ଯାଇ

ଠାକୁରପଣକୁ ଆଉ ଉପମା କିଛି ନାହିଁ ।

ତେଣୁକରି ମୁହିଁ ସବୁ ଆଶା ଦୂର କଲି

ସେ ଦୁଇ ରାଉତଙ୍କର ଚରଣେ ଚାକେରୀ ।

ଶ୍ରୀନୀଳକନ୍ଦର ଗଡ଼ କଟକେ ଭୁବନ

ଚାକେରୀ ଯହିଁରେ ବ୍ରହ୍ମା ଇନ୍ଦ୍ର ଚ୍ରିଲୋଚନ ।

ଜଗନ୍ନାଥ ମହାପ୍ରଭୁ ସୁଭଦ୍ରା ଯେ ବିଜେ

ବେଦବାକ୍ୟ ପୁରାଣେ ନିଶାଣ ଯାର ବାଜେ ।

ତାଙ୍କ କୋଠ ଚାଙ୍ଗଡ଼ାରେ ପୁରିଆ ନେଇ ଦେଇ

ପୁରସ୍ତମ ଦାସ ଅଛି ଚାକିରୀ ଖଟି ତହିଁ ।

ଶ୍ରୀଜଗନ୍ନାଥଙ୍କର ସୁଦୟା ଥାଇ ଯେଣୁ

କାହାକୁ କି ଭୟେ ନ ଥାଇ ମୋର ତେଣୁ ।

* * *

ସେ କାଳିଆ ରାଉତ ଦାସର ମୁଁ ଦାସ

ବରୁଣ ଦାସର ନୀତି ମୁହିଁ ଭାଗ୍ୟରଥିର ଶିଷ୍ୟ ।

ଶ୍ରୀଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ

ଏ ଚାରି ସାମନ୍ତରୁ ମୁଁ ନ ଜାଣଇ ଆନ ।

ପୁରୁଷୋତ୍ତମ ଦାସଙ୍କ ‘କାଞ୍ଚି-କାବେରୀ’ ଗୋଟିଏ ଛନ୍ଦରେ ୯୧୬ ପଦ ବିଶିଷ୍ଟ ରଚନା । କାବ୍ୟର ଯାବତୀୟ ଗୁଣ ଏଥିରୁ ଉପଲବ୍ଧ ହୁଏ । ଓଡ଼ିଶାରେ ଚଳୁଥିବା ଜନଶ୍ରୁତି ଓ ଘଟିତ ଇତିହାସ କଥାର ସମନ୍ଵୟରେ ସଂସୃଷ୍ଟ ‘କାଞ୍ଚିକାବେରୀ’ ଯଥାର୍ଥତଃ ଜଗନ୍ନାଥ ପରମ୍ପରା ଏବଂ ଓଡ଼ିଶୀ ବୁନିଆଦିର ସରଳ ଭାଷା ଲିଖିତ ଏକ ଅତୁଳନୀୟ କାବ୍ୟ ।

 

ପଞ୍ଚଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ- ଏହି ଦୁଇ ବର୍ଷ ମଧ୍ୟରେ ରଚିତ ଓଡ଼ିଆ କାବ୍ୟମାନଙ୍କରୁ ଓଡ଼ିଶୀ ସଂସ୍କୃତିର ଆଧାର ଓ ସମାଜ ପ୍ରଗତିର ଇସାରା ଇଷ୍ଟ ଜଗନ୍ନାଥଙ୍କ ସମ୍ପର୍କିତ କବି-ବାଣୀ ଅତ୍ୟନ୍ତ ସ୍ପଷ୍ଟ । ସାହିତ୍ୟ ଯଦି ହୁଏ ସମାଜ ବିକାଶର ପ୍ରକାଶ, ତେବେ ପ୍ରାଚୀନ ଓଡ଼ିଆ କାବ୍ୟଗୁଡ଼ିକରୁ ଜାଣି ହେଉଛି ଯେ, ଅତ୍ୟନ୍ତ ପଞ୍ଚଦଶ ଶତାବ୍ଦୀ ବେଳକୁ ଜଗନ୍ନାଥ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ସଂସ୍କୃତ ଶ୍ଲୋକ ଘୋଷା ପାଣ୍ଡିତ୍ୟର ତାତ୍ତ୍ଵିକ ପୁଟ ଅନ୍ତରାଳରେ ଦୁର୍ବୋଧ୍ୟ ହୋଇ ନ ଥିଲେ । ଅବଶ୍ୟ ସପ୍ତଦଶ ଶତାବ୍ଦୀ ବେଳକୁ ବୈଷ୍ଣବାୟନରେ ତତ୍ତ୍ଵ ଆସିବାରୁ ଜଗନ୍ନାଥ କ୍ରମଶଃ ଲୋକର ହୃଦୟଠାରୁ ମସ୍ତିଷ୍କଆଡ଼କୁ ଚଳିଛନ୍ତି ବିଚାରିତ ହେବାପାଇଁ, ଯାହା ରୀତିକାବ୍ୟ ବିଚାର କାଳରେ ଲକ୍ଷ୍ୟ କରି ହେବ ।

 

***

 

Unknown

ମଧ୍ୟଯୁଗୀୟ କାବ୍ୟ-ପରମ୍ପରା ଓ ଶ୍ରୀଜଗନ୍ନାଥ

ଡକ୍ଟର ତୁଳସୀ ଓଝା

 

ସମଗ୍ର ବିଶ୍ଵରେ ଯେତେ ଧର୍ମ ମତବାଦ ପ୍ରଚଳିତ ତନ୍ମଧ୍ୟରେ ପ୍ରାଚୀନତମ ଧର୍ମ ହେଉଛି ସନାତନ ଧର୍ମ । ବେଦ ଉପନିଷଦ କାଳରୁ ଏହାର ପ୍ରଚଳନ ରହିଛି । ଏହି ଧର୍ମର ପ୍ରବାହ ମଧ୍ୟରେ ଦେଖାଯାଏ କାଳକ୍ରମେ ପରମ ଭାଗବତ ବିଷ୍ଣୁ ଏହାର ସର୍ବପୂଜନୀୟ ପରଂବ୍ରହ୍ମ ଭାବରେ ସ୍ଵୀକୃତ । ଯଦିଓ ପୁରାଣ ଯୁଗରେ ନିଜ ନିଜର ଭକ୍ତି, ଶ୍ରଦ୍ଧା, ଧର୍ମ ଓ ବିଶ୍ଵାସକୁ ଆଧାର କରି ସନାତନ ଧର୍ମାନୁରାଗୀ ଜନସାଧାରଣ ବୈଷ୍ଣବ, ଶୈବ, ଶାକ୍ତ, ସୌର ଓ ଗାଣପତ୍ୟ ସମ୍ପ୍ରଦାୟ ଭାବରେ ବିଭକ୍ତ ହୋଇଥିଲେ । ତଥାପି ବୈଷ୍ଣବ ଧର୍ମ ହିଁ ଶ୍ରେଷ୍ଠତ୍ଵ ଲାଭ କରିଥିଲା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରାଜତ୍ଵ କରୁଥିବା ରାଜାଗଣ ପ୍ରାୟ ଏହି ବୈଷ୍ଣବ ଧର୍ମର ପୃଷ୍ଠପୋଷକ ଥିଲେ । କଳିଙ୍ଗର ମାଠର ବଂଶର ରାଜା ପ୍ରଭଞ୍ଜନ ବର୍ମା (୪୬୦-୪୮୦ ଖ୍ରୀ) ବୈଷ୍ଣବ ଧର୍ମର ପୃଷ୍ଠପୋଷକ ଥିଲେ-। ନନ୍ଦବଂଶର ରାଜା ସ୍କନ୍ଦବର୍ମନ୍ ହରି ଉପାସକ ଥିଲେ । ଷଷ୍ଠ ଓ ସପ୍ତମ ଶତାବ୍ଦୀରେ କଳିଙ୍ଗର ଦୁର୍ଜୟ ବଂଶର ରାଜା ଓ କଙ୍ଗୋଦର ଶୈଳୋଦ୍ଭବ ବଂଶର ରାଜାମାନେ ସନାତନୀ ଥିଲେ । ତ୍ରିକଳିଙ୍ଗର ଶରଭପୁରୀୟ ରାଜାମାନେ ପରମ ବୈଷ୍ଣବ ଭାବରେ ସେମାନଙ୍କର ପରିଚୟ ଦେଇଛନ୍ତି । ନବମ ଶତାବ୍ଦୀରେ ଆଚାର୍ଯ୍ୟ ଶଙ୍କର ଶ୍ରୀକ୍ଷେତ୍ରରେ ପଦାର୍ପଣ କରି ବୌଦ୍ଧ ଧର୍ମର ମୂଳୋତ୍ପାଟନ କରି ବ୍ରାହ୍ମଣ୍ୟ ଧର୍ମର ପ୍ରତିଷ୍ଠା କଲେ । ଦ୍ଵାଦଶ ଶତାବ୍ଦୀରେ ଗଂଗବଂଶୀୟ ରାଜା ଚୋଳଗଙ୍ଗଦେବ ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କଲେ । ଦ୍ଵାଦଶ ଶତାବ୍ଦୀରେ ରାମାନୁଜ ଶ୍ରୀକ୍ଷେତ୍ରକୁ ଆସିଲେ । ତାଙ୍କ ପ୍ରଚାରିତ ବହୁଧର୍ମଧାରାର ବହୁପ୍ରଭାବ ଓଡ଼ିଶାରେ ପଡ଼ିଲା । ସେହି ଶତାବ୍ଦୀର ଶେଷଭାଗରେ ନିମ୍ବାର୍କ ମଧ୍ୟ ପୁରୁଷୋତ୍ତମ ଧାମ ଆସିଲେ । ନିମ୍ବାର୍କଙ୍କର ରାଧାକୃଷ୍ଣ ପ୍ରେମ ଧାରାରେ ଉଦ୍‍ବୁଦ୍ଧ ହୋଇ ଜୟଦେବ ରଚନା କଲେ ‘ଗୀତଗୋବିନ୍ଦ’ ଯାହା ଭକ୍ତିମାର୍ଗର ଏକ ନୂତନ ପଥ ଉନ୍ମୋଚିତ କଲା । ଏହାପରେ ବିଷ୍ଣୁସ୍ଵାମୀ ଓ ମଧ୍ଵାଚାର୍ଯ୍ୟ ଓଡ଼ିଶା ଆସି ନିଜ ନିଜ ମତ ପ୍ରଚାର କଲେ । ଫଳରେ କ୍ରମଶଃ ବିଷ୍ଣୁ ଉପାସନାର ବଳିଷ୍ଠ ଧାରା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ପ୍ରବାହିତ ହେବାକୁ ଲାଗିଲା । ଚୈତନ୍ୟଙ୍କର ଓଡ଼ିଶା ଆଗମନ ତଥା ପ୍ରେମଭକ୍ତି ଧାରାର ପ୍ରବର୍ତ୍ତନ ଫଳରେ ଏହି ସ୍ରୋତର ଯେଉଁ ପରିବର୍ତ୍ତନ ଧାରା ଦୃଷ୍ଟିଗୋଚର ହେଲା ତାହା ଓଡ଼ିଶାର ବୈଷ୍ଣବ ପରମ୍ପରାକୁ ଦୁଇ ଧାରାରେ ବିଭକ୍ତ କରିଦେଲା । ଗୋଟିଏ ଶ୍ରୀଚୈତନ୍ୟଙ୍କ ଦ୍ଵାରା ପ୍ରଚାରିତ ଗୌଡ଼ୀୟ ବୈଷ୍ଣବଧାରା ଓ ଅନ୍ୟଟି ପାଞ୍ଚ ଜଣ ଓଡ଼ିଆ ବୈଷ୍ଣବଙ୍କ ଦ୍ଵାରା ପ୍ରଚାରିତ ଜ୍ଞାନମିଶ୍ରା ଭକ୍ତିସ୍ରୋତ । ଜ୍ଞାନମିଶ୍ରା ଭକ୍ତି ଧର୍ମର ମୂଳପିଣ୍ଡ ଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ିଉଠିଥିଲା । ଯଦିଓ ଏହି ଧର୍ମର ପରିଧି ଥିଲା ପୁରୁଷୋତ୍ତମ କ୍ଷେତ୍ର କିନ୍ତୁ କାଳକ୍ରମେ ସେମାନେ ସେମାନଙ୍କ ରଚନା ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ଯେପରି ଭାବରେ ଆରାଧନା କଲେ ତାହା ଓଡ଼ିଶାର ସମଗ୍ର ପ୍ରାନ୍ତର ଧର୍ମଧାରଣାରେ ପରିଣତ ହୋଇଗଲା । ଏହି ଜ୍ଞାନମିଶ୍ରା ଭକ୍ତି ଧର୍ମରେ କୃଷ୍ଣ କେନ୍ଦ୍ର ପାତ୍ର ନ ହୋଇ ଜଗନ୍ନାଥ ହୋଇଗଲେ କେନ୍ଦ୍ରିତ ପାତ୍ର । ଭାଗବତର “ଏତେ ଚାଂଶଃ କଳାପୁଂସଃ କୃଷ୍ଣସ୍ତୁ ଭଗବାନ୍ ସ୍ଵୟଂ” ଗୃହୀତ ନହୋଇ ଜଗନ୍ନାଥ ହିଁ ପରମ ପୁରୁଷ ପାଲଟି ଗଲେ । ଜଗନ୍ନାଥ ହେଲେ ଅବତାରୀ-। ଏଇଠି ଉଲ୍ଲେଖ କରାଯାଇପାରେ ଯେ ଭାଗବତ ଧର୍ମରେ ସ୍ଵୟଂ ବିଷ୍ଣୁ ପୂର୍ଣ୍ଣାବତାର, ଅଂଶାବତାର ଓ ଆବେଶାବତାର ଏହିପରି ତ୍ରିବିଧ ଭାବରେ ଧରାବତରଣ କରିଥିଲେ । ଏତଦ୍‍ବ୍ୟତୀତ କଳ୍ପାବତାର, ଯୁଗାବତାର, ମନ୍ଵନ୍ତରାବତାର, ପୁରୁଷାବତାର, ଗୁଣାବତାର ତଥା ଲୀଳାବତାର ଭାବରେ ପ୍ରକଟିତ ହୋଇଥିଲେ । ଏହି ଭାବରେ ଗୌଡ଼ୀୟ ଅବତାରୀ କୃଷ୍ଣ ଅବତାର ପାଲଟି ଗଲେ ଏବଂ କୃଷ୍ଣଙ୍କ ସ୍ଥାନରେ ଶ୍ରୀଜଗନ୍ନାଥ ହିଁ ହେଲେ ଅବତାରୀ ।

 

“ମତ୍ସ୍ୟ କଚ୍ଛପ ବରାହ ନରସିଂଘ ବାମନ ପରଶୁରାମ

ଶ୍ରୀରାମ ହଳୀ ଯେ ବୁଦ୍ଧ କଳକୀ ନାମ ଅଟେ ଏ ଯେ ସର୍ବମମ ।

ଅବତାର ଯେତେ ଏହି ଜଗନ୍ନାଥ ଅଙ୍ଗରୁ କ୍ଷରି ମିଶନ୍ତି

ଲୀଳା ନିମନ୍ତେ ସେ ନୀଳାଦ୍ରିନାୟକ ନିର୍ବିକାରେ ବସିଛନ୍ତି

ସାକ୍ଷାତ୍ ଅନାଦି ଅଛି ସର୍ବ ଭେଦି ଦାରୁରୂପରେ ପ୍ରକାଶ

ପଣ୍ଡା ପଢ଼ିହାରି ପଞ୍ଚୁପାଳକାଦି ଖଟନ୍ତି ନିରତେ ପାଶ ।“

(ଶୂନ୍ୟସଂହିତା୨୯/୭୭-୭୯)

ନୀଳାଚଳକୁ ସେମାନେ ମର୍ତ୍ତ୍ୟବୈକୁଣ୍ଠ ଭାବରେ ଗ୍ରହଣ କରିନେଲେ ।

 

“ଦେଖ ଏ ନିତ୍ୟ ନୀଳାଚଳ

ସକଳ ତୀର୍ଥଙ୍କର ଆଳ

ଗୋପ ମଥୁରା ବୃନ୍ଦାବନ

ଦ୍ଵାରକା ଆଦି ଯେତେ ସ୍ଥାନ

ସକଳ ଏହି ସ୍ଥାନେ ପାଇ

ଆବର କାଶୀ ମଧ୍ୟ ହୋଇ

କୋଟିଏ ତୀର୍ଥ ଏ କ୍ଷେତ୍ରରେ

ମହିମା କହିଲେ ନସରେ”

(ପ୍ରେମଭକ୍ତି ଗୀତା: ଯଶୋବନ୍ତ ଦାସ)

 

ଏବଂ ଦାରୁବ୍ରହ୍ମଙ୍କୁ ନିତ୍ୟ କୃଷ୍ଣ ବା ନିତ୍ୟ ବିଷ୍ଣୁ ଭାବରେ ଗ୍ରହଣ କରିନେଲେ । ଗୋପପୁରର ମାନବ କୃଷ୍ଣ ଅପେକ୍ଷା ଗୋଲକବିହାରୀ କୃଷ୍ଣଙ୍କୁ ସେ ଶ୍ରୀଜଗନ୍ନାଥ ଭାବରେ ଗ୍ରହଣ କରିନେଲେ ।

 

“ଏକ ସଞ୍ଚା ଆଉ ଠାବରେ ତ ନାହିଁ ଏ ବ୍ରହ୍ମ ଅଛି ପୁରି

ସଂସାର ଲୀଳା ନିମନ୍ତେ ନିର୍ବିକାର ଘଟେ ଘଟେ ବିଜେ କରି

ଜଗନ୍ନାଥ ବଳଭଦ୍ର ସୋଭଦ୍ରା ଯେ ସୁଦର୍ଶନ ରୂପ ଚାରି

ଚତୁର୍ଦ୍ଧାମୂରତି ଏକ ଆତ୍ମା ଭିନ୍ନାଭିନ୍ନ ରୂପ ଛନ୍ତି ଧରି ।’’

(୨୯ /୨୫ ଶୂ.ସଂ.)

 

ଏହାର ପୁଷ୍ଟିକରଣ କରିବାକୁ ଯାଇ ପୁନଶ୍ଚ ଲିଖିତ ହେଲା-

“ଶ୍ରୀଜଗନ୍ନାଥ ଷୋଳକଳା । ଏଥୁ କଳାଏ ନନ୍ଦବଳା

କଳାକେ ଷୋଳକଳା ହୋଇ । ଘେନି ଜନ୍ମିଲେ ଗୋପେ ଯାଇ । (ଜ.ଚ.)

 

ଏବଂ କାଳେ କାଳେ ଏହି ପଞ୍ଚ ସାଧକ (ଜଗନ୍ନାଥ, ବଳରାମ, ଅଚ୍ୟୁତ, ଅନନ୍ତ, ଯଶୋବନ୍ତ) ସର୍ବଦା ତାଙ୍କର ପାର୍ଷଦଭାବରେ ଚାରିଯୁଗରେ ରହିଆସିଛନ୍ତି ଅନନ୍ତ ଯୁଗରେ ଅନନ୍ତଙ୍କ ସଖା-ଶ୍ରୀରାମ, ସୁଦାମ, ବସୁଦାମ, ନନ୍ଦ ଓ ସୁନନ୍ଦ, ସତ୍ୟଯୁଗରେ- ନିରଞ୍ଜନଙ୍କ ସଖା-ମାର୍କଣ୍ଡ, କୃପାଜଳ, ଗାର୍ଗବ, ସ୍ଵୟମ୍ଭୁ, ନାରଦ, ତ୍ରେତାଯୁଗରେ-ରାମଙ୍କ ସଖା-ନଳ, ନୀଳ, ସୁଷେଣ, ଜାମ୍ବବ, ହନୁମାନ, ଦ୍ଵାପର ଯୁଗରେ – ଶ୍ରୀକୃଷ୍ଣଙ୍କ ସଖା- ସୁବଳ, ସୁବାହୁ, ଦାମ, ସୁଦାମ, ଶ୍ରୀବତ୍ସ ଏବଂ କଳିଯୁଗରେ ପଞ୍ଚ ସାଧକ ଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଭାବରେ-

 

“ତୋହ ସଖା ଦାମ ସୁଦାମ ସୁବାହୁ ସୁବଳ ଶ୍ରୀବଚ୍ଛ ଥିବେ ।

ଅବତାର ଶ୍ରେଣୀ ଅନୁସରିଣ ଯେ ସେହୁ ପୁଣ ଜନମିବେ

ଅଚ୍ୟୁତ ଅନନ୍ତ ଯଶୋବନ୍ତ ଜଗନ୍ନାଥ ବଳରାମ ପୁଣି

କଳିଯୁଗେ ଳୀଳା ପ୍ରକାଶ କରିବେ ତୁମ୍ଭ ଆଜ୍ଞା ଶିରେ ଘେନି ।’’

 

ଆଦି ଭାବରେ ଆବିର୍ଭୂତ ହୋଇଥିଲେ । ଏହି ପଞ୍ଚସଖା ସାଧକଗଣ ଉପନିଷଦ ନିର୍ଗୁଣ ଓ ସଗୁଣ ଉଭୟ ତତ୍ତ୍ଵର ସମନ୍ଵୟ କରି ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିତତ୍ତ୍ଵ ମଧ୍ୟରେ ପ୍ରକାଶ କଲେ ।

 

“ସକାମ ନିଷ୍କାମ ଯେ ଧର୍ମ

ସେ ରୂପ ଗୁଣ ସବୁ ଭ୍ରମ

ଆତ୍ମା ଗୁଣରେ ବୋଧ ସେହି

ସେ ଏକ ବସ୍ତୁ ସର୍ବମୟୀ

ଏମନ୍ତେ ନାନା ଶାସ୍ତ୍ରମତେ

ଯେ ପ୍ରାଣୀ ଭଜଇ ଯେମନ୍ତେ

ସଗୁଣ ନିର୍ଗୁଣଟି ସେହି

ତା ବିନୁ ଅନ୍ୟ ନାହିଁ କେହି ।’’

(ଭାଗବତ)

 

ଜଗନ୍ନାଥ ଦାସ ନିର୍ଗୁଣ ଶୂନ୍ୟର ସ୍ଵରୂପ ଦର୍ଶାଇ ଉଲ୍ଲେଖ କରିଛନ୍ତି-

 

“ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି

ତୋ ବିନୁ ଅନ୍ୟ ଗତି ନାହିଁ

ସୃଷ୍ଟି ତୋହର ଖେଳଘର

ଅଶେଷ ମାୟା ତୋ ଆବର

ତୋହର ନିଃଶ୍ଵାସ ମରୁତ

ଦେବେ ହୋଇଲେ ତହୁଁ ଜାତ

ତୁହିଟି ଅଗ୍ନି ଦେବ ଇନ୍ଦ୍ର

ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର

ଭୁଜରୁ ଅନନ୍ତ ମୂରତି

କଣ୍ଠରୁ ଜାତ ସରସ୍ଵତୀ

ସଦା ଚଞ୍ଚଳ ନିଦ୍ରା ନାହିଁ

ଏ ରୂପେ ଶୂନ୍ୟେ ଅଛୁ ତୁହି ।“

 

କିନ୍ତୁ ସେହି ଶୂନ୍ୟ ସ୍ଵରୂପକୁ ସଗୁଣ, ଜୀବନ୍ତ, ରସମୟ, ଭକ୍ତବନ୍ଧୁ, ଭାବଗ୍ରାହୀ, ପରମ ଆତ୍ମୀୟ ଭାବରେ ବର୍ଣ୍ଣନା କରିଛନ୍ତି ବଳରାମ ଦାସ । ତାଙ୍କ ରଚିତ ‘ଭାବସମୁଦ୍ର’ ଓ ‘ବଟ ଅବକାଶ’ ଏହାର ଚରମ ଉଦାହରଣ ।

 

“ତିନି ଭୁବନରେ ଯେତେକ ପଦାର୍ଥ

ସବୁ ଭୋଗ କରନ୍ତି ସେ ପ୍ରଭୁ ଜଗନ୍ନାଥ

ଏହି ଜଗନ୍ନାଥଟି ସର୍ବ ରୂପଧାରୀ

ଧର୍ମ ରକ୍ଷା ଅର୍ଥେ ଏ ଯେ ଦାରୁ କଳେବର ଧରି ।

ବ୍ରହ୍ମା ରୁଦ୍ର ଇନ୍ଦ୍ର ଯେ ଯାହାକୁ ଭାବୁ

ନୀଳଗିରି ନାଥ ମୋହୋର ସିନା ସବୁ

ତାହାଙ୍କ ଦର୍ଶନେ ମୁହିଁ ସବୁ ପାଶୋରଇଁ

ଚିତ୍ତବନ୍ଦୀ କଲେ କାହିଁ ଯେ ନପାରଇ ଯାଇଁ

ଅଠାରେ ଯେସନେ ପକ୍ଷୀ ମଧୁରେଟି ମାଛି

କାହିଁ ନଜାଣଇ କ୍ଷଣେ ନ ପାରଇ ମୂର୍ଚ୍ଛି ।’’

(ବଟ ଅବକାଶ)

 

ଏବଂ ଭକ୍ତ ସହିତ ତାଙ୍କର ସମ୍ପର୍କ କେତେ ନିକଟତର ତାହା ଏହି ଦୁଇଟି ଗ୍ରନ୍ଥରୁ ଜଣାପଡ଼େ । ଶୂନ୍ୟ ସ୍ଵରୂପ ପରଂବ୍ରହ୍ମ ସମ୍ପୂର୍ଣ୍ଣ ଭାବରେ ଭକ୍ତର ଭକ୍ତି ଓ ଶ୍ରଦ୍ଧାରେ ବନ୍ଧାପଡ଼ି ମାନବୀୟ ଅବବୋଧରେ ପରିଣତ ହୋଇଯାଇଛନ୍ତି । ସେଠି ହଠଯୋଗୀ, ମହାଜ୍ଞାନୀ, ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ଵର ପ୍ରକ୍ଷାପକ, ଗୀତାଜ୍ଞାନର ପ୍ରବଚକଙ୍କୁ ଖୋଜି ପାଇହୁଏ ନାହିଁ । ଖୋଜିଲେ ମିଳନ୍ତି ଦୁଇଟି ବନ୍ଧୁ, କୃଷ୍ଣ ଅର୍ଜ୍ଜୁନ, ରାମହନୁମାନ, ଶ୍ରୀକୃଷ୍ଣସୁଦାମ ବା ସେହିପରି କେହି ଦୁଇଜଣ । ପୁନଶ୍ଚ ତାରି ଭିତରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯେଉଁ ଅଚ୍ଛେଦ୍ୟ ବନ୍ଧନ ରହିଛି ତାହା ମଧ୍ୟ ପ୍ରକାଶିତ ହୋଇପଡ଼େ । ବଡ଼ ବିଚିତ୍ର ଭାବରେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ବିଭିଷଣଙ୍କୁ ଲଙ୍କାର ରାଜା କରିଥିଲେ । ଲଙ୍କାର ରାଜା ବିଭିଷଣଙ୍କୁ ଦର୍ଶନ କରିବା ନିମିତ୍ତ ବଳରାମ ଦାସ ଏକଦା ଇଚ୍ଛା ପ୍ରକାଶ କରିଥିଲେ- କିନ୍ତୁ ତିନି ଯୁଗ ଲଙ୍ଘନ କରି ଚର୍ମଚକ୍ଷୁରେ ଏହା ଦର୍ଶନ କରିବା ସମ୍ଭବ ନୁହେ । ତଥାପି ଏ ଅଭିଳାଷ ତାଙ୍କର ସେ ମହାପ୍ରଭୁଙ୍କୁ ଜଣାଇଲେ –ବାଞ୍ଛା କଳ୍ପତରୁ ଶ୍ରୀଜଗନ୍ନାଥ ତାଙ୍କ ପରମ ଭକ୍ତର ଇଚ୍ଛା ପୂରଣ କରିବା ନିମିତ୍ତ ତାଙ୍କ ହାତରେ ସୁବର୍ଣ୍ଣ ଧରିଟିଏ ଧରାଇ ଦେଇ ତାଙ୍କୁ ସାଙ୍ଗରେ ନେଇ ଲଙ୍କାପୁରୀ ଗଲେ । ସେଠାରୁ ସେ ବିଭୀଷଣ ଦେଇଥିବା ଦେବାଙ୍ଗବସ୍ତ୍ର, କଳାମଲ୍ଲୀଫୁଲ ହାର ଓ ମୁକ୍ତାମାଳ ଇତ୍ୟାଦି ସାଙ୍ଗରେ ଧରି ଫେରିଆସିଲେ । କିନ୍ତୁ ପ୍ରଭୁଙ୍କ ମହିମା କୀର୍ତ୍ତନରେ ବିଭୋର ବଳରାମ ଦାସ ସେ ସବୁକୁ ମନ୍ଦିରରେ ରଖିବା ଭୁଲିଗଲେ । ପରଦିନ ସୁବର୍ଣ୍ଣଝରି ଖୋଜାପଡ଼ିବାରୁ ବଳରାମ ନିଜ ପାଖରେ ରଖିଥିବାର ଜଣାଇଲେ । ଏଥିପାଇଁ ତାଙ୍କୁ ବେଶ୍ ଅପମାନିତ ହେବାକୁ ପଡ଼ିଲା ଏବଂ ଏହି ଅପମାନ ହିଁ ତାଙ୍କର ପ୍ରାପ୍ୟ ବୋଲି ସେ ଧରିନେଇ ଲେଖିଥିଲେ-

 

“ମୁହିଁ ଯାଉଁ ଯାଉଁ ବାଟରେ ବିଚାରିଲି ଚିତ୍ତେ

ମୋହ ସରି ଭାଗ୍ୟବନ୍ତ ନାହିଁ ନା ଜଗତେ

ମନେ ବିଚାରିଲି ମୋହେ । ସମସରି ନାହିଁ କେହି ।

ମୁହିଁ ଲଙ୍କାକୁ ଯାଉଛି ମାନବ ଦେହ ବହି ।

ଗରବ ନ ସହନ୍ତି ପ୍ରଭୁ ପଡ଼ିଲି ଜଳେ ଯାଇଁ

ଡାକିଲି ରଖ ରଖ ମୋତେ ଜଗନ୍ନାଥ ଗୋସାଇଁ ।

ହସି ଆଜ୍ଞା ଦେଲେ ଆସ ଆସ ବୋଲି ।

ଶରଣ ସମ୍ଭାଳି ଲଙ୍କାପୁରକୁ ମୁହିଁ ଗଲି” ।

(ବଟ ଅବକାଶ)

 

ପରେ ଅବଶ୍ୟ ରାଜା ସମସ୍ତ ପ୍ରମାଣ ପ୍ରାପ୍ତ ହେଲା ପରେ ବଳରାମ ଦାସଙ୍କୁ ସମ୍ମାନିତ କରିଥିଲେ । ଭକ୍ତ ଯେପରି ଗର୍ବ କଲେ ଭଗବଦ୍‍କୃପାରୁ ବଞ୍ଚିତ ହୁଏ । ସେହିପରି ଭଗବାନ ବି ବେଳେ ବେଳେ ଭକ୍ତର ଅଭିମାନଙ୍କୁ ସମ୍ମାନ ଜଣାଇ ତାଙ୍କର କିଙ୍କର ପାଲଟି ଯାଆନ୍ତି ‘ଭାବସମୁଦ୍ର’ ଏହାର ଅନନ୍ୟ ଉଦାହରଣ । କଥାଟି ଯେତିକି ଛୋଟ ତା’ଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ । ଏକଦା ଭକ୍ତି ଭାବରେ ସଦା ତନ୍ମୟ ବଳରାମ ଦାସ ଅଶୁଚି ଅବସ୍ଥାରେ ଥିବା ସମୟରେ ରଥ ଚାଲିବାର ଘଣ୍ଟଘଣ୍ଟା ଧ୍ଵନି ଶୁଣିବାକୁ ପାଇଲେ । ସେ ସେଇ ଅବସ୍ଥାରେ ଆସି ରଥରେ ଚଢ଼ିଗଲେ । ସେଠାରେ ଥିବା ସେବକମାନେ ତାଙ୍କୁ ଅପମାନିତ କରି ରଥରୁ ଠେଲିଦେଲେ । ଅଭିମାନରେ ବଳରାମ ଯାଇ ବାଙ୍କୀ ମୁହାଣର ବାଲିରେ ଏକ ରଥ ନିର୍ମାଣ କରି ପ୍ରଭୁଙ୍କର ଆରାଧନା କଲେ । ତଥାପି ମନରେ ଦମ୍ଭ ଥାଏ । ଭକ୍ତକୁ ସଙ୍ଗରେ ନ ନେଇ ସତରେ କ’ଣ ପ୍ରଭୁ ଯାତ୍ରା କରିବେ-

 

“ନନ୍ଦିଘୋଷ ରଥୁଁ ଦେଲୁ ଘଉଡ଼ି

କେ ଓଟାରିବ ତୋ ରଥ ଦଉଡ଼ି

ନାଥ ତୁ ମୋତେ ନେଲେ ସିନା ଯିବୁ

ନୋହିଲେ ସେହିଠାରେ ରହିଥିବୁ”

(ଭାବସମୁଦ୍ର)

 

ସତକୁ ସତ ରହିଲା । ପ୍ରଭୁ ଗଲେନି । ବଳରାମଙ୍କୁ ମନାଇ ରାଜା ଆଣିଲେ, ରଥ ଚାଲିଲା । ମଧ୍ୟ ଯୁଗରେ ଏହି ପାଞ୍ଚ ଜଣ ସାଧକ କବି ପଞ୍ଚସଖା ତଥା ପଞ୍ଚସଖା ଭାବରେ ପରିଚିତ । ଏମାନେ ସମସ୍ତେ ବୈଷ୍ଣବଧର୍ମର ବିଭିନ୍ନ ଆଚାର ସଂହିତା ସହିତ ଜଡ଼ିତ । ବୟୋଜ୍ୟେଷ୍ଠ ବଳରାମ ବିଷ୍ଣୁସ୍ଵାମୀ ସମ୍ପ୍ରଦାୟର । ତାଙ୍କର ମନ୍ତ୍ର କୃଷ୍ଣ ମନ୍ତ୍ର, ଜପ ଅଜପା ଜପ, ନାମ ତାରକ ଏବଂ ସେ ସମାଧି ଯୋଗରେ ବିଶ୍ଵାସ କରୁଥିଲେ । ଜଗନ୍ନାଥ ଦାସ ଥିଲେ ଅତିବଡ଼ୀ ସମ୍ପ୍ରଦାୟର । ସେ ଅଣାକ୍ଷର ମନ୍ତ୍ର ଜପ କରୁଥିଲେ ।

 

“ମନ୍ତ୍ରରେ ପଞ୍ଚାଙ୍ଗ ହେବ ମନ୍ତ୍ରେ ପଞ୍ଚତତ୍ତ୍ଵ ଥିବ

ତତ୍ତ୍ଵରେ ରହିବ ପାଞ୍ଚ ତତ୍ତ୍ଵ ମିଶାଇ

ପଞ୍ଚତତ୍ତ୍ଵ ଯେ ଜାଣିବ ତାକୁ ବୋଲି ସୁବୈଷ୍ଣବ

ମୋତେ ଜ୍ଞାନ ଆଜ୍ଞା ହେବ ସୁଜ୍ଞାନ ସେହି

ଗୁରୁସେବା ଏଥିକି ସିନା

ଭଜେ ଜଗନ୍ନାଥ ଦାସ ପଦ୍ମଲୋଚନା ।”

(ଏକାକ୍ଷର ପ୍ରଶ୍ନ)

 

ସେ ଜ୍ଞାନରେ ସମାଧିରେ ବିଶ୍ଵାସ କରୁଥିଲେ – ଷୋଳନାମ ବତିଶି ଅକ୍ଷର ଉଚ୍ଚାରଣ କରୁଥିଲେ । ତାଙ୍କର ହରି ମନ୍ଦିର ତିଳକ ନାସାର୍ଦ୍ଧରୁ କେଶ ଯାଏ ଶୋଭା ପାଉଥିଲା । ଅଚ୍ୟୁତାନନ୍ଦ ଥିଲେ ନିମ୍ବାର୍କ ସମ୍ପ୍ରଦାୟର । ସେ ରାମମନ୍ତ୍ରର ଉପାସକ ଥିଲେ । ଶୂନ୍ୟମନ୍ତ୍ର ଜପ କରୁଥିଲେ । ତାଙ୍କ ସମାଧିର ନାମ ଥିଲା ତୁରୀୟ ସମାଧି । ନାମ ଥିଲା ପ୍ରେମ ଷୋଡ଼ଶ ନାମ । ତାଙ୍କର ନାସାରୁ କେଶ ଯାଏ ହରି ମନ୍ଦିର ଚିତା ସୁଶୋଭିତ ହେଉଥିଲା । ଶିଶୁ ଅନନ୍ତ ରାମାନନ୍ଦ ବୈଷ୍ଣବ ସମ୍ପ୍ରଦାୟର ଅନୁଗାମୀ ଥିଲେ । ତାଙ୍କର ମନ୍ତ୍ର ଥିଲା ଗୋପାଳ ମନ୍ତ୍ର । ଯେ ଏକାକ୍ଷର ମନ୍ତ୍ର ଜପ କରୁଥିଲେ । ତାଙ୍କର ସମାଧି ଥିଲା ଧ୍ୟାନ ସମାଧି । ସେ ଉର୍ଦ୍ଧ୍ଵ ପୁଣ୍ଡରୀକ ତିଳକ ଧାରଣ କରୁଥିଲେ । ଯଶୋବନ୍ତ ଥିଲେ ମାଧ୍ଵାଚାର୍ଯ୍ୟ ପନ୍ଥୀ । ସେ ଶ୍ୟାମ ମନ୍ତ୍ର ଓ ଅଜପା ଜପ କରୁଥିଲେ । ପ୍ରେମ ପଞ୍ଚାକ୍ଷର ନାମ କରୁଥିଲେ । ବିଷ୍ଣୁସ୍ଵାମୀ ଓ ବଲ୍ଲଭାଚାର୍ଯ୍ୟ ପ୍ରବର୍ତ୍ତିତ ତିଳକ ବଇଠି ସେ ନାସାଗ୍ରରେ ଧାରଣ କରୁଥିଲେ । କପାଳରେ ହରିମନ୍ଦିର ଚିତା ଧାରଣ କରୁଥିଲେ । ଏ ସମ୍ପର୍କରେ ଅଚ୍ୟୁତାନନ୍ଦଙ୍କ ତଉତିଶାର କେତେକ ପ୍ରଣିଧାନ ଯୋଗ୍ୟ ।

 

“ଆଗମ୍ୟ ଭାବ ଜାଣେ ଯଶୋବନ୍ତ

ଗାରକଟା ଯନ୍ତ୍ର ଜାଣେ ଅନନ୍ତ

ଆଗତ ନାଗତ ଅଚ୍ୟୁତ ଜାଣେ

ବଳରାମ ଦାସ ତତ୍ତ୍ଵ ବଖାଣେ

ଭକ୍ତିର ଭାବ ଜାଣେ ଜଗନ୍ନାଥ

ପଞ୍ଚସଖା ଏ ଓଡ଼ିଶା ମହନ୍ତ ।’’

(ଅ.ନ. ଚଉତିଶା)

 

ସମସ୍ତ ବିଭେଦ ଭିତରେ ଏକମାତ୍ର ସତ୍ୟ ହେଉଛି ଏମାନେ ସମସ୍ତେ ମହାପ୍ରଭୁ ଜଗନ୍ନାଥଙ୍କର ପରମଭକ୍ତ । ପ୍ରତ୍ୟେକ ଶ୍ରୀଚୈତନ୍ୟଙ୍କର ସଖା ହୋଇ ମଧ୍ୟ ଚୈତନ୍ୟଙ୍କ ପ୍ରଚାରିତ ଭକ୍ତିଧର୍ମଦ୍ଵାରା ଆକୃଷ୍ଟ ନ ହୋଇ ନିଜର ସ୍ଵାତନ୍ତ୍ର୍ୟ ରଖିବାରେ ସମର୍ଥ ହୋଇଥିଲେ । ସେମାନଙ୍କ ପ୍ରଚେଷ୍ଟା ଫଳରେ ଏକ ନବ ଉନ୍ମେଷର ଧାରା ଓଡ଼ିଶାରେ ପ୍ରବାହିତ ହୋଇଥିଲା । ଅଜସ୍ର କୃଷ୍ଣଭକ୍ତିରସାତ୍ମକ କାବ୍ୟ କବିତା ସେମାନେ ରଚନା କରିଥିଲେ ମଧ୍ୟ କ୍ରମଶଃ ତାହା ଶ୍ରୀଜଗନ୍ନାଥଙ୍କର ଲୀଳାମୃତରେ ପରିଣତ ହୋଇ ଯାଇଥିଲା । ସେମାନଙ୍କର ଜ୍ଞାନ, ତତ୍ତ୍ଵ ଓ ଭକ୍ତି ଥିଲା ଅଦ୍ଭୁତପୂର୍ବ । ବଳରାମ ଦାସ ଜଗନ୍ନାଥଙ୍କୁ ପିଣ୍ଡ ମଧ୍ୟରେ ଆବିଷ୍କାର କଲେ । ତାଙ୍କର ଦୁଇ ନୟନ ଭିତରେ ହିଁ ସେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଅସ୍ତିତ୍ଵକୁ ଖୋଜି ଦେଲେ, ଯାହାର ବିସ୍ତୃତ ବର୍ଣ୍ଣନା ସେ ଗୁପ୍ତଗୀତାର ଅଷ୍ଟମ ଅଧ୍ୟାୟରେ କରିଦେଲେ । ସେହିପରି ଅତି ପ୍ରାଞ୍ଜଳ ଭାବରେ ରତ୍ନବେଦୀରେ ଅବସ୍ଥାପିତ ଚତୁର୍ଦ୍ଧା ମୂରତିଙ୍କର ଶରୀରକୁ କରିଦେଲେ ଶ୍ରୀମନ୍ଦିର ସେହି ଶରୀର ମଧ୍ୟରେ ଅବସ୍ଥାନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ।

 

“ବଉ ଦେଉଳ ବୋଲି ଯାହା-ନିଶ୍ଚୟ ଏ ତୋହର କାୟା

ନନ୍ଦିଘୋଷଟି ଯାହା କହି ଅର୍ଜ୍ଜୁନ ଏ ତୋହର ଦେହୀ ।’’

(ବିରାଟ ଗୀତା)

 

ମହାପ୍ରଭୁଙ୍କର ରତ୍ନସିଂହାସନର ତ୍ରିକୋଣରେ ପ୍ରଭୁ ଉପବିଷ୍ଟ । ଶରୀର ମଧ୍ୟରେ ମୂଳାଧାର, ଚକ୍ରରେ ରହିଛି ତ୍ରିକୋଣ । ରତ୍ନସିଂହାସନ ହେଲା ଷଟ୍‍କୋଣ ବିଶିଷ୍ଟ । ଶରୀର ମଧ୍ୟରେ ଥିବା ଅନାହତ ଚକ୍ରରେ ଷଟ୍‍କୋଣ ଅବସ୍ଥିତ । ଏଠାରେ ପ୍ରଭୁ ଉପବିଷ୍ଟ । ଷୋଡ଼ଶ ଦଳର ପ୍ରତୀକ ଶ୍ରୀମନ୍ଦିର । ଚକ୍ରରେ ଷୋଢ଼ଶ ଦଳ ରହିଛି । ଜଗମୋହନ ୩୨ ଦଳ, କୂର୍ମବେଢ଼ା ୬୪ ଦଳ, ସପ୍ତାବରଣ ଶତଦଳ ଏବଂ ବଡ଼ଦେଉଳ ସହସ୍ରଦଳ । କଳାହାଟ ଦ୍ଵାରା ହେଲା ବ୍ରହ୍ମରନ୍ଧ୍ର । ଶରୀର ସହସ୍ର ଦଳ ହେଲା ପିଣ୍ଡ ସହସ୍ରାର । ବଡ଼ ଦେଉଳରେ ପ୍ରଭୁଙ୍କୁ ଦର୍ଶନ କରିବା ଅର୍ଥ ଶରୀର ମଧ୍ୟରେ ପ୍ରଭୁଙ୍କୁ ଦର୍ଶନ କରିବା । ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ ଅର୍ଥାତ୍ ବ୍ରହ୍ମାଣ୍ଡ ଠାକୁରଙ୍କ ଦର୍ଶନ । ଏହା କେବଳ ସାଧନା ଦ୍ଵାରା ହିଁ ସମ୍ଭବ ଏବଂ ଏହା କେବଳ ମହାପ୍ରଭୁଙ୍କର କୃପାବଳରେ ହିଁ ସମ୍ଭବ ହେବ । ସେଇ କୃପାକଣିକା ଟିକେ ପାଇବା ପାଇଁ ହେଲେ ସାଧକକୁ କଠୋର ସାଧନା କରିବାକୁ ହେବ ଏବଂ ସ୍ଵୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ସିଦ୍ଧି ସାଧନା ଓ ସିଦ୍ଧିରସ୍ତୁ । ସି-ବଳଭଦ୍ର, ଦ୍ଧି-ଜଗନ୍ନାଥର-ସୁଭଦ୍ରା ସ୍ତୁ- ସୁଦର୍ଶନ । ସେ ମଧ୍ୟ ଜ୍ଞାନେନ୍ଦ୍ରିୟ । ଜ୍ଞାନଦ୍ଵାରା ତାଙ୍କୁ ଅନୁଭବ କରିହେବ, ସାଧନାଦ୍ଵାରା ତାଙ୍କୁ ପ୍ରାପ୍ତ କରିହେବ । କିନ୍ତୁ ଭକ୍ତିଦ୍ଵାରା ହିଁ ତାଙ୍କୁ ଆପଣାର କରିହେବ । ମଧ୍ୟଯୁଗରେ ଏହି କବିମାନେ ତେଣୁ ସାଧନା ମଧ୍ୟରେ ତାଙ୍କୁ ଆପଣାର କରିବାର ପ୍ରୟାସରେ ହଜିଛନ୍ତି-ମଜିଛନ୍ତି ଏବଂ ତାଙ୍କରି ନାମ ଗାଇ ତାରି ଭିତରେ ଲୀନ ହେବାକୁ ଚାହିଁଛନ୍ତି । ସେମାନେ ଜାଣିଥିଲେ ପରକୀୟା ପ୍ରେମରସ କୌଣସି ଜାତିକୁ ସକ୍ରିୟ, ସୁସଂସ୍କୃତ, ସଂଘବଦ୍ଧ ତଥା ସୁସ୍ଥ ସାମାଜିକ ଜୀବନ ଗଢ଼ିତୋଳିବାରେ ସାହାଯ୍ୟ କରିବ ନାହିଁ । ବହୁ ଘାତପ୍ରତିଘାତ ଧାର୍ମିକ ଉତ୍‍ଥାନ ପତନ ମଧ୍ୟରେ ଓଡ଼ିଶାର ସାମାଜିକ ଜୀବନ ଗତି କରି ଆସିଥିଲା । ପୁଣି ଏକ ଅବଶ୍ୟମ୍ଭାବୀ ପତନରୁ ଓଡ଼ିଶାକୁ ରକ୍ଷା କରିବା ନିମିତ୍ତ ସେମାନେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ନିମିତ୍ତ ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ ସେମାନେ ଜ୍ଞାନର ଅପରିସୀମ ସମୁଦ୍ର ମନ୍ଥନ କରି ଯେଉଁ ପୁସ୍ତକମାନ ରଚନା କରିଥିଲେ ତାହା ସାଧାରଣ ଜନତାଙ୍କର ବୋଧଗମ୍ୟ ହେବ କି ନାହିଁ ସେ ସମ୍ପର୍କରେ ସେମାନେ ଚିନ୍ତା କଲା ପରେ ସାଧାରଣ ଜନତାଙ୍କର ବୋଧଗମ୍ୟ ହେବା ପରି ଅସଂଖ୍ୟ ଅତୁଳନୀୟ ଗ୍ରନ୍ଥ ରଚନା କଲେ । ରାମାୟଣ, ଭାଗବତ, ଗୀତା, ତୁଳାଭିଣା, ଗଜନିସ୍ତାରଣଗୀତା, ପଣସଚୋରି, ରସକେଳି, ବଟଅବକାଶ, ଭୂତକେଳି, ଭାବସମୁଦ୍ର, ଅର୍ଥକୋଇଲି, ମନଶିକ୍ଷା, ରାସକ୍ରିଡ଼ା, ଶୂନ୍ୟସଂହିତା, ଗୋପାଳଙ୍କ ଓଗାଳ, ତତ୍ତ୍ଵବୋଧିନୀ, ଅଷ୍ଟଗୁଜ୍ଜରୀ, ପ୍ରେମଭକ୍ତି ବ୍ରହ୍ମଗୀତା, ଗୋବିନ୍ଦଚନ୍ଦ୍ର, ଗୁରୁଭକ୍ତିଗୀତା, ହେତୁଉଦୟ ଭାଗବତ, ବଣଭୋଜି, ବୋଲି, ବେଢ଼ାପରିକ୍ରମା. ରାସ, ବ୍ରହ୍ମାଣ୍ଡ ଭୁଗୋଳ ଇତ୍ୟାଦି । ଯେଉଁ ଭିତରୁ ଦାଣ୍ଡିରାମାୟଣ, ଭାଗବତ, ବଟଅବକାଶ, ଶୂନ୍ୟସଂହିତା, ଗୋବିନ୍ଦଚନ୍ଦ୍ର ଆଦି ଗ୍ରନ୍ଥ ଓଡ଼ିଶାର ଜନସାଧାରଣଙ୍କ ପ୍ରାତଃ ସ୍ମରଣୀୟ ଗ୍ରନ୍ଥରେ ପରିଣତ ହୋଇଗଲା । ସେ ଭିତରେ ରସମୟ ପୁରୁଷ ଶ୍ରୀକୃଷ୍ଣ, ରାସରଂଗୀନୀ ରାଧା, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସମ୍ମିଶ୍ରିତ ହୋଇ ଏକ ନୂତନ ପ୍ରେମଭକ୍ତି ରସଧାରାର ଅସ୍ତିତ୍ଵ ପାଲଟିଗଲା ।

 

“ଭାବ ବିନୋଦିଆ ଠାକୁର ଭକ୍ତବତ୍ସଳ ହରି

ଭକ୍ତ ନିମନ୍ତେ କଳେବର ଦଶ ମୂରତି ଧରି

ଭକ୍ତ ତୁମ୍ଭ କିସ କରିବ ଭକ୍ତ ବୋଲରେ ଥାଅ

ଭକ୍ତ ପେଷିଲା ହସ୍ତିନାକୁ ଦୂତ ପଣରେ ଯାଅ ।

ଭକ୍ତ ଦେଖାଇଲା ସ୍ତମ୍ଭକୁ ସ୍ତମ୍ଭୁ ହେଲୁ ଉଦିତ

ଭକ୍ତର ଭୃତ୍ୟ ପରିଭୃତ୍ୟ ଭଣେ ଦୀନ ଅଚ୍ୟୁତ’’।

(ଅଷ୍ଟଗୁଜ୍ଜରୀ)

 

ସେହିପରି ନିତ୍ୟ ରାସସ୍ଥଳୀର ରାଧାକୃଷ୍ଣଙ୍କର ପରିଚୟ ପ୍ରଦାନ କରିବା ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି ।

 

“ସେହି ବଳଭଦ୍ର ମୂରତି ନୀଳାଚଳେ ଶୋଭନ

ରସାନନ୍ଦ ବୋଲି କହୁଛି ସେହି ରାଧାଙ୍କୁ ଚିହ୍ନ

ରାଧିକା ସୁଭଦ୍ରା ଶ୍ରୀୟା ଯେ ଏକ ମୂରତି ତିନି ।

ରମା ବୀଜଠାରେ ଦେଖ ଗୋ ସେହି ରସଦାୟିନୀ ।’’

 

ବିଭିନ୍ନ ପୁରାଣ ଆଦିର ପୁଷ୍ଟିକରଣରେ କୁହାଯାଏ ମହାପ୍ରଭୁ ଜଗନ୍ନାଥ ପୂର୍ଣ୍ଣ ପ୍ରେମରସର ପ୍ରତୀକ । ସୃଷ୍ଟିର ଆଦିକାରଣ ନଵରସରୁ ସୃଷ୍ଟ । ମହାପ୍ରଭୁ ଯେଉଁ ତିନି ପୁରୁଷାବତାର ଗ୍ରହଣ କରିଥିଲେ ସେଥିରେ-ନୃସିଂହ ରୂପରେ ସେ ରୌଦ୍ର, ଭୟାନକ ଓ ବୀଭତ୍ସରସର ପ୍ରତୀକ ଅବତାରଣା କରିଥିଲେ । ରାମାବତାରରେ ବୀର, ଶାନ୍ତ ଓ କରୁଣରସର ଅବତାରଣା କରିଥିଲେ ଓବଂ କୃଷ୍ଣାବତାରରେ ଶୃଙ୍ଗାର, ହାସ୍ୟ (ଆନନ୍ଦ) ଓ ଅଦ୍ଭୁତ ରସର ପ୍ରଖ୍ୟାପକ ଥିଲେ । କିନ୍ତୁ ଏ ସମସ୍ତ ରସର ପ୍ରଖ୍ୟାପକ ମହାପ୍ରଭୁ ଶ୍ରୀଜଗନ୍ନାଥ । ତେଣୁ ତାଙ୍କର ଲୀଳା ଅପାର-ରୂପ ଅପାର ଏବଂ କରୁଣା ଅପାର । ଅକଳନୀୟ ଅକଳ୍ପନୀୟ । ଏହି ରସମୟକୁ ସ୍ତୁତି କଲାବେଳେ, ଭକ୍ତି କଲାବେଳେ କି ପ୍ରେମ କଲାବେଳେ ନବଧା ଭକ୍ତିରସର ଏକ ଅନବଦ୍ୟ କଲ୍ଲୋଳ ସୃଷ୍ଟି କରିଛନ୍ତି ପଞ୍ଚସଖା ସେମାନଙ୍କ ଦ୍ଵାରା ରଚିତ କାବ୍ୟ କବିତାରେ ।

ନିତ୍ୟରସ-

“ତହିଁ ପରେଟି ପ୍ରଥମ ଯେ ଦଳ, ଦିଶୁଥାଇ ତାର ବର୍ଣ୍ଣ ଶୁକଳ

ଓଁକାର ଅକ୍ଷର ବସିଛି ତହିଁ ନିତ୍ୟ ରାହାସ ଗୋଲକର ଭୂଇଁ

ସଖୀଗୋ ସେହି ବନୁଁ କ୍ଷରୁଛି, ସହସ୍ର ଚନ୍ଦ୍ର କି ଉଦେ ହୋଇଛି

x       x       x

ପଞ୍ଚମ ପାଖୁଡ଼ା ଶିଶୁବେଦଟି ଅଷ୍ଟାଦଶ ଅକ୍ଷର ବସିଅଛି

ଆରକ୍ତ ବର୍ଣ୍ଣ ସେ ପାଖୁଡ଼ା ଜାଣ, ସେଠାରେ ଖେଳୁଛି ସୁଦର୍ଶନ

ସଖୀ ଗୋ ସୁଧା ବହି ପଡ଼ୁଛି, ରାଧା ଅଂଗରେ ଶ୍ରୀକୃଷ୍ଣ ଲୁଚିଛି ।“

ସ୍ତୁତି-

୧.

“ପୁରୁଷୋତ୍ତମର ମହିମା କେ କହିପାରେ ଗୁଣସୀମା

 

ଯେ ପ୍ରାଣୀ ନିତ୍ୟେ ତୋର ନାମ କର୍ଣ୍ଣେ ଶୁଣନ୍ତି ଶ୍ରଦ୍ଧାଧାମ

ସକଳ କ୍ଲେଶ ତାର ଦୂର ଯେ ନିତ୍ୟେ କରଇ ଆହାର

ଜିଅନ୍ତେ ସୁମରିଲେ ପୁଣ ଅନ୍ତେ ଲଭଇ ସ୍ଵର୍ଗ ସ୍ଥାନ ।’’

(ଚଉରାଶୀ ଆଜ୍ଞା)

୨.

“ଜୟ ଜୟ ଜଗନ୍ନାଥ ନୀଳାଦ୍ରି ଚୂଡ଼ାମଣି

 

ଭୃତ୍ୟ ଜନମାନଙ୍କର ହୃଦୟ ପଦ୍ମକୁ ଦିନମଣି

ନରକ ଖଣିକି ଯାର ନାମ ଅଟଇ ନିଶୁଣି

ଯହିଁ ବେଦ ଶାସ୍ତ୍ର ଶୁଣାଇବାକୁ ବ୍ରହ୍ମାଣ୍ଡ କୁଶପାଣି

ଗୀତ ଗାଇବାକୁ ଶାରଦା ଗାୟେଣୀ

ଯୋଗ ସାଧିକାକୁ ଯହିଁ ଯୋଗୀ ଶୂଳପାଣି ।’’

(ଇତ୍ୟାଦି) (ବ.ଅ.)

 

ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଏ ଚାରିମୂର୍ତ୍ତି ଭକ୍ତର ପ୍ରାର୍ଥନାରେ ଏକ ହୋଇଯାନ୍ତି । ସେଇ ଗୋଟିଏ ଆଖି ଭିତରେ ତିନି ଜଣଙ୍କୁ ସେ ଦର୍ଶନ କରି ନିଏ । ଦୀନ ଭାବରେ ବାଢ଼ିଦିଏ ଭକ୍ତିର ଅର୍ଘ୍ୟ କେତେବେଳେ ପୁତ୍ର ଭାବରେ, କେତେବେଳେ ସଖା ଭାବରେ ପୁଣି କେତେବେଳେ ଦାସାନୁଦାସ ଭକ୍ତ ଭାବରେ ।

 

“ଏମନ୍ତ ଗୋପୀ ବୋଲାବୋଲି ହୁଅନ୍ତେ ଛୟାଳିଶ ଅଧ୍ୟାଗାଇ

ଶ୍ରୀଜଗନ୍ନାଥ ଚଢ଼ିଣ ରଥ ଗୁଣ୍ଡିଚା ଘରକୁ ଆଏ

ସାତଦିନ ତହିଁ ରାଉତ କାଛେଣି ବଳରାମ ଦାସ ଗାଏ

ପାପ ହରିଲା ଦୁଃଖ ସରିଲା ସୁମରି ଉଦ୍ଧବ ଗୀତା

ନୀଳଗିରି ଜଗନ୍ନାଥ ନୀଳ ଶ୍ରୀମୁଖଙ୍କର ଲଲାଟେ ଶୋଲରି ଚିତା

ଶିରେଣ ଶେତ ଗୌଛି ନେତ ପୀତବାସ ପରି ହରଣ

ବାମେ ଜମ ଦାଢ଼ ମୁକୁଟ କୁଣ୍ଡଳ ହୀରା ପଦେକ ଭୂଷଣ

କମଳାବର ଶଙ୍ଖ ଚକ୍ରଧର ଏ ରୂପେ ହୃଦରେ ଧରି

ବଳରାମ ଦାସ ଆନନ୍ଦ ହୋଇଲା ଉଦ୍ଧବ ଗୀତା ସୁମରି ।’’ (ଉଦ୍ଧବଗୀତା)

 

ସେହିପରି ନିଜକୁ ମହାପ୍ରଭୁଙ୍କର ପୁତ୍ର ଭାବରେ ପରିଚିତ କରାଇ ଲେଖିଛନ୍ତି ।

“ନୀଳଗିରି ଜଗନ୍ନାଥ ବେଟା ବଳରାମ ଦାସ

ଉଦ୍ଧବ ଗୀତା ଯେ ମୁହିଁ କଲେଇଁ ପ୍ରକାଶ ।’’

(୫ମ ଅଧ୍ୟାୟ ୨୯ ଶ୍ଲୋକ)

 

ଉଦ୍ଧବଗୀତାର ମୁଖ ପାତ୍ର କୃଷ୍ଣ ଓ ଉଦ୍ଧବ । କିନ୍ତୁ ଭକ୍ତିରସର ଏହି ଅନବଦ୍ୟ କାବ୍ୟ ରଚନା କରିବା ନିମିତ୍ତ ଯିଏ ତାଙ୍କୁ ପ୍ରେରିତ କରିଛନ୍ତି ସେ ତ ସେଇ ଅଧରଧର ପ୍ରଭୁ ଜଗନ୍ନାଥ-

 

“ଯହୁଁ ଜଗନ୍ନାଥ କଳାଶ୍ରୀମୁଖ ଦେଖିଲି

କମଳ ନୟନ ଦେଖି ଆନନ୍ଦ ହୋଇଲି ।

x       x       x

ମୁକୁଟ କୁଣ୍ଡଳ ସାର ଶଙ୍ଖ ଚକ୍ର ଧରେ

ମୁହିଁ ତାରେ ଶରଣ ସେ ମୋତେ ରକ୍ଷା କରେ ।’’

(ଭ.ଗୀ. ୫)

 

ସେହିପରି ଜଗମୋହନ ରାମାୟଣ ପରି ବିରାଟ ଗ୍ରନ୍ଥ ରଚନା ନିମିତ୍ତ ସମସ୍ତ ଶ୍ରେୟ ସେ ପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରିଛନ୍ତି ।

 

“ନୀଳଗିରି ଜଗନ୍ନାଥ ଦୟା ମୋତେ କଲେ

ତେଣୁ ସେ ଗ୍ରନ୍ଥ ମୋର ଶରୀରୁ ପ୍ରସରିଲେ

x       x       x

ଜଗମୋହନ ରାମାୟଣ ୟେଥି କବି ଜଗନ୍ନାଥ

ତାହାର ଆଜ୍ଞାରେ ଲିହିଲି ମୋହର ନାଥ ।’’

(ଜ.ରା.ଲଙ୍କାକାଣ୍ଡ)

 

ବଳରାମ ଦାସଙ୍କ ପରି ତାଙ୍କର ଅନ୍ୟ ସଖାଗଣ ମଧ୍ୟ ଜଗନ୍ନାଥଙ୍କ ମହତ୍ତ୍ଵ ବର୍ଣ୍ଣନା କରି ଅନେକ କାବ୍ୟ ରଚନା କରିଛନ୍ତି । ଯାହା ଓଡ଼ିଶାର ଗ୍ରାମେ ଗ୍ରାମେ ସଂକୀର୍ତ୍ତନ ମାଧ୍ୟମରେ ସଙ୍ଗୀତ ଚର୍ଚ୍ଚା ମାଧ୍ୟମରେ ଭଜନ, ଜଣାଣ, ଗାୟନରେ ମୁଖ୍ୟ ସ୍ଥାନ ଅଧିକାର କରିଛି ।

 

୧.

“ନମସ୍ତେ ପ୍ରଭୁ ଜଗନ୍ନାଥ

ଅନାଥ ଲୋକଙ୍କର ନାଥ

ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି

ତୋ ବିନୁ ଅନ୍ୟ ଗତି ନାହିଁ

ସୃଷ୍ଟି ତୋହର ଖେଳଘର

ଅଶେଷ ମାୟା ତୋ ଆଦର ।’’

ଜଗନ୍ନାଥ ଦାସ

୨.

“ଏଇ ଜଗନ୍ନାଥ ଗୋପୁରରେ ବତ୍ସା ରଖିଥିଲେ ନନ୍ଦ ଘରେ

କଂସର କଟକେ ଅଷ୍ଚମଲ୍ଲ ମାରି ଗିରି ଟେକିଅଛି ବାମ କରେ

ପ୍ରଭୁ ଗୋପପୁରେ ।

ଶ୍ରୀପୁରୁଷୋତ୍ତମ ଯିବା ମନ ସାଙ୍ଗ ହୋଇଥିବା ପାଞ୍ଚ ଜଣ

ତୁନି ହୋଇଥିବା କେହି ନ ଜାଣି ମେ ବସି ଭାଳୁ ଥିବା ମନେ ମନେ

ପ୍ରଭୁ ପାଞ୍ଚ ଜଣ ।’’ (ଜ.ଦାସ)

 

ଅନେକ ଜ୍ଞାନଗର୍ଭକ ରଚନା ରଚିଥିବା ମଧ୍ୟଯୁଗୀୟ ବୟୋଜ୍ୟେଷ୍ଠ କବି ଅଚ୍ୟୁତାନନ୍ଦ ମଧ୍ୟ ସେଇ ଅନନ୍ୟ ଭକ୍ତି ଭାବରେ ତନ୍ମୟ ହୋଇ ରଚନା କଲେ-

 

“ଦୀନବନ୍ଧୁ ମୋ ଦୁଃଖ ନଗଲା ଯେ

ତୁମ୍ଭେ ଦୀନବନ୍ଧୁ ମୋ ବନ୍ଧୁ ନୋହିଲେ

ମୋ ବନ୍ଧୁ ହୋଇବ କେ ।“

x      x      x

“ତୁଳସୀର ଜଟ ତୁଳସୀ ମୁକୁଟ

ତୁଳସୀ ଭୂଷଣ ହୋଇ

ତୁଳସୀ ଚଉରା ପାଶେ ଅନାଇଲେ

ନୀଳଚକ୍ର ଦିଶୁଥାଇ ।’’

 

ଯେପରି ରଂଗଅଧରଙ୍କର ବହୁମୁଖୀ ରୂପ ବର୍ଣ୍ଣନାରେ ଚଳଚଞ୍ଚଳ ହେଇ ଉଠିଛି ମଧ୍ୟ ମଧ୍ୟଯୁଗୀୟ ଭକ୍ତ କବିମାନଙ୍କର ଲେଖନୀ । ସେହିପରି ସେହି ଅନାଦିଙ୍କର ଜଗନ୍ନିବାସଙ୍କର ଅନନ୍ତ ମହିମା ବଖାଣୁ ବଖାଣୁ କବିମାନଙ୍କର ଦିନ ସରିନି । ତାର ଏକ ସୁନ୍ଦର ପରିପ୍ରକାଶ ଘଟିଛି ଯଶୋବନ୍ତଙ୍କ ରଚନାରେ-

 

“କୋଟି କୋଟି ପତିତ ପାବନ ଦେବହରି

ତିନି ଭୁବନର ନାଥ ନୀଳାଦ୍ରିବିହାରୀ

ଦକ୍ଷିଣ ବାରିଧି ତଟେ କଳ୍ପବଟ ମୂଳେ

ନିଜ ସୁଖେ ବିହାର କରନ୍ତି କୁତୂହଳେ

ବେଦ ଯାହା ନ ଚିନ୍ତଇ ଆଉ କେ ଚିନ୍ତିବ

ନରଙ୍କର ଚିହ୍ନିବାକୁ କେହୁ କ୍ଷମ ହେବ ।“

x      x      x

“ଏବଂଭୂତ ଯେଉଁ ପ୍ରଭୁ ତାଙ୍କ ପଞ୍ଚଭୂତ

ଏକ ଭୂତ ସଖା ଯେ ଅଟଇ ଯଶୋବନ୍ତ- ।’’

(ଯ.ଦ. । ଶିବସ୍ଵରୋଦୟ)

 

ଏହି କୋଟିବ୍ରହ୍ମାଣ୍ଡଠାକୁରଙ୍କୁ ବହୁ ସ୍ଥାନରେ ସେ ପରଂବ୍ରହ୍ମ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ସ୍ଵୀକାର ମଧ୍ୟ କରିଛନ୍ତି ।

 

“ଯେମନ୍ତେ ଭକ୍ତିରେ ନିର୍ବାଣ । ମୁକ୍ତିର ଅଟଇ ନିର୍ଗୁଣ

ୟେମନ୍ତେ ଦାରୁବ୍ରହ୍ମ ଗୋପ୍ୟ । ଓଁକାର ଜଗନ୍ନାଥ ରୂପ ।

ଆଗେ ଭକତି ପଛେ ମୁକ୍ତି। ୟେଣୁ ଏ ଦାରୁବ୍ରହ୍ମ ମୂର୍ତ୍ତି ।’’ (ଶି.ସ୍ଵ)

 

କଳିଯୁଗରେ ପ୍ରଭୁ ଯେଉଁ ଦାରୁ ରୂପ ଧାରଣ କରିଛନ୍ତି ତା’ର ମହତ୍ତ୍ଵ ବର୍ଣ୍ଣନା କରିବାକୁ ଯାଇ ଶିଶୁ ଅନନ୍ତ ଲିପିବଦ୍ଧ କରିଛନ୍ତି ।

 

“ଗରୁଡ଼ ବଚନ ଶୁଣିବା ଶ୍ରୀହରି ବିମ୍ଵ ଅଧରେ ହସିଲେ

ରାମକୃଷ୍ଣ ଆମ୍ଭେ ଦ୍ଵାରକାରେ ଥିଲୁ ବହୁ କୁଟୁମ୍ଵ ସବୁ ମଲେ ।

ଆହେ ଗରୁଡ଼ ଏବେ ନିଜ ସ୍ଥାନେ ରହିବୁ

କିଛି ଦିନ ଗଲେ ଶ୍ରୀ ନୀଳକନ୍ଦରେ ଦାରୁରୂପ ଆମ୍ଭେ ଧରିବୁ ।’’

ଏମିତି ପଞ୍ଚସଖାଙ୍କ କାବ୍ୟ, କବିତା, ଭଜନ, ଜଣାଣ ଆଦି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ସ୍ରୋତସ୍ଵିନୀ ହୋଇଛି । ଶ୍ରୀକ୍ଷେତ୍ର-ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା- ଶ୍ରୀ ସୁଦର୍ଶନଙ୍କର ଅନନ୍ତ କୋଟି ମହିମା ସହିତ ଜୀବ ଓ ଜଡଜଗତ ସହିତ ତାଙ୍କର ସମ୍ପର୍କ ତାଙ୍କର ଆଦି ସ୍ଥଳ “ଜଳେ ଦ୍ଵାରକା ନାଶ ଯିବ । ମୋର ନିବାସ ମାତ୍ର ଥିବ ।’’ (ଭାଗବତ) ଇତ୍ୟାଦି ସମ୍ପର୍କରେ ବହୁଳ ଓ ପ୍ରାଞ୍ଜଳ ବର୍ଣ୍ଣନା ମଧ୍ୟ ଯୁଗୀୟ ଓଡ଼ିଆ ସାହିତ୍ୟରେ ବିସ୍ତୃତ ଭାବରେ ପରିଦୃଷ୍ଟ ହୁଏ । ଆଶ୍ଚର୍ଯ୍ୟର କଥା ଏ ସବୁ ଭିତରେ ସବୁଠାରୁ ବଡ଼ କଥା ହେଉଛି ଏହି ପରଂବ୍ରହ୍ମ କେତେବେଳେ ଗଣଦେବତାରେ ପରିଣତ ହୋଇଯାଇ ଉତ୍କଳୀୟ ଜନସଂସ୍କୃତିର ଆତ୍ମ ପୁରୁଷରେ ପରିଣତ ହୋଇ ଯାଇଛନ୍ତି ତାହା ପରବର୍ତ୍ତୀ କାଳରେ ଅନୁଭୂତ ହୋଇଛି । ଏଥିରେ ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ଏକ ବିଶେଷ ଭୂମିକା ଗ୍ରହଣ କରିଛି । ଏଠି ଏହି ଶକ୍ତିଶାଳୀ ସର୍ବମୟ ପରଂବ୍ରହ୍ମ ଜଣେ ସାଧାରଣ ଗୃହସ୍ଥ ପରି ଚିତ୍ରିତ ହୋଇଯାଇଛନ୍ତି । ଏହି ଗ୍ରନ୍ଥଟି ଏକାଧାରାରେ ବଳରାମ ଦାସଙ୍କର ଭକ୍ତି ଚେତନା, ସମାଜ ସଂସ୍କାରଧର୍ମୀ ମନୋବୃତ୍ତି ତଥା ଜଗନ୍ନାଥ ସଂସ୍କୃତିକୁ ଏକ ଅନନ୍ୟ ସଂସ୍କୃତିରେ ପରିଣତ କରିବାର ପରିପକ୍ଵ ଆହ୍ଵାନ । ଈଶ୍ଵର ସମସ୍ତଙ୍କର ତାଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରିବାର ଅଧିକାର ସମସ୍ତଙ୍କର ରହିଛି ଏବଂ ତାଙ୍କ ଦ୍ଵାର ସର୍ବଦା ସମସ୍ତଙ୍କ ନିମିତ୍ତ ଉନ୍ମୁକ୍ତ ରହିବା ଆବଶ୍ୟକ । ଜଗନ୍ନାଥ ଲକ୍ଷ୍ମୀଛଡ଼ା ହେବା ଏବଂ ପୁନଶ୍ଚ ଲକ୍ଷ୍ମୀଙ୍କର ଶରଣ ପଶିବା ଆଲେଖ୍ୟ ମଧ୍ୟରେ ବଳରାମ ଦାସ ମହାବିଷ୍ଣୁଙ୍କର ପ୍ରତ୍ୟେକ ଜୀବନ୍ତ ପରିପ୍ରକାଶ (ଅବତାର) ସଦୃଶ ଦାରୁବ୍ରହ୍ମଙ୍କୁ ସଜୀବ କରିବା ସହିତ ସର୍ବସାଧାରଣରେ ପରିଣତ କରିବାର ପ୍ରୟାସ କରିଛନ୍ତି ଏବଂ ଜଗନ୍ନାଥ ସଂସ୍କୃତିକୁ ଆହୁରି ବ୍ୟାପକ କରିବା ପାଇଁ ତାଙ୍କର ସାଧନା ଲକ୍ଷ୍ମୀଙ୍କର ଶ୍ରୀମୁଖରେ ଉପସ୍ଥାପିତ ହୋଇଛି ।

 

“ଏତ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀହସ୍ତ

ଜଗତ ମାତ ବୋଇଲେ ତୁମ୍ଭେ କର ସତ୍ୟ

ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ

ସମସ୍ତେ ଖାଇଣ ହସ୍ତକୁ ମୁଣ୍ଡରେ ପୋଛିବେ ।

ଅନ୍ନଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ

ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ

ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ

ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ ।’’

 

ସାହିତ୍ୟସୃଷ୍ଟି କୌଣସି କାଳ ମଧ୍ୟରେ ସୀମିତ ନୁହେଁ । ଯେତେବେଳେ ତାହା କାଳର ସୀମା ଲଂଘନ କରି ଅନ୍ୟ ଏକ କାଳ ମଧ୍ୟରେ ଅନୁପ୍ରବେଶ କରେ ତାର ମହତ୍ତ୍ଵ ବୃଦ୍ଧି ଘଟେ । ସେହିପରି ଏହି ପଞ୍ଚସଖାଙ୍କର ସୃଷ୍ଟି ଗୋଟିଏ କାଳ ମଧ୍ୟରେ ସୀମିତ ନ ଥିଲା । ସେମାନେ ଭକ୍ତି, ତତ୍ତ୍ଵ, ଜ୍ଞାନ, ମୁକ୍ତିର ଯେଉଁ ପଥ ପ୍ରଦର୍ଶନ କଲେ ତାହା ପରବର୍ତ୍ତୀ କାଳର ବହୁ ସାଧକ କବି ଭକ୍ତଙ୍କୁ ଉଦବୁଦ୍ଧ କଲା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବହୁବିଧ ଜୀବନଚର୍ଯ୍ୟା, ବେଶବାସ, ପର୍ବପର୍ବାଣୀ ଆଦିକୁ ନେଇ ଅସଂଖ୍ୟ କାବ୍ୟ କବିତା ଭଜନ ଜଣାଣ ରଚିତ ହେଲା । ସାମ୍ପ୍ରତିକ କାଳପର୍ଯ୍ୟନ୍ତ ସେ ସ୍ରୋତ ପ୍ରବାହିତ ହୋଇଆସୁଛି । ସପ୍ତଦଶ ଶତାବ୍ଦୀରେ ଦେବ ଦୁର୍ଲ୍ଲଭ, ଧନଞ୍ଜୟ ଭଞ୍ଜ, ଦୀନକୃଷ୍ଣ ଦାସ, ସାଲବେଗ, ସାରିଆଭିକ, ଭିକାରୀ, ବୈଦ୍ୟନାଥ ଦ୍ଵିଜ ପ୍ରମୁଖ କବି ସେହି ସ୍ରୋତରେ ଭାସି ଭାସି ଅଜସ୍ର ସ୍ରୋତରେ ଭାସି ଭାସି ଅଜସ୍ର ଭଜନ ଓ ଜଣାଣ ରଚନା, କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକତ ଜୀବନ, ଭକତ ବନ୍ଧୁ, ଚକାଡୋଳାରେ ପରିଣତ କରିଦେଲେ । ପରବର୍ତ୍ତୀ କାଳର କବି ଉପେନ୍ଦ୍ର ଭଞ୍ଜ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା, ଭକ୍ତଚରଣ ଦାସ, ଅଭିମନ୍ୟୁ ସାମନ୍ତସିଂହାର, ବନମାଳୀ ଆଦି ମହାପ୍ରଭୁଙ୍କର ଭଜନ ଜଣାଣ ମଧ୍ୟରେ ଆତ୍ମମଗ୍ନ ହୋଇପଡ଼ିଲେ । ଏ ସ୍ରୋତ ଭିତରେ ଏହି ଦୀନବନ୍ଧୁ, ଆରତତ୍ରାଣ, ବିପଦଭଞ୍ଜନ, କେବେ ସାଧାରଣ ଜନତାର ଏତେ ନିକଟତମ ହୋଇପଡ଼ିଲେ ଜଣାପଡ଼ିଲା ନାହିଁ । ପଣସ ଚୋରୀ, ଭାବ ସମୁଦ୍ର, ବଟ ଅବକାଶ, ଜୀଇଁ ଉଠିଲା ଅସଂଖ୍ୟ କବିଙ୍କ ଲେଖନୀରେ । କେତୋଟି ପଦରୁ ତାହା ସ୍ପଷ୍ଟ ହୋଇଯିବ । ଉନବିଂଶ ଶତାବ୍ଦୀର କବି କବିସୂର୍ଯ୍ୟ ବଳଦେବ ରଥ ଲେଖିଲେ –

 

“ବାଧିଲା ଜାଣି କ୍ଷମା କର ନୋହିଲେ ରମା

ରମଣ ଦଣ୍ଡେ ଦିଅ ଟାଳି

ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନରଥ

ଭରତି କରି ଦେବ ଗାଳି ।“

 

କବି ଗୌର ଚରଣ ଅଧିକାରୀ ଲେଖିଲେ-

 

“କାଳ ସିଂହ ! କାହିଁକି ଅଇଲୁରେ

ଶ୍ରୀନୀଳକନ୍ଦର ଛାଡ଼ି

ଭାଇ ଭଗ୍ନୀ ସଙ୍ଗେ ଘେନି କରି ରଙ୍ଗେ

ରହିଛି ଗୁଣ୍ଡିଚା ବାଡ଼ି

x      x      x

ଇନ୍ଦ୍ରଚନ୍ଦ୍ର ଦେବବୃନ୍ଦ ଆଜ୍ଞାକାରୀ

ବ୍ରହ୍ମା ପଢ଼ୁଥାନ୍ତି ବେଦ ।

ସେ ସୁଖ ନୋହିଲା ବୋଲି ଶୁଣିଛି କି

ଢଗଢମାଳିଆ ପଦ ।“

 

ତାଙ୍କଠାରୁ ପାଦେ ଆଗେଇ ଯାଇ ବୈଷ୍ଣବପାଣି ଲେଖିଲେ-

 

“ଛାଡ଼ ମାଡ଼ଖିଆ ବୁଦ୍ଧି ହେ

ବଡ଼ ଦେଉଳ ବଡ଼ଗୋସାଇଁ

ଯେ ମାଇଲା ମାଡ଼ ସେ ହୋଇଲା ବଡ଼

ବାଡ଼ ହେଲୁ ତାକୁ ତୁହି ।“

x      x      x

“ ମାଡ଼ୁଆମୋହନ ମାଡ଼ ବିନୁ ଆନ

ଯୋଗ ତ କରମେ ନାହିଁ

ବଇଷ୍ଣବ ଭକ୍ତି କଡ଼ିଆ ଧରିଛି

କରେ ଲଗାଇବା ପାଇଁ ।’’ ଇତ୍ୟାଦି ।

 

ସମୟ ଓ ସମୟାନ୍ତର ନିମିତ୍ତ ଏହାହିଁ ମଧ୍ୟଯୁଗୀୟ କବିମାନଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିମିତ୍ତ ଥିଲା ଶ୍ରେଷ୍ଠ ପ୍ରଣତି । ଆଜି ବି ସେହି କାଳିଆଠାକୁରଙ୍କ ପାଖରେ ପହଞ୍ଚିଗଲେ ସେଠି ଅତି ସହଜରେ ଶ୍ରୀଜଗନ୍ନାଥଙ୍କର ଅନ୍ତରଙ୍ଗ ପଞ୍ଚସଖାଙ୍କୁ ଅନୁଭବ କରିହୁଏ । ସେହିପରି ସନ୍ଧ୍ୟା ଗଡ଼ିଗଲେ କୋଉ କୋଉ ଗାଁରେ ଆଜି ବି ଉଜ୍ଜୀବିତଥିବା ଭାଗବତ ଟୁଙ୍ଗୀରୁ ଖୋଳ, କରତାଳ, ମୃଦଙ୍ଗ, ଗିନି ସହିତ ଭାସିଆସେ ସୁମଧୁର କଣ୍ଠର ଗାୟନ –

 

“ହରେକୃଷ୍ଣ ହରେରାମ ରାମ ରାମ ହରେ ହରେ

ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ”

 

ଯାହାକୁ ପଞ୍ଚସଖା ହିଁ ଅର୍ଥ କରିଯାଇଛନ୍ତି

 

“ଓଁ ନାମ ସୁଦର୍ଶନ ସୁଜ୍ଞଜନେ ଜାଣ

କ୍ଲୀଂ ହରେ ବଳଭଦ୍ର ହୋଇଛି ନିର୍ମାଣ

ଶ୍ଲୀଂ ରାମନାମ ସୁଭଦ୍ରିକା ସେ ଅଟନ୍ତି

କ୍ଲୀଂ କୃଷ୍ଣ ଜଗନ୍ନାଥ କେବଳ ନୁହଁନ୍ତି”

 

ନରେନ୍ଦ୍ରକୋଣ, ପୁରୀ

ମୋ – ୯୪୩୭୪୨୨୪୧୧

 

***

 

ଆଧୁନିକ କବିତାରେ ଶ୍ରୀଜଗନ୍ନାଥଚେତନା

ହରିହର ମିଶ୍ର

 

କବିତାରେ ବିବିଧ ବିଷୟକୁ ନେଇ ଚିନ୍ତା ଓ ଚେତନା କ୍ଷେତ୍ରରେ ଆଧୁନିକତାର ପ୍ରତିଫଳନ ଘଟିଅଛି । ବିଶ୍ଵରେ ଅଭ୍ୟୁଦୟର (ରେନେସାଁ) ଉତ୍ସ ସଂଧାନ, ବ୍ୟକ୍ତିସ୍ଵାତନ୍ତ୍ର ଓ ତା’ର ପ୍ରତିଷ୍ଠା ପ୍ରତି ଗୁରୁତ୍ଵ, ଇନ୍ଦ୍ରିୟଲବ୍ଧ ବାସ୍ତବତା ଭିତରେ ଅଧ୍ୟାତ୍ମବୋଧକୁ କାବ୍ୟ ପରିସର କରିବା, ସାମ୍ପ୍ରତିକ କବିତାର ଲକ୍ଷ୍ୟବସ୍ତୁ । ପୁନଶ୍ଚ ନେତିବାଦ, ମୃତ୍ୟୁବୋଧ, ସ୍ଥିତିବାଦୀ ସଂକଟ, ସାମ୍ୟସମାଜ ପାଇଁ ବୈପ୍ଲବିକ ତଥା ପ୍ରଗତିଶୀଳ ଆହ୍ଵାନ ଆଜିର କବିତାକୁ ଭାରାକ୍ରାନ୍ତ କରିଛି । ଏସବୁ ମନସ୍ଥିତିର ନାନାଦି ରୂପଚିତ୍ର ତଥା ପ୍ରୟୋଗାତ୍ମକ ଶୈଳୀର ପାଶ୍ଚାତ୍ୟ ରୀତି ଆମ ଆଧୁନିକତାର ବହୁମୁଖୀ ଅବଲମ୍ଵନ ହୋଇଯାଇଛି । କ୍ରମଶଃ ସଭ୍ୟତାର ଅଗ୍ରଗତି ଭିତରେ ଏକବିଂଶ ଶତାବ୍ଦୀର ଏ ଦ୍ଵିତୀୟ ଦଶନ୍ଧିରେ ଆମେ ଜଗତିକରଣର ବୈଶ୍ଵିକ ଭାବନାକୁ ଆପଣାର କରିଅଛୁ । ଏହି ପୃଷ୍ଠ ଭୂମିରେ ଆମ ଛିନ୍ନମୂଳ ଅନିକେତବୋଧ ଓ ସେହି ଔପନିବେଶିକ ହୀନମନ୍ୟତାକୁ ଓଲାରି ଫିଙ୍ଗିଦେବାକୁ ପଡ଼ିଛି । ମୁକ୍ତ ଧାରାରେ ଆମର କବିତା ଅଧ୍ୟାତ୍ମର ଆଶ୍ରୟ ନେବାକୁ ଉନ୍ମୁଖ ହେଲେ ମଧ୍ୟ କବିତାର ଆଂଗିକ ପରିସୀମାରେ କବିତା ସାରାଟା ଆକାଶର ବିମ୍ଵଟିଏ କେବଳ ସୃଜିପାରେ । ପ୍ରତୀକଟିଏ ଗଢ଼ିଦେଇପାରେ ସୃଷ୍ଟି, ସ୍ଥିତି, ଲୟର । ଚେତନାର ଏ ପ୍ରତୀକ ମଧ୍ୟ ପୁରାଣ, ଇତିହାସ ଓ କିମ୍ବଦନ୍ତୀ ଆଦିକୁ ନେଇ ସାମ୍ପ୍ରତିକ ଜୀବନ ସହିତ ପରମ୍ପରାକୁ ଯୋଡ଼ି ଦେଇପାରେ । କେହି କେହି ସିଧାସଳଖ କବିତାର ବର୍ଣ୍ଣନା ଉପରେ ପ୍ରାଧାନ୍ୟ ଦେଇ କବିତାର ଶୈଳୀ ନିର୍ମାଣ କଲାବେଳେ ଅନ୍ୟ କେହି କବିତାକୁ ସିଧାସଳଖ ବର୍ଣ୍ଣନା କରିଦେଲେ କବିତାର ଅର୍ଦ୍ଧେକ ନଷ୍ଟ ହୋଇଯିବା ମନେକରନ୍ତି । ତେଣୁ ଏହା କବିତା ପଦବାଚ୍ୟ ହୋଇପାରେ ନାହିଁ ବୋଲି ଆଶଙ୍କା ପ୍ରକାଶ କରନ୍ତି ।

 

ତେବେ ଆଧୁନିକତା ସମ୍ପୂର୍ଣ୍ଣ ଅନୁଭବକୁ ଆସିବା ଆଗରୁ ଆସେ ଉତ୍ତରଆଧୁନିକତାର ବିଘଟନ ଓ ସଂରଚନାବାଦ । ଏଇଠି ଆବଶ୍ୟକ ହୁଏ ଆମର ଇତିହାସ, ଆମ ସଂସ୍କୃତିର ବୈଚିତ୍ର ଓ ବୈଶିଷ୍ଟ୍ୟ । ଏହିଭଳି ଆସ୍ଥାଭୂମିଟିଏ ଗଢ଼ିଲାବେଳେ ଆମର ସାମାଜିକ ବାସ୍ତବତା, ଦ୍ରୁତ ପରିବର୍ତ୍ତନଶୀଳ ଜୀବନର ଅସଂଗତି ଓ ବିଡ଼ମ୍ବନା ତଥା ସଂଶୟବାଦ କବିତାର ସାମ୍ମୁଖ୍ୟ ପାଲଟିଯାଏ ଆପଣାଛାଏଁ । ଅବକ୍ଷୟର କାରଣ ନ ଖୋଜି ଆମେ ଖୋଜୁ ଏଥିରୁ ମୁକ୍ତି ଓ ଅଭ୍ୟୁଦୟର ସକାଳ ।

 

ଶ୍ରୀଜଗନ୍ନାଥଙ୍କୁ ନେଇ ବୌଦ୍ଧତନ୍ତ୍ର ସାଧନ ମାର୍ଗ, ପଞ୍ଚସଖାଙ୍କ ଯୋଗପିଣ୍ଡିତ ଜ୍ଞାନମାର୍ଗ, ଶୂନ୍ୟବାଦୀ ସନ୍ଥ ଭୀମ ଭୋଇଙ୍କର ମହା କାରୁଣିକ ଚିନ୍ତା ଚେତନା ଯେଉଁ କାବ୍ୟ ଜଗତ ସୃଷ୍ଟି କରିଛି ସେଥିରେ ରସବୋଧର ଅନୁପସ୍ଥିତି ଦେଖି ଏ ସମସ୍ତ କାବ୍ୟୋଚିତ ନୁହେଁ ବୋଲି ମଧ୍ୟ ମତ ପ୍ରକାଶ ପାଇଅଛି । ଅନୁବାଦ ଓ ପୁରାଣ ସାହିତ୍ୟ କହି ସାରଳା ମହାଭାରତ, ଦାଣ୍ଡି ରାମାୟଣ , ଅତିବଡ଼ୀଙ୍କ କୃତ ଭାଗବତ, ଅଚ୍ୟୁତାନନ୍ଦଙ୍କ ହରିବଂଶ ଆଦି କାବ୍ୟିକ ଅବିବ୍ୟକ୍ତିକୁ ଅବହେଳା କରାଯାଇଛି କାବ୍ୟର ଆଗିଂକ ଓ ଆତ୍ମିକ ଦୃଷ୍ଟିରୁ । କେବଳ ରୀତିକାଳର ଆଳଙ୍କାରିକ କାବ୍ୟରୀତି, ସଙ୍ଗୀତ ଯୁଗର ଛନ୍ଦ, ଚମ୍ପୂ., ଚୌପଦୀ,ଚଉତିଶା ରସବିଷୟକ ହୋଇ କାବ୍ୟମାନ୍ୟତା ଲାଭ କରିଛନ୍ତି । କେହି କେହି ସମାଲୋଚକ ସତ୍ୟବାଦୀ ଯୁଗର କାବ୍ୟଚେତନାକୁ ମଧ୍ୟ ରସହୀନ ମନେକରି ସାହିତ୍ୟମାନ୍ୟତା ଦେବାକୁ ପରାଙ୍‍ମୁଖ । ଆଧୁନିକ କବିତାରେ ସତ୍ୟବାଦୀର କବିମାନେ ଶ୍ରୀଜଗନ୍ନାଥ ଚେତନାକୁ ଜାତୀୟ ତଥା ଆନ୍ତର୍ଜାତିକ ଚେତନାର ଦ୍ୟୋତକ ମନେକରି ଶ୍ରୀଜଗନ୍ନାଥଙ୍କୁ ମାନବତାବାଦ ଓ ଜାତୀୟ ସଂହତିର ଆଧାର କରି ନିଜ କାବ୍ୟାଦର୍ଶକୁ ଗଢ଼ିଛନ୍ତି । ସେମାନଙ୍କ ଦୃଷ୍ଟିରେ ଜଗତର ହିତ ପାଇଁ ବ୍ୟକ୍ତି ନିଜକୁ ଉତ୍ସର୍ଗ କରିବାର ପରମ୍ପରା ହିଁ ଆମର ପାରମ୍ପରିକ ମୂଲ୍ୟବୋଧ । ଆଧ୍ୟାତ୍ମିକ ଚେତନା କଦାପି ଧର୍ମୀୟ ଅର୍ଗଳି ଭିତରେ ଶ୍ଵାସରୁଦ୍ଧ ହେବାପାଇଁ ନୁହେଁ ।

ନିଜ ସ୍ଵାର୍ଥ ଲାଗି ଜାତ ନୁହେଁ ହିନ୍ଦୁ

ବିଶ୍ଵ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ

(ଗୋପବନ୍ଧୁ)

କିମ୍ବା

ଏକର ବିନାଶେ ଅନେକ ପ୍ରକାଶେ

ବିଶ୍ଵର ଏ ନିତ୍ୟ ବିଧି

ଏକ ଯାଏ କ୍ଷୟ ଅନେକ ଉଦୟ

ଅନେକ ଏକର ସିଦ୍ଧି

(ଧର୍ମପଦ, ଗୋପବନ୍ଧୁ)

 

ଏ ବିକାଶ ସୃଷ୍ଟିର ଧର୍ମ । ବିନାଶରେ ବିକାଶଧାରା ଅଟକି ଯାଇ ନାହିଁ । ମାତ୍ର ପ୍ରଗତିବାଦୀ କବିମାନେ ଏହାକୁ ଅବଲମ୍ଵନ କରି ଆଦିମ ସାମ୍ୟସମାଜର କୁଟୁମ୍ଵତାବୋଧ କିପରି ଭାଙ୍ଗିଯାଇ ଏକ ବିଛିନ୍ନତାବୋଧର ନିଃସଙ୍ଗତା ଭିତରକୁ ବ୍ୟକ୍ତି ଗତି କରୁଅଛି ତା’ର ବାସ୍ତବତାକୁ କବିତାରେ ଚିତ୍ରଣ କରିଛନ୍ତି ।

 

ମରିଛି ଟ୍ରାଇବ୍‍, ମରିଅଛି ସଂଘ

ଲିଭିଅଛି କ୍ଷୟିଷ୍ଣୁ ଦେହର ତତ୍ତ୍ଵ

ତେଣୁ ବଜ୍ରସତ୍ଵ ଭୈରବରୁ

ନୂତନ ମୈତ୍ରୟେ ହୁଅ ପରିଣତ

ବିରାଟ ଏ ମଣିଷ ଜୀବନ

ତା’ର କ୍ଷେତ୍ର କି ବିଚିତ୍ର

ମୁକ୍ତ ଏ ସମାଜ (ଶ୍ରୀଗୁଣ୍ଡିଚା)

 

ଶ୍ରୀଜଗନ୍ନାଥଙ୍କୁ ନେଇ ଜାତି, ଅଜାତି, ଆର୍ଯ୍ୟ ଅନାର୍ଯ୍ୟର ଭେଦ ବିଚାର ଆମ ଐତିହ୍ୟରୁ ଲୋପ ପାଇଅଛି । ଲକ୍ଷ୍ମୀପୁରାଣ ଓ ଦେଉଳ ତୋଳା ଏହାର ପ୍ରମାଣ । ସେ ପ୍ରମାଣ ରହିଛି ମହାପ୍ରସାଦରେ, ନବ କଳେବରର ରୀତିନୀତିରେ । ସେ ପରମ୍ପରାର ପୁନର୍ଗଠନ କରାଯାଇଅଛି ବହୁ କବିତାରେ । ପ୍ରତ୍ୟେକ କବି କିଛି ନା କିଛି ଶ୍ରୀଜଗନ୍ନାଥଙ୍କୁ ନେଇ ଲେଖିଛନ୍ତି । ଏହି ଚେତନାରେ ଥିବା ଚିରନ୍ତନତା ଓ ତାହାର ତାତ୍କାଳିନ ମୂଲ୍ୟ ଉଭୟ ରୂପ ପାଇଛି ଆଧୁନିକ କବିତାରେ ।

 

ମତେ ଲାଗେ ବେଳେବେଳେ

ସମୟ ତ ଗତିହୀନ

ଗର୍ଭଗୃହ ସମାଧିର ଅନ୍ଧାରରେ

ସେ ଦୃଷ୍ଟିର ଅନନ୍ତ ସୀମାରେ

(ଶ୍ରୀଜଗନ୍ନାଥ ସ୍ଵାମୀ – ଗୁରୁପ୍ରସାଦ ମହାନ୍ତି)

 

ପାଶ୍ଚାତ୍ୟ ଚିନ୍ତା ଚେତନାରେ ଓ ତାର ଆଂଗିକ ପ୍ରୟୋଗରେ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ କେବଳ ପରମ୍ପରାବାଦୀଙ୍କ ଅନୁଧ୍ୟାନର ବିଷୟ ମନେକରି ବହୁଳ ଭାବେ ପ୍ରତିକ୍ରିୟା ପ୍ରକାଶ ପାଏ । କିନ୍ତୁ ସେ ଅବବୋଧକୁ ଭାଙ୍ଗିବାରେ ପ୍ରଥମେ ଅନାମ ଗୋଷ୍ଠୀର ଆନ୍ଦୋଳନକୁ ବହୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି । ପରମ୍ପରା, ପରିସ୍ଥିତି, ପରିବର୍ତ୍ତନ, ପ୍ରଗତି ଓ ପ୍ରତିବାଦର ସ୍ଵରରେ ଏ ଚେତନାର ବହୁମୁଖୀ ଇଂଗିତ ପ୍ରକାଶ ପାଇଥିଲା । କୁମାର ମହାନ୍ତି, ଫନୀ ମହାନ୍ତି, ପ୍ରଫୁଲ୍ଲ ତ୍ରିପାଠୀ, ନେତ୍ରାନନ୍ଦ ସାମନ୍ତରାୟ, ଚିତ୍ରଲେଖା ରଥ, କୈଳାସ ଚନ୍ଦ୍ର ଟିକାଏତ୍ ରାୟ ଓ ଭଗବାନ ଜୟସିଂ ଓ ବହୁ ସତୀର୍ଥଙ୍କ କବିତାରେ । ଗୋକୁଳି ମହାନ୍ତିଙ୍କ ଭାଷାରେ- “ଏଭଳି ଦୁଃସହ ଆତ୍ମିକ ସ୍ଥିତିରେ ମାନବଚେତନାର ଆତ୍ମଦାହନରୁ ତଥା ଅସଂଖ୍ୟ ଜୀବନଙ୍କ ସଜ୍ଞାନ ଆତ୍ମାହୁତିରୁ ଜନ୍ମ ନିଏ ସେହି ତ୍ରାଣକର୍ତ୍ତା ମହାମାନବ, କେତେବେଳେ ବାମନ ବା ହଳଧର ଅବା ବୁଦ୍ଧ ରୂପରେ ତ କେତେବେଳେ ନରସିଂହ ବା ‘କଳକୀ’ ଚିତ୍ରରେ, ପୁଣି ସେହି ମୂଳସୂତ୍ର ବିଶିଷ୍ଟ ଜନମାନସ ଚେତନାର ମେରୁଖୁଣ୍ଟିକୁ ପ୍ରତିଷ୍ଠା କରିଯିବାକୁ । କିନ୍ତୁ ତା’ ପୂର୍ବରୁ ଆତ୍ମଦହନର ଚିତାଗ୍ନିରେ ଧୂମାଳ ଜ୍ଵାଳାମୟୀ ପ୍ରତିବାଦର ବାୟୁ ସୃଷ୍ଟି ହୋଇଥାଏ । ବହୁ ଚେତନାବନ୍ତ କ୍ଷୁଦ୍ର-ଜୀବଙ୍କର କାୟିକ ନିର୍ବାପନ ବା ସେଲଫ ଇମୋଲେସନ୍‍ରେ । ଏ ଆତ୍ମବୋଧ ଯଜ୍ଞରେ ପ୍ରଥମ ବଳି ପଡ଼େ ଯେପରି ଜୀବର ଅହଂତ୍ଵର ପ୍ରତୀକ, ନାମ, ଆକାର (ମୁଖବନ୍ଧ, ଅନାମ ଅଣାକାର) ଏହି ଉତ୍ସର୍ଗର ପରମ୍ପରାରେ ଭୀମଭୋଇଙ୍କ ଠାରୁ ସତ୍ୟବାଦୀ କାବ୍ୟ ପରମ୍ପରାର ବିକାଶଧର୍ମୀ ଭାବନା ଅନାମଙ୍କ କାବ୍ୟ ପରମ୍ପରା । ଏପରିକି ଷୋଢ଼ଶ ଶତାବ୍ଦୀ ପଞ୍ଚସଖାଙ୍କ କାବ୍ୟଚେତନାର ପୁନର୍ଗଠନ ଅନାମ କବିତାର ଆଂଗିକ ପରିସରକୁ ଆସି ‘କଳକୀ’ ମିଥ୍‍ର ବ୍ୟାପ୍ତିବୋଧରେ ବିଲୀନ ହୋଇଗଲା । ଅତିବଡ଼ୀଙ୍କ ଏକ ଉକ୍ତି ଥିଲା-

 

ପ୍ରାଣୀଙ୍କ କ୍ଲେଶ ବୀଜ ଯେତେ

ପ୍ରକାଶ ହୋଇ ଯାର ଚିତ୍ତେ

ଯା ବାକ୍ୟ ଭେଦେ ବିମୋଚନ

ତାହାକୁ ବୋଲି ସାଧୁଜନ (ଭଗବତ)

 

ଯିଏ କବିତାର ସାଧନା କରିବ, ତାହାର ଚେତନାରେ କରୁଣାର ସାଗର ତରଙ୍ଗାୟିତ ହେଉଥିବ ଏବଂ ସେ ନିର୍ଭୟରେ ପ୍ରତିବାଦର ନିଷ୍ଠାପର ସ୍ଵର ଉତ୍ତୋଳନ କରିପାରୁଥିବ, ପ୍ରତିବଦଳରେ କାହାରିଠୁ କିଛି ପ୍ରତ୍ୟାଶା ନ କରି । ତା’ କବିତାର ପ୍ରତିଟି ପଙ୍‍କ୍ତିର ଗ୍ରନ୍ଥିମୋଚନ କଲେ ‘ସାଧୁଭାବ’ ବିମୁକ୍ତ ହେଉଥିବ । ଏହି ବୀଜମନ୍ତ୍ର ଥିଲା ଅନାମମାନଙ୍କର । ସେମାନେ ଅଗଣିତ ଜନସମୂହ । ଅନ୍ଧାରରୁ ଆଲୋକକୁ ବନ୍ଦନା କରିବା ପାଇଁ ଆସନ୍ତି ମହାମାନବର ସାଗର ତୀରକୁ, ଚନ୍ଦ୍ରଭାଗାକୁ ।

 

ସେହି ମୁହୂର୍ତ୍ତରେ ପରମ୍ପରାକୁ ଭାଙ୍ଗିବାକୁ ହୁଏ । ବ୍ୟକ୍ତି ସ୍ଵତନ୍ତ୍ର ଓ ମୈତ୍ରୀର ମର୍ଯ୍ୟାଦା ଭିତରେ ସୌଷମ୍ୟ ରଖିବାକୁ ଯାଇ- ବ୍ରହ୍ମୋତ୍ରୀ ମହାନ୍ତିଙ୍କ ‘ସ୍ତବକ’ ଓ ଅଗଣିତ କବିତାରେ ଆତ୍ମବୋଧ ତଥା ଆତ୍ମସାକ୍ଷାତର ଚିତ୍ର ଅତିବ୍ୟକ୍ତିକ ସ୍ତରରେ ପ୍ରକାଶ ପାଏ । ସେହିଭଳି ବଂଶୀଧର ଷଢ଼ଙ୍ଗୀଙ୍କ ଛାୟାଦର୍ଶନ ଓ ସ୍ଵରୋଦୟ, ପ୍ରମୋଦ ମହାନ୍ତିଙ୍କ ଅସରନ୍ତି ଅଣସର, ଚିତ୍ରପେଡ଼ି, ବଳରାମ ଦାସଙ୍କ ଅଦୃଶ୍ୟ ଅଭିସାର ଏବଂ ଅମରେଶ ପଟ୍ଟନାୟକଙ୍କ ଅନେକ କବିତାରେ ଏହି ସମର୍ପଣ ଭାବ ପରିଦୃଷ୍ଟ ହୁଏ । ଜଗତ ଭିତରେ ଜଗନ୍ନାଥ ଓ ଜଗନ୍ନାଥ ଭିତରେ ଜଗତକୁ ଲେଖି ସାମ୍ୟବାଦୀ ଗୁରୁଚରଣ ପଟ୍ଟନାୟକ କବି ଅନନ୍ତ ପଟ୍ଟନାୟକଙ୍କର ଋଣସ୍ଵୀକାର କରିଛନ୍ତି ।

 

ବିଶ୍ଵ ଭିତରେ ବ୍ୟକ୍ତି ଓ ବ୍ୟକ୍ତି ଭିତରେ ବିଶ୍ଵ ଦେଖିବାର ବୌଦ୍ଧିକ ରୀତିରେ ଶ୍ରୀଜଗନ୍ନାଥଚେତନା ଆଧୁନିକ କବିତାକୁ ଦେଇଛି ଏକ ଆଭିମୁଖ୍ୟ ଓ ଦାର୍ଶନିକ ଦୃଷ୍ଟି । ଜଣ ଓ ଗଣ ଭିତରେ ଯଥାର୍ଥରେ ସଂସ୍କୃତି ଏକ ସେତୁସ୍ଵରୂପ କାର୍ଯ୍ୟ କରିଥାଏ ।

 

ମୁଁ ଗାଇ ଚାଲିଛି ଖୁସିରେ ସେ ଗୀତ

ଯାହାକୁ ଗାଏ ରାସ୍ତାରେ ବାଟ ଚାଲିଲା ବେଳେ ଓଡ଼ିଆ

ଗାଏ ଅର୍ଘ୍ୟ ଟେକିଲାବେଳେ ଆକାଶକୁ

ଆଖିରୁ ଜ୍ୟୋତି ଲିଭିଲା ପରେ

ଯାହାକୁ ଗାଏ ଅନ୍ଧ ଓଡ଼ିଆ

କ୍ଷଣକର ଏ ସର୍ବସ୍ଵ ମୋର

ଉତ୍ତରାଧିକାର ଦର୍ଶନ ମୋର ଅନ୍ଧ ପଣର ।

(ଗର୍ଭଗୃହର କବି ହରପ୍ରସାଦ ଦାସ)

 

ଜଗନ୍ନାଥ ଅପୂର୍ଣ୍ଣ କିନ୍ତୁ ପୂର୍ଣ୍ଣତା ପାଇଁ ପଥ ପରିଷ୍କାର କରିଛନ୍ତି । ନାନାଦି ବେଶରେ ତାଙ୍କର ଲୀଳା ବୈଚିତ୍ର୍ୟ । ଯାହା ଭିତରେ ଥାଏ ଶୁଦ୍ଧ ନାନ୍ଦନିକତା ଏବଂ ନିଃସର୍ଗର ଅତୁଳନୀୟ ସୌନ୍ଦର୍ଯ୍ୟ । ଏହି ସୌନ୍ଦର୍ଯ୍ୟର ଦର୍ଶନ ସୁଖ କୋଟି କୋଟି ଦର୍ଶନାର୍ଥୀଙ୍କୁ ଦିଏ ପୂର୍ଣ୍ଣତାର ପରିଚୟ । କବି ମନୋଜ ଦାସଙ୍କ ମନୋଜ୍ଞ କବିତାରେ ଇନ୍ଦ୍ରଦ୍ୟୁମ୍ନ, ବିଶ୍ଵାବସୁ, ଲଳିତା, ବିଦ୍ୟାପତି, ମାଣିକ ଆତ୍ମପ୍ରକାଶ କରିଛନ୍ତି ସାମ୍ପ୍ରତିକ ଯୁଗର ଜିଜ୍ଞାସାକୁ ନେଇ । ସ୍ଵର୍ଗକୁ ଆରୋହଣ କରିବା ଏ ପୂର୍ଣ୍ଣତା ଲାଭର ଚାବିକାଠି ନୁହେଁ; ବରଂ ଏଠାରେ ରହିଛି ଆତ୍ମା ମଧ୍ୟକୁ ଆରୋହଣ ଓ ଆତ୍ମାକୁ ତା’ର ସ୍ଵାଭାବିକ ମନୁଷ୍ୟତ୍ଵ ମଧ୍ୟକୁ ଅବତରଣ କରାଇବାର ପ୍ରକ୍ରିୟା । ତେଣୁ ପାର୍ଥିବ ପ୍ରକୃତିର ରୁପାନ୍ତର ହିଁ ଏହାର ଚାବିକାଠି ।

 

ଆଜିର ଉଷାକାଳେ ତମରି ନିର୍ଘୋଷେ

ଶୁଣିଲି ମୁଁ ବ୍ୟାଖ୍ୟା ତା’ର ନିର୍ଜନ ନିମିଷେ

ଯେଉଁ ଦ୍ରୁମ ଧରିତ୍ରୀରେ ଚେତନାର

ଆଦିମ ବିଭୁତି

ତହିଁ ମୂର୍ତି କିନ୍ତୁ ଗୁପ୍ତ ଭବିଷ୍ୟର

ଦିବ୍ୟ ପ୍ରତିଶୃତି ।

(ପ୍ରଭାତ- ଭାସମାନ ଦାରୁ ; ମନୋଜ ଦାସଙ୍କ କବିତା )

 

ମନୋଜ ଦାସଙ୍କ ଏହି ଚେତନାର ନବ ନିର୍ମାଣ ଯଦି ଆଧୁନିକତା, ତେବେ ଶରୀରଭେଦ ଠାରୁ ଆରମ୍ଭ କରି ଶୁଦ୍ଧ ନିଃସର୍ଗ ଯାଏଁ ବ୍ୟାପିଥିବା ଆମର ଚେତନା ବାରମ୍ବାର ନିର୍ମିତ ହୋଇଛି । ସୂକ୍ଷ୍ମରୁ ସୂକ୍ଷ୍ମତର ହୋଇଛି । ତାହାହିଁ କବିତାରେ ଆଧୁନିକତା ।

 

ମିଥ୍ ଯଦି ସେ ରୂପକଥା, ପୌରାଣିକ ତଥା ବୌଦ୍ଧିକ ଅନୁଭୂତି ସୃଜି ପାଠକର ସମସାମୟିକ ଅବରୋଧ ସହିତ ସାଦୃଶ୍ୟ ରଚନା କରିପାରେ, ତେବେ ମିଥ୍ ଓ ବିମ୍ବ ଭିତରେ ବ୍ୟବଧାନ ରହିଲା କେଉଁଠି ? ଶ୍ରୀଜଗନ୍ନାଥଚେତନାକୁ ନେଇ ମିଥ୍‍ର ବହୁଳ ପ୍ରୟୋଗ ଓ ବିମ୍ବବହୁଳତା ଭିନ୍ନ ଭିନ୍ନ ବହୁ ସ୍ତରୀୟ ଅବତଳରେ ଅଭିବ୍ୟଞ୍ଜିତ ହେଉଛି । ରୂପ ରସ ଗନ୍ଧ ସ୍ପର୍ଶର ଭିତ୍ତିଭୂମି ଉପରେ ନିଜେ ସେ ଚେତନାର ରୂପକାର କବିର ଅଧ୍ୟାତ୍ମବୋଧରେ ତାଦାତ୍ମରେ । ଆଧୁନିକତାର ଦୁଇଟି ମୁଖ୍ୟ ବିଭାବ ବିମ୍ବ ଯୋଜନା ଓ ମିଥ୍ ନିର୍ମାଣ ଭିତରେ ଯେଉଁ ପାର୍ଥକ୍ୟ ତାକୁ କବିମାନେ ବୁଝି ବୁଝାଇବା ଆବଶ୍ୟକ । ପ୍ରତୀକ ଓ ଆଦିରୂପ (ଆର୍କିଟାଇପ୍) ମଧ୍ୟ ଶ୍ରୀଜଗନ୍ନାଥଚେତନାର ରୂପାୟନରେ ପ୍ରମୁଖ ଉପାଦାନ । ବିମ୍ବ ବ୍ୟକ୍ତିର ଦୃଷ୍ଟିଭଙ୍ଗୀକୁ ପ୍ରକାଶ କରେ । ମିଥ୍ ଜାତିର ଦୃଷ୍ଟିକୁ ନେଇ ଗଢ଼ା ହୁଏ । ମିଥ୍‍ର ପ୍ରାଥମିକ, ସ୍ତରରେ ବିମ୍ବର ସ୍ଵଚ୍ଛତା ଥାଏ । କିନ୍ତୁ ଧାର୍ମିକ ସମ୍ପର୍କ ଯୋଗୁଁ ଏହା ଜଟିଳ ହେବା ସ୍ଵାଭାବିକ । ବିମ୍ଵ ଏକ ବ୍ୟବସ୍ଥିତ ସୃଜନ । ମିଥ୍‍ରେ କିଛି ଅବ୍ୟବସ୍ଥା ଥାଏ । କିନ୍ତୁ ମିଥ୍ ସ୍ଵତଃସ୍ଫୁର୍ତ୍ତ । ଏହା ସ୍ରଷ୍ଟା ମାନସର ପ୍ରସ୍ତୁତ ଉଦ୍ଦୀପନା ଭିତରେ ଥାଏ । ଅଚେତନ, ଅବଚେତନରୁ ଚେତନ ସ୍ତରକୁ ଆସିବା ଭିତରେ ବିମ୍ଵର ଲୌକିକତା କ୍ରମେ ମିଥ୍‍ର ଅଲୌକିକ ଅନୁଭବ ଭିତରେ ହଜିଯାଏ । ବିମ୍ଵ ବିଶୁଦ୍ଧ ଆନନ୍ଦ ପ୍ରଦାନ କରିଥାଏ । ମିଥ୍‍ରେ ନାନାଦି ଜିଜ୍ଞାସା ଓ ଆଶ୍ଚର୍ଯ୍ୟଜନକ ସମସ୍ୟାର ସମାଧାନ ଆମକୁ ପ୍ରଶ୍ନାକୁଳ କରିଥାଏ । ତେଣୁ ସମଗ୍ର ଅଧ୍ୟାତ୍ମର ଧାର୍ମିକ ପୃଷ୍ଠଭୂମିକୁ ଧ୍ଵଂସ କରି କବି ସଦାଶିବ ଦାଶ ଲେଖନ୍ତି-

 

ସେମାନଙ୍କୁ ହତ୍ୟା କରିବାକୁ ମନସ୍ଥ କଲି

ଫୁଟାଇଲି ଚେତନାର ରିଭଲଭରରୁ ତିନୋଟି ଗୁଳି

ସେମାନେ ତିନୋଟି କାଠଗଡ଼ରେ ପରିଣତ ହୋଇଗଲେ

ସେମାନଙ୍କୁ ସମୁଦ୍ର ପାଣିକୁ ଠେଲି ଦେଲି

ଅମିତ ଶାନ୍ତିରେ ନିଃଶ୍ଵାସ ମାରି କହିଲି

ଗୋଟାଏ ଯୁଗ ଶେଷ ହୋଇଗଲା ।

(ଜରାର ସଙ୍ଗୀତ : ସୋରିଷ ଫୁଲର ହସ)

 

କବି ଉମାକାନ୍ତ ମହାପାତ୍ରଙ୍କ ବହୁ କବିତାରେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ଭାବବିଳାସ ବହୁଳ ଭାବେ ପ୍ରସାରିତ । ‘କାୟାକଳ୍ପ’ ଏକ ଆଧୁନିକ ମୋହମୁଦ୍‍ଗର । ଗୀତାଞ୍ଜଳି ପଣ୍ଡାଙ୍କ ‘ଶିଆଳି ଲଟାର ଦୋଳି’ରେ ଏ ସବୁର ମନୋଜ୍ଞ ସମନ୍ଵୟ ଘଟିଛି ।

 

ଅଦେହୀ ଯେଉଁଠି ଦେହ ବଦଳାଏ

ଅନାମକୁ ମିଳେ ନାମ

କୋଇଲି ବୈକୁଣ୍ଠ ଧାମ

ମହାକାଳ ସର୍ପ ନିଜକୁ ଗିଳୁଛି

ଜୀବକୁ ଗ୍ରାସୁଛି ଭୟ

ଅମୃତମୟ ନିଜେ କରୁଅଛି

ମରଣର ଅଭିନୟ ।

 

୨୦୧୫ରେ ଯୋଡ଼ା ଆଷାଢ଼ ପଡ଼ିବ । ମହାପ୍ରଭୁ ନବ କଳେବର ନେବେ । ଅଣସରରେ ଶରୀରର ନିର୍ମାଣ ମହାଅଣସରରେ ଶରୀର ସହିତ ଘଟର ପରିବର୍ତ୍ତନ ଘଟିବ । ତାଙ୍କର ମୃତ୍ୟୁ ଅଛି । ଅଛି ବି ପୁନର୍ଜୀବନ । କିନ୍ତୁ ସେ ଚିରଯୌବନର ଓ ଚିରବସନ୍ତର କୋକିଳ । ସେ ଯେମିତି ଏକରୁ ଚତୁର୍ଦ୍ଧା । ସେପରି ଏକରୁ ଅନେକ ଓ ଅନେକରୁ ଏକ ।

 

ଆମ ଭାଗ୍ୟର ଦଧିନଉତିରେ

ଝୁଲୁଥୁବ ଏକ ଲୟ

ପତାକା ତା ବରାଭୟ ନବ ଯୌବନର

ସେହି ପ୍ରେମ ଖୋଲିଦେବ

ସ୍ଵପ୍ନ ନୁହେଁ ସତ୍ୟର ସ୍ଵର୍ଗଦ୍ଵାର

ଆମରି ନୀରବତାରେ

ଗଢ଼ା ଯେତେ ଲୁହାର ଦୁଆର ।

(ସନ୍ଧ୍ୟା ଦର୍ଶନ, ହରିହର ମିଶ୍ର)

 

ଏଇଠି ଶବ୍ଦକୁ ବିରାମ ଦେଉଛି ।

 

ମାର୍କଣ୍ଡେଶ୍ୱର ସାହି, ପୁରୀ

ଫୋନ୍‍ : ୯୪୩୮୫୩୨୦୫୫

 

***

 

କବି ଲେଖନୀରେ ଶ୍ରୀଜଗନ୍ନାଥ

ମନମୋହନ ଆଚାର୍ଯ୍ୟ

 

ପ୍ରତ୍ୟେକ ଓଡ଼ିଆର ସ୍ପନ୍ଦନ ଶ୍ରୀଜଗନ୍ନାଥ । ସକଳ ବିଶ୍ଵର ନିୟନ୍ତା, ଆଦି ଅନ୍ତର୍ବିହୀନ, ସତ୍‍ଚିତ୍ ଆନନ୍ଦର ସ୍ଵରୂପ, ସର୍ବତ୍ର ବିଦ୍ୟମାନ, ବ୍ୟକ୍ତ, ଅବ୍ୟକ୍ତ, ଚିନ୍ମୟ, ମୃଣ୍ମୟ, ଦିବ୍ୟ, ଅଦିବ୍ୟ, ଶ୍ରୀ ଜଗନ୍ନାଥ । ସେ ନିର୍ଗୁଣ, ସଗୁଣ, ନିରାକାର ପରବ୍ରହ୍ମ । ସମସ୍ତ ଜାତି ଧର୍ମ ସମ୍ପ୍ରଦାୟର ସମନ୍ଵୟ । ସାମ୍ୟ, ମୈତ୍ରିୀ ବିଶ୍ଵପ୍ରୀତିର ପ୍ରତୀକ ସେ କାଳିଆ ଠାକୁର । ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ, ବୌଦ୍ଧ, ଜୈନ, ଆର୍ଯ୍ୟ, ଅନାର୍ଯ୍ୟର ଦେବତା । ସେ ଶଙ୍କାରାଚାର୍ଯ୍ୟଙ୍କର ଶ୍ରୀ ଜଗନ୍ନାଥ, ରାମାନୁଜଙ୍କର ଶ୍ରୀରାମ, ପ୍ରହ୍ଲାଦଙ୍କ ନୃସିଂହ, ଶ୍ରୀ ଚୈତନ୍ୟଙ୍କ ଶ୍ରୀକୃଷ୍ଣ, ଗଣପତି ଭଟ୍ଟଙ୍କର ଗଣେଶ. ସେ ଅନାଦି ଅନନ୍ତ ନାରାୟଣ ।

 

ଆଦିକବି ସାରଳାଦାସ ‘ମୂଷଳୀପର୍ବ’ରେ ଜାରାଶବରର ଶବରୀ-ନାରାୟଣ ପୂଜା ପ୍ରସଙ୍ଗ ବର୍ଣ୍ଣନା କଲାବେଳେ, ଜାରାଶବର ଶ୍ରୀକୃଷ୍ଣଙ୍କୁ ପିଣ୍ଡଦାନ କରିବା ସମୟରେ ଭଗବାନ କହିଛନ୍ତି

 

ବୋଇଲେ ମାଧବ ତାକୁ ଶୁଣରେ କିରାତ

ମୁହିଁ ଯେ ଅନାଦି ନାଥ ସ୍ଵରୂପ ଏମନ୍ତ

କଳିକାଳ ଜାଣି ମୁହିଁ ହୋଇଅଛି ଗୋପ୍ୟ

ଏଠାରେ ହୋଇବି ମୁହିଁ ପାଷାଣ ସ୍ଵରୂପ ।

 

ବାସ୍ତବରେ ଭଗବାନ ଅନାଦି ଆଦିର ସମ୍ମିଶ୍ରଣ ।

ଈଶ୍ଵରଃ ପରମକୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହଃ

ଆଦି ଅନାଦି ଗୋବିନ୍ଦଃ ସର୍ବକାରଣକାରଣମ୍ ।

(ଭାଗବତ)

 

ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଉକ୍ତିରେ:

ଆଦି ଅନାଦି କାରଣ ସଗୁଣ ନିର୍ଗୁଣ

ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ।

 

ହସ୍ତ ପଦଶୂନ୍ୟ ଠାକୁର ସେ । ସେ ଆଶିର୍ବାଦ ଦେଲେ ସକଳ ଦୁଃଖରୁ ମୁକ୍ତି ମିଳେ । ଆଶିର୍ବାଦ ନ ମିଳିଲେ ତାଙ୍କୁ ଦୋଶ ଦେଇ ହୁଏ ନାହିଁ । କାରଣ ସେ ହସ୍ତପଦ ଶୂନ୍ୟ ।

 

ଅପାଣି ପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟଚକ୍ଷୁ ଶୃଣୋତ୍ୟକର୍ଣ୍ଣଃ

(ଶ୍ଵେତାଶ୍ଵତର ଉପନିଷଦ)

 

ଗୋସ୍ଵାମୀ ତୁଳସୀ ଦାସଙ୍କ ଶ୍ରୀରାମ ହିଁ ଶ୍ରୀଜଗନ୍ନାଥ । ତେଣୁ ତାଙ୍କୁ ହସ୍ତପଦ ନାସା, ମୁଖ ରହିତ ଭାବରେ କବି ବର୍ଣ୍ଣନା କରିଛନ୍ତି :

 

ବିନୁ ପଦ ଚଲଇ ଶୂନଇ ବିନୁ କାନା

କର ବିନୁ କରମ କରଇ ବିଧିନାନା

ଆନନ ରହିତ ସକଲ ରସ ଭୋଗୀ

ବିନୁ ବାନୀ ବଳତା ବଡ଼ ଯୋଗୀ

ତନ ବିନୁ ପରଶ ନୟନ ବିନୁ ଦେଖା

ଗ୍ରାହଇ ଘ୍ରାନ ବିନୁ ବାସ ଅଶେଷା ।

 

ସାରଳାଦାସ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ନିର୍ଗୁଣ ଅଙ୍ଗରହିତ ଭାବରେ ବର୍ଣ୍ଣନା କରିଛନ୍ତି :

 

କଳିକାଳ ଲୋକଙ୍କ ଅନୀତି ଭାବ ଜାଣି

ତେଣୁ ପାଦ ପାଣି ନ ବହିଲେ ଚକ୍ରପାଣି

ନାସା ଶ୍ରବଣ ଯେ ଅଧର ସହିତେ

ଲୁଚାଇଣ ମଉନେ ରହିଲେ ଜଗନ୍ନାଥେ ।

 

ଅନିତ୍ୟ ସଂସାରରେ ତାଙ୍କର ବିଚିତ୍ର ଲୀଳା ସନ୍ଧାନ କରିବା ଅସମ୍ଭବ । ତାଙ୍କର ମହିମା ଉତ୍କଳରେ ସୀମିତ ନୁହେଁ । ପରନ୍ତୁ ବିଶ୍ଵବ୍ୟାପୀ । ସେ ବ୍ରହ୍ମାଣ୍ଡର ଠାକୁର, ବିଶ୍ଵନିୟନ୍ତା ଗଣଦେବତା, ସାମାଜିକ ଚେତନାର ଉତ୍ସ, କବି ପୁରୁଷୋତ୍ତମ ଦାସ (୭ମ ଶତାବ୍ଦୀ) ଙ୍କର ସେ ରାଧା-ଦାମୋଦର-। ତାଙ୍କର ପ୍ରସାଦ ମହାପ୍ରସାଦ । ତାଙ୍କର ନିର୍ମାଲ୍ୟ ପ୍ରତିଭକ୍ତିର ପ୍ରାତଃ ପ୍ରସାଦ ।

 

ସର୍ବେଷାଂ ସର୍ବଧର୍ମାଣାଂ ରାଜା ଶ୍ରୀପୁରୁଷୋତ୍ତମଃ (ନୀଳାଦ୍ରୀ ମହୋଦୟ)

 

ସେ ପଦ୍ମାବତୀଙ୍କ ନୃତ୍ୟରେ ପୁଲକିତ ହୁଅନ୍ତି । ଗୀତଗୋବିନ୍ଦ ଶୁଣି ନିଦ୍ରା ଯାଆନ୍ତି । ଏ ଜାତିର ସ୍ଵାଭିମାନ ରକ୍ଷା କରିବା ପାଇଁ ଯୁଦ୍ଧକୁ ଯାଆନ୍ତି । ସେ ଅଚିନ୍ତନୀୟ, ଅକଳ୍ପନୀୟ, ପୂର୍ଣ୍ଣବ୍ରହ୍ମ ଦାରୁଦେବତା ।

 

ଭକ୍ତକବି ବଳରାମ ଦାସ ଥିଲେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ମା’ ଲକ୍ଷ୍ମୀଙ୍କର ପ୍ରିୟ ପୁତ୍ର । ପଞ୍ଚସଖା ଯୁଗୀୟ ପ୍ରତ୍ୟେକ କବି ଶ୍ରୀଜଗନ୍ନାଥଙ୍କ ମହିମା ଗାନ କରିବା ପରି ଅଗ୍ରଜ ବଳରାମ ଦାସ ‘ଦାଣ୍ଡୀ ରାମାୟଣ’ର ପ୍ରତ୍ୟେକ କାଣ୍ଡର ଶେଷ ଓ ଆଦ୍ୟରେ ଲେଖିଛନ୍ତି ଯେ ସେ ଜଗନ୍ନାଥଙ୍କ ଆଜ୍ଞାରେ ହିଁ ରାମାୟଣ ରଚନା କରିଛନ୍ତି । ସେ ଜଗନ୍ନାଥଙ୍କୁ ସଖା ସାଦର ପିତାମାତା ରୂପେ ବର୍ଣ୍ଣନା କରିଛନ୍ତି । କବି ଲଙ୍କାକାଣ୍ଡରେ ଲେଖିଛନ୍ତି :

 

ମୁହିଁ ବଳରାମ ଦାସ ନାମକୁ ବହଇ

ନୀଳଗିରି ଜଗନ୍ନାଥ ମୋହର ଗୋସାଇଁ ।

ଜଗନ୍ନାଥ ନାମ ବିନୁ ଆନେ ନାହିଁ ଇଚ୍ଛା

ନୀଳଗିରି ନାଥ ମୋର ପୁରା ମନୋବାଞ୍ଛା-

ଜଗନ୍ନାଥ ଚାହିଁକି ଦେଖିବେ ଜଗନ୍ନାଥ

ଜଗନ୍ନାଥ ଛାମୁରେ ଯୋଡ଼ିବି ବେନିହସ୍ତ ।

ଜଗନ୍ନାଥ ବୋଲି ଜଗନ୍ନାଥ ସ୍ମରଣିବି

ଜଗନ୍ନାଥ ଜଗନ୍ନାଥ ବୋଲିଣ ମରିବି ।

ଜଗନ୍ନାଥ ଚରଣେ ମୁଁ ହୋଇବଇଁ ଲୀନ

ଜଗନ୍ନାଥଙ୍କୁ ଘେନିଣ ବଞ୍ଚିବଇଁ ଦୀନ ।

ଜଗନ୍ନାଥ ସୋଦର ମୋ ଜଗନ୍ନାଥ ସଖା

ଜଗନ୍ନାଥ ଠାକୁର ମୋ ପ୍ରାଣବନ୍ଧୁ ଏକା ।

 

ଇଷ୍ଟପ୍ରାଣ ବଳରାମ ଦାସଙ୍କର ଭକ୍ତିପୂର୍ଣ୍ଣ ସମର୍ପିତ ମନୋଭାବ ତାଙ୍କ ସୃଷ୍ଟିର ପ୍ରତିପୃଷ୍ଠାରେ ଦୃଷ୍ଟ ହୁଏ । ବାସ୍ତବରେ କବି ହୃଦୟର ଏହା ଭାବର ଉଚ୍ଛ୍ଵାସ । କବି ଜୀବର ଅନ୍ୟ ଏକ ଘଟଣା ଘଟିଛି ଶ୍ରୀ ଗୁଣ୍ଡିଚା ତିଥିରେ ରଥଯାତ୍ରା ସମୟରେ । ଯେଉଁ ସେବକମାନେ ସର୍ବଦା ବଳରାମଙ୍କୁ “ତୁ ସୋମନାଥ ଶୂଦ୍ରସୂତ,ତୁ କହୁ ବେଦାନ୍ତ ରଚିତ” ବୋଲି ସର୍ବଦା ହେୟ ଜ୍ଞାନ କରି ନିଜେ ଅପଦସ୍ତ ହେଉଥିଲେ ସେହି ସେବକମାନେ ଗୁଣ୍ଡିଚା ରଥଯାତ୍ରାରେ ବଳରାମଙ୍କୁ ରଥ ଉପରକୁ ପ୍ରବେଶ କରାଇ ଦେଇନଥିଲେ । ଅଭିମାନରେ ଫେରିଯାଇ ମହୋଦଧି ବାଲିରେ ବାଲିରଥଟିଏ କରି ଶ୍ରୀଜଗନ୍ନାଥଙ୍କୁ ଅଧିଷ୍ଠିତ କରାଇଲେ । ଅନ୍ତରର ଦୁଃଖକୁ ଜଣାଇଲେ :

 

ନନ୍ଦିଘୋଷ ରଥୁଁ ଦେଲୁ ଘଉଡ଼ି

କେ ଓଟାରିବ ତୋ ରଥ ଦଉଡ଼ି

ନାଥତୁ ମୋତେ ନେଲେ ସିନା ଯିବୁ

ନୋହିଲେ ସେହିଠାରେ ରହିଥିବୁ ।

 

ଭକ୍ତର ନିବେଦନରେ ବଡ଼ଦାଣ୍ଡରେ ନନ୍ଦିଘୋଷ ଅଟକି ଯାଇଥିଲା । ସ୍ଵପ୍ନାଦିଷ୍ଟ ରାଜା ପ୍ରତାପରୁଦ୍ର ଦେବ ବଳରାମଙ୍କ ଶରଣାପନ୍ନ ହୋଇ ନନ୍ଦିଘୋଷକୁ ଆବାହନ କଲେ । ପୁନଶ୍ଚ ନନ୍ଦିଘୋଷ ଗଡ଼ିଚାଲିଲା ବଡ଼ଦାଣ୍ଡରେ । ଅନୁରୂପ ଭାବରେ କବି ବଳରାମ ବିରାଟ ଗୀତା, ବ୍ରହ୍ମାଣ୍ଡ ଭୂଗୋଳ ପ୍ରଭୃତି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କ ମହିମାଗାନ କରିଛନ୍ତି ।

 

ଭକ୍ତକବି ସାଲବେଗଙ୍କର ପ୍ରତ୍ୟେକ ରଚନା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଘରେ ଘରେ ଭକ୍ତକବି ଭାବରେ ପରିଚିତ ସାଲବେଗଙ୍କର ‘ଜଗନ୍ନାଥ ହେ ଗୋସାଇଁ, ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି’ ପଂକ୍ତିଟି ସର୍ବଜନାଦୃତ । ପ୍ରଭୁଙ୍କର ରଥକୁ ଅଧାବାଟରେ ଅଟକାଇ ପାରିଥିବା ଅନ୍ୟତମ ଭକ୍ତ ସାଲଗେବ । ବାସ୍ତବରେ ତାଙ୍କ ଭକ୍ତିଗୀତିର ପ୍ରତିଫଳିତ ହୁଏ :

 

ଏକା ତୋ ଭକତ ଜୀବନ

ଭକତ ନିମନ୍ତେ ତୋର ଶଙ୍ଖଚକ୍ରେ ଚିହ୍ନ

 

ଅତିବଡ଼ୀ ଜଗନ୍ନାଥ ଦାସ ଥିଲେ ପ୍ରଭୁଙ୍କର ପରମ ଭକ୍ତ । ଶ୍ରୀମଦ୍ ଭାଗବତ କବିଙ୍କର ସର୍ବଶ୍ରେଷ୍ଠ କୃତି ଏବଂ ଏହା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ତାଙ୍କ ଦୃଷ୍ଟିରେ ଯିଏ ଜଗନ୍ନାଥ, ସେହିଁ ବିଷ୍ଣୁ, ଶ୍ରୀକୃଷ୍ଣ । କବି ଗାଇଛନ୍ତି :

 

ବନ୍ଦଇ ପ୍ରଭୁ ଜଗନ୍ନାଥ, ଦେବକୀ ଗର୍ଭେ ହେବେ ଜାତ

 

ଭାଗବତର ଦଶମସ୍କନ୍ଦରେ ବହୁବାର କବି ଶ୍ରୀଜଗନ୍ନାଥଙ୍କ ନାମ ଉଚ୍ଚାରଣ କରିଛନ୍ତି । ଭାଗବତରେ ପ୍ରଭୁଙ୍କୁ ନୃସିଂହ ଭାବରେ ଆରାଧନା କରି କବି ଲେଖିଛନ୍ତି :

 

‘ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ

ଲୀଳା ବିଧୃତ କଳେବର, ଦେବମାନବେ ଅଗୋଚର’ ।

 

ସମସ୍ତ ଲୀଳାର ଆଦ୍ୟରେ ଶ୍ରୀଜଗନ୍ନାଥ । ଭକ୍ତକବି ଜୟଦେବ ‘ଗୀତଗୋବିନ୍ଦ’ର ଦଶାବତାରରେ ଶ୍ରୀଜଗନ୍ନାଥଙ୍କୁ ବୁଦ୍ଧାବତାରରେ ଅବତୀର୍ଣ୍ଣ କରି ନିନ୍ଦସି ଯଜ୍ଞବିଧେରହହ ଶ୍ରିତିଜାତଂ, ସଦୟ ହୃଦୟଦର୍ଶିତ ପଶୁଘାତଂ’ ପରି କବି ଜଗନ୍ନାଥ ଦାସ ‘ଗରୁଡ଼ ଗୀତା'ରେ ପ୍ରଭୁଙ୍କୁ ବୁଦ୍ଧ ରୂପେ ଚିତ୍ରଣ କରିଛନ୍ତି :

 

ଶ୍ରୀନୀଳକନ୍ଦରେ ବିଜେ କରିଅଛ ବଉଦ୍ଧ ରୂପ ବହିଛ

ଭକତ ନିମନ୍ତେ ତୁମ୍ଭର ଏସବୁ ଭିଆଣ ପ୍ରଭୁ ଶ୍ରୀବତ୍ସ ।

 

ଭକ୍ତକବି ଅଚ୍ୟୁତାନନ୍ଦ ଦାସ ତାଙ୍କର ସୃଷ୍ଟି ସମୂହରେ ଶ୍ରୀଜଗନ୍ନାଥଙ୍କୁ ଆରାଧ୍ୟ ଭାବରେ ଗ୍ରହଣ କରିଛନ୍ତି ।

 

ଜଗନ୍ନାଥ ପ୍ରଭୁଙ୍କର ପାଦପଦ୍ମ ସେବି

ମୁଁ ଦୀନ ଅଚ୍ୟୁତଦାସ ବୋଲାଉଛି କବି । (ହରିବଂଶ)

 

ପଞ୍ଚସଖା ଯୁଗୀୟ ଅନ୍ୟତମ ଭକ୍ତକବି ଯଶୋବନ୍ତ ଦାସଙ୍କ ରଚନାରେ ବହୁଳ ପରିଦୃଷ୍ଟ ହୁଏ ଶ୍ରୀଜଗନ୍ନାଥଙ୍କ ମହିମା । ‘ଅଢ଼ଙ୍ଗମାଳିକା’ର ଆଦ୍ୟଭାଗରେ କବି ଶ୍ରୀଜଗନ୍ନାଥଙ୍କୁ ଭକ୍ତିରେ ପ୍ରାର୍ଥନା କରିଛନ୍ତି :

 

ଜୟ ଜୟ ଜଗନ୍ନାଥ ଜଗତ ଈଶ୍ଵର , ଜୟ ଜୟ ଜଗନ୍ନାଥ କମଳାର ବର

ଜୟଜୟ ଜଗନ୍ନାଥ ଭକତର ବନ୍ଧୁ, ଜୟ ଜୟ ଜଗନ୍ନାଥ ନାମ କୃପାସିନ୍ଧୁ

ଜୟଜୟ ଜଗନ୍ନାଥ ଜଗତ କାରଣ, ଜୟ ଜୟ ଜଗନ୍ନାଥ ଜଗତ ବିଧାନ

ଜୟଜୟ ଜଗନ୍ନାଥ ପତିତପାବନ, ଜୟ ଜୟ ଜଗନ୍ନାଥ ସଂସାର ଧାରଣ ।

 

ଭକ୍ତକବି ଶିଶୁ ଅନନ୍ତଦାସ ଶ୍ରୀ ଜଗନ୍ନାଥଙ୍କୁ ସର୍ବତ୍ର ବନ୍ଦନା କରିଛନ୍ତି । ଭକ୍ତିପୂତ ନିବେଦନ କରିଛନ୍ତି ।

 

ଏମନ୍ତ ନୀଳାଦ୍ରୀ ମହିମା

ଦେବାକୁ ନାହିଁ ନା ଉପମା ।

 

ରୀତିଯୁଗୀୟ ଅନ୍ୟତମ କବି, କବିସମ୍ରାଟ ଉପେନ୍ଦ୍ରଙ୍କ ପିତୃବ୍ୟ ରାଜା ଧନଞ୍ଜୟ ଭଞ୍ଜ ରାମ, କୃଷ୍ଣ ଜଗନ୍ନାଥଙ୍କୁ ଏକ ଓ ଅଭିନ୍ନରୂପେ ପ୍ରତିପାଦିତ କରିଛନ୍ତି :

 

ତୁମେ ନୀଳାଚଳବାସୀ ଗୋକୁଳନିବାସୀ

ଏବେ ଦଶରଥ ସୁତ ନାମ ପରକାଶୀ

ଅନାଦି ଈଶ୍ଵର ଦଶରଥ ଘରେ ଜନ୍ମ

ରାମ ଲକ୍ଷ୍ମଣ ଭରତ ଶତୃଘନ ନାମ ।

 

ରୀତିଯୁଗୀୟ ଅନ୍ୟତମ ଭକ୍ତକବି ଦୀନକୃଷ୍ଣ ଦାସ । ଯୁଗଜୟୀ କାବ୍ୟ ‘ରସକଲ୍ଲୋଳ’ର ଅମର ସ୍ରଷ୍ଟା । କୃଷ୍ଣଭକ୍ତିରସରେ ରସାଣିତ ରସକଲ୍ଲୋଳର ବହୁ ସ୍ଥାନରେ କବି ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିଛନ୍ତି । ‘କ’ ଆଦ୍ୟାନୁପ୍ରାସରେ ରଚିତ ଏହି କାବ୍ୟରେ କବି ଲେଖିଛନ୍ତି :

 

କୋଟି ବ୍ରହ୍ମାଣ୍ଡରେ ଏମନ୍ତ ଠାକୁର ଥିବାର ଶୁଣିଛ କାହିଁ

କୁତ୍ସିତ ଲୋକ ପରମ ପଦହିଁ ଲଭନ୍ତି ଯାହାଙ୍କୁ ଚାହିଁ

କଳା ପର୍ବତରେ ବିଜୟ ସଧୀରେ କରୁଣ ଉଦୟ ହୋଇ

କଳୁଷ ଲୋକଙ୍କୁ କଳମଷ ପଙ୍କୁ ଉଦ୍ଦାର କରିବା ପାଇଁ ।

 

କବି ଅଭିମନ୍ୟୁ ସାମନ୍ତସିଂହାର ଶ୍ରୀଜଗନ୍ନାଥଙ୍କୁ ତାଙ୍କର ପ୍ରତି କାବ୍ୟରେ ଆରାଧ୍ୟ ଭାବରେ ବନ୍ଦନା କରିଛନ୍ତି । ବିଦଗ୍ଧ ଚିନ୍ତାମଣି ଓ ପ୍ରେମଚିନ୍ତାମଣି କାବ୍ୟରେ କବି ଶ୍ରୀଜଗନ୍ନାଥଙ୍କୁ ଆଦି ଅନାଦି, ସଗୁଣ, ନିର୍ଗୁଣ ପରଂବ୍ରହ୍ମ ଭାବରେ ଗ୍ରହଣ କରିଛନ୍ତି । ‘ପ୍ରେମ ଚିନ୍ତାମଣି’ କାବ୍ୟରେ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥ ଭାବରେ ବର୍ଣ୍ଣନା କରି କବି ଲେଖିଛନ୍ତି :

 

ପତିତ ପାବନ ତୁମ ଯଶ ବିଦିତ

ସାମନ୍ତ ସିଂହାର ଦୀନ ଶରଣାଗତ ।

 

ଶ୍ରୀଜଗନ୍ନାଥପ୍ରାଣ ଭକ୍ତକବି ଦିବାକର ଦାସ । ‘ଜଗନ୍ନାଥ ଚରିତାମୃତ’ କାବ୍ୟର ସମସ୍ତ ସ୍ଥାନରେ ଶ୍ରୀଜଗନ୍ନାଥଙ୍କୁ ଵନ୍ଦନା କରିଛନ୍ତି । କବିଙ୍କ ଭକ୍ତିରେ ଅବତାରୀ ଶ୍ରୀଜଗନ୍ନାଥ ଷୋଳକଳାର ପ୍ରତୀକ ।

 

ଜଗନ୍ନାଥ ଯେ ଷୋଳକଳା, ତହୁଁ କଳାଏ ନନ୍ଦବଳା ।

କଳାକୁ ଷୋଳକଳା କରି, ଗୋପେ ବିହରେ ନରହରି ।

 

କବିସୂର୍ଯ୍ୟ ବଳଦେବ ରଥ ଶ୍ରୀଜଗନ୍ନାଥଙ୍କୁ ଇଷ୍ଟ ଭାବରେ ଗ୍ରହଣ କରିଛନ୍ତି । ଭକ୍ତ ଯେତେବେଳେ ଭକ୍ତିମାର୍ଗର ଶୀର୍ଷରେ ଉପନୀତ ହୁଏ ସେତେବେଳେ ସେ ଇଷ୍ଟଦେବଙ୍କୁ ଗାଳି କରିବାର ସାମର୍ଥ ପାଇଥାଏ । ଭକ୍ତର ଅଭିମାନକୁ ଠାକୁର ଶୁଣନ୍ତି । କବିସୂର୍ଯ୍ୟ ଶ୍ରୀଜଗନ୍ନାଥଙ୍କୁ ସର୍ପ ସହ ତୁଳନା କରି ସର୍ପଜଣାଣ’ରେ ଲେଖିଛନ୍ତି :

 

ବାଧିଲା ଜାଣି କ୍ଷମା କର ନୋହିଲେ ରମା ରମଣ ଦଣ୍ଡେ ଦିଅ ଟାଳି

ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି

ହେ କୃପାନିଧି,

କରୁଣା ସିନ୍ଧୁ ବୋଲିକରି, କହନ୍ତି ବୁଧେ ଡରିମରି

କାଳସର୍ପ ଆପଣ କବଳ କର ପ୍ରାଣ ପବନମାନଙ୍କୁ ସବୁରି ।

 

ଓଡ଼ିଶାର ଧର୍ମ କହିଲେ ଜଗନ୍ନାଥ ଧର୍ମ, ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି, ଇତିହାସ ଶ୍ରୀଜଗନ୍ନାଥ ଇତିହାସ । ଜଗନ୍ନାଥ ହିଁ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ପ୍ରାଣକେନ୍ଦ୍ର ।

 

ସାରଳାଙ୍କ ମହାଭାରତଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ସମସ୍ତ ଭକ୍ତିସାହିତ୍ୟର ଆଦ୍ୟରେ ଅଛନ୍ତି ଶ୍ରୀଜଗନ୍ନାଥ । ପଞ୍ଚସଖାଯୁଗର ଗୌଡ଼ୀୟ ପ୍ରେମଭକ୍ତି । ଅଲେଖ ଧର୍ମାବଲମ୍ଵୀଙ୍କ ଶୂନ୍ୟବାଦ, ସବୁଥିରେ ଶ୍ରୀଜଗନ୍ନାଥଙ୍କ ପ୍ରଭାବ । ଭୋଗବାଦୀ ରାଜକୂଳକୁ ତ୍ୟାଗ କରି ମହାନତ୍ୟାଗୀ ହେବାର ଆଦର୍ଶ ହେଉଛନ୍ତି ଶ୍ରୀଜଗନ୍ନାଥ । ଇନ୍ଦ୍ରଦ୍ୟୁମ୍ନ ରାଜା ମନ୍ଦିର ନିର୍ମାଣ, ମୂର୍ତ୍ତିପ୍ରତିଷ୍ଠା କଲାପରେ ଯେଉଁ ବର ପ୍ରାର୍ଥନା କରିଛନ୍ତି ତାହା ତ୍ୟାଗର ପ୍ରତୀକ ।

 

ତୁମେ ଯେବେ ବରଦେବ ମାଗୁଅଛି ମୁହିଁ

ମୋହର ବଂଶରେ କେହି ନ ଥିବେ ଗୋସାଇଁ ।

ଠାକୁରେ ବୋଇଲେ ଏହା ମାଗୁ କାହିଁ ପାଇଁ

ତୋତେ ଘେନି ଯୁଗ ରାଜ୍ୟ କରୁଥିବି ମୁହିଁ ।

ଇନ୍ଦ୍ରଦ୍ୟୁମ୍ନ ବୋଲେ ମୋର ତେଣେ କାର୍ଯ୍ୟ ନାହିଁ

ସବୁଦିନ କୀରତି ସଂସାରେ ଥିବ ରହି ।

ପୁତ୍ରନୀତି ବୋଲିବେ ଯେ ଦେଉଳ ଆମ୍ଭର

ଆମ୍ଭର ବୋଇଲେ ଧର୍ମ ଯିବ ଯେ ମୋହର ।

(ଦେଉତୋଳା)

 

ପୁନଶ୍ଚ ଦିବାକର ଦାସ ପ୍ରେମଭକ୍ତିର ଉପାସକ ଭାବରେ ଚତୁର୍ଦ୍ଧାମୂରତିଙ୍କୁ ବନ୍ଦନା କରିଛନ୍ତି :

 

ଶ୍ରୀବଳଭଦ୍ର ସୁଭଦ୍ରେଣ, ଜଗନ୍ନାଥ ଯେ ସୁଦର୍ଶନ

ଯେ କ୍ଷେତ୍ରେ ଚତୁର୍ଦ୍ଧାମୂରତି, ପ୍ରକାଶ ହୋଇଣ ଅଛନ୍ତି ।

 

ଅଚ୍ୟୁତାନନ୍ଦ ମଧ୍ୟ ‘ଶୂନ୍ୟସଂହିତା’ରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆରାଧନା କରିଛନ୍ତି :

 

ଜଗନ୍ନାଥ ବଳଭଦ୍ର ଭଦ୍ରା ସୁଦର୍ଶନ

ମହାମନ୍ତ୍ର ମନ୍ତ୍ରରାଜ ରୂପ ଦାରୁବ୍ରହ୍ମ ।

ଐଶ୍ଵର୍ଯ୍ୟ ମାଧୁର୍ଯ୍ୟ ଘେନି ସିଂହାସନ ପରେ ।

ବିଜୟ କରି ଅଛନ୍ତି ଚତୁର୍ଦ୍ଧାରୂପରେ ।

 

ଶ୍ରୀଚୈତନ୍ୟ ମଧ୍ୟ ତାଙ୍କର ପରମାରାଧ୍ୟ ଶ୍ରୀକୃଷ୍ଣଙ୍କୁ ଶ୍ରୀଜଗନ୍ନାଥଙ୍କଠାରେ ଦର୍ଶନ କରିଛନ୍ତି-। କବି ଅଚ୍ୟୁତାନନ୍ଦ ଭାଷାରେ :

 

କଳ୍ପବଟ ମୂଳେ ନୀଳସୁନ୍ଦର ଗିରିରେ, ସୁନ୍ଦର ରୂପରେ ବିଜେ ଶଙ୍ଖଚକ୍ର କରେ ।

ଚିହ୍ନିଲେ ଚୈତନ୍ୟ ଯେ ବ୍ରହ୍ମାଣ୍ଡ କର୍ତ୍ତା ହରି, କଳାରେ କଳା ମିଶିଲା ନୋହିଲା ଯେ ବାରି ।

(ଶୂନ୍ୟସଂହିତା)

 

ଅବତାରୀ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ସମସ୍ତ ଅବତାର ଆସନ୍ତି ଏବଂ ମର୍ତ୍ତ୍ୟଲୀଳା ସାରି ପୁନଶ୍ଚ ଶ୍ରୀଅଙ୍ଗରେ ଲୀନ ହୁଅନ୍ତି । କବି ଲେଖନୀରେ ସ୍ଥାନ ପାଇଛି :

 

ଈଶ୍ଵର ଉପରେ ଈଶ୍ଵର, ପରମ ପରେ ପରାପର ।

ବ୍ରହ୍ମ ଉପରେ ବ୍ରହ୍ମ ଏହି, କୃଷ୍ଣ ଉପରେ କୃଷ୍ଣ ସେହି ।

ଅନାଦି ଉପରେ ଅନାଦି, ସର୍ବକାରଣ ପରିସିଦ୍ଧି ।

ଶ୍ରୀଜଗନ୍ନାଥ ଶ୍ରୀମୂରତି, ଏଥୁଁଟି ସର୍ବ ଉତପତ୍ତି ।

(ଜଗନ୍ନାଥ ଚରିତାମୃତ)

 

ସଚରାଚର ଜଗତ ହିଁ ବ୍ରହ୍ମମୟ । ଦୃଶ୍ୟ, ଅଦୃଶ୍ୟ ଶକ୍ତିରେ ପ୍ରଭୁ ଜଗନ୍ନାଥ ସୂକ୍ଷ୍ମତିସୂକ୍ଷ୍ମ ଭାବରେ ଅବସ୍ଥାପିତ । ଉତ୍ପତ୍ତି, ପାଳନ ଓ ତାରଣକର୍ତ୍ତା ଜଗତର ନାଥ । ସର୍ବଧର୍ମ ସମନ୍ଵୟର ଉପାସ୍ୟ ଦେବତା । ସେ ଅନନ୍ତ ଓ ଅସୀମ ଜ୍ଞାନର ଆଧାର । ଜଡ଼ ପ୍ରକୃତିର ଅଠେଇଶି ତତ୍ତ୍ଵର ଆଦିସ୍ରଷ୍ଟା । ସେ ଅବିନାଶୀ । ସେ ଚତୁର୍ଦ୍ଧାମୂରତି ।

 

ହରେ ବଳଭଦ୍ରସ୍ୟ ସୁଭଦ୍ରା ରାମ କଥ୍ୟତେ

କୃଷ୍ଣ ନାମ ଜଗନ୍ନାଥ ହରେ ସୁଦର୍ଶନମପି ।

 

ବୀଜ ମନ୍ତ୍ରତତ୍ତ୍ଵର ଆଧାରରେ ଅଚ୍ୟୁତାନନ୍ଦ କହିଛନ୍ତି

ହ୍ଲୀଂ ଯେ ବଳଭଦ୍ର କହି, ଶ୍ଲୀଂ ଯେ ସୁଭଦ୍ରା ଅଟଇ

କ୍ଲୀଂ ଅଟଇ ଜଗନ୍ନାଥ, ଦାମ ସୁଦର୍ଶନ ସମ୍ଭୁତ ।

(ଶୂନ୍ୟସଂହିତା)

 

ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ବିଶ୍ଵବିଦିତ ପ୍ରଶସ୍ତି ଗାନ କରିଛନ୍ତି ଅନେକ ମହାକବି । ସନାତନ ଗୋସ୍ଵାମୀ ‘ବୃହତ୍ ଭାଗବତ’ରେ ଲେଖିଛନ୍ତି :

 

ଦାରୁବ୍ରହ୍ମ ଜଗନ୍ନାଥ ଭଗବାନ୍ ପୁରୁଷୋତ୍ତମ

କ୍ଷେତ୍ରେ ନୀଳାଚଳେ କ୍ଷୀରାର୍ଣ୍ଣବ ତୀରେ ବିରାଜିତଃ

ମହାବିଭୁତିମାନ୍ ରାଜ୍ୟଂ ଉତ୍କଳଂ ପାଳୟନ୍ ସ୍ଵୟମ୍

ବ୍ୟଞ୍ଜୟନ୍ ନିଜ ମାହାତ୍ମ୍ୟଂ ସଦା ସେବକବତ୍ସଳଃ ।

 

ରୀତିଯୁଗର ସର୍ବଶ୍ରେଷ୍ଠ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ । ଶ୍ରୀଜଗନ୍ନାଥଙ୍କୁ ପରମାରାଧ୍ୟ ନାରାୟଣ ଏବଂ ଶ୍ରୀକ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ରଭାବରେ ସେ ବର୍ଣ୍ଣନା କରିଛନ୍ତି :

 

ଶୁଣ କୋବିଦେ ଭରତଖଣ୍ଡ ପୁଣ୍ୟଧାମ

ଯେଣୁ ନାରାୟଣଦେହୀ ତେଣୁ ସେହି ନାମରେ ହେ ।

ଗୀର୍ବାଣମତେ ନିର୍ବାଣ ସରୂପକୁ ଦେଇ,

ସାକ୍ଷୀ ପକ୍ଷୀ କରଟ ପ୍ରତିମାରୂପେ ଥାଇ ଯେ ।

ଯେ ବ୍ରହ୍ମହତ୍ୟା ପାତକ ନିପାତକ ମହୀ

କପାଳମୋଚନ ତ୍ରିଲୋଚନ ସାକ୍ଷୀ ଯହିଁ ଯେ

ଆସି କାଶୀଶ୍ଵର ବାସ କଲେ ଏହା ଜାଣି

ଅନ୍ୟକ୍ଷେତ୍ର ସମସ୍ତଙ୍କ ଏ ମସ୍ତକ ମଣିହେ ।

(କୋଟିବ୍ରହ୍ମାଣ୍ଡ ସୁନ୍ଦରୀ)

 

ପୁରୁଷୋତ୍ତମକ୍ଷେତ୍ରରେ ମାହାତ୍ମ୍ୟ ବର୍ଣ୍ଣନା କଲାବେଳେ କବିସମ୍ରାଟ ନରେନ୍ଦ୍ର ପୁଷ୍କରିଣୀ, କଳ୍ପବୃକ୍ଷ, ମହାପ୍ରସାଦର ମାହାତ୍ମ୍ୟକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

 

ସର୍ବପାପର ଖଣ୍ଡନକାରୀ ଶ୍ରୀକ୍ଷେତ୍ର । ଏ ଶ୍ଥାନକୁ ଆହମନ କଲାମାତ୍ରେ ସକଳ ପାପ କ୍ଷୟ ହୁଏ ।

 

ଅନ୍ୟତୀର୍ଥେ କୃତଂ ପାପଂ ସିନ୍ଧୁତୀରେ ବିନଶ୍ୟତି

ସିନ୍ଧୁତୀରେ କୃତଂ ପାପଂ ସିନ୍ଧୁସ୍ନାନାତ୍ ବିନଶ୍ୟତି

 

ସେହିପରି ଭଞ୍ଜ ତୀର୍ଥର ମାହାତ୍ମ୍ୟ ସମ୍ପର୍କରେ ଲେଖିଛନ୍ତି:

ଯେବଣ କଟକେ ବିରାଟକେ ମୁକତି

ମହାପ୍ରସାଦରେ ସାଦରେ ଜନମାନେ ଲଭନ୍ତି ।

ଅଳପ କଳପ ବଟର ଯହିଁ ଛାୟା ଆଶ୍ରିତ

କଳପ କଳପ ନର କିନ୍ନର ତରିଲା ମତ ।

ବିନା ତୃଷାତୁରେ ଚତୁରେ କୁଣ୍ଡ ପତନେ ଯହିଁ

କାକର ହେଲା କର ଚାରି କିସ ବିଚାର ତହିଁ ।

ପତାକା ଅଞ୍ଚଳ ଚଞ୍ଚଳ ଡାକେ ପାପୀଙ୍କୁ ଅବା

ଏ ନୀଳ ନଗ ନଗରୀକି ଆସ ଲାଭ କରିବା ।

(ରସିକ ହାରା ବଳୀ)

 

ଧର୍ମ, ଅର୍ଥ, କାମ, ମୋକ୍ଷାଦି ଚତୁର୍ବର୍ଗ ଫଳ ପ୍ରଦାନ କରନ୍ତି ଶ୍ରୀ ଜଗନ୍ନାଥ । ଏହାକୁ ଲକ୍ଷ୍ୟ କରି ଭଞ୍ଜ ଲେଖିଛନ୍ତି :

 

ସେ କମ୍ଭୁ କଟକ ରାଜା ନାମ ଜଗନ୍ନାଥ, ଚାରିବର୍ଣ୍ଣେ ଚଉବର୍ଗ ହେବାକୁ ସମର୍ଥ ହେ

ଭକ୍ତିଦେବା ଗୁପ୍ତ ହୋଇଅଛି ଯୁକ୍ତାକ୍ଷରେ, ବୈଷ୍ଣବ ବିହୀନେ କେବା ଜାଣିବ ସଂସାରେ ହେ ।

 

ସେହିପରି କବି ଉପେନ୍ଦ୍ର ‘ରସିକ ହାରାବଳୀ’ କାବ୍ୟର ଆରମ୍ଭରେ ଇଷ୍ଟସ୍ତୁତି କରିଛନ୍ତି ଶ୍ରୀଜଗନ୍ନାଥଙ୍କୁ ବନ୍ଦନା କରିଛନ୍ତି

 

ଜୟ ଜୟ ଜଗନ୍ନାଥ ଦାରୁରୂପଧାରୀ, ନୀଳଗିରୀଶ ଗିରୀଶ ବନ୍ଦନୀୟ ହରି

ମହାବଳ ବଳ ଅବରଜ ଭଦ୍ରାଗ୍ରଜ, ଗରୁଡ଼ାସନ ସନକ ପୂଜ୍ୟ ଚତୁର୍ଭୁଜ

ନୀରଦ ସୁନ୍ଦର ଦରହର ହରଷଦ, ଶମନ ମନରେ ଜାତ କର ମହାଖେଦ

ସେ ପ୍ରଭୁ କମଳାକାନ୍ତ ସନ୍ନିଧ୍ୟାନେ, ଉପଇନ୍ଦ୍ର ବୀରବର ହରଷିତ ମନେ ।

 

କେବଳ ‘ରସିକହାରାବଳୀ’ରେ ନୁହେଁ, ବରଂ ଭଞ୍ଜଙ୍କର ପ୍ରାୟ ସମଗ୍ର ସୃଷ୍ଟିରେ ଶ୍ରୀଜଗନ୍ନାଥଙ୍କ ବର୍ଣ୍ଣିତ । ‘ସୁଭଦ୍ରା ପରିଣୟ’ କାବ୍ୟରେ, କବିସମ୍ରାଟ ଶ୍ରୀଜଗନ୍ନାଥ ଓ ପୁରୁଷୋତ୍ତମ ଶ୍ରୀକ୍ଷେତ୍ରର ମାହାତ୍ମ୍ୟ ବର୍ଣ୍ଣିତ । ତାଙ୍କ ଲେଖନୀରୁ ଝରିପଡ଼ିଛି ‘ସ’ ଆଦ୍ୟାନୁପ୍ରାସରେ ରଚିତ ସୁଭଦ୍ରାପରିଣୟ କାବ୍ୟର ପ୍ରଥମ ଛାନ୍ଦରେ:

 

ସିନ୍ଧୁତଟେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରାଜ, ସାଧୁଜନେ ଅଛି ତହିଁ ବହୁତ ଆଶ୍ଚର୍ଯ୍ୟ ହେ ।

ସେ ଭୂମି ପ୍ରବେଶେ ବ୍ରହ୍ମହତ୍ୟା ପାପ ହରେ, ସାକ୍ଷାତ ହୋଇଛି ଏ କପାଳ ମୋଚନରେ ।

ସେ ହୁଏ ଚତୁରର୍ଭୁଜ ସେ ଯେ କ୍ଷେତ୍ରେ ରହି, ସାକ୍ଷୀ ଏ କଥାକୁ ଅଜ୍ଞାନ କାକ ତହିଁ ।

 

ଶ୍ରୀଜଗନ୍ନାଥଙ୍କ ରୂପକୁ ବର୍ଣ୍ଣନା କରି କବି ଲେଖିଛନ୍ତି:

 

ସ୍ଵରୂପ ଏ ନାସା କର୍ଣ୍ଣ ହସ୍ତ ପାଦହୀନ, ସ୍ମର କୋଟି ନୋହେ ତେବେ ଶୋଭାକୁ ସମାନ ହେ

ସହସ୍ର ଯୋଜନରୁ ଆଗତ ହୋନ୍ତି ଜନେ, ସବୁ ରୂପେ ଦଶ ହୋଇ ଯାହା ଦରଶନ ହେ ।

 

ସଂସ୍କୃତରେ ରଚିତ ‘ଗବୀଶପତ୍ର ନଗତାର୍ତ୍ତିହାରୀ’ ପରି କବିସମ୍ରାଟ ‘ରସଲେଖା’ କାବ୍ୟର ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ସହ ଶିବଙ୍କୁ ଏକତ୍ର ବନ୍ଦନା କରିଛନ୍ତି :

 

ଜୟ ମକର କୁଣ୍ଡଳୀ କୁଣ୍ଡଳ କୁଣ୍ଡଳୀ, ଘନସାର ଶାମଘନ ସାରକାନ୍ତ ଝଳି

ଜୟ ତ୍ରିପୁର ମୋହନ ତ୍ରିପୁର ଦହନ, ଖଗ ପୁଙ୍ଗବ ବାହନ ପୁଙ୍ଗବ ବାହନ

ଜୟ ଗମୀକରାକୃତି ଦାସ କୃତ୍ତିବାସ, ପଞ୍ଚାସ୍ୟଜିତ ବିକ୍ରମ ଯେ ପୁଣି ପଞ୍ଚସ୍ୟ ଯେ

ଜୟ କମଳଦଳଲୋଚନ ତ୍ରିଲୋଚନ, ମାର ଯାର କୁମାର କୁମାର ଯେ ନନ୍ଦନ

 

‘ଛାନ୍ଦଭୂଷଣ’ରେ ମଧ୍ୟ ଭକ୍ତକବି ଉପେନ୍ଦ୍ର ଲେଖିଛନ୍ତି:

କମଳା କମଳାସନ ସନକ ବନ୍ଦନ, କମଳା କମଳଧର ବିଜିତ ବଦନ

କଳାପ କଳାପ ଦୈତ୍ୟ କଳାପସୂଦନ, କଉଶିକ କଉଶିକ ଭୟ ବିଚ୍ଛେଦନ ।

 

ଯେଉଁ ଠାକୁରଙ୍କ ମହିମାର ଅନ୍ତନାହିଁ, ଯେ ଶଙ୍ଖଚକ୍ରଧାରୀ, ଅରିଦମନକାରୀ, ସେ ବିଭିନ୍ନ ଯୁଗରେ ଭିନ୍ନ ଭିନ୍ନ ଅବତାର ଗ୍ରହଣ କରିଥା’ନ୍ତି । ତାରକମନ୍ତ୍ର ସିଦ୍ଧିପ୍ରାପ୍ତ କବି ‘ବ’ ଅନୁପ୍ରାସରେ ରଚିତ ‘ବୈଦେହୀଶ ବିଳାସ’ କାବ୍ୟରେ ଆଦ୍ୟଛାନ୍ଦରେ ଶ୍ରୀଜଗନ୍ନାଥ ନାରାୟଣଙ୍କ ସହ ସୂର୍ଯ୍ୟଙ୍କୁ ମଧ୍ୟ ଵନ୍ଦନା କରିଛନ୍ତି:

 

ବନ୍ଦଇ ଦୀନ (ଦିନ) ବାନ୍ଧବହରି ଯେ ତମଚକ୍ର ଖଣ୍ଡନକାରୀ

ସଦା କମଳାନନ୍ଦ ବିହାରୀ ସ୍ଵଭାବେ ଈନ ଯେ,

ବିଭୁ ଅନନ୍ତଅଙ୍କବିହାରୀ କର ପ୍ରତାପ ଯା’ର ସଞ୍ଚରି

ନିଶାଚରଙ୍କ ଉଲ୍ଲାସ ହରି ପୂଜେ ସୁମନ ଯେ ।

 

ଉପେନ୍ଦ୍ରଭଞ୍ଜଙ୍କ ରଚନାରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ଭାବରେ ବହୁଳ ବର୍ଣ୍ଣନା କରାଯାଇଛି । ଅତୀତର ବହୁ ଶାସ୍ତ୍ର ମଧ୍ୟ ପ୍ରଭୁଙ୍କୁ ଶ୍ରୀରାମ ଭାବରେ ଗ୍ରହଣ କରିଛନ୍ତି । ପଦ୍ମପୁରାଣରେ ଶ୍ରୀରାମ ଓ ପୁରୁଷୋତ୍ତମ ଜଗନ୍ନାଥ ଅଭିନ୍ନ ବୋଲି ବର୍ଣ୍ଣନା କରାଯାଇଛି । ମହାଲକ୍ଷ୍ମୀ ଓ ସୀତାଙ୍କ ମଧ୍ୟରେ ଅଭିନ୍ନତା ମଧ୍ୟ ଚିତ୍ରିତ ।

 

ଯୋଽସୌ ନୀଳାଦ୍ରୀବାସୀ ଚ ସ ରାମଃ ପୁରୁଷୋତ୍ତମଃ

ସୀତା ସାକ୍ଷାତ୍ ମହାଲକ୍ଷ୍ମୀ ସର୍ବକାରଣକାରଣମ୍ ।

(ପଦ୍ମପୁରାଣ)

 

ଗୋସ୍ଵାମୀ ତୁଳସୀଦାସଙ୍କ ମତରେ: ‘ଯୋହି ରାମ ସେହି ଜଗଦୀଶା’ । କବିସମ୍ରାଟ ମଧ୍ୟ ସେହିପରି ଲେଖିଛନ୍ତି:

 

ଜୟ ଜଗନ୍ନାଥ ରାମ ଶ୍ରେୟର ନିଳୟ

ମୁନିଗଣ କାମଦାୟ ପଦ୍ମବାସୀ ପ୍ରିୟ ହେ ।

 

କବିସମ୍ରାଟ ଉପେନ୍ଦ୍ରଙ୍କ ଶେଷ ଜୀବନ କଟିଥିଲା ଶ୍ରୀକ୍ଷେତ୍ରରେ । କବିଙ୍କର ଶେଷ ରଚନା ଦୁଇଟି ଥିଲା ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ଓ ‘ନୀଳାଦ୍ରୀଶ ଚୌତିଶା’ । ତେଣୁ ଉକ୍ତ ଦୁଇଟି ସୃଷ୍ଟିରେ କବି ଶ୍ରୀଜଗନ୍ନାଥଙ୍କଠାରେ ଶେଷ ଜୀବନକୁ ଅର୍ପଣ କରିଛନ୍ତି:

 

କ୍ଷମାନିଧିଙ୍କୁ ବାରେ କ୍ଷମା ମୁଁ ଦର୍ଶନରେ କ୍ଷିତି କ୍ଷାତିକି ସମର୍ପିଲି

କ୍ଷମ ମୋ ଅପରାଧ କ୍ଷମ ମୋ ଜୀବସଧ କ୍ଷାତ ଚରଣ ତଳେ ଦେଲି ହେ

ନୀଳାଦ୍ରୀଶ କ୍ଷୟ ତ ହେଲାଣି ମୋ ପିଣ୍ଡ,

କ୍ଷାଳ ଏ ଜଞ୍ଜଳର ଦଣ୍ଡ,

କ୍ଷାତି ଉପଇନ୍ଦ୍ରର ଭଞ୍ଜକୂଳ ବେଭାର ଚରଣତଳେ କଲି ରୁଣ୍ଡ ହେ ।

(ନୀଳାଦ୍ରୀଶ ଚଉତିଶା)

 

ମହର୍ଷି ଦୟାନନ୍ଦଙ୍କ ମତରେ ଶ୍ରୀଜଗନ୍ନାଥ ଓ ବ୍ରହ୍ମ ଏକ ଓ ଅଭିନ୍ନ । ତାଙ୍କର କଳ୍ପନା ସମ୍ଭବ ନୁହେଁ । ତେଣୁ କବିର କଳ୍ପନା ଶ୍ରୀଜଗନ୍ନାଥଙ୍କ ପ୍ରତି ଯଥେଷ୍ଟ ନୁହେଁ । ଉତ୍କଳର ବହୁ କବିଙ୍କର ଲେଖନୀରେ ଶ୍ରୀଜଗନ୍ନାଥଙ୍କ ବର୍ଣ୍ଣିତ । ତାହା ଏହି କ୍ଷୁଦ୍ର ଆଲୋଚନାରେ ବର୍ଣ୍ଣନା କରିବା ଅସମ୍ଭବ ।

 

 

ଜୟପୁର – ୭୬୪୦୦୬

କୋରାପୁଟ

ମୋ : ୯୪୩୮୨୨୧୭୮୭

 

***

 

Unknown

ଭକ୍ତ, ଭକ୍ତି ଓ ଜଗନ୍ନାଥ-ଗୀତି

ଡକ୍ଟର ସଂଘମିତ୍ରା ମିଶ୍ର

 

‘ଜଗନ୍ନାଥ’ ଏହି ଚାରୋଟି ଅକ୍ଷରରେ ବନ୍ଧା ଓଡ଼ିଆର ଜୀବନ ନାଟିକା । ଏହି ନାମରେ କେତେ ସମ୍ମୋହନ, କେତେ ସମର୍ପଣ ! ଓଡ଼ିଆ ଘରର ସନ୍ତାନ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଡୋରିରେ ବନ୍ଧା । ସେ କେବଳ ଠାକୁର ନୁହଁନ୍ତି, ପ୍ରତ୍ୟେକ ଓଡ଼ିଆ ଘରର ମୁରବୀ । ତାଙ୍କୁ ଆଗ ନିମନ୍ତ୍ରଣ କରିବା ପରେ ଆମ ଘରେ ଯେକୌଣସି ଶୁଭକାର୍ଯ୍ୟ ଆରମ୍ଭ ହୁଏ । ତାଙ୍କ ମହାପ୍ରସାଦ ହାତରେ ଦେଇ ଆମେ ବନ୍ଧୁ ବାନ୍ଧିଥାଉ । ପୁଣି ତାଙ୍କ ନିର୍ମାଲ୍ୟ କାଣିକାଏ ଆଶା କରୁ ଅନ୍ତିମ ମୁହୂର୍ତ୍ତରେ । ଥାନା କୋର୍ଟ କଚେରି ନଥିବା ଓଡ଼ିଆ ମୂଲକରେ ତାଙ୍କ ପ୍ରସାଦ ବା ଧଣ୍ଡା ହାତରେ ଧରି ତ ସତକଥା କହିବାକୁ ହେଉଥିଲା । ସେଠି ଭୁଲ ତଥ୍ୟ ଦେବାଭଳି ଚତୁରତା ନ ଥିଲା ବରଂ ଥିଲା ଗୁରୁଜନଙ୍କ ନିକଟରେ ଦୋଷ ସ୍ଵୀକାର କରି କ୍ଷମା ମାଗିବାର ମାନସିକତା । ତାଙ୍କ କ୍ଷେତ୍ରରେ ଲୋକେ ବନ୍ଧୁ ଭାବରେ ପରିଚିତ ହେଉଥିଲେ । ବ୍ରାହ୍ମଣ ଚଣ୍ଡାଳ ଏକାଠି ଖାଇବା ଆଉ ଖାଇସାରି ମୁଣ୍ଡରେ ହାତ ପୋଛିବା ଭଳି ବ୍ୟାପାର ଆମ ସାଂସ୍କୃତିକ ଉଦାରତାର କଥା କହିଥାଏ ।

 

ଆମେ ଦାରୁଦେବତାଙ୍କୁ ଅବତାରୀ ପୁରୁଷ କହିଥାଉ । ଦଶ ଅବତାର ତାଙ୍କଠାରୁ ଜାତ ହୁଅନ୍ତି ଓ ତାଙ୍କଠାରେ ବିଲୀନ ହୁଅନ୍ତି ବୋଲି ଭକ୍ତ ଓ ପଣ୍ଡିତ ଉଭୟ ବିଶ୍ଵାସ କରନ୍ତି । ତେଣୁ ଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା କାଳରେ ଆମେ ତାଙ୍କୁ ପୁତନାପ୍ରାଣଖିଆ, ଲବଣୀଚୋର ବା ରାବଣାରି, କୌଶଲ୍ୟାନନ୍ଦନ ବୋଲି କହିଥାଉ । ଜଗନ୍ନାଥଙ୍କର ଅପୂର୍ବ ତଥା ଅନନ୍ୟରୂପକୁ ଶିଳ୍ପୀ ରାମ ବା କୃଷ୍ଣ ରୂପରେ ଆଙ୍କି ସନ୍ତୋଷ ଲାଭ କରନ୍ତି । ତାଙ୍କ ମନ୍ଦିରରେ ମଧ୍ୟ ବିଭିନ୍ନ ବେଶ ମଧ୍ୟରେ ଏହି ଅବତାରମାନଙ୍କ ଗୁରୁତ୍ଵ ପ୍ରମାଣିତ ହୋଇଥାଏ ।

 

ଓଡ଼ିଶାରେ ଜଗନ୍ନାଥ ଧର୍ମ ଏକ ଜୀବନ୍ତ ଧର୍ମ । ଯାହା ସମୟ ଅନୁସାରେ ପରିବର୍ତ୍ତିତ ହୋଇଚାଲିଛି । ବୁଦ୍ଧ, ଜୈନ, ଗାଣପତ୍ୟ ତଥା ଆଦିବାସୀମାନଙ୍କ ଦେବତା ଜଗନ୍ତ ମଧ୍ୟରେ ତାଙ୍କ ରୂପ ଦେଖି ଭକ୍ତ ନିଜକୁ ପାଶୋରି ଯାଇଛି । ଆମ ଓଡ଼ିଶାର ଆଦିକବି ସାରଳାଦାସଙ୍କଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ସବୁ କବି ଜଗନ୍ନାଥଙ୍କୁ ନେଇ ଭଜନ ଜଣାଣ ଚଉତିଶା ପ୍ରଭୃତି ରଚନା କରିଛନ୍ତି । ଏଥି ସହିତ ସୂଚନା ଦେବା ଦରକାର ଯେ ଅନେକ ଚିନ୍ତାଶୀଳ ବ୍ୟକ୍ତି ଜଗନ୍ନାଥଙ୍କୁ ଆମ ଐତିହ୍ୟର ସଂରକ୍ଷକ ଓ ଇତିହାସର ଧାରକ ତଥା ବାହକ ଭାବେ ସ୍ଵତନ୍ତ୍ର ସମ୍ମାନ ଦେଇଥାନ୍ତି । ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଧର୍ମ ପ୍ରଚାରକଗଣ ସେହି ଦାରୁମୂର୍ତ୍ତି ମଧ୍ୟରେ ନିଜ ନିଜ ଆରାଧ୍ୟ ଦେବତାଙ୍କୁ ଦେଖିଛନ୍ତି ଓ ଜଗନ୍ନାଥଙ୍କ ଭକ୍ତିରେ ମଜ୍ଜିଯାଇଛନ୍ତି ।

 

ଏହିଭଳି ଦେବତାଙ୍କୁ କିନ୍ତୁ ପୁରପଲ୍ଲୀରେ ପରିଚିତ କରିଛନ୍ତି ଆମ ଗୀତିକବିଗଣ, ଏମାନଙ୍କ ପାଇଁ ଜଗନ୍ନାଥ ଅନାଦି ଅନନ୍ତ ହୋଇପାରନ୍ତି; କିନ୍ତୁ ତାଠୁ ଅଧିକ ନଟନାଗର, ବନମାଳୀ, ରାଧାକାନ୍ତ ବା କଳାକହ୍ନାଇ । ଏହି ସମନ୍ଵିତ ଧାରାରେ ରଚିତ ସହସ୍ରାଧିକ ଗୀତିକବିତା ଓଡ଼ିଶାର ସାହିତ୍ୟ ଜଗତକୁ ଭକ୍ତି ଓ ପ୍ରୀତିରେ ପ୍ଲାବିତ କରିଛି । ଏଠାରେ ପ୍ରଥମେ ଭକ୍ତିର ସ୍ଵରୂପ ଓ ଗୁରୁତ୍ଵ ସମ୍ପର୍କରେ କିଞ୍ଚିତ ସୂଚନା ଦେବା ଲୋଡ଼ା ।

 

‘ଭକ୍ତି’ କଥାଟି ସର୍ବଦା ଦ୍ଵିପାକ୍ଷିକ । ଯଦିଚ ଈଶ୍ଵର ଆମକୁ ଦିଶନ୍ତି ନାହିଁ ତଥାପି ଆମେ ତାଙ୍କର ବିଭିନ୍ନ ରୂପକୁ ଧ୍ୟାନ କରୁ । ନିର୍ମାଣ କରି ତାଙ୍କୁ ସଜାଉ । ବିଭିନ୍ନ ଅର୍ଘ୍ୟ ନୈବେଦ୍ୟ ଅର୍ପଣ କରି ତାକୁ ପ୍ରସାଦ ଭାବେ ଗ୍ରହଣ କରୁ । ଏହି ଭକ୍ତି କେବେ ବିଫଳ ହୁଏନାହିଁ । ଗୁରୁଜନମାନଙ୍କ ପ୍ରତି ଭକ୍ତି ଆମକୁ ସମାହିତ କରେ ଓ ଆଲୋକିତ କରେ । ଈଶ୍ଵରଙ୍କ ପ୍ରତି ଭକ୍ତି ଆମକୁ ସହିଷ୍ଣୁ କରେ ଓ ଆମର ଚାଲିଚଳଣକୁ ନିୟନ୍ତ୍ରିତ କରେ । ଏହି ଭକ୍ତିକୁ ନବଧା ଭକ୍ତି ଭାବରେ ବିଭାଗୀକରଣ କରାଯାଇଛି । ମନ୍ତ୍ର, ଯନ୍ତ୍ର, ଛାୟା, ଜ୍ୟୋତି, ଅବାଡ଼, ହଜ, ସମାଧି, ଓ ରସଗୁଣକୁ ନେଇ ନବଧା ଭକ୍ତି ଜ୍ଞାନୀଭକ୍ତମାନଙ୍କ ପାଇଁ ପ୍ରଯୁଜ୍ୟ, ପୁନର୍ବାର ଅର୍ଜନ, ବନ୍ଦନ, ଶ୍ରବଣ, କୀର୍ତ୍ତନ, ସ୍ମରଣ, ପାଦସେବନ, ସଖ୍ୟ, ଦାସ୍ୟ ଓ ଆତ୍ମନିବେଦନକୁ ନେଇ ପ୍ରତିଷ୍ଠିତ ନବଧା ଭକ୍ତି ସାଧାରଣ ମନୁଷ୍ୟ ପାଇଁ ସରଳ ମାର୍ଗ ପ୍ରଦର୍ଶନ କରିଥାଏ । ତେବେ କୁହାଯାଏ-

 

“ହରିନାମରେ ପାପ କ୍ଷୟ ଯେତେ, କରି ନପାରେ ପାପୀ ପାପ ସେତେ,” ଅର୍ଥାତ୍ କଳିଯୁଗରେ ନାମ କୀର୍ତ୍ତନ ହିଁ ଶ୍ରେଷ୍ଠ ଭକ୍ତିର ପଦବାଚ୍ୟ । ଏଥିପାଇଁ ଭଜନ ଜଣାଣ ହିଁ ଶ୍ରେଷ୍ଠ ଉପାୟ । କାରଣ ଭଗବାନଙ୍କୁ ଭଜନ ମାଧ୍ୟମରେ ଉପଲବ୍ଧି କରିବାକୁ ଚାହିଁଲେ ପ୍ରଥମେ ଭକ୍ତର ଲକ୍ଷ୍ୟ ସ୍ଥିର ହୁଏ ଓ ପରିବେଶ ସେହି ନାମ ଉଚ୍ଚାରଣରେ ପବିତ୍ର ହୁଏ । ଶ୍ରୀଚୈତନ୍ୟ ମହାପ୍ରଭୁ ଏହି ନାମ କୀର୍ତ୍ତନ କରି ମତ୍ତ ହୋଇ ନିଜସ୍ଵ ବିସ୍ତୃତ ହୋଇଥିବା କଥା ଆମେ ଜାଣୁ । ଆଜି ମଧ୍ୟ ଓଡ଼ିଶାରେ ଅଷ୍ଟପ୍ରହରୀ ବା ଚବିଶି ପ୍ରହରୀ ଶେଷରେ ଦଧିହାଣ୍ଡି ଭାଙ୍ଗିବାର ଯେଉଁ ପର୍ଯ୍ୟାୟଟି ଅଭିନୀତ ହୁଏ, ସେଠି ସେହି ଅଞ୍ଚଳର ମୁରବୀମାନ୍ୟ ବୟସ୍କ ବ୍ୟକ୍ତିମାନେ ନାଚି ନାଚି ତଳେ ଗଡ଼ୁଥିବା ଦେଖି ଆମେ ଅଭିଭୂତ ହେଉ । ଅନ୍ୟ ସମୟରେ ଏତାଦୃଶ ଆଚରଣ ହୁଏତ ସେମାନଙ୍କ ପାଇଁ ସମ୍ଭବ ହେବନାହିଁ । ତେଣୁ ‘ଭକ୍ତି’ ବେଶ୍ ଶକ୍ତିଶାଳୀ ମାଧ୍ୟମର ଯେଉଁଠି ଭକ୍ତ ଭଗବାନଙ୍କୁ ଶ୍ରଦ୍ଧାରେ ବୋଝ ବୁହାଯାଇପାରେ, ଅଭିମାନ କରି ଗାଳି ଦେଇପାରେ, ଦୂତ ଭାବେ ପଠାଇପାରେ, ନିଜ ହୃଦୟର ଗୋପନ କଥାଟି କହିଦେଇପାରେ ବା କୌଣସି ସମସ୍ୟାର ସମାଧାନ ଚାହିଁପାରେ । କିନ୍ତୁ ପ୍ରଥମ କଥା ସେ ବୁଝୁଥାଏ ଯେ ତାକୁ କିହି ବୁଝୁଛି, ତା ଡାକ ଶୁଣୁଛି ଆଉ ଅନୁରୂପ ଫଳ ପ୍ରଦାନ କରୁଛି । ନାହିଁ ତ ଆମେ ଜଗନ୍ନାଥଙ୍କୁ ହାତୀମୁହାଁ, ହାତଗୋଡ଼ ଖଣ୍ଡିଆ, ଭାଲୁଣୀ ପରାୟ ମୁହଁକୁ ଚାଲୁଣୀ ପରାୟେ ଆଖି ସହିତ ଚୋର ଧପ୍ପାବାଜ କହନ୍ତୁ କାହିଁକି ?

 

କେତୋଟି ପ୍ରମୁଖ ଗୀତିକୁ ନେଇ ଆମେ ଓଡ଼ିଶାର ଜନମାନସରେ ନିଜ ମର୍ଯ୍ୟାଦରେ ପ୍ରତିଷ୍ଠିତ ସେହି ଦାରୁଦେବତାଙ୍କୁ ସମ୍ପର୍କରେ ଆଲୋଚନା କରିବା । ଏହି ଗୀତିଗୁଡ଼ିକର ଭାବ ଓ ଭାଷାର ମାଧୁର୍ଯ୍ୟ ଆଦି ମଧ୍ୟ ଜନମାନସରେ ଅନତିକ୍ରମ୍ୟ ହୋଇରହିଛି । ଏହି ଜଗନ୍ନାଥଙ୍କ ନିମିତ୍ତ ରଚିତ ଗୀତିଗୁଡ଼ିକ ଓଡ଼ିଆ ସଙ୍ଗୀତର ପରମ୍ପରାକୁ କେବଳ ସମ୍ପ୍ରସାରିତ କରିନାହିଁ ସେହି ପରମ୍ପରାକୁ ଗାମ୍ଭିର୍ଯ୍ୟ ମଧ୍ୟ ପ୍ରଦାନ କରିଛି ।

 

ଜଗନ୍ନାଥ ଆମ ସଂସ୍କୃତିର ଧାରକ, ବାହକ, ତଥା ଆମର ପ୍ରିୟ ଅଭିଭାବକ । ଆମ ଜାତିର ଜୀବନବେଦ ‘ଭାଗବତ’ରେ ଜଗନ୍ନାଥଙ୍କ ବର୍ଣ୍ଣନା ଏହିଭଳି –

 

“ନମସ୍ତେ ପ୍ରଭୁ ଜଗନ୍ନାଥ, ଅନାଥ ଲୋକଙ୍କର ନାଥ

ନମସ୍ତେ ପ୍ରଭୁ ବାସୁଦେବ, ଭକତ ଜନଙ୍କ ବାନ୍ଧବ ।

ତୁ ବ୍ରହ୍ମାରୁଦ୍ର ବିଷ୍ଣୁ ତୁହି ତୋ ବିନୁ ଅନ୍ୟଗତି ନାହିଁ

ତୁହିଟି ବ୍ରହ୍ମାରୁଦ୍ ଇନ୍ଦ୍ର, ନମନୁଁ ଜାତ ସୂର୍ଯ୍ୟ ଚନ୍ଦ୍ର ।’’

 

ଏଠାରେ ଜଗନ୍ନାଥ ବ୍ରହ୍ମା ଇନ୍ଦ୍ର ଓ ରୁଦ୍ରଙ୍କ ସମନ୍ଵିତ ବିରାଟପୁରୁଷ , ଯାହାଙ୍କ ନୟନରୁ ସୂର୍ଯ୍ୟ ଚନ୍ଦ୍ର ଜାତ ହୁଅନ୍ତି ।

 

କାବ୍ୟ ଯୁଗରେ ଆମେ ଉପେନ୍ଦ୍ର ଭଞ୍ଜଙ୍କର ମାନଉଦ୍ଧାରଣ ସଙ୍ଗୀତଟି ଦେଖୁ ଯାହା ଆମକୁ ଆଚ୍ଛନ୍ନ କରିଥାଏ ।

 

“ମାନ ଉଦ୍ଧାରଣ କରହେ କାରଣ ଶରଣ ମୁଁ ତୁମ୍ଭ ପାଦତଳେ

ଅନାଥର ନାଥ ନୀଳଗିରି ନାଥ ଜଗନ୍ନାଥ ନାମ ନୀଳାଚଳେ ।“

 

ଏଠାରେ ମହୋଦଧି ତୀର ପଞ୍ଚବଟମୂଳର ବଡ଼ ଦେଉଳର ଉଲ୍ଲେଖ ସହିତ ଲକ୍ଷେ ଯୋଜନରେ ଡାକୁଥିବା ଗଜ, ଜଳରେ ଭାସି ଯାଉଥିବା ମାର୍କଣ୍ଡ ଋଷି, କୁରୁସଭା ମଝିରେ ଡାକୁଥିବା ଦ୍ରୌପଦୀ, ବନରେ ଡାକୁଥିବା ମୃଗୁଣୀ ପ୍ରଭୃତିଙ୍କ ପାଇଁ ଜାଗ୍ରତ ଥିବା ଜଗନ୍ନାଥଙ୍କ ମାନ ଉଦ୍ଧାରଣ ଭାବମୂର୍ତ୍ତିଟି ଉଜ୍ଜଳ ହୋଇ ଦିଶେ । ସେହିପରି କବିସୂର୍ଯ୍ୟଙ୍କ ‘ସର୍ପଜଣାଣ’ଟି ବ୍ୟାଜସ୍ତୁତିର ଅନୁପମ ଆଲେଖ୍ୟ । ଏହି ଜଣାଣରେ ଭକ୍ତକବି ପ୍ରଭୁଙ୍କୁ କାଳସର୍ପ ବୋଲି ଗାଳି ଦିଅନ୍ତି, ଯେଉଁ କାଳସର୍ପ ସମସ୍ତଙ୍କ ପ୍ରାଣପବନକୁ କବଳିତ କରିପାରନ୍ତି ।

 

ଦୀନକୃଷ୍ଣ ଦାସ ତାଙ୍କର ତ ‘ରସକଲ୍ଲୋଳ’ କାବ୍ୟରେ ପ୍ରଥମେ “କର ସାଧୁଜନମାନେ ମନକୁ ଏକ, କର ଧାରେ ଧ୍ୟାନ ନୀଳାଚଳନାୟକ” ବୋଲି ଜଣାଇ ଛାନ୍ଦର ପ୍ରାନ୍ତଭାଗରେ କୁହନ୍ତି-

 

“କଚ୍ଛପ ମତ୍ସାଦି ଅବତାର ଯେତେକ

କରିବାକୁ ଜାତ ଜଗନ୍ନାଥ ଜନକ ।’’

 

ଅଷ୍ଟାଦଶ ଶତାବ୍ଦୀର ଅନ୍ୟତମ କବି ନିତ୍ୟାନନ୍ଦ ଜଗନ୍ନାଥଙ୍କୁ ଜଣାଣ କରି ଗାଇଛନ୍ତି –

 

“ନାନା ରୂପେ ଶାସ୍ତି ଦେଇ ଦୁଃଖ ହସ୍ତୀଦନ୍ତରେ ଗୁନ୍ଥିବା ମନ କଲ

ବିପତ୍ତି-କରୀ-ନାଶନ ତୁମ୍ଭ ବାନା କିମ୍ପା ନୀଳାଦ୍ରିସିଂହ ହେଲା ।’’

 

ତାଙ୍କର ‘ପତିତ ଜନକୁ ଉଦ୍ଧାରିବା ପାଇଁ ଉଡ଼ାଉ ଅଛୁ ପତାକା’ ମଧ୍ୟ ଏହି ଶ୍ରେଣୀର ଅନ୍ୟତମ ସୃଷ୍ଚି ପିଣ୍ଡିକ ଶ୍ରୀଚନ୍ଦନଙ୍କର ‘ଚନ୍ଦନଲାଗି ବେଳରେ ଚିନ୍ତ ଚିନ୍ତାମଣିଙ୍କି’ ରେ ଜଗନ୍ନାଥଙ୍କର ଚନ୍ଦନ ଲାଗି ସମୟର ବିସ୍ତୃତ ବର୍ଣ୍ଣନା ଦୃଷ୍ଟି ଗୋଚର ହୁଏ ।

 

x      x      x

ତିନିବାଡ଼େ ତିନିଲୋକ ସେବକ ପଶୁପାଳକ

ରତ୍ନ ସିଂହାସନେ ଉଭା ଯୋଡ଼ି ବେନି ପାଣିକି ।’’

 

ଗୋପାଳକୃଷ୍ଣ,ଗୌରଚରଣ ଗୌରହରି ପ୍ରଭୃତି କୃଷ୍ଣଗତପ୍ରାଣ ବୈଷ୍ଣବ । ସେମାନଙ୍କ ସୃଷ୍ଟିରେ ଯଶୋଦନନ୍ଦନ କୃଷ୍ଣଙ୍କର ଅଳିଅର୍ଦ୍ଦୋଳି ସହିତ ରାଧାକୃଷ୍ଣଙ୍କର ଯମୁନାକୂଳର ଲୀଳାଖେଳା ବ୍ୟାପକ ସୃଷ୍ଟିରେ ବର୍ଣ୍ଣିତ । ଗୋପାଳକୃଷ୍ଣଙ୍କର ‘ଜଗବନ୍ଧୁ ଦୟାଳୁ ଥାଉ ମନ କାହିଁପାଇଁ ଭାବୁରେ’ ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ ସେହି ଲୀଳାର ବର୍ଣ୍ଣନା ମଧ୍ୟରେ କେବେ ଜଗନ୍ନାଥଙ୍କ ପୀତବସନର ଉଲ୍ଲେଖ ଆପଣା ଛାଏଁ ପଶି ଆସିଛି । ଏଠାରେ ଠାକୁରରାଜା ଗଜପତି ବୀରକେଶରୀ ଦେବଙ୍କ କଥା ସ୍ଵତନ୍ତ୍ର ଭାବେ ଉଲ୍ଲେଖ କରାଯିବା ଦରକାର । ପ୍ରଭୁ ଜଗନ୍ନାଥଙ୍କର ପ୍ରଥମ ସେବକ ଗଜପତି ମହାରାଜା ‘ଭୁଜତଳେ ମୋତେ ରଖ ମହାବାହୁ, ବାହୁ ତଳେ ମୋତେ ରଖ’ ‘ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି’ ଅଥବା ‘ପତିତପାବନବାନା ଆଉ କେତେ ବେଳକୁ’ ଭଳି ଭକ୍ତିଗୀତି ରଚନା କରି ନିଜର ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ଥିବା ଐକାନ୍ତିକ ଭକ୍ତିର ପରିଚୟ ପ୍ରଦାନ କରିଛନ୍ତି-। ସେ ଗଜ, ମୃଗୁଣୀ ଦ୍ରୌପଦୀଙ୍କର ଉଦାହରଣ ଦେବା ପରେ ବୁଝାଇଛନ୍ତି-

 

“ରୋପିବାର ବୃକ୍ଷ ଗୋଟି କାଟୁଅଛ ମୂଳକୁ

ତିନିପୁରେ ଅପକୀର୍ତ୍ତି ହେବ ଆଦିମୂଳକୁ ।’’

 

ଅର୍ଥାତ୍ ତାଙ୍କ ପ୍ରତି ଦୟା ନକଲେ ଜଗନ୍ନାଥଙ୍କର ଯେଉଁ ଅପକୀର୍ତ୍ତି ହେବ, ତହିଁରୁ ରକ୍ଷା ପାଇବାକୁ ସେ ତାଙ୍କୁ ରକ୍ଷା କରିବା ଆବଶ୍ୟକ । ଏଠାରେ ସାରିଆ ଭିକଙ୍କ ଉଦାହରଣ ଅବଶ୍ୟ ଦେବା ଦରକାର । ବର୍ତ୍ତମାନ ପର୍ଯ୍ୟନ୍ତ ସାରିଆ ଭିକଙ୍କର ଏକମାତ୍ର ଭଜନ ଆମର ଉପଲବ୍ଧ, ଯାହା ହେଉଛି-

 

“ଥକାମନ ଚାଲ ଯିବା, ଚକାନୟନ ଦେଖିବା

ଶଙ୍ଖନାଭି ମଣ୍ଡଳରେ, ବେନିନେତ୍ର ପଖାଳିବା ।’’

 

ଏହି ଭଜନଟି ଜଗନ୍ନାଥ କ୍ଷେତ୍ରର ବିଭିନ୍ନ ବୈତିତ୍ର୍ୟକୁ ଉଦ୍‍ଘାଟନ କରିଥାଏ । ଯଥା- ବାଟରେ ବାଟମଙ୍ଗଳା , ଅଠରନଳା, ସିଂହଦ୍ଵାର, ବଡ଼ଦାଣ୍ଡ, ବାଇଶି ପାହାଚ, ଗରୁଡ଼ଖମ୍ଵ ଇତ୍ୟାଦି । ଏଥି ସହିତ ଭକ୍ତିର ପରାକାଷ୍ଠାର ଦେଖାଇ

 

“ସିଂହଦ୍ଵାରେ ଭିଡ଼ାଭିଡ଼ି ଗରଜୁଛି ବେତବାଜି

 

ଠେଲିଦେଇ ଯିବା ମାଡ଼ି ଧକ୍କା ବାଜିଲେ ସହିବା”ର ବର୍ଣ୍ଣନା କେତେ ଜୀବନ୍ତ ସତରେ, କଳ୍ପଲତା ଜେମାଙ୍କର “ଜଗବନ୍ଧୁ ନାଥଙ୍କୁ ଯେ ମୁରୁଛି ନୁହଁଇ”, ବାଙ୍କାଦାସଙ୍କର “ଦୀନବନ୍ଧୁ ହେ କେକି ଦେଲା ମୁଁ ନ ଦେଲି”, ରାମଚନ୍ଦ୍ର ‘ଦୀନବନ୍ଧୁ ବୋଲି ନାମ ବହିଛ’ ସହିତ ହରେକୃଷ୍ଣ ସିଂହ, ଦ୍ଵିଜ ବୈଦ୍ୟନାଥ, ଭାଗୀରଥି, ଶ୍ୟାମଭଞ୍ଜ, ଗଙ୍ଗାଧର, ଭିକାରୀ, ଦୟାନିଧି , ଦୁଃଖୀଶ୍ୟାମ, ବିପ୍ରକୃଷ୍ଣ ପ୍ରଭୃତି ଜଗନ୍ନାଥଙ୍କ ଭଜନ ଓ ଜଣାଣ ରଚନା କରି ଲୋକପ୍ରିୟତା ଅର୍ଜନ କରିଛନ୍ତି । ଏମାନଙ୍କ ବ୍ୟତୀତ ବହୁ ସ୍ଥାନୀୟ କବି ମଧ୍ୟ. ଜଗନ୍ନାଥ ଜଣାଣ ରଚନା କରିବା ସହିତ ଜଗନ୍ନାଥଙ୍କ ସହିତ ପ୍ରେମ ଓ ଭକ୍ତି ଚିରନ୍ତନ ସମ୍ପର୍କ ଯୋଡ଼ିଛନ୍ତି । ଏଭଳିକି ଅନେକ ଗୀତି କବିତାରେ ଜଗନ୍ନାଥଙ୍କ ଅବିଚାର ସମ୍ପର୍କରେ ତଥ୍ୟ ରହିଛି ତେବେ ସାଧାରଣତଃ ମୃଗୁଣୀ, ହସ୍ତୀ, ଦ୍ରୌପଦୀ, ପାଣ୍ଡବ, ଶବରୀ ପ୍ରଭୃତିଙ୍କୁ ଯେଉଁଭଳି ପ୍ରଭୁଙ୍କ କୃପା ପ୍ରାପ୍ତ ହୋଇଥିଲା, ସେହିଭଳି କରୁଣା ପାଇବାକୁ ସେମାନେ ନିବେଦନ କରିଛନ୍ତି ।

 

କବି ସାଲବେଗ ଜନମାନସରେ ଏକ ସ୍ଵତ୍ୟନ୍ତ୍ର ତଥା ସମ୍ମାନଜନକ ସ୍ଥାନର ଅଧିକାରୀ ତାଙ୍କର ଭକ୍ତିଗୀତିଗୁଡ଼ିକରେ ତାଙ୍କର କାରୁଣ୍ୟର ଜୀବନ୍ତ ପ୍ରକାଶ ପ୍ରତ୍ୟେକ ଶ୍ରୋତାକୁ ସ୍ପର୍ଶ କରିଥାଏ । ଜଗନ୍ନାଥଙ୍କ ପ୍ରତି ଐକାନ୍ତିକ ଭକ୍ତି ସତ୍ତ୍ଵେ ସେ ‘ଯବନ’ ବିଶେଷଣରୁ ମୁକ୍ତ ନୁହଁନ୍ତି । ନିଜ ଜନ୍ମ ସମ୍ପର୍କୀୟ କରୁଣ ରହସ୍ୟକୁ ଜଣାଣ ମାଧ୍ୟମରେ ସର୍ବସାଧାରଣରେ ପ୍ରକାଶ କରିଥିବା କବି ସତରେ ଅନନ୍ୟ । ‘ଏକା ତୁ ଭକତ ଜୀବନ’ ଜଣାଣର ସେହି ପଦଟି-

 

“ବାପା ମୋ ମୋଗଲ ପୁଅ ମାଆ ମୋ ବ୍ରାହ୍ମଣୀ

ଏ କୁଳେ ଜନ୍ମିଲି ହିନ୍ଦୁ ନ ଛୁଏଁ ମୋ ପାଣି”

 

ଲେଖିଥିବା ବେଳେ ସେ କେତେ ଅଶ୍ରୁ ଝରାଇ ଥିବେ, ଆଜି ଭାବିଲେ ବି ଆମ ଆଖି ଓଦା ହୋଇଯାଏ । ସେଥିପାଇଁ ତ ତାଙ୍କ ଭଜନଗୁଡ଼ିକ ଏତେ ଲୋକପ୍ରିୟ । ଆହେ ନୀଳଶଇଳ, କାଳିଆଧନ, ଆହେ ନୀଳଗିରି, ସର୍ବୋପରି ଓଡ଼ିଶାର ଚରମ ଦୁର୍ଦ୍ଦିନରେ ଲେଖାଯାଇଥିବା ଭଜନ

 

“କେଣେ ଘେନି ଯାଉଛୁ ଜଗନ୍ନାଥଙ୍କୁ

ଆମେ ଦର୍ଶନ କରିବୁ କାହାକୁ”

 

ରେ ଥିବା ପଦ ‘ବିଧାତା ବାମ ହେଲା ଓଡ଼ିଶାକୁ’ । କବିଙ୍କର ଉତ୍କଳ ପ୍ରତି ଥିବା ମମତ୍ଵବୋଧ ତଥା ଜଗନ୍ନାଥଙ୍କ ପ୍ରତିଥିବା ଐକାନ୍ତିକୀ ଭକ୍ତିର ପରିଚାୟକ ।

 

ରସାନନ୍ଦ ନବଘନ ଚାନ୍ଦଙ୍କର “ଚକାନୟନ ହେ ଜଗୁଜୀବନ ଶ୍ରୀହରୀ” ମଧ୍ୟ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ସଙ୍ଗୀତ, ଯାହା ଜଗନ୍ନାଥଙ୍କ ମହିମା ପ୍ରଖ୍ୟାପନ ପାଇଁ ରଚିତ । ଭାବ ଓ ଭାଷା ଦୃଷ୍ଟିରୁ ଏଗୁଡ଼ିକ ଓଡ଼ିଆ ସାହିତ୍ୟର ଚିରନ୍ତନ ସମ୍ପଦ ।

 

ଶ୍ରଦ୍ଧା ଭକ୍ତିର ଏହି ଚିରସ୍ରୋତାରେ ଜ୍ଞାନମିଶ୍ରା ଭକ୍ତିର ପ୍ରପାତ ମିଶି ଜଗନ୍ନାଥଙ୍କ ଧାମରେ ଏକାକାର ହୋଇଯାଇଛି । ଅଚ୍ୟୁତାନନ୍ଦଙ୍କର ଏହି ମନ ସିନା ଚତୁର୍ଦ୍ଧାମୂରତି, ଭକ୍ତ ଚରଣଙ୍କର ମନବୋଧ ଚଉତିଶା ପ୍ରଭୃତି ଏହି ଶ୍ରେଣୀର । ପୁଣି ବିରାଟ ଗୀତାରେ କୃଷ୍ଣ ଅର୍ଜ୍ଜୁନ ସଂବାଦରେ ବଳରାମଦଦାସ ଶରୀରକୁ ଶ୍ରୀମନ୍ଦିର ସହିତ ତୁଳନା କରି ଲେଖିଛନ୍ତି-

 

“ବଡ଼ଦେଉଳ ବୋଲି ଯାହା, ନିଶ୍ଚୟ ତୋହର କାୟା

ନନ୍ଦିଘୋଷଟି ଯାହା କହି , ଅର୍ଜ୍ଜୁନ ଏକା ତୋର ହେହୀ

ବଡ଼ଦାଣ୍ଡଟି ଯାହା କହି, ଅର୍ଜ୍ଜୁନ ତୋର ମୁଖ ସେହି

ବାଇଶି ପାହାଚଟି ପୁଣ, କଣ୍ଠ ତଳକୁ ହେ ଅର୍ଜ୍ଜୁନ

ଅଠର ନଳା ଯାକୁ କହି, ତୋହର ଗଳା ସେ ଅଟଇ ।’’

 

ଏଥିରେ ଶ୍ରୀକ୍ଷେତ୍ରର ସମସ୍ତ ସ୍ଥାନ ଅର୍ଜ୍ଜୁନଙ୍କ ଅବୟବରେ ପ୍ରଦର୍ଶିତ ହୋଇଛି । “ବୋହୂ ଚାଲି ନ ଜାଣଇଲୋ ପାଦ ପଡ଼ୁଥାଇଁ ବଙ୍କା, ପାଦ ପାଣି ନାହିଁ ହେ ଶୂନ୍ୟଦେହୀ, ଅଛ ଉଦେ ହୋଇ, ଅମନ ମନ୍ଦିରକୁ କର ଗମନ” ଭଳି ଭଜନ ବେଶ୍ ଲୋକପ୍ରିୟ । ଭୀମଭୋଇଙ୍କର ସ୍ତୁତି ଚିନ୍ତାମଣିରେ କବି ନିଜକୁ ଭଗବାନ ଓ ମନୁଷ୍ୟଙ୍କ ମଧ୍ୟବର୍ତ୍ତୀ ଦୂତ ବୋଲି ମନେ କରିଛନ୍ତି । ସେ ଦୁଃଖୀ, ଚିରକାଳରଙ୍କ, ମାତ୍ର ସେ ଯଦି ସୃଷ୍ଟି ନଷ୍ଟ ହୋଇଯାଉଥିବାର ସମ୍ଵାଦ ପ୍ରଭୁଙ୍କୁ ନ ଦେବେ ତେବେ ପଛରେ ପ୍ରଭୁଙ୍କ ଦ୍ଵାରା ଦଣ୍ଡିତ ହେବେ ।

 

“ବୁଡ଼ିଲା ସଂସାର ଜଣାଥିଲା ନାହିଁ

ନ ବୋଲିବ ମୋତେ ଶେଷେ ।’’

 

ଓଡ଼ିଶାର ଲୋକପ୍ରିୟ ନାଟ୍ୟକାର ଗଣ କବି ବୈଷ୍ଣବ ପାଣି ଜଗନ୍ନାଥଙ୍କ ନିମିତ୍ତ ଅନେକ ଭକ୍ତିଗୀତି ରଚନା କରିଛନ୍ତି ଯେମିତି ‘ଭାତବିକା ଜଗନ୍ନାଥ ଚାତର ସରିବ ହେ’, ‘ହାତୀ ମୁହାଁ ଜଗବନ୍ଧୁ ଜାତି ନାହିଁ ତୋହରି,’ ‘ଛାଡ଼ ମାଡ଼ଖିଆ ବୁଦ୍ଧି ହେ,’ ଭଳି ସଙ୍ଗୀତର ଆବେଦନ ସ୍ଵତନ୍ତ୍ର । ଯଦୁମଣିଙ୍କ ଭାଷାରେ-

 

“ସଙ୍ଗାତ, ଦେଖିଲେ ଯାଉଛି ଲାଖି

ଭାଲୁଣି ପରାୟେ କାଳିଆ ମୁହଁକୁ

ଚାଲୁଣି ପରାୟେ ଆଖି ।’’

 

ବାଙ୍କା ଦାସ ନାମକ ଭକ୍ତକବି ଜଗନ୍ନାଥଙ୍କୁ ଡକାୟତ ବୋଲି ମଧ୍ୟ କହନ୍ତି ।

 

ଏସବୁ ବିଚାରଠାରୁ କିଞ୍ଚିତ୍ ଆଧୁନିକ ଦିଗକୁ ଦୃଷ୍ଟି ପକାଇଲେ ଆମେ ଉପଲବ୍ଧି କରିପାରିବା ଯେ ଜଗନ୍ନାଥ ଆଉ ରାମକୃଷ୍ଣ ଶିବ ବା ଗଣେଶ ହୋଇ ରହିଲେ ନାହିଁ । ଈଶ୍ଵର ପାଲଟି ଗଲେ ପ୍ରିୟତମ, ବିଶ୍ଵଜୀବନ, ଜୀବନ ଦେବତା ପ୍ରଭୃତି । ଭକ୍ତ କବି ମଧୁସୂଦନ ପ୍ରଭୁଙ୍କୁ ‘ବିଶ୍ଵଗୁରୁ ବିଶ୍ଵରାଜ ବିଶ୍ଵପିତାମାତା, ବିଶ୍ଵଜନ ପ୍ରାଣସଖା ଦୁଃଖହାରୀ ପ୍ରାଣ ବୋଲି ଜଣାଣ କଲେ । ଗଙ୍ଗାଧର ‘ବିଶ୍ଵଜୀବନ ହେ’ ସଙ୍ଗୀତରେ ଗାଇଲେ-

 

“ତୁମ ଭଜନରେ ହେବିନାହିଁ ନାଥ ମାଳା ଜପିବାକୁ ବାଧ୍ୟ

କୋଟି କୋଟି ଗ୍ରହ କଣ୍ଠି ସେ ମାଳାର

କେ ଜପି କରିବ ସାଧ୍ୟ- ବିଶ୍ଵ ଜୀବନ ହେ ତୁମକୁ କରୁଣା ସିନ୍ଧୁ ।“

 

କବି ଗୋପବନ୍ଧୁ ଧର୍ମପଦ କଣ୍ଠରେ ଶୁଣାଇଲେ ଆତ୍ମସମର୍ପଣର ଅମର କବିତା-

 

“ନମୋ ନିରଞ୍ଜନ ନିଖିଳ ନିଦାନ ବ୍ୟାପ୍ତ ସର୍ବ ଚରାଚରେ

ପ୍ରଭୁ ଦୟାମୟ ମଙ୍ଗଳ ଆଳୟ ଜୟଜଗଦୀଶ ହରେ ।’’

 

ଏହାକୁ ଆମେ କବି ଜୟଦେବଙ୍କର ନିତ୍ୟ ନୂତନ ଦଶାବତାର ସ୍ତୁତିର ‘ଜୟ ଜଗଦୀଶ ହରେ’ର ପ୍ରତିଧ୍ୱନି ବୋଲି କହିପାରିବା ଯହିଁରେ ପୁଣ୍ୟପ୍ରେରଣା ସିଦ୍ଧ ହେବାପରା’ କବି ସେହି ପରମକାରୁଣିକଙ୍କ ଶୁଭାଶିଷ କାମନା କରିଛନ୍ତି । ବୈକୁଣ୍ଠନାଥଙ୍କର-

 

“ଜୀବନ ପାତ୍ର ମୋ ଭରିଛ କେତେ ମତେ

ନ ଦେଲ କିଛି ବୋଲି କହିବି କିହେ ଆଉ” ।

 

ସମର୍ପଣ ଭାବନାର ଅନ୍ୟ ଏକ ଉଜ୍ଜଳ ଦୃଷ୍ଟାନ୍ତ । କୁନ୍ତଳା କୁମାରୀ ଓ ମାୟାଧର ମାନସିଂହ ପ୍ରଭୃତି ମଧ୍ୟ ସମର୍ପଣ ଭାବନାରେ ଅନେକ ଗୀତି ରଚନା କରିଛନ୍ତି ।

 

କାଳୀଚରଣ ପଟ୍ଟନାୟକ, ବୈକୁଣ୍ଠନାଥ ବ୍ରହ୍ମଚାରୀ, ଲୋକନାଥ ପଟ୍ଟନାୟର, କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ପ୍ରଭୃତି ଓଡ଼ିଆ ଭକ୍ତି ସଙ୍ଗୀତ ପର୍ଯ୍ୟାୟର ଉଲ୍ଲେଖଯୋଗ୍ୟ ବ୍ୟକ୍ତି । ଆକାଶବାଣୀ ପ୍ରତିଷ୍ଠା ପରେ ଭକ୍ତି ସଙ୍ଗୀତର ଚାହିଦା ବଢ଼ିଥିଲା । ସେଥିପାଇଁ ଅନେକ କବି ଭକ୍ତି ସଙ୍ଗୀତ ରଚନା କରିଥିଲେ । କବିଚନ୍ଦ୍ର କାଳୀଚରଣଙ୍କର –

 

“କାଳିଆ ଠାକୁର ଆଉ କେତେ ନାଟ ଦେଖିବ

ଚଲାଇ ତାତି ବାଲିରେ ଦିନ ମୋର ସରିବ ।“

କିମ୍ଵା

“ବଡ଼ଦେଉଳେ ବଡ଼ ଦିଅଁ କାହିଁକି

ବଡ଼ ବୋଲାଇ ଲାଜ ନାହିଁକି –’’

 

ଠାକୁର ନିଗମାନନ୍ଦଙ୍କ ଭକ୍ତ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ହେବା ପରେ ସେ ଲେଖିଥିବା ଭକ୍ତି ସଙ୍ଗୀତଗୁଡ଼ିକର ଭଣିତାରେ ‘ଗୁରୁଦାସ’ ନାମର ଉଲ୍ଲେଖ ଦେଖାଯାଏ ।

 

ସାଧକ କବି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର ଅନେକ ଜଗନ୍ନାଥ ଭଜନ ଆକାଶବାଣୀରେ ପ୍ରସାରିତ ହୋଇ ଲୋକପ୍ରିୟ ହୋଇଛି । ସେଥିଭିତରୁ ଦୁଇଟି

 

“ଜଗନ୍ନାଥ ମୋହରି, ଜଗତରେ ଜଣେ ମୁହିଁ ତୋହରି

ତୁମ୍ଭେ ଜଗନ୍ନାଥ କରିଲେ ଅନାଥ

ଜଣାଇବି କାହା ଆଗେ ଗୁହାରୀ ।“

ବା

“ମହାବାହୁ ଘେନା ହେଉ ଏ ଗରିବ ବାରତା

ଦିନୁଁ ଦିନୁଁ ଦୁଃଖ ରାହୁ ଦେଲେ ଦୁଃଖ ଅବସ୍ଥା ।’’

 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ‘ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ’ ଭାବଭକ୍ତିର ଅନୁପମ ନିଦର୍ଶନ । ଏତଦ୍ ବ୍ୟତୀତ “ଦେ ମୋତେ ବାଇଆ କରି, ଆରେ ମୋର ବାଇଆ ରଜା” ମଧ୍ୟ ସ୍ଵତନ୍ତ୍ର ଭାବରେ ଆତ୍ମ ସମର୍ପଣର କଥା କହିଥାଏ ।

 

ବିଂଶ ଶତାବ୍ଦୀରେ ଅନେକ କବି ଭକ୍ତିଗୀତି ରଚନା କରି ଲୋକପ୍ରିୟତା ଲାଭ କରିଛନ୍ତି । ନାରୀ କବି ହରପ୍ରିୟା (ଜଗନ୍ନାଥ ବୋଲାଉଛ ଦୀନବନ୍ଧୁ), ତୁଳସୀ ଦାସ (ଚକାଆଖି ଛୁଇଁକି କହିବ ଆଖି, ସତ କହିବଟି କିଏ ବାଛି ବାଛି ଦୀନବନ୍ଧୁ ନାମ ଦେଲା କାହିଁକି), କ୍ଷୀରୋଦଚନ୍ଦ୍ର ଗୋପାଳଙ୍କର (କୋଠଭୋଗଖିଆ, ମୋ ଚକାଆଖିଆ) ପ୍ରଭୃତି ଗାୟକ କବି ପ୍ରଫୁଲ୍ଲ କରଙ୍କର ଭକ୍ତି ନିବେଦନ ଏହିଭଳି-

 

“ହୃଦକୁ କରିଛି ରତ୍ନସିଂହାସନ, ମନ ମୋର ନୀଳାଚଳ

ବିଜେ କରନାଥ ଆହେ ଜଗନ୍ନାଥ, ଧନ୍ୟ ହେଉ ଜନ୍ମ ମୋର ।”

 

କ୍ରମେ ଜଗନ୍ନାଥଙ୍କ ପ୍ରତି ସମର୍ପଣର ଭାବନା ଉଣା ହୋଇ ସେ ସ୍ଥାନରେ ଗୌରବ ଓ ଲୋକପ୍ରିୟତା ଅର୍ଜନ କବିମାନଙ୍କ ମଧ୍ୟରେ ଅଧିକ ହୋଇଛି । ଏହା ଲେଖି ମୁଁ ଆଜିର ଭକ୍ତି ସଙ୍ଗୀତ ରଚନା କରୁଥିବା କବିମାନଙ୍କୁ ନ୍ୟୁନ କରିବାର ସାହସ କରୁନାହିଁ, କାରଣ ସମୟ ହିଁ ସାମ୍ପ୍ରତିକ କବିମାନଙ୍କର ମାର୍ଗ ନିର୍ଦ୍ଧାରକ । ସେଥିରୁ କେତୋଟି ସମ୍ଭାବ୍ୟ କାରଣ-

 

(କ)

ଆଜି କରୀ ହରିଣୀ ଦ୍ରୌପଦୀଙ୍କ କଥା ପ୍ରାଚୀନ ପାଲଟିଲାଣି ।

(ଖ)

ସମ୍ପୂର୍ଣ୍ଣ ଆତ୍ମସମର୍ପଣର ସ୍ଥାନ ନେଲାଣି ଯୁକ୍ତିପ୍ରବଣତା

(ଗ)

ନିଜର ଦୁଃଖ କଥା କହି କବି ସନ୍ତୁଷ୍ଟ ହୋଇପାରୁନାହିଁ ବରଂ ଜଗତର ଆର୍ତ୍ତି ତାକୁ ସହାନୁଭୂତିରେ ସିକ୍ତ କରୁଛି ।

(ଘ)

ବିଜ୍ଞାନର ଅଭୁତପୂର୍ବ ଉନ୍ନତି ମଧ୍ୟରେ ବେଳେ ବେଳେ ଈଶ୍ଵରୀୟ ସତ୍ତା ପ୍ରତି କବିଙ୍କର ଅବିଶ୍ଵାସ ମଧ୍ୟ ଆସୁଛି ।

(ଙ)

ବିଶ୍ଵାସର ସ୍ଥାନ ସନ୍ଦେହ ନେବା ସମୟରେ ଈଶ୍ଵରଙ୍କ ଅଖଣ୍ଡଭାବ ସତ୍ତା ଖଣ୍ଡିତ ମଧ୍ୟ ହୋଇଛି ।

 

ଏସବୁ ସତ୍ତ୍ଵେ କବିମାନେ ଈଶ୍ଵରଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ଭକ୍ତି ନିବେଦନ ଜାରି ରଖିଛନ୍ତି-। କେବେ ସେମାନେ ଜଗନ୍ନାଥଙ୍କୁ ତାଙ୍କ ଘରେ ଖାଇବାକୁ ନିମନ୍ତ୍ରଣ କରୁଛନ୍ତି ତ କେବେ ତାଙ୍କ ଜମିରେ ହଳିଆ ହେବାକୁ ଡାକୁଛନ୍ତି । କେବେ ରାଧା ମନ ଚୋରି କରିବାର ପ୍ରଣାଳୀ ଶିଖାଇ ଦେବାକୁ ମଧ୍ୟ ତାଙ୍କୁ ଲୋଡ଼ୁଛନ୍ତି ।

 

ଆଧୁନିକ ଯୁଗର କେତେକ ଲୋକପ୍ରିୟ କବିଙ୍କ କଥା ଏ ପ୍ରବନ୍ଧର ଅନ୍ତିମ ପର୍ଯ୍ୟାୟରେ ଅବଶ୍ୟ ଉଲ୍ଲେଖ କରିବା ଦରକାର । ପ୍ରାୟ ପ୍ରତ୍ୟେକ ଗୀତିକାର ଜଗନ୍ନାଥଙ୍କ ପାଇଁ ଗୀତ ରଚନା କରୁଛନ୍ତି । ଯେମିତି କିଶୋର କବି ଶ୍ୟାମସୁନ୍ଦର, ସାମୁଏଲ ନାୟକ, ଶାରଦା ପ୍ରସନ୍ନ ନାୟକ, ନରସିଂହ ମହାପାତ୍ର, ଜୀବନାନନ୍ଦ ପାଣି, କୃଷ୍ଣପ୍ରସାଦ ବସୁ, ପର୍ଶୁରାମ ପଟ୍ଟନାୟକ, ପାର୍ଥସାରଥୀ ମହାପାତ୍ର, ଜୀବନାନନ୍ଦ ପାଣି, ଗୁରୁକୃଷ୍ଣ ଗୋସ୍ଵାମୀ, ନଦୀୟା ବିହାରୀ ମହାନ୍ତି, ନାରାୟଣ ପ୍ରସାଦ ସିଂହ, ଶିବବ୍ରତ ଦାସ, ବୃନ୍ଦାବନ ଜେନା, ବିନୋଦିନୀ ଦେବୀ, ନନ୍ଦ କିଶୋର ସିଂହ, ସ୍ନେହଲତା ମହାନ୍ତି, ପ୍ରଫୁଲ୍ଲ ତ୍ରିପାଠୀ ଓ ଶରତଚନ୍ଦ୍ର ରଥ ପ୍ରଭୃତି ଏମାନେ କେବଳ ଭକ୍ତିଗୀତି ଲେଖି ନାହାଁନ୍ତି ମାତ୍ର ଭକ୍ତିଗୀତିରେ ପାରଦର୍ଶିତା ଅର୍ଜନ କରିଛନ୍ତି । ଏମାନଙ୍କ ମଧ୍ୟରୁ ନାରାୟଣ ପ୍ରସାଦ ସିଂହ, ସ୍ନେହଲତା ମହାନ୍ତି, କୁମୁଦଲତା ମହାନ୍ତି, ବୃନ୍ଦାବନ ଜେନା, ଶରତ ଚନ୍ଦ୍ର ରଥ, ଗୁରୁକୃଷ୍ଣ ଗୋସ୍ଵାମୀ, ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରଦୀପ୍ତ ଷଡ଼ଙ୍ଗୀ ଓ ସୁଦର୍ଶନ ଦାସ ପ୍ରଭୃତିଙ୍କର ସ୍ଵତନ୍ତ୍ର ଭକ୍ତି ଗୀତ ସଂକଳନ ପ୍ରକାଶିତ । ଜଗନ୍ନାଥକୈନ୍ଦ୍ରିକ ଭକ୍ତିଗୀତି ଭିନ୍ନ ଅନ୍ୟ ଭକ୍ତି ଗୀତି ରଚନା କରିଥିବା କବିମାନଙ୍କୁ ଆମେ ଆଲୋଚନାର ଅନ୍ତର୍ଭୁକ୍ତ କରିନାହୁଁ ।

 

ଏ ପ୍ରବନ୍ଧରେ କେବଳ କେତେକ ଜନପ୍ରିୟ ଭକ୍ତ କବିଙ୍କର ଜଗନ୍ନାଥକୈନ୍ଦ୍ରିକ ଗୀତିର ଆଲୋଚନା ମାତ୍ର କରାଯାଉଛି । କେତେକ କେବଳ ସଙ୍ଗୀତ ଲେଖିବାକୁ ଯାଇ ଭାବଠାରୁ ଗୀତିକୁ ବିଯୁକ୍ତ କରି ଦେବାର ଦେଖାଯାଉଛି, ଯେଉଁଥିପାଇଁ ଭକ୍ତିଗୀତିରେ ନାନା ବିକୃତି ଦେଖାଯାଉଛି । ପ୍ରଥମ ଓ ପରମ ଉପଲବ୍ଧି ହେଉଛି ଭାବମୟ ସମର୍ପଣର କାମନା । ଏସବୁ ସାମୟିକ ବିକୃତିକୁ ଆଲୋଚନାରୁ ବାଦ୍ ଦେଲେ ଆମେ ଦେଖିବା ଯେ ଆମ ପରମ୍ପରାରେ ଜଗନ୍ନାଥଙ୍କ ସ୍ଥାନ ଅବିସମ୍ବାଦିତ । ତାଙ୍କ ପାଇଁ ମାନ ଅଭିମାନ ଯେତିକି ତାଙ୍କ ଯାତ୍ରା ଦେଖିବାର ଆଗ୍ରହ ତତୋଧିକ । ତାଙ୍କ କ୍ଷେତ୍ରର ବର୍ଣ୍ଣନା ଯେତିକି ମାର୍ମିକ ତାଙ୍କ ପର୍ବପର୍ବାଣୀର ଉଲ୍ଲେଖ ତା ‘ଠାରୁ ଅଧିକ ମହିମାମୟ । ମୋଟ ଉପରେ ଜଗନ୍ନାଥ ଆମ ସମାଜ ଜୀବନର ଅଲିଖିତ ମୁରବୀ ଯିଏ ସର୍ବମାନ୍ୟ, ଯିଏ ଗାଳି ସହନ୍ତି ଅଥଚ ଗର୍ବ ସହନ୍ତି ନାହିଁ । ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଆମ ଭାଷା ସାହିତ୍ୟର ରଥକୁ ସମୟର ବଡ଼ଦାଣ୍ଡରେ ମଥାଟେକି ଗଡ଼ି ଚାଲିବାର ସାମର୍ଥ୍ୟ ଦେଉ - ଏତିକି କାମନା ।

 

 

ପ୍ରଫେସର (ଅବସରପ୍ରାପ୍ତ)

ଉତ୍କଳ ବିଦ୍ୟାଳୟ

ବି/୩୫, ଶହୀଦ ନଗର, ଭୁବନେଶ୍ୱର

 

***

 

ଶ୍ରୀ ଜଗନ୍ନାଥ ଉପାସନାରେ ନୃତ୍ୟ, ବାଦ୍ୟ ଓ ସଙ୍ଗୀତର ମଧୁର ସମନ୍ଵୟ

ଦଇତାପତି ଶ୍ରୀ ରାମଚନ୍ଦ୍ର ଦାସମହାପାତ୍ର

 

ଶ୍ରୀ ନୀଳକନ୍ଦରରେ ଯୁଗ ଯୁଗ ଧରି ବ୍ରହ୍ମ ଆଲିଙ୍ଗିତା ଠାଣିରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କର ଲୀଳା ଯେପରି ରହସ୍ୟମୟ, ତାହାଙ୍କର ରୀତି, ନୀତି, ପୂଜା, ବିଧି ସର୍ବୋପରି ସେବା ଓ ସେବକ ପରମ୍ପରା ମଧ୍ୟ ଆହୁରି ବୈଚିତ୍ରପୂର୍ଣ୍ଣ । ମହାପ୍ରଭୁଙ୍କର ନୀତିବ୍ୟବସ୍ଥା ମଧ୍ୟରେ ଏକ ସ୍ଵୟଂସମ୍ପୂର୍ଣ୍ଣ ଓ ପରିଚାଳିତ ବ୍ୟବସ୍ଥା ଅନୁଭବ କରିହୁଏ ।

 

ଶ୍ରୀମନ୍ଦିରରେ ସମ୍ଭବତଃ ଖ୍ରିୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ତୃତୀୟ ଅନଙ୍ଗଭୀମ ଦେବଙ୍କ ସମୟରୁ ମହାପ୍ରଭୁଙ୍କର ନୀତି ଓ ସେବା ସୁଚାରୁରୂପେ ହେବା ପାଇଁ ଛତିଶା ନିଯୋଗ ଖଞ୍ଜା ହୋଇଥିଲା । ଶ୍ରୀପୁରୁଷୋତ୍ତମ କର୍ମାଙ୍ଗୀରେ ଏହି ସେବା ସଂଖ୍ୟା ୯୭ ଥିବାବେଳେ ୧୮୦୫ ମସିହାରେ ତତ୍‍କାଳୀନ କଲେକ୍ଟର ଗ୍ରୋମ୍ ସାହେବଙ୍କ ରିପୋର୍ଟରେ ସେବାର ସଂଖ୍ୟା ୨୫୦ ବୋଲି ଉଲ୍ଲେଖ ଥିଲା । ମାତ୍ର ୧୯୫୨ ମସିହାରେ ତିଆରି କରାଯାଇଥିବା ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ୧୧୯ ଗୋଟି ସେବା ଅଛି ବୋଲି ବର୍ଣ୍ଣନା କରାଯାଇଛି ।

 

ସମ୍ପ୍ରତି ସ୍ଵତ୍ଵଲିପି ଅନୁଯାୟୀ ବର୍ଣ୍ଣିତ ବିଭିନ୍ନ ସେବା ମଧ୍ୟରୁ କେତେଗୋଟି ସେବା ପ୍ରାୟତଃ ରହିଛି । ସେଗୁଡ଼ିକ ହେଲା-(୧) ବୀଣାକାର ସେବା, (୨) ଘଣ୍ଟୁଆ ସେବା, (୩) ତେଲିଙ୍ଗିବାଜା ବଜେଇବା ସେବା, (୪) ମହୁରୀ, (୫) କାହାଳୀ ଓ (୬) ମାଦେଳୀ (ପଖାଉଜ)

 

(୧)

ବୀଣାକାର ସେବା-ଶ୍ରୀମନ୍ଦିର ସ୍ଵତ୍ଵଲିପିର କ୍ର.ସଂ. ୭୦ ଅନୁଯାୟୀ ଦୈନନ୍ଦିନ ଚନ୍ଦନଲାଗି ସମୟରେ କଳାହାଟ ଦ୍ଵାର ଲଣ୍ଡାବର୍ତ୍ତ ତଳେ ଓ ପହୁଡ଼ ସମୟ ପୁଷ୍ପାଞ୍ଜଳି ଠାକୁର ସହ ଜୟବିଜୟ ଦ୍ଵାରଠାରୁ ଭିତର ପଲଙ୍କ ପର୍ଯ୍ୟନ୍ତ ଦୈନିକ ବୀଣା ବଜାଉଥିଲେ । ମାତ୍ର ୧୯୫୦ ମସିହାଠାରୁ ଏହି ସେବା ବନ୍ଦ ରହିଛି ।

(୨)

ଘଣ୍ଟୁଆ- ଘଣ୍ଟ ବଜାଉଥିବା ସେବକମାନେ ଘଣ୍ଟୁଆ ସେବକ ଭାବରେ ଜଣାଶୁଣା । ଏହି ଘଣ୍ଟୁଆ ସେବା ଦୁଇ ପ୍ରକାରର । ସ୍ଵତ୍ଵଲିପି ଅନୁସାରେ କ୍ର.ସଂ. ୧୦୨ରେ ଲିଖିତ ଅଛି ଯେ, ଦୈନନ୍ଦିନ ଭୋଗ ସମୟରେ ଏବଂ ଯାନିଯାତ୍ରା ସମୟରେ ବାହାରକୁ ବିଜେ କରୁଥିବା ଚଳନ୍ତି ପ୍ରତିମାଙ୍କ ଆଗରେ ଘଣ୍ଟୁଆ ସେବାୟତମାନେ ଘଣ୍ଟ ବଜାଇ ଯାଇଥାଆନ୍ତି ।

 

କ୍ର.ସଂ. ୧୦୩ ମୁତାବକ କଂସାରୀ ଘଣ୍ଟୁଆମାନେ ସ୍ନାନଯାତ୍ରା , ରଥଯାତ୍ରା ଓ ପହଣ୍ଡିବିଜେ ସମୟରେ ତଥା ନବକଳେବର ବେଳେ ଦାରୁ ଶଗଡ଼ି ଆସିବା ସମୟରେ ସେବା କରିଥାନ୍ତି ।

(୩)

ତେଲିଙ୍ଗିବାଜା – ସ୍ଵତ୍ଵଲିପିର ଭାଗ ୮୨ରେ ଏହା ବୈଜୟନ୍ତ୍ରୀ ସେବା ଭାବରେ ଖ୍ୟାତ । ଏହି ସେବାରେ ପ୍ରତ୍ୟେକ ଧୂପ ଭୋଗ ସମୟରେ, ଯାନିଯାତ୍ରା, ବାହାରବିଜେ ସମୟରେ ବୈଜୟନ୍ତ୍ରୀ ସେବାୟତ ସେବା କରିଥାନ୍ତି । ସାଧାରଣତଃ ତେଲିଙ୍ଗି ବାଜା ଓ ମହୁରୀ ସେବା ଏହାର ଅନ୍ତର୍ଭୁକ୍ତ । ମହୁରୀ ସେବା ୧୯୭୦ ମସିହାଠାରୁ ବନ୍ଦ ହୋଇଯାଇଛି । ମନ୍ଦିର ମଧ୍ୟରେ ଅନୁଷ୍ଠିତ ରାମଲୀଳା, ଚନ୍ଦନଯାତ୍ରା, ଦୋଳଯାତ୍ରା, ଝୁଲଣ ଯାତ୍ରା, ଋକ୍ମଣୀହରଣ, କୃଷ୍ଣଜନ୍ମ, ସ୍ନାନଯାତ୍ରା, ରଥଯାତ୍ରା, ସମୟରେ ଏହି ବାଦ୍ୟ ବ୍ୟବହୃତ ହୋଇଥାଏ ।

(୪)

କାହାଳିଆ- ସ୍ଵତ୍ଵଲିପି ଭାଗ ୮୪ରେ କାହାଳିଆ ସେବାର ବର୍ଣ୍ଣନା ରହିଅଛି, ଏମାନେ ପ୍ରତିଦିନ ଠାକୁରଙ୍କ ପୁଷ୍ପାଞ୍ଜଳି ପହୁଡ଼ ସମୟରେ କାହାଳୀ ବଜାନ୍ତି । ବର୍ଷ ମଧ୍ୟରେ ଯେତେଥର ଘଣ୍ଟଛତା, କାହାଳୀ ସହ ଭୋଗ ଆସେ, ସେ ସମୟରେ ମଧ୍ୟ କାହାଳୀ ବଜାଇଥାଆନ୍ତି । ସାଧାରଣତଃ ସ୍ନାନଯାତ୍ରା, ରଥଯାତ୍ରା, ଝୁଲଣଯାତ୍ରା, ଦୋଳଯାତ୍ରା, ଭିତର ଓ ବାହାର ବିଜେ ସମୟରେ କାହାଳୀ ବଜା ଯାଇଥାଏ । ତତ୍ ସଙ୍ଗେସଙ୍ଗେ ମଙ୍ଗଳାର୍ପଣ, ବେଣ୍ଟ, ସାତପୁରୀ ତାଡ଼, ଜଳଛେକ, ମକର ସଂକ୍ରାନ୍ତି, ଶୋଲଚିତା, ହାତୀବେଶ, ଖଳିଲାଗି,ଖଡ଼ିସେବା, ରାଜପ୍ରସାଦ ଆଜ୍ଞାମାଳ ବିଜେ, ଦାରୁ ଆସିବା ବେଳେ ଆଲାମଚଣ୍ଡି, ନୃସିଂହ ମନ୍ଦିର ଠାରେ ଗଜପତିଙ୍କ ମନ୍ଦିରକୁ ବିଜେ ସମୟରେ ସିଂହଦ୍ଵାର ଠାରେ କାହାଳିଆ କାହାଳୀ ବଜାଇଥାନ୍ତି । ଏହା ଏକ ବିଶେଷ ସେବା । ଏହା ନ ବଜାହେବା ପର୍ଯ୍ୟନ୍ତ ବହୁ ବିଶେଷ ନୀତିର ଆରମ୍ଭ ହୋଇନଥାଏ । ଏହା ଏକ ବିଶେଷ ସେବା । ଏହା ନ ବଳାହେବା ପର୍ଯ୍ୟନ୍ତ ବହୁ ବିଶେଷ ନୀତିର ଆରମ୍ଭ ହୋଇ ନ ଥାଏ । କାହାଳୀ- ଏକ ଶୁଭସୂଚକ ବାଦ୍ୟ ଭାବରେ ଗୃହୀତ ହୋଇଥାଏ । ବିଶେଷତଃ ରଥଯାତ୍ରା, ସମୟରେ ତିନିଗୋଟି କାହାଳୀ ବାଜିଥାଏ । (୧) ଲୋକନାଥଙ୍କର, (୨) ମନ୍ଦିରର କାହାଳିଆ, (୩) ରାଜାଙ୍କ ଘରର କାହାଳୀ ।

(୫)

ମାଦେଳୀ ସେବା (ପଖାଉଜ) – ଶ୍ରୀମନ୍ଦିର ସ୍ଵତ୍ଵଲିପିର ୭୮ ଅନୁଯାୟୀ ଏହି ସେବକ ଦୈନିକ ସକାଳଧୂପ, ପଟୁଆର ସମୟରେ, ଝୁଲଣ ଯାତ୍ରା, ଚନ୍ଦନ ଯାତ୍ରା ସମୟରେ ଚାପ ଉପରେ ସ୍ନାନବେଦୀ ସାମନା ପଟୁଆରରେ, ଷୋଳପୂଜା ସମୟରେ ବିମଳା ମନ୍ଦିରରେ ପଟୁଆରରେ ଦୋଳବେଦୀ ଉପରେ ଓ ରଥଯାତ୍ରା ସମୟରେ ଘଣ୍ଟୁଆମାନଙ୍କ ସହିତ ପଟୁଆରରେ ମର୍ଦ୍ଦଳ ବଜାଇଥାଆନ୍ତି ।

(୬)

ଶଙ୍ଖୁଆ ସେବା- ଶ୍ରୀମନ୍ଦିର ସ୍ଵତ୍ଵଲିପିର କ୍ରମିକ ନଂ ୮୫ରେ ଶଙ୍ଖୁଆ ସେବା ସମ୍ପର୍କରେ ଉଲ୍ଲେଖ ଅଛି । କିନ୍ତୁ ତ୍ସ୍ଵତ୍ଵଲିପି ପ୍ରସ୍ତୁତ ସମୟରେ ଅର୍ଥାତ୍ ୧୯୫୪ ମସିହାରେ ଶ୍ରୀମନ୍ଦିରରେ ଶଙ୍ଖୁଆ ସେବାର ବିଲୁପ୍ତି ଘଟିସାରିଥିଲା । ସ୍ଵତ୍ଵଲିପିରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଶଙ୍ଖୁଆ ସେବକ ଦୈନିକ ସକାଳ ଧୂପ ପଟୁଆରବେଳେ ଜଗମୋହନରେ ଓ ସକାଳ ବିଜେ, ଯାନିଯାତ୍ରା ଓ ବିବାହ ନୀତିରେ ଶଙ୍ଖ ବଜାଏ । ଏହି ସେବା କରୁଥିବା ପରିବାର ମଧ୍ୟରୁ କେବଳ ମାଧବ ଦାସଙ୍କ ପରିବାର ସେତେବେଳେ ଥିଲେ । ଏହି ସେବା ପାଇଁ କୌଣସି ଆର୍ଥିକ ବ୍ୟବସ୍ଥା କିମ୍ବା ମହାପ୍ରସାଦ ଖେଇ ଖଞ୍ଜା ନ ଥିବାରୁ ୧୯୨୯ ମସିହାରୁ ଏହି ସେବା ବନ୍ଦ ହୋଇଯାଇଛି ।

 

ଶ୍ରୀମନ୍ଦିର ସ୍ଵତ୍ଵଲିପି ବ୍ୟତୀତ ମାଦଳା ପାଞ୍ଜି ଓ ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥରେ ଶଙ୍ଖୁଆ ସେବାର ବିବରଣୀ ରହିଥିବା ଜମାଯାଏ । ସେତେବେଳେ ଶ୍ରୀମନ୍ଦିରର ବିଭିନ୍ନ ଧୂପ ସମୟରେ, ଯାନିଯାତ୍ରାମାନଙ୍କରେ ଏବଂ ଗଜପତି ମହାରାଜାଙ୍କ ଶ୍ରୀମନ୍ଦିରକୁ ବିଜେ ସମୟରେ ଶଙ୍ଖ ବଜା ଯାଉଥିଲା । ଏଥିରେ ଶଙ୍ଖୁଆ ସେବାକୁ ଦୁଇ ପ୍ରକାରରେ ବିଭକ୍ତ କରାଯାଉଅଛି, ଯାହାର ଅବିକଳ ବର୍ଣ୍ଣନା ଉପଲବଧ ହେଉଛି । ଯଥା:-

 

(୧)

ପାହାନ୍ତି ଅବକାଶ ନିଦ୍ରା ଅଳସ ଭାଙ୍ଗିବାକୁ ପାଣି ଶଙ୍ଖୁଆ ସେବକ ସେବା:- ଏ ରାତ୍ର ଦୁଇ ଘଡ଼ି ଥାଉଁ କବାଟ ଫେଡ଼ିବା ନିମନ୍ତେ ଜଗମୋହନ ଯୋଡ଼ା ଶଙ୍ଖ ବାଜିବ । ବଲଭ ଉତ୍ତମ ଶିଙ୍ଗାର ଭୋଗ ମୁଣୋହି ସମ୍ପୂର୍ଣ୍ଣେ ଶଙ୍ଖ ବାଜିବ । ରାଜ ବିଜୟରେ ରାଜା ଏ ପରମେଶ୍ଵରଙ୍କୁ ଦରସନ କରିବା ବେଳେ ଶଙ୍ଖ ବାଜିବ ।

(୨)

ଧୂପ ଶଙ୍ଖ ମହୁରିଆ ସେବକ ସେବା :- ଏ ତିନି ଧୂପ ବେଳେ ଶଙ୍ଖ ମହୁରି ବାଜିବ, ନାନା ପରବ ଯାତ୍ରାମାନଙ୍କରେ ଶଙ୍ଖ ମହୁରି ବାଜିବ । ଆଜିକୁ ଦୀର୍ଘ ୮୫ ବର୍ଷ ଧରି ଏହି ଶଙ୍ଖୁଆ ସେବା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇପାରୁନାହିଁ । ଏହି ସେବା ସେ ସମୟରେ ଭିତର ଗାଏଣି ନିଯୋଗ ଅନ୍ତର୍ଭୁକ୍ତ ଥିଲା ।

(୭)

ଢୋଲକି ଓ ଗିନି- ଏହି ସେବା ଶ୍ରୀମନ୍ଦିର ନିକଟସ୍ଥ ବଡ଼ଛତା ମଠର ବୈଷ୍ଣ ସନ୍ଥଙ୍କଦ୍ଵାରା କରାଯାଇଥାଏ । ଯେହେତୁ ଜୟଦେବ କୃତ ‘ଗୀତଗୋବିନ୍ଦ’ ଓ ସଙ୍ଗୀତ ପ୍ରିୟ ତାଙ୍କୁ ନିଦ୍ରାରୁ ଉଠାଇବା ସମୟରେ କେତେକ ଭକ୍ତ, ସେବକ ଓ ବଡ଼ଛତା ମଠର ସନ୍ଥଙ୍କଦ୍ଵାରା ଢୋଲକି ଗିନି ଧରି ଜଗମୋହନରେ ଉପସ୍ଥିତ ରହି ମଙ୍ଗଳାଆଳତୀ ନୀତି ସମାପ୍ତ ହେବା ପୂର୍ବରୁ ଜୟଦେବ କୃତ ଗୀତଗୋବିନ୍ଦ ଗାନ କରାଯାଇଥାଏ ।

 

ସେହିଭଳି ଶ୍ରୀଠାକୁରମାନଙ୍କ ପହୁଡ଼ ସମୟରେ ମଧ୍ୟ ପାରମ୍ପରିକ ଭାବରେ ଏହି ବୈଷ୍ଣବ ବାବାଜୀମାନେ ଢୋଲକି ଓ ଗିନି ବଜାଇ ଜଗମୋହନରୁ ସାତ ପାହାଚ, ଭିତର ବେଢ଼ା ଓ ବାଇଶି ପାହାଚ ଦେଇ ସିଂହଦ୍ଵାର ଅତିକ୍ରମ କରିବା ପରେ ସିଂହଦ୍ଵାର ବନ୍ଦ କରାଯାଇଥାଏ ।

(୮)

ଝାଞ୍ଜି:- ସ୍ଵତ୍ଵଲିପି ମୁତାବକ ଶ୍ରୀମନ୍ଦିରରେ ପ୍ରତ୍ୟେକ ଧୂପ ସମୟରେ, ଯଥା-ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଦୂପ ଭୋଗ ଟେରା ପଡ଼ିବା ସମୟରେ ଜଗମୋହନରେ (ନାଟ ମନ୍ଦିରରେ) ଝାଞ୍ଜ ବଜାଇ ମନ୍ଦିରର ଭିତର ବେଢ଼ାର ମନ୍ଦିର ଚାରିପାଖରେ ପରିକ୍ରମା କରି ପୁନର୍ବାର ମନ୍ଦିର ଜଗମୋହନରେ ଟେରା ଫିଟି ଧୂପ ଭୋଗ ଆଳତୀ ଶେଷ ହେବା ପର୍ଯ୍ୟନ୍ତ ଝାଞ୍ଜ ବଜାଇଥାନ୍ତି । ଏହି ସେବା ସ୍ଵତ୍ଵଲିପି ମୁତାବକ ଝାଡ଼ୁ ମଠର ଥିଲା । କାଳକ୍ରମେ ଏହା ବନ୍ଦ ହୋଇ ଯାଇଥିବାରୁ କିଛି କାଳ ଉତ୍ତର ପାର୍ଶ୍ଵ ମଠ ସେବା କରିଥିଲେ । ବର୍ତ୍ତମାନ ଜନୈକ ବୈଷ୍ଣବ ବାବାଜୀ ଏହି ଝାଞ୍ଜ ସେବା କରି ଆସୁଅଛନ୍ତି ।

 

ଶ୍ରୀଜଗନ୍ନାଥ କେବଳ ଭାବ ଓ ଭକ୍ତିର ଠାକୁର ନୁହଁନ୍ତି, ସେ ହେଉଛନ୍ତି, ରାଜରାଜେଶ୍ଵର, ରାଜାଧିରାଜ ମହାପ୍ରଭୁଙ୍କ ସକାଳ ଦ୍ଵାରଫିଟାଠାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ସେ ଯେପରି ମାନବୀୟଲୀଳାରେ ଭକ୍ତମାନଙ୍କ ସୁଖଦୁଃଖ ସହ ବୁଡ଼ି ରହନ୍ତି, ସେହିଭଳି ନିମଜ୍ଜିତ ହୁଅନ୍ତି, ନୃତ୍ୟ, ସଙ୍ଗୀତ, ବାଦ୍ୟର ସଂସାର ମଧ୍ୟରେ । ତତ୍କାଳୀନ ରାଜା ମହାରାଜାମାନେ ଶ୍ରୀମନ୍ଦିରରେ ସଙ୍ଗୀତ, ନୃତ୍ୟ ଓ ବାଦ୍ୟର ସେବା ପ୍ରଚଳନ କରି କେବଳ ଶ୍ରୀଜୀଉଙ୍କର ନୁହେଁ ବରଂ ଓଡ଼ିଶାର କଳା ସଂସ୍କୃତିର ନାମ ଉର୍ଦ୍ଧ୍ଵମୁଖୀ କରିଯାଇଛନ୍ତି ।

 

।। ଜୟ ଜଗନ୍ନାଥ ।।

ଦୋଳମଣ୍ଡପ ସାହି , ପୁରୀ

 

***

 

ଶାବର ଶ୍ରୀକ୍ଷେତ୍ର କୋରାପୁଟ ଏକ ଅଭିନବ

Unknown

ଐତିହ୍ୟର ଉପହାର

ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ

 

ବଣ ପାହଡ଼ ଓ ସୁନ୍ଦର ସବୁଜିମାରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଯାହାର ସହର ମହକୁମା କୋରାପୁଟଠାରେ ରହିଛି, ସେଠାରେ ଅଛି ଶାବର ଶ୍ରୀକ୍ଷେତ୍ର । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନେ ପୂଜା ପାଆନ୍ତି । ଶ୍ରୀକ୍ଷେତ୍ର ପୁରୀରେ ବାରମାସକୁ ତେର ପର୍ବରେ ତିନି ଠାକୁରମାନଙ୍କୁ ଯେଉଁ ଯେଉଁ ଦିବ୍ୟ ରୂପରେ ଭୂଷିତ କରାଯାଏ ସେ ସବୁ ବେଶର ପ୍ରତୀକମାନ ମଧ୍ୟ ଦର୍ଶନ ନିମିତ୍ତ ଏଠାରେ ସ୍ଥାନ ପାଇଛି । ଏତଦ୍‍ବ୍ୟତୀତ ସାରା ଭାରତବର୍ଷରେ ବିଖ୍ୟାତ ପୁଣ୍ୟତୀର୍ଥମାନଙ୍କରେ ପୂଜିତ ଦେବଦେବୀମାନଙ୍କର ମୂର୍ତ୍ତି ମଧ୍ୟ ଏଠାରେ ବିଦ୍ୟମାନ । ପ୍ରଭୁ କାଶୀବିଶ୍ଵନାଥ ଓ ଅମରନାଥଙ୍କ ଦର୍ଶନରେ ଅପାର ଆନନ୍ଦ ମିଳେ । ଭକ୍ତର ଭାବପ୍ରବଣତା ବଢ଼ିଯାଏ ଓ ଭାରତବର୍ଷର ସମସ୍ତ ତୀର୍ଥଭୂମି ଭ୍ରମଣ କଲା ପରି ମନେ ହୁଏ । ପ୍ରକୃତିର ସୁନ୍ଦର ପରିବେଶ ମଧ୍ୟରେ ଦେବଦେବୀମାନଙ୍କର ମୃଣ୍ମୟ ମୂର୍ତ୍ତିମାନ ଭକ୍ତ ହୃଦୟରେ ଉଲ୍ଲାସ ଭରିଦିଏ । ଶାବର ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତ ଭାବବିହ୍ଵଳ ହୋଇପଡ଼େ । ତା’ ଛଡ଼ା ବିଭିନ୍ନ ପ୍ରକାରର ଭୋଗ ସହିତ ଅନ୍ନପ୍ରସାଦରେ ଭକ୍ତ ତୃପ୍ତି ପାଏ । ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିର ଅପେକ୍ଷା ଶାବର ଶ୍ରୀକ୍ଷେତ୍ରର ପୂଜାବିଧି ଭିନ୍ନ । ଯାହା ପ୍ରାରମ୍ଭରୁ ମନ୍ଦିରର ଅନନ୍ୟ ନାମ ହିଁ ପ୍ରଦାନ କରେ । ଶାବର ଶ୍ରୀକ୍ଷେତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧନ କରିବା । ହଁ ! ସେହି ଅଧିକାର ପ୍ରଦାନ କରିବା ଲକ୍ଷ୍ୟରେ ‘ଶାବର ଶ୍ରୀକ୍ଷେତ୍ର’ କୋରାପୁଟ ସହରର ପାବଲି ନାମକ ଏକ ଟାଙ୍ଗରା ପାହାଡ଼ର କେନ୍ଦ୍ରସ୍ଥଳରେ ଶ୍ରୀଜଗନ୍ନାଥ ମନ୍ଦିର ଅବସ୍ଥିତ । ବହୁ ବର୍ଷର ଚେଷ୍ଟା ଓ ସଂଗ୍ରାମର ଫଳ ହେଉଛି ଶାବର ଶ୍ରୀକ୍ଷେତ୍ର । ଏମିତି ଏକ ଧର୍ମ ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଧର୍ମପରାୟଣ ଓ ସମାଜସେବୀମାନେ ଏକ ନିଷ୍ଠାରେ କାର୍ଯ୍ୟକରି ପରିଶେଷରେ କୃତକାର୍ଯ୍ୟ ହୋଇଛନ୍ତି । ପ୍ରତ୍ୟେକଟି କାର୍ଯ୍ୟ ମଣିଷର ଉଦ୍ୟମରେ ସମ୍ପାଦିତ ହେଉଥିଲେ ହେଁ ଏହାର ଆଢୁଆଳରେ ଯେ ବିଶ୍ଵନିୟନ୍ତାଙ୍କ ହାତ ରହିଛି ଏହା ସର୍ବସମ୍ମତ । ଏମିତି ହିଁ ଘଟିଛି ଶାବର ଶ୍ରୀକ୍ଷେତ୍ର ନିର୍ମାଣର ପ୍ରତ୍ୟେକ ସୋପାନରେ । ଯେଉଁ ଅନୁଷ୍ଠାନ ଜନସମୂହର ଉନ୍ନତି ନିମିତ୍ତ ଗଢ଼ିଉଠେ ତାହା ଏକ ଶାଶ୍ଵତ ଅନୁଷ୍ଠାନ ଏବଂ ଏହାକୁ ପ୍ରତିଷ୍ଠା କରିବାର ନିଷ୍ପତ୍ତି ସ୍ଵୟଂ ଭଗବାନ ହିଁ ନେଇ ଥାଆନ୍ତି । ସମାଜରେ ଅବହେଳିତ ତଥା ଅନୁନ୍ନତ ଆଦିବାସୀ ଯେଉଁମାନେ ମୁଖ୍ୟସ୍ରୋତରୁ ଯଥା ସମ୍ଭବ ଦୂରରେ ଏବଂ ପ୍ରକୃତିର କୋଳରେ ପ୍ରତିକୁଳ ପରିବେଶ ସହିତ ନିଜକୁ ଖାପଖୁଆଇ ଆସିଛନ୍ତି ସେହିମାନଙ୍କ ଉନ୍ନତି ନିମନ୍ତେ ଶାବର ଶ୍ରୀକ୍ଷେତ୍ର ନିର୍ମାଣ ଥିଲା ଏକ ଅଭିନବ ପ୍ରୟାସ । ଯଦିଓ ଡି.ଏ.ଭି. କଲେଜ୍ ପରିସରରେ ଆୟୋଜିତ ଏକ ସଭାରେ ମନ୍ଦିର ନିର୍ମାଣ ପ୍ରଶ୍ନ ଉଠିଥିଲା ଏବଂ ଆଲୋଚନା ମାଧ୍ୟମରେ କଥା ଆଗେଇ ଥିଲା କିନ୍ତୁ ଏହାର ସୂତ୍ରଧର ନିଜେ ଜଗନ୍ନାଥ ବୋଲି ବିଶ୍ଵାସ କରାଯାଏ । ସଦାସର୍ବଦା ମଠ, ମନ୍ଦିର ଓ ଆଶ୍ରମ ଅସହାୟମାନଙ୍କୁ ସହାୟ ହୋଇଥାଏ ଏବଂ ଅବହେଳିତମାନଙ୍କୁ ଉନ୍ନତି ପଥରେ ଆଗେଇ ନିଏ । ସେମିତି ଏକ ଅନୁଷ୍ଠାନ ହେଉଛି ଶାବର ଶ୍ରୀକ୍ଷେତ୍ର ଯାହା କୋରାପୁଟର ସମସ୍ତ ଅନୁନ୍ନତ ଆଦିବାସୀମାନଙ୍କ ପାଇଁ ଉଦ୍ଧିଷ୍ଟ । ଶାବର ଶ୍ରୀକ୍ଷେତ୍ରକୁ କୋଳେଇଥିବା ପାବଲି ପାହାଡ଼ ୧୯୭୨ ମସିହା ପୂର୍ବରୁ ଏକ ଚର୍ଚ୍ଚିତ ଧର୍ମ କ୍ଷେତ୍ରରେ ଆଖ୍ୟା ପାଇ ନ ଥିଲା ।

 

ଅବିଭକ୍ତ କୋରାପୁଟ ଜିଲ୍ଲା ଏବର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାକୁ ନେଇ ଗଠିତ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଦାୟୀ, କନ୍ଧ, କୋୟା, ଡଙ୍ଗରିଆ, ପରଜା, ବୋଣ୍ଡା, ଗଡ଼ବା, ବାଗଟା, ଭୂମିଜ, ଶବର, ଡାଲ୍, ଖଣ୍ଡ, ଚେଞ୍ଚୁ, ସାନ୍ତାଳ ଏବଂ ଲୋଧା ଆଦି ଆଦିବାସୀ ସମ୍ପ୍ରଦାୟ ବାସ କରନ୍ତି । ସେମାନଙ୍କ ମଧ୍ୟରୁ କେତେକ ଆଦିବାସୀ ଗୋଷ୍ଠୀ ଯଥା ବୋଣ୍ଡା, ଡଙ୍ଗାରିଆ, ଚେଞ୍ଚୁ, ଶବର ଲୋଧା ଆଦି ଆଦିମ ଆଦିବାସୀ ବା Primitive Tribeର ମାନ୍ୟତା ପାଇଛନ୍ତି । ଏହି ଆଦିମ ଆଦିବାସୀ ଗୋଷ୍ଠୀମାନେ ସମାଜରେ ବାସ କରୁଥିବା ସାଧାରଣ ବର୍ଗ ଏପରିକି ଅନ୍ୟାନ୍ୟ ଆଦିବାସୀମାନଙ୍କଠାରୁ ବହୁ କ୍ଷେତ୍ରରେ ଭିନ୍ନ ଅଟନ୍ତି । ଏମାନେ ସବୁଠାରୁ ସହଜ ଏବଂ ସାଧାରଣ ହତିଆର ବ୍ୟବହାର କରି ପ୍ରକୃତିରୁ ହିଁ ଜୀବନ ଧାରଣ ନିମନ୍ତେ ଜୀବନର ସମସ୍ତ ଆବଶ୍ୟକୀୟ ପଦାର୍ଥ ସଂଗ୍ରହ କରିଥାନ୍ତି । ଜୀବନର ସର୍ବାଧିକ ସମୟ ହିଁ ବଞ୍ଚିବା ନିମିତ୍ତ ଖାଦ୍ୟ ସଂଗ୍ରହରେ ଉପଯୋଗ କରିଥାନ୍ତି । ଏମାନେ ନିଜ ଗୋଷ୍ଠୀମଧ୍ୟରେ ହିଁ ନିଜକୁ ସୀମିତ ରଖନ୍ତି ଏବଂ ସାଧାରଣତଃ ବାହ୍ୟ ଜଗତରୁ ବିଚ୍ଛିନ୍ନ ଥାଆନ୍ତି । ପୂର୍ବପୁରୁଷରୁ ମାନି ଆସୁଥିବା ନୀତି, ନିୟମ ଓ ପରମ୍ପରାରେ ପର୍ଯ୍ୟବସିତ ଏମାନଙ୍କ ଜୀବନ ଯାହା ଜୀବନକୁ ଆଗେଇ ନେବାର ଏବଂ ଆଜି ମଧ୍ୟ ସମାଜରେ ଏମାନଙ୍କ ସ୍ଥିତିରେ ଆଧାର ଅଟେ । ୧୯୭୨ ମସିହା ପୂର୍ବରୁ ନିଜନିଜର କୌଳିକବୃତ୍ତି ଓ ତତ୍‍ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଗୌଣ ଜୀବନ ଜୀବିକା ଅବଲମ୍ବନ କରି ଜୀବନ ନିର୍ବାହ କରୁଥିଲେ କୋରାପୁଟର ଆଦିବାସୀ ବୃନ୍ଦ । ବହୁବିଧ ଜୀବିକା ଆପଣେଇଲେ ମଧ୍ୟ ପୋଡ଼ୁ ଚାଷକୁ ପ୍ରାଧାନ୍ୟ ଦେଉଥିଲେ ।

 

ଅନ୍ୟାନ୍ୟ ଆଦିବାସୀମାନେ ଯଥା ଭୂମିଜ, ସାନ୍ତାଳ, କନ୍ଧ, ଗଦବା ଆଦି ମୁଖ୍ୟବୃତ୍ତି ସହିତ ଅନ୍ୟ କିଛି କିଛି ଜୀବିକା ଆପଣେଇ ପ୍ରତିପୋଷଣର ଦାୟିତ୍ଵ ତୁଲାଉଥିଲେ । ଆଦିମ ଆଦିବାସୀମାନେ ଶୀକାର କରିବା ସହିତ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ଯଥା ଡାଳ, ପତ୍ର, ଗୁଳ୍ମ, ଘାସ, ଲତା, ଚେର, ମୂଳ, ଫଳ, ଫୁଲ, ଔଷଧୀୟ ଦ୍ରବ୍ୟ, ଛତୁ, ଉଇ, ଜନ୍ଦା, ମହୁ, ଲାଖ, ଝୁଣା, ଖାଦ୍ୟ ଉପଯୋଗୀ ଫଳମଞ୍ଜି, କାଠ, ଦାନ୍ତକାଠି, ମହୁଲ, ଶାଳମଞ୍ଜି, ବାଉଁଶ, ବେତ, କରଞ୍ଜ, କେନ୍ଦୁପତ୍ର ଆଦି ସଂଗ୍ରହ କରୁଥିଲେ । ବନରୁ ପାଉଥିଲେ ଖାଦ୍ୟ, ପାନୀୟ, ଗୋଖାଦ୍ୟ, ଔଷଧ, ଘରତିଆରି ସାମଗ୍ରୀ ଏବଂ ତନ୍ମଧ୍ୟରୁ ବଳକା ଦ୍ରବ୍ୟ ସ୍ଥାନୀୟ ସାପ୍ତାହିକ ହାଟରେ ବଦଳାଇ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପଦାର୍ଥ କ୍ରୟ କରି ନିଜର ଗୁଜରାଣ ମେଣ୍ଟାଉଥିଲେ । ସେମାନେ ଯେଉଁ ଘାସ, ଲତା, ବେତ ଆଦି ସଂଗ୍ରହ କରୁଥିଲେ ସେଥିରୁ ମଶିଣା, ଦଉଡ଼ି, ପାଛିଆ, ଝାଡ଼ୁ ତିଆରି କରି ଅର୍ଥ ଉପାର୍ଜନ କରୁଥିଲେ । ମୂଲ୍ୟବାନ ପଦାର୍ଥ ଯଥା ଶାଲମଞ୍ଜି, ବାଉଁଶ, ମହୁ, ଝୁଣା ଆଦିରୁ ମଧ୍ୟ କିଛି ଉପାର୍ଜନ ହେଉଥିଲା । ଶିକାର କରିବା ସହିତ ଜଙ୍ଗଲରେ ଉପଲବ୍ଧ ଜଳାଶୟରୁ ମାଛ ମଧ୍ୟ ଧରୁଥିଲେ । ଘାସ, ପତ୍ରର ସୁବିଧା ଥିବାରୁ ଗୃହପାଳିତ ପଶୁପାଳନ କରୁଥିଲେ । ଏମିତି ବହୁବିଧ ଜୀବିକା ଆପଣେଇ ଜୀବନ ଅତିବାହିତ କରୁଥିଲେ । ଶବର ଏକ ଆଦିମ ଆଦିବାସୀ, ଯେଉଁମାନେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ କୋରାପୁଟ ଆଦି ଜିଲ୍ଲାରେ ବସବାସ କରନ୍ତି । ସମାଜର ଚତୁର୍ବର୍ଗ ବିଭକ୍ତୀ କରଣରେ ଶୀର୍ଷସ୍ଥାନ ନିର୍ମିତ ନୁହେଁ ବରଂ ଧରମ ସମ୍ବନ୍ଧୀୟ ରୀତିନୀତି ଆଧାରରେ ଶବର ଗୋଷ୍ଠୀ ନିଜକୁ ଅନ୍ୟାନ୍ୟ ଆଦିବାସୀ ଏପରିକି ଉଚ୍ଚ ଜାତି ଆଗରେ ନିଜର ଜଗନ୍ନାଥଙ୍କ ସହିତ ଥିବା ସମ୍ପର୍କକୁ ନେଇ ଗୌରବାନ୍ଵିତ ମନେ କରନ୍ତି । କେବଳ ସେତିକି ନୁହେଁ ସେମାନେ ବହୁ ଉଚ୍ଚବର୍ଗ ତଥା ବ୍ରାହ୍ମଣମାନଙ୍କଠାରୁ ମଧ୍ୟ ରନ୍ଧାଖାଦ୍ୟ ଗ୍ରହଣ କରନ୍ତି ନାହିଁ ।

 

ସ୍ଵାଧୀନତା ପୂର୍ବରୁ ଓ ପରେ ସରକାର ବିଭିନ୍ନ ଉନ୍ନତି ମୂଳକ ଯୋଜନା ଆଦିବାସୀମାନଙ୍କ ଉନ୍ନତି ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରିଆସୁଛନ୍ତି । ଏପରିକି ୫୦% ରୁ ଅଧିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ Scheduled Area ରେ ଘୋଷଣା କରାଯାଇଛି । କିଛି ଦଶନ୍ଧି ହେଲା ଆଦିବାସୀ ଉପଯୋଜନା Tribal Sub-plan ମଧ୍ୟ କାର୍ଯ୍ୟକାରୀ ହୋଇଆସୁଛି । ସରକାରଙ୍କ ଉନ୍ନତିମୂଳକ ଯୋଜନା ଅବଶ୍ୟ ଆଦିବାସୀମାନଙ୍କ ଜୀବନଧାରାକୁ ବହୁମାତ୍ରାରେ ପ୍ରଭାବିତ କରିଛି କିନ୍ତୁ ଆଜି ବି କୋରାପୁଟର ଆଦିବାସୀମାନଙ୍କ ଜୀବନରେ ଆହୁରି ବହୁତ ସମସ୍ୟା ଅଛି । ଏସବୁ ତ ସାମାଜିକ ଚଳଣି, ଚେତନା, ଅର୍ଥନୈତିକ ଉନ୍ନତି ଏବଂ ଉନ୍ନତ ଜୀବନ ଶୈଳୀର କଥା, ଏତଦ୍‍ବ୍ୟତୀତ ଆହୁରି କିଛି କିଛି ଯାହା ଆଜି ପର୍ଯ୍ୟନ୍ତ ‘ଅକୁହା କଥା’ ପରି ରହିଯାଇଛି । ତାହା ହେଉଛି ଶବର ହୃଦୟର ଭାବ । ଶ୍ରୀଜଗନ୍ନାଥଙ୍କ ସହିତ ପ୍ରିତି ଯୋଡ଼ିବାର ଇଚ୍ଛା, ବିଗତ ସ୍ମୃତିକୁ ଅଙ୍ଗେ ନିଭେଇବାର ମନସ୍କାମନା । ଜଗନ୍ନାଥଙ୍କୁ ନିକଟରେ ପାଇ ସେବା କରିବାର ଇଚ୍ଛା କହିବାକୁ ଗଲେ ଶାବର ଶ୍ରୀକ୍ଷେତ୍ର ବହୁ ମାତ୍ରାରେ ନିରାଶ୍ରୟକୁ ଆଶ୍ରୟ ଏବଂ ନିଷ୍ପେଷିତକୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହୋଇଛି । କେବଳ ସମାଜରେ ବାସ କରୁଥିବା କିନ୍ତୁ ମୁଖ୍ୟ ସ୍ରୋତରୁ ବିଚ୍ଛିନ୍ନ ଜନଜାତିମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନୁହଁ ବରଂ ବହୁଯୁଗରୁ ଜଗନ୍ନାଥଙ୍କୁ ସେବା କରିବାର ଅଧିକାରୁ ବଞ୍ଚିତ ଥିବା ଜନଜାତି ଗୋଷ୍ଠୀକୁ ଶାବର ଶ୍ରୀକ୍ଷେତ୍ରରେ ପୂଜକ ଭାବରେ ନିୟୋଜିତ କରିବା ଏହି ଅନୁଷ୍ଠାନର ଏକ ଅଭିନବ ପଦକ୍ଷେପ । ଏହା ଏଠାରେ ସୂଚାଇ ଦେବାକୁ ହେବ ଯେ ଅନ୍ୟ କେତେକ ମନ୍ଦିର ପରି ଏଠାକାର ପୂଜକ ଆଦିବାସୀ ସମ୍ପ୍ରଦାୟର ହେବା ପରମ୍ପରା ନାହିଁ, କିନ୍ତୁ ବର୍ଷର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନେ ସେବାୟତର ଦାୟିତ୍ଵ ବହନ କରିଥାନ୍ତି । ଅନ୍ୟାନ୍ୟ ଜଗନ୍ନାଥଙ୍କ ମନ୍ଦିର ପରି ଏଠାରେ ମଧ୍ୟ ଶ୍ରୀଜୀଉମାନଙ୍କର ପୂଜାବିଧି, ରୀତି, ନୀତି, ବେଶ ଆଦି ସେବାୟତମାନଙ୍କ ଦ୍ଵାରା ସମାପନ ହୋଇଥାଏ । ଆଦିବାସୀମାନଙ୍କର ଶାବର ଶ୍ରୀକ୍ଷେତ୍ର ପୂଜାକର୍ମରେ ନିୟୋଜିତ ହେବା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ । କେବଳ ସେତିକି ନୁହେଁ, ଅଧୁନା ଏହି ମନ୍ଦିର ହେଉଛି ଆଦିବାସୀମାନଙ୍କର ପ୍ରାଣକେନ୍ଦ୍ର ଏବଂ ଆଦିବାସୀ ସଂସ୍କୃତିକୁ ଏକ ଅନନ୍ୟ ଉପହାର । ଶାବର ଶ୍ରୀକ୍ଷେତ୍ର ପ୍ରାଙ୍ଗଣରେ ଏକ ଆଦିବାସୀ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଏବଂ ଆଦିବାସୀମାନଙ୍କର ଜୀବନଜୀବିକା, କଳା, ହସ୍ତଶିଳ୍ପ ପର୍ବପର୍ବାଣୀ, ସାମାଜିକ ଚଳଣି, ନୃତ୍ୟସଙ୍ଗୀତ, ପୂଜାବିଧି ଆଦିର ନମୁନା ସଂଗ୍ରହ କରାଯାଇ ଏଠାରେ ରଖାଯାଇଛି । ଗବେଷଣାଗାର ସଂଲଗ୍ନ ଆଦିବାସୀ ଜୀବନ ସମ୍ବନ୍ଧୀୟ ଶ୍ରୀଲେଖା ଏବଂ ଅଭିଲେଖାରେ ପରିପୂର୍ଣ୍ଣ ଏକ ପାଠାଗାର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଆଦିବାସୀ ସଂସ୍କୃତିକୁ ବଞ୍ଚାଇବା, ଏହା ଉପରେ ଜନସଚେତନତା ସୃଷ୍ଟି କରିବା ଏବଂ ଏପରିକି ଅନନ୍ୟ କୃତିକୁ ବିଶ୍ଵ ଦରବାରରେ ପରିଚୟ ପ୍ରଦାନ କରି ପୁରସ୍କୃତ କରିବା ମଧ୍ୟ ଅନୁଷ୍ଠାନର ଲକ୍ଷ୍ୟ । ଶାବର ଶ୍ରୀକ୍ଷେତ୍ରର ଗବେଷଣା କେନ୍ଦ୍ର ଆଦିବାସୀମାନଙ୍କ ଜୀବନଜୀବିକା କଳା, ସଂସ୍କୃତି ଓ ଜୀବନ ଶୈଳୀ ଉପରେ ବହୁ ଆଲୋଚନା ଚକ୍ରର ଆୟୋଜନ କରେ । ଏହି ଆଲୋଚନାଚକ୍ରରେ ଖ୍ୟାତନାମା ଗବେଷକ, ଲେଖକ, ସମାଜସେବୀ, ଶିକ୍ଷାବିତ୍ ଆଦି ଭାଗ ନିଅନ୍ତି । କେବଳ ସେତିକି ନୁହେଁ, ବର୍ତ୍ତମାନ ଏହି ମନ୍ଦିର ଆଦିବାସୀ ସଂସ୍କୃତିର କେନ୍ଦ୍ରସ୍ଥଳ ସାଜିଛି । ସର୍ବୋପରି ଶାବରଶ୍ରୀକ୍ଷେତ୍ର ଏ ଅଞ୍ଚଳର ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରା, ରୀତି, ନୀତି, ଜୀବନ ଜୀବିକା, ଜୀବନଶୈଳୀ, ଖାଦ୍ୟପେୟ, ପୋଷାକ ପରିଚ୍ଛେଦକୁ ବହୁ ମାତ୍ରାରେ ପ୍ରଭାବିତ କରିଛି । ଏହା ପାଲଟିଯାଇଛି ଆଦିବାସୀ ଭାବନାର କେନ୍ଦ୍ରବିନ୍ଦୁ ଏବଂ ସେମାନଙ୍କର ହୃଦୟର ସ୍ପନ୍ଦନ । ଶାବର ଶ୍ରୀକ୍ଷେତ୍ର ଏଠାକାର ଅଧିବାସୀମାନଙ୍କର ଚିନ୍ତନ, ଭାବଧାରା, ନୈତିକତା, ଆଧ୍ୟାତ୍ମିକତା ଏବଂ ସର୍ବୋପରି ମଣିଷର ଭାବପ୍ରବଣତାକୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ କୋରାପୁଟ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଛି । ଆଜି କୋରାପୁଟ ସହର କହିଲେ ମନରେ ଶାବର ଶ୍ରୀକ୍ଷେତ୍ରହିଁ ଉଙ୍କି ମାରୁଛି । ଏ ଜିଲ୍ଲାବାସୀ ନିଜର ଖୁସି ବାଣ୍ଟିବାକୁ ବାହ୍ୟ ଜଗତରୁ ବନ୍ଧୁମାନଙ୍କୁ ଆମନ୍ତ୍ରଣ କରି ଆତ୍ମ ସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ନିଜକୁ ଗୌରବାନ୍ଵିତ ମନେକରୁଛନ୍ତି । ଭକ୍ତମାନଙ୍କର ରାତ୍ରିଯାପନ ଏବଂ ସୁରକ୍ଷା ନିମନ୍ତେ ଅତିଥି ଗୃହ ନିର୍ମାଣ କରାଯାଇଛି ।

 

ଶାବର ଶ୍ରୀକ୍ଷେତ୍ର ଏଠାକାର ଅଧିବାସୀମାନଙ୍କର ମାନ ସମ୍ମାନ ବଢ଼ାଇ ଦେଇଛି । କୋରାପୁଟର ଜନଜାତିମାନଙ୍କ ମନରେ ହସ ଭରି ଦେଇଛି । ଆଦିବାସୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଶାବର ଶ୍ରୀକ୍ଷେତ୍ରର ମୂଳଲକ୍ଷ୍ୟ ହୋଇଆସିଛି । ହେଲେ ଏମିତି ଏକ ଅନୁଷ୍ଠାନକୁ ନେଇ ମନରେ ବହୁ ପ୍ରଶ୍ନ ଉଙ୍କିମାରେ । ଶାବର ଶ୍ରୀକ୍ଷେତ୍ରର ପ୍ରାରମ୍ଭ, ରୂପରେଖ, ନିର୍ମାଣ ଏବଂ ସମାପନ କେବେ ଓ କେମିତି ହୋଇଥିଲା ଇତ୍ୟାଦି । ମନ୍ଦିରନିର୍ମାଣର ଇତିହାସ ପୃଷ୍ଠାରେ ସ୍ଥାନ ପାଇଛି ସ୍ଥାନୀୟ ବାସିନ୍ଦାଙ୍କ ନିର୍ମାଣର ପ୍ରଚେଷ୍ଟା, ନିଷ୍ଠା, ମନୋବଳ, ମନ୍ଦିରନିର୍ମାଣ ସହିତ ସମ୍ପର୍କ ଥିବାର କାହାଣୀ, କିମ୍ବଦନ୍ତୀ, ବିଶ୍ଵାସ ଲୋକକଥା ଏବଂ ସ୍ଵପ୍ନ ଇତ୍ୟାଦି । ଏହି ପରିପ୍ରେକ୍ଷୀରେ ଆହୁରି ମଧ୍ୟ ଜାଣି ହୁଏ ଉନ୍ନତି ପଥରେ ବାଧାବିଘ୍ନ, ଘାତ, ପ୍ରତିଘାତ ଏବଂ ସମାଲୋଚନା । ଇତି ମଧ୍ୟରେ ଜାଣି ପାରିବା ପ୍ରମୁଖ ଅଂଶ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଏବଂ ସେମାନଙ୍କ ଦ୍ଵାରା ନିଆଯାଇଥିବା ଦୃଢ଼ ପଦକ୍ଷେପ ଆଉ ମଧ୍ୟ ଜାଣିବା ବର୍ତ୍ତମାନର ମନ୍ଦିର ପରିଚାଳନା ପଦ୍ଧତି, ପୂଜାବିଧି, ରୀତିନୀତି, ପ୍ରସାଦ, ପର୍ବପର୍ବାଣୀ, ସ୍ଵତନ୍ତ୍ର ଦିବସରେ ସ୍ଵତନ୍ତ୍ର ପୂଜା, ଶ୍ରୀଜୀଉମାନଙ୍କ ବେଶ ଏବଂ ମନ୍ଦିର ସହିତ ସଂଯୁକ୍ତ ଅନ୍ୟାନ୍ୟ ଅନୁଷ୍ଠାନ, ନିୟମାବଳୀ ଓ ଭକ୍ତମାନଙ୍କ ପାଇଁ କେତେକ ସୁବିଧାସୁଯୋଗ ଇତ୍ୟାଦି । ପାବଲି ପାହାଡ଼ର କେନ୍ଦ୍ରସ୍ଥଳରେ ଦଣ୍ଡାୟମାନ ଶ୍ରୀଜଗନ୍ନାଥ ମନ୍ଦିର ବର୍ତ୍ତମାନର ଏକ ସୁପ୍ରତିଷ୍ଠିତ ଏବଂ ସୁପରିଚାଳିତ ଧର୍ମ ଅନୁଷ୍ଠାନ । ଏହି ମନ୍ଦିର ନିର୍ମାଣ ମହତ୍ତ୍ୱ ଉଦ୍ଦେଶ୍ୟ ହେଉଛି ଶ୍ରୀଜୀଉମାନଙ୍କୁ ପୂଜା, ଆରାଧନା କରିବା ସହିତ ପ୍ରତ୍ୟକ୍ଷ ଭାବରେ ମାନବଜାତିର ବିକାଶ ସାଧନ କରିବା, ସେହି ମାନବ ଗୋଷ୍ଠୀ ଯେଉଁମାନେ ସମାଜର ମୁଖ୍ୟ ସ୍ରୋତଠାରୁ ବହୁ ଦୂରରେ ଏକକ ଗୋଷ୍ଠୀରେ ଜୀବନ ଯାପନ କରନ୍ତି । ଏହି ଗୋଷ୍ଠୀର ଉନ୍ନତି ସାଧନକୁ ଦିବ୍ୟଦ୍ରଷ୍ଟାଙ୍କର ମନେ କରି କୋରାପୁଟ ଆଦିବାସୀ ବହୁଳ ହୋଇଥିବାରୁ ଏଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ବିଭିନ୍ନ ମହଲରୁ ସ୍ଵାଗତ କରାଯାଇଛି । ଏମିତି ଏକ ନିର୍ଣ୍ଣୟ ଏବଂ ଏମିତି ଏକ ଅନୁଷ୍ଠାନ ପରିକଳ୍ପନା କଷ୍ଟସାଧ୍ୟ ହେଲେ ମଧ୍ୟ ମନ୍ଦିର କାର୍ଯ୍ୟକୁ ତ୍ଵରାନ୍ଵିତ କରି ଏକ ବାସ୍ତବ ରୂପଦିଆଯାଇଛି । ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜକମାନେ ମତବ୍ୟକ୍ତ କରନ୍ତି ଯେ ନିର୍ମାଣ କାର୍ଯ୍ୟ ତତ୍‍ସଙ୍ଗେ ସଙ୍ଗେ ପ୍ରତିରୋଧ, ବିରୋଧ ଆଦି ମନେ ପଡ଼ିଲେ ଲୋମଟାଙ୍କୁରି ଉଠେ । ସତେ ଯେମିତି ମନେହୁଏ ଯେ ସହରବାସୀ ମୁଖ୍ୟତଃ ଦୁଇ ଗୋଷ୍ଠୀରେ ବିଭକ୍ତ । ଗୋଟିଏ ଗୋଷ୍ଠୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନଙ୍କୁ ଉତ୍ସାହିତ କଲାବେଳେ ଅପରପକ୍ଷ ଯେମିତି ପ୍ରତିରୋଧ କରୁଛି । କେତେ ହାସ୍ୟ ପରିହାସର ବାତାବରଣ ସୃଷ୍ଟି ହେଉଥିଲା । ଏମିତି ପ୍ରତିକୂଳ ପରିବେଶରେ ମଧ୍ୟ ମନ୍ଦିର କାର୍ଯ୍ୟକୁ ଆଗେଇ ନେବାରେ କେହି ପଛଘୁଞ୍ଚା ଦେଇ ନ ଥିଲେ । ସତେ ଯେମିତି ମହାପ୍ରଭୁ ଶ୍ରୀଜଗନ୍ନାଥ ଭୟଭୀତ ନ ହେବା ପାଇଁ କହୁଥିଲେ । ଭଗବତ୍ ବିଶ୍ଵାସ ଏବଂ ଦୃଢ଼ମନୋବଳ ଯେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ଏକଥା ସମସ୍ତେ ଜାଣିଥିଲେ । ନିର୍ମାଣାଧୀନ ମନ୍ଦିରକୁ ଅନ୍ତ କରିବାର ପ୍ରୟାସକୁ କାର୍ଯ୍ୟନିର୍ବାହୀ ଗୋଷ୍ଠୀକୁ ଜ୍ଞାତ ଥିଲା । ସେମାନେ ଏହି କାର୍ଯ୍ୟକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲାବେଳେ ଅପର ପକ୍ଷ ଏହି କାର୍ଯ୍ୟକୁ ଏକ ପ୍ରହସନ କରି ନାନା ପ୍ରକାର କଟୁବାକ୍ୟରେ ସମାଲୋଚନା କରୁଥିଲେ । ଏମିତି ସମାଲୋଚନା କିନ୍ତୁ କାହାକୁ ମର୍ମାହତ କରି ନ ଥିଲା ବରଂ ବିଜୟର ମାର୍ଗ ଆପଣା ଛାଏଁ ଖୋଲିଯାଉଥିଲା । ଏହି କାର୍ଯ୍ୟରେ ଥିଲା ଭଗବତ୍ ଚିନ୍ତନର ଏକ ସୁବିସ୍ତୃତ ମାର୍ଗ ଏବଂ ଏକ ଅବହେଳିତ, ନିରକ୍ଷର ଗୋଷ୍ଠୀ ସମୂହର ଉନ୍ନତି ।

 

ଶାବର ଶ୍ରୀକ୍ଷେତ୍ର ନିର୍ମାଣର ନିର୍ଣ୍ଣୟ, ଆଲୋଚନା ସମସ୍ତକାର୍ଯ୍ୟକୁ ତ୍ଵରାନ୍ଵିତ କରିବାର ମାର୍ଗ, ଶ୍ରୀଜୀଉ ମାନଙ୍କ ସ୍ଥାପନ ଏବଂ ତତ୍‍ସଙ୍ଗେ ସଙ୍ଗେ ନିର୍ବାହକ ଗୋଷ୍ଠୀ ଅଙ୍ଗେ ଲିଭେଇଥିବା ସମସ୍ୟାମାନଙ୍କର ବିସ୍ତୃତ ସୂଚନା ଶାବରଶ୍ରୀକ୍ଷେତ୍ରର ଇତିହାସ ପ୍ରଦାନ କରେ । ଏତଦ୍‍ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅବସ୍ଥିତ ଆଦିବାସୀ ଗବେଷଣା କେନ୍ଦ୍ର ଏବଂ ପାଠାଗାରରୁ ମଧ୍ୟ କିଛି ସୂଚନା ମିଳେ । ମନ୍ଦିର କାର୍ଯ୍ୟରେ ନିୟୋଜିତ ଶ୍ରୀଜୀଉମାନଙ୍କ ସେବକ, ସ୍ଥାନୀୟ ବାସିନ୍ଦା ଏବଂ ସ୍ଵୟଂ କାର୍ଯ୍ୟନିର୍ବାହୀ ଗୋଷ୍ଠା ମଧ୍ୟ ଅଙ୍ଗେ ଲିଭେଇଥିବା ଅଭିଜ୍ଞତାକୁ ନିଖୁଣ ଭାବରେ ବର୍ଣ୍ଣନା କରନ୍ତି । ଏ ସବୁ ଅନୁଭୁତି ଜୀବନ୍ତ ଲାଗେ ଏବଂ ଯାହାକୁ ଶୁଣିବାର ସୁଯୋଗ କେତୋଟି ମୁହୂର୍ତ୍ତ ମିଳିଥିଲେ ହେଁ ଯେକୌଣସି ଭକ୍ତ ଏହାକୁ ଉପଭୋଗ କରିଥାଏ । ଠାକୁରଙ୍କ କୃପା ଲଭି ଥିବାର ଅନୁଭବ କରିଥାଏ । ସେ ଯାହା ହେଉନା କାହିଁକି ବାଧା, ବିଘ୍ନ, ଘାତପ୍ରତିଘାତ, ଅଭାବ, ଅନଟନକୁ ଅତିକ୍ରମ କରି ନିର୍ବିଶେଷରେ ଗଢ଼ିଉଠିଛି କୋରାପୁଟ ଜିଲ୍ଲା ସଦର ମହକୁମାରେ ଏକ ଜଗନ୍ନାଥ ମନ୍ଦିର, ଯାହାର ନାମ ଆଦିବାସୀ ନାମ ଉପରେ ଆଧାରିତ ‘ଶାବର ଶ୍ରୀକ୍ଷେତ୍ର’ ।

 

ଠାକୁରଙ୍କ ଇଚ୍ଛାରେ ବିଭିନ୍ନ ପରିସ୍ଥିତି ମନ୍ଦିର ନିର୍ମାଣ କାର୍ଯ୍ୟକୁ ଉତ୍ସାହିତ କରିଥିଲା । ୧୯୬୮ ମସିହାରେ ତତ୍କାଳୀନ ରାଜ୍ୟପାଳ ଡ. ଅଯୋଧ୍ୟାନାଥ ଖୋସଲା ଅବସର ଗ୍ରହଣ କରିବା ସମୟରେ ତାଙ୍କୁ କୋରାପୁଟ ଏନ୍.ଏ.ସି. ଦ୍ଵାରା ନାଗରିକ ସମ୍ଵର୍ଦ୍ଧନା ନିମିତ୍ତ ଏକ ସଭାର ଆୟୋଜନ କରାଯାଇଥିଲା । ଓଡ଼ିଆ ସଂସ୍କୃତିର ସୁରକ୍ଷା ଏକାନ୍ତ ଜରୁରୀ ବୋଲି ଆଲୋଚନା ହୋଇଥିଲା । ୧୯୭୨ ଜୁନ୍ ୧୪ ତାରିଖ ରଥଯାତ୍ରାକୁ ଆଉ ମାତ୍ର ୨୮ ଦିନ ଥିଲା । ସେ ବର୍ଷ ଶ୍ରୀଗୁଣ୍ଡିଚା ଜୁଲାଇ ୧୨ ରେ ପଡ଼ୁଥିଲା । ମନ୍ଦିର ପ୍ରତିଷ୍ଠା ସହିତ ସେହି ବର୍ଷ ହିଁ ରଥଯାତ୍ରା ଅନୁଷ୍ଠିତ ହେବ । ନିଷ୍ପତ୍ତି ନିଆଗଲା, ହେଲେ ପ୍ରଶ୍ନ ଉଠିଥିଲା ଯେ ଏତେସବୁ କାର୍ଯ୍ୟ ସ୍ଵଳ୍ପ ସମୟ ମଧ୍ୟରେ ସମ୍ଭବ କିପରି ? ମନ୍ଦିର କାର୍ଯ୍ୟରେ ସର୍ବାଧିକ ଦାୟିତ୍ଵ ବହନ କରିଥିବା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଅନୁଭୁତି ଏ କ୍ଷେତ୍ରରେ ଶ୍ରୀଜୀଉମାନଙ୍କର ଏକ ଟିଣ ଛପର ଗୃହରେ ସ୍ଥାପନ ଏବଂ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମ ରଥଯାତ୍ରାର ଶୁଭାରମ୍ଭ ସମ୍ଭବ ହୋଇଥିଲା ।

 

ପାବଲି ପାହାଡ଼ର କେନ୍ଦ୍ରସ୍ଥଳରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି । ଶ୍ରୀଜଗନ୍ନାଥ ଅତି ଆପଣାର ପରି ଏକ ଭାବନା ସୃଷ୍ଟି ହୋଇଛି । ଆଧ୍ୟାତ୍ମିକ ଚେତନାର ଏମିତି କେତେ ସମୀକ୍ଷା କରି ଏ ଅଞ୍ଚଳବାସୀ ବେଶ୍ ଆନନ୍ଦିତ ହୋଇଛନ୍ତି ।

 

ଲୀଳାମୟଙ୍କୁ କିଛି ଅଗୋଚର ନ ଥାଏ । ହଁ ବଦଳି ଯାଇଛି କିନ୍ତୁ ପରମ୍ପରା ନୂତନ ଚିନ୍ତାଧାରା ଏବଂ ସାମାଜିକ ପରିବର୍ତ୍ତନ ତୋଳିଦେଇଛି ଶାବର ଶ୍ରୀକ୍ଷେତ୍ର । ଶବରମାନଙ୍କ ଭାଗ୍ୟରେ ପରିବର୍ତ୍ତନ ଘଟିଛି । ଏହା ଶବରମାନଙ୍କ ପ୍ରଚେଷ୍ଟା କିମ୍ବା ବିପ୍ଲବର ଫଳ ନୁହେଁ ବରଂ ସେମାନଙ୍କ ଶ୍ରଦ୍ଧାର ପ୍ରତୀକ ସ୍ଵରୂପ ସମ୍ଭବ ହୋଇଛି । ବିଗତ ଯୁଗର ହଜିଲା ସ୍ମୃତି ଆଜି ବାସ୍ତବତାର ରୂପ ନେଇଛି । ଲୀଳାମୟଙ୍କ ଲୀଳାରେ ସ୍ଥାନ ପାଇଛି ଶବରର ଅଭିମାନ । ଶବରର ମନୋବାଞ୍ଛା ପୂରଣ ହୋଇଛି । ସୁସମ୍ଵାଦ ପହଞ୍ଚିଛି କୋରାପୁଟର ସୁଦୂର ପଲ୍ଲୀରେ ଆଦିବାସୀମାନଙ୍କ ମନରେ ଭରିଯାଇଛି ଖୁସିର ଲହରୀ । ଏ ଖୁସି କେବଳ କୋରାପୁଟରେ ବସବାସ କରିଥିବା ଶବରମାନଙ୍କ ପାଇଁ ନୁହେଁ ବରଂ ସମଗ୍ର ଭାରତ ବର୍ଷରେ ବାସ କରୁଥିବା ଶବରମାନଙ୍କ ପାଇଁ ଖୁସିର ବିଷୟ । ଜଗନ୍ନାଥଙ୍କର ମୂଳ ପୂଜକ ଭାବରେ ଶବରକୁ ସମଗ୍ର ଓଡ଼ିଶା ଜାଣିଛି । ହାତଛଡ଼ା ହୋଇଥିବା ବିଗତ ଯୁଗର ଅଧିକାର ଆପଣାଛାଏଁ ହସ୍ତଗତ ହୋଇଛି । ଶ୍ରୀଜଗନ୍ନାଥ ସେମାନଙ୍କ ସହିତ ପୁନର୍ବାର ପ୍ରୀତି ଯୋଡ଼ିଛନ୍ତି । ଶାବର ଶ୍ରୀକ୍ଷେତ୍ର ହେଉଛି ଶବର ଭକ୍ତି ଉପହାର । ପାବଲୀ ପାହାଡ଼ର ପରିଚୟ ସେଦିନ ‘ନୀଳଶୈଳ’ ହୋଇଥିଲା । ରଥଯାତ୍ରା ଆରମ୍ଭ ହେଲା । ଶାବର ଶ୍ରୀକ୍ଷେତ୍ରର ପ୍ରଥମ ରଥଯାତ୍ରା ଦେଖିବା ପାଇଁ ଅଗଣିତ ଜନ ସମାଗମ ହୋଇଥିଲା । ଭକ୍ତବୃନ୍ଦ ଖୁସି ବାଣ୍ଟିଲେ ନିଜ ନିଜ ମଧ୍ୟରେ ହେଲେ । ଯେଉଁମାନେ ମନ୍ଦିର ନିର୍ମାଣର କାର୍ଯ୍ୟ ସମାପନ କରିଥିଲେ ସେମାନଙ୍କୁ ଏ ଦୃଶ୍ୟ କାହାଣୀ ପରି ଲାଗୁଥିଲା । ଯେଉଁ କାହାଣୀ ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥିଲା । ସୋପାନ ପରେ ସୋପାନ ଅତିକ୍ରମ କରି କାର୍ଯ୍ୟ ସମାପନ କରିଥିଲେ ହେଁ ଭାବଗ୍ରାହୀଙ୍କ ଦୟାସାଗରରେ ସମ୍ଭବର ସଂଜ୍ଞା ଖୋଜିବୁଲିଲେ । ସ୍ଵଳ୍ପ ସମୟ ମଧ୍ୟରେ ସମସ୍ତ ଚେଷ୍ଟା ଯେ ବାସ୍ତବ ରୂପ ନେଇଛି ସେମାନେ ବିଶ୍ଵାସ କରିପାରୁ ନ ଥିଲେ । ନିଜ ନିଜର ଅନୁଭୂତିକୁ ଜନସମାଜରେ ବାଣ୍ଟିବା ପରେ ପ୍ରଗତିର ପ୍ରତ୍ୟେକ ସୋପାନରେ ଜଗନ୍ନାଥଙ୍କ ଅପାର କରୁଣା ଲାଭ କରିଥିବାର ଅନୁଭବ କଲେ ।

 

ଶାବର ଶ୍ରୀକ୍ଷେତ୍ରର ପ୍ରଥମ ରଥ ଥିଲା ଭାବର ରଥ, ଭାତୃଭାବର ରଥ, ସାମାଜିକ ସୁସମ୍ପର୍କର ରଥ । ଜାତି, ଧର୍ମ, ବର୍ଣ୍ଣର ଯେଉଁଠି ପ୍ରଭେଦ ନ ଥାଏ । ଜଗନ୍ନାଥ ସଂସ୍କୃତି ଏକ ନିଆରା ସଂସ୍କୃତି ଯାହା ପ୍ରତୀୟମାନ ହୋଇଥିଲା ପ୍ରଥମ ରଥଯାତ୍ରାରେ । ଶାନ୍ତି, ମୈତ୍ରୀ, ପ୍ରିତି, ଶ୍ରଦ୍ଧା, ବିଶ୍ଵାସ, ଭାବପ୍ରବଣତା ଏବଂ ସଦ୍‍ଭାବନାର ଅଭ୍ୟୁଦୟ ହୋଇଛି ଯାହାର ସମ୍ମିଶ୍ରଣ ମାନବସମାଜର ସମସ୍ତ ଗୋଷ୍ଠୀକୁ ଏକତ୍ର କରି ବାନ୍ଧିରଖିଛି । ରଥରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ସମସ୍ତେ ନିଜ ନିଜର ବାଞ୍ଚିତ ଫଳ ମାଗିଥାନ୍ତି । କୋରାପୁଟବାସୀଙ୍କୁ ନୂତନ ଆଲୋକର ଆଭାସ ମିଳିଛି । ସଭିଏଁ ଆନନ୍ଦ ଉଲ୍ଲାସରେ ସୁନ୍ଦର ସୁଧାମୟ ଦୃଶ୍ୟକୁ ଅପଲକ ନୟନରେ ଦର୍ଶନ କରି ନିଜକୁ କୃତ୍ୟ କୃତ୍ୟ ମନେ କରନ୍ତି । ଏମିତି ଅପୂର୍ବ ଏବଂ ଅପାସୋରା ଦୃଶ୍ୟରୁ ମଧ୍ୟ ବାଦ୍ ପଡ଼ିନାହାନ୍ତି ସୁଦୂର ପଲ୍ଲୀରେ ବାସ କରୁଥିବା କୋରାପୁଟର ଜନଜାତି ସମୂହ । ସେମାନେ ମଧ୍ୟ ରଥଯାତ୍ରାର ମନୋରମ ଦୃଶ୍ୟକୁ ଦର୍ଶନ କରନ୍ତି ଏବଂ ଶାବର ଶ୍ରୀକ୍ଷେତ୍ରର ବହୁବିଧ ଲକ୍ଷ୍ୟ ବିଷୟରେ ଅବଗତ ହୁଅନ୍ତି । ଆତ୍ମବିଭୋର ହୋଇପଡ଼ନ୍ତି ଜନଜାତି ସମୂହ ଯେତେବେଳେ ଜାଣନ୍ତି ଶାବର ଶ୍ରୀକ୍ଷେତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀମାନଙ୍କ ଉନ୍ନତି ସାଧନ ଏବଂ ସେମାନଙ୍କୁ ମନ୍ଦିରର ଏକ ଅଂଶ ଭାବରେ ଗଣିବା । ଏଠାରେ କହିବାକୁ ହେବ ଯେ ଶବରମାନଙ୍କ ଖୁସିର ସମସ୍ତ ସୀମା ଅତିକ୍ରମ କରିଯାଇଛି । ଆତ୍ମହରା ହୋଇପଡ଼ନ୍ତି । ବିଗତ ଯୁଗର ସ୍ମୃତିକୁ ସମୀକ୍ଷା କରନ୍ତି । ହଜି ଯାଇଥିବା ଅମୂଲ୍ୟ ରତ୍ନକୁ ଫେରିପାଇବାର ସମୟକୁ ମନଭରି ଉପଭୋଗ କରନ୍ତି । ସ୍ଵପ୍ନ ଆଜି ସାର୍ଥକ ହୋଇଛି । ସୁବର୍ଣ୍ଣ ସୁଯୋଗ ମିଳିଛି, ଶ୍ରୀଜଗନ୍ନାଥଙ୍କୁ କେବଳ ପାଖରେ ପାଇନାହାଁନ୍ତି ତାଙ୍କର ସେବା ମଧ୍ୟ କରିବାକୁ ସୁଯୋଗ ମିଳିଛି । ଆପଣାର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ପାଇବା ପାଇଁ ନା ବିଦ୍ରୋହ, ବିପ୍ଲବ କରିବାକୁ ପଡ଼ିଛି ନା ହିଁ କିଛି ପ୍ରଚେଷ୍ଟା ଓ ପରିଶ୍ରମ-। ଯେଉଁ ନୀଳମାଧବଙ୍କ ବିଚ୍ଛେଦରେ ଶବର ସର୍ବହରା ମନେ କରୁଥିଲା, ସର୍ବସ୍ଵ ପ୍ରାପ୍ତିର ଅନୁଭବ କରୁଛି ଆଜି ସେ । ସ୍ଵୟଂ ଜଗନ୍ନାଥ ତା ପାଖକୁ ଫେରି ଆସିଛନ୍ତି କେତେ ଆଶା କେତେ ଆକାଂକ୍ଷା ନେଇ ଆସିଛନ୍ତି । ଶାବର ଶ୍ରୀକ୍ଷେତ୍ରର ପ୍ରଥମ ରଥଯାତ୍ରା ମାଧ୍ୟମରେ ଶବର ସମୀକ୍ଷା କରେ ସେ ଦିନର ବିଦ୍ୟାପତିର ଛଳନା, ପ୍ରତାରଣା ଏବଂ ଆଜିର ପ୍ରଭୁକୃପା । କାହାଣୀ, କିମ୍ବଦନ୍ତୀ, ପୁରାଣ, ଇତିହାସ ଇତ୍ୟାଦି ଶବର ଓ ଜଗନ୍ନାଥଙ୍କ ସମ୍ପର୍କ ଉପରେ ଆଧାରିତ ବହୁ ତଥ୍ୟ ପ୍ରମାଣ କରେ । ସେସବୁର ସମୀକ୍ଷା କଲେ ଏସବୁ ଯୁକ୍ତିଯୁକ୍ତ ବା ସତ୍ୟ ପରି ମନେହୁଏ ।

 

 

ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ

ବଙ୍କ ସ୍କୁଲ ରୋଡ଼, ଭଦ୍ରକ- ୭୫୬୧୦

ମୋବାଇଲ୍ :୯୪୩୭୯୮୯୬୬୬

 

***

 

ରଥବିଧାନ ଅଭିଧାନ

ଡକ୍ଟର ଅଜୟ କୁମାର ମିଶ୍ର

 

ବିଶ୍ଵବିସ୍ମୟ ସୃଷ୍ଟିକାରୀ, ଅପାଣିପାଦ ରହସ୍ୟମୟ ଦାରୁଦିଅଁଙ୍କର ଚାରୁ ଚମତ୍କାର ଲୀଳା ଘୋଷଯାତ୍ରା ବା ରଥଯାତ୍ରା । ପ୍ରଭୁଙ୍କର ଏ ଯାତ୍ରା ହେଉଛି ଦଶାବତାର ଯାତ୍ରା, ନବଦିନ ଯାତ୍ରା, ଯଜ୍ଞବେଦୀ ଯାତ୍ରା, ମହାବେଦୀ ଯାତ୍ରା, ଜନକପୁରି ଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା । ବର୍ଷକରେ ଥରେ ମାତ୍ର ଭକ୍ତବତ୍ସଳ ଭାବଗ୍ରାହୀ ଭକ୍ତଙ୍କ ଭାବଡୋରୀରେ ବନ୍ଧାହେବାକୁ ଶ୍ରୀମନ୍ଦିରର ରତ୍ନସିଂହାସନରୁ ଧୂଳିଧୂସରିତ ଧରଣୀକୁ ଶ୍ରଦ୍ଧାର ସହିତ ଓହ୍ଲାଇ ଆସନ୍ତି । ଏ ଯାତ୍ରାର ବିଧି ସ୍ଵତନ୍ତ୍ର । ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଆରମ୍ଭ ହୁଏ ଏହାର ପ୍ରଥମ ପର୍ବ, ଆଷାଢ଼ ଶୁକ୍ଲ ଦ୍ଵାଦଶୀରେ ନୀଳାଦ୍ରି ବିଜେ ଉତ୍ସବରେ ଶ୍ରୀମନ୍ଦିର ପ୍ରବେଶରେ ଶେଷ ହୋଇଥାଏ ଏଇ ବାର୍ଷିକ ଯାତ୍ରା ପର୍ବ ।

 

ପ୍ରତିବର୍ଷ ପବିତ୍ର ଶ୍ରୀପଞ୍ଚମୀ ତିଥିରେ ପାଳିତ ହୁଏ ରଥଗଢ଼ା ପାଇଁ ରଥକାଠ ଅନୁକୂଳର ପବିତ୍ର ଉତ୍ସବ । ଅକ୍ଷୟତୃତୀୟାରୁ ରଥଗଢ଼ାର ଶୁଭାରମ୍ଭ ହୁଏ । ପୁନଶ୍ଚ ନବକଳେବର କାଳରେ ନୂତନ ଦାରୁ ସଂଗ୍ରହଠାରୁ ଆରମ୍ଭ ହୋଇଯାଏ । ଏଇ ପବିତ୍ର ବିଶେଷ ପର୍ବ ଯାତ୍ରା, କେବଳ ଜଗନ୍ନାଥ ପ୍ରାଣ ଓଡ଼ିଆ ଏ କାହିଁକି, ସମଗ୍ର ବିଶ୍ଵବାସୀ ଏ ଯାତ୍ରାରେ ଅତି ଶ୍ରଦ୍ଧା ଓ ଭକ୍ତିର ସହିତ ଏକାକାର ହୋଇଯାଆନ୍ତି । ଏଥିପାଇଁ ସମଗ୍ର ବଡ଼ଦାଣ୍ଡ ଜନସମୁଦ୍ର ପାଲଟି ଯାଏ । ଚଳନ୍ତି ସମୟରେ ବଡ଼ଦାଣ୍ଡକୁ ଆସିପାରୁ ନ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଟି.ଭି. ପର୍ଦ୍ଦାରେ ପ୍ରଭୁଙ୍କର ଏଇ ମହାର୍ଘ୍ୟ ଲୀଳାର ଦୃଶ୍ୟରୂପ ଧାରା ବିବରଣୀ ମାଧ୍ୟମରେ ସିଧା ପ୍ରସାରଣ କରାଯାଉଛି । ଭାଷ୍ୟକାରମାନଙ୍କ ବଚନ ଚାତୁର୍ଯ୍ୟରେ ଶ୍ରୋତା ଓ ଦର୍ଶକେ ବିଭୋର ହେଉଛନ୍ତି । ମାତ୍ର ପରବର୍ତ୍ତୀ କାଳରେ ଭାଷ୍ୟକାରମାନେ କହୁଥିବା ଅନେକ ଶବ୍ଦ, ଶ୍ରୋତା ଓ ଦର୍ଶକଙ୍କ ନିକଟରେ ଅବୋଧ୍ୟ ହୋଇରହିଯାଉଛି । ସେଇ ସମସ୍ୟାକୁ ଉପଲବ୍ଧି କରିବା ପରେ ରଥବିଧାନ ଅଭିଧାନର ପରିକଳ୍ପନା-। ଏହା ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କ ପାଇଁ ରଥ, ରଥୀ, ରଥଯାତ୍ରା ସହିତ ସଂପୃକ୍ତ କେତୋଟି ଶବ୍ଦ ସମ୍ପର୍କରେ ସାଧାରଣ ଅବବୋଧ ପ୍ରକାଶ ପାଇପାରିବ ବୋଲି ବିଶ୍ଵାସ ।

 

ଅଙ୍ଗଲାଗି ସେବକ

ଶ୍ରୀଜୀଉଙ୍କ ସ୍ନାନ, ମାର୍ଜନ, ଅବକାଶ, ବେଶ ଓ ଅଳଙ୍କାରାଦି ସେବା କରୁଥିବା ଶ୍ରୀ ଅଙ୍ଗସେବକ ।

ଅଣଖିଲ

ଅଣକୀଳା । ରଥଚକ ଅଖର ବାହାରକୁ ବାହାରି ନ ଯିବା ପାଇଁ ଅଖର ଶେଷମୁଣ୍ଡରେ ବିନ୍ଧାଯାଉଥିବା ଲୁହାଖିଲ ।

ଅଣସର

ଜ୍ୟେଷ୍ଠପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ପନ୍ଦର ଦିନ ପାଇଁ ପ୍ରଭୁଙ୍କର ଜ୍ଵର ପୀଡ଼ିତ ଅବସ୍ଥା ।

ଅଣସରଗୁମୁଟ

ଅଣସର ଘର । ଶ୍ରୀମନ୍ଦିରର ଚନ୍ଦନ ଅର୍ଗଳି ନିକଟରେ ଥିବା ସ୍ଥାନ । ଏଠାରେ ଚତୁର୍ଦ୍ଧାମୂର୍ତ୍ତିକୁ ଅଣସର ସମୟରେ ରଖାଯାଇ ଚିତ୍ରକାରଙ୍କଦ୍ଵାରା ଚିତ୍ର କରାଯାଏ । ଦଇତାପତି ସେବକମାନେ ସମସ୍ତ ସେବାଶୁଶ୍ରୂଷା କରନ୍ତି ।

ଅଣସର ଗୁଳୁଗୁଳି

ଅଣସର କାଳରେ ଶ୍ରୀକ୍ଷେତ୍ରରେ ଅନୁଭୁତ ହେଉଛିବା ଅସହ୍ୟ ଗ୍ରୀଷ୍ମତାପ ଓ ତଜ୍ଜନିତ କଷ୍ଟ ।

ଅଣସର ଘର

ଅଣସର ଗୁମୁଟ ।

ଅଣସର ତାଟି

ଅଣସର କାଳରେ ଅଣସର ଘରେ ରହୁଥିବା ଦିଅଁମାନଙ୍କ ଦର୍ଶନରୁ ସର୍ବସାଧାରଣଙ୍କୁ ବାରଣ କରିବାକୁ ସେମାନଙ୍କ ଆଗରେ ଘେରାଯାଉଥିବା ବାଉଁଶ ପାତିଆରେ ତିଆରି ଚାଞ୍ଚଡ଼ା ।

ଅଣସର ନୀତି

ଶ୍ରୀଜୀଉମାନଙ୍କର ପନ୍ଦର ଦିନ କାଳ ଅଣସର ଗୁମୁଟରେ ଅବସ୍ଥାନ କାଳରେ ଅନୁଷ୍ଠିତ ନୀତି । ସ୍ନାନ ପୂର୍ଣ୍ଣିମାରେ ଅତୁଠଜଳରେ ସ୍ନାନ କରିବା ପରେ ଶ୍ରୀଜୀଉମାନେ ଜ୍ଵର ପୀଡ଼ିତ ହୁଅନ୍ତି । ଏଇ ସମୟରେ ସେମାନଙ୍କୁ ଅନ୍ନପ୍ରସାଦ ନୈବେଦ୍ୟ କରାଯାଏନାହିଁ । ଏତେବେଳେ ଦିଅଁମାନଙ୍କ ଜ୍ଵର ଉପଶମ ପାଇଁ ଶ୍ରୀକାପଡ଼ା ପିନ୍ଧାଇ ଦିଆଯାଏ । ସରଘରୁ ଆସୁଥିବା ପଣା ପାନ କରାଯାଏ । ଦଇତାପତି ସେବକମାନେ ସେମାନଙ୍କ ବିଗ୍ରହରେ ଫୁଲୁରୀ ତେଲ ମାଲିସ କରନ୍ତି । ଏମାର ମଠ ତରଫରୁ ଆସୁଥିବା ମଇଲମ ଭୋଗ ଓ ଦଇତାନିଯୋଗ ତରଫରୁ ଆସୁଥିବା ଚକଟା ଭୋଗ ଦିଅଁମାନଙ୍କୁ ପ୍ରଦାନ କରାଯାଏ ।

ଅଣସର ପଟି

ଅଣସର କାଳରେ ଶ୍ରୀଜୀଉ ସର୍ବସାଧାରଣଙ୍କୁ ଦର୍ଶନ ଦେଉନ ଥିବାକୁ ଭକ୍ତମାନେ ପଟି ଦିଅଁଙ୍କୁ ଦର୍ଶନ କରନ୍ତି । ତେଣୁ ପଟିରେ ଚିତ୍ରିତ ତିନି ବିଗ୍ରହକୁ ଚିତ୍ର ଅଣସର ପଟି ରୂପେ ବିବେଚିତ ହୁଅନ୍ତି । ଏତେବେଳେ ପଟି ଦିଅଁଙ୍କ ଦର୍ଶନ ଦିଅଁଦର୍ଶନ ସହିତ ସମାନ ବୋଲି ବିବେଚନା କରାଯାଏ ।

ଅଣସର ପଣା

ଅଣସର ଘରେ ଜ୍ଵର ପୀଡ଼ିତ ଅବସ୍ଥାରେ ଥିବା ଦିଅଁମାନଙ୍କ ଆରୋଗ୍ୟ ପାଇଁ ସେମାନଙ୍କଠାରେ ଲାଗି କରାଯାଉଥିବା ସ୍ଵତନ୍ତ୍ର ପଣା ।

ଅଣସରପିଣ୍ଡି

ବଲ୍ଲଭ ପିଣ୍ଡି । ଶ୍ରୀମନ୍ଦିରର ଭିତର କାଠ ପରେ କଳାରାହାଟ ଦ୍ଵାର ସହିତ ସଂଯୁକ୍ତ କଳାମୁଗୁନି ପଥରର ପିଣ୍ଡି । ଏଠାରେ ଶ୍ରୀ ଦିଅଁମାନଙ୍କୁ ପହିଲି ଭୋଗ ଗୋପାଳବଲ୍ଲଭ ଭୋଗ ଅର୍ପଣ କରାଯାଏ ।

ଅଣିକାଠି

ଶ୍ରୀଜୀଉଙ୍କ ରଥଚକର ଅରଗୁଡ଼ିକ ପହି ସହିତ ଭିଡ଼ାହୋଇ ପଶାହୋଇଥାଏ । ଏହି ଯୋଡ଼ାଣକୁ ଶକ୍ତ କରି ରଖିବାକୁ ବିନ୍ଧାଯାଉଥିବା କାଠଖିଲ ।

ଅଧରପଣା

ବାହୁଡ଼ାଯାତ୍ରା ପରେ ଏକାଦଶୀଦିନ ରଥାରୁଢ଼ ତିନି ଦିଅଁଙ୍କୁ ସମର୍ପିତ ପଣା । କ୍ଷୀର, ସର, ନବାତ, ପାଚିଲା କଦଳୀ, ଗୋଲମରିଚ, ଲବଙ୍ଗ ପ୍ରଭୃତି ମିଶ୍ରିତ ଏଇ ଅଧରକୁ ପାଇବା ଭଳି ତୁମ୍ଵୀ ସଦୃଶ ମାଟିପାତ୍ରରେ ଅର୍ପଣ କରାଯାଏ ଓ ପରେ ପରେ ଅଶରୀରିମାନଙ୍କ ଉଦ୍ଦେଶ୍ୟରେ ରଥ ଉପରେ ଏହାକୁ ଭାଙ୍ଗିଦିଆଯାଏ ।

ଅଧିବାସ

ଦିଅଁଙ୍କର ବିବିଧ ପୂଜା ଉପଚାର ପାଇଁ ଅନୁଷ୍ଠିତ ହୋମ ଯଜ୍ଞାଦିର ପୂର୍ବ କାର୍ଯ୍ୟ; ମଙ୍ଗଳ କର୍ମାଦି ପୂର୍ବରୁ ଗନ୍ଧ, ମାଲ୍ୟାଦିଦ୍ଵାରା ସଂସ୍କାର କର୍ମବିଧି । ନବକଳେବର ଯାତ୍ରା କାଳରେ ଦାରୁଛେଦନ ପୂର୍ବରୁ, ସ୍ନାନଯାତ୍ରା ପୂର୍ବଦିନ ଜଳ ଉତ୍ତୋଳନାଦି କର୍ମପୂର୍ବରୁ, ରଥଯାତ୍ରାରେ ପହଣ୍ଡିପୂର୍ବରୁ ଏଇ କର୍ମ ସମ୍ପାଦିତ ହୁଏ ।

ଅଧିମାସ

ବର୍ଷକରେ ବାରଦିନ ଉଣାଥିବା ଚାନ୍ଦ୍ରମାନ ମାସଗୁଡ଼ିକ ସୌରମାନ ମାସ ସହିତ ସମଯୋଜନା କରି, ପ୍ରତି ତିନିବର୍ଷ ଅନ୍ତରରେ ଚାନ୍ଦ୍ରମାନ ମାସ ସହିତ ଯୋଗ କରାଯିବା ଗୋଟିଏ ମାସ । ଏହା ହେଉଛି ‘ମଳମାସ’ । ଏହି ମାସ ଆଷାଢ଼ରେ ପଡ଼ିଲେ ଏହାକୁ ଯୋଡ଼ାଆଷାଢ଼ କୁହାଯାଏ ଓ ଯୋଡ଼ାଆଷାଢ଼ରେ ଦିଅଁଙ୍କର ନବକଳେବର ହୁଏ ।

ଅପସର

ଶ୍ରୀଜୀଉଙ୍କ ପିଠିପଟେ ଦିଆ ଯାଉଥିବା ତୁଳା ତକିଆ ।

ଅକ୍ଷୟତୃତୀୟା

ବୈଶାଖ ତୃତୀୟା, ପ୍ରଭୁଙ୍କର ରଥ ଅନୁକୂଳର ପବିତ୍ର ଦିବସ ।

 

ଆଗଡୋରି

ପହଣ୍ଡିବେଳେ ପଣ୍ଡା ଓ ପୁଷ୍ପାଜଳ ଭିଡ଼ୁଥିବା ଦିଅଁଙ୍କ ସମ୍ମୁଖ ଭାଗରେ ବନ୍ଧା ଯାଇଥିବା ପାଟଡୋର ।

ଆଜ୍ଞାମାଳ

ଶ୍ରୀଜୀଉଙ୍କ ବିଭିନ୍ନ ପର୍ବଯାତ୍ରା ଆୟୋଜନ କରିବା ପାଇଁ ତାଙ୍କ ଅନୁମତି, ଆଦେଶ ଓ ଆଜ୍ଞାସୂତକ ଶ୍ରୀଅଙ୍ଗଲାଗି ଫୁଲ ତୁଳସୀରମାଳ । ରଥଗଢ଼ା, ରଥଯାତ୍ରା, ବନଯାଗ ଯାତ୍ରା, ଚନ୍ଦନଯାତ୍ରା, ଓ ଦୋଳଯାତ୍ରାଦି ବିବିଧ ଉତ୍ସବ କାଳରେ ପ୍ରଭୁଙ୍କଠାରୁ ଏଇ ଧଣ୍ଡାମାନ ଅଣାଯିବା ପରେ ଜାନିଯାତ୍ରାଦି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ ।

ଆଡ଼କାନି

ପ୍ରଭୁଙ୍କର ସୁନାବେଶ କାଳରେ ବଳା ଉପରେ ଖୋଷାଯାଉଥିବା ଏକ ପ୍ରକାର ସୁନାଳଂକାର ।

ଆଡ଼ପ

ଦିଅଁଙ୍କ ଜନ୍ମସ୍ଥାନ, ଜନ୍ମବେଦୀ, ଶ୍ରୀଗୁଣ୍ଡିଚା ମନ୍ଦିର ।

ଆଡ଼ପଅଭଡ଼ା

ରଥଯାତ୍ରା କାଳରେ ତିନିଦିଅଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାବେଳେ ନିବେଦିତ ହେଉଥିବା ମହାପ୍ରସାଦ । ଏଇ ଅଭଡ଼ାକୁ ପିତୃପୁରୁଷଙ୍କୁ ଅର୍ପଣ ଓ ବ୍ରାହ୍ମଣମାନଙ୍କୁ ଦାନ କଲେ ମହାପୁଣ୍ୟ ଅର୍ଜିତ ହୁଏ ବୋଲି ଧାରଣା ଚଳିଆସୁଛି ।

ଆଡ଼ପତଣ୍ଡୁଳ

ଶୁଦ୍ଧ ଅରୁଆଚାଉଳ ।

ଆଡ଼ପଦର୍ଶନ

ଆଡ଼ପଦର୍ଶନ ଅବସ୍ଥାନ ସମୟରେ ଶ୍ରୀଜୀଉମାନଙ୍କ ଦର୍ଶନ । ଶ୍ରୀକ୍ଷେତ୍ରରେ ଦଶବର୍ଷ ଦର୍ଶନର ପୁଣ୍ୟ ସହିତ ଆଡ଼ପମଣ୍ଡପରେ ଥରେ ମାତ୍ର ଦର୍ଶନର ପୁଣ୍ୟ ସମାନ ଓ ଦିବସ ଭାଗରେ ଦର୍ଶନଠାରୁ ସନ୍ଧ୍ୟାଦର୍ଶନ ଦଶଗୁଣ ପୁଣ୍ୟ ବୋଲି ଶାସ୍ତ୍ରୀୟ ବର୍ଣ୍ଣନା ରହିଛି । ଯଥା : “ଶ୍ରୀକ୍ଷେତ୍ରେ ଦଶବର୍ଷାଣି ଆଡ଼ପମଣ୍ଡପେ ଦିନେ । ଦିବସେଷୁ ମହାପୁଣ୍ୟ ରାତ୍ରୌ ଦଶଗୁଣା ସ୍ମୃତଃ ।’’

ଆଡ଼ପମଣ୍ଡପ

ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥ ରତ୍ନବେଦୀ, ମହାବେଦୀ, ଶ୍ରୀଜୀଉମାନଙ୍କ ଜନ୍ମସ୍ଥାନ ।

ଆଡ଼େଣି

କନାରେ ପ୍ରସ୍ତୁତ ବଡ଼ଛତା, ଦିଅଁଙ୍କ ପହଣ୍ଡି ଓ ପଟୁଆର ସମୟରେ ଶ୍ରୀଅଙ୍ଗରେ ପଡ଼ୁଥିବା ଆଡ଼ଖରା ନିବାରଣ ପାଇଁ ତାଙ୍କ ପାଖେ ପାଖେ ଏହା ଧରାଯାଏ ।

ଆଦିସେବକ

ପୁରୀରେ ଗଜପତି ମହାରାଜା, ଠାକୁରରାଜା । ପୁରୁଷାନୁକ୍ରମେ ରଥରେ ସେ ଛେରାପହଁରା କରି ଆସୁଛନ୍ତି ।

ଆରକ୍ଷିକ

ରଥଯାତ୍ରାବେଳେ ସମସ୍ତ ପ୍ରକାରର ଶୃଙ୍ଖଳା ରକ୍ଷା କରିବା ପାଇଁ ନିୟୋଜିତ ରାଜକର୍ମଚାରୀ ।

ଆଲଟ

ଦିଅଁଙ୍କ ଗ୍ରୀଷ୍ମତାପ ଲାଘବ କରିବାକୁ ତାଙ୍କୁ ବ୍ୟଜନ କରିବା ପାଇଁ ବ୍ୟବହୃତ ବଡ଼ଆକାରର ରାଜକୀୟ ପଙ୍ଖା । ଆଲଟର ତ୍ରିମୁଣ୍ଡିରେ ସୁବାସିତ ଫୁଲ ଓ କର୍ପୁର ଇତ୍ୟାଦି ଲାଗିଥାଏ । ରଥଯାତ୍ରାବେଳେ ଆଲଟସେବା କରାଯାଏ ।

ଆଲଟଲାଗି

ଦିଅଁଙ୍କ ଚନ୍ଦନଯାତ୍ରା ଓ ରଥଯାତ୍ରାରେ କରାଯାଉଥିବା ଆଲଟ ସେବା ।

 

ଉପଚାର ଚାମରସେବକ

ଶ୍ରୀମନ୍ଦିରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହି ଦିଅଁଙ୍କୁ ଚାମର ସେବା ଯୋଗାଉଥିବା ସେବକ ।

ଉରିଆ କମରପଟି

ଶ୍ରୀଜୀଉଙ୍କ ସୁନାବେଶରେ ଅଣ୍ଟାରେ ଲାଗି କରାଯାଉଥିବା ଏକପ୍ରକାର ସ୍ଵର୍ଣ୍ଣାଳଂକାର ।

 

ଓଝାମହାରଣା

ରଥରେ ବ୍ୟବହୃତ ଲୁହା ତିଆରି ସରଞ୍ଜାମ, କଣ୍ଟା, ଖିଲ, ଗୋଜ, ଲୁହାପାତ ଇତ୍ୟାଦି ତିଆରି କରୁଥିବା କମାର ।

ଓଝାମହାରଣା ସେବା

ଦାରୁକାଟିବା ସମୟରେ ଲୁହା କୁରାଢ଼ି ଯୋଗାଉଥିବା, ରଥ ତିଆରିବେଳେ ଦେଉଳ କଚେରି ହତାରେ ଶାଳ କରି ଲୁହା କଣ୍ଟା, ପାତ, ପ୍ରଭୃତି ତିଆରି କରି ଯୋଗାଉଥିବା ସେବା ।

ଓଡ଼ିଆଣି

ସୁନାବେଶରେ ପ୍ରଭୁଙ୍କୁ ଲାଗି କରାଯାଉଥିବା କଟିମେଖଳା, ଚନ୍ଦ୍ରହାର ଓ ଗୋଠ ପ୍ରଭୃତି ସୁନାଅଳଙ୍କାର ।

ଓଳମାଳ

ଶ୍ରୀଦିଅଁଙ୍କ ବାହୁରେ ଓହଳା ଯାଉଥିବା ବସ୍ତ୍ର ଓ ପୁଷ୍ପାଳଙ୍କାର ।

ଓଲାର

ରଥଯାତ୍ରା ବେଳେ ଦିଅଁଙ୍କ ଲାଗି ବ୍ୟବହୃତ ଏକ ପ୍ରକାରର ବଡ଼ଛତା ।

ଓଷଲେପ

ଅଣସର ସମୟରେ ଜ୍ଵରାକ୍ରାନ୍ତ ଠାକୁରମାନଙ୍କ ଜ୍ଵରପୀଡ଼ା ଉପଶମ ପାଇଁ ସେମାନଙ୍କ ଅଙ୍ଗରେ ଦଇତାପତି ସେବକମାନଙ୍କ ଦ୍ଵାରା ଲାଗି କରାଯାଉଥିବା ଝୁଣା, ଖଳି, ରାଶିତେଲ, ଓ ପାଣିମିଶା ଔଷଧ ଲେପ-

ଓଷୁଅ

ପ୍ରଭୁଙ୍କ ଶ୍ରୀମସ୍ତକରେ ସୁନା, ହୀରା ଚିତା ଲାଗି କରିବାରେ ସହାୟତା କରୁଥିବା, ଅଣସର ସୁଦସୁଆରଙ୍କ ଦ୍ଵାରା ପ୍ରସ୍ତୁତ ଝୁଣା, ରାଶିତେଲ ଓ ପାଣି ମିଶ୍ରିତ ଏକପ୍ରକାର ଅଠା ।

 

କନକମୁଣ୍ଡାଇ

କନକଚାଳିକା, ରଥପୀଠକୁ ଯଥାକ୍ରମେ ୧୦ ଖଣ୍ଡ ଓ ୧୮ ଖଣ୍ଡ କାଠରେ ଦୁଇ ଛନ୍ଦ ଆଚ୍ଛାଦକ ଛନ୍ଦର କେନ୍ଦ୍ରସ୍ଥଳ । ସିଂହାସନୋପରି ଦେବତାଙ୍କ ମଣ୍ଡପ ।

କନକମୁଣ୍ଡି

ବଡ଼ ଓଡ଼ିଆ ମଠ ତରଫରୁ ଅଣସର ବିଧିବେଳେ ଦିଅଁଙ୍କ ପାଇଁ ପ୍ରଦତ୍ତ ସିଂହାସନ ଉପରେ କାଠର ଆଚ୍ଛାଦନ ।

କରଡ଼ିଆ ମାଳ

ଦିଅଁଙ୍କର ଜାନୁ ପର୍ଯ୍ୟନ୍ତ ଲମ୍ଵିଥିବା ବନମାଳ ।

କରତିଆ

ରଥ ତିଆରି ବେଳେ କରତ ଚଳାଇ କାଠ ଚିରୁଥିବା ସେବକବିଶେଷ ।

କଟାଳିନାୟକ

ପ୍ରତିବର୍ଷ ଜଙ୍ଗଲରୁ ରଥକାଠ କାଟୁଥିବା ମହାରଣା ।

କରାଳ

ପ୍ରଭୁଙ୍କ ଶ୍ରୀମସ୍ତକରେ ଚିତା ଲାଗି କରିବା ପାଇଁ ବ୍ୟବହୃତ ଝୁଣା, ରାଶିତେଲ, ଓ ପଣାମିଶା ଏକପ୍ରକାର ଅଠା ।

କରାଳ ବଦନ

ଅଣସର କାଳରେ ଶ୍ରୀବିଗ୍ରହଙ୍କୁ ଲେପ ଦିଆଯାଉଥିବା ଚୁଆ, ଚନ୍ଦନ, କର୍ପୁର ଓ କସ୍ତୁରୀ ଇତ୍ୟାଦି ବିଭିନ୍ନ ଦ୍ରବ୍ୟରେ ପ୍ରସ୍ତୁତ ମିଶ୍ରଣ ।

କଳାକନାଟି

ରଥଯାତ୍ରାରେ ଛତ୍ରସେବା କରୁଥିବା ଶ୍ରୀଦିଅଁଙ୍କର ଛତାର ସେବକ ।

କଳାବେଠିଆ

ଠାକୁରରାଜାଙ୍କ ଦ୍ଵାରା ନିଯୁକ୍ତ ରଥଟଣା ସେବକ ।

କମରଝୁମ୍ପା

ସୁନାବେଶରେ ଶ୍ରୀଦିଅଁଙ୍କ କଟି ପ୍ରଦେଶରେ ଲାଗି ହେଉଥିବା ସ୍ଵର୍ଣ୍ଣାଳଙ୍କାର ।

କାଉଉଡ଼ାସୁଆଁସିଆ

ଶ୍ରୀଦିଅଁଙ୍କ ପାଖକୁ ମଠାଦିରୁ ଆସୁଥିବା ପୂଜାସାମଗ୍ରୀ ଓ ମାଳଚୂଳ ଉପରୁ କାଉ ଓ ପକ୍ଷୀଙ୍କୁ ତଡ଼ୁଥିବା ସେବକ ।

କାଖିଆପିଠିଆ

ପହଣ୍ଡି ବିଜେ ବେଳେ ଦଇତାପତିମାନଙ୍କ ଦ୍ଵାରା କାଖ କୋଳ ହେଉଥିବା ଠାକୁର ।

କାଖୁଆ

ପ୍ରଭୁଙ୍କର ପହଣ୍ଡିବିଜେ ବେଳେ କୁକ୍ଷିଦେଶକୁ ଭିଡ଼ି ଧରୁଥିବା ସେବକ ।

କାଠଗଣତିଆ

ପ୍ରତିବର୍ଷ ଜଙ୍ଗଲରୁ କଟାଯାଉଥିବା ରଥକାଠର ହିସାବ ରଖୁଥିବା ମହାରଣା ।

କାହାଲିଆ

ରଥଯାତ୍ରାରେ ଓ ଶ୍ରୀମନ୍ଦିର ବିବିଧ ଉତ୍ସବରେ କାହାଳୀ ବଜାଉଥିବା ସେବକ ।

କିଆପତ୍ର

ଶ୍ରୀଦିଅଁଙ୍କ ସୁନାବେଶ ଓ ଅନ୍ୟ କେତେକ ବେଶରେ ବ୍ୟବହୃତ କିଆପତ୍ର ସଦୃଶ ସ୍ଵର୍ଣ୍ଣାଳଂକାରବିଶେଷ ।

କୁଣ୍ଡଳ

ସୁନାବେଶରେ ବ୍ୟବହୃତ ଶ୍ରୀଦିଅଁଙ୍କ କର୍ଣ୍ଣାଳଙ୍କାରବିଶେଷ ।

କୁସୁମି ଚଦର

ଶ୍ରୀଦିଅଁଙ୍କ ସେନାପଟା ଲାଗି କାଳରେ ବ୍ୟବହୃତ ଗୋଲାପି ରଙ୍ଗର ସୂତାବସ୍ତ୍ର ।

କୋଇଲିବୈକୁଣ୍ଠ

ଶ୍ରୀମନ୍ଦିରର ଉତ୍ତରଦିଗସ୍ଥ ବାହାରବେଢ଼ାରେ ଅବସ୍ଥିତ ପବିତ୍ର ସ୍ଥାନ । ଶାସ୍ତ୍ରାନୁସାରେ ଉତ୍ତରଦିଗରେ ସର୍ବଦେବତା ଓ ସକଳତୀର୍ଥ ବିଦ୍ୟମାନ-। ନବକଳେବର କାଳରେ ନିରୁପିତ ଦାରୁଙ୍କୁ ଏଠାକୁ ନୂତନ ବିଗ୍ରହ ନିର୍ମାଣଠାରୁ ଆରମ୍ଭ କରି ଯାବତୀୟ ପ୍ରତିଷ୍ଠା କର୍ମ ଏଠାରେ ସମ୍ପାଦିତ ହୁଏ । ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଅର୍ଦ୍ଧରାତ୍ରରେ ବ୍ରହ୍ମ ପରିବର୍ତ୍ତନ କରାଯିବା ପରେ ପୁରାତନ ବିଗ୍ରହଙ୍କୁ ଏଠାରେ ସମାଧି ଦିଆଯାଏ ।

କୋଠକରଣ

ଶ୍ରୀଜୀଉଙ୍କ ବେହରଣରେ ସିରସ୍ତା ଲେଖୁଥିବା ଓ ପର୍ବଯାତ୍ରାରେ ଦେଉଳକରଣଙ୍କଠାରୁ ଭୋଗ ତାଲିକା ଆଣି ରୋଷଆଡ଼େ ଦେଉଥିବା କରଣ ସେବକ ।

କୋଠସୁଆଁସିଆ

ଶ୍ରୀଜୀଉଙ୍କର ବିଭିନ୍ନ ପର୍ବଯାତ୍ରା ସମୟରେ ଚାଳିଘର ଓ ଛାମୁଡ଼ିଆ ପ୍ରଭୃତି ପ୍ରସ୍ତୁତ କରୁଥିବା ସେବକ । ଏମାନେ ଦିଅଁଙ୍କ ନବକଳେବର ବେଳେ ଯଜ୍ଞଶାଳା ଓ ଚାଳଘର ମଧ୍ୟ ତିଆରି କରନ୍ତି ଓ ରଥଖଳାରେ ଛାମୁଣ୍ଡିଆ ବାନ୍ଧନ୍ତି ।

 

ଖଳିଆଳତି

ଚକଟା ଚାଉଳଚୂନାରେ ଆଳତିବତୀ ଖଞ୍ଜାଯାଇ ଶ୍ରୀଦିଅଁଙ୍କୁ କରାଯାଉଥିବା ଆଳତି ।

ଖଳିଲାଗି

ଅଣସର ସମୟରେ ପ୍ରଭୁଙ୍କଠାରେ ହେଉଥିବା ଓଷଲେପ ।

ଖଡ଼ିଲାଗି

ଅଣସରବେଳେ ଶ୍ରୀଦିଅଁଙ୍କ ବନକଲାଗି ପାଇଁ ପ୍ରଥମେ ଦିଆଯାଉଥିବା ଖଡ଼ିଲେପ ।

ଖୁଣ୍ଟିଆ

ଶ୍ରୀଜୀଉଙ୍କ ଅଙ୍ଗରକ୍ଷକ ସେବକ । ଦିଅଁଙ୍କ ପାଇଁ ଏମାନେ ଫୁଲ, ତୁଳସୀ, ଯୋଗାଇବା ସହିତ ବେତ ଧରି ସେବା କରନ୍ତି । ରଥଯାତ୍ରାରେ ‘ମଣିମା ମଣିମା’ ଡାକ ଦିଅନ୍ତି ।

ଖୁରିନାୟକ

ପାଞ୍ଜିଦେଖି ସେଦିନର ଦିଅଁଙ୍କ ରାଶିନକ୍ଷତ୍ର ଗଣନା କରି ରଥଯାତ୍ରାର ଶୁଭାଶୁଭ ଜଣାଉଥିବା ସେବକ ।

 

ଗଜାନନ ବେଶ

ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ସ୍ନାନ କରାଯିବା ପରେ ପ୍ରଭୁଙ୍କୁ କରାଯାଉଥିବା ହାତୀବେଶ ।

ଗଦିପ୍ରସାଦ

ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶ୍ରୀଦିଅଁଙ୍କ ପାଇଁ ଜଳଛେକ ଅଣାଯିବା ପରେ ମୁଦିରଥ ଦିଅଁଙ୍କୁ ଲାଗି କରୁଥିବା ଗଦିପ୍ରସାଦ ।

ଗରାବଡ଼ୁ

ପୂଜାପଣ୍ଡାଙ୍କୁ ରୁପାଝରିରେ ଜଳ ଯୋଗାଉଥିବା, ଘଷାଜଳ ପ୍ରସ୍ତୁତ କରୁଥିବା ଓ ମଇଲମ ଓ ଚନ୍ଦନଲାଗିବେଳେ ପୁଷ୍ପାଜଳଙ୍କୁ ହାତଧୂଆ ଜଳ ଯୋଗଉଥିବା ସେବକ ।

ଗୁଣବଳୁଆ

ପ୍ରଭୁଙ୍କ ରଥ ଟଣାପାଇଁ ଶକ୍ତ ଦଉଡ଼ି ବଳୁଥିବା ସେବକ ।

ଗୁଣାକାର

ଫୁଲରେ ଶ୍ରୀଦିଅଁଙ୍କ ପାଇଁ ଗୁଣା ପ୍ରସ୍ତୁତ କରୁଥିବା ସେବକ ।

ଗୁଣ୍ଡିଚା

ମହାରାଜା ଚୋଡ଼ଗଙ୍ଗ ଦେବଙ୍କ ଧର୍ମପତ୍ନୀ, ଯାହାଙ୍କ ନାମରେ ଗୁଣ୍ଡିଚା ମନ୍ଦିର ଓ ରଥଯାତ୍ରା ନାମିତ ହୋଇଛି ।

ଗୁଣ୍ଡିଚା ଘର

ଶ୍ରୀବଳଦେବ, ଶ୍ରୀସୁଭଦ୍ରା, ଶ୍ରୀସୁଦର୍ଶନ ଓ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଆସି ଅବସ୍ଥାନ କରୁଥିବା ଶ୍ରୀକ୍ଷେତ୍ରର ଉତ୍ତରପାର୍ଶ୍ଵରେ ଥିବା ଗୁଣ୍ଡିଚା ରାଣୀଙ୍କ ନାମରେ ନାମିତ ମନ୍ଦିର ।

ଗୁଣ୍ଡିଚା ବାଡ଼ି

ଗୁଣ୍ଡିଚା ଘର ଦ୍ରଷ୍ଟବ୍ୟ ।

ଗୁଣ୍ଡିଚା ଯାତ୍ରା

ମହାରାଜା ଚୋଡ଼ଗଙ୍ଗ ଦେବଙ୍କ ଧର୍ମପତ୍ନୀ ଗୁଣ୍ଡିଚା ଦେବୀଙ୍କ ନାମରେ ନାମିତ ପ୍ରଭୁଙ୍କ ବିଶ୍ଵବିଖ୍ୟାତ ରଥଯାତ୍ରା । ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ଗୁଣ୍ଡିଚାମନ୍ଦିର ଯାତ୍ରା, ଏଠାରେ ୭ ଦିନ ଅବସ୍ଥାନ ଓ ଏଠାରୁ ଦଶମୀ ତିଥିରେ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ଏହି ଯାତ୍ରାର ତ୍ରିବିଧ ମୁଖ୍ୟ ଅଙ୍ଗ ।

ଗୁଣ୍ଡିଚା ମନ୍ଦିର

ଗୁଣ୍ଡିଚା ଘର ।

ଗୁଣ୍ଡିଚା ଘର ରାହାସ

ଆଷାଢ଼ ଶୁକ୍ଲ ସପ୍ତମୀ, ଅଷ୍ଟମୀ ଓ ନବମୀରେ ଶ୍ରୀ ମଦନମୋହନଙ୍କ ଜଗମୋହନକୁ ବିଜେ କରିବା ଉତ୍ସବ ।

ଗୁଣ୍ଡିଚା ଚୁନାମୁଣ୍ଡି

ତିନିରଥ ଗୁଣ୍ଡିଚା ଦାଣ୍ଡରେ ଲାଗିବା ପରେ କେତେକ ନୀତି ବଢ଼ିବା ପରେ ଗୁଣ୍ଡିଚାଘର ଚୂନାମୁଣ୍ଡିଠାରେ ଅନୁଷ୍ଠିତ ପର୍ବଯାତ୍ରା ବିଧି । ଏଠାରେ ପାଳିଆ ପଢ଼ିଆରୀମାନେ ଭୋଗ ଡାକନ୍ତି, ଘଣ୍ଟ, ଛତା, କାହାଳୀ ସହିତ ତଳିଚ୍ଛ ମହାପାତ୍ର ଓ ପ୍ରଧାନୀ ହାତପୈଠ ହେବା ପରେ ଛେକ ଆସେ ଓ ପୂଜାପଣ୍ଡାମାନେ ଷୋଡ଼ଶ

ଉପଚାରରେ ପୂଜା କରନ୍ତି ।

ଗୋଟିପହଣ୍ଡି

ଶ୍ରୀଜୀଉଙ୍କ ପର୍ବଯାତ୍ରାରେ ଏକ ମୂର୍ତ୍ତି ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ମୂର୍ତ୍ତିଙ୍କର ହେଉଥିବା ପହଣ୍ଡି । ରଥାବତରଣ ଓ ସ୍ନାନମଣ୍ଡପରୁ ଅବତରଣ ସମୟରେ ଏଇ ପହଣ୍ଡି କରାଯାଏ ।

ଗୋପନୀୟ ନୀତି

ଶ୍ରୀଜୀଉଙ୍କ ନବକଳେବର ସମୟରେ ନବବିଗ୍ରହରେ ବ୍ରହ୍ମ ପରିବର୍ତ୍ତନ ନୀତି-

ଗୋପାଳବଲ୍ଲଭ

ଶ୍ରୀଜୀଉଙ୍କୁ ଅଣସର ପିଣ୍ଡିରେ ନିବେଦିତ ସକାଳର ପ୍ରଥମ ଭୋଗ । ତିନି ଜଣ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରନ୍ତି । ଏଥିରେ ୪୩ ଓଳି ପାଗଖଇ, ୬୯ ମୂର୍ତ୍ତି ବଡ଼ ନଡ଼ିଆକୋରା, ୨୨୫ ମୂର୍ତ୍ତି ସାନ ନଡ଼ିଆକୋରା, ପାଚିଲା କଦଳୀ ୩ ସରା, ୪ଟି ଖୁଆମଣ୍ଡା, ୬ ସରା ଦହି, ୩ ସରା ମାଖନ, ୩ ସରା ପାତିନଡ଼ିଆ ଓ ୩ଟି ପଇଡ଼ ଲାଗି କରାଯାଏ ।

 

ଘଟୁଆରୀ

ଶ୍ରୀଜୀଉଙ୍କ ଦୈନିକ ନୀତି ଓ ପର୍ବଯାତ୍ରା ସମୟରେ ଅଅଁଳା, ଚନ୍ଦନ ଯୋଗାଇବା, ମହାଦୀପ ପ୍ରସ୍ତୁତି, ଏକାଦଶୀରେ ରୂପା ପିଙ୍ଗଣରେ ଚନ୍ଦନ, କର୍ପୁର ଓ କସ୍ତୁରୀ ଇତ୍ୟାଦି ଦ୍ରବ୍ୟ ଯୋଗାଉଥିବା ସେବକ ।

ଘଣ୍ଟଛତା ଭୋଗ

ଶ୍ରୀଦିଅଁଙ୍କ ରଥଯାତ୍ରା ଓ କେତେକ ବିଶେଷ ନୀତିରେ ଘଣ୍ଟ, ଛତା, କାହାଳୀ ସହିତ ତଳିଛ ଓ ପ୍ରଧାନୀଙ୍କ ହାତପଇଠରେ ନିଆଯାଉଥିବା ଭୋଗ ।

ଘଣ୍ଟଛତା ସର୍ବାଙ୍ଗ

ଶ୍ରୀଦିଅଁଙ୍କ ରଥଯାତ୍ରାପାଇଁ ବିଶେଷ ନୀତିରେ ଘଣ୍ଟ, ଛତା କାହାଳୀ ସହିତ ନିଆଯାଉଥିବା ଚନ୍ଦନ ।

ଘଣ୍ଟୁଆ

ଶ୍ରୀଦିଅଁଙ୍କ ରଥଯାତ୍ରା, ସ୍ନାନଯାତ୍ରା, ବାହୁଡ଼ାଯାତ୍ରାର, ଦକ୍ଷିଣମୋଡ଼ ଓ ନୀଳାଦ୍ରି ବିଜେ ପ୍ରଭୃତିରେ ଘଣ୍ଟ ବଜାଉଥିବା ପୁରୀ ଓ ଭଟ୍ଟିମୁଣ୍ଡାର ଘଣ୍ଟବାଦ୍ୟକାରୀ କଂସାରି ସେବକ ।

ଘଣାଲାଗି

ଅଣସର ତ୍ରୟୋଦଶୀରେ ଶ୍ରୀଦିଅଁଙ୍କୁ ଲାଗି କରାଯାଉଥିବା ପଚିଶ ହାତ ଲମ୍ବା ପାଟଡୋର । ପ୍ରତି ବର୍ଷକ ଅନ୍ତରରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କର ଓ ପ୍ରତିବର୍ଷ ଦେବୀ ସୁଭଦ୍ରାଙ୍କର ଘଣାଲାଗି ନୀତି ସମ୍ପନ୍ନ ହୁଏ ।

ଘୋଡ଼ା

ଶ୍ରୀଦିଅଁଙ୍କୁ ବେଶ କରିବା ପାଇଁ ସେବକମାନଙ୍କ ଦ୍ଵାରା ବ୍ୟବହୃତ କାଠ ତିଆରି ଏକପ୍ରକାର ଛୋଟ ଭାଡ଼ି । ପ୍ରତ୍ୟେକ ରଥରେ ଯୋଚା ଯାଉଥିବା ଚାରିଗୋଟି ଲେଖାଏଁ ଅଶ୍ଵ ।

ଘୋଡ଼ା ବାରିକ

ଶ୍ରୀଦିଅଁଙ୍କ ଆଲଟଲାଗି ସମୟରେ ଘୋଡ଼ା ବା କାଠ ନିଶୁଣି ନିଆଅଣା କରୁଥିବା ସେବକ । ଘୋଷଯାତ୍ରା : ପ୍ରଭୁଙ୍କର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ।

 

ଚଉଁରୀବେଣ୍ଟ

ସୁନାବେଶରେ ଶ୍ରୀଦିଅଁଙ୍କୁ ଲାଗି ହେଉଥିବା ଏକ ସ୍ଵର୍ଣ୍ଣାଳଙ୍କାର ।

ଚକଟା ଭୋଗ

ଶ୍ରୀଦିଅଁଙ୍କ ଅଣସର ନୀତି ସମୟରେ, ବଡ଼ସିଂହାର ପରେ ଓ ରାତି ପହୁଡ଼ ପୂର୍ବରୁ ଲାଗି କରାଯାଉଥିବା କ୍ଷୀର, ଛେନା, ପାଚିଲା କଦଳୀ, କନ୍ଦ ଓ ଅଳେଇଚ ପଡ଼ି ପ୍ରସ୍ତୁତ କରାଯାଉଥିବା ଚକଟା ଭୋଗ ।

ଚକଡେରା

ପ୍ରତିବର୍ଷ ରଥ ଗଢ଼ା ସମୟରେ ରଥର ଅଖରେ ନୂଆ ଚକ ଲାଗିବା ନୀତି-

ଚକ୍ରତୀର୍ଥ

ପ୍ରଥମେ ଦାରୁଙ୍କ ଆବିର୍ଭାବ ଘଟିଥିବା ଶ୍ରୀକ୍ଷେତ୍ରର ପ୍ରଖ୍ୟାତ ତୀର୍ଥସ୍ଥଳ ।

ଚକ୍ରଦିହୁଡ଼ି

ଶ୍ରୀଦିଅଁଙ୍କ ବିଜେ ଯାତ୍ରାରେ ଆଗେ ଆଗେ ପ୍ରଦର୍ଶିତ ହେଉଥିବା ଚକ୍ରାକାର ଦିହୁଡ଼ି ।

ଚକ୍ରଦିହୁଡ଼ିଆ

ଶ୍ରୀଦିଅଁଙ୍କ ବିଜେ ଯାତ୍ରାରେ ଆଗେ ଆଗେ ଚକ୍ରାକାର ଦିହୁଡ଼ି ପ୍ରଦର୍ଶନ କରୁଥିବା ସେବକ ।

ଚକ୍ରଦିହୁଡ଼ି ସେବା

ଶ୍ରୀଦିଅଁଙ୍କ ବିଜେ ଯାତ୍ରା ଓ ରଥ ଯାତ୍ରାରେ ଆଗେ ଆଗେ ପ୍ରଦର୍ଶନ କରାଯାଉଥିବା ଚକ୍ରାକାର ଦିହୁଡ଼ି ।

ଚକ୍ରବନାଟି

ଶ୍ରୀଦିଅଁଙ୍କ ରଥ ଯାତ୍ରାରେ ଆଗେ ଆଗେ ପ୍ରଦର୍ଶିତ ହେଉଥିବା ଚକ୍ରାକାର ବନାଟି ।

ଚତୁଃସମ

ଶ୍ରୀଦିଅଁଙ୍କ ଅଙ୍ଗଲାଗି ହେଉଥିବା ଚନ୍ଦନ, ଅଗୁରୁ, କସ୍ତୁରୀ, ଓ କୁଙ୍କୁମର ପ୍ରଲେପ ।

ଚନ୍ଦନବିଜେ

ଶ୍ରୀଦିଅଁଙ୍କ ନବକଳେବର ବେଳେ ଘଟୁଆରିଙ୍କ ଘରୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ଅଣାଯାଉଥିବା ଚନ୍ଦନ ।

ଚନ୍ଦନଲାଗି

ଅଣସର ଏକାଦଶୀରେ ଦଇତାପତି ଓ ପତିମହାପାତ୍ର ଶ୍ରୀଦିଅଁଙ୍କୁ ଚନ୍ଦନ ଲାଗି କରିବା ନୀତି ।

ଚନ୍ଦ୍ରସୂର୍ଯ୍ୟ

ଶ୍ରୀଦିଅଁଙ୍କର ଏକପ୍ରକାରର ସୁନା ଅଳଙ୍କାର ବିଶେଷ ।

ଚଳନ୍ତିବିଷ୍ଣୁ

ଶ୍ରୀଦିଅଁଙ୍କ ପ୍ରଥମ ସେବକ ପୁରୀର ଗଜପତି ମହାରାଜା ।

ଚାଙ୍ଗଡ଼ାମେକାପ

ଶ୍ରୀଦିଅଁଙ୍କ ଅବକାଶ, ମଧ୍ୟାହ୍ନ ଓ ପହୁଡ଼ ନୀତି ପାଇଁ ବ୍ୟବହୃତ ତଡ଼ପ, ଶାଢ଼ୀ, ଖଣ୍ଡୁଆ, ଫୁଟା, ପହରଣ, ଶ୍ରୀକାପଡ଼ା ପ୍ରଭୃତି ବେଶ ପୋଷାକ ଓ ଅଳଙ୍କାର ଦାୟିତ୍ଵରେ ଥିବା ସେବକ ।

ଚାରସରି

ସୁନାବେଶରେ ଶ୍ରୀଦିଅଁଙ୍କୁ ଲାଗି କରାଯାଉଥିବା ଏକ ସ୍ଵର୍ଣ୍ଣାଳଙ୍କାର ବିଶେଷ-

ଚାର

ରଥ ଉପରକୁ ଉଠିବା ଓ ତଳକୁ ଓହ୍ଲାଇବା ପାଇଁ ତାଳ ବା ନଡ଼ିଆ ଗଛର ଗଣ୍ଡିରେ ପ୍ରସ୍ତୁତ ଘୋଷରା ପାହାଚ ।

ଚାରମାଳ

ରଥଯାତ୍ରାରେ ଦିଅଁମାନଙ୍କୁ ରଥ ଉପରକୁ ବିଜେ କରାଇବା ଓ ରଥରୁ ଓହ୍ଲାଇବା ପାଇଁ ତାଳ ବା ନଡ଼ିଆ ଗଛର ଗଣ୍ଡିରେ କତା ଦଉଡ଼ି ବାନ୍ଧି ପ୍ରସ୍ତୁତ କରାଯାଉଥିବା ଅସ୍ଥାୟୀ ପାହାଚ ।

ଚାରମାଲ

ରଥଯାତ୍ରାରେ ଦିଅଁଙ୍କୁ ରଥ ଉପରକୁ ବିଜେ କରାଇବା ଓ ରଥରୁ ଓହ୍ଲାଇବା ପାଇଁ ବ୍ୟବହୃତ ଚାର ତଳେ ରଖାଯାଇଥିବା ତାଳ ବା ନଡ଼ିଆର ଶକ୍ତ ଗଣ୍ଡି ବା ମାଲ ।

ଚାହାଣିମଣ୍ଡପ

ରଥଯାତ୍ରାରେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିବା ମଣ୍ଡପ ।

ଚିତ୍ରକାର

ଶ୍ରୀଦିଅଁଙ୍କ ଚନ୍ଦନ ମଣ୍ଡପ, ଝୁଲଣ ମଣ୍ଡପ, ମାଜଣା ମଣ୍ଡପ, ଅଣସରପଟି, ରଥପ୍ରତିମା, ରଥର ବିଭିନ୍ନ ଅଂଶରେ ଚିତ୍ର କରୁଥିବା ବାହାର ବନକ ସେବକ ।

ଚୂଳକେରା

ଶ୍ରୀଦିଅଁଙ୍କ ଏକ ସ୍ଵର୍ଣ୍ଣାଳଙ୍କାର ବିଶେଷ ।

ଚେହେଲି

ଶ୍ରୀଦିଅଁଙ୍କ ଅଣସରବେଳେ ଲାଗି କରାଯାଉଥିବା ଲାଲ୍, ହଳଦିଆ ଓ ସବୁଜ ରଙ୍ଗମିଶା ଆଠହାତ ଲମ୍ବା ଓ ତିନିହାତ ଚଉଡ଼ା ବିଶିଷ୍ଟ ସିଲ୍କ ବସ୍ତ୍ର ।

 

ଛତାର

ଶ୍ରୀଦିଅଁଙ୍କ ରଥଯାତ୍ରାରେ ଛତା ଧରୁଥିବା ସେବକ ।

ଛାଟିଆ

ଚଉକିଆ, ଚୌକିଦାର ।

ଛାମୁଆଁ

ପ୍ରଭୁଙ୍କର ପହଣ୍ଡି ବିଜେ ବେଳେ ସମ୍ମୁଖ ଭାଗକୁ ଭିଡ଼ି ଧରୁଥିବା ସେବକ ।

ଛାମୁଖୁଣ୍ଟିଆ

ନିତି ଦୋସଡ଼ା ଓ ଯାଉଁଳି ବେତ ଧରି ଠାକୁର ରାଜା ଓ ଶ୍ରୀ ଦିଅଁଙ୍କ ପାଖରେ ଜାଗ୍ରତ କରୁଥିବା ଓ ଶ୍ରୀ ଦିଅଁଙ୍କ ବିଜେ ସମୟରେ ‘ମଣିମା ମଣିମା’ ଡାକ ଦେଉଥିବା ସେବକ ।

ଛାମୁଛାଡ଼

ଶ୍ରୀଦିଅଁଙ୍କ ବା ମହାରାଜାଙ୍କ ବିଜେ ସମୟରେ ଯିବା ବାଟରୁ ଆଡ଼େଇ ଯିବାକୁ ନିର୍ଦ୍ଦେଶସୂଚକ ସତର୍କ ଡାକରା ।

ଛାମୁଦିହୁଡ଼ିଆ

ଶ୍ରୀଦିଅଁଙ୍କ ବାହାର ବା ଭିତର ବିଜେ କାଳରେ, ରଥଯାତ୍ରା, ସ୍ନାନଯାତ୍ରାରେ ଦିହୁଡ଼ି ଧରି ପ୍ରଭୁଙ୍କ ଆଗେ ଆଗେ ବାଟ କଢ଼ାଇ ନେଉଥିବା ସେବକ ।

ଛାମୁଡ଼ିଆସୁଆଁସିଆ

ବଡ଼ଦାଣ୍ଡର ରଥ ଖଳାରେ ରଥ ତିଆରି କରିବା ପାଇଁ ଛାମୁଣ୍ଡିଆ କରୁଥିବା ସେବକ ।

ଛାମୁଲେଙ୍କା

ଚକ୍ରଧାରଣ କରି ଶ୍ରୀଦିଅଁଙ୍କ ଯାତ୍ରାକୁ ଯାଉଥିବା ସେବକ ।

ଛେକାକୋଠିଆ

ରଥଖଳାରେ ଭାଇ ମହାରଣାଙ୍କୁ ଆବଶ୍ୟକତା ମାଫିକ କାଠ ଯୋଗାଉଥିବା ସେବକ ।

ଛେରା

ସୁବାସିତ ଜଳରେ ମିଶିଥିବା ଘୋରା ଚନ୍ଦନ ।

ଛେରାପହଁରା

ତିନିଠାକୁରଙ୍କ ରଥ ଟଣା ହେବା ପୂର୍ବରୁ ଗଜପତି ମହାରାଜାଙ୍କର ରଥରେ ଧଳା ଫୁଲ ଓ ଚନ୍ଦନ ପାଣି ଛିଞ୍ଚିବା ଓ ସୁନା ଝାଡ଼ୁରେ ରଥ ଓଳାଇବା ସ୍ଵତନ୍ତ୍ର ସେବା ବିଧି ।

 

ଜନକପୁରୀ

ଶ୍ରୀଗୁଣ୍ଡିଚାଘର, ଶ୍ରୀଗୁଣ୍ଡିଚା ମନ୍ଦିର ।

ଜନ୍ମକୁଞ୍ଜ

କୋଇଲିବୈକୁଣ୍ଠ, ଏଠାରେ ପ୍ରଭୁଙ୍କର ନବକଳେବର ବେଳେ ନୂତନ ବିଗ୍ରହ ନିର୍ମାଣ କରାଯାଏ ।

ଜୟବିଜୟଦ୍ଵାର

ଶ୍ରୀମନ୍ଦିରର ଜଗମୋହନରୁ ଭିତରକୁ ଯିବାପାଇଁ ଥିବା ଦ୍ଵାର । ଏହାର ଦକ୍ଷିଣପାର୍ଶ୍ଵରେ ଦ୍ଵାରପାଳ ରୂପେ ଜୟ ଓ ଉତ୍ତରପାର୍ଶ୍ଵରେ ବିଜୟଙ୍କ ମୂର୍ତ୍ତି ରହିଅଛି । ଏହି ବାଟ ଦେଇ ପ୍ରଭୁ ରଥକୁ ଆସନ୍ତି ।

ଜରିପଟୁକା

ଶ୍ରୀଦିଅଁଙ୍କ ରଥଲାଗି ଜରି ଓ ଜମ୍ଵୁରାରେ କାମ କରୁଥିବା ସେବକ ।

ଜଳାଧିବାସ

ଶ୍ରୀଦିଅଁଙ୍କ ସ୍ନାନ ଉତ୍ସବ ପୂର୍ବରୁ ସୁନାକୂଅରୁ ଶହେ ଆଠଗରା ପାଣି କଢ଼ାଯାଇ କରାଯାଉଥିବା ଅଧିବାସ । ପ୍ରତିକୁମ୍ଭରେ ଘଟୁଆରୀମାନେ ସମାନ ପରିମାଣର ଚନ୍ଦନ, କର୍ପୁର, କେଶର ଓ ଚୁଆ ମିଶାନ୍ତି ଓ ଗରାବଡ଼ୁମାନେ ଏହି କୁମ୍ଭ ଉପରେ ଗୋଟାଏ ଲେଖାଏଁ କରିଆ ଓ ନଡ଼ିଆ ଥୋଇ କୁମ୍ଭଗୁଡ଼ିକୁ ଅଧିବାସ ଘରେ ସାଇତି ରଖୁଥିବା ବିଧି ।

 

ଝୁମ୍ପା

ଶ୍ରୀଦିଅଁଙ୍କ ଶ୍ରୀମୁଖ ତଳଠାରୁ ନାସାଗ୍ର ପର୍ଯ୍ୟନ୍ତ ଲମ୍ବିଥିବା ପୁଷ୍ପାଭରଣ ବିଶେଷ-

ଝୋବାକଣ୍ଠି

ଶ୍ରୀଦିଅଁଙ୍କ କଟିଭୂଷଣ ପାଇଁ ବ୍ୟବହୃତ ସୁନା ଝୁମ୍ପା ଲାଗିଥିବା ଏକପ୍ରକାର ସ୍ଵର୍ଣ୍ଣାଳଙ୍କାର ।

 

ଟମକ

ଶ୍ରୀଦିଅଁଙ୍କ ରଥଯାତ୍ରାରେ ବାଜୁଥିବା ଏକପ୍ରକାର ଆନନ୍ଦ ବାଦ୍ୟ ।

ଟାହିଆ

ଶ୍ରୀଦିଅଁଙ୍କ ପହଣ୍ଡିବେଳେ ତାଙ୍କ ଶ୍ରୀମସ୍ତକରେ ଲାଗି ହେଉଥିବା ସୋଲ, ଜରି, ଫୁଲ, ପତ୍ରାଦିରେ ପ୍ରସ୍ତୁତ ବିରାଟ ଆକାରର ପୁଷ୍ପକିରୀଟ । ରାଘବଦାସ ମଠରୁ ଜଗନ୍ନାଥ ଓ ସୁଭଦ୍ରାଙ୍କ ପାଇଁ ଏବଂ ଗୋପାଳତୀର୍ଥ ମଠରୁ ବଳଦେବଙ୍କ ପାଇଁ ଟାହିଆ ପ୍ରସ୍ତୁତ କରାଯାଏ । ସୁଦର୍ଶନଙ୍କ ଟାହିଆ ୧୮ କାଠି ବିଶିଷ୍ଟ, ସୁଭଦ୍ରାଙ୍କ ଟାହିଆ ୨୨ କାଠି ବିଶିଷ୍ଟ, ବଳଦେବଙ୍କ ଟାହିଆ ୩୩ କାଠି ବିଶିଷ୍ଟ ଏବଂ ଜଗନ୍ନାଥ ଟାହିଆ ୩୫ କାଠି ବିଶିଷ୍ଟ ।

ଟେରା

ଶ୍ରୀଦିଅଁଙ୍କ ଅଣସର ନୀତିରେ ତାଙ୍କୁ ଆଡ଼ୁଆଳ କରିବା ପାଇଁ ବନ୍ଧାଯାଉଥିବା କନାର ପରଦା ।

ଟେରାପକା : ଶ୍ରୀଦିଅଁଙ୍କ ଭୋଗଲାଗି ପୂର୍ବରୁ ତାଙ୍କୁ ଆଢ଼ୁଆଳ ଭିତର ଦ୍ଵାରରେ ପାଇଁ ବନ୍ଧାଯାଉଥିବା କନାର ପରଦା ।

ଟେରାପଡ଼ିବା

ଗରୁଡ଼ଙ୍କ ଆଗରୁ ବାହାରୁ ଥିବା ପଟୁଆର ବେଢ଼ା ପରିକ୍ରମା କରି ଫେରିବା ଓ ସକାଳଧୂପ ବଢ଼ିବା ପର୍ଯ୍ୟନ୍ତ ଶ୍ରୀ ଦିଅଁଙ୍କ ସାମନାରେ ବନ୍ଧାଯାଉଥିବା ପରଦା ।

ଟେରାଫିଟା

ଶ୍ରୀଦିଅଁଙ୍କ ଭିତର ଭୋଗ ବଢ଼ିବା ପରେ ପତ୍ରୀବଡ଼ୁ ବାହାରେ ରହି ହଡ଼ପନାୟକଙ୍କୁ ଡାକିବା, ପ୍ରତିହାରୀସେବକଙ୍କ ଦ୍ଵାର ଫିଟା କାଳରେ ପୂର୍ବରୁ ପଡ଼ିଥିବା ପରଦା ଉଠାଯିବା ନୀତି ।

ଟେରାବନ୍ଧା

ଶ୍ରୀଦିଅଁଙ୍କ କେତେକ ନୀତିରେ ତାଙ୍କୁ ଆଢ଼ୁଆଳରେ ରଖିବା ପାଇଁ କନାର ପରଦା ବାନ୍ଧିବା ।

 

ଠିଆକିଆ

ଶ୍ରୀଦିଅଁଙ୍କ ଶ୍ରୀମସ୍ତକରେ ଲାଗି କରାଯାଉଥିବା ସୁନାରେ ନିର୍ମିତ କିଆପତ୍ର ଭଳି ସ୍ଵର୍ଣ୍ଣାଳଙ୍କାର ବିଶେଷ ।

ଠିଆପହୁଡ଼

ରଥଯାତ୍ରାର ପୂର୍ବରାତିରେ ଶ୍ରୀଦିଅଁଙ୍କର ବିନା ଶେଯଲାଗିରେ ହେଉଥିବା ଶୟନ-

 

ଡବାମାଳି

ଶ୍ରୀଦିଅଁଙ୍କର ଗଳାରେ ପିନ୍ଧାଯାଉଥିବା ଏକ ପ୍ରକାର କଣ୍ଠିମାଳ ।

ଡାହୁକ

ଶ୍ରୀଦିଅଁଙ୍କ ରଥରେ ଶୃଙ୍ଗାର ରସାତ୍ମକ ପଦମାନ ବୋଲି ରଥଟଣାକୁ ଉତ୍ସାହିତ କରୁଥିବା ସେବକ ।

ଡାହୁକବୋଲି

ରଥଟଣା ସମୟରେ ହାତରେ ଧରିଥିବା ଲମ୍ବାବେତ ଧରି ଡାହୁକ ବୋଲୁଥିବା ଅଶ୍ଳୀଳ ବୋଧ ହେଉଥିବା ଗୂଢ଼ାର୍ଥବୋଧକ ଶୃଙ୍ଗାରଭାବୋଦ୍ଦୀପକ ଗୀତ ।

ଡୋରଲାଗି

ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଦେବଙ୍କ ଶ୍ରୀ ଅଙ୍ଗରେ ରଥଯାତ୍ରା କାଳରେ ପହଣ୍ଡି ହେବା ସମୟରେ ଲାଗି ହେଉଥିବା ପାଟଡୋର ।

 

ଢକା

ରଥଯାତ୍ରାବେଳେ ବାଜୁଥିବା ଢୋଲବାଜା ।

ଢୋଲିଆ

ରଥଯାତ୍ରା ବେଳେ ଢୋଲବଜାଉଥିବା ବାଦକ ।

 

ତଢ଼ାଉ କରଣ

ଶ୍ରୀଜୀଉଙ୍କ ଭଣ୍ଡାଘର ହିସାବ ରକ୍ଷକ । ବାହୁଡ଼ାଯାତ୍ରା ପରର ସୁନାବେଶ ସମୟରେ ଆବଶ୍ୟକ ମାଫିକ ବିଭିନ୍ନ ସୁନାଅଳଂକାରର ହିସାବ ରକ୍ଷକ ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନିର୍ବାହକାରୀ ସେବକ ।

ତାମରାବିଷୋୟୀ

ରଥରେ ବ୍ୟବହୃତ ତମ୍ଵା କାମ କରୁଥିବା କାରିଗର । ଶ୍ରୀଜୀଉଙ୍କ ବାହୁଟଲାଗି ବେଳେ ତମ୍ଵା ପାତ ଯୋଡ଼ୁଥିବା ସେବକ ।

ତୁଳସିଆ

ଶ୍ରୀଜୀଉଙ୍କ ପୂଜା ନିମିତ୍ତ ତୁଳସୀ ଯୋଗାଣକାରୀ ସେବକ ।

ତ୍ରୟୋଦଶ ଅଙ୍ଗ

ରଥର ପ୍ରମୁଖ ତେରଗୋଟି ଅଙ୍ଗ । ଯଥା: ୧. ଚକ୍ରପୀଠ, ୨.ଅରଦଣ୍ଡା, ୩.ଗର୍ଗରା, ୪. ମୂଳମାବ, ୫. ବରାଣ୍ଡି, ୬. ରଥଗର୍ଭ, ୭. ପାରାଭାଡ଼ି, ୮. କୋଟଳ, ୯. କଳସପୀଠ, ୧୦. ଦଧିନଉତି, ୧୧. କର୍ଣ୍ଣଅଳା, ୧୨. ଧାତୁକଳସ ଓ ୧୩. ଆୟୁଧଧ୍ଵଜା । ‘ରଥନିର୍ମାଣ କାରିକାରେ’ ଏ ସମ୍ପର୍କରେ ଉଲ୍ଲେଖ ଅଛି –

“ସ୍ୟନ୍ଦନ ପୁରୁଷାକାରଂ ପ୍ରତ୍ୟାଗାତ୍ମରଥୀ ସ୍ଵୟମ୍

ବିଦ୍ୟାଧର ସ୍ଵରୂପେଣ ତ୍ରୟୋଦଶାଙ୍କ ଶୋଭିତମ୍ ।’’

ତୋଡ଼ର

ଶ୍ରୀଜୀଉଙ୍କ ଶ୍ରୀଭୁଜ ଓ ଶ୍ରୀପଦରେ ଲାଗି ହେଉଥିବା ଅଳଙ୍କାର ବିଶେଷ ।

 

ଦଅଣାନାକୁଆସି

ଶ୍ରୀଦିଅଁଙ୍କ ଶ୍ରୀମୁଖ ଚିତା ପାଖରୁ ନାସାଗ୍ର ପର୍ଯ୍ୟନ୍ତ ଲମ୍ଵିଥିବା ଫୁଲଝୁମ୍ପା ।

ଦଇତାପତି

ପୁରାଣବର୍ଣ୍ଣିତ ନୀଳମାଧବଙ୍କ ସେବକ ବିଶ୍ଵାବସୁଙ୍କର ବଂଶଧର । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପୁରୋହିତ ବିଦ୍ୟାପତି ସହିତ ବିଶ୍ଵାବସୁଙ୍କ କନ୍ୟା ଲଳିତାଙ୍କ ବିବାହ ପରେ ଦଇତାପତିଙ୍କର ଜନ୍ମ । ଶ୍ରୀ ଦିଅଁଙ୍କ ରଥଯାତ୍ରା ଓ ନବକଳେବରର ପ୍ରମୁଖ ସେବକ । ପ୍ରଭୁଙ୍କ ନବକଳେବର, ସ୍ନାନଯାତ୍ରା, ଅଣସର, ରଥଯାତ୍ରା, ବାହୁଡ଼ାଯାତ୍ରା, ପହଣ୍ଡି ପ୍ରଭୃତି ସମସ୍ତ କର୍ମ ଏମାନେ ସମ୍ପାଦନ କରନ୍ତି ।

ଦଣ୍ଡଛତ୍ର

ଶ୍ରୀଜୀଉଁଙ୍କ ରଥଯାତ୍ରାରେ ଲାଗୁଥିବା ରୂପାରେ ତିଆରି ଲମ୍ଵା ଦଣ୍ଡଯୁକ୍ତ ରାଜକୀୟ ଛତ୍ର ।

ଦଣ୍ଡମଣ୍ଡ ସେବା

ହେରାପଞ୍ଚମୀରେ ମାହାରୀ ସେବିକା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିକଟରେ ଦଇତାଙ୍କ ଲୁଗାକାନି ଭିଡ଼ିନେଇ ମହାଲକ୍ଷ୍ମୀଙ୍କ ଛାମୁରେ ହାଜର କରାଇବା ଓ ତାଙ୍କ କାନି ଚିରିଦେବା ପର୍ବନୀତି ।

ଦତ

ତିନି ଦିଅଁଙ୍କର ଶ୍ରୀମୁଖ ଶୃଙ୍ଗାରକାରୀ ସିଂହାରୀ ସେବକ ।

ଦତମହାପାତ୍ର

ପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରକାରୀ ସେବକ ।

ଦର୍ପଣିଆ

ଦିଅଁଙ୍କ ସ୍ନାନବେଳେ ଦର୍ପଣ ଧରୁଥିବା ଓ ତାଙ୍କ ବାସନ ପରିଷ୍କାର କରୁଥିବା ସେବକ ।

ଦଶମୂଳପାଚନ

ସ୍ନାନପୂର୍ଣ୍ଣିମାରେ ଅତୁଠ ଜଳରେ ସ୍ନାନ କରିବା ଫଳରେ ତିନି ଦିଅଁ ଜ୍ଵରାକ୍ରାନ୍ତ ହୋଇ ଅଣସରରେ ରହନ୍ତି । ଏଇ ସମୟରେ ସେମାନଙ୍କ ଜ୍ଵରକଷ୍ଟ ଲାଘବ କରିବା ପାଇଁ ସେମାନଙ୍କୁ ଦଶମୂଳପାଚନ ଲାଗି କରାଯାଏ । ରାଜବୈଦ୍ୟମାନେ ମାଟି ପାତ୍ରରେ ବେଲଛେଲି, ଗମ୍ଭାରୀ, ଫଣଫଣା, ଅଗିବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅଙ୍କରାନ୍ତି, ପାଟେଳି ଓ ଲିମ୍ବ ଇତ୍ୟାଦି କେତେକ ଚେରମୂଳିରେ ଏଇ ପାଚନ ପ୍ରସ୍ତୁତକରନ୍ତି । ଦଶମୂଳ ପାଚନ ସେବନ ପରେ ପ୍ରଭୁ କ୍ରମଶଃ ଆରୋଗ୍ୟ ହୋଇ ଶୟନ ଅବସ୍ଥାରୁ ଉଠି ଚକାବିଜେ ହୁଅନ୍ତି ।

ଦଶାବତାର ଠାକୁର

ଶ୍ରୀଦିଅଁଙ୍କ ଅଣସର କାଳରେ ପଟିଦିଅଁଙ୍କ ସମ୍ମୁଖରେ ଖଟବିଜେ କରିଥିବା ଦୋଳଗୋବିନ୍ଦ, ରାମ, ନୃସିଂହ, ଲକ୍ଷ୍ମୀ, ସରସ୍ଵତୀ, ମଦନମୋହନ, କୃଷ୍ଣ ପ୍ରଭୃତି ଦଶ ଦିଅଁ ।

ଦଶାବତାର ଯାତ୍ରା

ଶ୍ରୀଦିଅଁଙ୍କ ରଥଯାତ୍ରାରେ ତାଳଧ୍ଵଜ ରଥରେ ବଳଦେବଙ୍କ ସହିତ ନୃସିଂହ, ରାମ ଓ କୃଷ୍ଣ, ଦେବଦଳନ ରଥରେ ସୁଭଦ୍ରାଙ୍କ ସହିତ ଜୟଦୁର୍ଗା ଓ ସୁଦର୍ଶନ ଏବଂ ନନ୍ଦିଘୋଷ ରଥରେ ଜଗନ୍ନାଥଙ୍କ ସହିତ ନାରାୟଣ ଓ ମଦନମୋହନ ମିଶି ଦଶଦିଅଁ ଯାତ୍ରା କରନ୍ତି ।

ଦକ୍ଷିଣମୋଡ଼

ଶ୍ରୀଗୁଣ୍ଡିଚା ମନ୍ଦିର ସାମନାରେ ଥିବା ତିନି ରଥଙ୍କ ବାହୁଡ଼ା ପାଇଁ ଶ୍ରୀମନ୍ଦିର ଅଭିମୁଖୀ ବା ଦକ୍ଷିଣାଭିମୁଖୀ କରିବା ନୀତି ।

ଦକ୍ଷିଣାଭିମୁଖ

ଶ୍ରୀଦିଅଁଙ୍କ ପାଇଁ ଅନୁଷ୍ଠିତ ଦକ୍ଷିଣାମୁଖୀ ବା ବିଭୀଷଣ ବନ୍ଦାପନା ।

ଦାରୁ

ନିମ୍ଵ ବୃକ୍ଷର ଗଣ୍ଡି, ଯେଉଁଥିରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରାଯାଏ । ନବକଳେବର ସମୟରେ ବନଯାଗ ଯାତ୍ରା କରି ଉପଯୁକ୍ତ ଲକ୍ଷଣ ଥିବା ନିମ୍ଵବୃକ୍ଷ ସନ୍ଧାନ କରି ଓ ବିଧିମତେ ପୂଜା କରି ଦାରୁସଂଗ୍ରହ କରାଯାଏ ଓ ପରେ ପରେ ସୁଲକ୍ଷଣଯୁକ୍ତ ଦାରୁରେ ଦିଅଁଙ୍କ ନୂତନ ବିଗ୍ରହ ନିର୍ମାଣ କରାଯାଏ ।

ଦାରୁଗୃହ

ଦିଅଁଙ୍କ ନବକଳେବର ପାଇଁ ନୂତନ ଦାରୁ ନିର୍ମାଣ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରସ୍ଥ ଉତ୍ତରଭାଗରେ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ ନୂତନ ଗୃହ । ଏହା କାଠ, ବାଉଁଶ, ନଡ଼ାରେ କୋଠସୁଆଁସିଆଙ୍କ ଦ୍ଵାରା ନିର୍ମିତ ହୁଏ ଓ ଏଠାରେ ଶିଳ୍ପୀଙ୍କଦ୍ଵାରା ନୂତନ ବିଗ୍ରହ, ନିର୍ମାଣ ହେବା ପୂର୍ବରୁ ହୋମଯଜ୍ଞାଦି ଉପଚାର ଦ୍ଵାରା ଏହାକୁ ପ୍ରଥମେ ସଂସ୍କାରିତ କରାଯାଇଥାଏ ।

ଦାରୁଦିଅଁ

ଦାରୁଦେବତା, ଦାରୁବ୍ରହ୍ମ, ଦାରୁବିଗ୍ରହ, ଶ୍ରୀବଳଦେବ, ଶ୍ରୀସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନ- ଏଇ ଚତୁର୍ଦ୍ଧାମୂର୍ତ୍ତି ।

ଦାରୁପଟୁଆର

ନବକଳେବର ସମୟରେ ନିର୍ଣ୍ଣିତ ଦାରୁଙ୍କୁ ନୂତନ ଶଗଡ଼ିରେ ଅଣାଯାଇ ପୁରୀ ଉପକଣ୍ଠରେ ପ୍ରବେଶ କରିବା କାଳରେ ନୃସିଂହ ମନ୍ଦିର ଅଥବା ଅଲାମଚଣ୍ଡୀଙ୍କ ନିକଟରେ ରଖାଯାଇ ଗଜପତି ମହାରାଜାଙ୍କୁ ଶୁଭସଂଵାଦ ଦିଆଯାଏ । ପରଦିନ ଗଜପତିଙ୍କ ତରଫରୁ ପ୍ରେରିତ ଘଂଟ, ଘଂଟା, କାହାଳୀ, ବାଜା, ପାଟହାତୀ, ଛତ୍ର, ତରାସ ଇତ୍ୟାଦି ଦ୍ଵାରା ସିଂହଦ୍ଵାର ଅଭିମୁଖେ ଅନୁଷ୍ଠିତ ବିରାଟ ଶୋଭଯାତ୍ରା । ଏହା ଶ୍ରୀମନ୍ଦିର ଉତ୍ତରଦ୍ଵାର ବାଟଦେଇ କୋଇଲିବୈକୁଣ୍ଠସ୍ଥ ନବନିର୍ମିତ ଦାରୁଗୃହକୁ ପ୍ରବେଶ କରେ ।

ଦାରୁବିଗ୍ରହ

ଦାରୁଦିଅଁ, ଦାରୁରେ ଗଢା ଚତୁର୍ଦ୍ଧାମୂର୍ତ୍ତି ।

ଦାରୁବ୍ରହ୍ମ

ସୁଲକ୍ଷଣଯୁକ୍ତ ସଂଗୃହୀତ ଦାରୁ ନିର୍ମିତ ବିଗ୍ରହଙ୍କଠାରେ ବ୍ରହ୍ମ ସଂସ୍ଥାପିତ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତି ।

ଦାରୁଲକ୍ଷଣ

ନବକଳେବର ଉପଲକ୍ଷେ ଅନୁଷ୍ଠିତ ବନଯାଗ ଯାତ୍ରା କାଳରେ ସେବକମାନଙ୍କ ଦ୍ଵାରା ସୁଲକ୍ଷଣଯୁକ୍ତ ଦାରୁ ସନ୍ଧାନ । ‘ସ୍କନ୍ଦପୁରାଣ’, ‘ସୂତସଂହିତା’ ପ୍ରଭୃତିରେ ଦାରୁ ଲକ୍ଷଣ ବର୍ଣ୍ଣିତ । ଚାରିକୁ ସାତ ଶାଖା ବିଶିଷ୍ଟ, ଆଠ ଦଶ ହାତ ସୁଦୃଢ଼ ଗଣ୍ଠି ଥିବା ସଳଖ ନିମ୍ଵବୃକ୍ଷ । ନଦୀତୀର, ଶ୍ମଶାନ ଅଥବା ଦେବାଳୟ ସନ୍ନିକଟ ଏଇ ନିମ୍ଵ ବୃକ୍ଷ ନିକଟରେ ସର୍ପ ବାସସ୍ଥାନ, ବରୁଣ ଓ ସାହାଡ଼ା ଗଛ ଥିବା ଦରକାର । ବୃକ୍ଷରେ ଶଙ୍ଖ, ଚକ୍ର, ଗଦା, ପଦ୍ମାଦି ଚିହ୍ନ ରହିଥିବା ଅପରିହାର୍ଯ୍ୟ । ଶ୍ରୀଜଗନ୍ନାଥଙ୍କ ଦାରୁ ମଞ୍ଜିଷ୍ଠା ବର୍ଣ୍ଣ ବିଶିଷ୍ଟ ଓ ଶଙ୍ଖ ଚକ୍ରାଦି ଅଙ୍କିତ ହୋଇଥିବା ଜରୁରୀ । ଶ୍ରୀଜଗନ୍ନାଥଙ୍କ ପାଇଁ କୃଷ୍ଣବର୍ଣ୍ଣ, ବଳଭଦ୍ରଙ୍କ ଦାରୁ ଶ୍ଵେତବର୍ଣ୍ଣ, ଦେବୀ ସୁଭଦ୍ରାଙ୍କ ଦାରୁ ପିତ ବର୍ଣ୍ଣ ଓ ଦେବ ସୁଦର୍ଶନଙ୍କ ଦାରୁ ରକ୍ତବର୍ଣ୍ଣ ହେବା ଆବଶ୍ୟକ । ବୃକ୍ଷରେ କୌଣସି ପକ୍ଷୀ ବସା କରି ନ ଥିବେ ଓ ଏହାର ପତ୍ର ତିକ୍ତ ନ ହୋଇ ବରଂ ସାମାନ୍ୟ ମଧୁର ହୋଇଥିବ ।

ଦାରୁଶଗଡ଼ି

ନବକଳେବର ସମୟରେ ନିରୁପିତ ଦାରୁଙ୍କୁ ଶ୍ରୀକ୍ଷେତ୍ର ଅଣାଯିବାରେ ବ୍ୟବହୃତ ସ୍ଵତନ୍ତ୍ର ଶଗଡ଼ି। ବରକାଠରେ ଏହାର ଚାରୋଟିଯାକ ଚକ, ତେନ୍ତୁଳି କାଠରେ ଅଖ ଓ କେନ୍ଦୁକାଠରେ ଦଣ୍ଡା ତିଆରି ହୋଇଥାଏ ଓ ବେତ ଦଉଡ଼ିରେ ଏହା ଟଣାଯାଏ ।

ଦାରୁସନ୍ଧାନ

ଦିଅଁଙ୍କ ନବକଳେବର ପାଇଁ ବନଯାଗ ଯାତ୍ରା କରି ଶ୍ରୀମନ୍ଦିରର ଦଇତାପତି, ପୁରୋହିତ ପ୍ରଭୃତି ସେବକମାନଙ୍କ ଦ୍ଵାରା ସୁଲକ୍ଷଣଯୁକ୍ତ ଦାରୁ ଠାବ କରିବା କାର୍ଯ୍ୟ ।

ଦାରୁସଂଗ୍ରହ

ଦିଅଁଙ୍କ ନବକଳେବର ବେଳେ କପି ମହାପାତ୍ର, ଦଇତାପତି, ପୁରୋହିତ ଓ ଅନ୍ୟାନ୍ୟ ସେବକଙ୍କର ବନଯାଗ ଯାତ୍ରା, ମାଆ ମଙ୍ଗଳାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସ୍ଵପ୍ନାଦେଶ ପ୍ରାପ୍ତି ପରେ ଉପଯୁକ୍ତ ଲକ୍ଷଣଯୁକ୍ତ ଦାରୁ ସନ୍ଧାନ ଓ ବିଭିନ୍ନ ପୂଜାର୍ଚ୍ଚନା ପରେ ଦାରୁଛେଦନ ଓ ଶଗଡ଼ି ଦ୍ଵାରା ଦାରୁଙ୍କୁ ଶ୍ରୀମନ୍ଦିର ଆନୟନ କର୍ମ ।

ଦିହୁଡ଼ିଆ

ଶ୍ରୀଦିଅଁଙ୍କ ବିଭିନ୍ନ ରଥଯାତ୍ରାରେ ଦିହୁଡ଼ି ଦେଖାଉଥିବା ସେବକ

ଦେଉଳପୁରୋହିତ

ରଥ ଅନୁକୂଳ, ରଥ ସଂସ୍କାର, ବିମଳାଙ୍କ ଷୋଳପୂଜାରେ ପୂଜାର୍ଚ୍ଚନା, ନବକଳେବର ବେଳେ ଦାରୁସଂଗ୍ରହ ସମୟରେ ହୋମ, ଯଜ୍ଞାଦି କାର୍ଯ୍ୟ ସଂପାଦନକାରୀ ଶ୍ରୋତ୍ରୀୟ ବ୍ରାହ୍ମଣ ସେବକ ।

ଦେବସ୍ନାନ ପୂର୍ଣ୍ଣିମା

ଶ୍ରୀଦିଅଙ୍କ ସ୍ନାନ ନୀତି ସମ୍ପନ୍ନ ହେଉଥିବା ଜ୍ୟେଷ୍ଠପୂର୍ଣ୍ଣିମା । ଏଇଦିନ ଦିଅଁଙ୍କୁ ସୁନାକୂଅରୁ ଉତ୍ତୋଳିତ ଓ ଅଧିବାସ କରାଯାଇଥିବା ୧୦୮ କଳସ ଜଳରେ ସ୍ନାନ କରାଯାଏ ।

 

ଧଣ୍ଡାମାଳ

ଶ୍ରୀଦିଅଁଙ୍କଠାରେ ଲାଗି ହେଉଥିବା ବାରହାତ ଲମ୍ଵର ଫୁଲମାଳ ।

ଧାଡ଼ିପହଣ୍ଡି

ସ୍ନାନଯାତ୍ରା, ରଥଯାତ୍ରାଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଜଣଙ୍କ ପରେ ଜଣେ କରି ଆଗପଛ ହୋଇ ପହଣ୍ଡି କରାଯିବା ବିଧି ।

ଧୂଳିଆଗୁଣ୍ଡିଚା

ପ୍ରଭୁଙ୍କ ରଥଯାତ୍ରାରେ ବର୍ଷା ନ ହୋଇ ଧୂଳିଉଡ଼ା ପାଗ ।

ଧ୍ଵଜପୂଜା

ଶ୍ରୀଦିଅଁଙ୍କ ରଥଯାତ୍ରା ଆରମ୍ଭରୁ ଶେଷଯାଏଁ ରଥରେ ଲାଗିଥିବା ଧ୍ଵଜଙ୍କୁ ପୂଜାପଣ୍ଡାମାନଙ୍କ ଦ୍ଵାରା କରାଯାଉଥିବା ପୂଜା ଓ ଶୁଖିଲା ଭୋଗ ସମର୍ପଣ-

 

ନନ୍ଦିଘୋଷ

ଷୋଳଚକ, ୨୩ ହାତ ଉଚ୍ଚତା, ପୀତଲୋହିତ ବର୍ଣ୍ଣ, ୮୩୨ଖଣ୍ଡ କାଠରେ ପ୍ରସ୍ତୁତ, ରଜ୍ଜୁ ପୁରେ ଶଙ୍ଖଚୂଡ଼ ନାଗୁଣୀ, ରୋଚିକା ମୋଚିକା, ସୂକ୍ଷ୍ମା ଓ ଅମୃତା ଧଳା ଘୋଡ଼ା ଲାଗିଥିବା ଗରୁଡ଼ଧ୍ଵଜ ବା କପିଧ୍ଵଜ ନାମକ ଶ୍ରୀଜଗନ୍ନାଥଙ୍କ ରଥ ।

ନବକଳେବର

ଯୋଡ଼ା ଆଷାଢ଼ରେ ଅନୁଷ୍ଠିତ ପ୍ରଭୁଙ୍କର ନବବିଗ୍ରହ ନିର୍ମାଣବିଧି । ୧୮୦୯, ୧୮୨୮, ୧୮୩୬, ୧୮୫୫, ୧୮୭୪, ୧୮୯୩, ୧୯୧୨, ୧୯୩୧, ୧୯୫୦, ୧୯୬୯, ୧୯୭୭ ଓ ୧୯୯୬ ମସିହାରେ ଦିଅଁଙ୍କର ନବକଳେବର ହୋଇଥିଲା । ସୁଲକ୍ଷଣଯୁକ୍ତ ନିମ୍ଵ ବୃକ୍ଷରେ ନୂତନ ଦାରୁ ନିର୍ମାଣ କରାଯାଏ । ନୂତନ ଦାରୁ ସଂଗ୍ରହ ଓ ମୂର୍ତ୍ତି ନିର୍ମାଣ ପାଇଁ ପର୍ଯ୍ୟାପ୍ତ ସମୟ ଦରକାର । ତେଣୁ ୪୫ ଦିନ ବା ଦେଢ଼ମାସର ସମୟ ଅବଧି ମଧ୍ୟରେ ବିବିଧ ପୂଜା ଉପାସନା ପରେ ନୂତମ ବିଗ୍ରହ ନିର୍ମିତ ହୁଅନ୍ତି । ପୁରାତନ ବିଗ୍ରହଙ୍କୁ କୋଇଲିବୈକୁଣ୍ଠଠାରେ ସମାଧି କରାଯାଏ । ବନଯାଗଯାତ୍ରାଠାରୁ ନବବିଗ୍ରହ ପ୍ରତିଷ୍ଠା ପର୍ଯ୍ୟନ୍ତ ରୀତିନୀତି ନବକଳେବରର ଅନ୍ତର୍ଭୁକ୍ତ ।

ନବଯୌବନ

ଅଣସରଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ଭତ୍ତା ଅମବାସ୍ୟା ଦିନ ସୁସ୍ଥତା ଜନିତ ନୂତନ ରୂପ ପ୍ରାପ୍ତି ।

ନବଯୌବନଦର୍ଶନ

ଉଭା ଅମାବାସ୍ୟା ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସର୍ବସାଧାରଣଙ୍କୁ ଦର୍ଶନ ସୁଯୋଗ ପ୍ରଦାନ ।

ନାକଚଣା

ଫୁଲରେ ପ୍ରସ୍ତୁତ ଗୁଣା ଭଳି ଏକପ୍ରକାର ପୁଷ୍ପାଳଙ୍କାର ।

ନାକଚଣାଦ୍ଵାର

ବାହୁଡ଼ା ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି କରି ଦିଅଁମାନେ ରଥକୁ ବିଜେ କରୁଥିବା ଦ୍ଵାର ।

ନାକୁଆସୀ

ଶ୍ରୀଦିଅଁଙ୍କ ଚିତାତଳକୁ ନାସାଗ୍ର ପର୍ଯ୍ୟନ୍ତ ଓହଳିଥିବା ପୁଷ୍ପାଳଙ୍କାର, ଦେବୀ ସୁଭଦ୍ରାଙ୍କର ସୁବର୍ଣ୍ଣ ନାସାଳଙ୍କାର ।

ନିଉଛାଳିସେବା

ନେତ୍ରୋତ୍ସବ କାଳରେ ଦିଅଁମାନଙ୍କୁ ବନ୍ଦାପନା କରାଯିବା ପରେ ତିନିବାଡ଼ରେ ପଣ୍ଡା, ପତି ଓ ମୁଦିରସ୍ତ ତିନି ଯୋଡ଼ା ଗାମୁଛା ଦେଇ ବନ୍ଦାପନା ପରେ କରୁଥିବା ଦଣ୍ଡପ୍ରଣାମ ।

ନିଦ୍ରାଘଟ

ଶ୍ରୀଦିଅଁମାନଙ୍କ ନବକଳେବର କାଳର ସ୍ନାନ ଯାତ୍ରାରେ ୧୦୮ କଳସ ସୁନାକୂଅର ଜଳ ସହିତ ଅତିରିକ୍ତ ରହିଥିବା ଚାରିକଳସ ଜଳ । ଏଇ ଚାରି କଳସ ଜଳରେ ପ୍ରଥମେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ କରାଯାଇ ସେମାନଙ୍କ ନିଦ୍ରା ଭଙ୍ଗ କରାଯାଏ ଓ ପରେ ପରେ ୧୦୮ କଳସ ଜଳରେ ସେମାନଙ୍କୁ ଯଥାବିଧି ସ୍ନାନ କରାଯାଏ ।

ନୀଳକନ୍ଦର

ଶ୍ରୀମନ୍ଦିର ବା ଏହାର ଗର୍ଭଗୃହ ।

ନୀଳଗିରି

ଶ୍ରୀକ୍ଷେତ୍ର ବା ନୀଳାଚଳ କ୍ଷେତ୍ର ।

ନୀଳମାଧବ

ଶବର ପୂଜିତ ପ୍ରଭୁ ଜଗନ୍ନାଥଙ୍କ ଆଦିରୂପ ।

ନୀଳାଚଳ

ଶ୍ରୀକ୍ଷେତ୍ର ପୁରୀ ।

ନୀଳାଚଳ ଅଭଡ଼ା

ରଥଯାତ୍ରାର ବାହୁଡ଼ାବିଜେ ପରେ ନୀଳାଦ୍ରିବିଜେର ପରଦିନ ଶ୍ରୀଦିଅଁଙ୍କୁ ଲାଗି କରାଯାଉଥିବା ପ୍ରଥମ ଅନ୍ନଭୋଗ ।

ନୀଳାଦ୍ରିବିଜେ

ଆଷାଢ଼ ଶୁକ୍ଳ ଦ୍ଵାଦଶୀରେ ରଥରୁ ଦିଅଁମାନଙ୍କର ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିବା ନୀତି ।

ନୁକାସିଆ

ସୁନାବେଶରେ ଶ୍ରୀଦିଅଁଙ୍କୁ ଲାଗି କରାଯାଉଥିବା ଏକପ୍ରକାର ସୁନା ଅଳଙ୍କାର ।

ନେତ୍ରୋତ୍ସବ

ଆଷାଢ଼ ଅମାବାସ୍ୟାରେ ତିନିଜଣ ଦତମହାପାତ୍ରଙ୍କ ଦ୍ଵାରା ତିନିଗୋଟି ରୁପାବଟାରେ ନେଇଥିବା କଳାରେ ଶ୍ରୀଦିଅଁମାନଙ୍କର ଶ୍ରୀନେତ୍ରାଙ୍କନ ଓ ପରେ ନବଯୌବନଦର୍ଶନର ବିଧି ।

 

ପଛଡ଼ୋର

ପହଣ୍ଡି ବେଳେ ସୁଆର, ମହାସୁଆର ଭିଡ଼ୁଥିବା ଦିଅଁଙ୍କ ପଶ୍ଚାତ୍ ଭାଗରେ ବନ୍ଧା ଯାଇଥିବା ପାଟଡ଼ୋର ।

ପଞ୍ଚ ଆଚାର୍ଯ୍ୟ

ବନଯାଗ ଯାତ୍ରା କାଳରେ ବନଯାଗହୋମ କର୍ମରେ ନିଯୁକ୍ତ ୧. ଆଚାର୍ଯ୍ୟ, ୨. ବ୍ରହ୍ମା, ୩.ସମିଧାଚାର୍ଯ୍ୟ, ୪.ଚରୁକର୍ତ୍ତା, ୫.ପୁସ୍ତକାଚାର୍ଯ୍ୟ ପ୍ରଭୃତି ପାଞ୍ଚଜଣ ବ୍ରାହ୍ମଣ । ଦାରୁବୃକ୍ଷ ପୂଜନ, ହୋମ ଯଜ୍ଞାଦି କର୍ମ କରିବାର ସହିତ ବୃକ୍ଷ ଧରାଶାୟୀ ହେବା ପର୍ଯ୍ୟନ୍ତ ଏମାନେ ନିଷ୍ଠାର ସହିତ ନିର୍ଜଳା ଉପବାସ କରିଥାନ୍ତି ।

ପଟିଦିଅଁ

ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ପିଣ୍ଡିରେ ଅବସ୍ଥାନ କାଳରେ ଭକ୍ତମାନଙ୍କ ଦର୍ଶନ ଜନିତ ଆକୁଳତା ବୃଦ୍ଧି ପାଏ । ଏଇ ସମୟରେ ଜ୍ୱରାକ୍ରାନ୍ତ ପ୍ରଭୁଙ୍କ ଦର୍ଶନ ନିଷିଦ୍ଧ ହୋଇଥାଏ । ଏଣୁ ଚିତ୍ରକାରମାନଙ୍କ ଦ୍ଵାରା ଅଣସରତାଟି ଉପରେ ଚିତ୍ରିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ ଦର୍ଶନ କରନ୍ତି ।

ପତିତପାବନ ଯାତ୍ରା

ପତିତମାନଙ୍କୁ ଦର୍ଶନ ଦେବାକୁ ପ୍ରଭୁ ଆପେ ବଡ଼ଦାଣ୍ଡକୁ ଅବତରଣ କରୁଥିବା ପ୍ରଭୁଙ୍କ ବିଶ୍ଵବିଖ୍ୟାତ ରଥଯାତ୍ରା ।

ପଶୁପାଳକ

ପ୍ରଭୁଙ୍କ ପୂର୍ବ ରାତିର ବେଶ ଓ ଫୁଲ ଲାଗି, ଅବକାଶରେ ବାର ଲାଗି ପାଟଖଣ୍ଡୁଆ ପିନ୍ଧାଉଥିବା, ଚନ୍ଦନ ନୀତି ପାଇଁ ମୁଖପଖାଳ ଯୋଗାଉଥିବା, ମଧ୍ୟାହ୍ନ ପହୁଡ଼ ପାଇଁ ମଇଲମ କରୁଥିବା, ନୂତନ ବସ୍ତ୍ର ଲାଗି କରୁଥିବା ଶ୍ରୀଦିଅଁଙ୍କ ଅଙ୍ଗଲାଗି ଓ ବେଶକାରୀ, ପୁଷ୍ପାଳକ ।

ପହଣ୍ଡି

ଶ୍ରୀଦିଅଁଙ୍କ ପର୍ବଯାତ୍ରା ସମୟର ପଦପାତ । ଗୋଟିପହଣ୍ଡି ଓ ଧାଡ଼ି ପହଣ୍ଡି ଭେଦରେ ଏହା ଦ୍ଵିବିଧ । ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରା ବେଳେ ଏହା ଅନୁଷ୍ଠିତ ହୁଏ । ଜ୍ୟେଷ୍ଠ ପୂର୍ଣ୍ଣିମାରେ ରତ୍ନସିଂହାସନରୁ ସ୍ନାନମଣ୍ଡପକୁ ଧାଡ଼ି ପାହଣ୍ଡିରେ ସ୍ନାନ ବଢ଼ିବା ପରେ ଅଣସରପିଣ୍ଡିକୁ ଗୋଟିପହଣ୍ଡିରେ ଆଷାଢ଼ଶୁକ୍ଲ ଦ୍ଵିତୀୟାରେ ରଥ ଉପରକୁ ଧାଡ଼ି ପହଣ୍ଡିରେ, ତୃତୀୟାରେ ରଥଉପରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ, ବାହୁଡ଼ା ଦଶମୀରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ରଥ ଉପରକୁ ଧାଡ଼ି ପହଣ୍ଡିରେ ଓ ନୀଳାଦ୍ରିବିଜେରେ ରଥରୁ ଶ୍ରୀମନ୍ଦିରକୁ ଦିଅଁମାନଙ୍କୁ ଗୋଟିପହଣ୍ଡିରେ ବିଜେ କରାଯାଏ । ଦଇତାପତିମାନେ ପହଣ୍ଡିରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ।

ପାଟଯୋଷୀ

ଦୈନିକ ଅବକାଶ ପୂଜା ସମୟରେ ଦିଅଁଙ୍କ ସାମନାରେ ରହି ପାଞ୍ଜିରୁ ତିଥିନକ୍ଷତ୍ର ଓ ଶୁଭାଶୁଭ ଫଳ ପଢ଼ି ଶୁଣାଉଥିବା ଜ୍ୟୋତିଷ ସେବକ ।

ପାଟଯୋଷୀ ମହାପାତ୍ର

ପଶୁପାଳକ ଶ୍ରେଣୀର ସେବକ । ଶ୍ରୀମନ୍ଦିରର ପର୍ବପର୍ବାଣି ପ୍ରକୃତିର ଶୁଭାଶୁଭ ବେଳା ନିର୍ଣ୍ଣାୟକ ଓ ଅନ୍ୟାନ୍ୟ ସେବକଙ୍କ ସେବା ତଦାରଖକାରୀ ପ୍ରମୁଖ ସେବକ ।

ପିଠିଆ

ପ୍ରଭୁଙ୍କର ପହଣ୍ଡି ବିଜେ ବେଳେ ପୃଷ୍ଠଦେଶକୁ ଭିଡ଼ି ଧରୁଥିବା ସେବକ ।

ପୁରସ୍ତମ

ପୁରୁଷୋତ୍ତମକ୍ଷେତ୍ର ଲୋକତୁଣ୍ଡରେ ଏଇ ନାମରେ ଖ୍ୟାତ ।

ପୁରୁଷୋତ୍ତମ

ଶ୍ରୀଜଗନ୍ନାଥ, ଶ୍ରୀକ୍ଷେତ୍ର । ଦେବତାମାନଙ୍କ ମଧ୍ୟରେ ରାଜା ଶ୍ରୀପୁରୁଷୋତ୍ତମ ଜଗନ୍ନାଥ ଓ କ୍ଷେତ୍ରମାନଙ୍କ ମଧ୍ୟରେ ରାଜା କ୍ଷେତ୍ରରାଜ ଶ୍ରୀକ୍ଷେତ୍ର ।

ପୁରୀ

ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର ।

ପୁଷ୍ପାଳକ

ଶ୍ରୀଦିଅଁଙ୍କୁ ପୁଷ୍ପାଳଙ୍କାରରେ ବେଶ କରୁଥିବା ଅଙ୍ଗଲାଗି ସେବକ ।

ପୂଜାପଣ୍ଡା

ଭୋଗମଣ୍ଡପରେ ଗରୁଡ଼ଦ୍ଵାର ଫିଟାଇବା ଓ ପୂଜା କରିବା, ଧୂପବେଳେ ଥାଳି ଚାରିପାଖେ ମୁରୁଜ ପକାଇବା, ଶ୍ରୀଦିଅଁଙ୍କ ପୂଜାଠା ଓ ନୈବେଦ୍ୟ କରିବା ଓ ଅନ୍ୟାନ୍ୟ ପର୍ବଯାତ୍ରାରେ ବିଭିନ୍ନ ସେବା କାର୍ଯ୍ୟରେ ନିୟୋଜିତ ସେବକ । ଦିଅଁଙ୍କର ସ୍ନାନ, ହୋମ, ଯଜ୍ଞାଦି କରିବା ସହିତ ଦୈନିକ ନୈବେଦ୍ୟ ଲାଗି କରିବା ଓ ବିଭିନ୍ନ ପୂଜା ବିଧାନକାରୀ ପୁରୋହିତ ।

ପୋଡ଼ପିଠା

ରଥଯାତ୍ରା ବେଳେ ମାଉସୀମା ମନ୍ଦିରଠାରେ ଶ୍ରୀଦିଅଁଙ୍କୁ ଭୋଗଲାଗି କରାଯାଉଥିବା ଛେନା, ଚିନି, ସୁଜିରେ ତିଆରି ପୋଡ଼ା ଯାଇଥିବା ସ୍ଵାଦିଷ୍ଟ ପିଠା ।

ପ୍ରତିହାରୀ

ଶ୍ରୀଦିଅଁଙ୍କୁ ପ୍ରତି ଧୂପରେ ଟେରା ବାନ୍ଧିବା, ଭୋଗ ଡାକିବା, ଦ୍ଵାର ଫିଟାଇବା, ପହୁଡ଼ ଫିଟା ପରେ ‘ମଣିମା ମଣିମା’ ଡାକଦେଇ ରତ୍ନପଲଙ୍କରୁ ପ୍ରଭୁଙ୍କୁ ରତ୍ନସିଂହାସନ ବିଜେ କରାଇବା, ମଙ୍ଗଳଆଳତି ପୂର୍ବରୁ ଛାମୁଦ୍ଵାର ଫିଟା ସମୟରେ ‘ମଣିମା ମଣିମା’ ଡାକ ଦେବା ଓ ଅନ୍ୟାନ୍ୟ ପର୍ବଯାତ୍ରାରେ ପ୍ରଭୁଙ୍କ ସେବକ ।

 

ଫଡ଼ିଖେଳ

ଶ୍ରୀଦିଅଁଙ୍କ ରଥଯାତ୍ରାର ପଟୁଆର ବେଳେ କରାଯାଉଥିବା ଖଣ୍ଡାବାଡ଼ି ଖେଳ-

ଫୁଲୁରିଲାଗି

ଅଣସର ପଞ୍ଚମୀରେ ଦଇତାମାନେ ପୁରୁଣା ରାଶିତେଲ, ଚୁଆ ଓ କର୍ପୁର ଇତ୍ୟାଦି ନେଇ ତିନି ଦିଅଁଙ୍କଠାରେ ମାଲିସ କରାଯିବା ସେବାନୀତି ।

 

ବଇଦ

ଅଣସର ସମୟରେ ଅସୁସ୍ଥ ଦିଅଁଙ୍କୁ ଚେରମୂଳି ଔଷଧ ଲେପନ କରି ଆରୋଗ୍ୟ କରୁଥିବା ବୈଦ୍ୟ ସେବକ ।

ବଚନିକା

ଶ୍ରୀଦିଅଁଙ୍କ ନୀଳାଦ୍ରିବିଜେ ଓ ରୁକ୍ମଣୀହରଣ ନୀତିରେ ଶ୍ରୀଜଗନ୍ନାଥଙ୍କ ତରଫରୁ ଦଇତା ଓ ମହାଲକ୍ଷ୍ମୀଙ୍କ ତରଫରୁ ମାହାରୀଙ୍କ ମଧ୍ୟରେ ହେଉଥିବା ନାଟକୀୟ ଉକ୍ତି ପ୍ରତ୍ୟୁକ୍ତି ବିନିମୟ ।

ବଜନ୍ତରୀ

ଶ୍ରୀଦିଅଁଙ୍କର ବିବିଧ ଉତ୍ସବ ତଥା ପର୍ବଯାତ୍ରାରେ ବିବିଧ ବାଦ୍ୟ ବାଦନକାରୀ ସେବକ । ଦୋଳଯାତ୍ରା, ଚନ୍ଦନଯାତ୍ରା, ରଥଯାତ୍ରା ସମୟରେ ଏମାନେ ବିଭିନ୍ନ ପ୍ରକାର ବାଜା ବଜାନ୍ତି ।

ବନକ

ଶ୍ରୀମନ୍ଦିର ସରଘରଠାରେ ଠାକୁରଙ୍କ ଲାଗି ପାଇଁ ବଟା ଯାଇ ରୁପାବଟାରେ ରଖାଯାଉଥିବା ରଙ୍ଗ । ମଧ୍ୟାହ୍ନ ଧୂପ ପରେ ଏଥିରେ ତିନି ଦିଅଁଙ୍କର ଚିତ୍ରଲାଗି କରାଯାଏ ।

ବନକଲାଗି

ଦିଅଁମାନଙ୍କ ଶ୍ରୀମୁଖସିଂହାର କରାଯାଉଥିବା ରଙ୍ଗ ଲାଗି । ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥ ଅଠା, କସ୍ତୁରୀ, କଳା ଓ ତେଲ ମିଶାଯାଇ ଏହା ପ୍ରସ୍ତୁତ କରାଯାଏ । ଦତ୍ତମହାପାତ୍ରମାନେ ପ୍ରଭୁଙ୍କୁ ବନକଲାଗି କରାଯାଏ ।

ବନଯାଗ

ପ୍ରଭୁଙ୍କର ନବକଳେବର ସମୟରେ ଦାରୁସଂଗ୍ରହ ସ୍ଥାନରେ ଅନୁଷ୍ଠିତ ପୂଜା, ଯାଗ ଏ ଯଜ୍ଞ ।

ବନଯାଗ ଯାତ୍ରା

ଶ୍ରୀଜୀଉଙ୍କର ନବକଳେବର ପୂର୍ବରୁ ଅନୁଷ୍ଠିତ ଦାରୁସଂଗ୍ରହ କର୍ମର ପ୍ରଥମ ପର୍ଯ୍ୟାୟ । ନିର୍ଦ୍ଦିଷ୍ଟ ତିଥିରେ ଶ୍ରୀଦିଅଁଙ୍କ ଆଜ୍ଞାମାଳ ଗ୍ରହଣ କରି ଦଇତାପତି, ପତିମହାପାତ୍ର, ଖୁଣ୍ଟିଆ, ପୁରୋହିତ ପ୍ରଭୃତି ସେବକମାନେ ପ୍ରଥମେ କାକଟପୁରସ୍ଥ ଦେବୀ ମଙ୍ଗଳାଙ୍କ ନିକଟରେ ଉପସ୍ଥିତି ହୋଇ ତାଙ୍କର ପୂଜା କରନ୍ତି । ଏଠାରେ ହବିଷ୍ୟାନ୍ନ ଆହାର କରି ମାଆ ମଙ୍ଗଳାଙ୍କ ସ୍ଵପ୍ନାଦେଶ ପ୍ରାପ୍ତ ହୁଅନ୍ତି । ଦେବୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଏମାନେ ସୁଲକ୍ଷଣଯୁକ୍ତ ଦାରୁ ସନ୍ଧାନ କରନ୍ତି । ଦାରୁ ସନ୍ଧାନ ପରେ ନିର୍ବାଚିତ ଦାରୁଙ୍କୁ ଶଗଡ଼ିରେ ଆଣି ପୁରୀ ଅଭିମୁଖେ ଫେରି ଆସନ୍ତି ।

ବାର୍ଦ୍ଧକୀଗୁରୁ

ରଥକାର ମହାରଣାମାନଙ୍କ ଗୁରୁ । ସେଥିପାଇଁ ଉଲ୍ଲେଖ ଅଛି-

“ଶିଳ୍ପ କାଶ୍ୟପଗୋତ୍ରେୟ ରଥକାରବରାୟ ଚ

ପ୍ରଭାକର କଳିଙ୍ଗାୟ ମନସ୍ତେ ବର୍ଦ୍ଧକୀ ଗୁରୁ ।’’

ରଥ ନିର୍ମାଣ ଆରମ୍ଭରେ ମହାରଣାମାନେ ପ୍ରଥମେ ତାଙ୍କୁ ସମ୍ମାନ ଜଣାଇଥାନ୍ତି ।

ବସନ୍ତପଞ୍ଚମୀ

ମାଘ ଶୁକ୍ଳପଞ୍ଚମୀ, ଶ୍ରୀପଞ୍ଚମୀ । ଏଇ ଦିନ ଦୋଳଗୋବିନ୍ଦଙ୍କର ଲକ୍ଷ୍ମୀ ଓ ଲରସ୍ଵତୀଙ୍କ ସହିତ ବିମାନରେ ବସନ୍ତଗୁଣ୍ଡିଚା ତୋଟାକୁ ବିଜେ ହେବା ନୀତି । ପ୍ରତିବର୍ଷ ଏଇ ତିଥିରେ ରଥକାଠ ଅନୁକୂଳ କରାଯାଏ ।

ବାଇଶିପାହାଚ

ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟଠାରୁ କୂର୍ମବେଡ଼ା ଦେଇ ଜଗମୋହନ ଆଡ଼କୁ ଲମ୍ଵିଥିବା ବାଇଶିଟି ପାହାଚ । ଏହି ବାଟ ଦେଇ ପ୍ରଭୁଙ୍କୁ ପହଣ୍ଡି ବିଜେ କରାଯାଏ ।

ବଡ଼ଗ୍ରାହୀ ସେବକ

ଶ୍ରୀବଳଦେବ, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ଦାୟିତ୍ଵରେ ଥିବା ଦଇତା ସେବକ । ସ୍ଵାଇଁ ମହାପାତ୍ର, ଦାସ ଓ ଦାସମହାପାତ୍ର ଯଥାକ୍ରମେ ଏଇ ସେବାର ଅଧିକାରୀ ଅଟନ୍ତି ।

ବାହୁଡ଼ା

ତିନି ଦିଅଁଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଆଷାଢ଼ ଶୁକ୍ଳ ଦଶମୀରେ ବାହୁଡ଼ି ଆସିବା ଯାତ୍ରା ।

ବାହୁଡ଼ାବିଜେ

ତିନି ଦିଅଁଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଆଷାଢ଼ ଶୁକ୍ଳ ଦଶମୀରେ ରଥାରୋହଣ ପର୍ବ ।

ବାହୁଡ଼ାବିଜେ

ତୁଳିଗଡ଼ା

ବାହୁଡ଼ା ଯାତ୍ରାରେ ପ୍ରଭୁଙ୍କ ଏକପ୍ରକାର ପରିଧେୟ ବସ୍ତ୍ର ବିଶେଷ ।

ବାହୁଟ

ରଥଯାତ୍ରାରେ ପହଣ୍ଡି ବେଳେ ଶ୍ରୀଦିଅଁଙ୍କ ଶ୍ରୀଭୁଜକୁ ଦୃଢ଼ କରି ରଖିବା ପାଇଁ ବ୍ୟବହୃତ ବଉଳକାଠ ।

ବାହୁଟକଂଟ

ରଥଯାତ୍ରା ପୂର୍ବରୁ ତିନି ଦିଅଁଙ୍କର ଶ୍ରୀଭୁଜରେ ବଉଳକାଠର ବାହୁଟ ଲାଗି ନୀତି ।

ବାହୁଟି

ଶ୍ରୀଦିଅଁଙ୍କ ଶ୍ରୀଭୁଜ ଅଳଙ୍କାର, ଶ୍ରୀଭୁଜ ରକ୍ଷାକବଚ ।

ବିଜେକାହାଳୀ

ଶ୍ରୀଦିଅଁ, ଶ୍ରୀମହାପ୍ରସାଦ, ଆଜ୍ଞାମାଳ, ଓ ରଥବିଜେ ପୂର୍ବରୁ କାହାଳିଆ ସେବକ ଫୁଙ୍କୁଥିବା ବିଜେସୂଚକ କାହାଳୀ ଧ୍ଵନି ।

ବିଜେ ମହାଜନ

ଶ୍ରୀଦିଅଁଙ୍କ ବିଜେ ପ୍ରତିମାଙ୍କୁ ଧରି ବିଜେ କରାଉଥିବା ସେବକ ବିଶେଷ ।

ବିଭୀଷଣ ବନ୍ଦାପନା

ପ୍ରଭୁଙ୍କୁ ନିବେଦିତ ଦକ୍ଷିଣାମୁଖୀ ବନ୍ଦାପନା ।

ବିମାନବଡ଼ୁ

ଶ୍ରୀଦିଅଁଙ୍କର ବିଜେ ପ୍ରତିମାଙ୍କ ବାହାର ଓ ଭିତର ବିଜେ କରାଉଥିବା ଓ ପର୍ବଯାତ୍ରାରେ ପାଲିଙ୍କି ଓ ବିମାନ କାନ୍ଧଉଥିବା ବିମାନକାନ୍ଧିଆ ସେବକ ।

ବିରୂପ

ଶ୍ରୀଜୀଉଁମାନେ ଅଣସର ପିଣ୍ଡିରେ ଅବସ୍ଥାନ କରିବା ସମୟରେ ତାଙ୍କର ଜ୍ଵରପୀଡ଼ା ଉପଶମ କରିବାକୁ ଶ୍ରୀଅଙ୍ଗରେ ବିବିଧ ଓଷଲେପ କରାଯାଏ । ଆଷାଢ଼ କୃଷ୍ଣପକ୍ଷ ଷଷ୍ଠୀଠାରୁ ନବମୀ ପର୍ଯ୍ୟନ୍ତ ପ୍ରତି ରାତିରେ ପ୍ରଭୁଙ୍କୁ ଏଇ ଗୁପ୍ତସେବା କରାଯାଏ । ତାଙ୍କ ଶ୍ରୀଅଙ୍ଗ ଛଡ଼ା ପୂର୍ବର ଓଷଲେପନ ଓ ଖଳି ହେଉଛି ବିରୂପ, ଯାହାକୁ କୋଇଲି ବୈକୁଣ୍ଠସ୍ଥିତ କୂପରେ ବିସର୍ଜନ କରାଯାଏ ।

ବେତଦଉଡ଼ି

ପ୍ରଭୁଙ୍କ ନବକଳେବର ସମୟରେ ନିରୂପିତ ଦାରୁଙ୍କୁ ଶଗଡ଼ିରେ ରଖି, ପାଟବସ୍ତ୍ରରେ ଘୋଡ଼ାଇ ପାଟଡୋରରେ ରୁନ୍ଧାଯାଏ । ଏହା ପରେ ଦାରୁଶଗଡ଼ିଙ୍କୁ କେବଳ ବେତଦଉଡ଼ିରେ ଶ୍ରୀକ୍ଷେତ୍ର ଅଭିମୁଖେ ଟଣାଯାଏ ।

ବୈଦ୍ୟ

ଶ୍ରୀଦିଅଁଙ୍କ ଅଣସର କାଳରେ ଦଶମୂଳପାଚନ ଓ ମୋଦକ ଦେଇ ପ୍ରଭୁଙ୍କ ଆରୋଗ୍ୟ କରୁଥିବା ବୈଦ୍ୟ ସେବକ ।

ବୋଳା

ଶ୍ରୀଦିଅଁମାନଙ୍କ ଶ୍ରୀମୁଖ ଚାରିପାର୍ଶ୍ଵରେ ଘେରା ଯାଇଥିବା ମୋଟା ବସ୍ତ୍ର ଗୋଲାକାର ଆଭୂଷଣ ।

 

ଭିତରସୁଆଁସିଆ

ଶ୍ରୀଦିଅଁମାନଙ୍କୁ ରତ୍ନସିଂହାସନ ଆରୋହଣ ଓ ଅବତରଣ ପାଇଁ ଚାର ବାନ୍ଧୁଥିବା ସେବକ ।

ଭିତରଛ ମହାପାତ୍ର

ଶ୍ରୀମନ୍ଦିର ଦ୍ଵାରଫିଟା ପାଇଁ ପ୍ରଥମେ ମନ୍ଦିର ପ୍ରବେଶ କରି ମୁଦ ପରୀକ୍ଷା, ଶାଢ଼ୀବନ୍ଧାସେବା ଓ ଅମୁଣିହା ପରୀକ୍ଷା କରୁଥିବା, ମଧ୍ୟାହ୍ନ ପହୁଡ଼ ପରେ ସନ୍ଧ୍ୟା ଆଳତି ପାଇଁ କଳାହାଟ ଦ୍ଵାର ଖୋଲିବାକୁ ନିର୍ଦ୍ଦେଶ ଦେଉଥିବା, ପ୍ରସାଦ ଓ ଚନ୍ଦନଲାଗି, କର୍ପୁର ଓ ବଳିତା ତଥା ଅକ୍ଷତ ବନ୍ଦାପନା କରୁଥିବା ସେବକ ।

ଭେଟମଣ୍ଡପ

ନୀଳାଦ୍ରିବିଜେ ଦିନ ରଥରୁ ଅବତରଣ କରିବା ସମୟରେ ମହାଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ଆଗରେ ଉଭା ହୋଇ ତାଙ୍କୁ ଭେଟନ୍ତି । ଶ୍ରୀମନ୍ଦିର ବାହାର ବେଢ଼ାରେ ରୋଷଆଡ଼େ ଥିବା ମଣ୍ଡପକୁ ଭେଟମଣ୍ଡପ କୁହାଯାଏ ।

 

ମଇଲମ

ପ୍ରତ୍ୟହ ପ୍ରାତଃକାଳରେ ତିନିଜଣ ପୂଜାପଣ୍ଡାଙ୍କ ଦ୍ଵାରା ସମ୍ପାଦିତ ତିନିଦିଅଁଙ୍କ ପୂର୍ବରାତିର ବେଶ, ଅଳଙ୍କାର, ମାଳଚୂଳ ଉଲାଗି ଓ ଚାରିଖଣ୍ଡ ତଡ଼ପ, ଦୁଇଖଣ୍ଡ ଉତ୍ତରୀୟ, ଏକଖଣ୍ଡ ଖଣ୍ଡୁଆ ଲାଗି ନୀତି ।

ମଣ୍ଡଣିଆ

ଶ୍ରୀଜୀଉଙ୍କ ସ୍ନାନ ଯାତ୍ରାରେ ସ୍ନାନମଣ୍ଡପ ଓ ଅନ୍ୟାନ୍ୟ ପର୍ବଯାତ୍ରାରେ ଚାନ୍ଦୁଆ ବାନ୍ଧୁଥିବା ସେବକ ।

ମଣ୍ଡଣିପଟିଠାକୁର

ଶ୍ରୀଦିଅଁଙ୍କ ଅଣସର ନୀତି ସମୟରେ ପୂଜା ପାଉଥିବା ପଟିଦିଅଁ ।

ମନ୍ତ୍ରରାଜମନ୍ତ୍ର

ନବକଳେବର ପାଇଁ ବନଯାଗ ଯାତ୍ରାରେ ନିରୂପିତ ଦାରୁବୃକ୍ଷ ମୂଳରେ ବିଷ୍ଣୁପୂଜା ସହିତ କରାଯାଉଥିବା ହୋମରେ ଆହୁତି ପ୍ରଦାନ କରିବା କାଳରେ ପାଠକରାଯାଉଥିବା ମନ୍ତ୍ର ।

ମହାଅଣସର

ଯୋଡ଼ାଆଷାଢ଼ରେ ଶ୍ରୀଜଗନ୍ନାଥଙ୍କ ନବକଳେବର କାଳରେ ତିନିପକ୍ଷ ଧରି ପାଳିତ ହେଉଥିବା ଅଣସର ନୀତି । ନବକଳେବର ପାଇଁ ନୂତନ ଦାରୁ ସଂଗ୍ରହ, ବିଗ୍ରହ ନିର୍ମାଣ ପ୍ରଭୃତି ପାଇଁ ଆବଶ୍ୟକ ଦେଢ଼ମାସର ସମୟ ।

ମହାଜନ

ମହାଲକ୍ଷ୍ମୀ ଓ ମଦନମୋହନଙ୍କୁ ବିଭିନ୍ନ ପର୍ବଯାତ୍ରା ନୀତିରେ ରତ୍ନସିଂହାସନରୁ ହାତରେ ଧରି ପାଲିଙ୍କିରେ ଓ ମହାଲକ୍ଷ୍ମୀ, ସରସ୍ଵତୀ ଓ ମଦନମୋହନଙ୍କୁ ମାଜଣା ନୀତିରେ ମାଜଣା ମଣ୍ଡପରେ ବିଜେ କରାଉଥିବା ସେବକ ।

ମହାପ୍ରସାଦ

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭୋଗ ହେବା ପରେ ଦେବୀ ବିମଳାଙ୍କୁ ସମର୍ପିତ ଓ ପାତାଳନୃସିଂହ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିବା ଭୋଗପ୍ରସାଦ ।

ମାଉସୀମା

ବଡ଼ଦାଣ୍ଡ ପାର୍ଶ୍ଵସ୍ଥ ମନ୍ଦିରରେ ପୂଜିତା ଅର୍ଦ୍ଧାଶନୀ ଦେବୀ, ବାହୁଡ଼ା ରଥଯାତ୍ରାରେ ପ୍ରଭୁ ଏଇ ବାଟ ଦେଇ ରଥରେ ଗଲାବେଳେ ଏଠାରେ ତିନି ରଥ ଅଟକନ୍ତି ଓ ଠାକୁରାଣୀଙ୍କ ପକ୍ଷରୁ ତିନି ଦିଅଁଙ୍କୁ ପୋଡ଼ପିଠା ଭୋଗଲାଗି କରାଯାଏ ।

ମାଳଚୂଳିଆ

ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବଯାତ୍ରାରେ ଦିଅଁଙ୍କ ପାଇଁ ମାଳଚୂଳ ଯୋଗାଉଥିବା ସେବକ ।

ମାଳଚୂଳସେବା

ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଲାଗି ହେବା ନିମନ୍ତେ ଫୁଲ, ତୁଳସୀର ଚୁଳ ଓ ଜଳକବରୀମାଳ ଯୋଗାଉଥିବା ସେବକ ।

ମାଳିସେବକ

ଶ୍ରୀଦିଅଁଙ୍କ ପୂଜା ଉପଚାର ନିମନ୍ତେ ଦୈନିକ ପୁଷ୍ପ, ପୁଷ୍ପମାଳ, ଦୟଣା ତୁଳସୀ ପ୍ରଭୃତି ଯୋଗାଉଥିବା ସେବକ ।

ମାଲ

ରଥ ଉପରକୁ ଠାକୁରମାନେ ପହଣ୍ଡି କରି ଯାତାୟତ କରିବା ପାଇଁ ବନ୍ଧା ଯାଇଥିବା ଚାର ତଳେ ରଖାଯାଇଥିବା ଚାରୋଟି କାଠଗଡ଼ ।

ମୁଦିରଥ

ଦିଅଁଙ୍କ ରଥଯାତ୍ରା ସମୟରେ ରାଜାଙ୍କ ଅନୁପସ୍ଥିତରେ ରଥରେ ଛେରାପହଁରା ଓ ଅନ୍ୟ କେତେକ ନୀତିରେ ବନ୍ଦାପନା କରୁଥିବା ମୁଦ୍ରହସ୍ତ, ମୁଦିରସ୍ତ ସେବକ ।

ମେହେନା

ଶ୍ରୀଦିଅଁ ବା ଗଜପତି ରାଜାଙ୍କ ବାହାର ବିଜେରେ ବ୍ୟବହୃତ ସ୍ଵତନ୍ତ୍ର ଧରଣର ପାଲିଙ୍କି ।

ମୋଡ଼

ରଥଯାତ୍ରାବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ସାମନାରେ ତିନିରଥଙ୍କୁ ଦକ୍ଷିଣ ଦିଗଆଡ଼େ ମୁହାଁଇବା ।

 

ଯାତ୍ରାଙ୍ଗୀ ମହାସ୍ନାନ

ଯାତ୍ରା ଦିନମାନଙ୍କରେ ହେଉଥିବା ଅତିରିକ୍ତ ସ୍ନାନ ।

ଯୋଡ଼ା ଆଷାଢ଼

ଚାନ୍ଦ୍ରମାନ ଓ ସୌରମାନ ମାସର ସମତା ରକ୍ଷା କରିବାପାଇଁ ଯେଉଁବର୍ଷ ଦୁଇଟି ଆଷାଢ଼ ପଡ଼େ, ଅଧିକ ମାସ ଅଧିମାସ ବା ମଳମାସ ଥିବା ଆଷାଢ଼ମାସ । ସେଇ ବର୍ଷ ପ୍ରଭୁଙ୍କର ନବକଳେବର ହୁଏ ।

 

ରତ୍ନକମଦିହୁଡ଼ିଆ

ଶ୍ରୀଦିଅଁଙ୍କ ଛାମୁରେ ‘ରତ୍ମକମ’ ନାମକ ଦିହୁଡ଼ି ଧରି ଯାଉଥିବା ସେବକ-

ରଥ

ପ୍ରତିବର୍ଷ ଆଷାଢ଼ ଶୁକ୍ଲ ଦ୍ଵିତୀୟାଠାରୁ ଶୁକ୍ଲ ଏକାଦଶୀ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ନବଦିନ ଯାତ୍ରାରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାତାୟତ ପାଇଁ ବ୍ୟବହୃତ ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ ନାମକ ତିନିଗୋଟି କାଷ୍ଠନିର୍ମିତ ସୁଦୃଶ୍ୟ ରଥ ।

ରଥଅନୁକୂଳ

ଆଷାଢ଼ ପ୍ରତିପଦାରେ ସିଂହଦ୍ଵାର ସମ୍ମୁଖରେ ଶ୍ରୀଦିଅଁମାନଙ୍କ ତିନି ରଥ ରହିବା ସ୍ଥାନରେ ରଥଯାତ୍ରାରମ୍ଭ ପାଇଁ ପାଳନ କରାଯାଉଥିବା କେତୋଟି ରୀତିନୀତି ।

ରଥ ଆୟୁଧ

ତିନିରଥ ସୁରକ୍ଷାକାରୀ ଆୟୁଧ, ତାଳଧ୍ଵଜ-ହଳ, ମୂଷଳ, ଦେବଦଳନ-ପଦ୍ମ, କହ୍ଲାର, ନନ୍ଦିଘୋଷ- ଶଙ୍ଖ, ଚକ୍ର ।

ରଥ ଆଭରଣ

ବଳଭଦ୍ରଙ୍କ ତାଳଧ୍ଵଜ ରଥର ଆଭରଣ ହେଉଛି- ନୀଳଲୋହିତ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଆଭରଣ ହେଉଛି କୃଷ୍ଣଲୋହିତ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଆଭରଣ ହେଉଛି ପୀତଲୋହିତ ।

ରଥଉଚ୍ଚତା

ତିନିରଥର ଉଚ୍ଚତା , ଯଥା-ତାଳଧ୍ଵଜ-୩୨ ହାତ ୧୦ଆଙ୍ଗୁଳ, ଦେବଦଳନ- ୩୧ ହାତ, ନନ୍ଦିଘୋଷ-୩୩ ହାତ ୫ ଆଙ୍ଗୁଳ ।

ରଥଉପାସକ

ତିନି ରଥରେ ଥିବା ଉପାସକ । ଯଥା: ବଳଭଦ୍ରଙ୍କ ତାଳଧ୍ଵଜ ରଥର ବ୍ରହ୍ମ ସଦନରୁ ଦୁଇପଟେ ଯୋଡ଼ହସ୍ତ ଶିବ ଓ ନାରଦ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଜୟା ଓ ବିଜୟା ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ବ୍ରହ୍ମା ଓ ଇନ୍ଦ୍ର ।

ରଥକଟା ଅମିନ

ଶ୍ରୀଦିଅଁମାନଙ୍କ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ କାଠ ପରିମାଣ ଅନୁଯାୟୀ ରଥକାଠ ଯୋଗାଣକାରୀ ମହାରଣା ।

ରଥ କପୋତାଳୀ

ତିନିରଥର ଋଷିପଟା ଉପରିସ୍ଥ ପୋଟଳର ଦୁଇଭାଗ ମଧ୍ୟସ୍ଥ ଅଂଶ ବା ପାରାଭାଡ଼ି । ଏହାର ଚାରିଦିଗରେ ଦୁଇଟି କରି ୮ଟି ପକ୍ଷୀଙ୍କ ପାଇଁ ୮ଟି ରନ୍ଧ୍ର ଥାଏ । ପ୍ରତି ରଥରେ ଦୁଇଟି କରି ଶାନ୍ତି କପୋତର ଚିତ୍ର ଅଙ୍କିତ ହୋଇଥାଏ ।

ରଥକଳସ

ତିନିରଥରେ ସ୍ଥାପିତ କଳସ, ଯଥା- ତାଳଧ୍ଵଜ ରଥରେ ଚନ୍ଦ୍ର, ସୂର୍ଯ୍ୟ ଓ ବିତ୍ୟୁତ୍, ଦେବଦଳନ ରଥରେ ପରା, ଅପରା ଓ ବୈଖରୀ, ନନ୍ଦିଘୋଷ ରଥରେ ନଭ, ଆକାଶ ଓ ବ୍ୟୋମ ।

ରଥକଳସଚକ୍ର

ତିନିରଥର ଉର୍ଦ୍ଧ୍ଵରେ ସଂସ୍ଥାପିତ ତିନି ଥାକ ବିଶିଷ୍ଟ କୁମ୍ଭ, ଯଥା-ତାଳଧ୍ଵଜ ରଥରେ ଭୁବନ, ବିଶ୍ଵ ଓ ପୃଥିବୀ, ଦେବଦଳନ ରଥରେ ଅମୃତା, ଜୀବା ଓ କାୟା ଏବଂ ନନ୍ଦିଘୋଷ ରଥରେ ହିରଣ୍ମୟ ।

ରଥକାଠ

ତିନି ରଥରେ ବ୍ୟବହୃତ କାଠର ସଂଖ୍ୟା । ତାଳଦ୍ଵଜ-୭୬୩ ଖଣ୍ଡ, ଦେବଦଳନ-୫୯୩ ଖଣ୍ଡ, ନନ୍ଦିଘୋଷ-୮୩୨ ଖଣ୍ଡ ।

ରଥକାର

ତିନିରଥର ନିର୍ମାତା, ଯଥା- ତାଳଧ୍ଵଜ- ଅତିଶୀଳ, ଦେବଦଳନ – କାଳନେମୀ, ନନ୍ଦିଘୋଷ- ବିଶ୍ଵକର୍ମା ।

ରଥଖଳା

ଶ୍ରୀଦିଅଁମାନଙ୍କ ରଥନିର୍ମାମଣ ହେବାପାଇଁ ବଡ଼ଦାଣ୍ଡରେ ଶ୍ରୀନଅର ସାମନାରେ ଥିବା ନିର୍ଦ୍ଧିଷ୍ଟ ସ୍ଥାନ । ପବିତ୍ର ଅକ୍ଷୟତୃତୀୟାରୁ ରଥଗଢ଼ା ଆରମ୍ଭ ହୋଇ ନେତ୍ରୋତ୍ସବ ପର୍ଯ୍ୟନ୍ତ ଚାଲେ । ନେତ୍ରୋତ୍ସବ ଦିନ ଯଥାକ୍ରମେ ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ଵଜ ରଥକୁ ସିଂହଦ୍ଵାର ସମ୍ମୁଖରେ ଉତ୍ତରାଭିମୁଖୀ କରି ରଖାଯାଏ ।

ରଥଗଢ଼ା ଅନୁକୂଳ

ଶ୍ରୀପଞ୍ଚମୀ ଦିନ ରଥଖଳାକୁ ମାର୍ଜନା କରି, ଏଠାରେ ରଥକାଠ ଗଚ୍ଛିତ କରି ରଖାଯାଏ । ଏଠାରେ ଛାମୁଣ୍ଡିଆ କରି ପ୍ରଭୁଙ୍କର ଆଜ୍ଞାମାଳ ଟଙ୍ଗାଯାଏ । ରଥ ନିର୍ମାଣ କାମ ପବିତ୍ର ଅକ୍ଷୟତୃତୀୟାରେ ଆରମ୍ଭ କରାଯାଏ ।

ରଥଗୀତ

ରଥରେ ଡାହୁକଙ୍କ ଦ୍ଵାରା ବୋଲାଯାଉଥିବା ବୋଲିବାଣୀ ।

ରଥଘଣ୍ଟୁଆ

ଶ୍ରୀଦିଅଁଙ୍କର ପବିତ୍ର ରଥଯାତ୍ରାରେ ରଥରେ ଚଢ଼ି ଘଣ୍ଟ ନାଦ କରୁଥିବା ସେବକ । କଟକ ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଭଟ୍ଟିମୁଣ୍ଡା ଗ୍ରାମରୁ ଅନେକ ଘଣ୍ଟୁଆ ଏଇ ସେବା ଅଧିକାର ପ୍ରାପ୍ତ ହୋଇଛନ୍ତି । ତାଳଧ୍ଵଜ ରଥରେ- ୨୮ଜଣ, ଦେବଦଳନ ରଥରେ-୨୪ ଜଣ ଓ ନନ୍ଦିଘୋଷ ରଥରେ -୩୨ ଜଣ ଘଣ୍ଟୁଆ ଘଣ୍ଟ ସେବା କରିଥାନ୍ତି ।

ରଥଘୋଡ଼ା

ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥର ଘୋଡ଼ା ହେଲେ – ତାବ୍ର, ଘୋର, ଦୀର୍ଘଶ୍ରମ, ସ୍ଵର୍ଣ୍ଣନାଭ; ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଘୋଡ଼ା ହେଲେ- ରୋଚିକା, ମୋଚିକା, ଜିତା, ଅପରାଜିତା ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଘୋଡ଼ା ହେଲେ – ଶଙ୍ଖ, ବଳାହକ, ଶ୍ଵେତ, ହରିଦଶ୍ଵ ।

ରଥଚକା

ବଡ଼ଠାକୁର ବଳଭଦ୍ର ଚତୁର୍ଦ୍ଦଶ ଭୁବନର ଅଧିପତି, ତେଣୁ ତାଙ୍କ ତାଳଧ୍ଵଜ ରଥରେ ୧୪ଟି, ଦ୍ଵାଦଶରାଶି ଅନୁଯାୟୀ ଗ୍ରହରୂପୀ ଜନାର୍ଦ୍ଦନଙ୍କର ଶକ୍ତିସ୍ଵରୂପା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ୧୨ଟି ଓ ଶ୍ରୀଜଗନ୍ନାଥ ଷୋଳକଳାର ଅଧିକାରୀ, ତେଣୁ ତାଙ୍କ ନନ୍ଦିଘୋଷ ରଥରେ ୧୬ଟି ଚକା ଲାଗିଥାଏ । ଏସମ୍ପର୍କରେ ଶାସ୍ତ୍ରୀୟ ଆଧାର ଅଛି ।

“ରଥ ଷୋଡ଼ଶଚକ୍ରସ୍ତୁ ବିଷ୍ଣୋକାର୍ଯ୍ୟ ପ୍ରଯତ୍ନତଃ

ଚତୁର୍ଦ୍ଦଶଂ ବଳସ୍ୟୈବ ସୁଭଦ୍ରାୟାସ୍ତୁ ଦ୍ଵାଦଶଃ ।’’

 

 

ରଥଚାନ୍ଦୁଆ

ତିନି ରଥରେ ବ୍ୟବହୃତ ଚାନ୍ଦୁଆ, ଯଥା ତାଳଧ୍ଵଜ-କନକମେଖଳା, ଦେବଦଳନ-ବୀରଘଣ୍ଟ, ନନ୍ଦିଘୋଷ- କନକମୁଣ୍ଡାଇ ।

ରଥଚାରଣ

ତିନିରଥରେ ତିନି ଚାରଣ, ଯଥା ତାଳଧ୍ଵଜ-ମହାସିଦ୍ଧ, ଦେବଦଳନ-ମହାକ୍ରୂର, ନନ୍ଦିଘୋଷ-ନଳକୁବେର ।

ରଥଚାନ୍ଦୁଆ

ଛନ୍ଦଯୁକ୍ତ କାଠରେ ତିନି ରଥକୁ ଆଚ୍ଛାଦନ କରୁଥିବା ଅଂଶ । ଏହାର ପ୍ରଥମ ଛନ୍ଦରେ ୧୦ ଖଣ୍ଡ ସଳଖ କାଠ ଓ ଦ୍ଵିତୀୟ ଛନ୍ଦରେ ୧୮ ଖଣ୍ଡ ସଳଖ କାଠ ଛନ୍ଦ ରୂପେ ବ୍ୟବହାର କରାଯାଏ ।

ରଥଟଣା

ଶ୍ରୀଦିଅଁମାନଙ୍କୁ ରଥାରୋହଣ କରାଇ ଭକ୍ତମାନଙ୍କଦ୍ଵାରା ମହାସମାରୋହରେ ରଥଗୁଡ଼ିକରେ ବନ୍ଧାଯାଇଥିବା ଦଉଡ଼ା ଭିଡ଼ି ଧରି ଟାଣିବା କାର୍ଯ୍ୟ ।

ରଥତାଳୁକ

ରଥର ଋଷିପଟା ଉପରେ ଅବସ୍ଥିତ ପୋଟଳର ମଧ୍ୟଭାଗ କପୋତାଳୀ ଉପରିସ୍ଥ କ୍ଷେତ୍ର ବା ରଥଶୀର୍ଷ, ଯାହା ଉପରେ ଦଧିନଉତି, ଏହାର ଉପରକୁ ଉର୍ଦ୍ଧ୍ଵାୟମାନ ଷୋଳଦଳ ପଦ୍ମ ଓ ତଳକୁ ନିମ୍ନାୟମାନ ଷୋଳଦଳ ପଦ୍ମ ଅଙ୍କିତ ହୋଇଥାଏ ।

ରଥଦଉଡ଼ି

ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥରେ ବାସୁକୀ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଵର୍ଣ୍ଣଚୂଡ଼ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଶଙ୍ଖଚୂଡ଼ ଦଉଡ଼ି ଭାବରେ ବନ୍ଧା ଯାଆନ୍ତି ।

ରଥଦଧିନଉତି

ତିନି ରଥର ଶୀର୍ଷରେ ସଂସ୍ଥାପିତ କୁମ୍ଭାକୃତି କାଷ୍ଠ ନିର୍ମିତ ତିନି ଦଧିନଉତି, ଯଥା ତାଳଧ୍ଵଜ- ଭୁବନକୋଷ, ଦେବଦଳନ- ହିରଣ୍ମୟୀ, ନନ୍ଦିଘୋଷ- ହିରଣ୍ୟଗର୍ଭା । ପ୍ରତ୍ୟେକ ଦଧିନଉତିର ଦୁଇପାଖରେ ଦୁଇଟି କରି ଓଲଟଶୁକ ସଂଯୁକ୍ତ ହୋଇଥାନ୍ତି ।

ରଥଦାଣ୍ଡ

ଶ୍ରୀକ୍ଷେତ୍ରର ବଡ଼ଦାଣ୍ତ ।.

ରଥଦେବୀ

ତିନି ରଥରେ ବ୍ୟବହୃତ ଚାନ୍ଦୁଆ, ଯଥା : ତାଳଧ୍ଵଜ-କନକମେଖଳା, ଦେବଦଳନ-ବୀରଘଣ୍ଟ, ନନ୍ଦିଘୋଷ- କନକମୁଣ୍ଡାଇ ।

ରଥଦ୍ଵାରପାଳ

ତିନି ରଥରେ ଅଧିଷ୍ଠିତା ତିନି ଦେବୀ, ଯଥା ତାଳଧ୍ଵଜ- ଜୟଦୁର୍ଗା, ଦେବଦଳନ- ଶ୍ରୀ, ଭୂ, ନନ୍ଦିଘୋଷ-ଯୋଗମାୟା ।

ରଥଧ୍ଵଜ

ତିନି ରଥରେ ଧ୍ଵଜ, ଯଥା ତାଲଧ୍ଵଜ-ତାଳଧ୍ଵଜ, ଦେବଦଳନ–ପଦ୍ମଧ୍ଵଜ, ନନ୍ଦିଘୋଷ- କପିଧ୍ଵଜ ।

ରଥନାମ

ତିନିରଥର ଶ୍ରଦ୍ଧାନାମ ଓ ଡାକନାମ । ଶ୍ରୀବଳଦେବଙ୍କ ରଥର ଶ୍ରଦ୍ଧା ନାମ- ତାଳଧ୍ଵଜ ବା ଲଙ୍ଗଳଧ୍ଵଜ ଓ ଡାକନାମ ତାଳଧ୍ଵଜ , ଶ୍ରୀସୁଭଦ୍ରାଙ୍କ ରଥର ଶ୍ରଦ୍ଧାନାମ – ପଦ୍ମଧ୍ଵଜ ଓ ଡାକନାମ ଦେବଦଳନ, ଦର୍ପଦଳନ । ଶ୍ରୀଜଗନ୍ନାଥଙ୍କ ରଥର ଶ୍ରଦ୍ଧାନାମ-ଗରୁଡ଼ଧ୍ଵଜ ବା ଚକ୍ରଧ୍ଵଜ ଓ ଡାକନାମ ନନ୍ଦିଘୋଷ ।

ରଥନେତ

ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥରେ ଉନ୍ମନୀ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ନାଦାମ୍ବିକା ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ତ୍ରୈଲୋକ୍ୟମୋହିନୀ ନେତ ଭାବରେ ଉଡ଼ୁଥାନ୍ତି ।

ରଥନେତ ଦେବତା

ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥର ନେତ ଦେବତା- ଅନନ୍ତନାଗ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ନେତଦେବତା- ତ୍ରିପୁରାସୁନ୍ଦରୀ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ନେତଦେବତା-ହନୁମାନ ।

ରଥପଂଚଭୂତ

ରଥନିର୍ମାଣର ପ୍ରମୁଖ ପାଞ୍ଚଗୋଟି ଉପାଦାନ । ଯଥା- ୧-କାଠ-ଏଥିରେ ରଥର ଶରୀର, ସାରଥୀ, ଅଶ୍ଵ, ରଥପାଳ, ପାର୍ଶ୍ଵଦେବତା, ୨. ଧାତୁ- ଏଥିରେ ଲୁହାବଳା, କଂଟା, କବିଜା, ତମ୍ଵାରେ ଖିଲ, ପିତଳରେ କଳସ ଇତ୍ୟାଦି, ୩. କନା- ଏଥିରେ ଘେର, ନେତ ଇତ୍ୟାଦି, ୪. ଜମ୍ଵୁରା-ଏଥିରେ ପଞ୍ଚଫଳ, ଲତା, ରାହୁମୁଣ୍ଡ, ଫୁଲଝରା ଇତ୍ୟାଦି, ୫.ରଙ୍ଗ-ବିଭିନ୍ନ ପ୍ରକାରର ଚିତ୍ର ଇତ୍ୟାଦି ତିଆରି ହୋଇଥାଏ ।

ରଥପରିଚ୍ଛା

ଶ୍ରୀଦିଅଁମାନଙ୍କ ରଥନିର୍ମାଣ ଆରମ୍ଭରୁ ଶେଷଯାଏଁ ଦାୟିତ୍ଵରେ ଥିବା ପରିଚ୍ଛା ସେବକ ।

ରଥର ପାର୍ଶ୍ଵଦେବତା

ତିନି ରଥରେ ସମ୍ମୁଖଭାଗ, ଉଭୟ ପାର୍ଶ୍ଵ ଓ ପଶ୍ଚାତଭାଗରେ ବିଭିନ୍ନ ପାର୍ଶ୍ଵଦେବତା ସଂସ୍ଥାପିତ ହୋଇଥାନ୍ତି । ଯଥା : ତାଳଧ୍ଵଜ ରଥର ଦ୍ଵାରଦେଶରେ ରୁଦ୍ର, ସାତ୍ୟକୀ, ଅଷ୍ଟବସୁ, ବାମଭାଗରେ ନାଟାମ୍ବର, ମହେଶ୍ଵର, ଶେଷଦେବ, ଦକ୍ଷିଣ ଭାଗରେ ଗଣେଶ, କାର୍ତ୍ତିକ, ସର୍ବମଙ୍ଗଳା, ପଶ୍ଚାତ୍ ଭାଗରେ ପ୍ରଳମ୍ବଘ୍ନ, ମୃତ୍ୟୁଞ୍ଜୟ, ହଳାୟୁଧ । ଦେବ ଦଳନ ରଥର ଦ୍ଵାରଦେଶରେ ଶ୍ରୀଦେବୀ, ଭୂଦେବୀ, ଅଷ୍ଟଭୈରବୀ, ବାମଭାଗରେ ଶ୍ୟାମାକାଳୀ, ମଙ୍ଗଳା, ବିମଳା, ଦକ୍ଷିଣଭାଗରେ ଚଣ୍ଡି, ଚାମଣ୍ଡା, ଉଗ୍ରତାରା ପଶ୍ଚାତ୍ ଭାଗରେ ବନଦୁର୍ଗା, ଶୂଳୀଦୁର୍ଗା, ବାରାହୀ ଏବଂ ନନ୍ଦିଘୋଷ ରଥର ଦ୍ଵାରଦେଶରେ ଇନ୍ଦ୍ର, ବ୍ରହ୍ମା ସପ୍ତର୍ଷି, ବାମଭାଗରେ ତ୍ରିବିକ୍ରମ, ହନୁମାନ, ରୁଦ୍ର, ଦକ୍ଷିଣଭାଗରେ ବରାହ, ଗୋବର୍ଦ୍ଧନକୃଷ୍ଣ, ଗୋପୀକୃଷ୍ଣ, ପଶ୍ଚାତ୍ ଭାଗରେ ରାମ, ନାରାୟଣ, ନୃସିଂହ ବିରାଜମାନ କରନ୍ତି ।

ରଥପୀଠ

ବିଚିତ୍ର ଛନ୍ଦରେ କାଠମାନ ଯୋଡ଼ାଯାଇ ଗଢ଼ା ହୋଇଥିବା ମିକ୍ଷୁ । ଏହାର ଚାରିଦ୍ଵାର, ଘୋଡ଼ା ଯୋଚା ହେବା ପାଇଁ ସ୍ତମ୍ଭପୀଠ ଏବଂ ଚତୁରସ୍ର ବେଦୀ । ବଳଭଦ୍ରଙ୍କ ତାଳଧ୍ଵଜ ରଥର ବେଦୀ ହେଉଛି କୈଳାଶ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ବେଦୀ ହେଉଛି କାମ୍ପିଲ୍ୟ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ବେଦୀ ହେଉଛି କନକମଞ୍ଚା ।

ରଥପୋଟଳ

ରଥର ଉର୍ଦ୍ଧ୍ଵାଂଶରେ ଥିବା ରଥପଞ୍ଜର ଉପରିସ୍ଥ ରଥମୂର୍ଦ୍ଧ । ଆଠଜଣ ଋଷିଙ୍କ ବସିବା ପାଇଁ ରହିଥିବା ଋଷିପଟା ଉପରିସ୍ଥ ଅଂଶ । ଚତୁର୍ଦ୍ଦଶ ଭୁବନର ପ୍ରତୀକ ଏଇ ଅଂଶଟି ହେଉଛି ପୋଟଳ ।

ରଥବରାଣ୍ଡି

ସାତ ହାତ ଉଚ୍ଚତା ବିଶିଷ୍ଟ ରଥପୀଠ ଉପରେ ନିର୍ମିତ କୂର୍ମ ପିଠି ଆକୃତିର ୧୬ ହାତ ଆୟତନ ବିଶିଷ୍ଟ ସ୍ଥାନ ।

ରଥବେଦିକା

ରଥବର୍ମ ଉପରିସ୍ଥ ୭ ହାତ ଦୈର୍ଘ୍ୟ ଓ ୭ ହାତ ପ୍ରସ୍ଥ ବିଶିଷ୍ଟ ବେଦୀ । ଏହା ନିମ୍ନପୀଠ ଓ ଉର୍ଦ୍ଧ୍ଵପୀଠ- ଏହିଭଳି ଦୁଇ ଭାଗରେ ବିଭକ୍ତ । ନିମ୍ନପୀଠଟି ଅର୍ଦ୍ଧଭଦ୍ରାକୃତି ଓ ଉର୍ଦ୍ଧ୍ଵପାଠର ଉପରିଭାଗରେ ପଦ୍ମ ଉପରେ ଚକାସନ ବିରାଜିତ ।

ରଥଭାଗ

ଶ୍ରୀଜଗନ୍ନାଥଙ୍କଠାରେ ୨୭ଗୋଟି ନକ୍ଷତ୍ର ବିରାଜମାନ କରୁଥିବାରୁ ରଥୀଙ୍କ ଶରୀର ଅନୁସାରେ ଶାସ୍ତ୍ରୀୟ ପ୍ରମାଣ ଅନୁଯାୟୀ ରଥଶରୀରକୁ ୨୭ ଭାଗରେ ବିଭକ୍ତ କରାଯାଏ । ପ୍ରତ୍ୟେକ ଭାଗକୁ ଚଉଠା, ଚଉଠାର ଦେଢ଼ଭାଗକୁ ଆଙ୍ଗୁଳ କୁହାଯାଏ । ରଥ ତଳଚକଡ଼ାର ଦୀର୍ଘ ୨୭ ଚଉଠା । ଏହାକୁ ୯ ଭାଗ କରି ୧୦ଟି ଧାରଣା ପକାଯାଏ । ୬ ଧାରଣାର ଲମ୍ଵ ୨୭ ଚଉଠା । ୨ୟ ଧାରଣାର ଲମ୍ଵ ୨୧ ଚଉଠା, ୩ୟ ଧାରଣାର ଲମ୍ଵ ୧୫ ଚଉଠା । କୁଡ଼ୁକାର ଲମ୍ଵ ଧାରଣା ମଝାଲକୁ ୩ ଚଉଠା । ୪ କୋଣରେ ୮ କୁଡ଼ୁକା ହୁଏ । ବଡ଼ଅଖ ଲମ୍ଵ ୩୦ ଚଉଠା, ଛୋଟଅଖ ଲମ୍ଵ ୨୪ ଚଉଠା ।

ରଥଭୋଇ

ଶ୍ରୀଦିଅଁମାନଙ୍କ ରଥକାଠ ବୋହୁଥିବା ଚାରମାଳ ବାନ୍ଧୁଥିବା, ଭାଡ଼ି ତିଆରି କରୁଥିବା ଭୋଇସେବକ । ରଥଭୋଇସେବା : ଶ୍ରୀଦିଅଁମାନଙ୍କ ରଥଗଢ଼ିବା ଓ ଏହି କାର୍ଯ୍ୟରେ ଆବଶ୍ୟକ ମୂଲିଆ ଯୋଗାଉଥିବା ସର୍ଦ୍ଦାର ମହାରଣା ସେବକ ।

ରଥଭୋଗ

ଶ୍ରୀଦିଅଁମାନେ ରଥ ଉପରେ ବିଜେ କରିଥିବା ସମୟରେ କରାଯାଉଥିବା ଭୋଗ ।

ରଥମଣ୍ଡଣିଆ

ଶ୍ରୀଦିଅଁମାନଙ୍କ ରଥଗୁଡ଼ିକୁ ବିଭିନ୍ନ ସାଜସଜ୍ଜାରେ ମଣ୍ଡନ କରୁଥିବା ସେବକ ।

ରଥମୁଖ

ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥର ମୁଖ- କେତୁଭଦ୍ରା, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ମୁଖ – ବ୍ରହ୍ମଚେତା, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ – ନନ୍ଦୀମୁଖ ।

ରଥମୂର୍ଦ୍ଧା

ରଥଚାଳିକା ଉପରେ ଦୁଇହାତ ଉଚ୍ଚତା ବିଶିଷ୍ଟ ରଥପଞ୍ଜର ଥାଏ । ଏହା ହେଉଛି ପୁରୁଷଙ୍କର ନିବାସସ୍ଥଳ । ଏହାର ଅନ୍ୟନାମ ଋଷିମଣ୍ଡଳ ବା ଋଷିପଟା । ଏଠାରେ ୮ ଜଣ ଲେଖାଏଁ ଋଷିଙ୍କ ଚିତ୍ର ଅଙ୍କିତ । ଯଥା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥରେ ଅଙ୍ଗିରା, ପୁଲହ, ପୁଲସ୍ତ୍ୟ, ଅଗସ୍ତି, କୃଷ୍ଣ, ମୁଦ୍‍ଗଲ, ଆତ୍ରୟ, ଓ କାଶ୍ୟପ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଭୃଗୁ, ସୁପ୍ରଭ, ବ୍ରଜ, ଶୃଙ୍ଗୀ, ଧ୍ରୁବ, ଉଲ୍ଲିକ, ପ୍ରବର୍ତକ, ଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ନାରଦ, ଦେବଳ, ବ୍ୟାସ, ଶୁକ, ପରାଶର, ବିଶ୍ଵାମିତ୍ର, ବଶିଷ୍ଠ ଓ ରୁଦ୍ର ।

ରଥଯକ୍ଷ

ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥର ଯକ୍ଷ- ହୁହୁ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଯକ୍ଷ- କିଂଜ୍ଵଳକା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଯକ୍ଷ - ହର୍ଯ୍ୟକ୍ଷ ।

ରଥଯାତ୍ରା

ଶ୍ରୀଜଗନ୍ନାଥ ବିଶ୍ଵପ୍ରସିଦ୍ଧ ନବଦିନ ଯାତ୍ରା । ଆଷାଢ଼ ଶୁକ୍ଲ ଦ୍ଵିତୀୟାଠାରୁ ଶୁକ୍ଲ ଏକାଦଶୀ ପର୍ଯ୍ୟନ୍ତ ଏହାର ବ୍ୟାପ୍ତି । ତାଳଧ୍ଵଜ ରଥରେ ବଡ଼ଠାକୁର ବଳଭଦ୍ର, ଦେବଦଳନ ରଥରେ ଦେବୀ ସୁଭଦ୍ରା, ସୁଦର୍ଶନ ଓ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କୁ ବିଜେ କରାଇ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନିଅନ୍ତି । ଏଠାରେ ସାତଦିନ ଅବସ୍ଥାନ ଓ ଦଶମୀ ତିଥିରେ ଅନୁରୂପ ବିଧିରେ ପୁଣି ଶ୍ରୀମନ୍ଦିରକୁ ବାହୁଡ଼ି ଆସିବା ପର୍ବବିଧି ।

ରଥରଙ୍ଗ

ତିନି ରଥରେ ପାର୍ଶ୍ଵଦେବତା, ଋଷିପଟା, କାଣ୍ଡ ଓ ସ୍ତମ୍ଭ ପ୍ରଭୃତିରେ ହିଙ୍ଗୁଳ, ହରିତାଳ, ଗେରୁ, ଶଙ୍ଖ, ଷଢେଇକଳା, ପଚା, ତୁତୀଆ ଓ ନୀଳଦ୍ଵାରା ପ୍ରସ୍ତୁତ ଚିତ୍ରକାରମାନଙ୍କଦ୍ଵାରା ପଟକାଠି ଓ ମୂଷିକ ତୂଳିକାରେ ଚିତ୍ରିତ ପ୍ରାକୃତିକ ରଙ୍ଗ ।

ରଥରଙ୍ଗତା

ରଥର ଅର, ଭୁଣ୍ଡି, ଝରା, କନକମୁଣ୍ଡାଇ, ରାହୁମୁଣ୍ଡ, ହଂସ ଓ ନବଗୁଞ୍ଜର ପ୍ରଭୃତିଙ୍କୁ ରଙ୍ଗରେ ମଣ୍ଡଣି କରୁଥିବା ଚିତ୍ରକାର ।

ରଥରତ୍ନ

ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥର ରତ୍ନ- ମର୍କତ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ରତ୍ନ- ମାଣିକ୍ୟ, ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥର ରତ୍ନ- ସ୍ଫଟିକ ।

ରଥରକ୍ଷକ

ତାଳଧ୍ଵଜ ରଥର ରକ୍ଷକ- ଶେଷାବତାର, ଦେବଦଳନ ରଥର ରକ୍ଷକ ବନଦୁର୍ଗା, ନନ୍ଦିଘୋଷ ରଥର ରକ୍ଷକ- ନୃସିଂହ । ରଥଶକ୍ତି : ତାଳଧ୍ଵଜ ରଥର ଶକ୍ତି- ଜୟଦୁର୍ଗା, ଦେବଦଳନ ରଥର ଶକ୍ତି- ଉଗ୍ରଚଣ୍ଡୀ , ନନ୍ଦିଘୋଷ ରଥର ଶକ୍ତି- ବିରଜା ।

ରଥଶୁକ

ତିନିଗୋଟି ରଥର ଶୀର୍ଷରେ ଦଧିନଉତିର ଦୁଇପାଖରେ ଓଲଟ ଅବସ୍ଥାରେ ସଂଯୁକ୍ତ ୨ ହାତ ୬ ଆଙ୍ଗୁଳ ଲମ୍ଵର ଶୁକ ପକ୍ଷୀ ଯୁଗଳ । ତାଳଧ୍ଵଜ ରଥର ଶୁକ ହେଲେ ଶ୍ରଦ୍ଧା, ବିଶ୍ଵାସ, ଦେବଦଳନ ରଥର ଶୁକ ହେଲେ ଶ୍ରୁତି, ସ୍ତୁତି ଓ ନନ୍ଦିଘୋଷ ରଥର ଶୁକ ହେଲେ ଜୀବ, ପରମ ।

ରଥାଂଶ

ତିନି ରଥଙ୍କର ନିମ୍ନଭାଗଠାରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଥିବା ୩୪ ଗୋଟି ଅଂଶ । ଯଥା: ୧. ଚକ, ୨.ଦଣ୍ଡିଆ, ୩. ଅର, ୪. ବାଙ୍କା, ୫. ହଂସପଟା, ୬. କଣି, ୭.ଶଙ୍ଖଦ୍ଵାର, ୮. ଜାଲି, ୯. ଗାଙ୍ଗପଟା, ୧୦. ସିଂହାସନ, ୧୧. କନକମୁଣ୍ଡାଇ, ୧୨. ଭୂମି, ୧୩. ଷୋଳନାହାତା, ୧୪. ମକରଦଣ୍ଡା, ୧୫. ବସନ୍ତ, ୧୬. ଦୁଆରଘୋଡ଼ା, ୧୭. ସାରଥୀ ପୀଢ଼, ୧୮. କୁମ୍ଭପଟି, ୧୯. ରାହୁପଟି, ୨୦. ଆଠନାହାକା, ୨୧. ବାଙ୍କୀ, ୨୨. ପୀଢ଼, ୨୩. କ୍ଷଷିପଟା, ୨୪. ଦଣ୍ଡା, ୨୫. ପାରାଭାଡ଼ି, ୨୬. ଖପୁରୀ, ୨୭. ପାଦ, ୨୮. ଓଲଟଶୁଆ, ୨୯. ଦଧିନଉତି, ୩୦. କଳସ, ୩୧. କଣ୍ଠି, ୩୨. ଦଣ୍ଡ, ୩୩. ଚକ୍ର, ୩୪.କେତନ ।

ରଥସାରଥୀ

ତିନିରଥର ସଂଚାଳକ, ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥରେ ମାତଳି, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଅର୍ଜ୍ଜୁନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଦାରୁକ ସାରଥୀ ଭାବରେ ରଥଚାଳନା କରନ୍ତି ।

ରସଗୋଲାଭୋଗ

ଶ୍ରୀଦିଅଁମାନଙ୍କ ନୀଳାଦ୍ରିବିଜେରେ ରଥ ଉପରେ ଥିବା ଅବସ୍ଥାରେ କରାଯାଉଥିବା ରସଗୋଲା ଭୋଗ ।

ରାଜନୀତି

ସୁନାଆଳତି ଦାନୀରେ ମୁଦିରସ୍ତ ଆଳତି କରିବା, ସୁନାଆଲଟ ଚାମର ପଡ଼ିବା, ପାଳିଆ ଖୁଣ୍ଟିଆଙ୍କଦ୍ଵାରା ରୁପା ପିଙ୍ଗଣରେ ରଖିଥିବା ଧଳାଫୁଲ ଦିଅଁଙ୍କୁ ସମର୍ପିତ ହେବା, ଖୁଣ୍ଟିଆଙ୍କ ବେତ ବାଡ଼ି ଧରି ମଣିମା ମଣିମା ଡାକ ପଡ଼ିବା, ବଇଠା ଧରି ଅଖଣ୍ଡ ମେକାପ ଠିଆ ହେବା ଓ ମୁଦିରସ୍ତ ପ୍ରଭୁଙ୍କୁ ଦହିପଟି ସମର୍ପଣ କରିବା ଭଳି ସ୍ଵତନ୍ତ୍ର ନୀତି ।

ରାଜପ୍ରସାଦନୀତି

ଅଣସର ଦ୍ଵାଦଶୀରେ ଶ୍ରୀଦିଅଁମାନଙ୍କ ଶ୍ରୀଅଙ୍ଗରୁ ଉଲାଗି କରାଯାଉଥିବା କରାଳ ଚନ୍ଦନ ଓ ପାଟଡ଼ୋର ପ୍ରଭୃତି ରୂପା ଥାଳିରେ ଧରି ଶ୍ରୀନଅର ଯାତ୍ରା କରିବା ନୀତି ।

ରାଜପ୍ରସାଦବିଜେ ନୀତି

ଅଣସର ପିଣ୍ଡିରେ ଥିବା ପ୍ରଭୁ ଦଶମୂଳ ପାଚନ ସେବନ କରିବା ପରେ ସୁସ୍ଥ ହୁଅନ୍ତି । ଏହାପରେ ତାଙ୍କର ଚକାବିଜେ ନୀତି ଅନୁଷ୍ଠିତ ହୁଏ ଓ କୃଷ୍ଣ ଏକାଦଶୀରେ ସୁଦସୁଆରମାନଙ୍କ ଦ୍ଵାରା ପ୍ରସ୍ତୁତ ଖଳି ଲାଗି କରାଯାଏ । ପ୍ରଭୁଙ୍କ ସୁସ୍ଥ ହେବା ସମ୍ବାଦ ସେବାୟତଙ୍କ ଦ୍ଵାରା ଗଜପତି ମହାରାଜାଙ୍କୁ ଜ୍ଞାପିତ ହେବା ହେଉଛି ରାଜପ୍ରସାଦବିଜେ ନୀତି ।

ରାଜବେଶ

ଦଶହରା, କାର୍ତ୍ତିକପୂର୍ଣ୍ଣିମା, ପୌଷପୂର୍ଣ୍ଣିମା ଓ ଆଷାଢ଼ ବଡ଼ଏକାଦଶୀରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀ ଦିଅଁମାନଙ୍କୁ କରାଯାଉଥିବା ସୁନାବେଶ-

ରାହାସଘର

ଶ୍ରୀଗୁଣ୍ଡିଚା ଘର ।

ରାହୁରେଖା

ପ୍ରଭୁଙ୍କ ଶ୍ରୀମୁଖକୁ ଘେରିଥିବା ସୁନାପାତିଆର ଧାରଭଳି ଏକ ସ୍ଵର୍ଣ୍ଣାଳଙ୍କାର ।

ରାହୁରେଖାଲାଗି

ଭାଦ୍ରବ ଶୁକ୍ଲପଞ୍ଚମୀରେ ବଣିଆଙ୍କ ଦ୍ଵାରା ପରିଷ୍କୃତ, ପତିମହାପାତ୍ରଙ୍କ ଦ୍ଵାରା ସଂସ୍କାରିତ ଓ ଦଇତାମାନଙ୍କ ଦ୍ଵାରା ସଂପାଦିତ ଶ୍ରୀଦିଅଁଙ୍କ ରାହୁରେଖା ଲାଗି ନୀତି ।

ରୁନ୍ଧା

ଶ୍ରୀଦିଅଁମାନଙ୍କୁ ରଥ ଉପରିସ୍ଥ ଚକାସନରେ ଦୃଢ଼ଭାବରେ ପାଟଡୋରରେ ବାନ୍ଧିବା ।

ରୁନ୍ଧାଫିଟିବା

ନୀଳାଦ୍ରିବିଜେରେ ରଥସହିତ ପାଟଡୋରରେ ବନ୍ଧା ଯାଇଥିବା ଠାକୁରଙ୍କ ରୁନ୍ଧା ଫିଟାଯିବା । ପ୍ରଥମେ ବଡ଼ଠାକୁର ସାତ ପାହାଚ ଗଲାପରେ ସୁଭଦ୍ରାଙ୍କର ଓ ସେ ସାତ ପାହାଚ ଗଲାପରେ ଶେଷରେ ଜଗନ୍ନାଥଙ୍କର ରୁନ୍ଧା ଫିଟିବା ନୀତି ।

ରୁନ୍ଧାବଢ଼ିବା

ରଥଯାତ୍ରା ବା ଅନ୍ୟାନ୍ୟ ପର୍ବଯାତ୍ରାରେ ଦିଅଁଙ୍କ ବିଗ୍ରହଙ୍କୁ ରଥ ବା ବିମାନରେ ଦୃଢ଼ ଭାବରେ ବାନ୍ଧିବା ।

ରୂପକାର

ରଥରେ ସ୍ଥାନ ପାଉଥିବା କାଠର ମୂର୍ତ୍ତି ତିଆରି କରୁଥିବା କାରିଗର ।

 

ଲକ୍ଷ୍ମୀନାରାୟଣ କଳି

ରଥଯାତ୍ରା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀମନ୍ଦିର ପ୍ରବେଶ ସମୟରେ ଅଭିମାନିନୀ ମହାଲକ୍ଷ୍ମୀ ଦେବୀଙ୍କର ଜଗନ୍ନାଥଙ୍କ ସହିତ ମନ୍ଦିର ପ୍ରବେଶକୁ ପ୍ରତିରୋଧ ଓ କଳହ । ଜଗନ୍ନାଥଙ୍କ ତରଫରୁ ପାଳିଆ ସେବକ ଓ ମହାଲକ୍ଷ୍ମୀଙ୍କ ତରଫରୁ ଦେବଦାସୀ ପ୍ରତିନିଧିତ୍ଵ କରି, ବଚନିକା ବିନିମୟ କ୍ରମରେ ଏହି ପର୍ବଯାତ୍ରା ନୀତି ସମ୍ପାଦନ କରନ୍ତି ।

 

ଶଙ୍ଖକ୍ଷେତ୍ର

ଶ୍ରୀକ୍ଷେତ୍ର, ପୁରୀ ।

ଶଙ୍ଖୁଆ

ଶ୍ରୀଜୀଉଙ୍କର ବିଭିନ୍ନ ଶୁଭକର୍ମରେ ଶଙ୍ଖନାଦ କରୁଥିବା ସେବକ । ଏହି ସେବା ବର୍ତ୍ତମାନ ଆଉ ପ୍ରଚଳିତ ନାହିଁ ।

ଶଗଡ଼ି

ନବ ନିରୂପିତ ଦାରୁଙ୍କୁ ନିର୍ଦ୍ଧାରିତ ସ୍ଥାନରୁ ଶ୍ରୀକ୍ଷେତ୍ର ଅଣାଯିବା ପାଇଁ ବର, ତେନ୍ତୁଳି କାଠରେ ତିଆରି ଛୋଟ ଆକାରର ଶଗଡ଼ ।

ଶଗଡ଼ି ପ୍ରତିଷ୍ଠା

ନବକଳେବର କାଳରେ ନିରୂପିତ ଦାରୁଙ୍କୁ ଶ୍ରୀକ୍ଷେତ୍ର ଆଣିବା ପାଇଁ ବ୍ୟବହୃତ ଚାରିଚକ ବିଶିଷ୍ଟ ଶଗଡ଼ିକୁ ରଥପ୍ରତିଷ୍ଠା ବିଧିରେ ବ୍ରାହ୍ମଣମାନଙ୍କ ଦ୍ଵାରା ବୈଦିକ ରୀତିରେ ଅନୁଷ୍ଠିତ ପ୍ରତିଷ୍ଠା କର୍ମ ।

ଶାନ୍ତିଜଳ

ନବକଳେବର କାଳରେ ତିନିଜଣ ପୂଜାପଣ୍ଡା ତିନିଦିଅଁଙ୍କ ମହାସ୍ନାନ ପରେ ସେମାନଙ୍କ ଶ୍ରୀମସ୍ତକରେ ସିଞ୍ଚନ କରୁଥିବା ପୂର୍ବରୁ ତିନିଗୋଟି କଳସୀରେ ଥିବା ଅଭିମନ୍ତ୍ରିତ ପବିତ୍ର ଜଳ ।

ଶିରଦେବତା

ତାଳଧ୍ଵଜ ରଥରେ ଅନନ୍ତନାଗ, ଦେବଦଳନ ରଥରେ ଭକ୍ତିସମେଧ, ନନ୍ଦିଘୋଷ ରଥରେ କଲ୍ୟାଣସୁନ୍ଦର ଦେବତା ।

ଶିରପେଞ୍ଚ

ଶ୍ରୀଦିଅଁଙ୍କ ମସ୍ତକରେ ଲାଗି ହେଉଥିବା ଏକ ପ୍ରକାରର ସ୍ଵର୍ଣ୍ଣଳଙ୍କାର ବିଶେଷ ।

ଶୀତଳମଣୋହି

ଶ୍ରୀଦିଅଁମାନଙ୍କୁ ଶୀତଳଭୋଗ ନୈବେଦ୍ୟ କରାଯିବା ।

ଶ୍ରୀଅଙ୍ଗଫିଟା

ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ପାଳିତ ହୁଏ । ଶ୍ରୀଜୀଉ ଜ୍ଵରାକ୍ରାନ୍ତ ହୋଇଥିବାରୁ ଏଇ ପନ୍ଦର ଦିନ ବିଭିନ୍ନ ଫଳ, ମୂଳ ଓ ପଣା ଗ୍ରହଣ କରନ୍ତି-। ତାଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ମର୍ଦ୍ଦନ କରାଯାଏ ଓ ଖଳିଲାଗି ତଥା ବନକଲାଗି ନୀତି ସମ୍ପନ୍ନ ହୁଏ ।

ଶ୍ରୀଅଙ୍ଗବାହୁଟ

ଶ୍ରୀଦିଅଁମାନଙ୍କ ପହଣ୍ଡିବିଜେ ବେଳେ ଶ୍ରୀ ଅଙ୍ଗରେ ଲାଗି ହେଉଥିବା ବଉଳ କାଠର ବାହୁଟ ।

ଶ୍ରୀଗୁଣ୍ଡିଚା

ଆଷାଢ଼ ଶୁକ୍ଲ ଦ୍ଵିତୀୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ।

ଶ୍ରୀଗୁଣ୍ଡିଚାବିଜେ

ଆଷାଢ଼ ଶୁକ୍ଲ ଦ୍ଵିତୀୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁଣ୍ଡିଚା ମନ୍ଦିରକୁ ତିନି ରଥ ଆରୋହଣ କରିବାପୂର୍ବକ ବିଶ୍ଵପ୍ରସିଦ୍ଧ ଯାତ୍ରାର ଆରମ୍ଭ ।

ଶ୍ରୀନଅର

ପ୍ରଭୁ ଜଗନ୍ନାଥଙ୍କ ପ୍ରଧାନ ସେବକ ପୁରୀର ଗଜପତି ମହାରାଜାଙ୍କ ନଅର । ପ୍ରଭୁଙ୍କ ବାହୁଡ଼ାଯାତ୍ରା ବେଳେ ଶ୍ରୀନଅର ସିଂହଦ୍ଵାରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କପୂଜା, ଲକ୍ଷ୍ମୀନାରାୟଣ ଭେଟ ଅନୁଷ୍ଠିତ ହୁଏ ।

ଶ୍ରୀପୟର

ଶ୍ରୀଦିଅଁଙ୍କ ଅଧରଠାରୁ ଶ୍ରୀପାଦ ପର୍ଯ୍ୟନ୍ତ ଲମ୍ଵିଥିବା ବଡ଼ ଫୁଲମାଳ, ପ୍ରଭୁଙ୍କୁ ସୁନାବେଶରେ ଲାଗି ହେଉଥିବା ବଡ଼ ଆକାରରେ ସୁନା ପାଦୁକା ।

ଶ୍ରୀପୟରଶ୍ରୀ

ଶ୍ରୀଦିଅଁମାନଙ୍କୁ ସୁନାବେଶରେ ଲାଗି ହେଉଥିବା ବଡ଼ ଆକାରର ସ୍ଵର୍ଣ୍ଣ ପାଦୁକା ।

ଶ୍ରୀଭୁଜ

ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ସୁନାବେଶରେ ଲାଗି ହେଉଥିବା ବଡ଼ ଆକାରର ସ୍ଵର୍ଣ୍ଣ ହସ୍ତ ।

ଶ୍ରୀମନ୍ଦିର

ଶ୍ରୀଯନ୍ତ୍ର ଉପରେ ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା, ଶ୍ରୀସୁଦର୍ଶନ ଓ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ନିର୍ମିତ ଶ୍ରୀବତ୍ସଖଣ୍ଡଶାଳ ପ୍ରାସାଦ ।

ଶ୍ରୀମହାପ୍ରସାଦ

ଶ୍ରୀଜଗନ୍ନାଥଙ୍କୁ ଅନ୍ନ ବ୍ୟଞ୍ଜନ ଭୋଗ କରାଯିବା ପରେ ତାହା ଦେବୀ ବିମଳାଙ୍କୁ ପଞ୍ଚମକାର ପୂଜାରେ ସମର୍ପଣ କରାଯାଏ । ଅନ୍ନ, ବ୍ୟଞ୍ଜନ. ବେସର, ଆମ୍ଵିଳ ପ୍ରଭୃତି ରନ୍ଧନ ଦ୍ରବ୍ୟ ଅନ୍ନମହାପ୍ରସାଦ ଓ ଖଜା ଲଡ଼ୁ ଆଦି ଶୁଖିଲା ଦ୍ରବ୍ୟ ଶୁଖିଲା ମହାପ୍ରସାଦ ରୂପେ ପରିଚିତ ।

ଶ୍ରୀକ୍ଷେତ୍ର

ଜଗନ୍ନାଥ କ୍ଷେତ୍ର, ମହାଲକ୍ଷ୍ମୀଙ୍କ ନିବାସ ଓ ଆରାଧନା ସ୍ଥଳ ।

 

ଷଡ଼ଭୂମି

ଶରୀର ଷଡ଼ଚକ୍ର ଭଳି ରଥେ ଥିବା ୬ଗୋଟି ଭୂମି । ଯଥା ୧.ବେଦୀଭୂମି, ୨. କୂର୍ମଭୂମି, ୩. ମୂର୍ଦ୍ଧନଭୂମି, ୪. ସମଭଦ୍ରଭୂମି, ୫. ବଟସ୍ତମ୍ବଭୂମି, ୬. ଚକ୍ରଭୂମି ।

 

ସପ୍ତରଥକାର

ରଥ ନିର୍ମାତା ସାତ ପ୍ରକାର ଶିଳ୍ପୀ । ଯଥା ୧.ଗୁଣାକାର- ରଥର ସମସ୍ତ ଅଙ୍ଗର ମାନ ଓ ମାପ ନିର୍ଦ୍ଧାରଣକାରୀ, ୨. ମୁଖ୍ୟରଥକାର- ରଥର ମୁଖ୍ୟ ଅଙ୍ଗ ନିର୍ମାତା ପାହି ମହାରଣା, ୩. ଲୌହକାର-ରଥରେ ଲାଗୁଥିବା ପହି, କଣ୍ଟା, ଖିଲ ପ୍ରଭୃତି ଲୁହା ସରଞ୍ଜାମ ପ୍ରସ୍ତୁତକାରୀ କଣ୍ଟାନାୟକ ବା ଓଝା ମହାରଣା, ୪. ଛନ୍ଦାକାର-ରଥକାଠମାନ ସାଙ୍ଗି କରି ବା କାନ୍ଧରେ ବୋହି ନେଇ ଯୋଗାଉଥିବା ଛନ୍ଦନାୟକ , ୫. ରୂପକାର – ସାରଥୀ, ଅଶ୍ଵ ଓ ଅନ୍ୟାନ୍ୟ ପାର୍ଶ୍ଵମୂର୍ତ୍ତି ନିର୍ମାତା ମୂର୍ତ୍ତିକାର, ୬. ଚିତ୍ରକାର- ରଥର ବିଭିନ୍ନ ଅଂଶକୁ ଶାସ୍ତ୍ରୀୟ ନିୟମ ମାଫିକ ବିଭିନ୍ନ ରଙ୍ଗରେ ଚିତ୍ରିତ କରୁଥିବା ରଙ୍ଗତା ନାୟକ, ୭. ସୂଚୀକାର – ରଥର ମଣ୍ଡଣି, ଚାନ୍ଦୁଆ, ଘେର, ଧ୍ଵଜ, ନେତ, ପ୍ରଭୃତି କପଡ଼ାରେ ସିଲାଇ କରୁଥିବା ଦରଜି ସେବକ ।

ସର୍ବାଙ୍ଗଲାଗି

ରଥଗୁଡ଼ିକ ଗୁଣ୍ଡିଚା ଦାଣ୍ଡରେ ପହଞ୍ଚିଲେ ଦିଅଁମାନଙ୍କ ମହାସ୍ନାନ, ନୂଆ ବୋଇରାଣୀ ଲାଗି ସର୍ବାଙ୍ଗ ନୀତି ।

ସର୍ବାଙ୍ଗଚନ୍ଦନଲାଗି

ପ୍ରତି ଏକାଦଶୀରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀଦିଅଁମାନଙ୍କ ମଇଲମ, ଶାଢ଼ୀ ଓ ଖଣ୍ଡୁଆ ଲାଗି, ସନ୍ଧ୍ୟା ଆଳତି ପରେ କରାଯାଉଥିବା ଚନ୍ଦନଲାଗି ନୀତି ।

ସୁଆର

ସୂପକାର । ଦିଅଁଙ୍କ ପାଇଁ ପୂଜା ପ୍ରସ୍ତୁତକର୍ତ୍ତା, ଭୋଗ ପ୍ରସ୍ତୁତକାରୀ । ବଡ଼ସୁଆର, ପିଠାସୁଆର, ତୁଉଣସୁଆର, ଥାଳିସୁଆର, ଅମାଲୁସୁଆର, ବିନ୍ଦୁଆସୁଆର, ତୋଳାବଡ଼ୁସୁଆର ଓ ତୋଳାବତୀ ସୁଆର ଇତ୍ୟାଦି ବିଭିନ୍ନ ଧରଣର ସୁଆର ଶ୍ରୀଜୀଉଙ୍କ ସେବାକାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସୁଆଁସିଆ

ପ୍ରଭୁଙ୍କ ବିଭିନ୍ନ ପର୍ବଯାତ୍ରାରେ ଛାମୁଣ୍ଡିଆ ବାନ୍ଧୁଥିବା, ନବକଳେବର ବେଳେ ଯଜ୍ଞମଣ୍ଡପ ତିଆରି କରୁଥିବା ସେବକ ।

ସୁନ୍ଦରାଞ୍ଚଳ

ଗୁଣ୍ଡିଚାମଣ୍ଡପ ।

ସୁନାକୂଅ

ଶ୍ରୀମନ୍ଦିର ଭିତର ବେଢ଼ାରେ ଶୀତଳା ଠାକୁରାଣୀଙ୍କ ମନ୍ଦିର ନିକଟସ୍ଥ କୂଅ । ଶ୍ରୀଜୀଉଙ୍କ ସ୍ନାନ ନୀତି ପାଇଁ ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନ ସୁନାଗୋସାଇଁ ଏହି କୂଅରୁ ଜଳ କାଢ଼ନ୍ତି ।

ସୁନାକେଳିକଦମ୍ଵ

ଶ୍ରୀଦିଅଁଙ୍କର ଏକପ୍ରକାର ସ୍ଵର୍ଣ୍ଣାଳଙ୍କାର ବିଶେଷ ।

ସୁନାଗୋସାଇଁ

ଶ୍ରୀଜୀଉଙ୍କ ସ୍ନାନ ନୀତି ପାଇଁ ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନ ସୁନାକୂଅରୁ ପାଣି କାଢ଼ି ଅଧିବାସ କରୁଥିବା ସେବକ ।

ସୁନାଚକ୍ର

ମହାପ୍ରଭୁ ଜଗନ୍ନାଥଙ୍କର ସୁନାରେ ତିଆରି ଚକ୍ର ।

ସୁନାଝୁମ୍ପା

ପ୍ରଭୁଙ୍କର ଏକ ପ୍ରକାର ସୁନା ଅଳଙ୍କାର ବିଶେଷ ।

ସୁନାଦିହୁଡ଼ିସେବକ

ରାତିରେ ତିନି ରଥଙ୍କୁ ଦିହୁଡ଼ି ଲଗାଇ ଆଲୋକ ଦେଖାଉଥିବା ।

ସୁନାପାନପତ୍ରୀ

ପ୍ରଭୁଙ୍କର ଏକପ୍ରକାର ସୁନା ଅଳଙ୍କାର ବିଶେଷ ।

ସୁନାବେତ

ପ୍ରଭୁଙ୍କର ବିଭିନ୍ନ ନୀତିରେ ସେବକଙ୍କ ଦ୍ଵାରା ଧାରଣ କରାଯାଉଥିବା ସୁବର୍ଣ୍ଣ ବେତ ।

ସୁନାବେତସେବକ

ପ୍ରଭୁଙ୍କର ବିଭିନ୍ନ ନୀତିରେ ସୁନାବେତ ଧାରଣ କରି ଦଣ୍ଡାୟମାନ ହେଉଥିବା ସେବକ ।

ସୁନାବେଶ

ପ୍ରଭୁଙ୍କର ସ୍ଵର୍ଣ୍ଣାଳଙ୍କାରମଣ୍ଡିତ ବେଶ । ବାହୁଡ଼ା ଏକାଦଶୀରେ ସିଂହଦ୍ଵାର ସମ୍ମୁଖରେ ତିନିରଥ ଅବସ୍ଥାନ କାଳରେ ରଥ ଉପରେ ସର୍ବସାଧାରଣଙ୍କ ଦର୍ଶନ ଲାଗି କରାଯାଉଥିବା ବଡ଼ ତଢ଼ାଉବେଶ ।

ସୁବର୍ଣ୍ଣଝାଡ଼ୁ

ରଥଯାତ୍ରାରେ ପ୍ରଭୁଙ୍କର ପ୍ରଧାନସେବକ ପୁରୀର ଗଜପତି ମହାରାଜା ତିନି ରଥ ଛେରାପହଁରା କରିବାରେ ବ୍ୟବହାର କରୁଥିବା ଝାଡ଼ୁ ।

ସେନାପଟା

ରଥଯାତ୍ରାର ବଳଭଦ୍ର ଓ ଜଗନ୍ନାଥଙ୍କୁ ଦିଅଁଙ୍କୁ ପହଣ୍ଡିରେ ନେବା ପୂର୍ବରୁ ଲାଗି କରାଯାଉଥିବା ବଉଳକାଠ ଖଣ୍ଡ ।.

ସେନାପଟାଲାଗି

ରଥଯାତ୍ରାର ପହଣ୍ଡି ପୂର୍ବରୁ ବଳଭଦ୍ର ଓ ଜଗନ୍ନାଥଙ୍କୁ ପହଣ୍ଡିରେ ନେବା ପୂର୍ବରୁ ଲାଗି କରାଯାଉଥିବା ବଉଳକାଠଖଣ୍ଡ ।

ସେନାପଟାଲାଗି ଗଡ଼ା

ପ୍ରଭୁଙ୍କ ସେନାପଟା ଲାଗିଲେ ବ୍ୟବହୃତ ସୂତା ବସ୍ତ୍ର ବିଶେଷ ।

ସେବତୀମାଳି

ଶ୍ରୀଦିଅଁଙ୍କ ଏକପ୍ରକାର ସ୍ଵର୍ଣ୍ଣାଳଙ୍କାର ବିଶେଷ ।

ସ୍ଵପ୍ନାବତୀ ମନ୍ତ୍ର

ନବକଳେବର ସମୟରେ ବନଯାଗଯାତ୍ରୀମାନେ ମାଆ ମଙ୍ଗଳାଙ୍କର ସ୍ନାନ, ମାର୍ଜନ, ହୋମାଦି କର୍ମ କରି, ଦାରୁ ସନ୍ଧାନ କରିବା ପାଇଁ ଅଧିଆ ପଡ଼ନ୍ତି । ଏଇ ସମୟରେ ବ୍ରାହ୍ମଣ ସେବକମାନେ ମାଆ ମଙ୍ଗଳାଙ୍କୁ ସନ୍ତୁଷ୍ଟ କରି ସ୍ଵପ୍ନାଦେଶ ପାଇବାକୁ ଜପ କରୁଥିବା ମନ୍ତ୍ର ।

ସ୍ନାନଉତ୍ସବ

ଜ୍ୟେଷ୍ଠପୂର୍ଣ୍ଣିମାରେ ସ୍ନାନମଣ୍ଡପ ପରେ ଅନୁଷ୍ଠିତ ହେଉଥିବା ଶ୍ରୀଦିଅଁମାନଙ୍କୁ ସ୍ନାନଯାତ୍ରା ନୀତି ।

ସ୍ନାନପୂର୍ଣ୍ଣିମା

ଶ୍ରୀଦିଅଁମାନଙ୍କ ସ୍ନାନନୀତି ଅନୁଷ୍ଠିତ ହେଉଥିବା ଜ୍ୟେଷ୍ଠପୂର୍ଣ୍ଣିମା ।

ସ୍ନାନବେଦୀ

ଜ୍ୟେଷ୍ଠପୂର୍ଣ୍ଣିମାରେ ଶ୍ରୀଦିଅଁମାନଙ୍କ ସ୍ନାନନୀତି ଅନୁଷ୍ଠିତ ହେଉଥିବା ମଣ୍ଡପ । ଏହା ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ଅବସ୍ଥିତ । ବଡ଼ ମଣ୍ଡପଟି ୫୦ ଫୁଟ୍ ଦୀର୍ଘ ଓ ୫୦ ଫୁଟ୍ ଓସାର ଏବଂ ସାନ ମଣ୍ଡପଟି ୨୦ ଫୁଟ୍ ଲମ୍ବା ଓ ୫ ଫୁଟ୍ ଓସାର । ଏହା ଉପରେ ତିନିଗୋଟି ପିଣ୍ଡି ରହିଛି । ବଳଦେବଙ୍କ ପିଣ୍ଡି ୭ ପୁଟ୍ ୩ ଇଞ୍ଚ, ସୁଭଦ୍ରାଙ୍କ ପିଣ୍ଡି ୬ଫୁଟ୍ ୫ ଇଞ୍ଚ, ଓ ଜଗନ୍ନାଥଙ୍କ ପିଣ୍ଡି ୯ଫୁଟ ୬ଇଞ୍ଚ ଗୋଲେଇ ବିଶିଷ୍ଟ ।

ସ୍ନାନଯାତ୍ରା

ଜ୍ୟେଷ୍ଠପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ଅନୁଷ୍ଠିତ ହେଉଥିବା ଦିଅଁମାନଙ୍କ ସ୍ନାନ ଉତ୍ସବ ପାଳନବିଧି ।

ସ୍ନାନମଣ୍ଡପ

ଜ୍ୟେଷ୍ଠପୂର୍ଣ୍ଣିମାରେ ଶ୍ରୀଦିଅଁମାନଙ୍କ ସ୍ନାନନୀତି ଅନୁଷ୍ଠିତ ହେଉଥିବା ବେଦୀ ।

ସ୍ନାନଲୀଳା

ଜ୍ୟେଷ୍ଠପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ଅନୁଷ୍ଠିତ ହେଉଥିବା ଶ୍ରୀଦିଅଁମାନଙ୍କ ସ୍ନାନଉତ୍ସବ ଲୀଳାବିଧି ।

 

ହଡ଼ିକାଠ

ରଥର ଗତି ନିୟନ୍ତ୍ରଣ କରିବା ପାଇଁ ରଥର ଆଗ ଚକ ସାମନାର ଝୁଲୁଥିବା ଲମ୍ବା କାଠଖଣ୍ଡ ।

ହାତୀବେଶ

ସ୍ନାନପୂର୍ଣ୍ଣିମାରେ ପ୍ରଭୁଙ୍କର ସ୍ନାନନୀତି ପରେ ପ୍ରଭୁଙ୍କୁ କରାଯାଉଥିବା ଗଜବେଶ । ଶ୍ରୀବଳଭଦ୍ରଙ୍କ ପାଇଁ ପୁରୀର ଗୋପାଳତୀର୍ଥ ମଠ ତରଫରୁ ଓ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ପାଇଁ ରାଘବଦାସ ମଠ ତରଫରୁ ଏଇ ବେଶ ପାଇଁ ଯାବତୀୟ ସରଞ୍ଜାମ ଯାଗାଇ ଦିଆଯାଏ ।

ହିନ୍ଦୋଳା

ପାଲିଙ୍କି । ରଥଯାତ୍ରା ସମୟରେ ଶ୍ରୀରାମକୃଷ୍ଣ ଓ ଅନ୍ୟ ଦେବଦେବୀ ବିଜେ କରୁଥିବା ଯାନ ।

ହାନ୍ଦୋଳାବଡ଼ୁ

ଶ୍ରୀଦିଅଁଙ୍କ ପର୍ବଯାତ୍ରାଦି କାଳରେ ହାନ୍ଦୋଳା ବାହକ ସେବକ ।

ହେରାପଞ୍ଚମୀ

ଆଷାଢ଼ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥିର ରାତିରେ ଦେବୀ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଖଣ୍ଡେ କାଠ ଭାଙ୍ଗି ଦେଇ ଲୁଚି ଲୁଚି ହେରାଗୋହିରୀ ସାଇବାଟେ ଶ୍ରୀମନ୍ଦିରକୁ ଫେରିଆସିବା ପର୍ବନୀତି ।

 

କ୍ଷ

କ୍ଷେତ୍ରବୈଦ୍ୟ

ଶ୍ରୀଜୀଉଙ୍କ ଅଣସର ସମୟରେ ସେବାକାରୀ ବୈଦ୍ୟ ।

 

ବିଚାର କରିବସିଲେ ରଥ, ରଥୀ, ଓ ରଥଯାତ୍ରାକୁ ନେଇ ରହିଥିବା ଅନେକ ଶବ୍ଦ ଆମ ରଥସଂସ୍କୃତି ସମ୍ପର୍କରେ ବିସ୍ତୃତ ଧାରଣା ପ୍ରଦାନ କରିଥାଏ । ସମୟ ବିଶେଷରେ ପ୍ରାଚୀନ ରଥଯାତ୍ରାରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖାଦେଇଛି, ତଥାପି ପରମ୍ପରା ଏବେ ବି ଅତୁଟ ରହିଛି । ସେଇ ମହାନ ପରମ୍ପରାରୁ କେତେକ ଶବ୍ଦ ଅବଲୁପ୍ତ ହୋଇଆସିଲାଣି, ତଥାପି କିଛି ଜିଇ ରହିଛି । ସାଧାରଣ ଅବଗତି ପାଇଁ ଏଠାରେ କିଛି ମାତ୍ର ଧାରଣା ଦିଆଯାଇଛି ।

 

 

ମିଶ୍ରଘର, ମଧୁପାଟଣା, କଟକ-୧୦

ଦୂରଭାଷ-୯୪୩୭୯୨୦୪୯୬

 

***

 

Unknown

ସକଳଧର୍ମର ସମାବେଶରେ ଜଗନ୍ନାଥ

ରାଜକିଶୋର ମିଶ୍ର

 

ଭାରତୀୟ ଦର୍ଶନ, ଆଧ୍ୟାତ୍ମିକ ଚିନ୍ତନ, ଦେବମନସ୍କତା ଓ ଆଚରିତ ଧର୍ମଧାରଣାର ସନ୍ତୁଳିତ ପ୍ରତିଛବି ଓଡ଼ିଶାର ରାଷ୍ଟ୍ରଦେବତା, ଶ୍ରୀକ୍ଷେତ୍ରରେ ବିରାଜମାନ କରିଥିବା ଶ୍ରୀପୁରୁଷୋତ୍ତମ- ଜଗନ୍ନାଥଠାରେ ମିଳିପାରୁଛି ବୋଲି ବହୁ ଗବେଷକ ଓ ସଂସ୍କୃତିସଚେତକ ବ୍ୟକ୍ତି ପ୍ରାୟ ଏକମତ । ସକଳ ଧର୍ମର ସମନ୍ଵୟରେ ଶ୍ରୀଜଗନ୍ନାଥତତ୍ତ୍ଵ ନ କହି, ଶ୍ରୀଜଗନ୍ନାଥଙ୍କଠାରେ ସକଳ ଧର୍ମର ସମାବେଶ ଘଟିଛି ବୋଲି କେହି କେହି ଯୁକ୍ତି କରନ୍ତି । ଶ୍ରୀକ୍ଷେତ୍ରରେ ଏକଦା ୭୫୨ଟି ମଠଥିବା ଶୁଣାଯାଏ । ୧୯୭୮ମସିହାରେ (୪ର୍ଥସଂସ୍କରଣ)ଶ୍ରୀ ସୁନ୍ଦରାନନ୍ଦ ବିଦ୍ୟାବିନୋଦଙ୍କ ପୁସ୍ତକ ‘ଶ୍ରୀକ୍ଷେତ୍ର’ର ଦ୍ଵିତୀୟ ଖଣ୍ଡରେ ଲେଖକ ପ୍ରାୟ ୪୮ ପୃଷ୍ଠା ସମ୍ଵଳିତ ଶ୍ରୀକ୍ଷେତ୍ରର ମଠ ଅଧ୍ୟାୟରେ ଶ୍ରୀକ୍ଷେତ୍ରରେ ଥିବା ୧୨୩ଟିରୁ ଉର୍ଦ୍ଧ୍ଵ ମଠର ସୂଚନା ଦେଇଛନ୍ତି । ସେହିସବୁ ମଠଗୁଡ଼ିକ ହେଉଛି ଅଦ୍ଵୈକପନ୍ଥୀ ଶ୍ରୀଶଙ୍କରଙ୍କର ୬ଟି, ରାମାନୁଜପନ୍ଥୀଙ୍କର ୧୫ଟି., ରାମାନନ୍ଦୀପନ୍ଥୀଙ୍କର ୨୬ଟି , ନିମ୍ବାର୍କପନ୍ଥୀଙ୍କର ୫ଟି, ବିଷ୍ଣୁସ୍ଵାମୀଙ୍କର ୨ଟି, ଗୌଡ଼ୀୟ ବୈଷ୍ଣବଙ୍କର ୧୮ଟି ଓ ଏତଦ୍‍ବ୍ୟତୀତ ଅଙ୍ଗିରାପନ୍ଥୀ, ଗୌଡ଼ ମାଧବପନ୍ଥୀ, ପଞ୍ଚରାମାନନ୍ଦପନ୍ଥୀ, ଅନନ୍ତପନ୍ଥୀ, ପୁଷ୍ଟିମାର୍ଗପନ୍ଥୀ, ଅଘୋରପନ୍ଥୀ, ଦଶନାମୀପନ୍ଥୀ ଇତ୍ୟାଦି । ଅନେକ ମଠ ଶ୍ରୀଜଗନ୍ନାଥଙ୍କର କାନ୍ତିନୀତି ସହିତ ଏବେ ବି ସଂପୃକ୍ତ ଥିବା ଜଣାଯାଏ । ଭାରତର ବିଭିନ୍ନ ପ୍ରାନ୍ତର ଅନେକ ସମ୍ପ୍ରଦାୟର ମୁଖ୍ୟ ଓ ଉପମୁଖ୍ୟମାନେ ଶ୍ରୀକ୍ଷେତ୍ରରେ ମଠ ସ୍ଥାପନ କରିବା ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ଶ୍ରୀଜଗନ୍ନାଥଙ୍କର ସେବା ପୂଜାରେ ଓ ଯାନିଯାତ୍ରା ତଥା ଉତ୍ସବମାନଙ୍କରେ ଅଂଶଗ୍ରହଣ କରିବା ସର୍ବଭାରତୀୟ ସାମୂହିକମାନ୍ୟତାର ପ୍ରତିଫଳନ ମାତ୍ର । ଭାରତ ବାହାରେ ଥିବା ଭାକ୍ତିକ ବିଶ୍ଵାସ ମଧ୍ୟ ଗବେଷଣାର ବିଷୟ । ଦେଶ ବିଦେଶରେ ଥିବା ଇସ୍କନ୍ ପ୍ରାୟୋଜିତ ମନ୍ଦିରମାନଙ୍କରେ ତଥ୍ୟ ପ୍ରବାସୀ ଓଡ଼ିଆମାନଙ୍କର ସାମୂହିକ ଉଦ୍ୟମରେ ଗଢ଼ିଉଠିଥିବା ମନ୍ଦିରସବୁ ଶ୍ରୀଜଗନ୍ନାଥ-ପ୍ରବଣତାର ସୂଚନା ବହନ କରେ । ଭାରତର ବିଭିନ୍ନ ସ୍ଥାନରେ ତଥା ଓଡ଼ିଶାର ପ୍ରାୟ ସବୁ ଜିଲ୍ଲା ଓ ସଦର ମହକୁମାମାନଙ୍କରେ ତଥା ଶିଳ୍ପାଞ୍ଚଳମାନଙ୍କରେ ସମୟାନୁକ୍ରମେ ଗଢ଼ିଉଠିଥିବା ମନ୍ଦିରଗୁଡ଼ିକ ଶ୍ରୀଜଗନ୍ନାଥଙ୍କର ମହିମା-ସନ୍ତକ । ବାଂଲାଦେଶର ରାଜଧାନୀ ଢାକାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ବୃଦ୍ଧ ମୁସଲିମ୍ ଭାଇମାନେ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହିତ ପ୍ରସାଦସେବା କରୁଥିବା ପରସାଦସେବା କରୁଥିବା କଥା ଭକ୍ତ ମନ୍ଦିରର ଜନୈକ ପରିଚାଳନା ଅଧିକାରୀ ନିକଟରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଆୟୋଜିତ ଏକ ସଂପାନରେ ମତବ୍ୟକ୍ତ କରିଥିଲେ । ଭାରତ ଓ ଭାରତ ବାହାରେ ଅଣହିନ୍ଦୁମାନେ ହିନ୍ଦୁମାନଙ୍କ ସହିତ ମିଶି ରଥଟଣା କାର୍ଯ୍ୟରେ ସଂପୃକ୍ତ ରହିବା ସମସ୍ତେ ଜାଣନ୍ତି । ପୂର୍ବେ ରଥଯାତ୍ରା କାଳରେ ମାହୁନ୍ତ ସେବାରେ ଜଣେ ଦକ୍ଷ ହସ୍ତୀ ଆରୋହୀ ମୁସଲମାନ ଗଜପତି ମହାରାଜାଙ୍କୁ ରଥନିକଟକୁ ବାଟ କଢ଼େଇ ନେବା ପାଇଁ ବ୍ୟବସ୍ଥା ମଧ୍ୟ ଥିଲା । ପଞ୍ଚକ୍ରୋଣୀ ଶ୍ରୀକ୍ଷେତ୍ରର ଚତୁଃପାର୍ଶ୍ଵରେ ଅଷ୍ଟଚଣ୍ଡୀଶକ୍ତି ଓ ଏକାଦଶ ରୁଦ୍ର ଶକ୍ତି ବାହାର ଆବରଣରେ ସ୍ଥାନିତ ହୋଇ ପରମଧାମ ଶ୍ରୀକ୍ଷେତ୍ରର ମହନୀୟତା ପ୍ରତିପାଦିତ କରୁଛନ୍ତି ।

 

‘ତନ୍ତ୍ରଶିରୋମଣି ଶ୍ରୀଜଗନ୍ନାଥ’ ପୁସ୍ତକର (୨୦୦୨) ରଚୟିତା ରାଜେନ୍ଦ୍ର କୁମାର ମହାନ୍ତି (ପ୍ରକ୍ତନ ଶ୍ରୀମନ୍ଦିର ପ୍ରଶାସକ ତଥା ଗବେଷକ) ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଛନ୍ତି । ତାଙ୍କ ମତରେ ଶ୍ରୀଜଗନ୍ନାଥଙ୍କର ଉତ୍ସ ନେପ୍ରିଟୋ ବଂଶୋଦ୍ଭବ ଆଦିବାସୀ, ପ୍ରୋଟୋ-ଏଷ୍ଟ୍ରୟେଡ଼ ବଂଶୋଦ୍ଭବ ଦ୍ରାବିଡ଼ଙ୍କର ପାରମ୍ପରିକ ଦାରୁପୂଜାରେ ନିହିତ । ଦ୍ରାବିଡ଼ ଜୈନଙ୍କର ବଦ୍ଧମଙ୍ଗଳ ଓ ନନ୍ଦୀପଦର ଏକ ସମୀକରଣରେ ଜଗନ୍ନାଥଙ୍କର ରୂପର ସୃଷ୍ଟି ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ‘ଶ୍ରୀଜଗନ୍ନାଥଙ୍କ ଗର୍ଭରେ ଶବରଙ୍କ ‘ମଙ୍ଗଳରାତୁ’ଙ୍କ ପୂଜା ସମସ୍ତଙ୍କର ଅଜଣାରେ ଅହରହ ଚାଲିଛି ।’ ପୁଣି କହିଛନ୍ତି ‘ଶ୍ରୀକ୍ଷେତ୍ର ବୌଦ୍ଧ ତନ୍ତ୍ରଯାନର ଆଦିଭୂମି ଓ ଶ୍ରୀଜଗନ୍ନାଥ ତନ୍ତ୍ରଯାନର ପ୍ରମୂର୍ତ୍ତ ପ୍ରତୀକ’ । ତାଙ୍କ ମତରେ ବଜ୍ରଯାନ ସଂସ୍କୃତିରେ ଶ୍ରୀଜଗନ୍ନାଥ ପରମବଜ୍ରୀ (ଆଦିବୁଦ୍ଧ), ବଳଭଦ୍ର ବଜ୍ରୋଦକ (ଶ୍ଵେତବିନ୍ଦୁ), ସୁଭଦ୍ରା ବଜ୍ରେଶ୍ଵରୀ ବା ନୈରାତ୍ମା ଏବଂ ଶ୍ରୀସୁଦର୍ଶନ ହିଁ ବଜ୍ର ।

 

ଶ୍ରୀଜଗନ୍ନାଥଙ୍କ ସହ ଶାବର, ଜୈନ୍ୟ ଓ ବୌଦ୍ଧ ଦର୍ଶନ ଓ ଧର୍ମାଚାର ସଂଶ୍ଲିଷ୍ଟ ହେବା କଥା ବହୁ ମନୀଷୀ ଆୟାସଲବ୍ଧ ଗବେଷଣାମାନ ଉପସ୍ଥାପନ କରିଛନ୍ତି । ପଣ୍ଡିତ ନୀଳକଣ୍ଠ ଦାସ ଆଉ ପାଦେ ଆଗେଇ ଯାଇ ଶ୍ରୀଜଗନ୍ନାଥଙ୍କର ଉତ୍ସ ବେବିଲୋନୀୟ ଆସୀରୀୟ ସଭ୍ୟତାରେ ଅଣ୍ଡାଳି ବସିଛନ୍ତି । ଇତିହାସର ଅସ୍ପଷ୍ଟତାକୁ ଦରାଣ୍ଡି ଉତ୍କଳୀୟ ସଂସ୍କୃତି ତିନୋଟି ଐତିହାସିକ ସଂସ୍କୃତିର ସମ୍ମିଶ୍ରଣରେ ଗଢ଼ି ଉଠିଛି ବୋଲି ସେ କହିଛନ୍ତି । ତାଙ୍କ ମତରେ ‘ଯାଜପୁରଟାରୁ ଉତ୍ତରକୁ ରାଢ଼ ଯାଏ ଉତ୍କଳ, ଯାଜପୁରଠାରୁ ଦକ୍ଷିଣରେ ବିଶାଖାପାଟଣା ପର୍ଯ୍ୟନ୍ତ ଭୂଖଣ୍ଡଟି କଳିଙ୍ଗ ଏବଂ ବୌଦଠାରୁ ବିଳାସପୁର ପର୍ଯ୍ୟନ୍ତ ଅଞ୍ଚଳଟି ହେଉଛି ଦକ୍ଷିଣକୋଶଳ । ଦକ୍ଷିଣକୋଶଳର ସଂସ୍କୃତି ଉତ୍କଳ ଓ କଳିଙ୍ଗ ସଂସ୍କୃତିଠାରୁ ଭିନ୍ନ । କୋଶଳ ସଂସ୍କୃତି ତନ୍ତ୍ର ସଂସ୍କୃତି ଓ ଏହା ଉଡ୍ଡୀୟମାନ ନାମରେ ନାମିତ । ଏ ଅଞ୍ଚଳରେ ନିଷାଦମାନଙ୍କର ସଂସ୍କୃତି ବିରାଜୁଥିଲା । କଳିଙ୍ଗ ସଂସ୍କୃତି ହେଉଛି ଦ୍ରାବିଡ଼ ସଂସ୍କୃତି । ନୀଳକଣ୍ଠଙ୍କ ମତରେ ଆର୍ଯ୍ୟ ସମ୍ରାଟ ଚୋଡ଼ଗଙ୍ଗ ଏଇ ନିଷାଦ ଓ ଦ୍ରାବିଡ଼ମାନଙ୍କ ସଭ୍ୟତାକୁ ଏକ କରି ଏଇ ନିମକାଠର ମୂର୍ତ୍ତି କୋଶଳରୁ ଅଣାଇ କଳିଙ୍ଗର ଉପକୂଳରେ ପୁରୁଷୋତ୍ତମ ପୀଠରେ ପ୍ରତିଷ୍ଠା କରିଦେଲେ । ତା’ପୂର୍ବରୁ ଉପକୂଳର ପୁରୁଷୋତ୍ତମ ତଥା କୋଶଳ ବା ଉଜ୍ଜିୟାନର ନିମକାଠ ମୂର୍ତ୍ତି ଦୁହିଁଙ୍କର ନାମ ଜଗନ୍ନାଥ ହୋଇ ସାରିଥିଲା ।’ (ଶ୍ରୀମଦ୍ ଭଗବଦ୍ ଗୀତା, ନୂତନ ସଂକଳନ ୨୦୦୧, ପୃଷ୍ଠା-୫୬) । ‘ଉଡ୍ଡୀୟାନର ଜଗନ୍ନାଥଧର୍ମ ହେଉଚି ଶୂନ୍ୟଧର୍ମ ବା ତଂତ୍ର ଧର୍ମ ’(ପୃ.୫୯) ।

 

‘ମହାଦେବତା’ ନିବନ୍ଧଗ୍ରନ୍ଥର (୨୦୧୦) ପ୍ରଣେତା ଆଶୁତୋଷ ପ୍ରସାଦ ପଟ୍ଟନାୟକ ପଣ୍ଡିତ ନୀଳକଣ୍ଠଙ୍କ ଦ୍ଵାରା ବିଶେଷ ଭାବେ ପ୍ରଭାବିତ ହୋଇ ପୁରୀର ଶ୍ରୀକ୍ଷେତ୍ରରେ ସୁମେରୀୟ, ମିଶରୀୟ, ଆସ୍ସିରୀୟ, ହିଟାଇଟ୍-ଆର୍ଯ୍ୟ, ମାଲସେବାୟ ଗ୍ରୀକ୍, ପାରସିକ, ରୋମ-ନାଗରିକ ଓ ପ୍ରାଚୀନ ଆମେରିକୀୟ ଅଦିବାସୀ (ଲୋହିତ ଭାରତୀୟ)ଙ୍କ ସଂସ୍ପର୍ଶରେ ଆସିଥିବା କଥା ଉଲ୍ଲେଖ କରିଛନ୍ତି । ସେ ଖ୍ରୀଷ୍ଟୀୟ ଦ୍ଵିତୀୟ ଶତାବ୍ଦୀର ଆଲେକଜାଣ୍ଡ୍ରିଆ ନିବାସୀ ଟଲେମିଙ୍କ ରଚିତ ଭୂଗୋଳ ଗ୍ରନ୍ଥ ଓ ବିଂଶ ଶତାବ୍ଦୀର ଇଂରାଜୀ ଗବେଷକ ଜି.ଇ ଜେରିନଙ୍କ ଲିଖିତ Researches on Ptolemy’s geography of Eastem Asia ଗ୍ରନ୍ଥ ତନ୍ନ ତନ୍ନ କରି ଅଧ୍ୟୟନ କରି ଜେରିନିଙ୍କ ମତର ସତ୍ୟାସତ୍ୟ ନିରୂପଣ ପାଇଁ ଗବେଷଣାର ଦ୍ଵାର ଉନ୍ମକ୍ତ କରିଦେଇଛି । ଜେରିନି ବ୍ରହ୍ମଦେଶର ପେଗୁ (ବର୍ତ୍ତମାନ ପରିବର୍ତ୍ତିତ ନାମ ଉସ୍ଵା) ଉପକୂଳ ଏକଦା କଳିଙ୍ଗ ଓ ଏହାର ଉତ୍ତର ପୂର୍ବାଞ୍ଚଳ ‘ଉତ୍କଳ’ ନାମରେ ପରିଚିତ ଥିବା କଥା କହିଛନ୍ତି । ସେଠାକାର ମୂଳ ଅଧିବାସୀ ‘ପ୍ୟୁ’ମାନେ ସେମାନଙ୍କ ସାମ୍ରାଜ୍ୟର ରାଜଧାନୀ ‘ଶ୍ରୀକ୍ଷେତ୍ର’ ଓ ତା’ର ନାମାନ୍ତର ‘ପୁର’ ବା ‘ପୁରୀ’ ବୋଲି ମତବ୍ୟକ୍ତ କରିଛନ୍ତି । ସେଇଭଳି ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଜାଭାଦ୍ଵୀପର ଏକ ଶକ୍ତିଶାଳୀ ରାଜ୍ୟକୁ ‘କଳିଙ୍ଗ’ ବୋଲି କୁହାଯାଉଥିଲା ଏବଂ ସମଗ୍ର ଦ୍ଵୀପଟି ମଧ୍ୟ ‘କଳିଙ୍ଗ’ରେ ରୂପାନ୍ତରିତ ହୋଇ ଦୁଇଶହ ବର୍ଷ ପର୍ଯ୍ୟନ୍ତ ଏଇ ପରିଚିତିକୁ ଅକ୍ଷୁର୍ଣ୍ଣ ରଖିପାରିଥିଲା । ଶ୍ରୀପଟ୍ଟନାୟକ ସ୍ଵକୀୟ ଗବେଷଣାରେ ପ୍ରାକୃତ ଭାଷାରେ ରଚିତ ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ରେ ବର୍ଣ୍ଣିତ କଳିଙ୍ଗ ସମୁଦ୍ର ‘କଳିଙ୍ଗୋଦ୍ରେଷୁ’ କଥାମଧ୍ୟ ଉଲ୍ଲେଖ କରିଛନ୍ତି । ତାଙ୍କ ଆଲୋଚନାର ନିଷ୍କର୍ଷ ହେଉଛି ଶ୍ରୀକ୍ଷେତ୍ର ପୁରୀ ବହୁ ପ୍ରାଚୀନ କାଳରୁ ବିଶ୍ଵର ବିଭିନ୍ନ ସଭ୍ୟତାକୁ ପ୍ରଭାବିତ କରିଛି । ଖ୍ରୀଷ୍ଟପୂର୍ବ ତିନି ହଜାରରେ ବାଣିଜ୍ୟ ସୂତ୍ରରେ ସୁମେରୀୟମାନେ ଶ୍ରୀକ୍ଷେତ୍ରକୁ ଆସି ଏଠାରେ ବସତି ସ୍ଥାପନ କରିଥିଲେ । ମିଶରୀୟମାନେ ଖ୍ରୀଷ୍ଟପୂର୍ବ ଦୁଇହଜାର ପାଞ୍ଚଶହ ବର୍ଷ ପୂର୍ବରୁ ଏଠାକୁ ଆସି ଦେବଦେବୀଙ୍କ ପୂଜା ଆରମ୍ଭ କରିଥିଲେ । ମିଶରୀୟମାନେ ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜା କରୁଥିଲେ-। ତା’ପରେ ଆସିଥିଲେ ଆସ୍ସିରୀୟ ଓ ହିଟ୍ଟାଇଟ୍ ଆର୍ଯଗଣ (୧୯୦୦-୮୦୦ଖ୍ରୀ.ଅ), ହିଟ୍ଟାଇଟ୍‍ମାନେ ବୈଦିକ ଦେବଦେବୀଙ୍କର ପୂଜା କରୁଥିଲେ ଏବଂ ସଂସ୍କୃତ ଭାଷାରେ ଗ୍ରନ୍ଥରଚନା କରିଥିଲେ । ଏହାର ବହୁବର୍ଷ ପରେ ବିନ୍ଧ୍ୟଗିରିରୁ ଶବର ବା ନିଷାଦ ଗୋଷ୍ଠୀ ଏବଂ ଆମେରିକାର ମାୟା ସଭ୍ୟତାର ଲୋକମାନେ ମଧ୍ୟ ଶ୍ରୀକ୍ଷେତ୍ର ପୁରୀକୁ ଆସିଥିଲେ । ପାରସ୍ୟର କିଛି ଅଧିବାସୀ ଖ୍ରୀ.ପୂ ପଞ୍ଚମ ଶତାବ୍ଦୀରେ ବାଣିଜ୍ୟ ପାଇଁ ଏଠାକୁ ଆସିଥିଲେ । ପରବର୍ତ୍ତୀ କାଳରେ ଖ୍ରୀ.ପୂ ଚତୁର୍ଥ ଶତାବ୍ଦୀଠାରୁ ବା ତତ୍‍ପୂର୍ବରୁ ଜୈନ, ବୌଦ୍ଧ ପ୍ରଭାବ ଏଠାରେ ପରିଲିକ୍ଷିତ ହୋଇଛି । ଜଗନ୍ନାଥଙ୍କୁ ଆଦିନାଥ ଋଷଭଦେବ ଓ କଳିଙ୍ଗ ଜିନାସନ, ଜୈନ ତ୍ରିରତ୍ନ ଓ ବୌଦ୍ଧ ତ୍ରିରତ୍ନ, ଶବରମାନଙ୍କର ସେଓରି ନାରାୟଣ, ଶ୍ରୀକ୍ଷେତ୍ରରେ ଦୀର୍ଘବର୍ଷ ଯୀଶୁଖ୍ରୀଷ୍ଟଙ୍କ ରହଣି, ସତ୍ୟଯୁଗର ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର କାହାଣୀ, ସାରଳା ଦାସଙ୍କର କିମ୍ବଦନ୍ତୀ ଆଧାରିତ ବୁଦ୍ଧଜଗନ୍ନାଥଙ୍କର ଉନ୍ମୋଷ ଓ ପ୍ରଭାବ, ତନ୍ତ୍ରାଚ୍ଛନ୍ନ ଶ୍ରୀଜଗନ୍ନାଥ ଓ ଭୈରବୀଚକ୍ରରେ ପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ, ତାଙ୍କ ପାଇଁ ଛତିଶା ନିଯୋଗ, ବୈଦିକ, ଲୌକିକ ତଥା ସ୍ମାର୍ତ୍ତ ଉପଚାରରେ ପ୍ରଭୁଙ୍କର ପୂଜା ଆରାଧନା ତାଙ୍କ ଯାନିଯାତ୍ରାରେ ପରିଲିକ୍ଷିତ ହେଉଥିବା ପାରମ୍ପରିକ ଐଶ୍ଵର୍ଯ୍ୟ-ବିସ୍ମୟ ଆଦି ବହୁ ପ୍ରସଂଗରେ ଅନେକ ଗବେଷକ ଭିନ୍ନ ଭିନ୍ନ ମତପୋଷଣ କରି ଆସୁଥିବା ଲକ୍ଷ୍ୟ କରାଯାଏ । ‘ତର୍କେ ବହୁଦୂର’ ଭଳି ପ୍ରଜ୍ଞା-ମରୀଚିକା ହାତ-ପାଆନ୍ତାରୁ ଅପସରି ଯିବାରେ ଲାଗିଛି ।

 

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ବିଜ୍ଞ ସମ୍ପାଦକମଣ୍ଡଳୀଙ୍କର ମନୀଷାରେ ପ୍ରସ୍ତୁତ ‘ଶ୍ରୀଜଗନ୍ନାଥ ଚେତନାର ଶାସ୍ତ୍ରୀୟ ଭିତ୍ତିଭୂମି’ (୨୦୦୯) ଶୀର୍ଷକ ନିବନ୍ଧ ଗ୍ରନ୍ଥଟି ଏକ ଦୁର୍ଲଭ ସଂକଳନ କହିଲେ ଅତ୍ୟୁକ୍ତି ହେବ ନାହିଁ । ସାତଟି ପରିଚ୍ଛେଦରେ ଶ୍ରୀଜଗନ୍ନାଥ ଚେତନାର ବୈଦିକ ଭିତ୍ତିଭୂମି, ମହାଭାରତୀୟ ଭିତ୍ତିଭୂମି, ତନ୍ତ୍ର ପରମ୍ପରାର ଭିତ୍ତିଭୂମି, ପୌରାଣିକ ଭିତ୍ତିଭୂମି, ପାଞ୍ଚରାତ୍ରାଗମ ଭିତ୍ତିଭୂମି, ସଂହିତା ଶାସ୍ତ୍ରରେ ଥିବା ଶ୍ରୀଜଗନ୍ନାଥ ଚେତନାରେ ଭିତ୍ତିଭୂମି ଓ ଓଡ଼ିଶୀ ବୈଷ୍ଣବ ପରମ୍ପରାରେ ଶ୍ରୀଜଗନ୍ନାଥ ଚେତନା ଆଦି ବିଶଦଭାବରେ ବର୍ଣ୍ଣିତ । ଏଥିରେ ନନ୍ଦବଂଶ, ଐର ଓ ଚେତବଂଶ, ବିଶ୍ଵାବସୁ ପ୍ରସଂଗ ଅତି ସଂକ୍ଷିପ୍ତ ଭାବରେ ଦିଆଯାଇ ଶବର, ଜୈନ ଓ ବୌଦ୍ଧ ସମ୍ପୃକ୍ତିକୁ ଅଧିକ ଗୁରୁତ୍ଵ ଦିଆଯାଇନାହିଁ । ଋଗ ବେଦୋକ୍ତ ଦଶମ ମଣ୍ଡଳର ୧୫୫/୩ ଅନୁଷ୍ଟପ୍ ଛନ୍ଦରେ ଥିବା ତୃତୀୟ ସୂକ୍ତ ଯଥା-ଅଦୋ ଯଦ୍ଦାରୁ ପ୍ଲବତେ ସିନ୍ଧୋଃ ପାରେ ଅପୁରୁଷମ/ ତଦା ରଭସ୍ଵ ଦୁର୍ହଣୋ ତେନ ଗଚ୍ଛ ପରସ୍ତରମ୍’ର ଅର୍ଥ ଚତୁର୍ଦ୍ଦଶ ଶତାବ୍ଦୀରେ ସୁପ୍ରସିଦ୍ଧ ଭାଷ୍ୟକାର ସାୟନାଚାର୍ଯ୍ୟ ନିମ୍ନମତେ ଦେଇଛନ୍ତି-‘ଆଦୌ ବିପ୍ରକୃଷ୍ଟଦେଶେ ବର୍ତ୍ତମାନମପୁରୁଷଂ ନିର୍ମାତ୍ରା ପୁରୁଷେଣ ରହିତଂ ଯଦ୍ଦାରୁ ଦାରୁମୟଂ ପୁରୁଷୋତ୍ତମମାଖ୍ୟଂ ଦେବତାଶରୀରଂ ସିନ୍ଧୋଃ ପାରେ ସମୁଦ୍ରତୀରେ ପ୍ଲବତେ ଜଳସ୍ୟୋପରି ବର୍ତ୍ତତେ ତଦ୍ଦାରୁ ହେ ଦୁର୍ହଣୋ ଦୁଃଖେନ ହନନୀୟ କେନାପି ହନ୍ତୁମଶକ୍ୟ ହେ ସ୍ତୋରତା ରଭସ୍ଵ, ଆଲମ୍ଵସ୍ଵ ଉପାସସ୍ଵେତ୍ୟର୍ଥଃ । ତେନ ଦାରୁମୟେନ ଦେବେନୋପାସ୍ୟମାନେନ ପରସ୍ତରମତିଶୟେନ ତରଣୀୟମୁତ୍କୃଷ୍ଟଂ ବୈଷ୍ଣବଂ ଲୋକଂ ଗଚ୍ଛ । ଅର୍ଥାତ୍ ଦୂରବର୍ତ୍ତୀ ସ୍ଥାନରେ ଯେଉଁ ଦାରୁମୟ ପୁରୁଷୋତ୍ତମ ନାମକ ଭଗବତବିଗ୍ରହ ସମୁଦ୍ରତୀରରେ ବିରାଜମାନ ଅଛନ୍ତି, ହେ, ଅମର ସ୍ତବକାରୀ, ସେଇ ଦାରୁବ୍ରହ୍ମଙ୍କୁ ଆଶ୍ରୟ କରି ଉପାସନା ମାଧ୍ୟମରେ ଶ୍ରେଷ୍ଠ ବୈଷ୍ଣବଲୋକକୁ ଗମନକର । ଏହି ସୂକ୍ତଟି ଅଥର୍ବବେଦରେ ମଧ୍ୟ ଥିବା କଥା ରଘୁନନ୍ଦନ ଭଟ୍ଟାଚାର୍ଯ୍ୟ ତାଙ୍କ ପ୍ରଣୀତ ‘ଅଷ୍ଟାବିଂଶତି’ ତତ୍ତ୍ଵ ପୁସ୍ତକରେ ପୁରୁଷୋତ୍ତମ ତତ୍ତ୍ଵ ପୁସ୍ତକରେ ପୁରୁଷୋତ୍ତମ ତତ୍ତ୍ଵ ପ୍ରସଂଗରେ ଏବଂ ତାରାନାଥ ତର୍କବାଚସ୍ପତି ତାଙ୍କ ରଚିତ ‘ବାଚସ୍ପତ୍ୟ’ ସଂସ୍କୃତ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି, ତାହା ବୋଧହୁଏ ଠିକ୍ ନୁହେଁ (ଦ୍ରଷ୍ଟବ୍ୟ-ସୁନ୍ଦରାନନ୍ଦ ବିଦ୍ୟାବିନୋଦଙ୍କ ଦ୍ଵାରା ରଚିତ ‘ଶ୍ରୀକ୍ଷେତ୍ର’ ପୃ ୪୦) । ଅବଶ୍ୟ ଏହି ସୂକ୍ତର ପ୍ରତିବଚନ ଓଡ଼ିଶାରେ ଦେଖିବାକୁ ମିଳେ-। ତାହା ହେଲା “ଯ ଏଷ ପ୍ଲବତେ ଦାରୁଃ ସିନ୍ଧୁପାରେ ହ୍ୟପୌରୁଷଃ । ତମୁପାସ୍ୟ ଦୁରାରାଧ୍ୟଂ ମୁକ୍ତିଂ ଯାତି ସୁଦୁର୍ଲଭାମ୍ ।।” (ଶ୍ରୀକ୍ଷେତ୍ର ପୃ.୪୦) ପୁନାସ୍ଥିତ ବୈଦିକ ସଂଶୋଧନ ମଣ୍ଡଳୀ ଉକ୍ତ ସୂକ୍ତକୁ ଅଲକ୍ଷ୍ମୀ ଅପସାରଣ ମନ୍ତ୍ର ଭାବରେ ଗ୍ରହଣ କରିଛନ୍ତି । କିନ୍ତୁ ଓଡ଼ିଶାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବ୍ୟତୀତ ଅନ୍ୟ କେହି ଅଲକ୍ଷ୍ମୀ ନାଶନ ମନ୍ତ୍ର ଭାବରେ ଏହାକୁ ଗ୍ରହଣ କରନ୍ତି ନାହିଁ । ନୀଳକଣ୍ଠଙ୍କ ମତରେ “ଏଇ ସମୁଦ୍ର ପାରରେ ବା ନଦୀପାରେ ଯେଉଁ ଦାରୁ ବା କାଠ ଭାସୁଛି ତାକୁ ଛାଡ଼ । ତାକୁ ଛାଡ଼ି ପରସ୍ତରକୁ ବା ଆତ୍ମିକ ସ୍ତରକୁ ଯାଅ । ଏହା ଏକ ଅଷ୍ଟ୍ରିକ ଶବ୍ଦ । ନିଷାଦ ଅନୁଷ୍ଠାନକୁ ଲକ୍ଷ୍ୟ କରୁଚି ।” ** ଏଠାରେ ଏ ଯେଉଁ ସୂକ୍ତଟି ଅଛି, ଏହା ପୁରୀଆଡ଼ ଉପକୂଳର କୌଣସି ‘ବ୍ରାତ୍ୟ ବୈଦିକ’ କହିଥିବା ସ୍ପଷ୍ଟ ଜଣାଯାଉଛି । ସେ କହୁଚନ୍ତି ଆରେ ଦୁର୍ମୂଖ ! ଏ ନିମକାଠ ଦେବତାକୁ ମୂଳବସ୍ତୁ ବୋଲି ପୂଜା କରିବା ଠିକ୍ ନୁହେଁ । କାଇଁକି ନା ଏ ପୁରୁଷ ନୁହେଁ । ଏହା ଅପୁରୁଷ, ୟାକୁ ଛାଡ଼, ତେବେ ଯାଇ ତୁ ବୁଝିପାରିବୁ ପୁରୁଷ କ’ଣ । x x ଋଗ୍ ବେଦର ଏଇ ପୁରୁଷ ଧର୍ମ ବା ଆତ୍ମ ଧର୍ମ ପ୍ରତିଷ୍ଠିତ ହେଲାବେଳକୁ ଶୂନ୍ୟ ଧର୍ମରେ ବା ତନ୍ତ୍ର ଧର୍ମରେ ଗୋଟିଏ ଦାରୁଦେବତା ପ୍ରତିଷ୍ଠିତ ଥିବାର ମଧ୍ୟ ସ୍ପଷ୍ଟ ପ୍ରମାଣ ମିଳୁଚି .।” ( ଶ୍ରୀମଦଭଗବଦ୍‍ଗୀତା ୨ୟ ସଂସ୍କରଣ ପୃ -୩୨-୩୪) ଶାବର –ଉତ୍ସକୁ ପରବର୍ତ୍ତୀ କାଳରେ ଅସ୍ଵୀକାର କଲାପରି, ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ନିଷାଦଙ୍କ ଦାରୁପୂଜା ବା ଅପୌରୁଷେୟୋ ଅଲକ୍ଷ୍ମୀ ବୋଲି ଅନେକ ଗବେଷକ ଗ୍ରହଣ କରନ୍ତି ନାହିଁ । ପ୍ରାକ୍ତନ ଶ୍ରୀମନ୍ଦିର ପ୍ରଶାସକ ମହୀମୋହନ ତ୍ରିପାଠୀ ତାଙ୍କ ରଚିତ ଶ୍ରୀଜଗନ୍ନାଥ (୨୦୧୨) ଗ୍ରନ୍ଥରେ ବିଶଦ ଆଲୋଚନା କରି କହିଛନ୍ତି ଦାରୁ ବା କାଠ ହେଉଛି ଗ୍ରୀକ୍ ମିଥ୍‍ରେ ପୃଥିବୀର ସର୍ବପ୍ରଥମ ପବିତ୍ର ତଥା ମୌଳିକ ବସ୍ତୁ । ଗ୍ରୀସ୍‍ର ମୁଖ୍ୟ ଦେବତା ଜିଅସ୍ ଓ ଜ୍ଞାନର ଦେବୀ ଏଥେନା ୪୦ ଫୁଟ ଉଚ୍ଚର କାଠମୂର୍ତ୍ତି । ସେଥିରେ ହାତୀଦାନ୍ତ ଓ ସୁନା, ଅସ୍ଥି ଓ ଚର୍ମ ପରି ଲାଗିକରି ରହିଥିଲା । ଶ୍ରୀମନ୍ଦିରର ରତ୍ନବେଦୀରେ ବିରାଜିତ ଦାରୁବିଗ୍ରହଙ୍କର ମଧ୍ୟ ସେହିପରି ସପ୍ତାବରଣ ହୋଇଥାଏ । ତାହା ହେଲା ଦାରୁ, ଚେହେଲି, ଚଉବନ୍ଧ (ଖଣ୍ଡୁଆ ଓ ଛାଚିପାଟ), ବାସୁଙ୍ଗାପାଟ, ଓଷୁଅ, ରକ୍ତବସ୍ତ୍ର ଓ ଶ୍ରୀମୁଖ ଓତା (ପୃ ୪୫) ।।“ବାବା ଶ୍ରୀ ଚୈତନ୍ୟ ଚରଣଦାସ (‘ଶ୍ରୀପୁରୁଷୋତ୍ତମ ରହସ୍ୟ’ ୨୦୦୩) ‘ଦାରୁ’ର ବ୍ୟୁତ୍ପତ୍ତିଗତ ଅର୍ଥ କରି ‘ଅଖଣ୍ଡ ଆନନ୍ଦ ଦାନ ଓ ସର୍ବ ଦୁଃଖନାଶନ ହେଉଛି ଦାରୁବିଗ୍ରହରୂପୀ ପରଂବ୍ରହ୍ମଙ୍କର ବିଶେଷତ୍ଵ’ ବୋଲି କହିଛନ୍ତି ।

 

ସ୍କନ୍ଦ ପୁରାଣରେ ‘ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟମ୍’, ୧୩ ଅଧ୍ୟାୟରେ ବ୍ରହ୍ମା ଦେବଗଣଙ୍କୁ କହିଛନ୍ତି ଯେ ପୁରୁଷୋତ୍ତମ କ୍ଷେତ୍ରରେ ଭଗବାନ୍ ଜନାର୍ଦ୍ଦନ ପ୍ରଥମ ପରାର୍ଦ୍ଧରେ ନୀଳକାନ୍ତ ମଣିମୟ ଶରୀର ଧାରଣ କରିଥିଲେ । ଦ୍ଵିତୀୟ ପରାର୍ଦ୍ଧରେ ଶ୍ଵେତବରାହ କଳ୍ପରେ ସ୍ଵାୟମ୍ଭୁବମନୁଙ୍କ ସମୟରେ ସେ ଭୂଲୋକରେ ଦାରୁମୂର୍ତ୍ତି ଭାବରେ ଅଧିଷ୍ଠିତ ହେଲେ । ଶ୍ରୀମନ୍ଦିର ପରିସରରେ ଦାରୁବ୍ରହ୍ମ ଅଧିଷ୍ଠିତ ହେବା ପୂର୍ବରୁ ପ୍ରଥମେ ଶିଳାବ୍ରହ୍ମ ପୂଜିତ ହେଉଥିବା କଥା ଶ୍ରୀ ସତ୍ୟନାରାୟଣ ରାଜଗୁରୁ ଓ ପ୍ରଫେସର ଗୋପୀନାଥ ମହାପାତ୍ର ପ୍ରମୁଖ କହିଛନ୍ତି । ରାଜଗୁରୁଙ୍କ ମତରେ ଚୋଡ଼ଗଙ୍ଗଦେବଙ୍କ ରାଜତ୍ଵ କାଳରେ ଏଇ ପ୍ରସ୍ତର ମୂର୍ତ୍ତି ପ୍ରଥମେ ନୃସିଂହ ମନ୍ଦିରରେ ପୂଜା ପାଉଥିଲେ ଏବଂ ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗଭୀମ ଦେବ (୩) ବଡ଼ ଦେଉଳ ପ୍ରତିଷ୍ଠା କଲାବେଳେ ଏ ମୂର୍ତ୍ତି ରତ୍ନସିଂହାସନରେ ବିରାଜିତ ହେଲେ । ପରେ ରାଜସୈନ୍ୟଭୁକ୍ତ ଶବରମାନଙ୍କ ଦାବୀକ୍ରମେ ଶ୍ରୀମନ୍ଦିରରୁ ପୂର୍ବ ବିଗ୍ରହ ସବୁ ସ୍ଥାନାନ୍ତର କରି ଆଦିବାସୀ ପୂଜିତ ଦେବତାଙ୍କ ସ୍ଵରୂପରେ ଦାରୁମୂର୍ତ୍ତି ସ୍ଥାପନ କରାଗଲା (ରାଜଗୁରୁ- ‘ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର, ୧୯୯୬ ପୃ ୫୮-୫୯) । ଶ୍ରୀ ମହୀମୋହନ ତ୍ରିପାଠୀ ଏ ଦିଗରେ ଅଧିକ ଗବେଷଣା ପାଇଁ ଆହ୍ୱାନ ଦେଇଛନ୍ତି ।

 

ବୈଦିକ ପୃଷ୍ଠଭୂମି ବ୍ୟତିରେକେ ସମଗ୍ର ଉପନିଷଦ ସାହିତ୍ୟରେ ପରଂବ୍ରହ୍ମ ବା ବ୍ରହ୍ମ, ପୁରୁଷ ପୁରୁଷୋତ୍ତମ, ସହସ୍ରଶୀର୍ଷା ପୁରୁଷ, ମହାବିଷ୍ଣୁ, ବାସୁଦେବ-ଜଗନ୍ନାଥ ଆଦି ବିଭିନ୍ନ ରୂପର ତାତ୍ତ୍ଵିକ ବିଶ୍ଲେଷଣ ସହିତ ‘ଓମିତ୍ୟକ୍ଷରଂ ବ୍ରହ୍ମ’ ଓ ସୃଷ୍ଟିତତ୍ତ୍ଵ ଆଦି ପ୍ରସଙ୍ଗ ରହିଛି । ଈଶାବାସ୍ୟୋପନିଷଦ୍, ଛାନ୍ଦୋଗ୍ୟ, ବ୍ରହ୍ମୋପନିଷଦ ଓ ମୈତ୍ରାୟଣ୍ୟୁପନିଷଦ ପ୍ରଭୃତିରେ ପୁରୁଷଙ୍କ ବର୍ଣ୍ଣନା ଅଛି । ଶ୍ଵେତାମ୍ଵରର ଉପନିଷଦରେ ହସ୍ତ ପଦ କର୍ଣ୍ଣ ଚକ୍ଷୁ ନ ଥିବା ସବୁଜାଣିଥିବା ପ୍ରଭୁଙ୍କର ବର୍ଣ୍ଣନା ଅଛି । ଅଥଚ, ସିଧାସଳଖ ଶ୍ରୀକ୍ଷେତ୍ରପୁରୀସ୍ଥିତ ଜଗନ୍ନାଥଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଏଥିରେ ଉଲ୍ଲେଖ ନାହିଁ । ପରବର୍ତ୍ତୀ କାଳରେ ରଚିତ ରାଧୋପନିଷଦ, ପୁରୁଷୋତ୍ତମତାପନୀ ଇତ୍ୟାଦି ଗ୍ରନ୍ଥରେ ଅବଶ୍ୟ ଏହାର ସ୍ପଷ୍ଟ ବିବରଣୀ ରହିଛି । ଉକ୍ତ ‘ଶ୍ରୀ ଜଗନ୍ନାଥ ଚେତନାର ଶାସ୍ତ୍ରୀୟ ଭିତ୍ତିଭୂମି’ ପୁସ୍ତକରେ ବିଭିନ୍ନ ପୁରାଣ ଯଥା ବିଷ୍ଣୁପୁରାଣ, ବ୍ରହ୍ମପୁରାଣ, ମତ୍ସ୍ୟପୁରାଣ, ପଦ୍ମପୁରାଣର ପାତାଳଖଣ୍ଡ, ବୃହନ୍ନାରଦୀୟ ପୁରାଣର ଉତ୍ତରଭାଗ, କୂର୍ମପୁରାଣ, ଗରୁଡ଼ ପୁରାଣ, କପିଳ ପୁରାଣ, ରାମାୟଣ, ମହାଭାରତ, ଓ ସ୍କନ୍ଦପୁରାଣର ଉତ୍ତରଖଣ୍ଡ ସହିତ କପିଳ ସଂହିତା ଇତ୍ୟାଦି ଗ୍ରନ୍ଥରୁ ପ୍ରାସଙ୍ଗିକ ଉଦ୍ଧୃତିମାନ ଦିଆଯାଇ ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କର ଶାସ୍ତ୍ରୀୟ ସମୀକରଣ କଥା ଉଲ୍ଲେଖ କରାଯାଇଛି । ଉକ୍ତ ଗ୍ରନ୍ଥର ପଞ୍ଚମ ଅଧ୍ୟାୟରେ ଥିବା ‘ପାଞ୍ଚରାତ୍ରାଗମ ଭିତ୍ତିଭୂମି’ ଅଧ୍ୟାୟଟି ଗବେଷକମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ । ପ୍ରଫେସର ବ୍ରଜକିଶୋର ସ୍ଵାଇଁଙ୍କ ମତରେ ଶ୍ରୀଜଗନ୍ନାଥଙ୍କର ସକଳ ପୂଜା ବିଧାନ ବୈଖାନସ ଓ ପାଞ୍ଚରାତ୍ର ଆଗମନ ସମ୍ମିଳିତ ବିଭବ ।

 

ପାଞ୍ଚରାତ୍ର (ରାତ୍ରଜ୍ଞାନ) ଆଗମ ହେଉଛି ବୈଷ୍ଣବ ଆଗମ, ପାଞ୍ଚରାତ୍ର ଆଗମ ଗ୍ରନ୍ଥଗୁଡ଼ିକରେ ବିଶେଷ ସ୍ଥାନ ଅଧିକାର କରିଛି ପୌଷ୍କର, ସାତ୍ଵତ, ଜୟାଖ୍ୟ ଅହିର୍ବୁଧ୍ନ ଆଦିପ୍ରାଚୀନ ସଂହିତା, ଗୌତମୀୟ ତନ୍ତ୍ର, ନାରଦ ପଞ୍ଚରାତ୍ର ଓ ଶାଣ୍ଡିଲ୍ୟ ଭକ୍ତି ସୂତ୍ର ଆଦି । ପାଞ୍ଚରାତ୍ରଭୁକ୍ତ ଅନ୍ୟଗ୍ରନ୍ଥମାନଙ୍କରେ ମୋକ୍ଷପ୍ରାପ୍ତିକୁ ଗୁରୁତ୍ଵ ଦିଆଯାଇଥିବା ସ୍ଥଳେ ସାତ୍ଵତ ସଂହିତାରେ ଉଭୟ ଭୁକ୍ତି ଓ ମୁକ୍ତି ଉପରେ ପ୍ରାଧାନ୍ୟ ଦିଆଯାଇଛି, ଯାହା ଶ୍ରୀକ୍ଷେତ୍ରର ମହିମା । ପାଞ୍ଚରାତ୍ର ଆଗମରେ ପାଞ୍ଚକାଳ ତତ୍ତ୍ଵ ଯଥା-ଅଭିଗମନ (ବ୍ରାହ୍ମ ମୁହୂର୍ତ୍ତରେ ମଙ୍ଗଳ ଆରତି), ଉପାଦାନ କାଳ (ପୁଷ୍ପାଦି ଆଭୁଷଣ ସଂଗ୍ରହ), ଇଜ୍ୟାକାଳ (ଅର୍ଚ୍ଚାବିଧି, ଯଜ୍ଞ, ପୂଜା, ପୁରୁଷସୂକ୍ତ ପାଠ ଓ ଧାନ ଯାହା ଶ୍ରୀମନ୍ଦିରରେ ନିତ୍ୟପ୍ରଚଳିତ ପରମ୍ପରା), ସ୍ଵାଧ୍ୟାୟକାଳ (ଅପରାହ୍ନରେ ପୁରାଣ ପଣ୍ଡା ସେବା), ଯୋଗକାଳ (ରାତିର ୨ୟ ପ୍ରହରଠାରୁ ୪ର୍ଥ ପ୍ରହର ମଧ୍ୟରେ ପ୍ରଭୁମନସ୍କ ହୋଇ ଯୋଗାଭ୍ୟାସ ତଥା ବଡ଼ସିଂହାର) । ‘ଶତପଥବ୍ରାହ୍ମଣ’ରେ ସ୍ଵୟଂ ନାରାୟଣ ପାଞ୍ଚରାତ୍ର ଯଜ୍ଞ କରି ନିଜକୁ ତନ୍ମଧ୍ୟରେ ଆହୁତି ଦେଇ ପୁରୁଷ ଭାବରେ ନୂତନ ସୃଷ୍ଟି କରିବା ପାଇଁ ପୁଣି ଯଜ୍ଞକୁଣ୍ଡରୁ ପାଞ୍ଚଟି ମୂର୍ତ୍ତି ଧାରଣ କରି ଆବିର୍ଭୂତ ହୋଇଥିଲେ । ସେଇ ପାଞ୍ଚମୂର୍ତ୍ତି ହେଲା ପରା, ବ୍ୟୂହ, ବିଭବ, ଅନ୍ତର୍ଯ୍ୟାମୀ ଓ ଅର୍ଚ୍ଚା–ଏସବୁ ନାରାୟଣଙ୍କର ପ୍ରକାଶ ମୂର୍ତ୍ତି । ପାଞ୍ଚରାତ୍ରର ଚତୁର୍ବ୍ୟୂହ ଅବତାର ତଥା ସିଦ୍ଧାନ୍ତକୁ ଆଦିଶଂକର ଅବୈଦିକ ବୋଲି କହିଥିଲେ ମଧ୍ୟ, ରାମାନୂଜ ଦୃଢ଼ ଯୁକ୍ତି ଉପସ୍ଥାପନ କରି ଏହା ବୈଦିକ ସିଦ୍ଧାନ୍ତ ବୋଲି କହିଛନ୍ତି । ସେଇ ପଞ୍ଚବ୍ୟୂହ ହେଲେ ପରମ (ପରଂବ୍ରହ୍ମ), ସଂକର୍ଷଣ (ଜୀବ) , ପ୍ରଦ୍ୟୁମ୍ନ (ମନ) ଅନିରୁଦ୍ଧ (ଅହଂକାର ଓ ସୃଷ୍ଟି କର୍ତ୍ତା) ।

 

ତ୍ରୈଲୋକ୍ୟମୋହନ ପୁରୁଷୋତ୍ତମ ଜଗନ୍ନାଥ ହେଉଛନ୍ତି ‘ପରମତତ୍ତ୍ଵ’ ଓ ‘ଆନନ୍ଦମୟ ବ୍ରହ୍ମ’ । ସେହିଁ ‘ପରା ଵାସୁଦେବ’ । ପାଞ୍ଚରାତ୍ରର ମୁଖ୍ୟ ପ୍ରତିପାଦ୍ୟ ହେଉଛି ବିବିଧ ନ୍ୟାସ । ଜଗନ୍ନାଥ ଅବ୍ୟକ୍ତବ୍ରହ୍ମ ପ୍ରତୀକାତ୍ମକ ଭାବରେ କପଟଦାରୁବ୍ରହ୍ମ ଓ ବ୍ୟକ୍ତ ଅବସ୍ଥାରେ କେଶବ ବା ଶ୍ରୀକୃଷ୍ଣ । ପୁରୁଷୋତ୍ତମ ଜଗନ୍ନାଥଙ୍କ ଉପାସନାରେ ବୈଧୀଭକ୍ତିର ପ୍ରାଧାନ୍ୟ ଥିଲେ ମଧ୍ୟ ରାଗାନୁଗା ଭକ୍ତିର ଐଶ୍ଵର୍ଯ୍ୟ କମ୍ ନୁହେଁ । ଏହାର ମୁଖ୍ୟ ପୁରୋଧା ଥିଲେ ଶ୍ରୀଚୈତନ୍ୟ । ଓଡ଼ିଶାର ପଞ୍ଚସଖାଙ୍କର ଥିଲା ଜ୍ଞାନମିଶ୍ରା ଭକ୍ତି । ଶ୍ରୀଜଗନ୍ନାଥ ଚେତନା ଓଡ଼ିଆଙ୍କ ପ୍ରାଣରେ ଗୋପୀଜନୋଚିତ ନିର୍ମଳ ଭକ୍ତିରସର ସଞ୍ଚାର କରିଥାଏ । ଓଡ଼ିଶାର ଭଜନ ଓ ଜଣାଣ ସାହିତ୍ୟରେ ଭକ୍ତ ଓ ଭଗବାନଙ୍କର କୋଳାକୋଳି ଭାବ ଅନନ୍ୟ । ଭକ୍ତର ଆଖିରୁ ଝରି ଆସେ ମିଠା ଲୁହ, ଆନନ୍ଦାଶ୍ରୁ । ସେ ଗାଳିଦିଏ, ଅଭିମାନ କରେ, ମନ ଉଣା କରେ, ଅଝଟ କରେ, ଅଥଚ କିଛି ମାଗେ ନାହିଁ । କିନ୍ତୁ ପ୍ରଭୁଙ୍କର କପଟପାଶ ସେମିତି ଭକ୍ତଙ୍କୁ ସବୁବେଳେ ଟାଣୁଥାଏ ।

 

ଯାହାଙ୍କଠାରେ ସକଳ ଧର୍ମ ଦର୍ଶନ, ଆଚାର, ଉପଚାର ଓ ଲୌକିକ ପରମ୍ପରାର ଆଶ୍ଚର୍ଯ୍ୟ ସମାବେଶ ଘଟିଛି ଏବଂ ନୀଳଶୈଳର ଯେଉଁ ନିକେତନରେ ସେ ଯେଭଳି ଦେବୀପ୍ୟମାନ ହୋଇ ବିରାଜୁଛନ୍ତି କାହିଁ କେତେ ଯୁଗରୁ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଡକ୍ଟର କୃଷ୍ଣଚନ୍ଦ୍ର ମିଶ୍ରଙ୍କଦ୍ଵାରା ପ୍ରଣୀତ ଗବେଷଣା ସନ୍ଦର୍ଭ ‘ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ- ଏକ ତାତ୍ତ୍ଵିକ ବିଶ୍ଲେଷଣ’ (୧ମ ଓ ୨ୟ ଭାଗ ୨୦୧୦)ରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ମୂର୍ତ୍ତି ସମୂହର ଏକ ସୁନ୍ଦର ଆଲେଖ୍ୟ ସ୍ଥାନିତ ହୋଇଛି । ଶ୍ରୀମହୀମୋହନ ତ୍ରିପାଠୀ ତାଙ୍କ ‘ଶ୍ରୀଜଗନ୍ନାଥ’ ପୁସ୍ତକରେ ଲେଖିଛନ୍ତି-‘ଶ୍ରୀମନ୍ଦିର (ବଡ଼ ଦେଉଳ)ର ବେହରଣ ଦ୍ଵାର ବା ଦକ୍ଷିଣ ଦ୍ଵାର ପାର୍ଶ୍ଵରେ କାନ୍ଥରେ ଏକ ପ୍ରସ୍ତର ନିର୍ମିତ ମହାବୀର ଜୈନ ମୂର୍ତ୍ତି ଶୋଭା ପାଉଛନ୍ତି । ଏହି ମୂର୍ତ୍ତି ପ୍ରଥମେ କୁଆଡ଼େ ରତ୍ନବେଦୀ ପାର୍ଶ୍ଵରେ ଖଞ୍ଜା ଖଞ୍ଜା ଯାଇଥିଲେ ଏବଂ ପରେ ଶ୍ରୀମନ୍ଦିରର ମ୍ୟାନେଜର ସଖୀଚାନ୍ଦଙ୍କ ସମୟରେ (୧୯୨୧-୨୫) ସେଠାରୁ ଅପସାରଣ କରାଯାଇ ଏହି ଦ୍ଵାର ପାର୍ଶ୍ଵରେ ସ୍ଥାପିତ ହୋଇଥିଲେ’ (ପୃ. ୩୧) । ଏବେ ଆସନ୍ତୁ ଡକ୍ଟର ମିଶ୍ରଙ୍କର ‘ଶ୍ରୀଜଗନ୍ନାଥଙ୍କ ମନ୍ଦିରର କଳା ଓ ସ୍ଥାପତ୍ୟ’ ପୁସ୍ତକରେ ଥିବା କିଛି ତଥ୍ୟ ଆଲୋଚନା କରିବା ।

 

ବିମାନର ଉପରଜଂଘା ପିଢ଼ ମୁଣ୍ଡରେ ପଦ୍ମପୃଷ୍ଠରେ ବିରାଜମାନ କରିଛନ୍ତି ଧ୍ୟାନରତ ବୁଦ୍ଧ-। ଅଳ୍ପ ଦୂରରେ ଶ୍ରୀରାମ ।

 

ଭୋଗମଣ୍ଡପର ଉତ୍ତରପାର୍ଶ୍ଵ କୋଣକରେ ଶ୍ରୀରାମ ଓ ରଥାରୂଢ଼ ବିଂଶପାଣି ରାବଣ ସହିତ ଯୁଦ୍ଧ ଲୀଳା ।

 

ଭୋଗମଣ୍ଡପର ଦକ୍ଷିଣପୂର୍ବ ଉପର ଜଂଘାର ବୃଷଭ ଉପରେ ଷଡ଼ଭୂଜ ନୃତ୍ୟରତ ନଟରାଜ ।

 

ଜଗମୋହନର ଉତ୍ତରପାର୍ଶ୍ଵ ବାଡ଼ରେ ଜଗନ୍ନାଥ, ଶିବଲିଙ୍ଗ ଓ ମହିଷାସୁରମର୍ଦ୍ଦିନୀ ଦୁର୍ଗା ।

 

ବିମାନ ଗଣ୍ଡିର ଅନୁରଥ ପଗ ଅଙ୍ଗଶିଖରେ ଭୈରବ ଓ କାଳୀ(ଚାମୁଣ୍ଡା) ।

 

ଭୋଗମଣ୍ଡପ ପୂର୍ବପାର୍ଶ୍ଵ ବାଡ଼ର ଉପର ଜଂଘାରେ ତ୍ରିଭଙ୍ଗଠାଣିରେ ଅଷ୍ଟଭୁଜ ଶ୍ରୀକୃଷ୍ଣ ।

 

ଉତ୍ତର ଦିଗରେ ବିମାନ ଉପର ଜଂଘା ପିଢ଼ ମୁଣ୍ଡରେ ବେଣୁଗୋପାଳ ଶ୍ରୀକୃଷ୍ଣ । ପଶ୍ଚିମ ପାର୍ଶ୍ଵ ରାହାପାଗରେ ବି ବେଣୁଗୋପାଳ ।

 

ପଶ୍ଚିମପଟ ଉପରଜଂଘାରେ ବିଷ୍ଣୁ । ଦକ୍ଷିମପାର୍ଶ୍ଵ ଉପର ଜଂଘାର ରାହାପାଗ ଉପରେ ବି ଶ୍ରୀବିଷ୍ଣୁ ।

 

ବିମାନ ଭାଗରେ ଶକଟାସୁର ବଧ, ବିମାନ ପଟାରେ ଗୋପାଳ ଓ ଗୋରୁପଳଙ୍କ ସହ ଶ୍ରୀକୃଷ୍ଣ, ଷଣ୍ଢାସୁରବଧ (ଭିତ୍ତିଚିତ୍ର), କୁବଳୟା ହସ୍ତୀ ସହ ଶ୍ରୀକୃଷ୍ଣ ଓ ବଳରାମଙ୍କ ଯୁଦ୍ଧ ବିମାନ ଉପରଜଂଘା (ପଶ୍ଚିମ ଦିଗ) ରାହା ପାଗରେ ବଂଶୀଧାରୀ ଶ୍ରୀକୃଷ୍ଣ ।

 

କଳ୍ପୀ, ନୃସିଂହ, କର୍ଣ୍ଣାର୍ଜ୍ଜୁନ ଯୁଦ୍ଧ, ଭୀଷ୍ମ ଅର୍ଜ୍ଜୁନ ଯୁଦ୍ଧ ଅତ୍ୟାଦି ପ୍ରଭୃତି ଆଲେଖ୍ୟ ଶ୍ରୀମନ୍ଦିର ଗାତ୍ରରେ ରହି ସର୍ବଭାରତୀୟ ଚେତନାର ଗନ୍ତାଘର ପାଲଟିଛି ।

 

Jagannath in Alien Eyes (2003) ଶୀର୍ଷକ ପୁସ୍ତକରେ ସଂକଳିତ ହୋଇଥିବା W.W. Hunterଙ୍କ ପ୍ରବଂଧ Jagannathର ଗୋଟିଏ ପରିଚ୍ଛେଦକୁ ଉଦ୍ଧୃତି ଆକାରରେ ପାଠକ ସମ୍ମୁଖରେ ରଖିବାର ଲୋଭ ସମ୍ଵରଣ କରିପାରୁନାହିଁ । ତାହା ହେଲା-

 

Besides this perpetual appeal to the popular instinct, the worship of Jagannath aims at a Catholicism which embraces every form the Indian belief, and every Indian conception of the Deity, Nothing is too high, and noting is too low, to find admission into his temple. The fetishism and bloody rites of the aboriginal races, the mild flower-worship of the Vedas, and every compromise between the two, along with the lofty spiritualities of the great indian reformers, have here. found refuge. The rigid monotheism of Ramanande in the fifteenth, the mystic quietism of chaitanya at the berinning of the sixteenth, and the luxurious love – worship of the vallabhacharis towards the close, mingle with the walls of jagannath at this present day. He is vishnu under whatever form and form and by whatever tittle men call upon his name(P.45)

 

ଏହି ପାଶ୍ଚାତ୍ୟ ଐତିହାସିକ ଆଜିକୁ ପ୍ରାୟ ଦେଢ଼ ଶହ ବର୍ଷ ତଳେ (1872AD) ଶ୍ରୀଜଗନ୍ନାଥଙ୍କଠାରେ ସମାବିଷ୍ଟ ଅଖିଳ ଭାରତର ଆସ୍ଥା ଓ ବିଶ୍ଵାସର କଥା ଯାହା କହିଥିଲେ ତାହା ଉପର୍ଯ୍ୟୁକ୍ତ ଉଦ୍ଧୃତିରୁ ଜଣାପଡ଼େ । ୧୧୦୪ ମସିହାରୁ ୧୩୧୧ ପର୍ଯ୍ୟନ୍ତ ଉତ୍କୀର୍ଣ୍ଣ ୧୨ଟି ଶିଳାଲିପି ଓ ୪ଟି ତାମ୍ରପତ୍ରରେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର ପ୍ରଶସ୍ତିର ଆଭାସ ମିଳେ । ଶ୍ରୀଜଗନ୍ନାଥ ରହସ୍ୟବିଜ୍ଞାନ ଏବେ ବି ଅବିଜ୍ଞାତ ।

 

ଅଥଚ ଭକ୍ତମାନଙ୍କର ହୃଦୟର ନିବୃତ୍ତ ପୀଠରେ ପ୍ରତିଲିପିରେ ଚିରଭାସ୍ଵର ହୋଇ ରହିଛି ‘ଶରଣାଗତି’ ସେଠି ଅଛି ସମ୍ପୂର୍ଣ୍ଣ ଆତ୍ମସମର୍ପଣର ଅନ୍ତର୍ଲୀନ କସ୍ତୁରୀ । ଏଇ ଆତ୍ମସମର୍ପଣରେ ଜାତି ଭେଦ ନାହିଁ କି ପ୍ରଜ୍ଞାର ଆସ୍ପର୍ଦ୍ଧା ନାହିଁ । ମାନବୀୟ ଦୁଃଖ, ହତାଶା ଓ ନୈରାଶ୍ୟ, ତା’ର ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ପୀଡ଼ା କେବେହେଲେ ବିଶ୍ଵାତୀତ ନୁହେଁ । ଶ୍ରୀଜଗନ୍ନାଥ ସ୍ଵପ୍ନାହତ ଦୁର୍ବଳ ଭକ୍ତର ଇଷ୍ଟ, ମୁନି, ସନ୍ଥ, ଦାର୍ଶିକ ଓ ମହାଯୋଗୀମାନଙ୍କର ଇଷ୍ଟଙ୍କର ଇଷ୍ଟ, ନିରାକାରବାଦୀଙ୍କର ଅନିର୍ବଚନୀୟ ପରମବ୍ରହ୍ମ, ବିଭିନ୍ନ ସମ୍ପ୍ରଦାୟର ଚିର ଆରାଧ୍ୟ ଶୀର୍ଷବିନ୍ଦୁ ଏବଂ ସଦ୍‍ଗୁରୁମାନଙ୍କ ପାଇଁ ପରିବ୍ୟାପ୍ତ ବିଶ୍ଵାୟିତ ଚେତନା । ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କର ଚେତନାରେ – “ବିଶ୍ଵ ତୋ ପାଖରୁ ଜନମେ/ ବିଶ୍ରାନ୍ତି ପାଏ ତୋ’ ଚରଣେ । ନୀଳସିନ୍ଧୁର ଢେଉ ପରି/ଜନ୍ମ ବିଲୟ ଗତି ଧରି ।। x x ଯେମିତି ଉର୍ମି ସାଗରର/ଭାଙ୍ଗେ ଛୁଇଁଲେ ବାଲିଚର/ସେମିତି ଭକ୍ତର କଷଣ/ ମିଟେ ଛୁଇଁଲେ ତୋ ଚରଣ ।। x x ପୁଣ୍ୟଭୂମି ଏ ଭାରତରେ /ନାହିଁ ସନ୍ଥ କେ ଏ ପ୍ରକାରେ । ଯେ ତୋର ପାଶେ ଆସି ନାହିଁ/ ତୋ’ କୃପାପ୍ରାର୍ଥୀ ହୋଇନାହିଁ ।” (ଜଗନ୍ନାଥ ସ୍ତବକ’, ଶ୍ରୀଗୁରୁ ଭାଗବତ, ୪ର୍ଥ ଖଣ୍ଡ (୨୦୧୧) ।

 

ଶ୍ରୀସନାତନ ଗୋସ୍ଵାମୀ ଶ୍ରୀଚୈତନ୍ୟଙ୍କର ପାର୍ଷଦ ଭାବରେ ଶ୍ରୀକ୍ଷେତ୍ରରେ ରହି ତାଙ୍କର ପୁଲକିତ ଅନୁଭୂତିକୁ ‘ଶ୍ରୀବୃହଦ୍ ଭାଗବତାମୃତ’ ଗ୍ରନ୍ଥରେ ବର୍ଣ୍ଣନା କରିଥିଲେ –

 

ଦାରୁବ୍ରହ୍ମ ଜଗନ୍ନାଥୋ ଭଗବାନ୍ ପୁରୁଷୋତ୍ତମେ

କ୍ଷେତ୍ରେ ନୀଳାଚଳେ କ୍ଷାରର୍ଣ୍ଣବତୀରେ ବିରାଜତେ

ମହାବିଭୂତିମାନ୍ ରାଜ୍ୟମୌତ୍କଳଂ ପାଳୟନ୍ ସ୍ଵୟଂ

ବ୍ୟଞ୍ଜୟନ୍ ନିଜମାହାତ୍ମ୍ୟଂ ସଦା ସେବକବତ୍ସଳଃ ।।

 

(ନୀଳାଚଳରେ ଲବଣ ସମୁଦ୍ରର ତୀରଦେଶରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବିରାଜମାନ କରିଛନ୍ତି । ସେ ମହାବିଭୂତିମାନ୍ । ସ୍ଵୟଂ ଉତ୍କଳ ରାଜ୍ୟ ପାଳନ ଏବଂ ସର୍ବଦା ନିଜ ମାହାତ୍ମ୍ୟ ପ୍ରକାଶ କରି ସେ ସେଠାରେ ଅଧିଷ୍ଠିତ ଅଛନ୍ତି) ଉତ୍କଳର ରାଜା ହିଁ ସ୍ଵୟଂ ନାରାୟଣ ଜଗନ୍ନାଥ (ଗୋପବଂଧୁ) । ଏହି ପ୍ରବଂଧର ଅନ୍ତିମ ଚରଣରେ ଗଜପତି ବଂଶଧର ଦାମୋଦର ଦେବଙ୍କ ଶିଳାଲେଖରେ ଉତ୍କୀର୍ଣ୍ଣ ସ୍ତବକୁ ଉଦ୍ଧାର କରି ଉପସଂହାର କରୁଛି-

 

ଯଜ୍ଜାଗ୍ରତେ ଯାତି ଜଗତ୍ ପ୍ରକାଶଂ, ନିଦ୍ରାୟମାଣେ ପୁନରେବ ଯସ୍ମିନ୍

ନିଲୀୟମାନଂ ଭବତି କ୍ଷଣେନ, ନମୋଽସ୍ତୁ ତସ୍ମୈ ପୁରୁଷୋତ୍ତମାୟ ।.

 

ଏନ୍ ୧/ଏ -୨୭

ଆଇ.ଆର.ସି. ଭିଲେଜ୍

ଭୁବନେଶ୍ଵର -୧୫

***